Lalita Mohan Mishra

Inspirational

3  

Lalita Mohan Mishra

Inspirational

ହତାଶିଆ ବଇଁଶୀ

ହତାଶିଆ ବଇଁଶୀ

3 mins
239



ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡି ବୁଡି ଯାଉଛନ୍ତି । ଏପଟେ ବଇଁଶୀର ଜୀବନ ନାଟିକା ବୁଡି ଯାଇଛି । ଜୀବନରେ ଅନେକ ରଙ୍ଗ ମଞ୍ଚରେ ଅଭିନୟ କରିଛି ବଇଁଶୀ । ହେଲେ ଆଜି ବଇଁଶୀର ଅଭିନୟରେ ଯବନିକା ପଡିଗଲା । ଆଉ ଦେଖିବାକୁ ମିଳିବ ନାହିଁ ତାର ଅଭିନୟର ଯାଦୁ। ଗ୍ରାମରେ ଅପ୍ରତ୍ବଦ୍ବନ୍ଦି କଳାକାର ଭାବରେ ସେ ପ୍ରତିଷ୍ଠିତ । ଅଭିନୟ ଯାଦୁକରୀରେ ଅନେକଙ୍କୁ ପ୍ରେରଣା ଦେଇଛି । ଅଭିନୟ ହେଉ ଅଥବା ନାଟ୍ୟ ନିର୍ଦ୍ଦେଶନା ଅବା ଅପେରା ପାର୍ଟି ଆଣି ଆଖ ପାଖ ଅଞ୍ଚଳରେ କଳା ପ୍ରଦର୍ଶନ କରିବା, ଏ ସବୁଥିରେ ମାହିରି ବଇଁଶୀ । ପଞ୍ଚାୟତ ନିର୍ବାଚନ ଆସିଲେ ମନେ ପଡେ ବଇଁଶୀ କଥା । ସରପଞ୍ଚ ପାର୍ଥୀ ଭାବରେ ନିର୍ବାଚନର ରଣାଙ୍ଗନକୁ ଓହ୍ଲାଇବା ନିଶ୍ଚିତ କିନ୍ତୁ ଜିତିବା ଅପେକ୍ଷା ହାରିବା ବେଶୀ । ତେଣୁ ହାରୁ ସରପଞ୍ଚ ଭାବରେ ସେ ଅଞ୍ଚଳରେ ଜଣାଶୁଣା । ବଇଁଶୀ ସରପଞ୍ଚ ନ ହୋଇ ପାରେ କିନ୍ତୁ ଜନସାଧାରଣଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାଏ । ସାଲିସ ବିହୀନ ଜୀବନର ମୂର୍ତ୍ତିମନ୍ତ ପ୍ରତୀକ ବଇଁଶୀ । ଅଭାବ ଅସୁବିଧାରେ ଗତି କରୁଥିଲେ ମଧ୍ୟ ସେ ଦରିଦ୍ରର ବନ୍ଧୁ । ବାମପନ୍ଥୀ ବିଚାର ଧାରାରେ ଉଦବୁଦ୍ଧ ହୋଇ ସାମ୍ୟବାଦର ପ୍ରଚାର ତାର ମୂଳ ଲକ୍ଷ୍ୟ । ନିର୍ଭୀକ ବିଚାରଧାରା, ନିରହଂକାରା, ସ୍ପଷ୍ଟବାଦୀ,ଖଟିଖିଆ ଦିନମଜୁରିଆଙ୍କର ସେ ସାଥୀ । ।


ଜୀବନ ଜୀବିକା ପ୍ରତି ଖାତିର ନକରି ସେ ସମାଜସେବାରେ ଉତ୍ସର୍ଗୀକୃତ । ଗ୍ରାମୀଣ ନାଟ୍ୟ ଜଗତରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଖୋଲା ରଙ୍ଗମଞ୍ଚରେ ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖିଛି । କଳା ଦୁନିଆଁରେ ସ୍ବତନ୍ତ୍ର ଛାପ ଛାଡି ଯାଇଛି ବଇଁଶୀ । ଆଜି ରୋଜଗାର କହିଲେ କିଛି ନାହିଁ । ସରକାରଙ୍କ ତରଫରୁ ଯାହା କଳାକାର ଭତ୍ତା ହିଁ ତାର ରୋଜଗାର । ସଂସାର କହିଲେ ଆଗରୁ ପଛରୁ ସେ ହିଁ ଏକା । ପରିବାରରେ କିଏ ଥିଲେ କିଏ ନ ଥିଲେ ତାର ହିସାବ କିତାବ କାହା ପାଖରେ ନାହିଁ । ନିଜର ପେଟ ଚାଖଣ୍ଡକ ପାଇଁ ତାର ବେଳେ ବେଳେ ସଂଘର୍ଷ । ଭତ୍ତାରୁ ଯାହା ମିଳେ ସେତକ ହିଁ ତାର ଗୁଜୁରାଣ ମେଣ୍ଟାଇବାର ଶେଷ ସମ୍ବଳ।


ଗ୍ରାମରେ ଯେଉଁ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ବିଚାରକୁ ଆସେ ତନ୍ମଧ୍ୟରୁ ଜଣେ ଅଗ୍ରଗାମୀ ବ୍ୟକ୍ତି ହେଉଛି ବଂଶୀଧର ପ୍ରଧାନ । ତାଙ୍କର ମୂଳ ଲକ୍ଷ୍ୟ ଥିଲା ସମାଜ ସଂସ୍କାର ଏବଂ ଦୁର୍ନୀତିର ମୂଳୋତ୍ପାଟନ। ନିର୍ବାଚନ ରଣାଙ୍ଗନରେ ପରାଜୟ ବରଣ କରିଥିଲେ ମଧ୍ୟ ସେ ଜନସେବା ଛାଡି ନଥିଲେ । ତାଙ୍କର ଉଦ୍ଦେଶ୍ଯ ପରିବେଶ ସୁରକ୍ଷା ଜୀବନ ରକ୍ଷା । ବୟସର ଛାପ ତାଙ୍କୁ କେବେ ଗ୍ରାସ କଲା ଭଳି ଜଣାପଡୁ ନ ଥାଏ । ସଦାସର୍ବଦା ଯୁବସୁଲଭ କର୍ମ ଚଞ୍ଚଳ ।


ଯୁବାବସ୍ଥାରେ ଆଳୁ ପିଆଜ ବେପାର କରିବା କିଏ କେବେ ଭୁଲି ନ ଥିଲେ । ବିଭିନ୍ନ ରୋଜଗାର ସଂସ୍ଥାରେ ହାତ ଦେଇ କେଉଁଥିରେ ବି ସେ ସଫଳତା ହାସଲ କରି ପାରୁ ନ ଥିଲେ । ଅନ୍ୟ ପକ୍ଷରେ ଲୋକମାନେ ତାଙ୍କୁ "ହତାଶିଆ ବଇଁଶୀ" ବୋଲି କହୁଥିଲେ । ଲୋକେ କହୁଛନ୍ତି ବୋଲି ସେ କଥା ସେ ଦେହକୁ ନେଉ ନ ଥିଲା, ବରଂ ଶସ୍ତାରେ ଏବଂ ସୁଲଭ ଦରରେ ଲୋକମାନଙ୍କୁ ଜିନିଷ ପତ୍ର ଦେଉଥିଲା । ନିଜେ ହତାଶିଆ ହୋଇଥିଲେ ମଧ୍ୟ ପରର ଦୁଃଖ ଦେଖିଲେ ଆତ୍ମ ବିଭୋର ହୋଇ ପଡୁଥିଲା । ସେବା ତାଙ୍କ ଜୀବନର ଆଦର୍ଶ । 


ଜୀବନରେ ବିଭିନ୍ନ ଆନ୍ଦୋଳନ କରି ବାସହରା ଲୋକଙ୍କୁ ଇନ୍ଦିରା ଆବାସ ଯୋଜନାରେ ବାସ ଯୋଗାଇ ଥିଲା । କିନ୍ତୁ ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ଥିଲେ ବାସହରା। ଗ୍ରାମପଞ୍ଚାୟତ ହତା ଭିତରର କେଉଁ ଏକ ନିଭୃତ କୋଣରେ ଡେରାହୋଇଥିବା ପାଲ ଟଣା ତମ୍ବୁ ଥିଲା ତାର ଥିଲା ଆବାସ । ପଞ୍ଚାୟତର ସ୍ୱଚ୍ଛତା ପାଇଁ କ୍ରମେ ତାଙ୍କୁ ସେଠାରୁ ତମ୍ବୁ ଉଠାଇବାକୁ ପଡିଲା । ଶେଷରେ ସ୍କୁଲ ବାରଣ୍ଡା ହୋଇଥିଲା ତାର ଆବାସ । ସେ ବାରଣ୍ଡାରେ ହିଁ ତାର ଜୀବନ ପ୍ରଦୀପ ଲିଭି ଯାଇଥିଲା । 


ଆଜି ଠାରୁ ଆଉ ସେ ହତାଶିଆ ବଇଁଶୀ ବା ହାରୁ ସରପଞ୍ଚର ସ୍ବର ଶୁଭିବ ନାହିଁ । ଅଭିନୟର ଯାଦୁରେ ଆଉ ଅନ୍ୟମାନେ ପ୍ରଭାବିତ ହେବେ ନାହିଁ । କର୍ପୂର ଉଡି ଯାଇଛି ସତ ହେଲେ ସେ କନା ଖଣ୍ଡିକ ପଡି ରହିଛି । ଆଜି ହତାଶିଆ ବଇଁଶୀ ନାହିଁ କି ତାର ପ୍ରତିମୂର୍ତ୍ତି ହେବ କି ନାହିଁ ସନ୍ଦେହ । ତଥାପି ବଇଁଶୀ ପ୍ରଧାନ ନୂତନ ପିଢ଼ୀକୁ ଯେଉଁ ଧାରା ଦେଖାଇ ଯାଇଛି, ଯେଉଁ ସଂସ୍କାର ମୂଳକ କାର୍ଯ୍ୟ କରି ଯାଇଛି ଚିରଦିନ ପାଇଁ ତାହା ଅମଳିନ ରହିବ.....l


Rate this content
Log in

Similar oriya story from Inspirational