ଇହକାଳ ଓ ପରକାଳ ଦେବତା
ଇହକାଳ ଓ ପରକାଳ ଦେବତା
ଇହ କାଳ ଓ ପରକାଳ !
ଏ ଦୁଇଟି କେଉଁଠୁ ଆସିଲା। ଏ କାଳ କଥା କେଉଁ ସାର୍ କହି ନାହାଁନ୍ତି କି କେଉଁ ବ୍ୟାକରଣ ବହିରେ ତ ନାହିଁ !
ସ୍କୁଲରେ ପଢା ହେଉଥିଲା କାଳ ତିନି ପ୍ରକାର।
ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ। ମାଆ କିନ୍ତୁ ବ୍ୟବହାର କରୁଥିଲା କାଳ ଲଗାଇ ଆଉ ଦୁଇଟି ଶବ୍ଦ ଇହ କାଳ ଓ ପରକାଳ। ଏ ଦୁଇଟି କାଳ ସାର୍ ନ ପଢେଇ ଛାଡି ଦେଉଛନ୍ତି କି ? ଯାହା ମାଆ କହୁଛି ସାର୍ କେମିତି ଛାଡିଲେ ? ଚତୁର୍ଥ ଶ୍ରେଣୀ ଠିକ୍ ପଢ଼ ଠିକ୍ ଲେଖ ବହିରେ କାଳ ପଢି ସାରିଲା ପରେ ଏ ଇହ କାଳ ଓ ପରକାଳ ମୋତେ ଖୁବ୍ ହଇରାଣ କରିଛନ୍ତି।
ମଆ କୁହେ ମୋ ବାପା କୁଆଡେ ତାର ଇହକାଳ ଓ ପର କାଳର ଦେବତା!
ଉଁ ମଣିଷ କେମିତି ଦେବତା ହୁଅନ୍ତି ?
ମାଆ କୁହେ ରିଙ୍କୁରେ ବାପା ମାଆ ଜୀବନ୍ତ ଦେବତା।
ସେମାନେ କଥା କହି ପାରନ୍ତି ,ଡାକିଲେ ଓ କରନ୍ତି। ଠାକୁରଙ୍କ ଠାରୁ ବି ବଡ଼। ଯେଉଁମାନେ ବାପା ମାଆଙ୍କୁ ଠାକୁର ଭଳି ଭଲ ପାଆନ୍ତି, ପୂଜନ୍ତି ସେମାନେ ଜୀବନରେ କେଉଁଠି ହାରନ୍ତି ନାହିଁ।ଖୁସିରେ ରୁହନ୍ତି।
ଆଉ ବାପା କେମିତି ତୋର ଇହକାଳ ଓ ପର କାଳ ଦେବତା ? ମୋର କାହିଁକି ଇହକାଳ ଓ ପରକାଳ ଦେବତା ସେ ହେବେ ନାହିଁ !
ମାଆ ହସେ। ତୁ ପରା ତାଙ୍କ ପୁଅ। ମୁଁ ସିନା ତାଙ୍କୁ ବାହା ହୋଇଛି ସେ ମୋତେ ଶଙ୍ଖା ସିନ୍ଦୁର ଓ ମଙ୍ଗଳ ସୂତ୍ର ଦେଇଛନ୍ତି। ତୋ ବାପା ମୋ ସ୍ୱାମୀ ଆଉ ମୁଁ ତାଙ୍କ ସ୍ତ୍ରୀ। ଆମ ଦୁହିଁଙ୍କ ପୁଅ ତୁ। ତୁ ଯେତେବେଳେ ବାହା ହେବୁ ତୋ ସ୍ତ୍ରୀର ତୁ ବି ଇହକାଳ ଓ ପରକାଳ
ଦେବତା ହେବୁ।
ମୁଁ ବାହା ହେବି !
ହଁ ତୁ ଯେତେବେଳେ ବଡ଼ ହୋଇ ବାପାଙ୍କ ପରି ହୋଇଯିବୁ ତ ସେତେବେଳେ ବହାହେବୁ।
ସତରେ କି ମାଆ ! ବାପା ମୋ ପରି ଛୋଟ ଥିଲେ ?
ହଁ ଧନ ସମସ୍ତେ ଦିନେ ଛୋଟ ଥାଆନ୍ତି ।ଛୋଟରୁ ଆସ୍ତେ ଆସ୍ତେ ବଡ଼ ହୁଅନ୍ତି।ଏହାହିଁ ଆମ ଜୀବନର କଥା।
ମାଆ କହତ ଇହ କାଳ ଓ ପର କାଳ କଣ ? ସାର୍ ତ ଏ କାଳ ବିଷୟରେ ପଢେଇ ନାହାଁନ୍ତି ?
ଦେଖ ଧନ ତୁ ବଡ଼ ହୋଇଯା ସବୁ ବୁଝି ପାରିବୁ।ଇହକାଳ ହେଲା ଏଇ ପୃଥିବୀରେ ଆମେ ଯେତେ ଦିନ ବଞ୍ଚିବା। ପର କାଳ ହେଲା ମଲା ପରର ସମୟ।
ମଲାପରର ସମୟ ! ଲୋକେ ମରନ୍ତି କାହିଁକି ?
ସେ ଯେତିକି ଦିନ କାମ କରିବାକୁ ଆସିଥାନ୍ତି ସରିଯାଏ ତ ସେଥିପାଇଁ । ତୋର ଏ ବର୍ଷ ଚତୁର୍ଥ ହେଲା ନା ?
ହଁ । ଆର ବର୍ଷକୁ କେଉଁ ଶ୍ରେଣୀ ହେବ?
ପଞ୍ଚମ।
ଠିକ୍ ତୋର ଚତୁର୍ଥ ଶ୍ରେଣୀ କାମ ସାରିଗଲାରୁ ତୁ ପଞ୍ଚମକୁ ଯିବୁ ନା ? ଠିକ୍ ସେମିତି ଇହକାଳ ଅର୍ଥାତ ଏଇ ପୃଥିବୀରେ ପ୍ରତି ମଣିଷ କିଛି କାମ କରିବା ପାଇଁ ସମୟ ନେଇକି ଆସିଛନ୍ତି।ସେଇ ସମୟ ସରିଗଲେ ମଣିଷ ଫେରି ଯିବ।
ମାଆ ବୁଝେଇ ଦିଏ ମୁଁ ସବୁ ବୁଝିଗଲା ପରି ମୁଣ୍ଡ ଟୁଙ୍ଗାରେ କିନ୍ତୁ ମୋ ମନ ଲଟକିଥାଏ ଇହକାଳ ଓ ପରକାଳ ଶବ୍ଦ ପାଖେ ।
ସମୟ ଦୌଡୁଥିଲା।ମୁଁ ବଡ଼ ହେଉଥିଲି।ଦଶମ ଶ୍ରେଣୀରେ ପଢୁଥାଏ । କଣ ହେଲା କେଜାଣି ହଠାତ ମାଆ ଅସୁସ୍ଥ ହୋଇ ପଡ଼ିଲା।ସବୁବେଳେ ଡାକ୍ତରଖାନା ବାପା ନେଇ ଦୌଡ଼ିଲେ। ଶେଷରେ ମାଆ ୟୁଟର୍ସ କ୍ୟାନ୍ସର ଗୋଟେ କି ରୋଗ ସେଇଥିରେ ସବୁଦିନ ପାଇଁ ଆମକୁ ଛାଡି ଚାଲିଗଲା। ଡାକ୍ତର ଖାନାରେ ହିଁ ମରିଗଲା। ମାଆଙ୍କୁ ଶେଷ ସମୟରେ ଦେଖି ନାହିଁ।ମୋ ସାନ ଭଉଣୀ ରିଆଟି ଭାରି ମାଆକୁ ଝୁରି ହେଲା। ମୁଁ ବି ହେଉଥିଲି ।କିନ୍ତୁ ରିଆକୁ ବୁଝେଇବାକୁ ଯାଇ ମୁଁ କାନ୍ଦି ପାରୁ ନଥିଲି।
ମାଆ ଡାକ୍ତରଖାନାରୁ ଆସିଲା।ବାପା ତାକୁ ହଳଦୀ ଲଗେଇ ଦେଲେ।ସୁନ୍ଦର ଦେଲେ। ଅଳତା ପିନ୍ଧେଇଲେ।ନୂଆ ଶାଢୀରେ ନୂଆ ବୋହୁ ପରି ସଜେଇଦେଲେ। ଖଇ, ଚକୋଲେଟ୍ ଓ ପଇସା ପକେଇ ହରେକୃଷ୍ଣ ହରେ ରାମ ନାଁ ସଂକୀର୍ତ୍ତନ ଭିତରେ ମାଆ ମଶାଣୀକୁ ଗଲା ତା ପରକାଳ ଦେବତା ମୋ ବାପା କାନ୍ଧରେ।
ମାଆ ସବୁବେଳେ ଏଇ ଇଚ୍ଛା ଟା କରୁଥିଲା ତା ଇହକାଳ ଓ ପରକାଳ ଦେବତା କାନ୍ଧରେ ମଶାଣୀକୁ ଯିବ । ତାର ବି କଣ ଏ ପୃଥିବୀରୁ କାମ କରିବା ସରିଗଲା ?
ମାଆ ଯିବା ଅନେକ ବର୍ଷ ହୋଇଗଲାଣି ।ଏବେ ଶ୍ଵେତା ମୋ ସ୍ତ୍ରୀ କେବେ କୁହେ ତୁମେ ମୋ ଇହକାଳ ଓ ପର କାଳର ଦେବତା।
ଶ୍ଵେତା କଥା ଶୁଣି ମାଆ ମନେ ପଡି ଲୁହେଇ ଯାଏ।
