ଝିଅର ଗୋତ୍ର
ଝିଅର ଗୋତ୍ର
"ପତର ଗୋଟେଇ ଘରର ଝିଅଟା । ମାର୍ଗଶୀର ଗୁରୁବାରରେ ପାହାନ୍ତାରୁ ଉଠିବା ତୋ ମାଆ ଶିଖେଇନି କୀଲୋ ?"
ଶାଶୁଙ୍କ ପାଟିରେ ଉଠି ପଡିଲା ବୋହୂ। କାଲିଠୁ ଘର ଲିପା ଚିତା ଦିଆ ,ଠାକୁର ଘରର ଅନେକ କାମ ସାଥୀରେ ପୁଣି ସବୁଦିନିଆ ଘରକାମ ସାରି ଶୋଇଲା ବେଳକୁ ଡେରି ହେଇ ଯାଇଥିଲା । ଶାଶୁଙ୍କର କଣ ଅଛି ?ହକ୍ ବୋହୂ ଆଣିଛନ୍ତି ,ସିଏ ଖଟିବ । ତରତର ହେଇ ବିଛଣା ଛାଡିଲା । ଯାହା ହଉ ସବୁ କାମ ଠିକ୍ ସମୟରେ ସରିଲା । ହେଲେ ଶାଶୁ ଘରର କେହି କେବେ ତା ଉପରେ ଖୁସି ହୁଅନ୍ତିନି । ମନ ବୁଝି ସବୁ କାମ କରେ । ସମସ୍ତଙ୍କ ମନଜାଣି ରାନ୍ଧେ । ଯେତେ କଷ୍ଟ ଲାଗିଲେ ବି ମୁହଁ ଖୋଲି କହେନି । କହିଲେ କାଳେ ଜବାବ ଦଉଛୁ ବୋଲି ଅନ୍ଯମାନେ ଭାବିବେ।ସେଇ ଭୟରେ କହେନି । କିନ୍ତୁ ତା ଉପରେ କେହି ଖୁସି ହୁଅନ୍ତିନି ।
ଏତେ କମ୍ ବୟସରେ ଅସୁମାରୀ ସ୍ବପ୍ନ ନେଇ ତ ସେ ଆସିଥିଲା । ସେଠି ଯେମିତି ତା ଘର ଏଠି ବି ତ ତା ଘର । ସେ ଘରେ ସିନା ସିଏ ପରଘରୀ ଥିଲା କିନ୍ତୁ ଏଇଟା ପରା ତା ନିଜ ଘର । କେବଳ ନିଜର ଭୁଲ୍ ଖୋଜିବାରେ ସେ ବ୍ଯସ୍ତ ରୁହେ ଆଉ ଅପେକ୍ଷା କରେ ଦିନେ ନ ଦିନେ ତାକୁ ସମସ୍ତେ ବୁଝିବେ ।
ଜୀବନର ସେଇ ପ୍ରଶ୍ନବାଚୀ ଘେରରେ ସେ ଆଗକୁ ଯାଉଥାଏ । ତିନୋଟି ଛୁଆ ତା କୋଳକୁ ଦେଲାଣି ସମୟ୍।ଶାଶୁ ବି ବୁଢୀ ହେଲେଣି । ତା ସ୍ବାସ୍ଥ୍ଯ ବି ପୁରା ଭାଙ୍ଗି ଗଲାଣି । କିନ୍ତୁ ବାହା ବାସୀରୁ ତା ମୁଣ୍ଡରେ ଲଦା ହେଇଥିବା ଦୋଷ ଗୁଡାକ ସେମିତି ଥାନ୍ତି । ତା ନିଷ୍ଠାପରତା କିଛି କାମ ଦିଏନି । ବ୍ଯସ୍ତ ହେଇ ପଡେ ସେ। ଆଉ କେତେ ଖଟିଲେ ଏମାନେ ଖୁସି ହେବେ ! କେହି କେବେ ତା କଥା ପଚାରନ୍ତିନି ତ !,ବୋହୂ ଶାଶୁ ,ଶଶୁର ,ସ୍ବାମୀ ସମସ୍ତଙ୍କ ମନ ଜାଣି ବ୍ଯବହାର କରିବ । କିନ୍ତୁ ବୋହୂର ମନ !! ସେମିତି କିଛି ଥାଏ କି ନାଇଁ।ତା ପିଲାଗୁଡାକ ବି ତାରି ଭଳି ବୋଲି ସମସ୍ତଙ୍କ ଅଭିଯୋଗ ।ମାଆର କଷ୍ଟ ଦେଖିଲେ କି ବାପା ତାଙ୍କର ସେମାନଙ୍କୁ ବିଶେଷ ଗୁରୁତ୍ବ ନ ଦେବାର ଦେଖିଲେ କିଛି କିଛି କହିବା ଶିଖିଲେଣି । ହେଲେ ଏଗୁଡା ଯେ ମାଆର ଶିକ୍ଷା ବୋଲି ଦୃଢ ଭାବେ ବାପା ଶୁଣେଇ ଦିଅନ୍ତି । ପିଲେ ନା ମାଆର ଅପମାନ ସହି ପାରନ୍ତି ନା ବାପାଙ୍କୁ କିଛି କହି ପାରନ୍ତି।
ପିଲାଙ୍କ ଭଙ୍ଗା ମନ ମାଆକୁ ବାଧେ। ଈଶ୍ବର କେମିତି ସିଏ ଜାଣିନି । ଭଲରେ ପୂଜା କରିବାକୁ ତା ପାଖେ ସମୟ ନଥାଏ।ବାହାଘରର ବହୁତ ବର୍ଷପରେ ଝିକ ଯାଇ ଅଭିଯୋଗ କରେ ବାପଙ୍କ ପାଖେ ।କାହିଁକି ଏସବୁ ମୋ ପାଇଁ ?କଣ ଭୁଲ୍ ଥିଲା ମୋର ନା ତମର ?ନିରୁପାୟ ବାପା ସତୁରୀ ବର୍ଷରେ କେବଳ ଲୁହ ଗଡାନ୍ତି । ବ୍ଯସ୍ତ ହେଇ ଝିଅର ଜାତକ ଦେଖାନ୍ତି । ଭାଗ୍ଯଫଳ ଜଣାପଡେ ଝିଅର । ଇଏ ସଂପୂର୍ଣ୍ଣ ଗ୍ରହକୂଟ । ଝିଅକୁ ପ୍ରତିକାର ଗୁଡିଏ ଶିଖାନ୍ତି । ଝିଅ ପଚାରେ ,'ଏମାନେ ତ ମୋତେ ଦିନେ ବି ନିଜର ଭାବିଲେନି ଯୋଉଠିକି ତମେ ମୋତେ ମୋ ଘର କହି ପଠେଇଥିଲ । ତମ ଘରର ଗୋତ୍ରରୁ ତ ମୁଁ ପର ହେଇ ସାରିଛି କେବେଠୁ । ମୋ ଗୋତ୍ର ତେବେ କଣ ?"
ବାପା ଶୂନ୍ଯକୁ ଦେଖନ୍ତି । ବୁଝି ପାରନ୍ତିନି କୋଉ ଗୋତ୍ରର ବୋଲି ଝିଅକୁ କହିବେ ସିଏ ।
ବି.ଦ୍ର. ଯୁଗ ବଦଳୁଛି । କିନ୍ତୁ ତୃଣମୂଳ ସ୍ତରରେ ବହୁତ କିଛି ବଦଳବାକୁ ରହି ଯାଇଛି । ସେଇଥିପାଇଁ ମୋର ଏଇ ଗପଟି ।