ଜାତି (ଅନୁଗଳ୍ପ )
ଜାତି (ଅନୁଗଳ୍ପ )


ମୋନାଲିସା ମୋ ଜୀବନରେ ଆସିବା ଦିନଠୁ ମୋ ଜୀବନରେ ଭରି ଯାଇଥିଲା ଇନ୍ଦ୍ରଧନୁର ସାତରଙ୍ଗ l ମନପକ୍ଷୀ ଦେହରେ ମାଖିଥିଲା ନିଆରା ପ୍ରେମ ରଙ୍ଗ l ସପନ ବି ଲାଗୁଥିଲା ଜୀବନ୍ତ ଜୀବନ୍ତ l ଆଉ ବାସ୍ତବତା ବି ଲାଗୁଥିଲା ସୁନେଲି ସପନ ପରି l
ସେ ଖାଲି ମୋ ମନ କିଣି ନ ଥିଲା l ସେ ତ ପାଲଟି ଯାଇଥିଲା ମୋ ଜୀବନ l ମୋ ଯାଯାବର ଜୀବନର ଆରମ୍ଭ ଓ ଶେଷ ଥିଲା ସେ l
ଆସନ୍ତା ଫଗୁଣରେ ପଡ଼ିଥାଆନ୍ତା ଆମ ବିବାହର ସମ୍ପର୍କ ଗଣ୍ଠି l ସେ ରାଣ ଖାଇ କହିଥିଲା ମୋତେ ସେ ରାଜା କରିବ ଆଉ ଆଉ ମୋ ସୁନା କନିଆ ହୋଇ ମୋ ଘର ଅଗଣାରେ ଜାଳିବ ନିତି ସଞ୍ଜବତୀ l
ହେଲେ କେଉଁ ଜନ୍ମର ପାପ କେଜାଣି ଆସି ମୋ ଜୀବନରେ ଆଣିଲା ଅଦିନ ଚଡ଼କ l ସେଦିନ ସନ୍ଧ୍ୟାରେ ପୁନେଇଁ ଜହ୍ନକୁ ଦେଖି ଦେଖି ମୋ ମୋନାଲିସା ପାଇଁ କବିତା ଟିଏ ଲେଖୁଥିଲି କଲମ ମୁନଟିକୁ ପାଟିରେ ଧରି l ମନ ଗାଉଥିଲା ପ୍ରେମଗୀତି l
ମୋନାଲିସାର ଫୋନ ଆସିଲା l ମୁଁ ଚମକି ପଡିଲି ଆଉ ଖୁସିରେ ଫୋନ ଉଠାଇଲି l
ହେଲୋ, ସୁରଜ l ଆମେ ବାହା ହୋଇ ପାରିବନି ସୁରଜ l କାରଣ ତୁମ ଜାତି ଆଉ ଆମ ଜାତି ଭିତରେ ଆକାଶ ପାତାଳ ତଫାତ l ଆମେ ଯଦି ବାହାହେବା ମୋ ମାଆ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିବ l
ମୋନାଲିସାର ସ୍ୱର ଟିକେ ଅଲଗା ଅଲଗା ଲାଗୁଥିଲା l
ବୋଧେ ସେ କାନ୍ଦି କାନ୍ଦି କହୁଥିଲା l
ମୋତେ ମୋନାଲିସାର କଥା ଆଉ କିଛି ଶୁଭୁ ନ ଥିଲା l ଚାରିଆଡ ଖାଲି ଅନ୍ଧକାର l
ଖାଲି ମୋ ଆଖିରେ ମୋ ମୋନାଲିସାର ନିରୀହ ଚେହେରା ନାଚି ଯାଉଥିଲା l