Smruti Sephali Meher

Children Stories

4.1  

Smruti Sephali Meher

Children Stories

ବାବୁଲାର ମନ ବଦଳିଲା

ବାବୁଲାର ମନ ବଦଳିଲା

2 mins
223


ଦଶ ବର୍ଷର ପିଲାଟିଏ । ନାଁ ତା'ର ବାବୁଲା । ସିଏ ଥିଲା ଭାରି ଚଗଲା । ପଞ୍ଚମ ଶ୍ରେଣୀରେ ପଢେ । ମନ ପାଇଥିଲେ ସ୍କୁଲକୁ ଯିବ ନହେଲେ ନାହିଁ । ବାପାମାଙ୍କ କଥାକୁ ଜମାରୁ ଶୁଣେ ନାହିଁ । ଏମିତିକି ସ୍କୁଲର ଗୁରୁଜୀଗୁରୁମାଙ୍କ କଥାକୁ ମଧ୍ୟ ଖାତିର କରେ ନାହିଁ । ସ୍କୁଲ ଯିବା ବାଟରେ କେଉଁଠି ନା କେଉଁଠି ଅଟକି ଯିବ । ଦୁଷ୍ଟ ପ୍ରକୃତିର ପିଲାଙ୍କ ସହିତ ଖେଳିବ । ଗାଡିଆରୁ ମାଛ ଧରିବ । ପକ୍ଷୀ ବସାରୁ ଛୁଆ ଚଢେଇଙ୍କୁ ଧରି ଆଣି ପିଞ୍ଜରା ଭିତରେ ରଖିବ । ଭଲ କଥା ପଦେ କିଏ ତାକୁ କହିଲେ ଠୋ ଠାେ ହୋଇ ହସିବ । ଓଲଟି ଖତେଇ ହେବ । ତା' ପାଇଁ ବାପା ମାଆ ମନରେ ଥାଏ ବହୁତ ଚିନ୍ତା ।

ଦିନେ ବାବୁଲା ସ୍କୁଲକୁ ଯାଉଥାଏ । ବାଟରେ ଲାେକଙ୍କ ଭିଡ ଜମିଥିବାର ସିଏ ଦେଖିଲା । ସେଠାରେ ସିଏ କିଛି ସମୟ ଅଟକିଗଲା । ଦେଖିଲା,ଗାେଟିଏ ଲାେକ କେତେଗୁଡିଏ ପଞ୍ଜୁରୀରେ ଭିନ୍ନ ଭିନ୍ନ ରଙ୍ଗ ବେରଙ୍ଗର ପକ୍ଷୀ ସବୁ ରଖିଛି । ଚାଲି ଯାଉଥିବା ଲାେକଙ୍କୁ ଦେଖାଉଛି ଓ ତା' ବିଷୟରେ କିଛି କହୁଛି । ବାବୁଲା ଆଉ ସ୍କୁଲ୍ ଯିବ କ'ଣ ? ପକ୍ଷୀଗୁଡିକ ଉପରେ ମନ ତା'ର ଲାଖି ରହିଲା । ପକ୍ଷୀଗୁଡିକୁ ଏକ ଲୟରେ ଦେଖିବାକୁ ଲାଗିପଡିଲା । ପକ୍ଷୀଗୁଡିକୁ ଦେଖିବାରେ ସିଏ ଏମିତି ମଜ୍ଜିଗଲା ଯେ , ସ୍କୁଲ୍ ଯିବା କଥା ପୁରାପୁରି ଭୁଲିଗଲା । ବାବୁଲା ପକ୍ଷୀଗୁଡିକୁ ଦେଖିବା ଭିତରେ ତା'ର ନଜର ପଡିଲା ଏକ ଶୁଆ ଉପରେ । ଶୁଆଟି ପଞ୍ଜୁରୀ ଭିତରେ ଥାଇ ଛଟପଟ ହେଉଥିଲା । ବାହାରକୁ ଆସିବା ପାଇଁ ଆକୁଳ ବିକଳ ହେଉଥିଲା । ଖାେଲା ଆକାଶକୁ ଉଡିଯିବାକୁ ତା'ର ଭାରି ଇଚ୍ଛା ହେଉଥିଲା । ହେଲେ ଶୁଆଟି କରିବ କ'ଣ ? ସିଏ ତ ପଞ୍ଜୁରୀ ଭିତରେ ବନ୍ଧା । ଯେତେ ବଳ ଖଟାଇଲେ ବି କିଛି ଫଳ ମିଳୁନାହିଁ । ଏଣେ ଲାେକଟି ଶୁଆର ମନକଥା ବୁଝି ପାରୁନଥିଲା । ଖୁସିରେ ସେ ନାଚି ନାଚି ପକ୍ଷୀଗୁଡିକୁ ପ୍ରଦର୍ଶନ କରିବାରେ ବ୍ୟସ୍ତ ରହି ଉଚିତ୍ ଦାମରେ ପକ୍ଷୀମାନଙ୍କୁ ବିକ୍ରି କରୁଥିଲା । ଶୁଆ ପ୍ରତି ବାବୁଲା ମନରେ ଦୟା ଆସିଲା । ତା' ଚଗଲା ମନ ଭିତରେ କାହାର ସ୍ବର ଶୁଭାଗଲା । ସେ ଦିନେ କିଛି ପକ୍ଷୀଙ୍କୁ ଗାେଟିଏ ପଞ୍ଜୁରୀରେ ଭର୍ତ୍ତିକରି ବାହାର ପଟୁ ତାଲା ପକାଇ ଦେଇଥିଲା । ସେ ଦିନ ପକ୍ଷୀମାନେ କେତେ କାକୁତି ମିନତୀ ହେଉ ନଥିଲେ ବାହାରକୁ ଆସିବାକୁ ।

କିନ୍ତୁ, ନିଜ ଖୁସିରେ ସିଏ ତାଙ୍କ ଦୁଃଖକୁ ବୁଝି ପାରୁନଥିଲା । ଆଜି ଶୁଆକୁ ଛଟପଟ ହେବା ଦେଖି ବାବୁଲା ମନ ବଦଳିବାକୁ ଲାଗିଲା । ପଞ୍ଜୁରୀ ଭିତରୁ ଶୁଆଟିକୁ କିପରି ମୁକୁଳାଇବ ସେ ଚିନ୍ତାରେ ଲାଗି ପଡିଲା । ମନେ ମନେ ଏକ ଉପାୟ ପାଞ୍ଚିଲା- ଲାେକଟି ଭିଡ ଭିତରେ ରହି ପକ୍ଷୀଗୁଡିକୁ ଦେଖାଉଥିବାର ସୁଯାେଗ ନେଇ ବାବୁଲା ଧୀରେ ଧୀରେ ଲାେକଟିର ପଛପଟକୁ ଗଲା । ଶୁଆ ଥିବା ପଞ୍ଜୁରୀକୁ ଖାେଲିଦେଲା । ଶୁଆଟି ମନ ଆନନ୍ଦରେ ଫୁରକିନା ଉଡିଗଲା ଆକାଶକୁ । ଶୁଆଟି ଉଡିଯିବା ଦେଖି ଲାେକଟି ପଛକୁ ବୁଲି ପଡିଲା । ହଠାତ୍ ବୁଲି ପଡିବା ଭିତରେ ଲାେକଟି ତଳେ କଚାଡି ହାେଇ ପଡିଗଲା । ଯାହା ଫଳରେ ସବୁ ପକ୍ଷୀତକ ଏକା ସାଙ୍ଗରେ ଉଡିଗଲେ ଆକାଶକୁ । ଏହା ଦେଖି ବାବୁଲା ଭାରି ଖୁସି ହାେଇଗଲା । ତାଳି ମାରି ନାଚି ଉଠିଲା । ସିଧା ଦାୈଡି ଦାୈଡି ଆସି ଘରେ ସବୁକଥା ତା' ମାଆକୁ କହିଲା । ବାବୁଲାର ସ୍ବଭାବରେ ପରିବର୍ତ୍ତନ ଆସିଥିବା ଦେଖି ବାପାମାଆ ବହୁତ ଖୁସି ହାେଇଗଲେ । ଆଜି ତା' ଚଗଲା ପିଲା ବାବୁଲାର ମହାନତା ପାଇଁ ତାକୁ ସାବାସୀ ଜଣାଇଲେ ।



Rate this content
Log in