STORYMIRROR

Kalyani Nanda

Tragedy

3  

Kalyani Nanda

Tragedy

ହଜିଲା ସ୍ବପ୍ନ

ହଜିଲା ସ୍ବପ୍ନ

3 mins
441


ଶିତ ସକାଳର ଖରା ଅଗଣାରେ ବିଛାଡି ହୋଇ ପଡିଥାଏ ।ଖରା ରେ ବସି ବାରନ୍ଅଦା ରେ ଶୋଇଥିବା ଅସଲମ କୁ ଡାକୁଥାନ୍ତି ତା ଅମ୍ମି ,ଶୀଘ୍ର ଉଠି ନିଜ କାମ ସାରି ବାକୁ । ତାକୁ ଯେ ଆଠଟା ସୁଦ୍ଧା ନିଜ କାମ ସାରି ଗ୍ଯାରେଜ ଯିବାକୁ ହେବ । ଅସଲମ ଅଠର ବର୍ଷର ଯୁବକ । ଦଶମ ଶ୍ରେଣୀ ଯାଏ ପଢିବା ପରେ ତା ପାଠରେ ଡୋରି ବନ୍ଧା ହେଲା । ଘରେ ତାର ଭାଇ, ଭାଇ , ଉଉଣୀ ମିଶି ପାଂଚ ଜଣ । ବାପା ତାର ଛୋଟିଆ ଦୋକାନ ଟିଏ ରୁ ଯାହା ରୋଜଗାର କରନ୍ତି ସେତିକି ତାଙ୍କ ପରିବାର ଚଳାଇବାକୁ ନିଅଣ୍ଟ । ସେଥିପାଇଁ ଅସଲମ କୁ ପାଠ ଛାଡି ଗ୍ଯାରେଜ ରେ କାମ କରିବାକୁ ହୁଏ । ଅସଲମ ଧଡ ପଡିବ ହୋଇ ଉଠି ତା କାମ ସାରି ଗ୍ଯାରେଜ କୁ ବାହାରି ଗଲା ।


ରଫିକ୍ ଚାଚା ର ଗ୍ଯାରେଜ ରେ ସେ ଦୁଇ ବର୍ଷ ହେଲା କାମ କରୁଛି । ଗ୍ଯାରେଜ ରେ ପହଞ୍ଚିବା କ୍ଷଣି ରଫିକ ଚାଚା ତାକୁ ଡାକି କହିଲେ , " ଅସଲମ, ତୁ ଆଜି ଟିକିଏ ବୁର୍ଲା ଚାଲି ଯାଆ । ହରେକୃଷ୍ଣ ବାବୁଙ୍କ ପାଖରୁ ଗାଡି ମରାମତି ର କିଛି ପଇସା ବାକି ଅଛି , ନେଇ ଆସିବୁ । ଏଇ ନେଇ ବସ୍ ଭଡା । ସାବଧାନତା ଯିବୁ ।" ରଫିକ ଚାଚା ଅସଲମ କୁ ବସ ଭଡା ଦେଲେ । ଅସଲମ କୁ ସେ ଭାରି ଭଲ ପାଆନ୍ତି । ବିଶ୍ବାସ କରନ୍ତି । ସେଥିପାଇଁ ପଇସା ପତ୍ର ଆଣିବା, ନେବା କାମ ତା ହାତରେ କରାନ୍ତି ।ତାକୁ ସବୁବେଳେ ପାଖରେ ପାଖରେ ରଖି ଗାଡିର ମରାମତି ଆଦି ଶିଖାନ୍ତି ।ଅସଲମ ବି ଏଇ କିଛି ଦିନ ଭିତରେ ବହୁତ କାମ ଶିଖି ଗଲାଣି ।


ଅସଲମ ବସ୍ ଧରି ବୁର୍ଲା ପହଞ୍ଚି ଗଲା । ସେ ଜାଣିଥିଲା ହରେକୃଷ୍ଣ ବାବୁଙ୍କ ଘର ବୁର୍ଲା Boys' High School ପାଖରେ । ସ୍କୁଲ ପାଖରେ ପହଞ୍ଚିଲା ବେଳକୁ ଦିନ ଦଶଟା ହେଲାଣି । ସ୍କୁଲ ପାଖ ପଡିଆରେ କି ଖେଳ ଚାଲିଥିଲା ।ସ୍କୁଲ ଛୁଆ, ବାହାର ଦେଖଣା ହାରୀ ଙ୍କ ଭିଡ ସେଠି ଜମିଥାଏ । କୌତୁହଳ ବଶତଃ ଅସଲମ ସେଇ ପଡିଆ ଆଡକୁ ମୁହାଁଇଲା । ଯାଇ ଦେଖିଲା ସେଠି ସ୍କୁଲ ପିଲାଙ୍କ ର Football match ଚାଲିଛି ।


ବେଶ ହୋ ହଲ୍ଲା, ପାଟିତୁଣ୍ଡ ହେଉଥାଏ ସେଠି । ଅସଲମ ସେଠି ଛିଡା ହୋଇ ଦେଖୁଥାଏ । ଇଚ୍ଛା ହେଉଥାଏ ତାର , ସେ ବି ଯାଇ ଖେଳନ୍ତା କି ଫୁଟବଲ ସେଇ ପିଲାଙ୍କ ସହ । ମନେ ପଡି ଯାଉଥାଏ ତା ସ୍କୁଲ ବେଳର କଥା । ସ୍କୁଲରେ ସେ ଭଲ ପଢା ପଢି କରୁ ନ ଥାଏ କିନ୍ତୁ ଫୁଟବଲ ଖେଳରେ ସେ ତା ସ୍କୁଲ ରେ ସବୁଠୁ ଶ୍ରେଷ୍ଠ ଖେଳାଳୀ ଥିଲା । ରାଜ୍ଯ ସ୍ତରୀୟ , ଜାତୀୟ ସ୍ତରରେ ହେଉ ସେ ଚାମ୍ପିଅନ ହେଉଥିଲା । ଦୁଇ ଦୁଇ ଥର ଜାତୀୟ ସ୍ତରରେ ଚାମ୍ପିଆନ ହୋଇ ନିଜ ସ୍କୁଲର, ପରିବାର ତଥା ନିଜ ସହରର , ରାଜ୍ଯର ଗୌରବ ବଜାୟ ରଖିଥିଲା । ଫୁଟବଲ ଖେଳିବା ତା ପିଲାଦିନର ସଉକ ଥିଲା । ଧିରେ ଧିରେ ସେଇ ଫୁଟବଲ ହିଁ ତାର ଖୁସି ଓ ଜୀବନର ଧ୍ୟେୟ ହୋଇ ଉଠିଥିଲା । ସେଦିନ ଆଉ ଆଜି । ପରିବାରର ଆର୍ଥିକ ଅନାଟନ ତାକୁ ଫୁଟବଲ ଖେଳରୁ ଓହରି ଆସିବାକୁ ହୋଇଥିଲା । ପାଠପଢା ବି ଆଗକୁ ଜାରି ରଖି ପାରି ନ ଥିଲା । ଜୀବନ ର ସଂଘର୍ଷ ପଥ ତାକୁ ତା ସ୍ବପ୍ନ ରାଇଜରେ ବିଚରଣ କରିବାକୁ ଦେଇ ନ ଥିଲା । ସେ ନିଜକୁ ଏକ ବିଶିଷ୍ଟ ଫୁଟବଲ ଖେଳାଳୀ ଭାବରେ ପରିଚିତ କରିବାର ସ୍ବପ୍ନ, ଆଶା, ଆକାଂକ୍ଷା ,ତା ଆର୍ଥିକ ସମସ୍ଯା ତଳେ ସମାଧିସ୍ଥ ହୋଇ ଯାଇଥିଲା ।ଆଜି ସେଇ ଫୁଟବଲ ଖେଳ ଦେଖି ସେ କିଛି ସମୟ ତା ଅତୀତର ସ୍ବପ୍ନ ରାଇଜ ଭିତରେ ହଜି ଯାଇଥିଲା , କିନ୍ତୁ ହଠାତ୍ ପ୍ରକୃତିସ୍ଥ ହୋଇ ବାସ୍ତବ ଜଗତ କୁ ଫେରି ଆସିଲା ଓ ତା ଗନ୍ତବ୍ୟ ପଥରେ ଆଗେଇ ଗଲା । ଭାବୁଥାଏ ,କାଲି ଫୁଟବଲ ଖେଳରେ ତା ହାତ, ଗୋଡ କାଦୁଅ, ବାଲି, ମାଟିରେ ଅସନା ହେଉଥିଲା ଆଉ ଆଜି ଗାଡି ମରାମତି କରି ମୋହିତ ତେଲରେ ତା ଦେହ, ମୁହଁ ଅସନା ହେଉଛି ।ତଫାତ୍ ଏତିକି ଯେ , ସେତେବେଳେ ସେ ନିଜ ସ୍ବପ୍ନକୁ ଧୂଳି ଧୂସରିତ କରି ଆନନ୍ଦିତ ହେଉଥିଲା , ଆଉ ଏବେ ସେ ଜୀବନକୁ ବାସ୍ତବତାର ରଂଗରେ ରଂଗେଇ ଚାଲିଛି । ପଛରେ ରହି ଯାଉଛି ତା ଇଚ୍ଛା, ଦୂରେଇ ଯାଉଛି ତା ଆଶା, ଆକାଂକ୍ଷା, ଭୁଲି ଯାଉଛି ତାର ବି କିଛି ସ୍ବପ୍ନ ଥିଲା । ଶୁଖିଲା ହସ ଆଉ ଦୀର୍ଘଶ୍ବାସ ପରିଧି ରେ ସେ ଖାଲି ଘୁରି ଘୁରି ବଞ୍ଚିଛି, ବଞ୍ଚିବା ଶିଖିଛି ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy