ଜନ୍ମ ଜନ୍ମାନ୍ତର : 4
ଜନ୍ମ ଜନ୍ମାନ୍ତର : 4
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ଜନ୍ମ ଜନ୍ମାନ୍ତର " କାହାଣୀର ପୂର୍ବ ଭାଗଗୁଡିକୁ ପଢନ୍ତୁ। ଆଗରୁ ଆମେ ପଢି ଥିଲୁ ଯେ ଭୋଳା ନନା ରାଶି ଓ ପ୍ରମୋଦ ବାବୁଙ୍କୁ ମିନି ସହ ଘଟିଥିବା ଘଟଣା ବିଷୟରେ କହିଲେ। କେମିତି ମିନିକୁ ବଳାତ୍କାର କରା ଯାଇଥିଲା। ଆଉ ତାକୁ ବଳାତ୍କାର କରି ଥିବା ସେ ତିନି ଯୁବକଙ୍କୁ କେହି ଜଣେ ସେ କୋଠା ର କୋଠରୀରେ ମାରି ଦେଇଛି। ତ କିଏ ସେମାନଙ୍କୁ ନୃଶଂଷ ଭାବରେ ମାରିଛି। ସୁରେଖା ଦେବୀ ଯେ କର୍ମଫଳ କଥା କହୁ ଥିଲେ ତାହା କଣ, କେଉଁ ଦୁଇ ଜଣଙ୍କୁ ସେ କୋଠାର କୋଠରୀରେ ବନ୍ଦ କରାଯାଇଛି ଏବଂ ରକ୍ତରେ ଯେ ଲେଖା ହୋଇଛି ମୁଁ ଫେରି ଆସିଛି.... ମୁଁ କିଏ ଏ ସବୁର ରହସ୍ୟ ଜାଣିବା ପାଇଁ ଜନ୍ମ ଜନ୍ମାନ୍ତରର ଆଗାମୀ ଭାଗଗୁଡିକୁ ପଢନ୍ତୁ।
ତାପରେ :
ରାଶି : ସେଇ ବନ୍ଧନ ରୁମରୁ ନା? କଣ ସେମାନେ ଫେରି ଆସିଛନ୍ତି।
ଭୋଳା ନନା : ଶୁଣ ତାପରେ ଶ୍ରେୟା ଓ ଦେବ ମିନିକୁ ନେଇ ଡାକ୍ତରଖାନା ଗଲେ। ପୋଲିସ ତିନି ଯୁବକଙ୍କ ଶବକୁ ସେ କୋଠରୀରୁ ଉଦ୍ଧାର କଲା।ହେଲେ ଆଶ୍ଚର୍ଯ୍ୟ କଥା ଯେ ଗୋଟିଏ ରାତିରେ କେମିତି ଶରୀର ପଚି ଗଲା।
ମିନିର ଚେତା ଆସୁ ଆସୁ ରାତି ହୋଇ ଗଲା। ବହୁତ ଭୟ ଭୀତ ଥିଲା। କାନ୍ଦି ସେ ସବୁ କିଛି କହିଲା।
ବିଜୁ ଏ ସବୁ ପାଇଁ ଦାୟୀ ଶୁଣି ବୀଣା ନିଜ ବାପ ଘରକୁ ପଳାଇଲେ।
ଗାଁ ଲୋକମାନେ ମିନିକୁ ଦେଖି ଡରିଲେ। କାରଣ ସେଇ ଅଭିଶପ୍ତ କୋଠାରେ ମିନି ଗୋଟିଏ ରାତି ସେ ବି ଏମିତି ପରିସ୍ଥିତିରେ ବିତାଇଛି। ମିନିକୁ ଗାଁରେ ରଖିବେ କି ନାହିଁ କଥା ପଡିଥାଏ। ମାସେ ପରେ ମିନି ଯେତେବେଳେ ଜାଣିଲା ସେ ମାଆ ହେବା ପାଇଁ ଯାଉଛି ଗାଁ ଲୋକମାନେ ମିନିକୁ ଆଉ ରହିବା ପାଇଁ ଦେଲେ ନାହିଁ। ସେମାନେ କହିଲେ ସେ ଛୁଆ ଦେହରେ ନିହାତି ଖରାପ ଶକ୍ତିର ଆଶ୍ରା ଥିବ। ସେମାନେ ମିନିକୁ ପିଟି ପିଟି ଗାଁରୁ ବାହାର କରି ଦେଲେ।
ସେବେଠାରୁ ମିନି ପାଗଳୀ ହୋଇ ଗାଁ ବହାରେ ବୁଲୁଛି। ଆଉ ଆଜି ଯାହା ହେଲା....।
ପ୍ରମୋଦ ବାବୁ : ମୁଁ ନିଜକୁ କ୍ଷମା କରି ପାରୁ ନାହିଁ। ମୋ ପାଇଁ ମିନି ଆଜି ଆମ ମାନଙ୍କ ମଧ୍ୟରେ ନାହିଁ।
ରାଶି : ଏଥିରେ ଶ୍ରେୟାର ଭୂଲ କଣ?
ଭୋଳା ନନା : ଯେତେବେଳେ ଗାଁ ଲୋକମାନେ ମିନିକୁ ଗାଁରୁ କାଢି ଦେଉଥିଲେ, ବିଚାରି ମିନି ବିଷୟରେ ସବୁ ଜାଣି ବି ମିନି ପାଇଁ ମୁହଁ ଖୋଲିଲେ ନାହିଁ। ଅନ୍ୟାୟର ବି ସାଙ୍ଗ ଦେଲେ ତାକୁ ଅନ୍ୟାୟ ହିଁ କୁହାଯିବ।
ଏତିକି କଥା ହେଉ ହେଉ ଶ୍ରୀ ଜୋରେ କାନ୍ଦି ଉଠିଛି। ବୋଧେ ତାକୁ ଭୋକ ଲାଗିଛି। ହେଲେ ବିଚାରୀ ଛୁଆଟିର ମାଆ ତ ନାହିଁ। ମାଆ କ୍ଷୀର ଆସିବ କେଉଁଠି।
ମାଆ ବନ ଦୁର୍ଗାଙ୍କ ପୂଜା ପାଇଁ ଆସିଥିବା କ୍ଷୀରକୁ ଶ୍ରୀ ପିଇ ଚୁପ ହୋଇ ଗଲା। ଭୋଳା ନନାର ସ୍ତ୍ରୀ ଶ୍ରୀକୁ ଆଣି ରାଶିଙ୍କୁ ଦେଲେ। ଶ୍ରୀ ରାଶି କୋଳରେ ନିଶ୍ଚିନ୍ତ ହୋଇ ଶୋଇ ପଡିଲା ଯେମିତି ମାଆ କୋଳରେ ଶୋଇଛି। ରାଶି ଶ୍ରୀ କୁ ନେଇ ଖୁସି ହେବେ ନା ତାର ଜନ୍ମର କାରଣକୁ ନେଇ କେଉଁ ନଜରରେ ଦେଖିବେ ବୁଝି ପାରୁ ନ ଥିଲେ।
ରାତିରେ ପ୍ରବଳ ବର୍ଷା ହେଉ ଥାଏ। ଭୋଳା ନନା କହିଲେ ସକାଳୁ ମିନିର ଶବ ସତ୍କାର କରିଲା ପରେ ପ୍ରମୋଦ ବାବୁ ଯିବେ। ରାଶି ଗାଁ ( କୁସୁମପୁର) କୁ ଯିବା ପାଇଁ ଚାହୁଁ ଥିଲେ ହେଲେ ଭୋଳା ନନା ମନା କଲେ।ସେ କହିଲେ ସେଇ ଗାଁ କୁ ପୁନର୍ବାର ଯିବା ବିପଦପୂର୍ଣ୍ଣ। କାରଣ ମିନି ସହ ଏ ସବୁ ହେଲା ପରେ ନନା ଯାଇ ସେ ଗାଁରେ ହୁମ ଆଉ ଯଜ୍ଞ କରି ସେ କୋଠରୀଟିକୁ ପୁଣି ବନ୍ଧନ କରି ଥିଲେ। ହେଲେ କିଛି ତ ଗୋଟିଏ ଗାଁ ରେ ଅନୀତି ପୁଣି ହୋଇଛି ଯେଉଁଠି ପାଇଁ ସେ ଆଉ ଥରେ ମୁକୁଳି ଗଲା। ଆଉ ତାର ପରିଣାମ ସ୍ୱରୂପ ଦେବ, ଶ୍ରେୟା ଆଉ ସୁରେଖା ଦେବୀଙ୍କୁ ନିଜ ଜୀବନ ହରାଇବାକୁ ପଡିଲା।ରାତିଟି ବହୁତ ଭୟଙ୍କର ଥିଲା। ଯାହା ଯେମିତି କରି ରାତି କଟିଲା।ମିନିର ଶବ ସତ୍କାର ସରିଲା। ଶୁଦ୍ଧି କାମ ସାରୁ ସାରୁ ଦିନ ଚାରିଟା ହୋଇଗଲା।ପ୍ରମୋଦ ବାବୁ ଗାଡି ଚଳାଇବା ପାଇଁ ଗଲା ବେଳକୁ ତାଙ୍କୁ ଖାଲି ଗତକାଲି ର ଘଟଣା ମନେ ପଡିଲା ଯେ ତାଙ୍କ ଗାଡିରେ କୁଟି ହୋଇ ମିନି ଆଜି ଆଉ ଏ ଦୁନିଆରେ ନାହିଁ।ପ୍ରମୋଦ ବାବୁ ଗାଡି ନ ଚଳାଇ ଭୋଳା ନନାଙ୍କୁ କହିଲେ ପାଖ ଗାଁରୁ ଡ୍ରାଇଭର ଗୋଟିଏ ଠିକ୍ କରି ଦେବା ପାଇଁ।
ସଞ୍ଜ ହେଉ ହେଉ ବର୍ଷା ଆରମ୍ଭ ହୋଇ ଯାଇଥାଏ। ଡ୍ରାଇଭର ଆସିଲାରୁ ପ୍ରମୋଦ ବାବୁ ଆଉ ରାଶି ଶ୍ରୀକୁ ନେଇ ସହରର ଘର ଅଭିମୁଖେ ବାହାରିଲେ।
ଯିବା ସମୟରେ ଭୋଳା ନନା କହିଲେ ଶ୍ରୀ ହେଉଛି ଭଗବାନଙ୍କ ଆର୍ଶୀବାଦ। ଦେବ ଶକ୍ତି ଯେଉଁଠି ଥାଏ ସେଇଠିକୁ ଖରାପ ଶକ୍ତି ବି ଆସେ। ତେଣୁ ଶ୍ରୀ ସମସ୍ତଙ୍କୁ ବହୁତ ଖୁସି ଦେବ ହେଲେ ନିଜେ ବହୁତ ବିପଦରେ ପଡିବ। ଆସ୍ତେ ଆସ୍ତେ ତା ଜନ୍ମ ପଛରେ ମାଆଙ୍କ ଉଦ୍ଦେଶ୍ୟ କ'ଣ ଜଣା ପଡିବ।ଶ୍ରୀର ଜୀବନରେ ବହୁତ ବାଧା ବିଘ୍ନ ଆସିବ। କାରଣ ଯେଉଁଠି ଦେବ ଶକ୍ତି ସେଇ ଆଡକୁ ନକାରାତ୍ମକ ଶକ୍ତି ବି ଆକର୍ଷିତ ହେବ।
ଏ କଥା ଶୁଣି ରାଶି ଡରି ପଚାରୁଛନ୍ତି ତେବେ ନନା କଣ ଆମ ପରିବାରକୁ ବିପଦ ଆସିବ।
ଭୋଳା ନନା : ସେ ତ ମାଆଙ୍କ ମାୟା। କାହାକୁ ବଞ୍ଚାଇବେ କାହାକୁ ଛାଡିବେ। ହେଲେ ମୋତେ ଲାଗୁଛି ଶ୍ରୀ ହିଁ ତୁମ ପରିବାର ପାଇଁ ଜନ୍ମ ହୋଇଛି।ତାପରେ ଗାଡି ଆଗେଇ ଚାଲିଲା ସହର ଅଭିମୁଖେ। ବର୍ଷା ଜୋରରେ ଆରମ୍ଭ ହୋଇ ଯାଇ ଥାଏ। ନେସନାଲ ହାଇୱେ। ରାସ୍ତା ଠିକରେ ଦେଖା ଯାଉ ନ ଥାଏ। ରାତି ବି ହୋଇ ଗଲାଣି। ସାମ୍ନାରେ ସିଟରେ ଡ୍ରାଇଭର ଆଉ ପ୍ରମୋଦ ବାବୁ ଏବଂ ପଛ ସିଟରେ ରାଶି ଶ୍ରୀ କୁ ନେଇ ବସି ଥାଆନ୍ତି। ହେଲେ ତାଙ୍କୁ ଲାଗୁଥିଲା ଗାଡିରେ ସେ ଚାରି ଜଣଙ୍କ ବ୍ୟତୀତ ଆଉ କେହି ଅଛି। ମାନେ ତାଙ୍କ ପାଖରେ କେହି ଜଣେ ବସିଛି। ତାଙ୍କୁ ଅତ୍ୟଧିକ ମାତ୍ରାରେ ଡର ଲାଗୁ ଥିଲା। ସେ ପ୍ରମୋଦ ବାବୁଙ୍କୁ ଏ ବିଷୟରେ କହିଲେ। ପ୍ରମୋଦ ବାବୁ କହିଲେ ଏ ସବୁ ତାଙ୍କର ମନର ଭୟ। ଆଜି ନନା ଯାହା କହିଛନ୍ତି ସେ କଥାକୁ ନେଇ ସେ ଭୟ କରୁଛନ୍ତି। ଆଉ କିଛି ନୁହେଁ।
ଏମିତି କଥା ହେଉ ହେଉ ହଠାତ୍ ବର୍ଷା ରାତିରେ କୁକୁରମାନେ ଗାଡିଟିକୁ ଗଡାଇବା ପାଇଁ ଲାଗିଲେ। ପ୍ରମୋଦ ବାବୁଙ୍କୁ ତା ଆଗ ଦିନ ରାତି କଥା ଖାଲି ମନେ ପଡୁ ଥାଏ। ଆଉ ମିନିର ସେ ରକ୍ତାକ୍ତ ଶରୀର ସହ ତାର ଯନ୍ତ୍ରଣା ଭରା ଚିତ୍କାର ତାଙ୍କ ମନକୁ ଆସୁ ଥାଏ। ହେଲେ କାଳେ ରାଶି ଡରିବେ ତେଣୁ ସେ କିଛି କହୁ ନ ଥାଆନ୍ତି।ବର୍ଷା ଟିକିଏ କମିଲାରୁ ସେମାନେ ଗୋଟିଏ ଚାହା ଦୋକାନରେ ଯାଇ ଗାଡି ଅଟକାଇଲେ। ସେଥି ଚାହା ପିଇଲେ। ଆଉ ଶ୍ରୀ ପାଇଁ କ୍ଷୀର ଗରମ କରି ଦୁଧ ବୋତଲରେ ନେଲେ ।ଚାହା ଦୋକାନୀ ଯେତେ ବେଳେ ଜାଣିଲା ସେମାନେ ସହରକୁ ଯାଉଛନ୍ତି ସେ କହିଲା ବାବୁ ରାସ୍ତାରେ ଯଦି କେହି ବି ଲିଫ୍ଟ ମାଗିବେ ଦେବ ନାହିଁ। ସେ ଚାହେ କେହି ବି ହୋଇ ଥାଉ। ଆଉ ରାସ୍ତାରେ ଜମା ଗାଡିରୁ ଓହ୍ଲାଇବେ ନାହିଁ ବିଶେଷ କରି ସାମ୍ନା ଜଙ୍ଗଲରେ।
କଣ ହେଇଛି କି ପଚାରିବାରୁ ଚାହା ଦୋକାନୀ କହିଲା କିଛି ନାହିଁ ଜଙ୍ଗଲ ରାସ୍ତା ତ। ସ୍ତ୍ରୀ ଲୋକ ଆଉ ଛୁଆ ଅଛନ୍ତି ସେଥି ପାଇଁ ମନା କଲି।ପ୍ରମୋଦ ବାବୁଙ୍କୁ ଲାଗୁ ଥାଏ ଆଜି ଯେମିତି ସବୁ ବିପଦ ତାଙ୍କ ଆଡକୁ ମାଡି ଆସୁଛି।
ତାପରେ ଗାଡି ମାଡି ଚାଲି ଥାଏ ସହର ଅଭିମୁଖେ। ହଠାତ ଗୋଟିଏ ବିରାଡ଼ି ଜଙ୍ଗଲ ରାସ୍ତାରେ ଗାଡି ତଳକୁ ଆସି ମରି ଗଲା। ତାର ଚିତ୍କାରରେ ରାଶି ଭୟଭୀତ ହୋଇ ଗଲେ। ସେ ଖାଲି ପ୍ରମୋଦଙ୍କୁ ପଛ ପଟୁ ଧରି କହୁ ଥାଆନ୍ତି ଆଜି ଏତେ ବିପଦ କଣ ପାଇଁ। ଆମ ଗାଡିରେ ପୁଣି ଆଉ ଗୋଟିଏ ଜୀବର ପ୍ରାଣ ଗଲା। ପ୍ରମୋଦ ବାବୁ ବି ଭୟଭୀତ। ହେଲେ କିଛି କହୁ ନ ଥିଲେ। କାରଣ ରାଶି ବହୁତ ଭୟ କରି ଯାଇ ଥିଲେ।
ଭୟକୁ କାଟିବାକୁ ଯାଇ ପ୍ରମୋଦ ବାବୁ ଡ୍ରାଇଭର ସହ କଥା ହେବା ପାଇଁ ଲାଗିଲେ। ଡ୍ରାଇଭରକୁ ତା ବିଷୟରେ ପଚାରିଲେ।ଡ୍ରାଇଭର କହିଲା ସେ I. T. I କରିଛି। ହେଲେ ଏବେର ଯେ ସମୟ ଚାକିରୀ ପାଇଲା ନାହିଁ। ଶେଷରେ ଗାଡି କିଛି ଟଙ୍କା ରୋଜଗାର କରୁଛି।ଡ୍ରାଇଭର ପୁଣି କହିଲା ବାବୁ ଏ ରାସ୍ତାରେ ରାତ୍ରିରେ ଯିବା ଟା ଆଦୌ ଭଲ ନୁହେଁ।
ପ୍ରମୋଦ ବାବୁ : କଣ ପାଇଁ କି?
ଡ୍ରାଇଭର : ଏ ରାସ୍ତାର ବହୁତ କିଛି ଘଟିଛି। ବହୁତ ଖରାପ ଶକ୍ତି ବି ଅଛି।
ପ୍ରମୋଦ ବାବୁ : ତୁମେ କେମିତି ଜାଣ?
ଡ୍ରାଇଭର : ମୋ କାମ ତ ଗାଡି ଚଳାଇବା। ରାତିରେ ଯିବା ସମୟରେ ଦେଖିଛି।
ରାଶି : କଣ ?
ପ୍ରମୋଦ ବାବୁ : ଥାଉ ଥାଉ ଛୁଆକୁ ଧରିଛ। ସେ ସବୁ ବିଷୟରେ ଆମେ କଥା ହେବା ନାହିଁ। ପରେ କଥା ହେବା।
ଏମିତି କଥା ମଧ୍ୟରେ ଗାଡି ଆସ୍ତେ ଆସ୍ତେ ସହର ଅଭିମୁଖେ ବଢି ଚାଲିଛି।
( କଣ ଏ ପରି ଦୁର୍ଦାନ୍ତ ରାସ୍ତାରେ ପ୍ରମୋଦ ବାବୁ ପରିବାରକୁ ନେଇ ସୁରକ୍ଷିତ ଭାବରେ ସହରରେ ପହଞ୍ଚି ପାରିବେ? ସେ ଚାହା ଦୋକାନୀ ଆଉ ଡ୍ରାଇଭର ଯେ କହିଲା ଏ ରାସ୍ତାରେ ବହୁତ କିଛି ଘଟିଛି, ଗାଡିରୁ ଓହ୍ଲାଇବା ପାଇଁ ମନା କଲେ କଣ ପାଇଁ? କଣ ରାସ୍ତାର କିଛି ରହସ୍ୟ ଅଛି? ଏ ସବୁ ଜାଣିବା ପାଇଁ " ଜନ୍ମ ଜନ୍ମାନ୍ତ " ର ଆଗାମୀ ଅଧ୍ୟାୟ ପଢନ୍ତୁ। )
କ୍ରମଶଃ..... ।

