KRUTIBAS NAYAK

Tragedy

4  

KRUTIBAS NAYAK

Tragedy

ଜୀବନରେ ଜୀବନ

ଜୀବନରେ ଜୀବନ

4 mins
205



ମୋର ଜଣେ ପୁରୁଣା ବିଶ୍ଵସ୍ତ ବନ୍ଧୁ ତାଙ୍କ ଅଭିଜ୍ଞତାରୁ ମୋତେ କହୁଥିଲେ-“ଗାଈମାନଙ୍କୁ ଯତ୍ନରେ ପାଳି ଯେଉଁମାନେ କ୍ଷୀର ବିକ୍ରି କରୁଛନ୍ତି, ଆଉ ଯେଉଁମାନେ ଗାଈଗୋଠକୁ ଯାଇ କ୍ଷୀର କିଣି ଆଣନ୍ତି ସେ ଦୁଇଜଣ ହେଉଛନ୍ତି ଅଭିଶପ୍ତ ମଣିଷ । ତା’ର କାରଣ ହେଲା- କ୍ଷୀର ବିକ୍ରି କରୁଥିବା ଲୋକ କେବେ ବି ଖୁସିରେ ଖାଣ୍ଟିକ୍ଷୀର ଦେଇପାରନ୍ତି ନାହିଁ, ସେ କଳେବଳେ କୌଶଳେ କିଛି ପାଣି ମିଶେଇ ଦିଅନ୍ତି । ଠିକ ସେହିପରି କ୍ଷୀର କିଣୁଥିବା ଲୋକମାନେ କେବେ ବି ସନ୍ତୁଷ୍ଟ ହୁଅନ୍ତି ନାହିଁ କ୍ଷୀରବାଲାକୁ କେବେ ବି ବିଶ୍ଵାସ କରନ୍ତି ନାହିଁ । ଦଶଭାଗ ପାଣି ମିଶିଥିଲେ ବି ସେମାନେ ପଛରେ କୁହନ୍ତି କ୍ଷୀରବାଲା ଅଧାପାଣି ମିଶେଇ ଦେଇଛି । ଆଜିକାଲି ଆଉ କ୍ଷୀରରେ ପାଣି ମିଶା ହେଉନାହିଁ ବରଂ ପାଣିରେ କ୍ଷୀର ମିଶା ହେଉଛି । ସେଇଥିପାଇଁ ଅନେକ ଲୋକ କମ୍ପାନୀ କ୍ଷୀରକୁ ବରଂ ଅଧିକ ବିଶ୍ଵାସ କରୁଛନ୍ତି ।

କ୍ଷୀର ଦେଉଥିବା ଓ ନେଉଥିବା ଦୁଇଜଣ ଅଭିଶପ୍ତ ମଣିଷ ରାତି ପାହିଲେ ଦୁଃଖୀହେଇ ରହନ୍ତି । ବାଧ୍ୟହେଇ ସେମାନେ ଛୋଟପିଲାଙ୍କ ପାଇଁ ଗାଈକ୍ଷୀର କିଣନ୍ତି ବୋଲି ନିଜଲୋକଙ୍କୁ ଏବଂ ନିଜକୁ ସାନ୍ତ୍ଵନା ଦିଅନ୍ତି । ଯାହାହେଉ ପଛେ ମନର ଦୁଃଖକୁ ଅନ୍ତର ଭିତରେ ଚାପି ରଖନ୍ତି । ସେଇଥିପାଇଁ ଆମର ଲୋକଉକ୍ତି ରହିଛି- କ୍ଷୀର ଖାଇବାକୁ ମନକଲେ ଘରେ ରଖିବ ଗାଈ ।

କିନ୍ତୁ ମୁଁ ମନେକରେ, ଘରଭଡ଼ା ଦେଉଥିବା ଆଉ ନେଉଥିବା ଲୋକ ଦୁଇଜଣ ବି ଅଭିଶପ୍ତ ମଣିଷ ତାଲିକାକୁ ଆସିଯିବେ । ଆପଣମାନେ ସନ୍ଧାନ କଲେ ଜାଣିପାରିବେ-କେଉଁଠି ଏମିତି ଜଣେ ଘରଭଡ଼ା ଦେଉଥିବା ଓ ନେଇଥିବା ଲୋକ ଖୋଜି ପାଇବେ ନାହିଁ ଯିଏ ଖୁସିରେ ଥିବେ । ବିଭିନ୍ନ ଜାଗାରେ ବିଭିନ୍ନ ସମସ୍ୟା ରହିଥିବ । କେଉଁଠି ଘର ମାଲିକଙ୍କ ଅତ୍ୟାଚାର ତ କେଉଁଠି ପୁଣି ଭଡ଼ାଟିଆଙ୍କର ଉତ୍ପାତ । କେଉଁଠି କିଏ କେତେ ପ୍ରକାର କପଟ ଆଚରଣ କରୁଥିବେ କେହି ଜାଣି ପାରିବେ ନାହିଁ । ଏତିକି ନିଶ୍ଚିତ ଯେ, ଯେଉଁ ପକ୍ଷଟି ଦୁର୍ବଳ ପଡ଼ି ଯାଉଥିବ ସେଇଠି ସବଳ ଅତ୍ୟାଚାର କରୁଥିବେ । ଯେତେ ଶସ୍ତାରେ ଘରଭଡ଼ା ଦେଇଥିଲେ ବି କେଉଁଠି ଭଡ଼ାଟିଆ ଖୂସିରେ ନ ଥିବେ ସେଥିପାଇଁ ଅନ୍ୟକିଛି କାରଣ ଥିବ । ସେହିଭଳି ଅଧିକ ଚଢା ଦରରେ ଭଡ଼ା ଦେଇଥିବା ଲୋକ ବି ଭାବୁଥିବେ ଆହୁରି ଅଧିକ ହେବା ଉଚିତ ଥିଲା । ତେଣୁ ଦିଆ-ନିଆ କାରବାରରେ ଦୁଇପକ୍ଷ କେବେ ବି ପୂରା ଖୁସି ହୋଇପାରନ୍ତି ନାହିଁ ।

ସହରରେ ଏବେ ନୂଆ ଢଙ୍ଗରେ ଘରଭଡ଼ା ଦିଆ ଚାଲିଛି । ବୁଝାବଣା ପତ୍ର, ପରିଚୟ ପତ୍ର ରଖି ଅଚିହ୍ନା ଅଜଣା ଲୋକମାନଙ୍କୁ ତ ଭଡ଼ାରେ ଘର ଦିଆଯାଏ । ବିଶେଷ କରି ଅଭେରା ପୁଅ-ଝିଅଙ୍କୁ କେହି ଘରଭଡ଼ା ଦେବା ପୂର୍ବରୁ ତାଙ୍କୁ ଆଉଥରେ ଭାବିବାକୁ ପଡ଼େ । କିଏ କେତେବେଳେ ଘରଭଡ଼ା ନ ଦେଇ କାଳେ ଖସି ଚାଲିଯିବ । ପୁଅପିଲାର ଭଉଣୀ ପରିଚୟ ଦେଇ କିଏ ଆସି କାହା ପାଖରେ ରହିଯିବ ଯଦି ସବୁ ବଦନାମୀ ମାଲିକ ମୁଣ୍ଡ ଉପରକୁ ଯିବ । ସେହିପରି ଭାଇ ପରିଚୟ ଦେଇ କିଏ ପୁଣି ମହିଳା ହଷ୍ଟେଲରେ ପଶିଯିବ ଯଦି କଲେଜ ବଦନାମୀ ହେଇଯିବ । ତେଣୁ ସାଧାରଣ ଭାବରେ ପରିବାର ଥିବା ଲୋକଙ୍କୁ ଘରଭଡ଼ା ଦେବାକୁ ସମସ୍ତେ ପ୍ରଥମ ପସନ୍ଦ ମନେ କରନ୍ତି । ଅବିବାହିତ ପୁଅ-ଝିଅ ଚାକିରି କରିଥିଲେ ବି ତାଙ୍କୁ ସମସ୍ତେ ଟିକେ ସନ୍ଦେହ ଦୃଷ୍ଟିରେ ଦେଖନ୍ତି । କେତେକ ଜାଗାର ଅତି ବିଚିତ୍ର ଘଟଣା ବି ଘଟିଯାଏ ଯାହା କହିବା ଲୋକଙ୍କୁ ବା ଶୁଣିବା ଲୋକଙ୍କୁ ଲାଜ ସହିତ ଭୟ ବି ଲାଗିଯାଏ । ସେହିଭଳି ଗୋଟାଏ ଘଟଣା ଯାହା ମୁଁ ନିଜେ ଅଙ୍ଗେ ନିଭିଛି ସେ ସଂପର୍କରେ ଆଲୋଚନା ପ୍ରାସଙ୍ଗିକ ହେବ ବୋଲି ମନେ କରୁଛି । ଏଇ ତ ଅନୁଭୂତି ଯାହାକୁ ଅନ୍ୟ ବନ୍ଧୁଙ୍କ ନିକଟରେ ପ୍ରକାଶ କରିବା ଉଚିତ ।

କରୋନା ଆତଙ୍କର ଠିକ ମଝାମଝି ସମୟ ଥିଲା ଜୁଲାଇ ମାସ । ଚାରିଆଡ଼େ ହାହାକାର । ଘରେ ଘରେ କରୋନା ରୋଗୀ । ସମସ୍ତଙ୍କୁ ସମସ୍ତେ ସନ୍ଦେହ କରିବାକୁ ବାଧ୍ୟ ହେଉଥିଲେ । ସରକାରୀ ଅଫିସ ଅଚଳ ପ୍ରାୟ । ବେପାରୀଙ୍କ ବେପାର ବନ୍ଦ । ବନ୍ଧୁ-ବାନ୍ଧବଙ୍କ ଯିବା ଆସିବା ବନ୍ଦ । ଘର ଭଡ଼ା ଦେଇଥିବା ଲୋକେ ତ ଆଗରୁ କିଛି ଭଡ଼ାଟିଆଙ୍କୁ ବାହାର କରିଦେଇଥିଲେ । ଆଉ କିଛି ଭୟରେ ନିଜେ ଘରଛାଡ଼ି ପଳାଇ ଯାଇଥିଲେ । କେତେକ ଲୋକ ଘର ଖାଲିଥିଲେ ବି ଭଡ଼ାରେ ଲୋକଙ୍କୁ ରଖୁ ନ ଥିଲେ । ଏଭଳି ପରିସ୍ଥିତିରେ ମୋର ଗୋଟିଏ ଘର ଖାଲିଥିଲା । ଜଣେ ଯୁବକ ସେ ଘରେ ରହିବାକୁ ବାରମ୍ବାର ଅନୁରୋଧ କରୁଥିଲେ । ଯେହେତୁ ସେ ବର୍ଷକ ତଳୁ ମୋତେ କହିଥିଲେ-“ମୋର ନିକଟରେ ବାହାଘର ହେବାର ଅଛି । ମୁଁ ଫେମିଲି ଧରି ଆସିବି, ମୋତେ ଏହି ଘରଟି ଦେବେ, ତେଣୁ ଜୁଲାଇ ମାସ ଶେଷରେ ତାଙ୍କ ଅନୁରୋଧ ରକ୍ଷାକରି ଘରେ ରହିବାକୁ ଦେଲି । ନବ ବିହାହିତା ପତ୍ନୀକୁ ଧରି ସେ ଅଗଷ୍ଟ ମାସରେ ଘରେ ରହିଲେ । ବେଶ କିଛିଦିନ ସେ ଠିକ ସମୟରେ ଭଡ଼ା ଦେଉଥିଲେ । ଡିସେମ୍ବର ମାସ ବେଳକୁ ଭଡ଼ାଟଙ୍କା ଦେବାରେ ଟିକେ ହଇରାଣ କଲେ । ତାଙ୍କ ପତ୍ନୀ ମୋତେ ଅନୁରୋଧ କଋ କହିଲେ-“ଏଣିକି ଭଡ଼ାଟଙ୍କା ମୁଁ ଦେବି, ସେଥିପାଇଁ ମୋ ସହିତ ଆପଣ ସିଧା ସଳଖ କଥାବାର୍ତ୍ତା ହେବେ । ତାଙ୍କୁ କିଛି କହିବେ ନାହିଁ । ମୁଁ ଏବେ ଗାଆଁକୁ ଆସିଛି । ଏହା ଭିତରେ ମୋର ବାହାଘର ହେବ । ତେଣୁ ମୁଁ ଏବେ ଟିକେ ବ୍ୟସ୍ତରେ ଅଛି ।”

ତାଙ୍କର କଥାଶୁଣି ଆମେ ଆଶ୍ଚର୍ଯ୍ୟ ହେଇଗଲୁ । ଆଜିଯାଏ ଆମେ ଜାଣିଥିଲୁ, ସେମାନେ ବାହା ହେଇ ସ୍ଵାମୀ-ସ୍ତ୍ରୀ ଭାବରେ ପାଞ୍ଚମାସ ହେଲା ଆମଘରେ ରହିଛନ୍ତି । ତାଙ୍କୁ ମୁଁ ପଚାରିଲି, ତମେ ପରା ବାହାହେଇଛ ବୋଲି ତମର ସ୍ଵାମୀ କହୁଥିଲେ । ଏହା କ’ଣ ମିଛ ?

ସେ ମୋତେ ପୁଣି କହିଲେ-“ମଉସା ! ମୁଁ ମିଛକଥା କହିପାରେନା । ସବୁ ସତ ଆଜି ଆପଣଙ୍କ ପାଖରେ କହୁଛି । କିଛି ଖରାପ ଭାବିବେ ନାହିଁ । ଆମେ ଘର ପାଉ ନ ଥିବାରୁ ନୋଟାରୀର ମ୍ୟାରେଜ ସାର୍ଟିଫିକେଟ ଖଣ୍ଡେ ଯୋଗାଡ଼ କରିଥିଲୁ । ଆଜିଯାଏ ଆମେ ଲିଭ-ଇନରେ ରହୁଛୁ । ଏ’ବାବୁ ଅନେକ ଧାର ଉଧାର କରଜ କରି ହଇରାଣ ହେଉଛନ୍ତି । ଏବେ ସେ ମୋ ଉପରେ ନିର୍ଭର କରିବା ଆରମ୍ଭ କରିଦେଲେଣି । ତେଣୁ ମୁଁ ଆଉ ତାଙ୍କ ପାଖରେ ରହି ପାରିବି ନାହିଁ । ଦରକାର ପଡ଼ିଲେ, ଆମେ ଘର ଛାଡ଼ିଦେବୁ ।”

ମୋର ପତ୍ନୀ ଆମର ସବୁକଥା ଶୁଣୁଥିଲେ, ସେ ତାଙ୍କ ସହିତ ଆହୁରି ଅଧିକ କଥାବାର୍ତ୍ତା ହେଇ ଜାଣିଲେ ତାଙ୍କର ଅଧିକାଂଶ ସାଙ୍ଗ ଏହିପରି ବିଭିନ୍ନ ଜାଗାରେ ବୟଫ୍ରେଣ୍ଡଙ୍କ ସହିତ ମିଛ ମ୍ୟାରେଜ ସାର୍ଟିଫିକେଟ ଯୋଗାଡ଼ କରି ରହୁଛନ୍ତି । ପ୍ରାୟ ସମସ୍ତଙ୍କର ତିନି-ଚାରିଜଣ ବୟଫ୍ରେଣ୍ଡ ଅଛନ୍ତି । ବିନା ବୟଫ୍ରେଣ୍ଡରେ ତ ଭୁବନେଶ୍ଵର ଭଳି ସହରରେ କେହି ଝିଅ ରହିପାରିବ ନାହିଁ । ଆପଣ ବୟସ୍କ ଲୋକ ସେ କଥା ସବୁ ବୁହି ପାରିବେ ନାହିଁ । ଆଜିକାଲି ସବୁଆଡ଼େ ଏମିତି ଚାଲିଛି ।”

ତାଙ୍କକଥା ଶୁଣି ଆମେ ଆଉ କିଛି ତାଙ୍କୁ କହିପାରିଲୁ ନାହିଁ । ବରଂ ସେମାନଙ୍କୁ ତୁରନ୍ତ ଘରୁ ବାହାର କରିବାକୁ ନିଶ୍ଚିତ କଲୁ । ସତକୁ ସତ ସେମାନେ ଘର ଖାଲିକରି ଅନ୍ୟତ୍ର ଚାଲିଗଲେ । ଆମେ ଆଶ୍ଵସ୍ତ ହେଲୁ । ଅନାଗତ ବିପଦ, ପରବର୍ତ୍ତୀ ସମୟରେ ଆସୁଥିବା ଆଶଙ୍କାରୁ ଆମେ ମୁକ୍ତି ପାଇଗଲୁ ।

ସବୁଠାରୁ ବଡ଼କଥା ହେଲା-ଆମର ସମାଜରେ ପ୍ରଚଳିତ ସଂସ୍କାର, ସଂସ୍କୃତି କିଭଳି ନିମ୍ନସ୍ତରକୁ ଆସିଗଲାଣି ସେହି କଥାକୁ ନେଇ ଆଜିଯାଏ ଚିନ୍ତିତ ରହିଛୁ । ଏବେ ଯିଏ ଘରଭଡ଼ା ନେବାକୁ ଆସିବ ତାକୁ ପିଲାଛୁଆ ଧରି କୋର୍ଟରୁ ମ୍ୟାରେଜ ସାର୍ଟିଫିକେଟ ଧରି ଆସିବାକୁ ହିଁ କହିବାକୁ ପଡ଼ିବ । ତଥାପି ଆମେ ଯେ ଘରଭଡ଼ା ଉଦ୍ଦେଶ୍ୟରେ ସତରେ ଠିକ ଭାବରେ ବିବାହିତ ବା ପରିବାର ଥିବା ଲୋକ ପାଇପାରିବା ସେଥିରେ ମୋର ସନ୍ଦେହ ରହିଛି ।


Rate this content
Log in

Similar oriya story from Tragedy