ଇଚ୍ଛା ଶକ୍ତି
ଇଚ୍ଛା ଶକ୍ତି
ପ୍ଲସ୍ ଥ୍ରୀ ପରେ ବାପା ମନା କରିଦେଲେ ଆଉ ପଢ଼ାଇ ପାରିବେ ନାହିଁ।ତାହେଲେ ମୁଁ କଣ ଏମ୍ ପଢି ପାରିବି ନାହିଁ? ଏ ପ୍ରଶ୍ନ ମୋତେ ବିଚଳିତ କଲା।ନିପଟ ମଫସଲରେ ମୋ ଘର। ସେଥିରେ ମୁଁ ଗୋଟେ ଝିଅ।ଝିଅଙ୍କ ପଢା ପ୍ରତି ଏତେ ଯତ୍ନ କେହି ନିଅନ୍ତି ନାହିଁ।ଝିଅଟି ପଢି କଣ କରିବ ମାନସିକତା ପ୍ରତି ବାପାମାଙ୍କର ଥାଏ। ହାତ ଗଣତି ଲୋକେ ଝିଅକୁ ପଢିବା ନେଇ ସହରକୁ ଛାଡ଼ନ୍ତି। ଏଥିପାଇଁ ତାଙ୍କୁ ଅନେକ କଥା ଶୁଣିବାକୁ ପଡେ।
ଘର ଚଳିବା ପକ୍ଷ ଆମର ସେତେ ଭଲ ନୁହେଁ। ରେଭେନ୍ସାରେ ପ୍ଲସ୍ ଥ୍ରୀ ସରିଲା ପରେ ବାପା ଆଉ ପଢେଇ ପାରିବେ ନାହିଁ ବୋଲି ଅସମର୍ଥତା ପ୍ରକାଶ କଲେ।କମ୍ପାନୀ ସର୍ଭିସରୁ ସେ ସେହି ବର୍ଷ ରିଟାର୍ଡ କରିଥାନ୍ତି। ତାଙ୍କର ପେନସନ ନଥିଲା ସେତେବେଳେ।
ଏଣୁ ପୋଷ୍ଟ ଗ୍ରାଜୁଏସନ୍ କରିବା ଲକ୍ଷ୍ୟ ମୋତେ ଟିୟୁସନ୍ କରିବାକୁ ବାଧ୍ୟ କରେଇ ଥିଲା।
ଟିୟୁସନ୍ କରିବା ପଛର କାହାଣୀ ବି ସେମିତି ଚମକ ପ୍ରଦ ଥିଲା।
ଆମ ଗାଁ ର ଦିଲ୍ଲା, ଟୁଙ୍ଗା, ଓ ବୁଲୁ ମେଟ୍ରିକ ପରୀକ୍ଷାରେ ସଂସ୍କୃତ, ଇଙ୍ଗିଲିସ ଓ ବିଜ୍ଞାନ ବିଷୟରେ ଫେଲ୍ ହୋଇଥିଲେ। ସେମାନେ କଂପିଲିମେଣ୍ଟାରୀ ପରୀକ୍ଷା ଦେବାକୁ ଫର୍ମ ଫିଲପ୍ କରିଥାନ୍ତି। ମୁଁ ଗ୍ରାଜୁଏସନ ପରୀକ୍ଷା ଦେଇ ଗାଁ ରେ ଥାଏ।ରେଭେନ୍ସାରେ ପଢୁଥିବାରୁ ମୋର ଭଲ ପଢିବା ପିଲା ହିସାବରେ ନାଁ ଥିଲା। ଏଣୁ ଦିଲ୍ଲା ,ଟୁଙ୍ଗା ଓ ବୁଲୁ ବାପା ମୋତେ ଅନୁରୋଧ କଲେ ତାଙ୍କ ପିଲାଙ୍କୁ ଟିକେ ପଢ଼ାଇବାକୁ।
ପନ୍ଦର ଦିନ ପରୀକ୍ଷା ଥାଏ। ମୁଁ କେମିତି ତିନିଟା ବିଷୟ ପଢେଇବି ଯେ ସେମାନେ ପାସ୍ କରିବେ ? ବୋଉ ମନା କଲା ଅଯଥା ଅପବାଦ ମିଳିବ ଏଥିରେ ମନ ନ ନେଇ ନିଜ ଭବିଷ୍ୟତ କଥା ଭାବେ।
ବାପା କହିଲେ ସେମାନେ କେତେ ଭରସାରେ ଆସିଛନ୍ତି। ପନ୍ଦରଟା ଦିନ ତ ପଢେଇ ଦେ। ତୁ କଣ ସରସ୍ୱତୀ ହୋଇଛୁ ଗୋଳି ବାଟି ପିଆଇବୁ। ଚେଷ୍ଟା କର ଯଦି ପିଲାଙ୍କ ଭାଗ୍ୟ ଜୋର ଥିବ ଓ ତୋ ପଢେଇବା ଟ୍ରିକ କାମ କରିବ ତ ପାସ୍ କରି ଯାଇ ପାରନ୍ତି। ଜୀବନରେ ଏମିତି ଚ୍ୟାଲେଞ୍ଜ ଗ୍ରହଣ କରିବା କଥା।
ନିଜ ଛାତିରେ ହାତ ରଖ ଓ କହ ହଁ ଏ ପିଲାଙ୍କୁ ପାସ୍ କରିବାରେ ସାହାଯ୍ୟ କରିବି।ମୋର ବିଶ୍ୱାସ ଅଛି ଏମାନେ ପାସ୍ କରିବେ।
ଆଶ୍ଚର୍ଯ୍ୟ ଖାଇବା କଥା ନା କଣ ?? ସୁଦୁ ଗଧ। ଏମାନଙ୍କୁ ଦିନ ପନ୍ଦରଟାରେ କିଏ ପଢେଇ ପଣ୍ଡିତ କରିଦେବ? ତଥାପି ବାପାଙ୍କ କଥା ଉପରେ ଗୁରୁତ୍ୱ ଦେଇ ସେ ତିନି ଟି ପିଲା ପଢେଇଲି। ବହି ଖାଲି ଓଲଟେଇଲେ ବି ଦିନ ସରିଯିବ କିନ୍ତୁ ବହି ପୃଷ୍ଠା ବଳିବ। ଏଣୁ ମୁଁ କେବଳ ସଂସ୍କୃତ ଓ ଇଙ୍ଗିଲିସ ସମ୍ଭାବ୍ୟ ପ୍ରଶ୍ନ ଓ ବ୍ୟାକରଣ ପଢ଼ାଇଲି। ଯେହେତୁ ମୁଁ ଯେଉଁ ବହି ମେଟ୍ରିକରେ ପଢ଼ିଥିଲି ବିଜ୍ଞାନ ବହି ସେୟା ହି ଥିଲା ମୋତେ ଆର୍ଟସ ପିଲା ହୋଇ ବି ବିଜ୍ଞାନ ପଢେଇବାରେ କଷ୍ଟ ହେଲା ନାହିଁ। ସର୍ଟ କୋଶ୍ଚିନ ଆନସାର୍ ବାରମ୍ବାର ଆଲୋଚନା କରେଇଲି। ସକାଳ ଓ ସନ୍ଧ୍ୟା ଦୁଇ ଘଣ୍ଟା ଲେଖାଏଁ ସେମାନେ ପଢିଲେ।
ଜାଣନ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ସେ ତିନି ହେଁ ପାସ୍ କରି ଦେଲେ।ଖାଲି ପାସ୍ ନୁହେଁ ସେକେଣ୍ଡ ଡିଭିଜନ୍ ବି ପାଇଲେ ।ସେମାନଙ୍କ ବାପା ମା ମୋ ଉପରେ କୃତ୍ୟ କୃତ୍ୟ ହୋଇ ଗଲେ। ଏବେ ମଧ୍ୟ କେଉଁଠି ଦେଖିଲେ ସେ ପିଲା କି ତାଙ୍କ ବାପା ମା ଖୁବ୍ ଖୁସି ହୋଇ ଯାଇ କୁହନ୍ତୁ, ବୃନ୍ଦାବନ ସ୍ବାଇଁ ଝିଅ ତୁ ଟି ମା। ଆଶୀର୍ବାଦରେ ପୋତି ପକାଇ କୁହନ୍ତି ,ତୋ ବାପର ସମସ୍ତ ଆଦର୍ଶ ନେଇ ଜନ୍ମ ହେଇଛୁ। ସରସ୍ବତୀ ମାଆଙ୍କର ତୋ ଉପରେ ଆଶୀର୍ବାଦ ରହିଛି।ଜୀବନରେ କେଉଁଠି ହାରିବୁ ନାହିଁ।
ପିଲାଙ୍କ ପରୀକ୍ଷା ଫଳ ବାହାରିଲା ପରେ ଶହେ ଟଙ୍କା ଲେଖାଏଁ ମୋତେ ଆଣି ଯାଚିଲେ। ମୁଁ କହିଲି , ମୁଁ କିଛି କରିନାହିଁ। ପରିଶ୍ରମ କରିଛନ୍ତି ତୁମ ପିଲାଏ। ଏ ଟଙ୍କା ନେଇ ଯାଇ ସେମାନଙ୍କ ମନ ପସନ୍ଦର ଖାଦ୍ୟ କି ଜିନିଷ ଦିଏ ଯେଉଁଥିରେ ସେମାନେ ଖୁସି ହେବେ।
ତା ପର ଠାରୁ ଆଉ କଣ କହିବି ଦେଖିବ ? ଖାଲି ତ ଛୁଆଙ୍କ ସୁଅ ଛୁଟିଲା ମୋ ପାଖକୁ ପଢିବେ ବୋଲି।ଆମ ଘରେ ପିଲା ବସିବା ପାଇଁ ଜାଗା ନିଅଣ୍ଟ ପଡିଲା। ବାଡ଼ିରେ ତମ୍ଭୁ ଟାଣି ପିଲା ବସିଲେ। ଅଶୀ କି ନବେ ଜଣ ପିଲା। ମୁଁ ସେମାନଙ୍କୁ କ୍ଳାସ ଅନୁଯାୟୀ ଭାଗ କରି ଦେଲି। ଷଷ୍ଠ ସପ୍ତମ ସକାଳେ, ଅଷ୍ଟମ ନବମ ପାଞ୍ଚଟାରୁ ସାତଟା ଓ ଦଶମ ପିଲା ସାତଟାରୁ ଦଶଟା ପଢିବାକୁ ଆସିଲେ।
ମୁଁ ସେଇଠୁ ଶିଖିଲି ଥରେ କୌଣସି କ୍ଷେତ୍ରରେ ନାଁ ହୋଇଗଲେ ଲୋକମାନଙ୍କ ଆସ୍ଥା ଓ ବିଶ୍ବାସ ଆସିଯାଏ। ଯଶ ଖ୍ୟାତି ଗଦେଇ ପଡ଼େ।
ମୁଁ ନ କହିଲେ ବି ମନକୁ ମନ ପିଲାଙ୍କ ବାପା ମା ଅଶୀ ଓ ନବେ ଟଙ୍କା ମାସ ଶେଷକୁ ଆଣି ଦେଲେ।ପ୍ରଥମ ମାସ କାହାଠାରୁ ଟଙ୍କାଟିଏ ନେଲି ନାହିଁ। ଦ୍ଵିତୀୟ ମାସକୁ ଭାବିଲି ବାପା ତ ମନା କରୁଛନ୍ତି ପଢେଇବା ପାଇଁ। ଟିୟୁସନ କରି ପଢିଲେ କେମିତି ହୁଅନ୍ତା ? ମାସକୁ ପାଖା ପାଖି ପାଞ୍ଚ ଛଅ ହଜାର ଟଙ୍କା ମୋ ହାତକୁ ଆସିଲା। ତିନି ମାସରେ ଅର୍ଥାତ ମୋ ପ୍ଲସ ଥ୍ରୀ ରେଜଲ୍ଟ ବାହାରିବା ଭିତରେ ମୋ ହାତରେ ଅନ୍ୟୁନ ଷୋହଳ ହଜାର ଟଙ୍କା ହୋଇ ଯାଇଥିଲା।
ସେହି ଟିୟୁସନ ପଇସାରେ ମୁଁ ଏମ୍ ନାଁ ଲେଖାଇଲି ଓ ତେର ହଜାର ଟଙ୍କାର ବହି କିଣିଲି। ରେଭେନ୍ସାରେ ବି ଏମ୍ ପଢିଲା ବେଳେ ଦୁଇ ଜଣ ସାରଙ୍କ ଦଶମ ଶ୍ରେଣୀର ଝିଅକୁ କେବଳ ଇଂଲିଶ ପଢ଼ାଇ ମାସକୁ ହାଜର ଟଙ୍କା ରୋଜଗାର କଲି। ଯାହା ମୋ ହଷ୍ଟେଲ ଖର୍ଚ୍ଚ ସହ ମୋ ବାପାଙ୍କ ଚା ଖର୍ଚ୍ଚ ପାଇଁ ଚାରି ଶହ ଟଙ୍କା ପଠାଇ ପାରିଲି।
ଏ ମ୍ ଶେଷ ବର୍ଷ ପରୀକ୍ଷା ବେଳକୁ ପ୍ରାଇଭେଟରେ ବି ଇ ଡ଼ି ଫର୍ମ ଫିଲପ୍ କରିଦେଲି। ବି ଇ ଡ଼ି ମଧ୍ୟ ଭଲ ନମ୍ବର ରଖି ପାସ୍ କଲି। ଗାଁ ମାସଟିଏ ଆସିଲେ ବି ପିଲା ପଢିବାକୁ ଆସନ୍ତି। ସବୁ ପିଲାଙ୍କ ବିଶ୍ୱାସ ସୋନି ଦି ପଢେଇଲେ ପାଠ ହେବ।
ପିଲାଙ୍କ ସେଇ ବିଶ୍ବାସ ନେଇ ମୁଁ ଆଜି ଯାଏ ଚାଲୁଛି।କୃତି ଶିକ୍ଷକ ଭାବେ ସମ୍ମାନିତ ହୋଇ ପ୍ରତି ଛାତ୍ରଛାତ୍ରୀଙ୍କର ପ୍ରିୟ ସୁନିତା ମାମ୍ ହୋଇ ପାରିଛି।
ଏଠି ମୁଁ କହିବାକୁ ଚାହେଁ ମୁଁ ଝିଅଟିଏ ଭାବେ ଅଭାବ ଆଗରେ ଭାଙ୍ଗି ପଡି ନାହିଁ। ଅର୍ଥ ମୋ ଲକ୍ଷ୍ୟ ପଥରୁ ମୋତେ ବିଚ୍ୟୁତ କରି ନାହିଁ। ମନରେ "ଇଚ୍ଛାଶକ୍ତି" ଥିଲେ ଲକ୍ଷ୍ୟ ସାଧନ ପଥରେ କୌଣସି ପ୍ରତି ବନ୍ଧକ ଅଟକାଇ ପାରିବ ନାହିଁ ଏହା ମୁଁ ନିପଟ ଗାଉଁଳି ଝିଅଟିଏ ହୋଇ ବି ମୁଁ ପ୍ରମାଣ କରିଦେଇଛି।
