ଜେଜେବାପା
ଜେଜେବାପା


ହରି ବାବୁଙ୍କର ପରିବାର କହିଲେ ଦୁଇ ନାତି ଆଉ ଦୁଇ ନାତୁଣୀ ବୋହୂ। ସେମାନେ ବହୁତ ଗରିବ। ଯେତେବେଳେ ବଡ ନାତିକୁ ବାର ବର୍ଷ ହୋଇ ଥିଲା, ହରି ବାବୁଙ୍କର ପୁଅ ବୋହୂ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ତାପର ଠାରୁ ବହୁ କଷ୍ଟରେ ହରି ବାବୁ ନିଜ ଦୁଇ ନାତିଙ୍କୁ ବଡ଼ କରିଥିଲେ।
ବଡ ନାତି ବାହାଘରକୁ ପାଞ୍ଚ ବର୍ଷ ହୋଇ ଗଲାଣି ଆଉ ସାନ ନାତିର ବାହାଘର ଦୁଇ ବର୍ଷ ହୋଇଗଲାଣି। ହେଲେ ଏବେ ଯାଏଁ ଛୁଆପିଲାର କିଳିକିତାରି ହସ କି କାନ୍ଦ ସେ ଘରେ ଗୁଞ୍ଜରିତ ହୋଇ ନାହିଁ। ଏହା ନୁହେଁ କି ନାତି କି ନାତୁଣୀ ବୋହୂଙ୍କର ଛୁଆ ପିଲା କରିବାରେ କିଛି ଅସୁବିଧା ଅଛି। ବହୁ ଲୋକ ବହୁ କଥା କୁହନ୍ତି।
କିଏ କୁହନ୍ତି ହରି ବାବୁ ବହୁତ ଭଲ ଲୋକ। ବୋଧେ ସେ ଗତ ଜନ୍ମରେ କିଛି ଖରାପ କର୍ମ କରି ଥିଲେ, ସେଥିପାଇଁ ଏ ଜନ୍ମରେ ଏତେ କଷ୍ଟ ପାଉଛନ୍ତି..... ।
ପୁଣି ଆଉ କେହି କୁହନ୍ତି ଆଜି କାଲିର ପୁଅ ବୋହୂ, କଣ ଏତେ ଜଳଦି ଛୁଆ ଜନ୍ମ କରିବେ ?
ଆଉ କେହି କୁହନ୍ତି ସେମାନେ ରହୁଥିବା ଘରେ ଅସୁବିଧା ଅଛି।
ଘର...!
ଚାରି ବର୍ଷ ତଳର କଥା। ଯେଉଁ ଜାଗାରେ ହରିବାବୁ ଏବଂ ତାଙ୍କର ପରିବାର ରହୁଛନ୍ତି.... ସେ ଜାଗାଟିକୁ ତାଙ୍କ ଦୁଇ ନାତି ଶସ୍ତାରେ ବିକ୍ରି ହେବାରୁ କିଣି ଥିଲେ। ଜାଗାଟି ଶ୍ମଶାନ ପାଖ ହୋଇ ଥିବାରୁ ଲୋକମାନେ କହୁଥିଲେ ସେ ଜାଗାରେ ଖରାପ ଶକ୍ତି ଅଛି... କିନ୍ତୁ ଶସ୍ତାରେ ମିଳିଥିବାରୁ, ଦୁଇ ଭାଇ ମିଶି କି କିଣି ଥିଲେ।
ଦୁଇ ଭାଇ ଆଉ ଜେଜେବାପା ଚଳିବା ମୁତାବକ ଛୋଟ ଚାଳ ଘର କରି ସେଠାକୁ ରହିବାକୁ ଗଲେ। ସେତେବେଳକୁ ବଡ ନାତୁଣୀ ବୋହୂ ତନୁ ତିନି ମାସର ଗର୍ଭବତୀ ଥିଲା। କିନ୍ତୁ ସେ ଘରକୁ ଗଲା ପରେ ସେଠି ଅଜିବ ଘଟଣା ସବୁ ଘଟିଲା।
ଘରକୁ ଯିବାର କିଛି ଦିନ ପରେ, ଦିନେ ସନ୍ଧ୍ୟାରେ ତନୁ ଏକ କଙ୍କାଳକୁ ତା ଆଡକୁ ଆସୁଥିବା ଦେଖିଲା, ଆଉ ଡରି ଯାଇ ଅଚେତ ହୋଇ ତଳେ ପଡିଗଲା ଆଉ ଗର୍ଭପାତ ହୋଇ ଗଲା।
ତାପରେ ସାନ ନାତିର ବାହାଘର ହେଲା ।ବାହାଘର ଆଠ ମାସ ପରେ ସାନ ନାତୁଣୀ ବୋହୂ ରିନି ଗର୍ଭବତୀ ହେଲା। ତା ସହ ବି ସମାନ ଘଟଣା ହେଲା ଚାରି ମାସରେ ତାର ଗର୍ଭପାତ ହେଲା। ଏବେ ସମସ୍ତଙ୍କ ମନରେ କଙ୍କାଳକୁ ନେଇ ଡର। ଗୁଣିଆକୁ ଡାକି ଦେଖେଇଲେ କିନ୍ତୁ କେହି ବି ତାକୁ ସେଠାରୁ କାଢି ପାରିଲେ ନାହଁ।
କେବଳ ଜେଜେବାପା ହରି ବାବୁ ଧାର୍ମିକ ବ୍ୟକ୍ତି ଥିଲେ ସେଥିପାଇଁ କଙ୍କାଳ ନାତି କି ନାତୁଣୀ ବୋହୂଙ୍କ ଜୀବନ ନେଇ ପାରୁ ନ ଥଲା।
ଚାରି ବର୍ଷ ପରେ ବଡ ନାତୁଣୀ ବୋହୂ ତନୁ ଆଉ ଥରେ ଗର୍ଭବତୀ ହୋଇଛି।କିନ୍ତୁ ପୂର୍ବ ଘଟଣା ପାଇଁ ସେ ଡରି କି ରୁହେ। ଏବେ ଜେଜେବାପା ବି ପ୍ରସ୍ତୁତ ଅଛନ୍ତି କଙ୍କାଳକୁ ମୁକାବିଲା କରିବା ପାଇଁ। ଯେତେବେଳେ ବି କଙ୍କାଳ ତନୁ ଆଡକୁ ଆସେ, ଜେଜେବାପା ତାଙ୍କ ରୁଦ୍ରାକ୍ଷ ମାଳ ଧରି ତନୁ ଆଉ କଙ୍କାଳ ମଝିରେ ଆସି ଯାଆନ୍ତି। କଙ୍କାଳ କିଛି କରି ନ ପାରି ପଳେଇ ଯାଏ। ଜେଜେବାପା ସବୁବେଳେ ତନୁକୁ କହୁ ଥିଲେ ତୁ ଡରନି... ଆଉ କଙ୍କାଳ ତୁମ ମାନଙ୍କର କିଛି କରିପାରିବ ନାହିଁ ବହୁତ ଜଳଦି ମୁଁ ତା ଶକ୍ତି ନଷ୍ଟ କରି ଦେବି।
ଏମିତି ସମୟ ଆଠ ମାସ କଟି ଗଲାଣି।ତନୁ ଆଠ ମାସର ଗର୍ଭବତୀ। ହେଲେ କଙ୍କାଳର ଭୟ ଏବେବି ଯାଇନି।
ହଠାତ୍ ଜେଜେବାପା ସକାଳୁ ଉଠିଲା ବେଳକୁ ଆଉ ଆଖି ଖୋଲିଲେନି। ସେ ଏ ମାୟାର ଦୁନିଆକୁ ସବୁ ଦିନ ପାଇଁ ଛାଡି ଦେଇଥିଲେ। ତନୁ ଜେଜେବାପାଙ୍କ ଯିବା ଦୁଃଖ ଆଉ କଙ୍କାଳର ଭୟରେ ପୁରା ଭାଙ୍ଗି ପଡିଥାଏ। ଏବେ ତା ଛୁଆକୁ କିଏ ରକ୍ଷା କରିବେ ...ଜେଜେବାପାଙ୍କୁ ବହୁତ ମନେ ପକାଉ ଥାଏ।
ଅନ୍ତିମ କର୍ମ ଜେଜେବାପାଙ୍କର ଚାଳିଥାଏ। ଦଶ ଦିନ ରାତିରେ ରୋଷେଇ ଘରେ ଖାଇବା ବାଢୁ ଥାଏ ତନୁ । ହଠାତ୍ ସେ ପୁଣି କଙ୍କାଳକୁ ତା ଆଡକୁ ଆସୁଥିବା ଦେଖିଲା। ଏବେ ସେ ପୁରା ଡରି ଯାଇଛି। ଜେଜେବାପା ବି ଆଉ ନାହାଁନ୍ତି ତାକୁ ରକ୍ଷା କରିବା ପାଇଁ। ସେ ଚିତ୍କାର କରି ଅଚେତ ହୋଇଗଲା।
ତନୁର ପାଟି ଶୁଣି ସବୁ ତା ପାଖକୁ ଦଉଡ଼ି ଗଲେ। ସମସ୍ତେ ଭାବିଲେ ଆଉ ଥରେ ବୋଧେ ସେ କଙ୍କାଳ ତା କାମ କରିଗଲା। ପାଖକୁ ଯାଇ ଦେଖିଲେ ତନୁ ଆଉ ଛୁଆ ଠିକ ଅଛନ୍ତି କିନ୍ତୁ ତନୁ ଅଚେତ ଅବସ୍ଥାରେ ତଳେ ବସିଛି। ଆଉ ରୋଷେଇ ଘର ଝରକା ବାହାରେ ପାଉଁଶ ଗଦା ହୋଇଛି।
ତନୁ ଉପରେ ପାଣି ଆଣି ପକାଇବାରୁ ସେ ଉଠିଲା। ଆଉ ଯାହା କହିଲା ତାହା କାହାରି ବି ବିଶ୍ୱାସ ହେବନି। କହିଲା ଯେମିତି କଙ୍କାଳ ତା ଆଡକୁ ଆସିଲା, ଜେଜେବାପା ବି ତାର ଆଉ କଙ୍କାଳ ମଝିରେ ଆସିଲେ। ଗୋଟିଏ ହାତରେ କଙ୍କାଳକୁ ଅଟକେଇଲେ ଆଉ ଗୋଟିଏ ହାତରେ ତାକୁ ଧରି କି ତଳେ ବସାଇଲେ। ତାପରେ କଙ୍କାଳକୁ ଜାକି ଧରିଲେ ଆଉ କଙ୍କାଳ ଜଳି ଯାଇ ପାଉଁଶ ହୋଇଗଲା ଏହା ଦେଖି ସେ ଚିତ୍କାର କରି ଅଚେତ ହୋଇଗଲା।
ସମସ୍ତେ ଜେଜେବାପାଙ୍କୁ ମନେ ମନେ ଧନ୍ୟବାଦ କଲେ ,ମରିଗଲା ପରେ ବି ଜେଜେବାପା ତାଙ୍କ କଥା ରଖିଲେ। ସେ କଙ୍କାଳ ଠାରୁ ସେମାନଙ୍କୁ ସବୁ ଦିନ ପାଇଁ ମୁକ୍ତି ଦେଲେ। ଏ ଘଟଣାର ମାସେ ପରେ ତନୁର ଗୋଟିଏ ଗୁଲଗୁଲିଆ ପୁଅ ହେଲା..... ସମସ୍ତେ କହିଲେ ହରିବାବୁ ଫେରି ଆସିଲେ ନାତି ଆଉ ନାତୁଣୀ ବୋହୂ ପାଖକୁ।