Lopamudra Parida

Inspirational

3  

Lopamudra Parida

Inspirational

ହଜିଲା ଦାଣ୍ଡ

ହଜିଲା ଦାଣ୍ଡ

3 mins
269



କାହାକୁ ନିରବରେ ଭଲପାଇବା ଏକ ଆକର୍ଷଣ, ଏକ କୋମଳ ଅନୁଭବ ।ସେ ' କାହାକୁ' ଟିକିଏ ବି ହେଇପାରେ କିନ୍ତୁ .... ସଜୀବ ନିଶ୍ଚେ ।କାହିଁକି କହିବି .... ଏଇ ଯୋଉ 'ଭଲପାଇବା' ଶବ୍ଦଟା ନା ନିର୍ଜୀବକୁ ବି ସଜୀବ କରିଦିଏ ।ନିର୍ଜନତାକୁ ସବୁଜିମାରେ ଭରିଦିଏ ସଜାଗ ରହି ରହିକା ।ଏଇ ଯେମିତି ମୁଁ ଭଲପାଉଥିଲି ତାକୁ । ତା ଘୋ, ଘୋ, ତା ହୋ ହୋ ଶବ୍ଦକୁ ।ଲୋକେ କୁହନ୍ତି, ହେ ଗହଳି କିଏ ଭଲପାଏ? କିନ୍ତୁ ତା' ଲମ୍ବା ପଣତ ପରି ଛାତିରେ ଗହଳି ମହକୁଥାଏ ଅଦୃଶ୍ୟ ଚେତନାରେ ।କିଏ କହେ ଯେ ତାର ଜୀବନ ନାହିଁ ! ଗୀତରେ କହେନା ' ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା ' । ଯଦି ଜୀଇଁନି ପୁଣି କହେ କେମିତି ! 


ସେ ପାଖରେ ହଜିବା ଶିଖିଥିଲି ଖୁବ ପିଲାଟିଦିନୁ ।ଦିନୁ ଦିନ ତାଠି ହଜିବାର ଝୁଙ୍କ ଜୋର୍ ଧରିଲା । ଭାରି ଭଲଲାଗୁଥିଲା ତା' ପାଖରେ ହଜିଯିବାକୁ ।ଆଉ ଦିନେ ଦେଖିଲି ସେଇ ' ଭଲଲାଗିବା 'ଟା 'ଭଲପାଇବା 'କୁ ବଦଳି ଯାଇଛି ।


ବୋଉ ହାତ ମୁଠେଇ ଧରି ବାଟ ଦେଖେଇ ଚିହ୍ନ ରଖଉଥିଲା, " ହେଇଟି ଦେଖିଥା ଏଇଟା କଦମଗଡ ଛକ..... ଜହ୍ନି ଖାଇଙ୍କୁ ମୁଣ୍ଡିଆ ମାରେ ..... ଖିରା, ରସଗୋଲା, ଛେନାତାଡିଆ, ରସାବଳୀ ବଡ ବଡ ଚେକା ଚେକା ଥାଳିରେ ଦିଶନ୍ତି, ଦିଶେ ନାଟ୍ୟଶାଳାର ଏନ୍ତୁଡି , ଏଇଟା ଦେଖେ କେଡେ ବାଘ ମୂର୍ତ୍ତି କେମିତି ମାଡି ବସିଛି ନୀରିହ ବାରଶିଙ୍ଗା ହରିଣ କୁ.... ଥରିଯାଏ କୁନିପେଟଟିର ନାହିମୁଣ୍ଡ ଭୟରେ କିନ୍ତୁ କାରିଗର ହାତର ଜାଦୁଗରୀ ଛୁଏଁ ବାଘର ନିଶ ହଳକ ଓ ହରିଣର ରଙ୍ଗ ଦେଖି ,ଏପଟେ ଅନା ଦିଅଁଙ୍କ ଲାଗି ଫୁଲ ଗୁନ୍ଥା ଥାନ ..... ପଟ୍ଟା କବାଟ ଫାଙ୍କରୁ କଦଳୀ ପାଟୁକାରେ ଗୁନ୍ଥି ହଉଥାନ୍ତି ଗୁରୁଦଲାଙ୍ଗ ଆଉ ମଲ୍ଲୀ ମାନେ ହସ ହସ, ଉଙ୍କୁଥାଏ ସୂକ୍ଷ୍ମ ଛୁଞ୍ଚି ଧରା ଆଙ୍ଗୁଳିମାନେ ତାଳ ଦେଇ ଫୁଲ ସହ .... ମୁଠେ ଝୁରା ଫୁଲ ଆଞ୍ଜୁଳି ଭରେ ସ୍ମିତ ହସଟେ ଧରି । ଆଗକୁ ଆଗକୁ ପାଦ ବଢୁଥାଏ ।ବାଟରେ ଛେତେଙ୍ଗା ( ଶ୍ୱେତଗଙ୍ଗା ) ,ବୁଢୀଠାକୁରାଣୀ, ଦକ୍ଷିଣକାଳୀ, ଖଜା ପଟି, ବଣିଆପଟି, କାକୁଡିଖାଇ, ଦକ୍ଷିଣ କବାଟ ମାହାବୀରି, ସବୁ ପ୍ରକାରେ ସରବତ ମିଳୁଥିବା ପରବତିଆ ନନା ଦୋକାନ,ସୋଲକାମରେ ତାରକସି ଗଢୁଥିବା ସିଦ୍ଧ ହସ୍ତ ଚିତ୍ର କର ଟୁଙ୍ଗି, ଘିଅ ଅରୁଆ ଆନ୍ନା ଜଳଖିଆ ।ଏ ସବୁ ହେଲେ ଲ୍ୟାଣ୍ଡ ମାର୍କ ।ଶେଷକୁ ମଶାଣି ମହାବୀର ଆଉ ତାଙ୍କ ଝଙ୍କା ପଣସ ବାରି, ସେଇ ହେଲା ଗଳି ଆରମ୍ଭ ।


ବୋଉ ସବୁଥର ଦେଉଳ ଗଲା ଆଇଲା ବେଳେ କହି କହି ଘୋଷେଇ ଦେଇଥିଲା ଆଉ କହିଥିଲା, 'ଯଦି ଲାଗିଲା ଯେ ହଜିଲ ଦାଣ୍ଡରେ ସିଧା ଏଇ ବାଟେ ବାଟେ ଘରକୁ ଯିବ ।ଡରିବନି କି କାନ୍ଦିବନି ।' ।ଏ କଥା ମୋ କାନରେ ଗଣ୍ଠି ପଡିଥିଲା । 


ଦିନେ ଅଜାଙ୍କ ସାଙ୍ଗରେ ଦେଉଳ ଯାଇ ବେଢା କରୁ କରୁ ସେମିତି ଲାଗିଲା ।କିଛି କଥା ନାହିଁ ।ମୁଁ ତ ଭାରତ ବାସୀ ,ଭାରି ସାହାସୀ ।ବାଟ ତ ମନେ ଥିବ ହି ,ଘୋଷିଥିଲି ଯେତେବେଳେ ।ସିଂହ ଦ୍ବାର ପାଖରେ ମୋ ସେତେବେଳକା ଉଚ୍ଚତାରୁ ଦି ଗୁଣ ଉଚ୍ଚ ସିଂହକୁ ଦେଖି ମନରେ ମନେ ବଳ ।ତା ବେକ ତଳଯାଏଁ ହାତ ଟେକି ଆଉଁସି ଦେଇ ବଡ ଦମ୍ଭରେ ପାଦ ବଢେଇଲି ଯେ ଗରୁଡସ୍ତମ୍ବ ଠି ଅଟକି ଭାବିଲି ଡାଁ କି ବାଁ କୋଉ ପଟକୁ ବୁଲିବି । ଖଜାପଟି ଦେଖି ଆଗେଇଲି । ଅଳ୍ପ ବାଟରେ ଡାକ୍ତର ଅଜାଙ୍କ ହୋମିଓହଲ ପଡିଲା ।ଆଖି ପଡିବା ମାତ୍ରକେ ବଡ ଖୁସିଟାଏ ହେଇ ଚଢିଗଲି ତାଙ୍କ ଦୋକାନ ପାହାଚ ଖପାଖପ୍ ।ସିଏ ତାଙ୍କ ଧଳା ଗୋଲ ଗୋଲ ଔଷଧ ଗୋଲି ଗୋଲ କରୁ କରୁ ଚଷମା ଟେକି ଥରେ ମତେ ଚାହିଁ ଆଉ ଥରେ ମୋ ପଛକୁ ଅଣ୍ଡାଳି ମତେ ଚାହିଁ ଛାପଛାପିଆ ଧଳାପାଚିଲା ଭ୍ରୁଲତା ନଚେଇ ପଚାରିଲେ, " ତୁ କଣ ଏକା? ତୋ ଅଜା କାଇଁ? " 


ମୁଁ ସେତବେଳକୁ ମୁଠେ ଧଳା ହୋମିଓପାଥି ଗୋଲି ଅକ୍ତିଆର କରି ପାଟିରେ ଚାକୁଳି କହିଲି ," ଅଜା ହଜିଗଲେ ।ଡରନି ।ସିଏ ଘର ବାଟ ମନେ ରଖିଛନ୍ତି ।ପୁରା ମୋ ଭଳିଆ ।" କହିସାରି ଖାଇବାରେ ମନ ଦେଲି ଓ ମଝିରେ ମଝିରେ ଦାଣ୍ଡକୁ ଚାହିଁବା ଜାରି ଥିଲା ।


ଆହା କି ନିର୍ଲିପ୍ତ ଉତ୍ତର ।ତାଙ୍କ ପାଖରେ ଆଉ କିଛି କହିବାର ବାଟ ନଥିଲା ସାତ' ବର୍ଷର ବିଶ୍ବାସୀ ଦମ୍ଭ ପିଲାଟିକୁ ।


ଅଳ୍ପ ସମୟେ ନାତୁଣୀ ହଜେଇଥିବା ଅଜା ମୋର ଦୁଃଖରେ ମ୍ରିୟମାଣ ,ଚିନ୍ତିତ ହେଇ ଅଧା ଝୁଙ୍କି ଗୃହାଭିମୁଖେ ସେଇ ପଥେ ଯାଉଥିବା ଅବସ୍ଥାରେ ପୁନଶ୍ଚ ମୋରି ଦ୍ବାରା ଆବିଷ୍କୃତ ହେଲେ ।ଆଉ ମୁଁ ବିରାଟ ପାଟିଟେ କରି ଜତେଇଦେଲି ଯେ ," ହଜିଲା ଅଜାଙ୍କୁ ମୁଁ ଖୋଜି ପାଇଲି " । ବାଃ କି ମଜା ।


ତା'ପରେ ପରେ ଆହୁରି ଶହେ ଥର ହଜିଛି ।ଆଉ ଯେତେ ଥର ହଜିଛି ସେତେ ସେତେ ନୂଆ ଚିଜ ବଡଦାଣ୍ଡରେ ଆବିଷ୍କାର କରିଛି ।ଏବେ ଯାଏ ବି ସେଇ ଦାଣ୍ଡରେ ଏକା ଏକା ଚାରିପଟକୁ ଦେଖି ଦେଖି ଚାଲିବାର ଅନୁଭୂତି ନିଆରା ।ଏତେ ବଡ ଦାଣ୍ଡ ସଂସାରେ ନାହିଁ ।ତିନି ରଥ ପଛେ ବ୍ରହ୍ମାଣ୍ଡ ଗହଳିକୁ କୋଳେଇ ନେଇପାରୁଥିବା ଏଇ ମୋର ପ୍ରିୟ ଦାଣ୍ଡ ।


__________________

ଫନି ବାତ୍ୟା ବେଳେ ଖଣ୍ଡିଆ ଖାବରା ହେଇଯାଇଥିବା ଦାଣ୍ଡ , ସୌନ୍ଦର୍ଯ୍ୟକରଣରେ ଲୁଟି ହେଇଥିବା ଦାଣ୍ଡ ଆଉ ମହାମାରୀରେ ମୁକ ସାଜିଥିବା ଦାଣ୍ଡକୁ ଦେଖି ଖୋଜୁଥିଲି ମୋ ପ୍ରିୟ ଦାଣ୍ଡକୁ , ଯୋଉଠି ଜୀବନ ଲହଡି ମାରୁଥିଲା ଦିନରାତି କେତେ ରୂପରେ ।


________________________



Rate this content
Log in

Similar oriya story from Inspirational