Balaram Barik

Tragedy

3  

Balaram Barik

Tragedy

ହରିର ଗୀତା

ହରିର ଗୀତା

5 mins
256



ପ୍ରେମ ଅନ୍ଧ ବୋଲି ଆମେ ସମସ୍ତେ ଜାଣିଛନ୍ତି.. କିନ୍ତୁ ପ୍ରେମ ଯେ ମୂକ ଓ ବଧିର ପାଲଟି ଯିବ ତାହା ସେଦିନ ରେଳ ଧାରଣା ଉପରେ କୋଳାକୋଳି ହୋଇ ଶୋଇଥିବା ସେ ଦୁଇଜଣ ପ୍ରେମୀ ଯୁଗଳଙ୍କୁ ଦେଖି ଲାଗୁଥିଲା । ଯେତେ ଡାକିଲେ ସେମାନେ ଉଠୁ ନଥିଲେ । ନିଜ  ରାଇଜରେ ଥିଲେ । ହାତରେ ହାତ ଛନ୍ଦା ଛନ୍ଦି ହେଇ ପରସ୍ପର ବାହୁ ବନ୍ଧନରେ । ଗାଁର ବୁଲା କୁକୁରଙ୍କ ବିକଟାଳ ଶବ୍ଦ ମଧ୍ୟ ତାଙ୍କ କର୍ଣ୍ଣପାତ ହେଉ ନଥିଲା । ସକାଳୁ ସକାଳୁ ବର୍ଷା ଅସରାଏ ହେଇ ଯାଇଛି । ଉଭୟଙ୍କ ଦେହ ମନ ସବୁ ଭିଜି ଯାଇଛି । ହରିର ଡାଇନୋମା ଓ କ୍ୟାରିୟର ବାଲା ସାଇକେଲ ରେଳ ଧାରଣା ତଳେ ମାଟିକୁ ଚୁମି ପଡିଛି । କଥାଟା ଦାଣ୍ଡରେ ପଡି ହାଟରେ ଗଡ଼ିବାକୁ ଲାଗିଲା । ସାହିରୁ ଗାଁ,ଗାଁରୁ ପଞ୍ଚାୟତ ଡାକବାଜି ଯନ୍ତ୍ରରେ ଖବର ପ୍ରଘଟ ହୋଇଗଲା । ଗାଁ ଟା ଯାକ ଲୋକ ଆସି ରୁଣ୍ଡ ହେଇଗଲେ । ଏ ଦୃଶ୍ୟ ଦେଖି ନାକ ଯେତିକି ଟେକିଲେ ଦୁଃଖ ମଧ୍ୟ ସେତିକି କଲେ । ଦୁଃଖ ହରି ପାଇଁ ଥିଲା । ଗୀତା ତ ସ୍ୱାମୀ ଛାଡି ଥିଲା । ହରିର ତିନି ତିନିଟା ଝିଅ ଗୋଟିଏ ପୁଅ । ବଡ଼ ଝିଅ ବାହା ହେଇସାରିଛି । ପଛକୁ ପଛ ଦୁଇଟି ବିବାହ ଯୋଗ୍ୟ ଦୁଇଟି ଝିଅ ମଧ୍ୟ ଅଛି ।


ସାହି ଓ ଗାଁ ଲୋକଙ୍କ ଟାହି ଟାପରା ସହି ପାରିବେ ତ !!ରେଳ ଧାରଣ ଉପର ସେ ଦୃଶ୍ୟ ଯେମିତିକି ନିନ୍ଦନୀୟ ଥିଲା ସେତିକି ଶିକ୍ଷଣୀୟ ଥିଲା । ହୁଏତ ସମାଜ ପାଇଁ ଏହା ପରକୀୟା ପ୍ରୀତି ଥିଲା । କିନ୍ତୁ ଦୁଇଜଣଙ୍କ ଦୈନନ୍ଦିନ ମିଳାମିଶା କେତେବେଳେ ପ୍ରେମ ଓ ପାପରେ ବଦଳି ଗଲା ତାହା କେହି ଜାଣି ପାରିଲେ ନାହିଁ । ପରିବାରର ଆର୍ଥିକ ଅନଟନ ଓ ବାପକୁ ହରାଇବା ପରେ ପରିଣତ ବୟସରେ ସଂସାର ବାନ୍ଧିବାକୁ ଆଶା କରି ସଫଳ ହେଇଥିଲା ଗୀତା । ମାତ୍ର ତାହା ବେଶୀଦିନ ତିଷ୍ଠିଲା ନାହିଁ । ଗୀତା ହେଲା ସ୍ୱାମୀ ପରିତକ୍ତା ଓ ପରିବାର ଉପରେ ବୋଝ । ବେରୋଜଗାରିଆ ଭାଇ ମାନେ ପରିବାର ବୋଝକୁ ଉଠାଇବାକୁ ଅସମର୍ଥ ହେଲେ । ଓଳିଏ ଖାଇଲେ ଦୁଇ ଓଳା ଉପାସ । ଭୋକର ଜ୍ୱାଳାରେ ଡହ ଡ଼ହ ପେଟଗୁଡା । ଭୋକିଲା ପେଟ କଣ କାମ ନକରାଏ । ଏଇ ପେଟ ଚାଖଣ୍ଡକ ପାଇଁ ତ ଦୁନିଆ ନାଟ । କଣ କାମ କରିବ ?କେମିତି ନିଜ ଓ ପରିବାରର ପେଟ ପୋଷିବ ?ମନରେ ଆଶା ଦାନା ବାନ୍ଧିଲା ଯେମିତି ହେଲେ ହାଣ୍ଡିରେ ଚାଉଳ ପୋଡିବାକୁ ପଡିବ । କେତେଦିନ ଏମିତି ପେଟ କୁ ପୋଡ଼ୁ ଥିବ !!

         ପାଖ ଗାଁର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବେହେରା କାମ କରୁଥିବା ହରିହର ବେହେରା ଓରଫ ହରି ଧୀରେ ଧୀରେ ଇଞ୍ଜେକ୍ସନ ଓ ଜର ଥଂଡା ପାଇଁ ମେଡ଼ିସିନ ନାମ ମଧ୍ୟ ଶିଖିଗଲା । ଗାଁ ରେ କାହାକୁ ତଣ୍ଡା ଜ୍ଵର କି ଝାଡା ହେଲେ ଡାକ୍ତର ପାଖକୁ ନଯାଇ ହରି ପାଖକୁ ଯାଆନ୍ତି ଔଷଧ ପାଇଁ । ଔଷଧ ମଧ୍ୟ ଭଲ କାମ କରେ । ଖଣ୍ଡିଆ ଦଣ୍ଡିଆ ଘା ବଥ ପୂଜ ସବୁ ହରି ଭୟରେ ଧାଇଁ ପଳାନ୍ତି । ଆଖ ପାଖ ଗାଁରେ ହରିର ପ୍ରସିଦ୍ଧି ଓ ପ୍ରଶଂସା ବହୁତ ଉପରେ । କେହି କେହି ତାକୁ ହରି ଡାକ୍ତର ମଧ୍ୟ ଡାକି ଦିଅନ୍ତି । ଗାଁ ଲୋକ ବୁଝନ୍ତି ଯିଏ ଔଷଧ ଓ ଇଞ୍ଜେକ୍ସନ ଦେଲା ସେ ଡାକ୍ତର । ହରି ଲୋକ ଭଲ ପରୋପକାରୀ । ଗାଁ ଝିଅ ଗୀତାର ଏ ଦୁଖଃ ଦେଖି ତା ହୃଦୟ ସମବେଦନାରେ ଭରିଗଲା । ହରି ଗୀତାର ଗାଁ ସମ୍ପର୍କ ହିସାବରେ ଦାଦା ହେବ । ଗୀତା ପାଇଁ ଡାକ୍ତର ଖାନାରେ ବିନା ପ୍ରମାଣପତ୍ର ଧାରୀ ସେବିକା ଅଧା ଝାଡୁ ଦାରିଣୀ କାମରେ ରଖେଇ ଦେଲା । ଗୀତା ପରିବାର ଆଶ୍ୱସ୍ତ ହେଲା । ହରି ପ୍ରତି ସମ୍ମାନ ମଧ୍ୟ ବଢିଗଲା । ସାହିରେ କିଛି ଲୋକଙ୍କୁ ଭଲ ଲାଗିଲା ଯାହା ହେଉ ଗୀତା କୂଳରେ ଲାଗିଲା । ବୁଢୀ ବୟସରେ ବିଧବା ମା ଆଉ ବୁଲି ବୁଲି କେତେ ମୁଢ଼ି ବିକିବ । ଆଉ କିଛି ଲୋକ ଟାହି ଟାପରା କଲେ । ଗୋଟାଏ ବେହେରା ତଥା ନୀଚ୍ଚ ଜାତିର ଲୋକର ସାଇକେଲ ପଛରେ ବସି ଗୀତା ସବୁଦିନ ଯାଉଛି । ସାହିର କଳିହୁଡ଼ି ବୁଢୀ ଗୁଡା ଦେଖେଇ ଶିଖେଇ କହିବାକୁ ଲାଗିଲେ…


ଏ କି ଯୁଗ ହେଲା ଲୋ ମା । ଛୁଆଁ ଛୁତି ଭଲ ମନ୍ଦ ସବୁ ଭୁଲି ଗଲେଣି । ଏ ମାଳିକା କଣ ଭୁଲ କହିଛି । ଏମିତି ଅନାଚାର ହେଲେ ତ ଏ ଦୁନିଆ ଧ୍ୱଂସ ପାଇଯିବ । ଦୁଇଜଣ ସାଙ୍ଗ ହେଇ ସାଇକେଲରେ ଗଲା ବେଳେ ଲୋକ ସିଧା ସିଧି ଆଙ୍ଗୁଠି ଗେଞ୍ଜି ହସା ହସି ହୁଅନ୍ତି । ଗୀତାକୁ ବୋଧେ ବାଧେ ମାତ୍ର କିଛି କହି ପାରେନି । ହରି ବୁଝାଏ ଦେଖ ଗୀତା କହିବା ଲୋକ ତ ଅନେକ କଥା କହିବେ ତାଙ୍କ କଥା ଶୁଣିଲେ କଣ ତୋର ପରିବାର ପୋଷଣ ହେଇପାରିବ ?ସେମାନେ କଣ ତୋ ଘରେ ନେଇ ଚାଉଳ ଦେଇ ଆସୁଛନ୍ତି କି ?ଗୀତାର ଏ ସବୁ ଦେହ ସୁହା ହେଇଗଲା ସେ ବି ଆଉ କାହା କଥା ଶୁଣିଲା ନାହିଁ ।  

ହରି ଓ ଗୀତାର ଏମିତି ଏକତ୍ର ଡାକ୍ତରଖାନାକୁ ଯିବାରେ ହରି ସ୍ତ୍ରୀର କୌଣସି ଆପତ୍ତି ନଥିଲା । ଉଭୟ ତ ବାପ ଝିଅ ବୟସର ହେବେ ।


ମାତ୍ର ଏଇ କିଛି ଦିନ ହେଲା ହରିର ସ୍ତ୍ରୀ ରୁକ୍ମଣୀ ଟିକେ ବେଶୀ ଗେରେ ଗେରେ ହେଉଛି ହରି ଉପରେ । କାରଣ ହରି ଆଗ ଭଳି ଆଉ ମଧ୍ୟାହ୍ନ ସମୟରେ ଘରକୁ ଖାଇବାକୁ ଆସୁନି । ଉପର ଓଳି ବି ଡେରୀରେ ଆସୁଛି । ରୁକ୍ମଣୀ କାନକୁ ଦୁନିଆ ଲୋକଙ୍କ ଦୁନିଆ ଲୋକଙ୍କ ଟାହି ଟାପରା ଆସୁଛି । ସତ କଣ ? ହଁ ଏହା ତ ଅପଣ ଓ ମୁଁ ଆମେ ସମସ୍ତେ ଜାଣିବାକୁ ଚାହୁଁଛୁ ।


 ଚାଲନ୍ତୁ ପୁଣି ରେଳ ଧାରଣା ପାଖକୁ ଯିବା । ସେଠି କ୍ଷୀର କେଉଁଟା ଆଉ ପାଣି କେଉଁଟା ତାହା ଜଣା ପଡିଯିବ । ଉଭୟଙ୍କ ଶରୀର କଦଳୀ ମଞ୍ଜା ପରି ଦୁଇ ଗଡ ହେଇ ଯାଇଛି । ବଡି ଭୋରରୁ ଲୋକ ମୁହଁ ଧୋଇଛନ୍ତି କି ନାହିଁ ଗାଁରେ ଫୁସୁରୁ ଫାସୁରୁ ଶୁଭିଲା । ହରିଆ ଆଉ ଗୀତା ରେଳ ଲାଇନରେ କଟି ଯାଇଛନ୍ତି । ବୋଧହୁଏ ଘଣ୍ଟେ ଆଗରୁ ଦୁହିଁଙ୍କ ମୃତ୍ୟୁ ହେଇ ସାରିଛି । ରକ୍ତ ଦେହରୁ ଶୁଖି ଯାଇଛି । ଲୋକଙ୍କ ଧାରଣା ଯାହା ଥିଲା ତାହା ଆହୁରି ଦୃଢ଼ ହେଇଗଲା ।


ରୁକ୍ମଣୀ ବାହୁନି ବାହୁନି କାନ୍ଦୁଥିଲା । ଆଉ କହୁଥିଲା ମୋ ଗେରସ୍ତର କିଛି ଭୁଲ ନାହିଁ । ସବୁ ଦୋଷ ସେହି ସ୍ୱାମୀ ଛାଡି ଗୀତାର । ସେ ତାକୁ ଓସଦ କରି ଏମିତି କରିଦେଲା । ଆମ ଘରେ ଦୁହେଁ ଗୋଟିଏ ଘରେ ହେଁ ହେଁ ଫେଁ ଫେଁ ହୁଅନ୍ତି । ମୁଁ କେତେ ଥର ମୋ ଗେରସ୍ତକୁ ତାଗିଦା ମଧ୍ୟ କରିଛି । କହିଥିଲି ତାକୁ କହୁନ ସେ ତାର ଅଲଗା ସାଇକେଲରେ ଯିବ । ଲୋକ ତୁମ ବିଷୟରେ ଆଡୁ ସାଡୁ ଖବର ପ୍ରଚାର କରୁଛନ୍ତି । ରାସ୍ତା ମଝିରେ ଠିଆ ହୋଇ ଘଣ୍ଟା ଘଣ୍ଟା ଗପା ଗପି ହେବାର ମଧ୍ୟ ଲୋକ ଦେଖିଛନ୍ତି ଦୁଇ ଜଣଙ୍କୁ । ଅନେକ ତ ସଂଦେହ କରନ୍ତି ଦୁହିଁଙ୍କ ଭିତରେ କିଛି ଅନୈତିକ ସମ୍ପର୍କ ମଧ୍ୟ ଅଛି । ରୁକ୍ମଣୀ ବୋଧହୁଏ ଜଣା ଥିଲା । ଯେତେ ଯାହା ହେଲେ ସ୍ତ୍ରୀ ,ସ୍ୱାମୀର ହାବ ଭାବ ଗତି ବିଧିରୁ ତ ଜାଣିଦେଵ ହରିର ଧଳା ସାର୍ଟରେ ଅନେକ ସମୟରେ ଲମ୍ବା ବାଳ ଲାଗିଥାଏ । ରୁକ୍ମଣୀ ଭାବୁଥିଲି କୋଉ ରୋଗୀର ହେଇଥିବ । ମାତ୍ର ଯେଉଁ ଦିନ ତାଙ୍କ ଘର କ୍ଲିନିକରେ ଗୀତାକୁ ହରିର ଛାତିରେ ମୁଣ୍ଡ ରଖିଥିବାର ଦେଖିଲା ସେଦିନ ଘରେ ମହାଭାରତ ହୋଇଯାଇଥିଲା । ତା ପରଦିନ ଠାରୁ ଗୀତା ଆଉ ହରି ଘରକୁ ଆସି ନଥିଲା ।


ଏ ଘଟଣାର ଠିକ୍ ମାସେ ପରେ ଦୁହିଁଙ୍କର ମୃତ ଦେହ ସ୍ଥାନୀୟ ରେଳ ଧାରଣାରୁ ମିଳିଲା । ଶବ ବ୍ୟବଛେଦ ରିପୋର୍ଟରୁ ଜଣା ଗଲା,ଅଣ ଚାଳିଶି ବର୍ଷ ବୟସର ଝିଅ ଗୀତା ଯେ ଅନ୍ତସତ୍ଵା ଥିଲା । ଲୋକଙ୍କ ମନରେ ଯେଉଁ ଧାରଣା ଥିଲା ତାହା ଧ୍ରୁବ ସତ୍ୟରେ ପରିଣତ ହେଇଗଲା । ବୋଧହୁଏ ଗୀତା ହରିକୁ ବିବାହ କରିବାକୁ ଅନୁରୋଧ କରିଥିବ ଓ ହରି ସମାଜ ଓ ଲୋକ ଅପବାଦ ଭୟରେ ରାଜି ହୋଇନଥିବ । ମାତ୍ର କେଉଁ ଦୁର୍ବଳ ମୁହୂର୍ତ୍ତରେ ଗୀତା ସହ ତାର ପ୍ରେମର ସଫଳ ରୂପାୟନ ଘଟିଲା ତାହା ସମୟ ଛଡା ଆଉ କେହି ଭଲ ସେ କହି ପାରିବେନି । ହଁ ସେଥିପାଇଁ ସାଙ୍ଗରେ ଜୀଇ ପାରିବାନି କିନ୍ତୁ ସାଙ୍ଗରେ ମରିପାରିବା ଭଳି କଠୋର ନିଷ୍ପତ୍ତି ସେମାନେ ନେଇଗଲେ ଓ ବାପ ଛେଉଣ୍ଡ କରି ଦେଇଗଲେ ଗୋଟିଏ ସୁଖ ସମୃଦ୍ଧିରେ ବଢୁଥିବା ପରିବାରକୁ । ଏହି ଜଘନ୍ୟ କାଣ୍ଡଟି ପାଇଁ ଆମେ କାହାକୁ ଦୋଷ ଦେବା ଓ କାହାକୁ ଦୋଷମୁକ୍ତ କରିବା ତାହା ଆଲୋଚ୍ୟ ବିଷୟ ନୁହେଁ । ମାତ୍ର ଯଦି ଏ ଦୁର୍ଘଟଣାର ରହସ୍ୟ ଖୋଜିବା ତାହେଲେ ଗୋଟିଏ ଉତ୍ତର ପାଇବା । କ୍ଷଣିକ ସୁଖ ଓ ଉନ୍ମାଦନା ହିଁ ଏ ମହାପାପର ମଞ୍ଜି ବୁଣିଥିଲା । ଆମେ ଦୈନନ୍ଦିନ ଜୀବନରେ ଟିକେ ସଚେତନ ନହେଲେ ଏମିତି ଅନାବଶ୍ୟକ ସମସ୍ୟାରେ ଅଡ଼ୁଆ ସୂତା ମଧ୍ୟରେ ଛନ୍ଦି ହେଇ ଏହିପରି ବେପରୁଆ ଓ ଦାଇତ୍ୱହୀନ ନିଷ୍ପତି ନିଅନ୍ତି ଯାହା ଆମ୍ଭକୁ ଆତ୍ମହତ୍ୟାର ସିଧା ସଳଖ ରାସ୍ତା ଦେଖାଏ । ତେଣୁ ସଚେତନ ରୁଅନ୍ତୁ । ନିଜ ଦାଇତ୍ୱ ଓ କର୍ତ୍ତବ୍ୟ ବୁଝନ୍ତୁ । ହରି ଓ ଗୀତାଙ୍କ ସମ୍ପର୍କ ସଠିକ ଓ ମାପଚୁପ ସମ୍ପର୍କ ହେଉ ଅନୈତିକ ନହେଉ ।



Rate this content
Log in

Similar oriya story from Tragedy