Smruti Sephali Meher

Children Stories

3  

Smruti Sephali Meher

Children Stories

ସଜ ଗୋଲାପ ଓ ଝିଅ ମୟୂରୀ

ସଜ ଗୋଲାପ ଓ ଝିଅ ମୟୂରୀ

2 mins
149



ଦଶବର୍ଷର ଝିଅଟିଏ । ନାଆଁ ତା'ର ମୟୂରୀ । ସିଏ ପଞ୍ଚମ ଶ୍ରେଣୀରେ ପଢେ । ଚେହେରାଟି ଯେମିତି ଡଉଲ ଡାଉଲ ,ବୁଦ୍ଧି ମଧ୍ୟ ଠିକ୍ ସେମିତି ଥିଲା ପ୍ରଖର । ସିଏ ଥିଲା ବାପା ମାଆଙ୍କର ଅତି ଗେହ୍ଲି ଝିଅଟିଏ । ତା'ବାପା ସବୁଦିନ ତା'ପାଇଁ ବଜାରରୁ ଭଳିକି ଭଳି ଖେଳନା କିଣି ଆଣିଦିଅନ୍ତି ।

           ସବୁ ବିଷୟ ଜାଣିବା ପାଇଁ ମୟୂରୀର ଥାଏ ବିଶେଷ ଆଗ୍ରହ । ସେଥିପାଇଁ ସବୁବେଳେ କିଛି ନା କିଛି ନୂଆ କଥାଟିଏ ମନ ଭିତରେ ଭାବୁଥାଏ ।ଉଇଁଉଇଁ ଆସୁଥିବା ସକାଳର ସୂରୁଜକୁ ଦେଖି ଉଲ୍ଲସିତ ହାେଇଉଠେ । ସଂଧ୍ୟାରେ ଆକାଶର ଜହ୍ନ ଓ ତାରାକୁ ଦେଖି ମନ ମତାଣିଆ ଗୀତଗାଇ ନାଚି ଉଠେ ଅଗଣାରେ ।

           ତାଙ୍କ ଘର ପଛ ବାରିପଟେ ଥାଏ ସୁନ୍ଦର ଏକ ଫୁଲ ବଗିଚା । ସେ ବଗିଚାର ଜାତି ଜାତିକା ଫୁଲର ବାସ୍ନାରେ ଚଉଦିଗ ମହକି ଉଠୁଥାଏ । ଦିନେ ମୟୂରୀ ସେ ବଗିଚାକୁ ବୁଲିବାକୁ ଯାଇଥିଲା । ବଗିଚାରେ ବୁଲୁବୁଲୁ ଦେଖିଲା , ଗାେଟିଏ ଗାେଲାପ ଗଛରେ ଅନେକ ଫୁଲ ଫୁଟି ଖୁବ୍ ସୁନ୍ଦର ଦେଖାଯାଉଛି । ମୟୂରୀ ଫୁଲଗଛ ପାଖକୁ ଗଲା । ଅତି ନିକଟରୁ ଗାେଲାପ ଫୁଲଗୁଡିକୁ ଦେଖି ବହୁତ ଖୁସି ହାେଇଗଲା । ମନେ ମନେ ଭାବିଲା , ସତରେ ! ଗାେଲାପ ଫୁଲଗୁଡିକ ମନରେ ଦୁଃଖ ବାେଲି ଟିକେ ନାହିଁ । ନିଜେ କଷ୍ଟ ପାଇ ଅନ୍ୟକୁ ଖୁସି ବାଣ୍ଟୁଛନ୍ତି । ମୟୂରୀ ତା' ମାଆକୁ ଯାଇ ଏ କଥା କହିଲା :" ମାଆ ! ଏ ଗାେଲାପ ଫୁଲମାନେ ନିଜ ଦୁଃଖକୁ କାହିଁକି ପରିପ୍ରକାଶ କରିପାରୁନାହାନ୍ତି ? ପ୍ରତି ମୁହୂର୍ତ୍ତରେ କଣ୍ଟାର ଆଘାତକୁ ଅକ୍ଲେଶରେ ସହି ଯାଉଛନ୍ତି । ତାଙ୍କ ଭିତରେ ଏତେ କଷ୍ଟ ଲୁଚି ରହିଥିଲେ ବି ସେମାନେ ମନଖାେଲି କେମିତି ହସି ପାରୁଛନ୍ତି ?"

          ଝିଅ ମୟୂରୀ କଥା ଶୁଣି ମାଆ କହିଲେ :" ମାଆରେ ! ଭଗବାନ ସେମାନଙ୍କୁ ସୁନ୍ଦରତା ସହିତ ଧୈର୍ଯ୍ୟ ଓ ସହିବାର ଶକ୍ତି ଦେଇଛନ୍ତି । ସେମାନେ ମିଜର କଷ୍ଟକୁ ସୁଖ ବାେଲି ଧରି ନେଇଛନ୍ତି ।

          ମାଆର କଥା ଶୁଣି ମୟୂରୀ କହିଲା:" ମଣିଷକୁ ବି ଭଗବାନ ଶକ୍ତି ଦେଇଛନ୍ତି ? ବୁଦ୍ଧି ବି ଦେଇଛନ୍ତି । ହେଲେ ସେମାନେ କାହିଁକି ଅନ୍ୟକୁ ଖୁସି ବାଣ୍ଟିବାରେ କୁଣ୍ଠାବାେଧ କରୁଛନ୍ତି ।"

            

            ମାଆ କହିଲେ :" ତୁ ଠିକ୍ କହିଛୁ ମୟୂରୀ । ହେଲେ ଝିଅ , ମଣିଷ ଦିନକୁ ଦିନ ବହୁତ ସ୍ୱାର୍ଥପର ହାେଇଗଲାଣି । ଯେଉଁଠି ସ୍ବାର୍ଥ ଥିବ, ମଣିଷ ସେଇଠି ହାଜର ହାେଇଯିବ । ସ୍ବାର୍ଥ ପାଇଁ ସିଏ କାହାକୁ ଚିହ୍ନିବ ନାହିଁ । ପ୍ରକୃତରେ କହିବାକୁ ଗଲେ , ଅନ୍ୟର ଦୁ୍ଃଖରେ ଯିଏ ଦୁଃଖୀ - ଅନ୍ୟର ସୁଖରେ ଯିଏ ସୁଖୀ ହାେଇଥାଏ ,ସେ ହିଁ ଜଗତରେ ମହାନ୍ ହାେଇଥାଏ । ଏ ଦୁନିଆରେ ତାକୁ ଯାେଗ୍ୟ ମଣିଷ ଭାବେ ବିବେଚନା କରାଯାଇଥାଏ ।

   

          କଥାରେ ଅଛି :" ଅନ୍ୟ ଦୁଃଖରେ କାତର ଯେଉଁ ନର - ନିଶ୍ଚେ ହାେଇବ ତା' ପଥ ପରିଷ୍କାର।”

           ମୟୂରୀ କହିଲା:" ସତକଥା ମାଆ ! ମୁଁ ବଡ ହେଲେ , ଅନ୍ୟର ସେବା କରିବି । କାହା ମନରେ ଆଦୌ ଦୁଃଖ ଦେବିନାହିଁ । ସଜ ଗାେଲାପ ପରିକା ନିଜେ ଦୁଃଖ କଷ୍ଟ ସହି ଅନ୍ୟକୁ ସଦା ହସାଉ ଥିବି । ସେଥିରେ ପାଇବି ମୁଁ ବହୁତ ଖୁସି ।"

           ଝିଅ ମୟୂରୀର ଏ ଭଳି ମହାନ୍ ଗୁଣକୁ ଦେଖି ମାଆ ତାକୁ ଖୁସିରେ କୁଣ୍ଢାଇ ଧରି ପକାଇଲେ ।



Rate this content
Log in