ହଳଦୀ ବସନ୍ତ
ହଳଦୀ ବସନ୍ତ
ତୁ ନାରୀ ନା ଦେବୀ । ତୁ ନାରୀ ନା ନାରାୟଣୀ , କେଉଁଠୁ ପାଉଛୁ ତୁ ଏତେ ଧର୍ଯ୍ୟ । କଣ ପାଇଁ ଏସବୁ କରୁଛୁ ଲୋ ପ୍ରିୟା । କାହା ପାଇଁ କରୁଛୁ ଏସବୁ ? ତୋ ତ୍ୟାଗର ମୂଲ୍ୟ ଏମାନେ କଣ ବୁଝିବେ ..! ତୁ ମୋ କଥା ଥରେ ମାନିଯାଆ , ଦେଖିବୁ ଯାହାବି ହେଉ ତୋତେ ମୁଁ ଖୁସି କରାଇବାକୁ ଚେଷ୍ଟା କରିବି । ତୋ କଷ୍ଟ ଆଉ ମୁଁ ଦେଖିପାରୁନି । ସତ କହିଲୁ ତୁ ସବୁ ଲୁହ କଣ ଏକା ପିଇଯିବୁ..? ବାରମ୍ବାର କହିବାପରେ ମଧ୍ୟ ତୁ ନିଜକୁ ଶକ୍ତ କରି ରଖିଛୁ ।
କୁହ ପ୍ରିୟା ତୁ କିପରି ନାରୀ ??
କେଉଁଠୁ ପାଉଛୁ ଏତେ ସହନଶକ୍ତି ର ଉତ୍ସ ??
ମୁଁ ସ୍ବାମୀ ହେଇ ତୋର ଏତେ ଦୁଃଖକଷ୍ଟ କେମିତି ଦେଖି ଧର୍ଯ୍ୟ ରଖି ରହିବି କହିଲୁ। ଭୋର ସକାଳୁ ଏମିତି ବ୍ୟସ୍ତ ରହୁଛୁ ଯେ ରାତି ଏଗାର ପର୍ଯ୍ୟନ୍ତ । ତୁ ଯେତେ ଯାହା କରିଲେ ସୁଧା ମୋ ବୋଉକୁ କଣ ଜିତି ପାରିବୁ। ଏଇ ଦେଖ , ତୋତେ କଷ୍ଟ ଦେବାପାଇଁ ଘରୁ ସବୁ ଚାକରବାକର ବହାର କରିଦେଇଛି ସେ।
ସ୍ବାମୀ ରlଘବେନ୍ଦ୍ରଙ୍କ କଥା ଶୁଣି ପ୍ରିୟା କହିଲେ , ଏ ଘରେ ତିନି ତିନିଟା ବୋହୂ ରାଣୀ ଥାଉ ଥାଉ ଚାକର ବାକାରଙ୍କ କାମ କଣ? ଏମିତି କଣ କହୁଚ୍ଛ ? ତୁମଖୁସି ପାଇଁ ଏବଂ ଆମ ପରିବାର ର ଖୁସି ପାଇଁ ମୁଁ ସବୁ ଲୁହ ,ସବୁ ଜହରକୁ ପିଇ ନୀଳକଣ୍ଠ ଦେବଦେବ ମହାଦେବ ତ ହେଇ ପାରିବି ନାହି କିନ୍ତୁ ତୁମ ଦାସୀ ହେଇ ରହି ପାରିବି । ସବୁ ସହନଶକ୍ତିର ଉତ୍ସ କେବଳ ମୋ ପ୍ରିୟ ସ୍ବାମୀ ରlଘବେନ୍ଦ୍ରଙ୍କ ପାଇଁ।
ତା'ପରେ ଏଇ ଘରର , କାମ କେତେ ଯେ..? ଏସବୁ ପରା ଏକା ମୋତେ ନିଅଣ୍ଟ। ଟିକେ ଦୌଡ଼ଧୂପ କରି କାମଟା କରିସାରିବା ପରେ ମୋର ଆଉ କାମ କଣ? ଆରାମ କରିବି । ତୁମେ କଣ ତୁମ ପ୍ରିୟାକୁ ଏତେ କମଜୋର ଝିଅ ଭାବିଛ ନା କଣ ?
ତୁମେ ବ୍ୟସ୍ତ ହୁଏନି ରାଘବେନ୍ଦ୍ର..! ନିଜ କାମ କରିବାରେ କଷ୍ଟ କଣ ? ତା'ପରେ କଷ୍ଟ କରିଲେ ତ କୃଷ୍ଣ ମିଳିବେ ।
ପ୍ରୀୟାଙ୍କ କଥା ଶୁଣିବା ପରେ ରlଘବେନ୍ଦ୍ର କହିଲେ , ଶୁଣୁ ପ୍ରିୟା ତୁ ତ ଏଇ ଘରର , ଏକା ବୋହୂ ନୁହେଁ । ଆଉ ଦୁଇଜଣ ଅଛନ୍ତି। ଜଣେ ପରିବାର ଛାଡ଼ି ତାର ସ୍ବାର୍ଥ ଦେଖୁଚି ଆଉଜଣେ ମହାରାଣୀ ବାକି ତୁ ଏଇ ଘରର ଚାକରାଣୀ ଭଳି ଖଟି ଖଟି ଜୀବନ ଜାନ ଦେଉଛୁ । ମୁଁ ଜାଣିଛି ତୁ ସବୁକିଛି କରିପାରିବୁ କିନ୍ତୁ ମୋ ବୋଉର ସ୍ଵଭାବ ବଦଳାଇ ପାରିବୁ ନାହି । ତାକୁ ବଦଳାଇବାକୁ ଯାଇ ତୋତେ ଦିନେ ସେ ଘରୁ ବାହାର କରିଦେବ । ଆରେ ଲୋକେ କୁହନ୍ତି ଯେ ପ୍ରଭୁ ଲକ୍ଷ୍ମଣ ବାରବର୍ଷ ଧରି କୁକୁର ଲାଞ୍ଜରେ ବାଉଁଶ ନଳ ଭର୍ତ୍ତିକରି ରଖିଲେ କିନ୍ତୁ କୁକୁର ଲାଞ୍ଜ ଯେଉଁ ବଙ୍କା କୁ ସେଇ ବଙ୍କା ।
"ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ
ମଣିଷ ପ୍ରକୃତି ମଲେ ତୁଟେ" ।
ହଉ ତୋ ଚେଷ୍ଟାରେ ତୁ ଲାଗେ । ମୁଁ ବି ଦେଖିବି ତୋ କର୍ମ ସାମ୍ନାରେ କିଏ କିଏ ଆଣ୍ଠୁଆ ବସି ରହିବେ କି ତୋ ପାଇଁ ଏଇ ଘରର ରାସ୍ତା ବନ୍ଦ କରିବେ ।
ରlଘବେନ୍ଦ୍ରଙ୍କ କଥାକୁ ହସରେ ଉଡେଇ ପ୍ରିୟା ନିଜ କାମରେ ଲାଗି ପଡିଲା । କର୍ମମୟ ଜୀବନରେ କର୍ମ ନକରି ରହିବ କିପରି କିନ୍ତୁ ପ୍ରିୟାଙ୍କ ଶାଶୁ ଶ୍ରଦ୍ଧାଞ୍ଜଳି ଦେବୀଙ୍କ ମନରେ କେବଳ ଗୋଟିଏ ରାଗ , ଯେ ମୁଁ ମୋ ବଡ଼ପୁଅ ରlଘବେନ୍ଦ୍ରକୁ ଭଲଜାଗାରେ ବlହlକରି ଖୁବ୍ ଯାନିଯୌତୁକ ଆଣି ଥାଆନ୍ତି , ଗାଡ଼ି ଘୋଡ଼ାରେ ବୁଲନ୍ତି ଆଉ ମହାରାଣୀ ଭଳି ବସି ହୁକୁମ ଦିଅନ୍ତି । କିନ୍ତୁ ପ୍ରିୟା ଜଣେ ଗରିବ କିରାଣୀଙ୍କ ଝିଅ ଆଉ ଅନ୍ୟ ଦୁଇବୋହୁ ହେଲେ ଧନୀ ଘରର ଝିଅ । ଜଣେ ବ୍ୟlପlରୀ ତ' ଆଉଜଣେ ଅଫିସରଙ୍କ ଝିଅ । ଜଣେ କାମଚୋର ସହିତ ଚୁଗୁଲୀ ଖୋର ତ' ଅନ୍ୟଜଣେ ଅଫିସର ଝିଅ ବୋଲି ଗର୍ବ ଅହଙ୍କାର ରେ ପରିପୂର୍ଣ୍ଣ । ତେଣୁ ସେମାନେ ଶାଶୁ ଶ୍ରଦ୍ଧାଞ୍ଜଳିଙ୍କର ଅତି ପ୍ରିୟ କିନ୍ତୁ ପ୍ରୀୟlଙ୍କ ଘରୁ ସବୁ ଆସିବା ପରେ ମଧ୍ୟ ତାହା କମ୍ ଦେଖାଯାଏ ଆଉ ସେମାନେ ତ ସହଜେ ...! କିନ୍ତୁ ଏସବୁ କୁ ଖାତିର ନକରି ପ୍ରିୟା କୁହେ , ଆରେ ଘରର ସାନ ଭଉଣୀ ଗୁଡ଼ା କଣ କାମ କରିବେ ବଡ଼ ଥାଉ ଥାଉ । ତାର ଏଇ ଉଦାରତା ପାଇଁ ସେ କଷ୍ଟ ପାଉଛି କିନ୍ତୁ ସ୍ବାମୀଙ୍କ ମିଠାକଥା ପଦକରେ ସେ ସବୁ କିଛି ଭୁଲିଯାଇ ପରିବାରର ଉନ୍ନତି ପାଇଁ ନିଜକର୍ମରେ ଲାଗିପଡିଥାଏ। ଦିନ ତମାମ ଶାଶୁ , ସାନ ଜାଆଙ୍କ ହୁକୁମ ମାନି ମାନି ସେ ଥକିପଡେ। ତେଣୁ ଶଶୁର ଦେବକାନ୍ତ ବାବୁ କୁହନ୍ତି ବୁଝିଲ ଶ୍ରଦ୍ଧାଞ୍ଜଳି , ତୁମ ନାମ ବୋଧେ ତୁମ ବାପା ଭୁଲରେ ଦେଇଛନ୍ତି । ନାମ ଶ୍ରଦ୍ଧାଞ୍ଜଳି କିନ୍ତୁ କର୍ମ ବିଲ୍କୁଲ ଓଲଟା। ତୁମେ ଯାହା ସବୁ ଅତ୍ୟାଚାର ବଡ଼ବୋହୁ ଉପରେ କରୁଛ ତାହା ଶୋଭନୀୟ ନୁହେଁ । ଭଗବାନଙ୍କୁ ଡର । ଆମେ ବଡ଼ ହେଇ ଯଦି ପକ୍ଷପାତ କରିବା ତେବେ ଧର୍ମ ସହିବ ନାହିଁ । ତୋ ସହିତ ମୁଁ ମଧ୍ୟ ଏଇ ପାପ କର୍ମରେ ଲିପ୍ତ କାରଣ ତୁମ ସ୍ଵାମୀ ଯେହେତୁ କିଛି ଦଣ୍ଡ ମୋତେ ମଧ୍ୟ ଭୋଗ କରିବାକୁ ପଡିବ । ଭଗବାନ ଯେତେବେଳେ ଚାପୁଡ଼ା ମାରିବେ ତାହା ଦେଖା ଯିବନି ସତ କିନ୍ତୁ କଷ୍ଟ ଅନେକ ହୁଏ , ମୋର ଏଇ କଥା ମନରେ ହେଜ ।
ଏହିପରି ଭାବେ ଦିନପରେ ଦିନ ଗଡିଯାଏ। ଶୀତଋତୁ ବିଦାୟ ନେବାପରେ ଧରାପୃଷ୍ଠକୁ ଅବତରଣ କରି ଆସେ ଋତୁରାଜ ବସନ୍ତ ।
" ଫାଲ୍ଗୁନ ଚୈତ୍ର ବସନ୍ତରେ
ମୃଦ୍ୟୁ ମଳୟ ମନୋହରେ "
ଫାଲ୍ଗୁନ ଓ ଚୈତ୍ରମାସକୁ ବସନ୍ତଋତୁ କୁହାଯାଏ । ଏହି ଋତୁ, ସବୁ ଋତୁମାନଙ୍କଠାରୁ ଅଧୁକ ଆନନ୍ଦ ଦାୟକ। ତେଣୁ ବସନ୍ତ ଋତକୁ ‘ଋତୁରାଜ’ ବୋଲି କୁହାଯାଏ। ବସନ୍ତ ଋତୁରେ ପ୍ରକୃତି ଅପୂର୍ବ ସୌନ୍ଦର୍ଯ୍ୟ ଧାରଣ କରିଥାଏ । ବର୍ଷାର ପ୍ରକୋପ ନଥାଏ। ଗ୍ରୀଷ୍ମର ପ୍ରଚଣ୍ଡ ତାପ ନଥାଏ କି ପ୍ରବଳ ଶୀତର ଦୁଃଖ ନଥାଏ । ତେଣୁ ବସନ୍ତ ଋତୁ ଖୁବ୍ ମଧୁମୟ । ଏହି ସମୟରେ ଦକ୍ଷିଣ ଦିଗରୁ ମୃଦୁମଳୟ ବହି ସମସ୍ତ ପ୍ରାଣୀଙ୍କ ମନକୁ ଋତୁରାଜ ବସନ୍ତ ମୋହିତ କରିନିଏ। ମନ୍ଦ ମନ୍ଦ ଦୋଳନରେ ମଧୁର ବେଳା ଉପସ୍ଥିତ ହୁଏ । ବୃକ୍ଷ ତରୁ ଲତା ନବପଲ୍ଲବିତ ହୁଅନ୍ତି କିନ୍ତୁ ପ୍ରିୟାଙ୍କ ହୃଦୟ କାନନରେ କେବେ ସେଇ ବସନ୍ତର ଆଗମନ ହୁଏ ନାହିଁ । " ବସନ୍ତର ଆଗମନ "ରେ ଦୋଳ ପର୍ବ ହୁଏ ଯାହା ଏକତା ର ପର୍ବ। ତେଣୁ ପ୍ରିୟାଙ୍କ ବାପା ଓ ଭାଇ ଆସିଛନ୍ତି ଝିଅ ଘରକୁ ଦୋଳ ଭାର ନେଇ କିନ୍ତୁ ସେ ତାଙ୍କ ଝିଅର ଏଭଳି ଅବସ୍ଥା ଦେଖି ଦୁଃଖି ହେଇଗଲେ । ଯାହାର ଯାହା ଇଚ୍ଛା ତାହା କହୁଛନ୍ତି । କିନ୍ତୁ ଆଜିର ଦିନରେ ନିଜର ବାପା ଏବଂ ଭାଇର ଅପମାନ ପ୍ରିୟା ଙ୍କ ମନକୁ ଦୋହଲାଇ ଦେଇଛି । ସେ କଇଁ କଇଁ ହେଇ କାନ୍ଦୁଛନ୍ତି।
ଚାକିରୀ ରୁ ଫେରିଛନ୍ତି ରlଘବେନ୍ଦ୍ର, ଘରକୁ ଯାଇ ଦେଖିଲେ ଯେ ତାଙ୍କ ପ୍ରିୟା ସଂପୂର୍ଣ୍ଣ ଭlଙ୍ଗିପଡ଼ିଛନ୍ତି ।କାରଣ ଜାଣିବା ପୂର୍ବରୁ ତାଙ୍କୁ ସବୁକିଛି ଅନୁମାନ କରିବାକୁ ପଡ଼ିଲା କିନ୍ତୁ ପତ୍ନୀଙ୍କ ଦୁଃଖର କାରଣ ପଚାରି ବୁଝି ବା ପୂର୍ବରୁ ପ୍ରିୟା କାନ୍ଦି କହିଲେ ଆଜି ବାପା ଓ ଭାଇ ...! ରlଘବେନ୍ଦ୍ର ସବୁକିଛି ବୁଝିଗଲେ ଏବଂ ନିଜର ସୁଟକେସ୍ ଧରି କହିଲେ ଚାଲ । ଯେଉଁଠି ମୋ ପତ୍ନୀର ସମ୍ମାନ ନାହିଁ ସେଠାରେ ରହିବା ଉଚିତ ନୁହେଁ କିନ୍ତୁ ପ୍ରିୟା ତାଙ୍କୁ କହିଲେ ଛାଡ଼ ରଘୁ । ଏମିତି ଛୋଟ ଛୋଟ କଥାକୁ ତୁମେ ଅଣଦେଖା କର । ମୁଁ ମୋ ବାପା ଓ ଭାଇଙ୍କୁ କହିବି ଏଠାକୁ ଆଉ ଆସିବେ ନାହି କି ମୋ ମନ କଷ୍ଟ ହେବନି । ଏଇ ହେଉଚି ମୋ ଘର , ମୋ ପରିବାର । ମୋ ପରିବାର ର ସମ୍ମାନ ମୋ ସମ୍ମାନ । ତୁମେ ପରା ମୋ ସୁନା ସଂସାର । ତୁମର କଣ ମନ୍ ନାହିଁ ଏଠାରୁ ଚାକିରୀକୁ ଯିବା ପୂର୍ବରୁ କଣ କହି ଯାଇଥିଲ ।
_କଣ ?
_ ତୁମେ କହିଥିଲ ପରା , ଦେଖ ପ୍ରିୟା ତୁମେ ଘରର ବଡ ବୋହୂ । ତୁମ ହାତରେ ମୋ ବାପା , ବୋଉ , ଭାଇ ଏବଂ ପରିବାରକୁ ଟେକି ଯାଉଛି। ଏଇ ବିଶ୍ୱାସ ମୋର ତୁମେ ରଖିବ ।
ମୁଁ ତୁମ ବିଶ୍ୱାସ ଭାଙ୍ଗିବାକୁ ଦେଇନି ରଘୁ । ତୁମ ପ୍ରିୟା ଏତେ କମଜୋର ଝିଅ ନୁହେଁ ଯେ ଭାଙ୍ଗି ପଡ଼ିବ ଏମିତି ଛୋଟ ମୋଟ କଥାରେ ।
ରାଘବେନ୍ଦ୍ର , ଟିକେ ହସି ନିଜ କୋଳକୁ ଭିଡ଼ି ଆଣିଲେ ପତ୍ନୀ ପ୍ରିୟାଙ୍କୁ ।ମଥାରେ ଗୋଟିଏ ଶକ୍ତ ଚୁମ୍ବନ ଦେଇ କହିଲେ । ସତରେ ପ୍ରିୟା ତୁମେ ମୋ ଜୀବନର ସେଇ ବସନ୍ତ ଯାହାକୁ ମୁଁ ଯୁଗ ଯୁଗରୁ ପ୍ରତୀକ୍ଷା କରି ରହିଥିଲି । ତୁମେ ପରା ମୋର " ହଳଦୀ ବସନ୍ତ " । "ବସନ୍ତର ଆଗମନ" ରେ ଯେପରି ତରୁଲତା ,ବୃକ୍ଷରାଜି ପଲ୍ଲବିତ ହୁଅନ୍ତି ଏବଂ ସେଇ ପଲ୍ଲବିତ ବନାନୀ ରେ ମଧୁର ମୂର୍ଚ୍ଛନା ର ପ୍ରେମଗୀତ ଗାନ କରି " ହଳଦୀ ବସନ୍ତ " ପ୍ରକୃତିକୁ ମୋହିଥାଏ । ଠିକ୍ ସେହିପରି ମୋ ଜୀବନ ଆମ୍ର କୁଞ୍ଜରେ ତୁମେ ତୁମେ " ହଳଦୀ ବସନ୍ତ" ହେଇ ପ୍ରେମର ରାଗିଣୀ ଭରି ଦେଇଛ । ଧନ୍ୟ ତୁମେ ମାନବୀ। ଧନ୍ୟ ତୁମର ସହନଶକ୍ତି । କିନ୍ତୁ ପ୍ରିୟା ଆଜି ତୁମ କହିବା ଅନୁସାରେ ମୁଁ ଚୁପ୍ ରହୁଚି ହେଲେ କାଲି ଯଦି ବୋଉ କିଛି ଅତ୍ୟାଚାର କରିବ ତେବେ ମୁଁ ସମ୍ଭାଳି ପାରିବି ନାହିଁ ।
ରାତ୍ରୀ ଅନେକ ହେଲାଣି । ରାଘବେନ୍ଦ୍ର ପୁନଃ ନିଜ କୋଳକୁ ଟାଣି ନେଲେ ପତ୍ନୀ ପ୍ରିୟାଙ୍କୁ । ପ୍ରେମସିକ୍ତ ଦୁଇ ପକ୍ଷୀଙ୍କୁ କିଏ ବା ରୋକିବ । ଦୁହେଁ ବସନ୍ତର ମୃଦ୍ୟୁ ମଳୟରେ ହଜିଗଲେ ପ୍ରେମର ସେଇ ଆମ୍ର କୁଞ୍ଜବନ ରେ । ସକଳ ହେଲା । ଦିନ ଯାକର ପରିଶ୍ରମ ଏବଂ ଅସୁସ୍ଥତା ପାଇଁ ପ୍ରିୟା ଉଠିବାରେ ବିଳମ୍ବ ହେଲା । ତାଙ୍କର ବିଳମ୍ବ ପାଇଁ ଘରେ ଚାହା ଟୋପେ ପିଇବାକୁ ସମୟରେ ମିଳିଲା ନାହିଁ । ରlଘବେନ୍ଦ୍ର ଚାଲିଯାଇଛନ୍ତି ବାହାରକୁ କିନ୍ତୁ ସେ ଫେରିବା ସମୟରେ ସlନବୋହୁଙ୍କ ତୁ ତlକର କଥା ସହିତ ବୋଉ ଶ୍ରଦ୍ଧାଞ୍ଜଳିଙ୍କ ହାତ ଉଠିବା ଦୃଶ୍ୟ ରlଘବେନ୍ଦ୍ରଙ୍କ ମନକୁ ଚହଲାଇ ଦେଲା । ସେ ତତ୍କ୍ଷଣ ଚିତ୍କାର କରି କହିଲେ ...ବୋଉ ! ତୁ ଏ କଣ କରୁଛୁ ବିଚାରୀକୁ ପ୍ରବଳ ଜ୍ଵର ହେଇଛି ଆଉ ତୁ ତା ଉପରକୁ ହାତ ଉଠାଇ ପାରିଲୁ । ମୋ ଉପସ୍ଥିତି ରେ ତୁ ଏପରି କରୁଛୁ , ଆଉ ମୋ ଅନୁପସ୍ଥିତି ରେ ତୁ କଣ ନକରିଥିବୁ । ଘରେ ଆଉ ଦୁଇ ଦୁଇଟା ବୋହୂ ଅଛନ୍ତି କାମ କରାଇ ନିଏ । ପ୍ରିୟା ଏଇ ଘରର ବଡ଼ ବୋହୂ , ଚାକରାଣୀ ନୁହେଁ । କିନ୍ତୁ ରାଘବେନ୍ଦ୍ରଙ୍କ ବୋଉ ତାଙ୍କ ଜିଦ୍ଦିରେ କହିଲେ , ଦେଖ ରଘୁ ଏଇ ଘର ମୋର । ମୋ ଉପରେ ଚିତ୍କାର କରିବା ପୂର୍ବରୁ ତୋର ଜାଣି ରଖିବା ଉଚିତ ଯେ ମୁଁ ତୋର ବୋଉ । ଏଇ ଗରିବ ଭିକାରୀ ଝିଅ ମୋର ପସନ୍ଦ ନୁହେଁ । ତୋତେ ଯଦି ଏତେ ବlଧୁଛି ତୁ ତାକୁ ଏଠାରୁ ନେଇ ଚାଲିଯାଆ।
ରାତିର ସମସ୍ତ ଘଟଣା କୁ ନେଇ ଦେବକନ୍ତ ବାବୁ ଶ୍ରଦ୍ଧାଞ୍ଜଳି ଙ୍କୁ କହିଲେ ବୁଝିଲ ଭାଗ୍ୟବାନ , ଆମେ ଅର୍ଜନ କରିଥିବା ସମ୍ପତ୍ତିକୁ ଆମେ ଅନ୍ୟ ସହ ଭାଗବଣ୍ଟା କରିପାରିବା କିନ୍ତୁ ଆମର କରିଥିବା କର୍ମକୁ କାହାରି ସହିତ ବାଣ୍ଟି ପାରିବା ନାହିଁ, ଆମ ଦ୍ଵାରା କରାଯାଇଥିବା କର୍ମକୁ କେବଳ ଆମକୁ ହିଁ ଭୋଗିବାକୁ ପଡ଼ିବ ଏଣୁ କର୍ମ କରିବା ପୂର୍ବରୁ ତା'ର ପରିଣତି ନିଶ୍ଚୟ ଚିନ୍ତା କରିବା ଉଚିତ୍।ତୁମେ ଲୋଭର ବଶବର୍ତ୍ତୀ ହୋଇ ଯାହା କରୁଛ କିଛି ଠିକ କରୁନ ।
ସକଳ ହେଲା , ରlଘବେନ୍ଦ୍ର ଏବଂ ପ୍ରିୟା ଚାଲିଗଲେ ଘରୁ । ସକାଳୁ କାହାକୁ ଚାହା କିମ୍ବା ସକାଳ ଜଳଖିଆ ମିଳିଲା ନାହିଁ , ଯାହାଦ୍ବାରା ପ୍ରିୟାଙ୍କ ଶାଶୁ ଶ୍ରଦ୍ଧାଞ୍ଜଳି ସାନବୋହୁ କୁ କହିଲେ କିନ୍ତୁ ସେ ସବୁ କlମକରିବାକୁ ମନାକରି କହିଲେ ମୁଁ ଅଫିସର ର ଝିଅ । ଯେମିତି କର୍ମ କରିଛ ସେମିତି ଏବେ ନିଜେ କର ।
ଏପଟେ ରlଘବେନ୍ଦ୍ର ଏବଂ ପ୍ରିୟା ଅନ୍ୟତ୍ର ଘରଭଡ଼ା ନେଇ ଖୁସିରେ ରହିଲେ ଏବଂ ଘରେ ଶ୍ରଦ୍ଧାଞ୍ଜଳି ସବୁ କାମ କରି କରି ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଲେ ତଥା ସାନ ବୋହୂର ଅତ୍ୟାଚାର ରେ ପୀଡ଼ିତ ହେଇ କହିଲେ , "ଆଜିକାଲିର ଦୁନିଆରେ ଯେତେ ଭଲ ହୋଇ ରହିବାକୁ ଚେଷ୍ଟା କରିବ । ଲୋକେ କିଛି ନା କିଛି ଭୁଲ୍ କାଢ଼ି ତୁମକୁ ଦୋଷୀ କରି ଦେବେ।" ଏହା ଶୁଣି ଦେବକନ୍ତ ବାବୁ କହିଲେ ଏବେ ଦେଖିଲ ତ କର୍ମଫଳ । ଅପେକ୍ଷା କର ଆହୁରି ଅଛି।ତୁମେ ଭୁଲ କରିଛ ଶ୍ରଦ୍ଧାଞ୍ଜଳି । ଆମ୍ର କୁଞ୍ଜବନ ରେ " ହଳଦୀ ବସନ୍ତ" ବସିଲେ ତାର ଶୋଭା ବର୍ଦ୍ଧନ ହୁଏ , ନା କି ତାକୁ ଏବଂ ତାର ବସା ଭାଙ୍ଗିଦେଲେ । ତୁମେ ଜଣେ ନିରୀହ ଝିଅକୁ କଷ୍ଟ ଦେଇଛ । ତାର ଆଖିର ଲୁହ ତୁମକୁ କେବେ ଶାନ୍ତିରେ ବଞ୍ଚିବାକୁ ଦେବନି ।
ଶ୍ରଦ୍ଧାଞ୍ଜଳି ଦେବୀ ନିଜର ଭୁଲ ବୁଝି ପାରିଲେ କିନ୍ତୁ ବିଧାତାର ମାଡ଼ନଖାଇ ବଞ୍ଚିଯିବେ ବା କିପରି । ସାନ ପୁଅ ଏବଂ ବୋହୂ ଦୁଇ ବୁଢ଼ାବୁଢ଼ିଙ୍କୁ ଘରୁ ବାହାର କରିଦେଲେ ଠିକ୍ ସେହିପରି ଯେପରି ଏଇ ଦୁଇଜଣ ଘରର ଅଳିଆ । ଯେତେବେଳ ଯାଏ ବନ୍ଧାଥିବ ଝାଡ଼ୁ ଅଳିଆ ସଫାକରେ ଏବଂ ଖୋଲିଗଲେ ସେ ନିଜେ ପାଲଟିଯାଏ ଅଳିଆ। ଏବେ ଶ୍ରଦ୍ଧାଞ୍ଜଳି ଦେବୀ ଏବଂ ଦେବକାନ୍ତ ବାବୁ ସେମାନଙ୍କ ପାଇଁ ଅଳିଆ ।
ମାଡ଼, ଗାଳି ଏବଂ ପୁଅ ବୋହୂଙ୍କ ଧିକାର ଶୁଣି ଦୁହେଁ ଚାଲିଗଲେ ଘରୁ, ଯିବା ସମୟରେ ଦୁହିଁଙ୍କୁ ଦେଖିନେଲେ ପ୍ରିୟା ଏବଂ ଖୁବ ଆଦର ଯତ୍ନ କରି ନିଜର ଭଡ଼lଘରକୁ ଡlକିନେଲେ। ପୂର୍ବଭଳି ଖୁବ୍ ସେବା କରିଲେ ଏବଂ ଶାଶୁ ଶ୍ରଦ୍ଧାଞ୍ଜଳି ଦେବୀ ନିଜର ଭୁଲ ସ୍ୱୀକାର କରି କହିଲେ , ମୋତେ କ୍ଷମା କରିଦିଏ ବୋହୂ । ତୋ ପ୍ରତି କରିଥିବା ଅନ୍ୟାୟର ଦଣ୍ଡ ମୋତେ ମିଳିଛି। କ୍ଷମା ମାଗିବାର ଯୋଗ୍ୟତା ମୋର ନାହିଁ କିନ୍ତୁ ତୁ ଯଦି ତୋ ବଡ଼ପଣରେ କ୍ଷମା କରିବୁ ମୁଁ ବାକି ଜୀବନ ଟା ଶାନ୍ତିରେ କାଟି ପାରିବି ।
ପତ୍ନୀ ଶ୍ରଦ୍ଧାଞ୍ଜଳିଙ୍କ ଏପରି ପରିବର୍ତ୍ତନ ଦେଖି ଦେବାକାନ୍ତ ବାବୁ କହିଲେ । ଚୁପ୍ ହେଇ ଯାଆ ଶ୍ରଦ୍ଧା । "ଜୀବନରେ କେବେ କାହାକୁ ଦୋଷ ଦିଅନ୍ତନାହିଁ, ଭଲ ଲୋକ ଖୁସି ଆଣିଥାଆନ୍ତି ଆଉ ଖରାପ ଲୋକ ଶିକ୍ଷା ଦେଇ ଥାଆନ୍ତି"। ଏଇ ଦେଖ ଆମକୁ ପାଖରେ ପାଇ ଏଇ " ହଳଦୀ ବସନ୍ତ " କିପରି ଖୁସି ଅଛି । ବଡ଼ ହେଇ ଆମେ ଅନ୍ୟାୟ କରିବା ଯଦି ପରିବାର ର ସବୁ ଖୁସି ନଷ୍ଟହୁଏ ତେଣୁ ସଂସାର ରେ ବଞ୍ଚିବାକୁ ହେଲେ ସଭିଙ୍କ ପ୍ରତି ସମାନ ମନୋଭାବ ରଖି ସ୍ନେହ ଶ୍ରଦ୍ଧା ଓ ଆଦର କରିଲେ ସଭିଏଁ ତୁମର ନିଜର ହେଇ ରହିବେ । ଘରର ଝିଅ ଯଦି ଆମ୍ର କୁଞ୍ଜବନର କୋକିଳ ତେବେ ଏଇ ବୋହୂ ଆମ୍ର କୁଞ୍ଜବନର " ହଳଦୀ ବସନ୍ତ " ...ଯିଏ "ବସନ୍ତର ଆଗମନ"ରେ ସଂପୂର୍ଣ୍ଣ କୁଞ୍ଜବନକୁ ପ୍ରେମଗୀତି ରେ ଭରିଦିଏ ..!
