ଜନ୍ମ ଜନ୍ମାନ୍ତର : 8
ଜନ୍ମ ଜନ୍ମାନ୍ତର : 8
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ଜନ୍ମ ଜନ୍ମାନ୍ତର " କାହାଣୀର ପୂର୍ବ ଅଧ୍ୟାୟଗୁଡିକୁ ଭଲ ଭାବରେ ପଢନ୍ତୁ। ଆଗ ଅଧ୍ୟାୟରେ ଆମେ ପଢିଥିଲେ ଯେ ଗୋଟିଏ ଅଦ୍ଭୁତ ଆଲୁଅ ବାହାରିଲା ଏବଂ ଶଙ୍ଖ ଧ୍ୱନି ବାଜିଲା ପରେ କଣ ହୋଇଛି କେହି ଜାଣି ନାହାଁନ୍ତି ଏବଂ ପ୍ରମୋଦ ବାବୁ, ରାଶି ଓ ଡ୍ରାଇଭର ସକାଳୁ ସେଇ ଭୂତ ବଙ୍ଗଳାରୁ ଶ୍ରୀ କୁ ନେଇ ସହର ଅଭିମୁଖେ ବାହାରିଲେ। ଭୋଳା ନନା ଙ୍କ ଫୋନରୁ ଜାଣିଲେ ଯେ ମିନିର ଆତ୍ମା ତାଙ୍କୁ ସପନରେ ଜଣାଇଲା ଶ୍ରୀ ବିପଦରେ ଅଛି। ଆଉ ନନା ଅଖଣ୍ଡ ଦୀପ ଜଳାଇ ଶ୍ରୀର ସୁରକ୍ଷା କାମନା କଲେ। ସମସ୍ତେ ବୁଝିଗଲେ ଯେ ମାଆ ବନଦୁର୍ଗା ଙ୍କ ଆଶୀର୍ବାଦରୁ ସେମାନେ ବଞ୍ଚି ଗଲେ। ହେଲେ ପ୍ରମୋଦ ବାବୁ ଓ ରାଶି ଙ୍କ ମନରେ ଗୋଟାଏ ପ୍ରଶ୍ନ ଏବେ କଣ ସତରେ ମିନିର ଆତ୍ମା ଏବେ ବି ଅତୃପ୍ତ ଅଛି ?
ତାପରେ :
ପ୍ରମୋଦ ବାବୁ ଓ ରାଶି ଶ୍ରୀକୁ ଜାକି ଧରି ଘର ଅଭିମୁଖେ ବାହାରିଲେ। ରାସ୍ତାରେ ଗାଡି ଗୋଟିଏ ଗ୍ୟାରେଜରେ ଠିକ କରି ଘର ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇ ଯାଇ ଥିଲା। ସହରର ଘରେ ରାଶିଙ୍କ ବାପା ମାଆ ଆଉ ଭାଈ ଭାଉଜ ରହୁ ଥିଲେ। ସେମାନେ ଫୋନରେ ଶ୍ରୀ ବିଷୟରେ ଶୁଣି ଥିଲେ।
ଘରେ ପହଞ୍ଚିଲା ବେଳକୁ ବିଜୁଳି କଟି ଗଲା। ଦେବ ଓ ଶ୍ରେୟାଙ୍କ ମୃତ୍ୟୁର ଦଶ ଦିନ ଶୁଦ୍ଧ କାମ ସରି ନ ଥିବାରୁ ଶ୍ରୀ ର ଆଳତି କରି ହେଲା ନାହିଁ। ଶ୍ରୀ କୁ ନେଇ ରାଶି ଯେମିତି ଘରେ ପ୍ରବେଶ କଲେ ଘରର ଶୁଭ କାମନା ପାଇଁ ବନ୍ଧା ହୋଇ ଥିବା ବେଲ ପତ୍ରର ମାଳ ଟି ଛିଣ୍ଡି ପଡି ଗଲା। ଏହା ଦେଖି ରାଶିଙ୍କ ଭାଉଜ ଲିସା ଆଶ୍ଚର୍ଯ୍ୟ ହୋଇ କହିଲେ ଘୋର ଅଶୁଭ ସଙ୍କେତ। ଛୁଆଟିକୁ ନେଇ ପ୍ରବେଶ କରୁ କରୁ ବେଲ ପତ୍ର ର ମାଳ ଛିଣ୍ଡି ଗଲା ! ଆହୁରି କଣ ଅସୁବିଧା ଆସିବ କେଜାଣି !
ପ୍ରମୋଦ ବାବୁ କହିଲେ ଭାଉଜ ସେ ସବୁ ଛାଡ ଶୁଦ୍ଧ କାମ ସାରିଲେ ଆଉ ଗୋଟିଏ ବେଲ ପତ୍ରର ମାଳ ଆଣି ଘରେ ଲଗାଇବା।
ରାଶିଙ୍କ ମାଆ ସୁଜାତା ଦେବୀ ସାନ ଝିଅ ଶ୍ରେୟା ଓ ଜଇଁ ଦେବ ଙ୍କୁ ହରାଇ ଥିବାରୁ ରାଶିଙ୍କୁ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ।
ପ୍ରମୋଦ ବାବୁ ଯାଇ ରାଶିଙ୍କ ବାପା ଗୋବିନ୍ଦ ବାବୁଙ୍କୁ ପ୍ରଣାମ କଲେ ଯିଏ କି ପାରାଲିସିସ୍ ଅବସ୍ଥାରେ ଖଟ ଉପରେ ଶୋଇ ଥାଆନ୍ତି।
ଶ୍ରୀକୁ ସୁଜାତା ଦେବୀ ଧରି କହିଲେ ମୋତେ ଲାଗୁଛି ଯେମିତି ଏ ଛୁଆ ପାଖରେ ଅଦୃଶ୍ୟ ଶକ୍ତି ଅଛି। ଭଲ ନା ଖରାପ ମୁଁ କହି ପାରିବି ନାହିଁ। କିନ୍ତୁ ତା ଆଖି ହେଉଛି କଥା କୁହା ଆଖି। ଶ୍ରୀ ସୁଜାତା ଦେବୀ ମାନେ ତା ଆଈ ପାଖକୁ ଯାଇ ଫିକ୍ କି ହସି ଦେଲା। ତା ହସ ଦେଖି ସେ ତାକୁ ଚୁମ୍ବନ କରି କହିଲେ ଦେଖ ରାଶି ତୋର ଇଏ ଦୁଃଖ ଦୂର କରି ଦେବ। ଶ୍ରୀର ଜନ୍ମ ରହସ୍ୟ ସୁଜାତା ଦେବୀଙ୍କୁ କେହି କହି ନ ଥିଲେ। କାରଣ ସେ ପୁରୁଣା କାଳିଆ ଲୋକ। ତାର ଜନ୍ମର ରହସ୍ୟ ଜାଣିଲେ ଶ୍ରୀକୁ ସେ କେବେ ଆପଣାଇ ନ ଥାଆନ୍ତେ। ଶ୍ରୀ ସହ ହସ ଖୁସି ଦେଖି ଲିସା ସହି ପାରୁ ନ ଥାଆନ୍ତି। କାରଣ ସେ ତାକୁ ନିଜ ପରିବାରଦ ସଦସ୍ୟ ରୂପରେ ଗ୍ରହଣ କରି ପାରୁ ନ ଥିଲେ।
ଘରର ଚାକରାଣୀ ରାଧା ଆସି ପ୍ରମୋଦ ବାବୁ ଓ ରାଶିଙ୍କ ବ୍ୟାଗ ନେଇ ତାଙ୍କ ରୁମରେ ରଖିଲା। ଆଉ କ୍ଷୀର ଗରମ କରି ଶ୍ରୀ କୁ ପିଆଇବା ପାଇଁ ଆଣି ଦେଲା। ରାଧାଙ୍କୁ ଦେଖି ଶ୍ରୀ ପୁରା ଖୁସି ହୋଇ ଗଲା। ଯେମିତି ଶ୍ରୀ ନିଜ ମାକୁ ଦେଖି ନେଲା। ରାଧା ବି ସତର ଅଠର ବର୍ଷର ଝିଅ। ମିନି ପରି ଦେଖିବା ପାଇଁ। ରାଧା ଶ୍ରୀ କୁ ଧରି ଗେହ୍ଲ କଲା। ପ୍ରମୋଦ ବାବୁ ଡ୍ରାଇଭର ଙ୍କୁ ନେଇ ବସରେ ଛାଡିବା ସମୟରେ ସେ ଡ୍ରାଇଭର କହିଲା ସାର ଗୋଟିଏ କଥା କହିବି ଖରାପ ଭାବିବେ ନାହିଁ। ମୋତେ ଲାଗୁଛି ଛୁଆଟି ସହ କିଛି ଅଦୃଶ୍ୟ ଶକ୍ତି ଅଛି। ଆଉ ତାହା ଭଲ ନୁହେଁ।କାଲି ରାତିରେ ମୋତେ ରାସ୍ତାରେ ଲାଗିଲା ଯେମିତି ପଛ ସିଟରେ ଝିଅଟି ପାଖରେ ଗୋଟିଏ ରକ୍ତାକ୍ତ ସ୍ତ୍ରୀ ଲୋକଟି ବସିଛି। ଆପଣ ଶୁଦ୍ଧ କାମ ସାରି ଛୁଆଟିକୁ କୌଣସି ପଣ୍ଡିତ ଙ୍କୁ ଦେଖାନ୍ତୁ। ଗାଡିରେ ମ୍ୟାଡମ ଥିଲେ ବୋଲି ମୁଁ କିଛି କହିଲି ନାହିଁ।
ଡ୍ରାଇଭର ଠାରୁ ଏ କଥା ଶୁଣି ପ୍ରମୋଦ ବାବୁ ଚିନ୍ତିତ ହୋଇ ଗଲେ। ଡ୍ରାଇଭର ତ ମିନି ବିଷୟରେ ଜାଣି ନାହିଁ। ସେ ବି ଗାଡିରେ ଅଦୃଶ୍ୟ ଶକ୍ତିମାନେ ରକ୍ତାକ୍ତ ସ୍ତ୍ରୀ ଲୋକଟିକୁ ଦେଖିଛି କହୁଛି ତା ଅର୍ଥ କଣ ମିନିର ଆତ୍ମା ଶ୍ରୀ ସହ ରହିଛି ?
ଘରକୁ ଆସି ପ୍ରମୋଦ ବାବୁ କହିଲେ ମୁଁ ଭାବୁଛି ଆମେ ଶ୍ରେୟା, ଦେବ ଙ୍କର ଆତ୍ମା ଶାନ୍ତି ସହ ଆମ ଛୁଆର ମାଆ ମିନିର ଆତ୍ମା ଶାନ୍ତି ପାଇଁ ଦଶ ଦିନ ଶୁଦ୍ଧ କାମ କଲେ ଭଲ ହେବ। ଘରେ ବି ସବୁ ରାଜି ହୋଇ ଗଲେ। ହେଲେ ଲିସା ଟିକିଏ ଅସନ୍ତୋଷ ପ୍ରକାଶ କଲେ।
ଆଶ୍ଚର୍ଯ୍ୟର କଥା ହେଲା ମିନି ନାମରେ ଜଳା ହୋଇ ଥିବା ଦୀପ ବାରମ୍ବାର ଲିଭି ଯାଉ ଥାଏ। ରାତିରେ ଶ୍ରୀ ଜୋରରେ କାନ୍ଦିବା ପାଇଁ ଆରମ୍ଭ କଲେ। ରାଶି ବୋତଲ ରେ କ୍ଷୀର ପିଆଇ ଯେତେ ଯାହା କଲେ କି ଘର ଲୋକମାନେ ଯାହା ବି କଲେ ଶ୍ରୀ ଚୁପ ହେଲା ନାହିଁ। ଶେଷରେ ରାଧା ତାକୁ ନେଇ ବୁଲାଇଲା ଚାରି ଆଡେ ତାପରେ ସେ ଚୁପ ହେଲା। ଯେମିତି ରାଧା ହିଁ ତାର ମାଆ।
ଲିସା କହି ପକାଇଲା ଯେ ଚାକରାଣୀର ଝିଅ ତ ଆଉ ଗୋଟାଏ ଚାକରାଣୀ କୁ ତା ମାଆ ଭାବିବ ନା। ସେ କଣ ମାଲିକାଣୀ କୁ ତା ମାଆ ଭାବିବ ?
ଏ କଥା ଶୁଣି ରାଶିଙ୍କୁ ଖରାପ ଲାଗିଲା। ନିଜର ଶୂନ୍ୟ କୁଳ କୁ ଦେଖି ମୁହଁ ଶୁଖାଇ ଦେଲେ। ପ୍ରମୋଦ ବାବୁ କହିଲେ ଶ୍ରୀ ଚାକରାଣୀର ଝିଅ ନୁହେଁ। ଆମେ ତାକୁ ବନଦୁର୍ଗା ମାଆଙ୍କ ସାମ୍ନାରେ ତାକୁ ଆମ ଝିଅର ପରିଚୟ ଦେଇଛୁ।
ଲିସା କହି ପକାଉ ଥିଲେ ହେଲେ ତାର ଜନ୍ମ ତ। ଏତିକି ବେଳେ ରାଶିର ଭାଇ ମହେଶ ତାଙ୍କୁ ଅଟକାଇ କହିଲେ ବାସ୍ ଆଉ ଏ ବିଷୟରେ ଯୁକ୍ତି ନାହିଁ। ଶ୍ରୀ ହେଉଛି ପ୍ରମୋଦ ବାବୁ ଓ ରାଶି ର ଝିଅ।
ରାତିରେ ଶୋଇଲା ବେଳକୁ ରାଶିଙ୍କୁ ଖାଲି ଲାଗୁ ଥାଏ କିଛି ଗୋଟିଏ ଅଦୃଶ୍ୟ ଶକ୍ତି ତାଙ୍କ ରୁମରେ ଅଛି। ମାନେ ମିନିର ଆତ୍ମା ତାଙ୍କ ରୁମରେ ଅଛି ପରି। ସେ ଶୋଇଲା ବେଳକୁ ମିନିର ଚିତ୍କାର ତାଙ୍କୁ ଶୁଣା ଯାଉ ଥାଏ। ଏ ବିଷୟରେ ସେ ପ୍ରୋମଦ ବାବୁଙ୍କୁ କହିଲେ। ହେଲେ ପ୍ରମୋଦ ବାବୁ କହିଲେ ତୁମେ କାଲିର ଘଟଣାରୁ ଡରି ଯାଇଛ। ତୁମକୁ ପରା ଭୋଳା ନନା କହିଲେ ଶ୍ରୀ ଉପରେ ମାଆଙ୍କ ଆଶୀର୍ବାଦ ଅଛି। ତାହା ହେଲେ ତା ପାଖରେ ଗୋଟିଏ ଆତ୍ମା କେମିତି ରହିବ। ନିଜେ ତ କାଲି ରାତିରେ ଦେଖିଲ କେମିତି ମାଆ ଶ୍ରୀକୁ ଆଶୀର୍ବାଦ କଲେ। ତାପରେ ବି ତୁମେ ଏମିତି ଡରିଲେ ହେବ ନା। ଆଉ ଯଦି ବି କିଛି ଥିବ ବାରଦିନ ଦିନରେ ଆମେ ଗାୟତ୍ରୀ ଯଜ୍ଞ କଲେ ସବୁ ଖରାପ ଶକ୍ତି ପଳାଇବ।
ଶ୍ରୀ ସବୁବେଳେ ରାଧାକୁ ନିଜର ମାଆ ପରି ଭାବୁ ଥାଏ। ସେ ସବୁବେଳେ ରାଦା ପାଖରେ ଖାଉ ଥାଏ। ଶୋଇଲା ବେଳକୁ ରାଧା ନ ହେଲେ କାନ୍ଦି କାନ୍ଦି ଶୋଇବା ପାଇଁ ବାହାରେ ନାହିଁ। ହେଲେ ଶ୍ରୀ କଣ ପାଇଁ ରାଧାକୁ ନିଜର ବୋଲି ଭାବୁ ଥାଏ ସବୁ ଆଶ୍ଚର୍ଯ୍ୟ ହେଉ ଥାଆନ୍ତି। ରାଧା ବି ଘର କାମ ଅପେକ୍ଷା ବେଶୀ ଶ୍ରୀ ପାଖରେ ରହିବାକୁ ଚାହୁଁ ଥିଲା। ଏସବୁ ଲିସାଙ୍କୁ ଭଲ ଲାଗୁ ନ ଥିଲା। ସେ ନିଜ ବଡ ପୁଅ ଜିତୁ ଓ ସାନ ଝିଅ ସିଆକୁ ବାରମ୍ବାର ଶ୍ରୀ ଠାରୁ ଦୂରେଇ ରହିବା ପାଇଁ କହୁ ଥାଆନ୍ତି।
ରାତିରେ ଘରେ ସମସ୍ତଙ୍କୁ ଲାଗିଲା ଯେମିତି କେହି ଗୋଟିଏ ଜୋରରେ ଛାତ ଉପରେ ଦୌଡୁଛି। ଘର ପୁରା ଭାରି ଭାରି ଲାଗିଲା। ଭାତ ସବୁବେଳେ ପେଜୁଆ ଆଉ ପଚା ଲାଗିଲା। ସୁଜାତା ଦେବୀ କହିଲେ ବୋଧେ ଶୁଦ୍ଧ ସମୟ ତ ତେଣୁ ଏମିତି ହେଉଛି। ଶ୍ରୀ ସୁଜାତା ଦେବୀଙ୍କ ପାଖରେ ବହୁତ ଗେହ୍ଲି ହୁଏ। ତାଙ୍କୁ ଦେଖି ଖୁସି ହୋଇ ଯାଏ।
ନଅଦିନ ସନ୍ଧ୍ୟା ସମୟରେ ମାଆର ଦେହ ଭଲ ନାହିଁ କହି ସେ ଛୁଟିରେ ଘରକୁ ଗଲା। ସେ ଯିବା ସମୟରେ ଶ୍ରୀ ବହୁତ କାନ୍ଦିଲା। ରାଧା ବି ଯିବା ପାଇଁ ଚାହୁଁ ନ ଥାଏ। ହେଲେ ବାଧ୍ୟ ହୋଇ ସେ ବି କାନ୍ଦି କାନ୍ଦି ଗଲା। କିନ୍ତୁ ତାପରେ ଶ୍ରୀ ତାର ଆଈ ସୁଜାତା ଦେବୀ ପାଖରେ ଆରାମରେ ଶୋଇଲା। ରାଶି ସହ ବି ରାତିରେ ଶୋଇଲା। କିନ୍ତୁ ରାତି ରାଶି ଶାନ୍ତିରେ ଶୋଇ ପାରିଲେ ନାହିଁ। ତାଙ୍କୁ ଲାଗିଲା ଯେମିତି କେହି ଜଣେ ଝରକା ବାହାରୁ ତାଙ୍କୁ ଚାହିଁ ରହିଛି। ଆଉ ତାଙ୍କୁ ବାହାରୁ ମିନିର ବିକଟାଳ କାନ୍ଦ ଶୁଣା ଗଲା। ସେ ଯାଇ ଝରକା ଦେଇ ଦେଖିଲେ ଯେ ମିନି ରକ୍ତାକ୍ତ ଶରୀରରେ ଗଛ ପାଖରେ ଛିଡ଼ା ହୋଇଛି। ତାକୁ ଦେଖି ସେ ଚିତ୍କାର କରି ଉଠିଲେ। ଉଠି ଦେଖିଛନ୍ତି ଯେ ସେ ସ୍ୱପ୍ନରେ ସେ ସବୁ ଦେଖୁ ଥିଲେ। ସେ ପୁରା ଝାଳେଇ ଯାଇଛନ୍ତି। ସେ ସେତେବେଳକୁ ରାତି ଚାରିଟା ହୋଇଛି। ସେ ଶ୍ରୀକୁ ଧରି ପୁଣି ଶୋଇବାକୁ ଗଲେ।
( ସତରେ କଣ ମିନିର ଆତ୍ମା ଶ୍ରୀ ସହ ରହୁଛି ନା ଆଉ କିଛି ଅଦୃଶ୍ୟ ଶକ୍ତି ରହୁଛି ଜାଣିବା ପାଇଁ ଜନ୍ମ ଜନ୍ମାନ୍ତର ର ଆଗାମୀ ଅଧ୍ୟାୟ ପଢନ୍ତୁ।)

