Satyabati Swain

Inspirational

4  

Satyabati Swain

Inspirational

ଝୁମା

ଝୁମା

4 mins
367



    ଲୋକେ କୁହା କୋହି ହେଉଥିଲେ ନଖିଆର ଝିଅ ଝୁମାଟି କି ନାଚ ନାଚୁଛି !! 

     

  ହାଡ଼ ମାଂସ ଏକାଠି କଲେ ପଳେ ହେବ ନାହିଁ ।ସେଥିରେ ପୁଣି ଦଇବ ଦାଉ ସାଜି ଲକ୍ଷ୍ମୀ ପ୍ରତିମାକୁ କରିଛି ଖୁଣ। ହେଲେ ଗୁଣ ଦେଇଛି ମହଣ ମହଣ । ପାଠ ଶାଠ, କାମ ଧନ୍ଦା ସବୁଥିରେ ବାଜ ବୀଣା। 


  ପୁଣି ତା ଭିତରେ ଏ ନାଚ କଳା କେଉଁଠି ଥିଲା ! କି ନାଚ ନାଚୁଛିରେ ବାବା।ଫୋନ୍ ରୁ ଦେଖି କି ଚମତ୍କାର ନାଚ ତାର ଦେଖିବ ? ନଖିଆରେ ! ଝୁମାଟି ତୋର ନଖିମନ୍ତ ଝିଅ।ସାକ୍ଷାତ ମାଆ ଲକ୍ଷ୍ମୀ ତୋ କୋଳରେ ଜନ୍ମ ନେଇଛନ୍ତି ।ଖାଲି ଯାହା ଟିକେ ଚନ୍ଦ୍ରମା ଦେହରେ ଦାଗ ଲାଗିଛି।


ସବୁଠି ଏବେ ' ଝୁମା'ର ମାନେ ମୋ ଚର୍ଚ୍ଚା।


   ଲକ୍ଷ୍ମଣ ରାଉତ।ମୋ ବାଆ ଜଣେ ଦିନ ମଜୁରିଆ। ଶ୍ରଦ୍ଧାରେ ସମସ୍ତେ ଡାକନ୍ତି ନଖିଆ। ସପ୍ତମ ପାସ୍ କିନ୍ତୁ ନାଁ ଦସ୍ତଖତ ଆସୁନି। । ସେଇ ନଖିଆ ରାଉତ ତିନି ଝିଅଙ୍କ ମଧ୍ୟରେ ମୁଁ ବଡ଼ ଝିଅ ଝୁମୁରୀ। ଶ୍ରଦ୍ଧାରେ ଡାକନ୍ତି ଝୁମା । 


   ଜେଜେମା କୁହେ ମୁଁ ଯେତେବେଳେ ଜନ୍ମ ନେଲି ମୋତେ ଦେଖି ଖୁସି ହେବା ଅପେକ୍ଷା ଦୁଃଖରେ ଭାଙ୍ଗି ପଡ଼ିଲେ ମୋ ବାଆମାଆ ଏବଂ ଆତ୍ମୀୟ ସ୍ୱଜନ ଯଦିଓ  ଅନ୍ଧାର ଘରେ ଆଲୁଅ ପରି ଦେଖା ଯାଉଥିଲି। ଗୋଟିଏ ହାତରୁ କିନ୍ତୁ ଥିଲା ଅଧା !


  ଝିଅ ରୂପରେ ଜଗନ୍ନାଥ ତୋ କୋଳରେ ଆସିଛନ୍ତିରେ ନଖିଆ ।ମନ ଊଣା କରନା। ଦେଖିବୁ ଏ ଝିଅ ତୋ ଦୁଃଖ ଦୂର କରିବ। ଭାରି ନାଁ କମେଇଁବ। କହିଲା ମୋ ଜେଜେମା।


    ବାଆ ମୁହଁର ହସ ମୋ ଜନ୍ମ ପରେ କୁଆଡେ ଉଭାନ ହୋଇ ଯାଇଥିଲାଗ। କିନ୍ତୁ ମୋତେ ଯେତେବେଳେ ଦୁଇ ମାସ ଗୋଟେ ଘରୋଇ କ୍ଲିନିକ୍ ରେ ମୋ ବାପାଙ୍କୁ କ୍ଲିନିକ ଖୋଲି ସଫା କରିବା ,ଚା ଦେବା ବଚାକିରିଟିଏ ମିଳିଗଲା ସେତେବେଳେ ମୋ ବାଆ କହିଲେ ମୁଁ କୁଆଡେ ତାଙ୍କ ସୌଭାଗ୍ୟ ଦେବୀ । ମାସକୁ ଖାଇ ପିଇ ଦଶ ହଜାର!କାମ ପୁଣି କଣ ନା ବଢି ସକାଳୁ ଯାଇ କ୍ଲିନିକ୍ ଖୋଲ ଓ ଟେବୁଲ ଚେୟାର ଟିକେ ଝାଡି ଦିଅ।ଡାକ୍ତର ସାରଙ୍କୁ ଚା ଆଣି ଦିଅ।ଇଏ ଗୋଟେ କାମରେ ନେଖା ? ଏସବୁ ମୋ ଝୁମା ପାଇଁ।

     

    ଯହୁଁ ବଡ଼ ହେଲି ମୋ ବୁଦ୍ଧି, କାମ ଓ ପାଠ ଦେଖି ସେ ଆହୁରି ଖୁସି ହୋଇ ମୋତେ ଗେଲ କରି କୁହନ୍ତି ମୋ ଝୁମା ତ କୋଟିଏରେ ଗୋଟିଏ । ତା ସରି କିଏ ହେବ?


     ହେଲେ ଆମ ଗାଁ ର ସେଇ ଯେଉଁ ଦୁଷ୍ଟ ଟୋକା ନଳୀ ମୋତେ ଖତେଇ ହୋଇ ଚିଡ଼େଇ କୁହେ ଝୁମା ନା ଫୁଜିୟାମା।। ଆ ଦେବି ଗୋଟେ ଚୁମା। ଖଣ୍ଡି ହାତ ସେଥିରେ କଣ ନା ଝୁମା, ଚୁଚୁମା ଦେଖେଇ ହେଉଛି। ମୁଁ ତୋତେ ଝୁମା ଡାକିବି ନାହିଁ ଡାକିବି ଖଣ୍ଡି। ଦେଖିବା ତୁ ମୋର କଣ କରିବୁ ?


    ତୋତେ ମାରିବି କହୁଛି । ମୁଁ ଖଣ୍ଡି , ହୁଣ୍ଡି ,ଚଣ୍ଡି କି ଗଣ୍ଡି ହୁଏ ତୋର କଣ ଗଲା ? ମୁହଁ ଧମକରେ ସିନା ଏତକ କହି ଦିଏ ଭିତରେ କିନ୍ତୁ ଭାଙ୍ଗି ଯାଏ ଚୁନ୍ ଚୁନ୍ ହୋଇ। ସମସ୍ତଙ୍କର ଦୁଇ ଦୁଇ ଟା ହାତ ଅଥଚ ମୋର ଗୋଟେ ଅଧା ! କାହିଁକି ଯେ ? ପିଲା ମନ ମୋର ଭାରି ବିକଳ ହୁଏ ହାତଟିକୁ ଦେଖି। କେଉଁ କାରଣରୁ ମୋର ଅଧା ହାତ ଜାଣିବାକୁ ତୀବ୍ର ଇଚ୍ଛା ମାନେ ମୋତେ ପାଗଳ କରି ଦିଅନ୍ତି। କିଏ କହିବ ମୋର ଏମିତି ହେବା ପଛର କାରଣ ? କେହି କୁହନ୍ତି ନାହିଁ। ଦିବ୍ୟଙ୍ଗ ତାଲିକାରେ ମୋ ନାଁ ଚଢି ଯାଏ।

    

    ନଳୀ କଥା ଶୁଣି ସହପାଠୀ ଦେବୁ ମୋ ପଟିଆ ହୋଇ କୁହେ ନଳୀ ତୋ ପେଣ୍ଟରୁ ଘୁଅ ପଡୁଛି ଗଳିରେ ।ଛିଃ ଛିଃ ଘୁଅ କି ଗନ୍ଧ ବେଇ ଲୋ। ଚାଲେ ଚାଲେ ଝୁମା ଏଠି ଘୁଅ ଗନ୍ଧ ହେଲାଣି ପଳେଇବା।


     ହେ ଦେବୁ ତୁ କାହିଁକି ଆମ ଦୁହିଁଙ୍କ ଭିତରେ ପସୁଛୁ ? ସେ ତ ଖଣ୍ଡିଟା । ତାକୁ ଖଣ୍ଡି କହିଲେ ତୋତେ ତ ବେଶୀ କାଟୁଛି ? ମୁଁ ଖଣ୍ଡି,.. ଖଣ୍ଡି.. ଖଣ୍ଡି କହିବି ଯା କହି ଦଉଡି ପଳାଏ। ଦେବୁ କୁହେ ସେ ବଦମାସ୍ ଟା ତା କଥା କାହିଁକି ଶୁଣୁଛୁ ? । ମାଆ କୁହେ ମୋ ନିବା ଭାଇ ଓ ସେ ଗୋଟିଏ ମାସରେ ଜନ୍ମ। ନିବା ଭାଇର ନବମ ହେଲାଣି ଟି ନଳୀ କିନ୍ତୁ ସପ୍ତମରେ ବସିଛି, ବୁଢ଼ା।।ତା କଥା କାହିଁକି ଶୁଣୁଛୁ ?


   ସେ ତ କିଛି ଭୁଲ କହୁ ନାହିଁ ! ମୋର ତ ଡାହାଣ କହୁଣୀ ଠାରୁ ହାତ ନାହିଁ । ଖଣ୍ଡି ହାତ ମୋର। ଡାକୁ ସେ ଖଣ୍ଡି। ତୁ କାହିଁକି ତା ସହ ଲାଗୁଛୁ ? ଦେଖିଛୁଟି ଢେଲା ପକେଇ ବିପ୍ର ମୁଣ୍ଡ କେମିତି ସ୍କୁଲରୁ ଫେରିଲା ବାଟରେ କଣା କରି ଦେଇଥିଲା। ସେ କଣ ଏକା ଏମିତି କେତେ ଡାକନ୍ତି। ଡାକନ୍ତୁ ।


  କିନ୍ତୁ ଏଇ ହାତ ଖଣ୍ଡି ଯେତେବେଳେ ବଡ଼ ହେଲି ,ସ୍କୁଲ ଗଲି କଣ ଦେଖିବ ମୋ ବାଆଁ ହାତର କମାଲ ? ନଥାଉ ଡାହାଣ ହାତ ? ଗୋଟିଏ ହାତରେ ମୁଁ ଯାହା କରିପାରେ ମୋ ତଳ ଦୁଇ ଭଉଣୀ ଲୋମା ଓ ସମା ଆଦୋୖ ସେମିତି କରି ପାରନ୍ତି ନାହିଁ। ମୋ ସ୍ଵଭାବ ଓ ଗୁଣ ଗୋଟିଏ ହାତର କମି ଦୂର କରିଦିଏ। 


    ପଞ୍ଚମରେ ବୃତ୍ତି ପାଉଛି।ନବୋଦୟ ପାଇଥିଲି ବାଆ ଛାଡ଼ିଲାଣି। ଗୋଟିଏ ହାତରେ ସେଠି ଯାଇ କେମିତି କଣ କରିବ ଛୁଆଟା ? ମୁଁ ଯେତେ ବୁଝେଇଲେ ବି ଅନ୍ୟମାନେ ବୁଝନ୍ତି ନାହିଁ ଯେ ଗୋଟିଏ ହାତରେ ମୁଁ ସବୁ ଭଲକି କରି ପାରୁଛି । ଏବର୍ଷ ମୋର ଷଷ୍ଠ ଶ୍ରେଣୀ। ଅନ୍ ଲାଇନ୍ ପାଠ ପଢିବା ପାଇଁ ବାଆ ମୋତେ ଫୋନ୍ ଟିଏ ଦେଇଛନ୍ତି। ପଢି ସାରିଲା ପରେ ମୁଁ ୟୁଟୁବ୍ ରୁ ପିଲାଙ୍କ ନାଚ ଦେଖି ଦେଖି ଖୁବ୍ ସୁନ୍ଦର ନାଚ କଲି। ଆମ ସ୍କୁଲ ଅନୁପମ ସାର୍ ମୋ ନାଚ ଭିଡ଼ିଓ ରେକଡିଂ କରି ୟୁଟୁବ୍ ରେ ଦୁଇ ତିନି ଟା ଦେଇ ଦେଲେ ତ କଣ ଦେଖିବ ! ସୋସିଆଲ ମିଡିଆରେ ଭାଇରାଲ୍ ହୋଇଗଲା। 


  ଆମ ଗାଁ ,ଆମ ଘର ଓ ମୋ ବାଆ ବି ଏବେ ପ୍ରସିଦ୍ଧ ମୋ ଭାଇରାଲ୍ ନାଚ ପାଇଁ। ଆମ ଘରକୁ ସୁଅ ଛୁଟୁଛି ସବୁ ଟିଭି ଚ୍ୟାନେଲଙ୍କର। ଜଣେ ନୃତ୍ୟ ଗୁରୁ ମୋତେ ମାଗଣାରେ ନୃତ୍ୟ ଶିଖେଇବାକୁ ଆଗେଇ ଆସିଲେଣି।ଅନେକ ସ୍ବେଚ୍ଛସେବୀ ସଂଗଠନ ଆର୍ଥିକ ସାହାଯ୍ୟ କରୁଛନ୍ତି ମୋ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି।ଏବର୍ଷ ସୁରଭି କାର୍ଯ୍ୟକ୍ରମରେ ମୁଁ ନୃତ୍ୟ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆୱାର୍ଡ ଓ ଅର୍ଥ ରାଶି ପାଇଛି।


   ନଳୀ ଏବେ କହୁଛି ଝୁମା ଲୋ ତୁ ସତରେ ଗୋଟିଏ ଫୁଜିୟାମା। ଏବେ ସେ ମୋର ସବୁଠାରୁ ଭଲ ସାଙ୍ଗ।


   ଅଧା ହାତକୁ ଦେଖି ମୋ ଜେଜେମା କହିଲା, ଖୁଣ ଯେଉଁଠି ଗୁଣ ସେଇଠି ରେ ନଖିଆ।ମୁଁ କଣ ମିଛ କହିଥିଲି। ଦେଖିବୁ ଆକାଶ ଛୁଇଁବ ଏ ଝୁମା ତୋର।


   ଘରୁ ବାହାରକୁ ଆସି ଆକାଶକୁ ଚାହିଁ ପଚାରିଲି ଏ ଖଣ୍ଡି ହାତ ମୋର ତୋତେ କେବେ ଛୁଇଁବ !!






Rate this content
Log in

Similar oriya story from Inspirational