puspanjali das

Tragedy

3  

puspanjali das

Tragedy

ଜାମୁକୋଳି

ଜାମୁକୋଳି

7 mins
109


ଜାମୁକୋଳି#

*********

ପୁଷ୍ପାଞ୍ଜଳି ଦାସ


     ଦୀର୍ଘ ଦଶ ବର୍ଷ ପରେ ଦୀପା ସେଦିନ ତା'ଜନ୍ମ ଭୂଇଁ କୁ ଫେରୁଥିଲା।ଏଇ ଗୋଟିଏ ଦଶନ୍ଧି ଭିତରେ ତା'ଜୀବନ ସହିତ ତା'ଭାଇ ଭଉଣୀ ସମସ୍ତ ଙ୍କ ଜୀବନ ଶୈଳୀ ରେ ଅନେକ ପରିବର୍ତ୍ତନ ହୋଇ ଯାଇଥିଲା। ବାପା ,ବୋଉ ଦୁଇଜଣ ଙ୍କ ଦେହାନ୍ତ ପରେ ଗାଁ ସହିତ ତାର ସମ୍ପର୍କ ଯଦିଓ ଏକ ପ୍ରକାର ଶେଷ ହୋଇଯିବାକୁ ବସିଥିଲା,ହେଲେ ସାନବୋଉ(ଖୁଡି)ର ଉପସ୍ଥିତି ଯେମିତି ସେ ଡୋର ଟିକୁ ବାନ୍ଧି କି ରଖିଥିଲା!ଅବଶ୍ୟ ବଡ଼ ଭାଇ ଙ୍କ ପାଖରେ ଗାଁ ଛାଡି ଅନେକ ଦିନ ତାକୁ ରହିବାକୁ ପଡୁଥିଲା,ହେଲେ,ଗାଁ ର ସେଇ ଘର ଟିର ଯତ୍ନ ନେବାକୁ ସିଏ ଭୁଲୁ ନଥିଲା!ପରିବେଶ ଓ ପରିସ୍ଥିତି, ସବୁକିଛି ନୂଆ ନୂଆ ଲାଗୁଥିଲା ତାକୁ, ହେଲେ,ଜନ୍ମ ଭୂଇଁ ଟି ପାଖେଇ ଆସିଲାରୁ,ତାର ମହକ ଟା କେମିତି କେଜାଣି ଅନେକ ସ୍ମୃତି କୁ ଗୋଟାଇ ଆଣୁଥିଲା!

     ଗାଡ଼ିରେ ବସି ବସି ସେଦିନ ଦୀପା ଅନେକ ବର୍ଷ ତଳକୁ ଯେମିତି ଚାଲି ଯାଉଥିଲା!ପିଲାଦିନ ର ଫ୍ରକ ପିନ୍ଧା ଦିନ ଗୁଡିକ ଗୋଟି ଗୋଟି ହୋଇ ମନେପଡି ଯାଉଥିଲା।ବାଡ଼ି ପଟ ର ଛୋଟିଆ ଗଡ଼ିଆ ଓ ତା'ପାଖରେ ଥିବା ଆମ୍ବ, ବରକୋଳି ଓ ଜାମୁକୋଳି ଗଛ ର ସ୍ମୃତି ତକ ଯେମିତି ଚେଇଁ ଉଠୁଥିଲା!ସେଇ ଜାମୁକୋଳି ଗଛ ଟି ନ କଟା ହେବା ପାଇଁ କେତେ କାନ୍ଦିଥିଲା ସେଦିନ, ଯୋଉଦିନ ବାପାଙ୍କ ସମ୍ପର୍କୀୟ ଜଣ ଙ୍କ କଥାରେ ସେ ଗଛ ଟି କାଟିବା ପାଇଁ ପ୍ରାୟ ସମସ୍ତେ ନିଶ୍ଚିତ କରିସାରିଥିଲେ!ଜାମୁକୋଳି ଗଛ ଘର ପାଇଁ ଶୁଭ ନୁହେଁ କହି ସେଦିନ ପରିବାର ର ସମସ୍ତ ଙ୍କ ର ମୁହଁ ଶୁଖାଇ ଦେଇଥିଲେ,ହେଲେ ତା'କାନ୍ଦ ଦେଖି ବାପାଙ୍କ ର ନିଷ୍ପତ୍ତି କିନ୍ତୁ ବଦଳି ଯାଇଥିଲା!ଗଛ ଟି କୁ ତା'ଜାଗାରେ ରହିବାକୁ ଦେଇ ,ସମସ୍ତ ଙ୍କ ଅନ୍ଧବିଶ୍ୱାସ କୁ ବାପା ଯେମିତି ହରାଇ ଦେଇ,ତା'ମୁହଁରେ ବଡ଼ ହସ ଟିଏ ଖେଳାଇ ଦେଇଥିଲେ।କେତେ ଖରାବେଳ ସେଇ ଗଛ ଉପରେ ଚଢ଼ି ,ତା'ପିଲାଦିନ ର ସାଙ୍ଗ ମାନଙ୍କ ସାଙ୍ଗରେ ଜାମୁକୋଳି ସେ ତୋଳିଥିବ,ତା'ର ହୁଏତ ହିସାବ ରଖିନି,ହେଲେ କେବେ ଗଛରୁ ପଡି ହାତଗୋଡ ଛିଣ୍ଡାଇ ,ବୋଉ ଠାରୁ ମାଡ ଗାଳି ଖାଇ,କାନ୍ଦି କାନ୍ଦି ଶୋଇପଡିଥିଲା,ସେକଥା ମନରୁ ଯାଇନି।ସେ ଗାଁ ଟା ଯାକରେ ସେମିତି ସୁଆଦିଆ ଜାମୁକୋଳି କୋଉ ଗଛରେ ହୁଏନିବୋଲି ସମସ୍ତେ ଅବଶ୍ୟ ସ୍ୱୀକାର କରନ୍ତି,ହେଲେ,ଖରାବେଳେ ସେ ଗଛ ପାଖକୁ ଯିବାକୁ ସବୁ ଛୁଆଙ୍କୁ ମନା କରନ୍ତି।ଏବେ ଭାବିଲେ ହସ ଲାଗେ ତାକୁ,ସତରେ କ'ଣ ଡାହାଣୀ ସେଇଠି ଖରାବେଳେ ଆସିଯାନ୍ତି!!ସେମାନେ ତ କାହାକଥା ଟିକିଏ ବି ଶୁଣୁ ନ ଥିଲେ, ଯଦିଓ ଡାହାଣୀ କଥା ଟାରେ ଟିକେ ଡରିଯାଉ ଥିଲେ!ଆମ୍ବ ଗଛମୂଳେ କିନ୍ତୁ ସବୁ ଡରକୁ ପଛରେ ପକାଇ,ଖରାଦିନ ର ସାଙ୍ଗ ମେଳି ଟା ନିତି ହେଇଯାଉଥିଲା!ଘର ର ସମସ୍ତ ଙ୍କୁ ଲୁଚେଇ ଲୁଚେଇ କଞ୍ଚା ଆମ୍ବ ଖଣ୍ଡକୁ ଲୁଣ ସାଙ୍ଗରେ ଲଗାଇ ,ଟାକରା ଫୁଟାଇ ଖାଇବା ଟା ରାତିରେ ପେଟ କାଟିଲାବେଳେ,ବୋଉ ପାଖରେ କିନ୍ତୁ ଧରା ପଡିଯାଉଥିଲା!ସବୁକଥା ଗୁଡିକ ଯେମିତି ଗୋଟିଏ ପରେ ଗୋଟିଏ ହୋଇ ଧସେଇ ପସି ଆସୁଥିଲେ ତା'ମନ ଭିତରକୁ!

     ହଠାତ ଗାଡିଟି ଜୋରରେ ବ୍ରେକ ମାରିକି ରହିଯିବାରୁ ଦୀପା ତା'ଭାବନା ରାଜ୍ୟ ରୁ ବାହାରି ଆସିଥିଲା।ଡ୍ରାଇଭର ତା'ର ଗାଡିଟି ଅଟକାଇ ତଳକୁ ଓହ୍ଲାଇ ପଡିଥିଲା,ଗାଡିର ଇଂଜିନ୍ ଗରମ ହୋଇଯାଇଛି ବୋଲି କହି,କିଛି ସମୟ ରହି ପାଣି ବୋତଲରୁ କାଢି ଇଂଜିନ କୁ ଥଣ୍ଡା କରିବା କୁ ବସିଥିଲା।ଦୀପା ମଧ୍ୟ ତଳକୁ ଓହ୍ଲାଇ ପଡି ରାସ୍ତାରେ ପଡିଥିବା ବଡ଼ ପଥର ଟି ଉପରେ ବସି ପଡିଥିଲା।ଗାଁ ତାର ଆଉ ଅଳ୍ପ ବାଟ ଥିବାରୁ ,ମନଟା ତା'ର ଖୁଡି ପାଖକୁ ଚାଲିଯାଉଥିଲା।ଆଖପାଖର ଗଛ ଗୁଡିକ ଦେଖୁ ଦେଖୁ ସାମାନ୍ୟ ଅନ୍ୟମନସ୍କ ହୋଇ ଯାଇଥିଲା।ତା'ଲୁଗାକାନି କୁ କିଏ ଟାଣିବାପରି ଅନୁଭବ କରି ଚମକିପଡି ଦେଖିଥିଲା ଯେ ,ସାତ ଆଠ ବର୍ଷ ର ଝିଅ ଟିଏ,ଆଶାୟୀ ଆଖିରେ ତା'କୁ ଚାହିଁ କିଛି କହିବାକୁ ଯେମିତି ଚେଷ୍ଟା କରୁଛି।ହାତରେ ଛୋଟ ପଲିଥିନ ଟିରେ ଜାମୁକୋଳି ର ପୁଡ଼ିଆଟିଏ ଦେଖି କିଛିଟା ଅନୁମାନ କରୁ କରୁ ଓ ଝିଅ ଟି କିଛି କହିବା ପୂର୍ବରୁ ସୁକାନ୍ତ ଙ୍କ ର କଥା ତା'କାନ ରେ ପଡିଯାଇଥିଲା-ସେ ଜାମୁକୋଳି କିଛି ରଖିବନି ଦୀପା, ଏବେ ଯୋଉ ପରିସ୍ଥିତି, ପ୍ଲିଜ ସେସବୁ ଖାଇବାକୁ ଇଛା କରନାହିଁ।ଏତେ ଛୋଟ ଝିଅ ଟିଏ ଯେ ଏମିତି ନିଛାଟିଆ ରାସ୍ତା ରେ ଜାମୁକୋଳି ବିକୁଥିବ,ଏକଥା ଯେମିତି ଦୀପା ସହଜରେ ଗ୍ରହଣ କରି ପାରୁନଥିଲା!ହେଲେ,ସେ ଝିଅ ଟିର ହାତର ଜାମୁକୋଳି ପୁଡ଼ିଆ ଟି ଓ ତା'ଚାହାଣି ଯେମିତି ସବୁକିଛି କହିଦେଉଥିଲା!

    ସୁକାନ୍ତ ଙ୍କ କଥାରେ ତାଳ ଦେଇ ,ଡ୍ରାଇଭର ମଧ୍ୟ ଝିଅଟିକୁ ବିଗିଡିବା ଆରମ୍ଭ କରିଦେଇଥିଲା-ଯା, ପଳା, କେହି କୋଳି କିଣିବେନି।ଦୀପା କିନ୍ତୁ ସେମାନଙ୍କ କଥା କୁ ଆଡେଇ ଦେଇ,ଥରେ ସେ ଝିଅ ଟିର ମୁହଁ କୁ ଓ ତା'ହାତରେ ଥିବା ଜାମୁକୋଳି ପୁଡ଼ିଆ ଟିକୁ ଚାହିଁ ଦେଇ ପଚାରିପକାଇଲା-ତୁ ଜାମୁକୋଳି ବିକୁଛୁ?କେତେ ଟଙ୍କାର ଏତକ?ଝିଅଟି ଏଥର ଟିକେ ସାହସ ପାଇଯାଇ ସଙ୍ଗେ ସଙ୍ଗେ କହିପକାଇଲା-ହଁ ମା,ମିଠା ଖଜୁରକୋଳି ଆଉ ମିଠା ଆମ୍ବ ବି ଅଛି ମୋ ପାଖରେ, ତମେ ନବ?ଦୀପା ର କୌତୁହଳ ବଢିଯାଇଥିଲା, ଏଡ଼େ ବକଟେ ଝିଅ ଏତେ ଜିନିଷ ବିକୁଛି ଶୁଣି,କହିପକେଇଲା-ଆରେ,ଏ ପୁଡ଼ିଆ ଟିରେ ତ ଖାଲି ଜାମୁକୋଳି ଅଛି,ଖଜୁରକୋଳି ,ଆମ୍ବ କାହିଁ?ଝିଅଟି ସଙ୍ଗେ ସଙ୍ଗେ କିଛି ଦୂରରେ ଥିବା ବରଗଛ ଟି ଆଡକୁ ହାତ ଦେଖାଇ କହିପକାଇଲା-ସେଇଠି ମା,ସବୁ ଅଛି,ତମେ ନେଲେ,ମୁଁ ନେଇଆସିବି।

        ଦୀପା ର ଆଖି ଯେତେବେଳେ ଲମ୍ବିଯାଇଥିଲା ସେ ଗଛ ଟି ପାଖକୁ ,ସେ ଗଛମୂଳରେ କଣ ସବୁ ଗୋଟିଏ ଗାମୁଛା ରେ ଥୁଆ ହୋଇଥିବାର ଦେଖିପାରିଥିଲା।ସେ ଝିଅ ଟି କିଛି କହିବା ପୂର୍ବରୁ ଦୀପା ର ପାଦ ସେଇ ଆଡକୁ ଆଗେଇ ଯାଇଥିଲା।ତା'କୁ ଯିବାର ଦେଖି ସେ ଝିଅ ଟି ମଧ୍ୟ ତା'ସଙ୍ଗରେ ଗପି ଗପି ଚାଲିଲା-ମା,ବହୁତ ମିଠା ଜାମୁକୋଳି, ମିଠା ମିଠା ଆମ୍ବ,ଆଉ ପୁରା ଗଛପାଚିଲା ଖଜୁରକୋଳି,ଖାଇଲେ ଜାଣିପାରିବ।ସବୁ ଶୁଣୁ ଶୁଣୁ ଦୀପା ସେ ଗଛ ଟି ପାଖରେ ପହଞ୍ଚି ଯାଇଥିଲା, ଆଉ ତଳେ ପରାହୋଇଥିବା ଗାମୁଛା ଟିକୁ ଦେଖି କ୍ଷଣେ ରହିଯାଇଥିଲା।ଆଖି ତା'ର ଲାଖିଯାଇଥିଲା,ଜାମୁକୋଳି, ଖଜୁରକୋଳି ଓ ଆମ୍ବ କୁ ମିଶାଇ ଅପୂର୍ବ ଚିତ୍ର ଟିଏ ଯେମିତି ସେ ଝିଅ ଟିର କଳାକାର ଗୁଣ ଟିର ଝଲକ ଦେଉଥିଲା!ସତରେ,କେଡେ ସୁନ୍ଦର କରି ଛୋଟିଆ ଆମ୍ବ ଟିକୁ ମଝିରେ ରଖି,ତା'ଚାରିକଡେ ଖଜୁରକୋଳି ଗୁଡିକୁ ସଜାଇ ଦେଇ,ତା'ଚାରିପଟେ ଗୋଟି ଗୋଟି କରି ଜାମୁକୋଳି କୁ ସଜାଇଦେଇ ନିଜର କଳା କୃତି ର ପ୍ରକାଶ କରିଥିଲା!ପାଖରେ ଛୋଟ ଡାଲା ଟିରେ ସଦାବିହାରି ଫୁଲ କେତୋଟି ର ରଙ୍ଗୋଲିଟିି ମଧ୍ୟ ଖୁବ୍ ମନଲୋଭା ଥିଲା!ଯଦିଓ ପାଖରେ ଆଉ ଗୋଟିଏ ଛୋଟ ଡାଲା ରେ ଜାମୁକୋଳି ସାଙ୍ଗରେ ଅଳ୍ପ ଖଜୁରକୋଳି ଓ ଚାରି ପାଞ୍ଚ ଟି ଛୋଟ ଛୋଟ ପାଚିଲା ଆମ୍ବ ମଧ୍ୟ ରହିଥିଲା,ହେଲେ ଦୀପା ର ଆଖି ସେ ସଜା ହୋଇଥିବା ଫଳ ଫୁଲ ଗୁଡିକ ଉପରୁ ଉଠିପାରୁ ନଥିଲା!ତା'ର ନୀରବତା ରେ ଝିଅ ଟି ବ୍ୟସ୍ତ ହୋଇପଡି କାନ୍ଦ କାନ୍ଦ ହୋଇ କହିପକାଇଲା-ମା,ଆଜି ଏତେବେଳେ ଯାଏ କିଛି ବିକିରି ହେଇନି।ଏ ବାଟେ ତ ବହୁତ କମ ଲୋକ ଯାଆନ୍ତି,କାଲି ତ ଶନିବାର,ସବୁ ବନ୍ଦ ହୋଇଯିବା ସରକାର ଙ୍କ ଅଡ଼ର ରେ ଶନିବାର ,ରବିବାର ଘରୁ ବାହାରି ପାରିବୁନି।ଆଜି ଯାହା ବିକିରି କରିକି ନେଲେ,ମୋ ରୋଗୀଣା ବାପା ଓ ଛୋଟ ଭାଇ ଟା ଖାଇବେ।ତୁମକୁ ଶସ୍ତାରେ ଦେଇଦେବି ମା,ଯାହା ପଇସା ଦେବ ନେବି।

   ଝିଅଟି ର କଥାରେ ଦୀପା ପ୍ରକୃତିସ୍ଥ ହୋଇଯାଇଥିଲା।ତା'ମୁହଁ କୁ ଅନାଇ କହିପକାଇଲା-ତୋ ଘର କୋଉ ଗାଁ?ଏଇ ପାଖରେ?ଘରେ ତୋ ବାପା ଓ ଛୋଟ ଭାଇ ପାଇଁ ତୁ କେତେଦିନ ହେବ ଏମିତି ବିକୁଛୁ?ଝିଅଟି ର ମୁହଁକୁ ଯେମିତି ନିରାଶା ଛୁଇଁ ଯାଇଥିଲା,ବିକଳ ହୋଇ କହିପକାଇଲା, ହଁ ମା,ତମେ କେତେ ନବ କହିଲ, ଯାହା ପଇସା ଦେବ,ମୁଁ ନେବି।ବିକିରି କରିବା ଛଡା,ଘର ଠିକଣା କି ଅନ୍ୟ କିଛି କହିବାକୁ ଯେମିତି ତା'ପାଖରେ ଟିକେ ବି ବେଳ କି ଇଛା ନଥିଲା!ଦୀପା ସେକଥା ବୁଝିପାରିଥିଲେ ମଧ୍ୟ, ତାକୁ ଅନାଇ ପଚାରିଦେଲା-ଏଗୁଡିକ ତୁ ସଜେଇଛୁ?ଏ ଫୁଲ ତ କେହି କିଣୁ ନ ଥିବେ!

      ଏଥର ଝିଅ ଟି ଟିକେ ଅଟକି ଯାଇ କହିଲା-ନାଇଁ ମା,ଏ ଫୁଲ ଏଠି କେହି ପୂଜା କରନ୍ତିନି।ମୋ ମା ଥିଲାବେଳେ କିନ୍ତୁ ପୁଜୁଥିଲା ଏଇ ଫୁଲ ରେ,ଅନ୍ୟ ଫୁଲ ବିକିରି କରୁଥିଲା।ମୁଁ ତା'ଫୁଲ ତକ ଏମିତି ସଜେଇକି ରଖିଦେଉଥିଲି ଯେ ,ସବୁଯାକ ସାଙ୍ଗେ ସାଙ୍ଗେ ବିକିରି ହୋଇଯାଉଥିଲା।ସେତେବେଳେ ମୁଁ ସ୍କୁଲ ବି ଯାଉଥିଲି,ଆଉ ବାପା ତା'ଚାକିରୀ କୁ।ଆଉ ଏବେ...ଏତକ କହି ଟିକେ ରହିଯାଇଥିଲା।ଦୀପା ର ଆଖି ସେ ଝିଅ ଟି ଉପରେ ଲାଖି ରହିଯାଇଥିଲା, ଏକ ଲୟ ରେ ତା'ସରଳ ମୁହଁ ଟିକୁ ଦେଖି ଚାଲିଥିଲା,ଆଉ ପଚାରିଦେଲା-ଏବେ ତୋ ମା କୁଆଡେ ଗଲା?ଏତିକିରେ ଝିଅଟିର ଆଖି ଛଳ ଛଳ ହୋଇଗଲା।ଆଖିରେ ଆଖିଏ ଲୁହ ନେଇ କହିଚାଲିଲା--କୁଆଡେ ଆଉ ଯିବ?ଆମେ କଣ ଆଗରୁ ଏଇଠି ଥିଲୁ କି ମା!ଏଇ ରୋଗ ଯୋଉ ଚାରିଆଡେ ଘୋଟିଛି, ତା'ରି ଯୋଗୁରୁ ମୋ ବାପା ର ଚାକିରି ଗଲା,ଆମେ ଆମ ଏଇ ଗାଁ କୁ ଚାଲି ଚାଲି ଆସୁ ଆସୁ ମା'ମୋର ବାଟରେ ପଡି ମରିଗଲା,ମୋ ବାପା ଛୋଟ ଭାଇ କୁ କାଖେଇ ମତେ ଧରିକି କେତେ କଷ୍ଟ ରେ ଏଠିକି ଅଇଲା।ଏଠିତ କିଛି ଖାଇବା କୁ ମିଳୁନି।ଅଇଲା ଦିନ ଠୁ ବାପା ବିଛଣା ରେ,ଉଠିପାରୁନି।କେତେ ମାଗିକି ଖାଇବୁ?ଅଳପ ଦିନ ହେବ ସେ ମଉଷା ସାଙ୍ଗରେ ମୁଁ ପାଖ ତୋଟା ରୁ କିଛି ଆମ୍ବ,ଖଜୁରକୋଳି ଗୋଟେଇକି..କହିଦେଇ ଜିଭ ଟିକେ କାମୁଡ଼ିଦେଇ ସଙ୍ଗେ ସଙ୍ଗେ କହିପକାଇଲା, ସେଠି ଗୋଟିଏ ଜାମୁକୋଳି ଗଛ ଶୋଇପଡିଛି ଯେ,ତା'ରି କୋଳି ସବୁ ତୋଳିକି ଆଣି ବିକୁଛି।କିଏ ନେଲେ ନଉଛି, ନହେଲେ ସେମିତି ଫେରେଇ ନେଇ ଆମେ ଖାଇକି ରହିଯାଉଛୁ।ମୋ ଭାଇଟା ଭୋକ ଜମା ସମ୍ଭାଳି ପାରେନି ମା!ଦୀପା କୁ ଲାଗୁଥିଲା,ସତେଯେମିତି ସାତ ଆଠ ବର୍ଷ ର ଝିଅ ଟି ଗୋଟିଏ କର୍ତ୍ତବ୍ୟ ପରାୟଣା ପୂର୍ଣ୍ଣାଙ୍ଗ ନାରୀ ଟିଏ ପାଲଟି ଯାଇଛି!!ଏତିକି ବୟସରେ ସମୟ ତାକୁ କେତେ କଥା ସତେ ଶିଖାଇଦେଇଛି!!

       ଝିଅ ଟିକୁ ତା'ଘର ଠିକଣା ପଚାରି, ଦୀପା ,ସୁକାନ୍ତ ଓ ଡ୍ରାଇଭର ର ଅନିଚ୍ଛା ସତ୍ତ୍ୱେ ସେ ଝିଅ ଟିକୁ ତା'ଗାଡି ରେ ବସାଇ ନେଇ ଯାଇଥିଲା।ଯଦିଓ ସବୁଯାକ ତା'ର କୋଳି,ଆମ୍ବ ଓ ଖଜୁରକୋଳି କିଣିବାର ପ୍ରତିଶ୍ରୁତି ଦେଇଥିଲା,ହେଲେ,ଝିଅଟିର ବିଶ୍ୱାସ ଯେମିତି ସେତେପର୍ଯ୍ୟନ୍ତ ଜିତି ପାରିନଥିଲା।କାକୁସ୍ତ ହୋଇ ଝିଅ ଟି ତା'ର ଡାଲା ଟି ଧରି,ଗାଡି ର ଗୋଟିଏ କୋଣ ରେ ଜାକିଜୁକି ହୋଇ ବସିରହିଥିଲା।ଏତେ କଥା କହୁଥିବା ଝିଅଟି ବାଟସାରା ପୁରାପୁରି ଚୁପ୍ ହୋଇଯାଇଥିଲା।କେବଳ ଥର କୁ ଥର ଝରକା ବାଟରେ ଟିକେ ମୁହଁ ଉଠେଇ ଦେଖି ପକାଉଥିଲା,ହୁଏତ ଠିକ ବାଟରେ ଯାଉଛି କି ନାହିଁ ର ପରଖ କରୁଥିଲା।ପ୍ରଥମ ଥର ଏମିତି ଗାଡି ରେ ବସିବାର କୁଣ୍ଠା ଓ ଡର ଭିତରୁ ଯେମିତି ବହାରିପାରୁନଥିଲା!ଗାଡିଟି ଯେତେବେଳେ ଯାଇ ଦୀପା ର ଘର ପାଖରେ ରହିଯାଇଥିଲା, ତର ତର ହୋଇ ଓହ୍ଲାଇ ପଡି,ଝିଅ ଟିକୁ ଟିକେ ଅପେକ୍ଷା କରିବାକୁ କହି ଭିତରକୁ ଚାଲିଯାଇଥିଲା ଓ ହାତରେ ଡାଲା ଟିଏ ଧରି ଫେରିଆସି, ଝିଅଟିର ସବୁଯାକ ଜାମୁକୋଳି,ଆମ୍ବ,ଖଜୁରକୋଳି ଢାଳି ଦେଇ ଘର ଭିତରକୁ ନେଇଯାଇ ସଙ୍ଗେ ସଙ୍ଗେ ଫେରିଆସିଥିଲା।ଖୁଡି କୁ କୋଳେଇ ନେଇ ,ତା'ଜିଜ୍ଞାସା ପୂର୍ଣ୍ଣ ଚାହାଣୀକୁ ଆଡେଇ ଦେଇ ,ଆସିଲେ କହିବି କହି,ଡ୍ରାଇଭର କୁ ଝିଅ ଟିର ଘର ଠିକଣା ରେ ଯିବାକୁ କହିଦେଇ ,ଗାଡି ରେ ବସିପଡିଥିଲା।ଅନିଛାସତ୍ତ୍ୱେ ଯଦିଓ ସୁକାନ୍ତ ଗାଡ଼ିରେ ଦୀପା ସାଙ୍ଗରେ ବସି ରହିଥିଲେ,ହେଲେ,ବ୍ୟସ୍ତ ଓ ବିବ୍ରତ ହୋଇ ପଡୁଥିଲେ।ବାହାଘର ପରଠୁ ଦୀପା ର ଏମିତି କିଛି ଜିଦ୍ଦି ଯୋଗୁଁ ତାଙ୍କୁ ଅବଶ୍ୟ ବେଳେ ବେଳେ ଏମିତି ଅସ୍ୱାଭାବିକ ପରିସ୍ଥିତି କୁ ସମ୍ଭାଳିବାକୁ ପଡୁଥିଲା !।ଦୀପା ର କିନ୍ତୁ ସେସବୁ ପ୍ରତି ସେତେବେଳେ ଟିକିଏ ବି ଦୃଷ୍ଟି ନ ଥିଲା।

         ଝିଅ ଟି ହାତରେ ୫୦୦ ଟଙ୍କିଆ ନୋଟ ଟିଏ ଧରାଇ ଦେଇ ,ତା'ପାଖରେ ବସୁ ବସୁ କେତେବେଳେ ତା'ହାତ ଟି ଝିଅଟିର କୋଳ ରେ ପଡିଯାଇଥିଲା ଜାଣିପାରିନଥିଲା!ହଠାତ ଯେତେବେଳେ ଝିଅ ଟି ମୁହଁ ରେ ତା'ଆଖି ପଡିଯାଇଥିଲା, ସେଠି କେବଳ ଅତ୍ମୀୟତା ର ସ୍ପର୍ଶ ଦେଖି ପାରିଥିଲା।ଝିଅଟି ନିଜ ହାତରେ ଦୀପା ର ଅଜାଣତ ରେ ରଖିଥିବା ୪/୫ଟି ଜାମୁକୋଳି ତା'ହାତକୁ ବଢାଇଦେଇ ଧୀରେ କରି କହିପକାଇଲା-ମା,ଏତକ ତମ ପାଇଁ ବାଛି ବାଛି କି ପାଚିଲା କୋଳି ରଖିଛି,ଚାଖିବ?ଭାରି ମିଠା!ତା'କଥା ର ସରଳତା ଓ ଅତ୍ମୀୟତା ରେ ଦୀପା ଆଉ କିଛି ଭାବି ପାରିନଥିଲା, ସବୁ କଟକଣା ଯେମିତି ମିଳେଇ ଯାଇଥିଲା, ସାମାଜିକ ଦୂରତା,ପରିଷ୍କାର ପରିଛନ୍ନତା କୁ ଯେମିତି କ୍ଷଣ କ ପାଇଁ ଭୁଲି ଯାଇଥିଲା!ଝିଅ ଟି ହାତରୁ କୋଳିଗୁଡିକ ନେଇଆସି ,ପାଟିରେ ଗୋଟିଏ ପକାଇଦେଇଥିଲା।ବିଶ୍ୱାସ କରିପାରିନଥିଲା ଯେମିତି ,ପୁରା ତାଙ୍କର ବାଡ଼ି କୋଳି ର ସ୍ୱାଦ ଥିଲା!!ଏତେ ବର୍ଷ ପରେ ସେଇ ସ୍ୱାଦ ର ସ୍ପର୍ଶ ଯେମିତି ତା'ପୁରା ଶରୀର ରେ ସଂଚରି ଯାଇ ତାକୁ ଅହେତୁକ ଆନନ୍ଦ ଦେଇ ଦେଉଥିଲା!ବଡ଼ ଭାଇ ନୂଆ ଘର ଟିଏ କରିଲାବେଳେ ,ଗଛଟି ତାଙ୍କର ଯେତେବେଳେ କଟା ହୋଇ ଯାଇଥିଲା,ବୋଉ ର ଯଦିଓ ସାମାନ୍ୟ ମନ ଦୁଃଖ ହୋଇଥିଲା,ହେଲେ ଦୀପା ର ବାହାଘର ହୋଇଯାଇଥିବାରୁ,ନିଜକୁ ବୁଝାଇ ଦେଇଥିଲା।କିନ୍ତୁ ଦୀପା ଯେ ସେ କୋଳି ର ସୁଆଦ କୁ ଏବେବି ଝୁରି ହୁଏ ,ଆଉ ତା'ସାଙ୍ଗରେ ବୋଉ ର ସେଇ ବଛା ବଛା ପାଚିଲା ମିଠା କୋଳି ଗୁଡିକରେ ବୋଉ ର ହାତ ର ସ୍ପର୍ଶ କୁ ମଧ୍ୟ ଝୁରି ହେଉଥିଲା!!ଏତେ ବର୍ଷ ପରେ ସତେ ଯେମିତି ସେ ଝିଅ ଟି ର ହାତରେ ଥିବା ସେଇ କୋଳି କେଇଟା ରେ ବୋଉ ର ସ୍ପର୍ଶ କୁ ଅନୁଭବ କରୁଥିଲା ଓ ଆଖିବୁଜି ସେ ଅନୁଭବ କୁ ସାଇତି ରଖିବାକୁ ଚେଷ୍ଟା କରୁ କରୁ ବୋଉ ର ପଣତକାନି ର ବାସ୍ନା ସତେ ଯେମିତି ତା' ମାନପ୍ରାଣ କୁ ଛୁଇଁ ଯାଉଥିଲା!...

          ଝିଅ ଟିକୁ ତା'ଘରେ ଛାଡ଼ି,ଫେରିଲା ବାଟରେ ଦୀପା ର ଭାବନା ଟା ସେଇ କୁଡ଼ିଆ ଖଣ୍ଡକ ରେ ଯେମିତି ଅଟକି ଯାଇଥିଲା!କରୋନା ମହାମାରୀ ର ପ୍ରଭାଵ ରେ ଯେ ରୋଗ ଠାରୁ ବେଶୀ ତାର ଅନ୍ୟନୋପାୟ କଟକଣା ରେ ହଜାର ହଜାର ଲୋକ ଙ୍କ ଜୀବନ ଦୁର୍ବିସହ ହୋଇ ପଡୁଛି,କେତେ ପରିବାର ଯେ ସର୍ବସ୍ୱାନ୍ତ ହୋଇ ଦାଣ୍ଡ ର ଭିକାରୀ ସାଜି ଯାଉଛନ୍ତି,ଏକଥା ଭୁଲି ପାରୁନଥିଲା।ଯଦିଓ ନିକଟରେ ଥିବା ନୂଆ ଏନ ଜି ଓ ସଂସ୍ଥା ସହିତ ସମ୍ପର୍କ କରି ସେ ପରିବାର ଟିର ଯଥାସାଧ୍ୟ ସାହାଯ୍ୟ କରିବାକୁ ,ସମସ୍ତ ପ୍ରକାର ସୁବିଧା କରିଦେଇ ପାରିବ ବୋଲି ଆଶା ରଖିଥିଲା,ହେଲେ ମନ ର ବ୍ୟାକୁଳତା କୁ କାଢି ପାରୁନଥିଲା!!ସେ ଝିଅ ଟିର ଆଖିର ଚାହାଣି ତାକୁ ଯେମିତି ଛଟପଟ କରିଦେଉଥିଲା!ଘର ପାଖାପାଖି ହୋଇଯିବାରୁ ,ଖୁଡିକଥା ଟିକେ ମନ ଭିତରେ ପସି ଆସିଥିଲାବେଳେ ,ହାତରେ ଥିବା ସେ ଝିଅ ଟିର ଜାମୁକୋଳି କେଇଟା ରେ ଆଖି ପଡିଯିବାରୁ ,ସେତକ ପୁଣି ଥରେ ତାକୁ ଯେମିତି ତା'ପିଲାଦିନ ର ସ୍ମୃତି ପାଖକୁ ଟାଣି ନେଇଥିଲା!ସତେ ଯେମିତି ତାଙ୍କ ବାଡ଼ିର କଟା ହୋଇଯାଇଥିବା ଜାମୁକୋଳି ଗଛ ଟି ପୁଣି ସେଇ ପୁରୁଣା ଜାଗାରେ ଠିଆ ହୋଇ ଯାଉଥିଲା...



Rate this content
Log in

Similar oriya story from Tragedy