Smruti Sephali Meher

Tragedy

3  

Smruti Sephali Meher

Tragedy

ଝଡ଼ ପରର ମୁହୂର୍ତ୍ତ

ଝଡ଼ ପରର ମୁହୂର୍ତ୍ତ

4 mins
552



ଅଦିନ ଝଡ଼ଟା ହଠାତ୍ ଆସି ଥମିଗଲା ପରେ ଘରୁ ଗୋଡ କାଢ଼ିଲା ଉର । ବାହାରେ ଆସି ଦେଖିଲା, ତା' ଦି' ବଖୁରିଆ ନଡା ଛପର ଘରଟା ଭାଂଗିରୁଜି ଯାଇଛି । ଚାରିଆଡେ କେବଳ ଏକଲା ପଣର ରାଜୁତି । ଘରଆଡୁ ମୁହଁ ଫେରାଇଲା ସିଏ । ଦିନ ଦୁଇଟା ଖଣ୍ଡେ ହେବ । ଦେଖିଲା, ଗାଁ ଲୋକେ ସବୁ ନଈପଠା ଆଡକୁ ଦଉଡୁଛନ୍ତି । ଉର କିଛି ବୁଝିପାରିଲା ନାହିଁ । ସେ ବିଷୟରେ ମୁଣ୍ତ ନଖେଳାଇ ତା' ସ୍ବାମୀର ଆସିବା ବାଟକୁ ଚାହିଁବସିଲା । ହଠାତ୍ ସାବି ମାଆ ଠାରୁ ଏମିତି ଖବରଟିଏ ଶୁଣିଲା ଯେ, ସେ ପୂରା ସ୍ତବ୍ଧ ହୋଇଗଲା । ଆକୁଳ ବେଗରେ ନଈପଠା ଆଡକୁ ଧାଇଁବାକୁ ଲାଗିଲା ଉର । ନଈପଠାରେ ସେତେବେଳକୁ ଶୋକାକୁଳ ପରିସ୍ଥିତି । କାହାରି ମୁହଁରେ କିଛି ଭାଷା ନାହିଁ । ଅଳ୍ପ ଦୂରରେ ସ୍ବାମୀର ମର ଶରୀର ଦେଖି ନିଜ ଆଖିକୁ ବିଶ୍ବାସ କରିପାରିଲା ନାହିଁ ଉର । ସମୟ ନଦୀର ତୀରେ କୋମଳ ପ୍ରାଣଟି ତା'ର କାନ୍ଦି ଉଠିଲା । ଯେମିତି ସେଇକ୍ଷଣି ଅନ୍ଧ-ମୂକ-ବଧିର ପାଲଟିଗଲା ସେଇଠି ସିଏ । ପାଦ ତଳର ମାଟି ଖସିବାରେ ଲାଗିଥିଲା ତଳକୁ ତଳକୁ । ଆକାଶଟା ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଥିଲା । ସମସ୍ତଂକ ମୁହଁରେ ଥିଲା କୋଟିଏ କଥା - 'ବିଚରା କେଶବଟା ଅକାଳରେ ଚାଲିଗଲା। ପୂରିଲା ନଈ ତାକୁ ଡାକି ନେଇଗଲା ।' ଆଉ କେତେକ ସ୍ତ୍ରୀ ଲୋକଙ୍କ ମୁହଁରୁ ଶୁଣାଯାଉଥିଲା , 'ଅଲକ୍ଷଣୀ କାଳି ଝିଅଟିର ହାତ ଧରିଲା ବୋଲି ଆଜି କେଶବକୁ ଏ ଦଶା ଭୋଗିବାକୁ ପଡିଲା ।'


    ଏକଥା ଶୁଣି କିଛି ସମୟ ପାଇଁ ନିରବି ଗଲା ଉର । ଛାତି ତା'ର ଥରିବାକୁ ଲାଗିଲା । ଅନ୍ଧବିଶ୍ବାସକୁ ଦ୍ବାହି ଦେଇ ଶେଷରେ ଦାୟୀ କରାଗଲା ତାକୁ । ସବୁ ଦୋଷ ଲଦିଦିଆଗଲା ତା' ମୁଣ୍ତ ଉପରେ । ସିଏ କୁଆଡେ ଅଲକ୍ଷଣୀ କାଳି ଝିଅଟାଏ । ଅଶୁଭ ବେଳାରେ ଜନ୍ମ ନେଇଛି । ତା' ମୁହଁ ଚାହିଁଲେ ଅଶୁଭ । ଉର ସବୁ ଶୁଣି ତୁନି ରହିବାକୁ ବାଧ୍ୟ ହେଲା । ତା' କପାଳ ତ ଫଟା । କାହାକୁ ଅବା ଦୋଷ ଦେବ ? ଯେତେ ବଡ ଦୁଃଖ ହେଉନା କାହିଁକି ନାରୀଟିକୁ ତ ସହିବାକୁ ପଡେ । ହଠାତ୍ ଏମିତି ଏକ ଦାରୁଣ ଦୁଃଖ ମାଡିଆସିବ ବୋଲି ଉର କ'ଣ କେବେ କଳ୍ପନା କରିଥିଲା ? ସଜଳ ଆଖିରୁ ଝରି ଯାଉଥିଲା ଧାରଧାର ତତଲା ଲୁହ । 


    ଧୀରେ ଧୀରେ ଜଣକ ପରେ ଜଣେ ଅପସରି ଗଲେ ସେଇ ସ୍ଥାନରୁ । ଶୂନ୍ ଶାନ୍ ନଈପଠା ଧାରେ ସ୍ବାମୀର ଶବକୁ ଏକଲା ଜାବୁଡି ଧରି ବସିଥିଲା ଉର । ଚତୁର୍ଦ୍ଦିଗ ତାକୁ ଅନ୍ଧାର ଦେଖାଯାଉଥିଲା । ହଠାତ୍ ଉଜୁଡିଗଲା ସୁଖର ସଂସାର । ଭୁଷିଡିଗଲା ବିଶ୍ବାସର ବାଲିବନ୍ଧ,ଯାହା ଉପରେ ଦିନେ ସେ ଛିଡାହୋଇ ତୋଳିବାକୁ ଲାଗିଥିଲା ଅୟୁତ ଅୟୁତ ସୁଖ ସ୍ବପ୍ନ । 

 

   ଯେଉଁ ନଈ ଦିନେ ଥିଲା ଆଶା ଭରସାର ପ୍ରତୀକ , ଜୀବନ ଜୀବିକାର ଉପଜୀବ୍ୟ ସେଇ ନଈ ଆଜି ଅସହଣୀ ଦୁଃଖ ପାଲଟିଗଲା ତା' ପାଇଁ । ଉର କ'ଣ ଭାବିଲା କେଜାଣି ହଠାତ୍ ବ୍ୟାକୁଳତାର ହାତ ବଢେଇ ଦଉଡିଗଲା ନଈ ଭିତରକୁ । ସତେଯେମିତି ତା' ସ୍ବାମୀ ହାତ ଠାରି ଡାକୁଥିବାର ତାକୁ ମନେହେଲା । ଚାରିଆଡକୁ ଥରେ ନିଘା କଲା । ବଡ ପାଟିରେ ଚିତ୍କାର କରିବାକୁ ଲାଗିଲା । ତା'ର କରୁଣ ଚିତ୍କାର ନଈ ସୁଅରେ ବାଡେଇ ହୋଇ ପୁଣି ଲେଉଟିଆସିଲା ତା' ପାଖକୁ । ପୁଣି ଡାକଟିଏ ବାରମ୍ବାର ଗୁଞ୍ଜରିତ ହେଲା ତା କାନରେ - 'ଉର ! ମନ ଦୁଃଖ କରନା । ତୁ ମନ ମାରିଦେଲେ ତୋ' ପୁଅ ଅଭିର କ'ଣ ହେବ ? ତୁ ପରା ମୋର ଅଧୁରା ସ୍ବପ୍ନକୁ ପୂରଣ କରିବୁ ? ' ଉର ମନଟି ଅସ୍ଥିର ହୋଇପଡିଲା । ସେ ଲଥକିନା ବସିପଡିଲା ତୁଠପଥର ଉପରେ । 


    କେଶବର ଶେଷକୃତ୍ୟ ସରିଲା । ଅତୀତର ସୁଖମୟ ଦିନଗୁଡିକ ଝୁରି ହେଉଥିଲା ଉର । ସତରେ ନିୟତି କେଡେ ନିଷ୍ଠୁର ! ଯେଉଁଦିନ ତାକୁ ସତର ପୁରି ଅଠର ଛୁଇଁଲା , ଦେହରେ ଯୌବନର ଲହଡି ଭାଂଗିଲା ,ନୂଆ ଲୁଗାର ଗନ୍ଧ ବାରି ହେଲା - ସେହିଦିନୁ ତା' ଦେହକୁ ଗାଁ ଟୋକାଙ୍କ ନଜର ଲାଗିଲା । ବିଚାରୀ ମୁହଁଟେକି ଗାଁ ଦାଣ୍ତରେ ବାଟ ଚାଲିପାରୁନଥିଲା । ଆପଣାର କେହି ନାହିଁ ବୋଲି ନିଜକୁ ହତଭାଗିନୀ ମଣୁଥିଲା ସେ । ପିଲାଟି ଦିନରୁ ବାପାମାଆକୁ ହରେଇ ଅନେକ ଦୁଃଖ ପାଉଥିଲା । ଏଇ କେଶବ ସହିତ ଦିନେ ତା'ର ଭେଟ ହେଲା ନଈ ଘାଟରେ । ନିରବ ମୁହୂର୍ତ୍ତର ସୁଯୋଗ ନେଇ ଦୁହେଁ ମନ ଦିଆନିଆ ହେଲେ । କେଶବ ଗାଁବାଲାଙ୍କ କଥା ଶୁଣିଲା ନାହିଁ। ଉର ମଥାରେ ସିନ୍ଦୂର ପିନ୍ଧାଇ ତାକୁ ସ୍ତ୍ରୀ ଭାବେ ଗ୍ରହଣ କଲା । ସାତ ଜନମର ସାଥୀ ହେବା ପାଇଁ କଥା ଦେଲା । ଦଇବ ସହିଲା ନାହିଁ। ମଥାରୁ ସିନ୍ଦୂର ଟୋପାଟିକୁ ପୋଛିନେଲା । ସେ ପୁଣି ହତଭାଗିନୀ ହୋଇଗଲା । 


    ଘରେ ଯାଇ ପହଞ୍ଚିଲା ଉର । ଏକା ନିଶ୍ବାସରେ ପୁଅ ଅଭିକୁ ଜାବୁଡି ଧରିଲା । ଆଖିରୁ ଶୁଖିଯାଇଥିବା ଅମାନିଆ ଲୁହଧାର ପୁଣି ଝରିବାକୁ ଲାଗିଲା । କାନ୍ଦିକାନ୍ଦି କେତେବେଳେ ଶୋଇପଡିଲା ସେ । ରାତି ଅଧରେ ଦେଖିଲା ଏକ ସ୍ବପ୍ନ- ନାରୀ କେବେ ହାରେ ନାହିଁ । ସକଳ ଝଡଝଞ୍ଜା ସହି ଆଗକୁ ବଢେଇଥାଏ ପାଦ । ଦୁଃଖକୁ ଭୁଲିଯାଇ ସୁଖର ସ୍ବପ୍ନ ଦେଖିବାକୁ ଚେଷ୍ଟା କର ଉର । ପ୍ରତି ମୁହୂର୍ତ୍ତକୁ ଧୈର୍ଯ୍ୟର ସହ ମୁକାବିଲା କରିବା ଉଚିତ୍ । ନିୟତି ଉପରେ ଅଭିମାନ କରନା । ପୁଅ ଅଭିକୁ ମଣିଷ କରିବା ତୋର ପ୍ରଥମ କର୍ତ୍ତବ୍ୟ । ତେବେ ଯାଇ ତୋ' ସ୍ବାମୀର ଆତ୍ମା ଶାନ୍ତି ପାଇବ । ହଠାତ୍ ନିଦ ଭାଂଗିଗଲା । ସ୍ବପ୍ନଟି ଉର ମନକୁ ଚହଲାଇଦେଲା । ଆଶା ବିଶ୍ବାସର ମଞ୍ଜିଟିଏ ବୁଣି ହେଇଗଲା ତା' ହୃଦୟରେ । ରାତି ପାହି ସକାଳ ହେଲା କବାଟରେ ଠକ୍ ଠକ୍ ଶବ୍ଦ ଶୁଣାଗଲା । କାହାର ହୋଇପାରେ ? ଏକ ନାରୀକଣ୍ଠ- ଉର ! କବାଟ ଖୋଲ ? 


    ଉର ଟିକିଏ ଶଙ୍କିଗଲା । ପରେ ସାହାସ ଜୁଟାଇ କବାଟ ଖୋଲିଲା । ଆଖି ସାମ୍ନାରେ ଜଣେ ଭଦ୍ର ମହିଳା । ତାଂକୁ ଦେଖି ଉର ଭୟରେ ଗୋଟାପଣେ ଥରିବାକୁ ଲାଗିଲା । ଭଦ୍ର ମହିଳା ଜଣକ ଉର ପିଠି ଥାପୁଡାଇ କହିଲେ -' ଭୟ କରନା , ମୁଁ ମହିଳା ସଂଗଠନର ସଭାନେତ୍ରୀ ମାଳବିକା ଚୌଧୁରୀ । ତୋ ପାଇଁ କାମଟିଏ ଆଣି ଆସିଛି । ମହାନଦୀ ଫେରି ଘାଟରେ ଲୋକଙ୍କୁ ପାରି କରିବା ଦାୟିତ୍ବ ତୋର । ତୋ ପାଖରେ ସେ ଦକ୍ଷତା ଅଛି । କେବଳ ହଁ କହିଲେ ହେଲା ।' ଭଦ୍ରମହିଳାଂକ କଥା ଶୁଣି ଉର ମନ ଆକାଶରେ ନୂତନ ଆଶାର ଆଲୋକଟିଏ ଉଦୟ ହେଲା । ସିଏ ତ ଆଗରୁ ଏ କାମ ଶିଖିଛି । ତହିଁକେ ଯନ୍ତ୍ରଚାଳିତ ଡଂଗା ତାକୁ ଚଳାଇବା ଖୁବ୍ ସହଜ ହେବ । ଭଦ୍ର ମହିଳାଙ୍କ କଥାରେ ଉର ରାଜି ହୋଇ ପରଦିନଠୁ ହିଁ କାମ ଆରମ୍ଭ କରିଦେଲା । ପୁଅ ଅଭିକୁ ବଡ କରି ସହରରେ ପାଠ ପଢାଇଲା । ଅଳ୍ପଦିନ ଭିତରେ ଉର ପୁଣି ହସିବାକୁ ଅରମ୍ଭ କଲା । ଦୀର୍ଘ କୋଡିଏ ବର୍ଷ ପରେ ଅଭି ବିଡିଓ ହୋଇ ଗାଁକୁ ଫେରିଛି । ଉର ଆଖିରୁ ଦୁଇଟୋପା ଆନନ୍ଦାଶ୍ରୁ ଝରିଆସିଲା । ସ୍ବାମୀର ଫଟୋଚିତ୍ରକୁ ଅନେଇ କିଛି ମୁହୂର୍ତ୍ତ ପାଇଁ ହଜିଗଲା ସେ ।



Rate this content
Log in

Similar oriya story from Tragedy