STORYMIRROR

Lalita Mohan Mishra

Inspirational

3  

Lalita Mohan Mishra

Inspirational

ହତାଶିଆ ବଇଁଶୀ

ହତାଶିଆ ବଇଁଶୀ

3 mins
239


ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡି ବୁଡି ଯାଉଛନ୍ତି । ଏପଟେ ବଇଁଶୀର ଜୀବନ ନାଟିକା ବୁଡି ଯାଇଛି । ଜୀବନରେ ଅନେକ ରଙ୍ଗ ମଞ୍ଚରେ ଅଭିନୟ କରିଛି ବଇଁଶୀ । ହେଲେ ଆଜି ବଇଁଶୀର ଅଭିନୟରେ ଯବନିକା ପଡିଗଲା । ଆଉ ଦେଖିବାକୁ ମିଳିବ ନାହିଁ ତାର ଅଭିନୟର ଯାଦୁ। ଗ୍ରାମରେ ଅପ୍ରତ୍ବଦ୍ବନ୍ଦି କଳାକାର ଭାବରେ ସେ ପ୍ରତିଷ୍ଠିତ । ଅଭିନୟ ଯାଦୁକରୀରେ ଅନେକଙ୍କୁ ପ୍ରେରଣା ଦେଇଛି । ଅଭିନୟ ହେଉ ଅଥବା ନାଟ୍ୟ ନିର୍ଦ୍ଦେଶନା ଅବା ଅପେରା ପାର୍ଟି ଆଣି ଆଖ ପାଖ ଅଞ୍ଚଳରେ କଳା ପ୍ରଦର୍ଶନ କରିବା, ଏ ସବୁଥିରେ ମାହିରି ବଇଁଶୀ । ପଞ୍ଚାୟତ ନିର୍ବାଚନ ଆସିଲେ ମନେ ପଡେ ବଇଁଶୀ କଥା । ସରପଞ୍ଚ ପାର୍ଥୀ ଭାବରେ ନିର୍ବାଚନର ରଣାଙ୍ଗନକୁ ଓହ୍ଲାଇବା ନିଶ୍ଚିତ କିନ୍ତୁ ଜିତିବା ଅପେକ୍ଷା ହାରିବା ବେଶୀ । ତେଣୁ ହାରୁ ସରପଞ୍ଚ ଭାବରେ ସେ ଅଞ୍ଚଳରେ ଜଣାଶୁଣା । ବଇଁଶୀ ସରପଞ୍ଚ ନ ହୋଇ ପାରେ କିନ୍ତୁ ଜନସାଧାରଣଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାଏ । ସାଲିସ ବିହୀନ ଜୀବନର ମୂର୍ତ୍ତିମନ୍ତ ପ୍ରତୀକ ବଇଁଶୀ । ଅଭାବ ଅସୁବିଧାରେ ଗତି କରୁଥିଲେ ମଧ୍ୟ ସେ ଦରିଦ୍ରର ବନ୍ଧୁ । ବାମପନ୍ଥୀ ବିଚାର ଧାରାରେ ଉଦବୁଦ୍ଧ ହୋଇ ସାମ୍ୟବାଦର ପ୍ରଚାର ତାର ମୂଳ ଲକ୍ଷ୍ୟ । ନିର୍ଭୀକ ବିଚାରଧାରା, ନିରହଂକାରା, ସ୍ପଷ୍ଟବାଦୀ,ଖଟିଖିଆ ଦିନମଜୁରିଆଙ୍କର ସେ ସାଥୀ । ।


ଜୀବନ ଜୀବିକା ପ୍ରତି ଖାତିର ନକରି ସେ ସମାଜସେବାରେ ଉତ୍ସର୍ଗୀକୃତ । ଗ୍ରାମୀଣ ନାଟ୍ୟ ଜଗତରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଖୋଲା ରଙ୍ଗମଞ୍ଚରେ ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖିଛି । କଳା ଦୁନିଆଁରେ ସ୍ବତନ୍ତ୍ର ଛାପ ଛାଡି ଯାଇଛି ବଇଁଶୀ । ଆଜି ରୋଜଗାର କହିଲେ କିଛି ନାହିଁ । ସରକାରଙ୍କ ତରଫରୁ ଯାହା କଳାକାର ଭତ୍ତା ହିଁ ତାର ରୋଜଗାର । ସଂସାର କହିଲେ ଆଗରୁ ପଛରୁ ସେ ହିଁ ଏକା । ପରିବାରରେ କିଏ ଥିଲେ କିଏ ନ ଥିଲେ ତାର ହିସାବ କିତାବ କାହା ପାଖରେ ନାହିଁ । ନିଜର ପେଟ ଚାଖଣ୍ଡକ ପାଇଁ ତାର ବେଳେ ବେଳେ ସଂଘର୍ଷ । ଭତ୍ତାରୁ ଯାହା ମିଳେ ସେତକ ହିଁ ତାର ଗୁଜୁରାଣ ମେଣ୍ଟାଇବାର ଶେଷ ସମ୍ବଳ।


ଗ୍ରାମରେ ଯେଉଁ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ବିଚାରକୁ ଆସେ ତନ୍ମଧ୍ୟରୁ ଜଣେ ଅଗ୍ରଗାମୀ ବ୍ୟକ୍ତି ହେଉଛି ବଂଶୀଧର ପ୍ରଧାନ । ତାଙ୍କର ମୂଳ ଲକ୍ଷ୍ୟ ଥିଲା ସମାଜ ସଂସ୍କାର ଏବଂ ଦୁର୍ନୀତିର ମୂଳୋତ୍ପାଟନ। ନିର୍ବାଚନ ରଣାଙ୍ଗନରେ ପରାଜୟ ବରଣ କରିଥିଲେ ମଧ୍ୟ ସେ ଜନସେବା ଛାଡି ନଥିଲେ । ତାଙ୍କର ଉଦ୍ଦେଶ୍ଯ ପରିବେଶ ସୁରକ୍ଷା ଜୀବନ ରକ୍ଷା । ବୟସର ଛାପ ତାଙ୍କୁ କେବେ ଗ୍ରାସ କଲା ଭଳି ଜଣାପଡୁ ନ ଥାଏ । ସଦାସର୍ବଦା ଯୁବସୁଲଭ କର୍ମ ଚଞ୍ଚଳ ।


ଯୁବାବସ୍ଥାରେ ଆଳୁ ପିଆଜ ବେପାର କରିବା କିଏ କେବେ ଭୁଲି ନ ଥିଲେ । ବିଭିନ୍ନ ରୋଜଗାର ସଂସ୍ଥାରେ ହାତ ଦେଇ କେଉଁଥିରେ ବି ସେ ସଫଳତା ହାସଲ କରି ପାରୁ ନ ଥିଲେ । ଅନ୍ୟ ପକ୍ଷରେ ଲୋକମାନେ ତାଙ୍କୁ "ହତାଶିଆ ବଇଁଶୀ" ବୋଲି କହୁଥିଲେ । ଲୋକେ କହୁଛନ୍ତି ବୋଲି ସେ କଥା ସେ ଦେହକୁ ନେଉ ନ ଥିଲା, ବରଂ ଶସ୍ତାରେ ଏବଂ ସୁଲଭ ଦରରେ ଲୋକମାନଙ୍କୁ ଜିନିଷ ପତ୍ର ଦେଉଥିଲା । ନିଜେ ହତାଶିଆ ହୋଇଥିଲେ ମଧ୍ୟ ପରର ଦୁଃଖ ଦେଖିଲେ ଆତ୍ମ ବିଭୋର ହୋଇ ପଡୁଥିଲା । ସେବା ତାଙ୍କ ଜୀବନର ଆଦର୍ଶ । 


ଜୀବନରେ ବିଭିନ୍ନ ଆନ୍ଦୋଳନ କରି ବାସହରା ଲୋକଙ୍କୁ ଇନ୍ଦିରା ଆବାସ ଯୋଜନାରେ ବାସ ଯୋଗାଇ ଥିଲା । କିନ୍ତୁ ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ସେ ଥିଲେ ବାସହରା। ଗ୍ରାମପଞ୍ଚାୟତ ହତା ଭିତରର କେଉଁ ଏକ ନିଭୃତ କୋଣରେ ଡେରାହୋଇଥିବା ପାଲ ଟଣା ତମ୍ବୁ ଥିଲା ତାର ଥିଲା ଆବାସ । ପଞ୍ଚାୟତର ସ୍ୱଚ୍ଛତା ପାଇଁ କ୍ରମେ ତାଙ୍କୁ ସେଠାରୁ ତମ୍ବୁ ଉଠାଇବାକୁ ପଡିଲା । ଶେଷରେ ସ୍କୁଲ ବାରଣ୍ଡା ହୋଇଥିଲା ତାର ଆବାସ । ସେ ବାରଣ୍ଡାରେ ହିଁ ତାର ଜୀବନ ପ୍ରଦୀପ ଲିଭି ଯାଇଥିଲା । 


ଆଜି ଠାରୁ ଆଉ ସେ ହତାଶିଆ ବଇଁଶୀ ବା ହାରୁ ସରପଞ୍ଚର ସ୍ବର ଶୁଭିବ ନାହିଁ । ଅଭିନୟର ଯାଦୁରେ ଆଉ ଅନ୍ୟମାନେ ପ୍ରଭାବିତ ହେବେ ନାହିଁ । କର୍ପୂର ଉଡି ଯାଇଛି ସତ ହେଲେ ସେ କନା ଖଣ୍ଡିକ ପଡି ରହିଛି । ଆଜି ହତାଶିଆ ବଇଁଶୀ ନାହିଁ କି ତାର ପ୍ରତିମୂର୍ତ୍ତି ହେବ କି ନାହିଁ ସନ୍ଦେହ । ତଥାପି ବଇଁଶୀ ପ୍ରଧାନ ନୂତନ ପିଢ଼ୀକୁ ଯେଉଁ ଧାରା ଦେଖାଇ ଯାଇଛି, ଯେଉଁ ସଂସ୍କାର ମୂଳକ କାର୍ଯ୍ୟ କରି ଯାଇଛି ଚିରଦିନ ପାଇଁ ତାହା ଅମଳିନ ରହିବ.....l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational