STORYMIRROR

sushama Parija

Inspirational

2  

sushama Parija

Inspirational

ହଳେ ନୂଆ ଚପଲ

ହଳେ ନୂଆ ଚପଲ

3 mins
619


ମୁଁ ସେତେବେଳେ କଟକ ମହିଳା ଟ୍ରେନିଙ୍ଗ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢ଼ୁ ଥାଏ। ବାପା ମୋ ପାଇଁ କଲିକତାରୁ ସୁନ୍ଦର ଚପଲ ହଳେ ଆଣି ଥିଲେ । ସେଇ ଚପଲ ହଳକ ଦେଖି ମୋ ମନ ଖୁସିରେ ନାଚି ଉଠୁଥାଏ । ବୋଉ ମତେ ବାରମ୍ବାର ଜାଗତିଆର କରି ମନା କରିଥାଏ  ସେ ଚପଲ ହଳକ ପିନ୍ଧି ସ୍କୁଲ କୁ ନଯିବା ପାଇଁ । କୁଆଡ଼େ ବୁଲିବାକୁ ଗଲେ କିମ୍ବା ମାମୁଁଘର କି ମାଉସୀ ଘର ଗଲେ ପିନ୍ଧିକି ଯିବା ପାଇଁ। ମୋ ମନ ଖାଲି ଉଚ୍ଛନ୍ନ ହେଉଥାଏ କେମିତି ସେ ଚପଲ ହଳକ ପିନ୍ଧି ସ୍କୁଲ ରେ ସାଙ୍ଗ ମାନଙ୍କୁ ଦେଖେଇ ପକେଇବାକୁ । ଚପଲଟି ଆସିବାର ଚାରିଦିନ ହୋଇଥାଏ ବାପା ଗଲେ ଟୁର୍ ରେ ବାହାରକୁ । ମୁଁ ଘରେ ବୋଉକୁ ଲୁଚାଇ ଚପଲ ହଳକ ପିନ୍ଧି ବାହାରି ଗଲି ସ୍କୁଲ କୁ। ଆମ ସ୍କୁଲ ଟି ଥିଲା କାଜିବଜାର ରେ । ଆମଘର ମଂଗଳାବାଗରୁ ଘୋଡାଗାଡି ରେ ଆମେ ସ୍କୁଲ କୁ ଯିବା ଆସିବା କରୁଥାଉ। ଗାଡିବାଲା ଥରଥର କରି ସ୍କୁଲ ପିଲା ଙ୍କୁ ନେବାଆଣିବା କରେ ତା'ର ରୁଟ୍ ଅନୁସାରେ । ସ୍କୁଲ ଛୁଟି ହେଲେ ଗୋଟିଏ ଦଳ ପିଲାଙ୍କୁ ସେ ଛାଡିବାକୁ ଗଲେ ଅନ୍ୟ ଦଳଟି ସ୍କୁଲ ପଡିଆରେ ଖେଳୁଥାଆନ୍ତି ସିଏ ଫେରିବା ପର୍ଯ୍ୟନ୍ତ । ସେଦିନ ଆମର ପଛରେ ଯିବାକୁ ଥାଏ। ସାଙ୍ଗମାନଙ୍କ ସହ ମିଶି ମୁଁ ବୋହୂ ଚୋରି ଖେଳୁ ଥାଏ। ଚପଲ ହଳକ ଓହ୍ଲାଇ ଦେଇ ଗୋଟିଏ କଡକୁ ରଖି ଦେଇ ଥାଏ । ଏଇ ସମୟରେ ଘୋଡାଗାଡି ବାଲା ଆସିଗଲା। ସମସ୍ତେ ଦୌଡ଼ା ଦୌଡ଼ି କରି ବସିଗଲେ ଗାଡିରେ । ମୁଁ ବି ସେମାନଙ୍କ ସହିତ ଦୌଡ଼ିଲି। ଘରେ ପହଞ୍ଚିଲା ବେଳକୁ ମନେ ପଡିଲା ଚପଲ ହଳକ ଛାଡି ଆସିଛି ଖେଳ ପଡିଆରେ । କ'ଣ କରିବି ବୋଲି ବୁଦ୍ଧିବାଟ ଦେଖାଗଲାନି। ବାପା ମୋର ଭୟଙ୍କର ରାଗୀ। ଜାଣିବେ ଯଦି ମାଡ ପଡିବ । ଆଉ ବୋଉ ,ତା' କଥା ନ ମାନି ତାକୁ ନ କହି ଚପଲ ପିନ୍ଧି ସ୍କୁଲ ଯାଇ ,ସ୍କୁଲରେ ଚପଲ ହଜେଇ ଆସିଛି ମାନେ ମୋ ପିଠିରେ ପୋଖରୀ ଖୋଳିଦବ ଜାଣ। ଏମିତି ଭୁଲ୍ ମୁଁ କାହିଁକି କରୁଥିଲି ବୋଲି ଖୁବା ମନସ୍ତାପ କରୁଥାଏ। ମନେ ମନେ ସବୁ ଭାବୁଥାଏ ସିନା କାହାକୁ କିଛି କହୁ ନ ଥାଏ। ସବୁଦିନ ଘରକୁ ଫେରି ବହିପତ୍ର ଫୋପାଡି ଦେଇ ମୁଁ ଆଗ ଖାଇବସେ। ଖାଇ ସାରିଲା ପରେ ଯାଇ ଯାହା କରେ। ସେଦିନ ମୁଁ ଆଉ ସ୍କୁଲ ରୁ ଫେରି ଭାତ ଖାଇଲି ନାହିଁ ।ବୋଉ ପଚାରିଲାରୁ ଖାଇବାକୁ ଇଚ୍ଛା ନାହିଁ ବୋଲି କହିଲି। ବାପା ଟୁର୍ ରୁ ଫେରିଲେ । ଖାଇବା ବେଳେ ସେ ଆମ ପାଞ୍ଚ ଭାଇଭଉଣୀ ଙ୍କୁ ତାଙ୍କ ସହିତ ବସାନ୍ତି । ସେଦିନ ମଧ୍ୟ ବସେଇଲେ। ମୋ ମୁହଁକୁ ଦେଖି କଣ ଭବିଲେ କେଜାଣି ବୋଉକୁ ଡାକ ପକେଇଲେ । ପଚାରିଲେ ତୁମେ କ'ଣ କହିଛ କି ? ମୋ ମାଆର ମୁହଁଟା କାହିଁକି ଶୁଖିଲା ଦିଶୁଛି । ବଡ ଝିଅ ବୋଲି ସବୁ ପିଲାମାନଙ୍କ ମଧ୍ୟରେ ମୋ ପ୍ରତି ବାପାଙ୍କ ସେନେହ ଟିକେ ଅଧିକା। ବୋଉ ସେଇ କଥାକୁ ଉଲୁଗୁଣା ଦେଇ କହିଲା ତମ ସବୁଥର ଟୁର୍ ରୁ ଫେରିଲେ ସେଇ କଥାଟି କୁହ। ତମ ଗେହ୍ଲା ଝିଅର ମୁଁ କିଛି ଅସୁବିଧା କରିନି। ସେ ନିଦରୁ ଉଠିଛି ତ ,ସେଥିଲାଗି ସେମିତି ଦିଶୁଛି । ସେ ଦି ଜଣଙ୍କର କଥା ଶୁଣି ମୋର ମନଟା ଭାରି ହୋଇଗଲା। କେମିତି ଗୋଟାଏ ପାପବୋଧ ମୋର ହୃଦୟକୁ ଆବୋରି ବସିଲା । ଚପଲ ହଜେଇବା କଥାଟି ମୁଁ ଆଉ ଲୁଚାଇ ରଖି ପାରିଲି ନାହିଁ । କାନ୍ଦି କାନ୍ଦି ସବୁ ସତ କଥା କହି ପକାଇଲି । ରାଗରେ ପାଚି ଯାଇ ଢୋ କରି ଚାପୁଡ଼ା ଟାଏ କଷି ଦେଲେ ମୋ ଗାଲରେ। ତାଙ୍କ ପାଞ୍ଚଆଙ୍ଗୁଠିର ଛାପ ପଡ଼ିଗଲା ମୋ ଗାଲରେ। ଭାତ ଥାଳି ଛାଡି ଉଠିଗଲେ ବାପା । ମୁଁ ସେଇଠି ସେମିତି କଇଁ କଇଁ ହୋଇ କାନ୍ଦୁଥାଏ। ବୋଉ ମଧ୍ୟ ବାପାଙ୍କ ପଛେ ପଛେ ଉଠି ଗଲା ବୋଧେହୁଏ ତାଙ୍କୁ ବୁଝାଇବା ପାଇଁ।  କାନ୍ଦିକାନ୍ଦି ହାଲିଆ ହୋଇ ମୁଁ କେତେ ବେଳେ ଶୋଇ ପଡିଛି ମୋର ଖିଆଲ ନାହିଁ।

ରାତି ଅଧରେ ମୋ ମୁଁ ଅନୁଭବ କଲି କିଏ ଜଣେ ମୋ ମୁଣ୍ଡକୁ ଆଉଁସି ଦେଉଚି, ଟୋପା ଟୋପା ପାଣି ଖସି ପଡୁଛି ମୋ ଗାଲ ଉପରେ। ଶୁଣି ପାରିଲି ବୋଉର କାନ୍ଦୁରା କଣ୍ଠ ର କଥା " ପିଲାଟାକୁ ମାରିଲ କାହିଁକି ଆଉ ଏବେ କାନ୍ଦୁଛ କାହିଁକି । ଛାର ଚପଲ ହଳକ ପାଇଁ ଏତେ ରାଗ "। ବାପା କହୁଥିଲେ ଚପଲ ହଳକ ପାଇଁ ନୁହେଁ ରେ! ତା'ର ଭୁଲ ହେଲା ସେ ତମକୁ ନକହି ଘରୁ ଜିନିଷ ନେଲା, ପୁଣି ଚପଲ ହଜେଇ ଆସିଛି ବୋଲି ତମକୁ ଲୁଚାଇ ରଖିଲା। କାଲି ତମକୁ ନଜଣାଇ ଆହୁରି କିଛି ଭୁଲ କରିବ ପୁଣି ତମକୁ ଲୁଚେଇବ ସେଇଥି ପାଇଁ ରାଗିଲି। ଏବେ ସେ ବୁଝି ପାରିବ ତା'ର ଭୁଲ୍। ନିଦରୁ ଉଠି ମୁଁ ବାପାଙ୍କ ପାଦକୁ ଚାପି ଧରିଲି ,କାନମୋଡି ହୋଇ କହିଲି ଏମିତି ଭୁଲ୍ ମୁଁ ଆଉ ଜୀବନରେ କେବେହେଲେ କିବି ନାହିଁ ବାପା।

ବାପା ମୋତେ କୋଳେଇ ନେଲେ। ସେଇ ଥିଲା ବାପାଙ୍କ ହାତରୁ ମୋର ପ୍ରଥମ ଆଉ ଶେଷ ଖାଇଥିବା ମାଡ। ବାପା ଯିବାର ଆଜିକି ତେତିଶି ବର୍ଷ ହେଲାଣି ହେଲେ ସେଦିନ କଥା ମନେ ପଡିଲେ ଆଜି ବି ମୋ ଆଖିରେ ଲୁହ ଜକେଇ ଆସେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational