Smruti Sephali Meher

Children Stories

4.1  

Smruti Sephali Meher

Children Stories

ଉପକାର ଶୁଝିଲା ହାତୀ

ଉପକାର ଶୁଝିଲା ହାତୀ

2 mins
128


ହରିପୁର ଗାଁକୁ ଲାଗି ଜଙ୍ଗଲଟିଏ । ସେଇ ଜଙ୍ଗଲରେ ଅନେକ ଜୀବଜନ୍ତୁ ରହୁଥାନ୍ତି । ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରୁ ଜଙ୍ଗଲର ଜୀବଜନ୍ତୁମାନେ ଗାଁ ଭିତରକୁ ଚାଲି ଆସନ୍ତି । ଅନେକ ଫସଲ ନଷ୍ଟ କରି ପକାନ୍ତି । ବଣୁଆ ଜୀବଜନ୍ତୁ ମାନଙ୍କ ପାଇଁ ଲୋକଙ୍କ ମନରେ ସବୁବେଳେ ଭୟ ଥାଏ ।

   ଦିନକର ଘଟଣା । ଗାଁ ଭିତରେ ପାଟିତୁଣ୍ତ ଶୁଭିଲା । ଗାଁ ଲୋକେ ଛାନିଆଁ ହୋଇ ପଡୁଥାନ୍ତି । ଗୋବର୍ଦ୍ଧନ ଘରୁ ବାହାରି ଆସି ଦେଖିଲା, ଏତେ ପାଟିତୁଣ୍ତ କାହିଁକି ?କ'ଣ ହୋଇଛି ? ପଚାରିବାରୁ ସମସ୍ତେ କହିଲେ, ଜଙ୍ଗଲରୁ ଗୋଟିଏ ବିରାଟ ହାତୀ ଚାଲି ଆସିଛି । ସେ ଭାରି ଅମାନିଆ । କ୍ଷେତକୁ ପଶି ଆଖୁ,ଧାନ,ମକା,ସବୁ ଖାଇଲାଣି ।

    ହାତୀଟି ଗାଁ ଭିତରେ ଏପଟ ସେପଟ ହେଉଥାଏ । ଯିଏ ତା'ର ହାବୁଡେ ପଡିଲା ସେ ମଲା ବୋଲି ଜାଣିଲା । ଆଉ କେତେ ଲୋକଙ୍କୁ ହାତୀ ତା' ଶୁଣ୍ଢରେ ଉଠାଇ କଚାଡି ପକାଏ । ହାତୀ ଭୟରେ ସମସ୍ତେ ଗାଁ ଛାଡି ଯିଏ ଯୁଆଡେ ଚାଲିଯିବାକୁ ବସିଲାଣି । ହାତୀଟି ସିଧା ଆସି ଗୋବର୍ଦ୍ଧନ ପାଖରେ ହାଜର ହୋଇଗଲା । ଗୋବର୍ଦ୍ଧନକୁ ମାରିବା ପାଇଁ ଗୋଡାଇଲା । କିନ୍ତୁ, ହାତୀଟି କ'ଣ ଭାବିଲା କେଜାଣି, ହଠାତ୍ ଠିଆ ହୋଇଗଲା ଗୋବର୍ଦ୍ଧନ ପାଖରେ । ଶୁଣ୍ଢକୁ ଉପରକୁ ଦୁଇଥର ହଲାଇ ତୁନି ହୋଇ ବସି ପଡିଲା । ଏଇ ଲୋକ ତାକୁ ତା'ର ବିପଦ ବେଳେ ସାହାଯ୍ୟ କରିଥିଲା । ହାତୀର ବ୍ୟବହାରେ ହାଠାତ୍ ପରିବର୍ତ୍ତନ ଦେଖି ଗାଁର ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଗଲେ । ଗୋପାଳ କହିଲା: "ଗୋବର୍ଦ୍ଧନ ଭାଇ ଇଏ ସେଇ ହାତୀ, ଯାହାକୁ ଆମେ ଜଙ୍ଗଲରେ ଛଟପଟ ହେଉ ଥିବାର ଦେଖିଥିଲେ । କେହି ଜଣେ ଶିକାରୀ ତାକୁ ଗୁଳିକରି ଚାଲିଯାଇଥିଲା । ତାକୁ ତୁମେ ପାଣି ପିଆଇଥିଲ । ପଶୁ ଡାକ୍ତରଙ୍କୁ ଡାକିଆଣି ତା'ର ଚିକିତ୍ସା କରାଇଥିଲ ।"

   ଗୋବର୍ଦ୍ଧନ କହିଲା: "ଆରେ ସତକଥା ତ ! ଇଏ ସେହି ହାତୀ । ବିଚରା ସେଦିନ କେତେ କଷ୍ଟ ପାଉ ନ ଥିଲା ? ଛୁଆଟି ତା'ର ଅନେକ କଷ୍ଟ ପାଇ ଶେଷରେ ମରିଗଲା । ମାଆ ହୋଇ କେତେ ଆଉ ସହିଥାନ୍ତା ? ପୁଅଟିର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ବୋଧହୁଏ ଚାଲି ଆସିଛି ।" ଗୋବର୍ଦ୍ଧନର କଥା ଶୁଣି ହାତୀଟି ମୁଣ୍ତ ହଲାଇଲା । ତା' ପରେ ହାତୀଟି ଧୀରେ ଧୀରେ ଜଙ୍ଗଲ ଆଡକୁ ଚାଲିଗଲା ।

   ଥରେ ଗାଁର ଦାଣ୍ତରେ ଛୋଟ ଛୋଟ ପିଲାମାନେ ମନ ଖୁସିରେ ଖେଳୁଥାନ୍ତି । ହଠାତ୍ ଗୋଟିଏ ବାଘ ଆସି ଏକ ପିଲାକୁ ଝାମ୍ପି ନେଇଗଲା । ଗାଁ ଲୋକେ ପାଟିତୁଣ୍ତ କଲେ । ବାଘର ଆଉ ଖୋଜ ଖବର ପାଇଲେ ନାହିଁ । ସମସ୍ତେ ମୁଣ୍ତରେ ହାତ ଦେଇ ଦୁଃଖରେ ବସିଲେ । ଏମିତି ଦୁଇ ତିନି ଦିନ ବିତି ଗଲା । ହାତୀଟିକୁ ବାଘ ନେଇ ଯାଇଥିବା ପିଲାଟିକୁ ଧରି ଆଣି ଗାଁ ଦାଣ୍ତରେ ଛାଡିଲା । ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ହାତୀକୁ ବହୁତ ପ୍ରଶଂସା କଲେ । ତା'ପର ଦିନଠୁ ହାତୀଟି ଗାଁ ମୁଣ୍ତ ବରଗଛ ମୂଳେ ରହିଲା । ବିପଦ ଆପଦରୁ ଗାଁକୁ ଜଗି ବସିଲା । ଗାଁରେ ପ୍ରତ୍ୟେକଙ୍କ ଉପକାରରେ ଲାଗିଲା । ସମସ୍ତେ ତାକୁ ଉପକାରୀ ହାତୀ ଭାବେ ଜାଣିଲେ । ତା' ଦୁଃଖ ସୁଖରେ ଭାଗିଦାର ହେଲେ । 



Rate this content
Log in