Pramod Kumar Jena

Inspirational

3  

Pramod Kumar Jena

Inspirational

ଝିଅ

ଝିଅ

2 mins
362



ଦୀର୍ଘ ଚଉଦ ଘଣ୍ଟା l ଝିଅଟା ପ୍ରସୂତୀ ଗୃହରେ ଶୋଇ ରହିଛି l ଏ ପର୍ଯ୍ୟନ୍ତ ପ୍ରସବ ହୋଇନି l ଖିଆ ନାହିଁ, ପିଆ ନାହିଁ l ଡାକ୍ତରଖାନା ବାରଣ୍ଡାରେ ଜଗି ରହିଛନ୍ତି ମାନିର ବାବା ଓ ବୋଉ l ଦିନ ସାରା ଦୌଡୁଛନ୍ତି, କିଛି ନା କିଛି କାମରେ l କେତେବେଳେ ଔଷଧ ତ କେତେବେଳେ ଆଉ କିଛି l ଯାହା ଦରକାର ନର୍ସ୍ ଚିଠା ବଢେଇ ଦେଉଛନ୍ତି l ଖବର ପାଇ ସେତେବେଳକୁ ସମ୍ପର୍କୀୟମାନେ ବି ପହଞ୍ଚି ସାରିଲେଣି l ସେମାନଙ୍କ ଭିତରୁ କେହି କେହି କହୁଥିଲେ, ଏଥର ପୁଅ ହେବ l କିନ୍ତୁ ମାନି ବାବା ଓ ବୋଉଙ୍କର ଧ୍ୟାନ ପୁଅ କିମ୍ବା ଝିଅରେ ନ ଥିଲା l ହାତ ଯୋଡି ମନେ ମନେ ଠାକୁରଙ୍କୁ ଡାକୁଥାନ୍ତି, କେମିତି ପ୍ରସବ ଠିକ୍ ଠାକ୍ ହୋଇ ଯିବ l ଯେମିତି ସମୟ ଗଡି ଯାଉଥାଏ, ଦୁହିଁଙ୍କର ଛାତିର ଗତି ସେତିକି ବଢି ଯାଉଥାଏ l ମଝିରେ ମଝିରେ କହୁଥାଆନ୍ତି, ଆଉ କେତେ କଷ୍ଟ ଦେବ ଛୁଆଟାକୁ l ହଠାତ୍ ଜଣେ ନର୍ସ୍ ବାହାରକୁ ଆସି କିଛି ଇଙ୍ଗିତ କଲା l ସମୁଦୁଣୀ କହିଲେ, ସମୟ ଆସିଗଲା l ଛାତିର ଗତି ଆହୁରି ବଢିଯାଉଥାଏ l ସ୍ଥିର ହୋଇ ବସି ପାରୁ ନ ଥାନ୍ତି l କିଛି ସମୟ ପରେ ସ୍ତ୍ରୀ ମହଲରେ ଗହଳି ଶୁଣାଗଲା….

ଝିଅଟିଏ l ଠାକୁରଙ୍କୁ ମୁଣ୍ଡିଆ ମାରିଲେ ମାନି ବାବା l ପିଣ୍ଡରେ ପ୍ରାଣ ପଶିଲା l କିଏ ଖୁସି ହେଲା, କିଏ ମନ ଦୁଃଖ କଲା ସେଥିପ୍ରତି ନଜର ନାହିଁ l କେମିତି ଝିଅକୁ ଟିକେ ଦେଖିବେ l କିଛି ସମୟ ପରେ ଡାକ୍ତର୍ ଓ ନର୍ସଙ୍କ ପରାମର୍ଶ ନେଇ ଜଣେ ପରେ ଜଣେ ଦେଖିବାକୁ ଭିତରକୁ ଗଲେ l କିଏ କହିଲା ବାପା ଭଳିଆ ତ କିଏ କହିଲା ମାଆ ଭଳିଆ l ଶେଷରେ ପାଳି ପଡିଲା ମାନି ବାବାଙ୍କର l ଭିତରକୁ ଗଲେ l ଦେଖିଲେ ତା’ ଝିଅକୁ ଏକା ଲୟରେ ଚାହିଁ ରହିଛି ମାନି l ପାଖକୁ ଯାଇ ମାନିକୁ ଇସାରାରେ ପଚାରିଲେ ସବୁ ଠିକ୍ ଅଛି ତ ? ମୁଣ୍ଡ ହଲେଇ ବାବାଙ୍କୁ ଚାହିଁ ରହିଲା ମାନି l ଆରେ ଇୟେ କଣ l ମାନି କାନ୍ଦୁଛି l ପଚାରିଲେ, ଶେଷରେ ତୁ ବି ଝିଅ ହୋଇଛି ବୋଲି ମନ ଦୁଃଖ କଲୁ? କୋହ ସମ୍ଭାଳି ନ ପାରି ମାନି କହିଲା, ନା ବାବା l ଝିଅ ପାଇଁ ମୁଁ ବହୁତ ଖୁସି l ତେବେ କାନ୍ଦୁଛୁ କାହିଁକି ? ମୁଁ ଏବେ ଜାଣୁଛି, ମୋତେ ଜନ୍ମ ଦେବା ବେଳେ ବୋଉକୁ କେତେ କଷ୍ଟ ହୋଇଥିବ l ତାଙ୍କ ଆଖିକୁ ବି ଲୁହ ଆସିଗଲା l ମାଆ ଝିଅର ସମ୍ପର୍କ l ଭାବିଲେ ଗୋଟେ ଝିଅ ହିଁ ମାଆର ଦୁଃଖ ବୁଝି ପାରିବ l



Rate this content
Log in

Similar oriya story from Inspirational