STORYMIRROR

Seetaram Dash

Tragedy

3  

Seetaram Dash

Tragedy

ହିସାବ

ହିସାବ

2 mins
527


    ଚିନ୍ମୟୀ ଦେବୀ, ପୁରା ଗାଁରେ ତାଙ୍କୁ ଚିନୁ ଅପା, ଚିନୁ ଅପା ବୋଲି ଡାକନ୍ତି। ଚମ୍ପା ଫୁଲ ପରି ଦେହର ରଙ୍ଗ ଆଉ ଚମ୍ପା ଗଛର ଡାଳ ପରି ପତଳା ଶରୀର ତାଙ୍କର। ବୟସ ଷାଠିଏ ନ ହେଲେ ବି ଷାଠିଏ ପାଖା ପାଖି ହେବ। ଚିନ୍ମୟୀ ଦେବୀଙ୍କ ହସ ହସ ମୁହଁ ଆଉ ସୁନ୍ଦର ବ୍ୟବହାର ପାଇଁ ସେ ସମସ୍ତଙ୍କ ଅତି ପ୍ରିୟ।


   ଚିନ୍ମୟୀ ଦେବୀ ଦାଣ୍ଡ ପଟୁ ଛୋଟେଇ ଛୋଟେଇ ଆସି ଘର ପିଣ୍ଡାରେ ନଥ କରି ବସି ପଡିଲେ। ଲୁଗାଟିକୁ ଆଣ୍ଠୁ ଉପରୁ କାଢ଼ିଦେଇ ଆଣ୍ଠୁକୁ ଜୋରରେ ମୁଠାଇ ଧରିଲେ। ପାଟିରୁ ବାହାରି ଆସିଲା ଓଃ କି ଯନ୍ତ୍ରଣା। କିଛିମାସ ତଳେ ଚିନ୍ମୟୀ ଦେବୀଙ୍କ ଆଣ୍ଠୁ ଗଣ୍ଠି ରୋଗ ବାହାରିଥିଲା। ଭାରି ଯନ୍ତ୍ରଣା ଏ ରୋଗ। ବସିଲେ କଷ୍ଟ ଏବଂ ଉଠିଲେ ମଧ୍ୟ କଷ୍ଟ। ଏବେ ପ୍ରାୟ ବୟସ୍କ ବ୍ୟକ୍ତିମାନଙ୍କର ଏ ରୋଗ ବାହାରୁଛି। ମେଡ଼ିସିନ ଖାଇଲେ ଭଲ ମେଡ଼ିସିନ ବନ୍ଦ ହେଲେ ଯେଉଁ କଥାକୁ ସେଇ କଥା। ଡାକ୍ତର କହିଛି ହାଡ଼ ଭିତରେ ଥିବା ଏକ ପ୍ରକାର ରସ ଶୁଖି ଯାଇଛି। ଲଗାତାର ମେଡ଼ିସିନ ଖାଇବାକୁ ପଡିବ। ତା ସାଙ୍ଗକୁ ପୃଷ୍ଟିକର ଖାଦ୍ୟର ଆବଶ୍ୟକ।


    ଦିନ ଥିଲା ଚିନ୍ମୟୀ ଦେବୀ ଭୋର ଚାରିଟାରୁ ପୁଣି ରାତି ଦଶ ପର୍ଯ୍ୟନ୍ତ ଖଟୁଥିଲେ। ଚାଷବନ୍ଦୀ ଘର। ଗୁହାଳେ ଅନେକ ଗୋରୁଗାଈ। ତା ସାଙ୍ଗକୁ ଧାନ ଉଁସା, ଘଷି ପରା, ଓଷା ବ୍ରତ ଏବଂ ବନ୍ଧୁବାନ୍ଧବ ଘରର ଯାବତୀୟ କାମ ଏକା କରୁଥିଲେ। ଏମିତିକି ଚାଷ ବାସ ସମୟରେ ଧାନ, ମୁଗ ବିରି ପାଛୁରା ପାଛୁରି କରି ବର୍ଷକ ପାଇଁ ସାଇତି ରଖିବାକୁ ପଡୁଥିଲା। ନିଜ ଖାଇବା ପିଇବା ଦେହ ମୁଣ୍ଡ କଥା ଦିନେ ମଧ୍ୟ ଭାବିବାକୁ ସମୟ ପାଇଁ ନାହାନ୍ତି ବୟସ ବେଳେ। ମନରେ ଗୋଟିଏ ଅଭିଳାଷ ପୁଅ ଅଙ୍କିତ ବଡ଼ ହୋଇଗଲେ ମୋ ଦୁଃଖ ସରିଯିବ। ଦଣ୍ଡେ ବସୁ ନ ଥିବା ମଣିଷଟି ଏବେ ସମୟ ନିକଟରେ ହାର ମାନିଛି। ବୟସ ତାଙ୍କୁ ପୋକଖିଆ ବାଉଁଶ ପରି ଦୁର୍ବଳ କରିଦେଇଛି।


  ବୋଉର ପାଟି ଶୁଣି ଘର ଭିତରୁ ଅଙ୍କିତ ଆସି ବୋଉ ଉପରେ ବହୁତ ବିରକ୍ତ ହେଲା। ରାଗରେ କହିଲା, "କଣ ଦରକାର ଆଡେ ସାଡେ ଯିବା। ଗୋଡ଼ ତ ଭଲ ନାହିଁ। ତତେ କିଏ କହୁଛି କାମ କରିବାକୁ। ବୁଲିବା ଗୋଟେ ତୋର ଅଭ୍ୟାସ, ଘେରାଏ ନ ବୁଲିଲେ ସତେ ଯେମିତି ଭାତ ହଜମ ହେବନି। ଜାଣିଛୁ ଏ ଗୋଡ଼ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଲାଣି। ଛ ମାସରେ ତିରିଶ ଚାଳିଶ ହଜାର ଖର୍ଚ୍ଚ ହେଲାଣି। ତତେ କଣ ଜଣା ପଡୁଛି। ଛ ମାସ ହେଲାଣି କେତେ କ୍ଷୀର ତୋ ପାଇଁ ଆସୁଛି ହିସାବ କରିଛୁ"


ବୋଉ ଶାନ୍ତ ଚିତ୍ତରେ କହିଲେ, "ମୁଁ ହିସାବ କରିବା କଣ ଦରକାର। ତୁ ତ ହିସାବ କରୁଚୁନା...."


ଚିନ୍ମୟୀ ଦେବୀଙ୍କ ମୁହଁରେ ଏକ ଭିନ୍ନ ପ୍ରକାର ହସ ଥିଲା। ଅଙ୍କିତ ବୋଉ ଏମିତି ହସିବାର କେବେ ଦେଖିନି। ଅଙ୍କିତ ପାଇଁ ସେ ହସ ଥିଲା ମୋନାଲିସାର ହସ ଠୁ ବି ଆହୁରି ରହସ୍ୟମୟ। କିଛି ବି ବୁଝି ପାରିଲାନି ଅଙ୍କିତ, ବୋଉ ଦୁଃଖରେ ହସୁଛି ନା ଖୁସିରେ...


ଚିନ୍ମୟୀ ଦେବୀ ସେଇ ପିଣ୍ଡାରେ ଦୂର ଦିଗବଳୟକୁ ଚାହିଁ ଭାବୁଥିଲେ, ତୁ ଦେଇଥିବା କ୍ଷୀରର ହିସାବ ତୋ ପାଖରେ ତ ଅଛି କିନ୍ତୁ ମୁଁ ତତେ କେତେ କ୍ଷୀର ଦେଇଛି ତାର ହିସାବ ନାହିଁ।




Rate this content
Log in

Similar oriya story from Tragedy