ହିରୋ
ହିରୋ
ଆମ ଅଞ୍ଚଳର ସବୁ ପିଲାଙ୍କ ପ୍ରଥମ ପସନ୍ଦ ସ୍ୱରାଜ ହାଇ ସ୍କୁଲ । ଇଚ୍ଛା ଥିଲେ ବି ସବୁ ପିଲା ସେଠି ପଢି ପାରନ୍ତି ନାହିଁ । ନାମ ଲେଖା ପୂର୍ବରୁ ପିଲାଙ୍କୁ ପରୀକ୍ଷା କରାଯାଏ, ଯେଉଁମାନେ ଭଲ ନମ୍ବର ରଖନ୍ତି ସେଇ ମାନଙ୍କୁ ସ୍କୁଲରେ ନାଁ ଲେଖାଇବା ସୁଯୋଗ ହିଁ ମିଳେ । ସେଥିପାଇଁ ସ୍ୱରାଜ ସ୍କୁଲରେ ପଢିବା ପାଇଁ ପିଲା ଓ ଅଭିଭାବକଙ୍କ ମଧ୍ୟରେ ତୁମୁଳ ପ୍ରତି ଯୋଗିତା ଚାଲେ । ପିଲା ମାନେ ପ୍ରବେଶିକା ପରୀକ୍ଷା ପାଇଁ ଷଷ୍ଠ ଶ୍ରେଣୀରୁ ପ୍ରସ୍ତୁତ ଆରମ୍ଭ କରି ଦିଅନ୍ତି ।
ସପ୍ତମ ଶ୍ରେଣୀ ପରେ ମୋ ନାଁ ସ୍ୱରାଜ ଉଚ୍ଚ ବିଦ୍ୟା
ଳୟରେ ଲେଖା ହେବା ପାଇଁ ସ୍ଥିର ହେଲା । ଘର
ଠାରୁ ଦୁଇ ତିନି କିଲୋମିଟର ଦୂର । ଉପର ତଳ ହୋଇ ସତେଇଶି ଜଣ ପିଲା ଆମ ଗାଆଁରୁ ସେ ସ୍କୁଲରେ ପଢ଼ନ୍ତି । ବଡ଼ ସ୍କୁଲ ଭଲ ରେଜେଲଟ କରେ ।
ପାଠ ଶାଠରେ ଧୁରନ୍ଧର ସେ ସ୍କୁଲର ଶିକ୍ଷକମାନେ ।
ପିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଏ ସେଠି । ବହୁତ ମେଧାବୀ ଛାତ୍ର ସ୍ୱରାଜ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ସମାଜରେ ଜଣେ ଜଣେ ଲବ୍ଧ ପ୍ରତିଷ୍ଠିତ ଦାୟିତ୍ୱ ସମ୍ପନ୍ନ ଅଫିସର୍ । ସବୁ ବାପା ମାଆଙ୍କର ତଥା ପିଲା ମାନଙ୍କର ବି ଇଚ୍ଛା ସେଇ ସ୍କୁଲରେ ପପଢିବାକୁ ।
ସ୍କୁଲରେ ପ୍ରଥମ ଦିନ । ନାଁ ଲେଖାଇବା ପାଇଁ ଭାଇ ମୋତେ ସାଙ୍ଗରେ ନେଇ ଯାଇଥିଲେ । ଏତେ ବଡ଼ ସ୍କୁଲ ଦେଖି ମୋତେ ଭାରି ଡର ଲାଗିଲା । ସ୍କୁଲ ଗେଟ୍ ଖୁବ୍ ବଡ଼ ଓ ଉଚ୍ଚ । ବଡ଼ ଗେଟ୍ ପାଖେ ଛୋଟ ଗେଟ୍ ଟିଏ ଅଛି । ପ୍ରାର୍ଥନା ପରେ ବଡ଼ ଗେଟ୍ ରେ ତାଲା ଝୁଲେ । ଛୋଟ ଗେଟ୍ କେବଳ ଜଣେ ଗଲା ପରି ।
ନିହାତି କାହାର ଦରକାର ପଡ଼ିଲେ ସେଇ ଛୋଟ ଗେଟ୍ ଦେଇ ବାହାରକୁ ଯାଆନ୍ତି । ପ୍ରଥମରୁ ଗେଟ୍ ଦେଖି ମୁଁ ଭୟରେ ଥରିଲି ସ୍କୁଲ ଭିତରକୁ ଯିବାକୁ ଆହୁରି ଭୟ ଲାଗିଲା ।
ଭଗବାନ ପିଅନ ଗେଟ୍ ଖୋଲିଲେ । ମୋତେ ନେଇ ଭାଇ ଅଫିସକୁ ଗଲେ । ଗେଟ୍ ପାଖରୁ ଅଫିସ୍ ପର୍ଯ୍ୟନ୍ତ ଲମ୍ବିଛି ଏକ ରାସ୍ତା । ରାସ୍ତାର ଦୁଇ କଡ଼ ବିଭିନ୍ନ ଫୁଲ ଗଛ ଲଗା ଯାଇଛି । ରାସ୍ତାର ବାଁ କଡେ ପ୍ରାର୍ଥନା ପଡିଆ ଓ ଡାହାଣ ପଟେ ହଷ୍ଟେଲ ଯିବାକୁ ବାଟ । ବଡ଼ ବଡ଼ ଗଛ ବି ଲାଗିଛି । ସ୍କୁଲଟିର ପରିବେଶ ଚମତ୍କାର । ପିଲା ଖୁସି ହୋଇଯିବେ ଏହାର ମାହୋଲ ଦେଖିଲେ । ଶିକ୍ଷକ ମାନେ ଅତି ଯତ୍ନ ନିଅନ୍ତି ପିଲା ମାନଙ୍କର ।
ବୟସ ତୁଳନାରେ ମୋର ସ୍ୱାସ୍ଥ୍ୟ ଏକଦମ୍ ଖରାପ । ମୋତେ କେହି ଦେଖି କହିବ ନାହିଁ ମୁଁ ଅଷ୍ଟମ ଶ୍ରେଣୀରେ ପଢିବି । ଡରକୁଳା ଆଖିକୁ ଥାକୁଲ୍ ଥାକୁଲ ବାଗୁଲି ବାଳ । ହାତ ଗୋଡ଼ କଣି ପରି । ସେଇଥିପାଇଁ ସାଙ୍ଗମାନେ ଡାକୁଥିଲେ ବଣି ।
ସ୍ୱରାଜ ସ୍କୁଲରେ ନାଁ ଲେଖା ପୂର୍ବରୁ ପିଲାଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡେ । ମୋ ସହ ଚାରିଶହ ପିଲା ପ୍ରେବେଶିକା ପରୀକ୍ଷା ଦେଲେ ।
ସେଥିରୁ ଦୁଇଶହ ସତେଇଶି ଜଣଙ୍କୁ ନାମ ଲେଖାପାଇଁ ଡକା ଗଲା । ଦୁଇ ଜଣ ପିଲା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମୁଁ ଆଉ ସୈକତ ।
ସୈକତ ସେକ୍ସନ ଅଫିସରଙ୍କ ପୁଅ । ତାଙ୍କ ଘର ବାଲେଶ୍ଵର । ତା ବାପା ଏଇଠି ଚାକିରୀ କରୁଥିବାରୁ ସେ ସ୍ୱରାଜ ସ୍କୁଲରେ ନାମ ଲେଖାଇଥିଲା । ସେ
ପ୍ରବେଶିକା ପରୀକ୍ଷା ଦିନୁ ସୈକତ ମୋତେ ଯେତିକି ଭଲ ପାଉଥିଲା ସେତିକି ତାର ପ୍ରତିଦ୍ବନ୍ଦୀ ଭାବୁ
ଥିଲା । ମୋ ସେକ୍ସନ କ ଓ ସୈକତର ଖ । ଏହିପରି ଛଅଟି ସେକ୍ସନ ଆମ ଅଷ୍ଟମ ଶ୍ରେଣୀରେ ଥିଲା ।
ସେକ୍ସନ ଭିନ୍ନ ହେଲେ ମଧ୍ୟ ରିସେସ୍ ସମୟରେ ସୈକତ ମୋ ପାଖକୁ ତା ଟିଫିନ୍ ନେଇ ପଳାଇ ଆସେ । ମୋ ସାଙ୍ଗ ମାନେ କୁହନ୍ତି ହେଇ ଦେଖ "ହିରୋ" ଆସିଗଲେ । ସୈକତ ଦେଖିବାକୁ ସେମିତି ହିରୋ ପରି ଥିଲା । ଅଷ୍ଟମ ଶ୍ରେଣୀରେ ପଢିଲେ ବି ଦଶମ ପିଲା ପରି ଲାଗୁଥିଲା । ନାକ ତଳ ଶାଗୁଆ ଶାଗୁଆ ଦିଶୁଥିଲା ।
ମୋତେ ଖରାପ ଲାଗେ ସୈକତ ଯେତେବେଳେ ସମସ୍ତଙ୍କ ଆଗରେ ଶତାବ୍ଦୀ ଶତାବ୍ଦୀ ରଡି ଛାଡେ । ଭାରି ମଜାଳିଆ କଥା କହି ସମସ୍ତ ଙ୍କୁ ହସାଏ ।
ଶତାବ୍ଦୀ ତୁ କେମିତି ଡାଇଟିଂ କରୁଛୁ କହିଲୁ? ତୁ କଣି, ବଣି । ମୋତେ ଦେଖ୍ ଚୁଡା ଫୁଲିଲା ପରି ହେଉଛି ।
ଡାଇଟିଂ !! ଫିକ୍ କରି ହସିଦିଏ ମୁଁ । ମୁଁ ଯାଉ ଆସୁ ଖାଉଥାଏ । ମୋ ଦେହରେ କାଇଁ ଲାଗୁନି ବୋଲି ମା ବ୍ୟସ୍ତ ହେଉଛି ।
ନାଇଁ ନାଇଁ ତୁ ପୁରା ଠିକ୍ ଅଛୁ ଶତାବ୍ଦୀ । ମୋ ପରି ହେବାକୁ ଚେଷ୍ଟା କରିବୁନି । ମୋତେ ଯିଏ ଦେଖୁଛି କହୁଛି କଣ କଲେଜରେ ପଢୁଛ?
ହା ହା ଆମେ ସବୁ ସାଙ୍ଗ ସୈକତ କଥା ଶୁଣି ହସି ଉଠୁ । ସେ ମୁହଁଟି ଆମ୍ବିଳା କରି ଗୋଡ଼ ହାତ ଛାଟି ଚାଲିଯାଏ ।
ଛଅଟି ସେକ୍ସନ ରେ ମୁଁ ପ୍ରଥମ ଓ ସେ ଦ୍ୱିତୀୟ ହୁଏ । ସେଥିପାଇଁ ବେଳେବେଳେ ସେ ମୋତେ ରାଗେ ।
ସୂତ୍ରରେ ମୁଁ ଦିନକୁ କେତେ ଘଣ୍ଟା,କେମିତି,କାହା ପାଖେ ଟିଉସନ୍ ହେଉଛି ଆଦି ଜାଣିବାକୁ ଚାହେଁ ।
ଦ୍ଵିତୀୟ ହେଉଛି ବୋଲି ମନ ଊଣା କରେ ।
ସେଇ ସୈକତ ଦଶମ ପରୀକ୍ଷା ଆଉ ଅଳ୍ପ ଦିନ ବାକି ଥାଏ ଦିନେ ମୋତେ ଖେଳ ପଡିଆ ଆଡ଼କୁ ଡାକି ନେଇ କହିଲା, ଶତାବ୍ଦୀ ପରୀକ୍ଷା ପରେ ଆଉ ଦେଖା ହେବନି । କିଏ କୁଆଡେ ଚାଲିଯିବା । ତୋ ମନଦୁଃଖ ହେବନି ।
ହଁ ହେବ । କିନ୍ତୁ ଆମେ କଣ ଏଇଠି ସବୁବେଳେ ପଢ଼ୁଥିବା? ସ୍କୁଲ ଛାଡି ଆଗକୁ ବଢିବାକୁ ହେବ ନା ।
ତା ତ ସତ । ମୁଁ ତୋର ମନେ ରହିବି ତ ଶତାବ୍ଦୀ !
ହଁ, ସାଙ୍ଗ ଟା କେତେ ପ୍ରତିଦ୍ୱନ୍ଦିତା କରୁ ମୋତେ ହଟେଇବାକୁ । ତୁ ଜାଣିଛୁ ସୈକତ ଖାସ୍ ତୋ ପାଇଁ ସବୁ ପରୀକ୍ଷାରେ ଶହେକୁ ଶହେ ଆଣିବା ଚେଷ୍ଟା ରେ ଥାଏ । କହିବାକୁ ଗଲେ ତୁ ମୋ ଭଲ ପଢିବାର ଗୋଟିଏ ଉତ୍ସ ।
ଭାରି ଚାଲାକ୍ ତ । ମୋ ଯୋଗୁଁ ଭଲ ପଢ଼ିଲୁ ତା ବଦଳରେ ମୋତେ କିଛି ଦେବା କଥା ।
ମୁଁ ପାଠ ପଢି ଚାକିରୀ କଲେ ଯାହା ମାଗିବୁ ଦେବି । ଏବେ କେଉଁଠୁ କଣ ଆଣି ଦେବି !
କିଣା ଜିନିଷ ମୋର କଣ ହେବ!
ଆଉ !! ତୁ କଣ ଚାହୁଁ ସୈକତ!
ତୁ ମୋତେ ଲବ୍ କରିପାରିବୁ! ଦେଇ ପାରିବୁ ତୋ ଭଲ ପାଇବା !
ପାଗଳ ….ପିକ୍ଚର ଫିକ୍ଚର ଦେଖୁଛୁ କିରେ?ଯା ଯା ଟପ୍ କରିବା ପାଇଁ ପଢା ପଢି କର । ମୋତେ ଅଧିକ ନମ୍ବର ରଖି ଟପେଇବାକୁ ଚେଷ୍ଟା କର ।
ଦଶମ ପରୀକ୍ଷା ନ ଦେଉଣୁ ପୁଅ ଲବ୍ କଲାଣି ।
ଏତକ କହି ହସି ହସି ମୁଁ ତା ପାଖରୁ ଦଉଡ଼ି ପଳାଇ ଆସିଲି ।
ସେଇ ଦିନୁ ସୈକତ ମୋତେ ଦେଖିଲେ ହାଣ୍ଡିଟା ପରି ମୁହଁ କରେ । ଏମିତି ଦଶମ ପରୀକ୍ଷା ସରି ଗଲା । ଆମେ ଦୁହେଁ ଟପ୍ ଶହେ ପିଲାଙ୍କ ଭିତରେ ଥିଲୁ । ମୋ କଥା ସତ କରି ସୈକତ ମୋ ଠାରୁ ଦୁଇ ନମ୍ବର ଅଧିକ ରଖିଥିଲା । ସାର୍ଟିଫିକେଟ୍ ଆଣିଲା ଦିନ ସୈକତ ମୋତେ ଦେଖି ବି କିଛି କହିଲା ନାହିଁ । ମୋତେ ବହୁତ ଖରାପ ଲାଗିଲା । ମୋ ତରଫରୁ କହିଲି, କଂଙ୍ଗ୍ରାଟସ୍ ସୈକତ, ତୁ ମୋଠାରୁ ଦୁଇ ନମ୍ବର ଅଧିକ ରଖିଛୁ ।
ତୁ କଣ ଭାବୁଥିଲୁ ତୁ ମୋତେ ନମ୍ବର ରେ ଅଧିକ ପଢିକି ରଖୁ ?
ଆଉ !!
ମୁଁ ତୋତେ ଦୟା କରେ । ତୋ ମୁହଁର ଖୁସି ପାଇଁ ଜାଣି ଜାଣି କିଛି ନମ୍ବର ଆସିଲେ ବି ମୁଁ ଛାଡି ଆସେ । ତୁ ଜାଣିନୁ ଶତାବ୍ଦୀ ତୋ ମୁହଁକୁ ହସ କେମିତି ମାନେ ।
ଆଁ . ଆଜିଯାଏ ମିଛଟାରେ ମୁଁ ପ୍ରଥମ ହୋଇ ଆସୁଥିଲି!! ନିଜ ଉପରେ ଖୁବ୍ ରାଗ ହେଲା ।
ହେଉ ହେଉ ଏତେ ଦାନୀ କର୍ଣ୍ଣ ଦେଖେଇ ହଅନା ।
ତିନି ବର୍ଷ ଭିତରେ ପାରିଲୁଣି ତ ସେଇପାଇଁ ଏମିତି ମିଛ କହୁଛୁ ।
ହେ ଯା ମ ଏ ହିରୋ କେବେ ମିଛ କୁହେନି । ତୁ କିନ୍ତୁ ମିଛେଇ ଶତାବ୍ଦୀ । ମୋତେ ଭଲ ପାଉ କିନ୍ତୁ ସ୍ୱୀକାର କରିବାକୁ ଚାହୁଁନାହୁଁ । ଦିନେ ମୋ ଭଲ ପାଇବା ପାଇଁ ପାଗଳ ହେବୁ ଭବିଷ୍ୟ ବାଣୀ କରୁଛି ।
ସେଇ ଆମ ଶେଷ ଦେଖା । ତା ବାପାଙ୍କ ବଦଳି ହୋଇ ଯାଇଥିଲା । ସେ ଭୁବନେଶ୍ବର କେଉଁ କଲେଜ ରେ ପଢୁଥିଲା ମୁଁ ଜାଣି ନଥିଲି । ମୁଁ ରେଭେନ୍ସା ରେ ପଢ଼ିଲି । ସତ କଥା କଲେଜରେ ମୋ ରୁମ ମେଣ୍ଟ୍ ଯେତେ ବେଳେ ତାଙ୍କ ବଏ ଫ୍ରେଣ୍ଡ୍ ଙ୍କ କଥା ହୁଅନ୍ତି ସେତେବେଳେ ସୈକତ ମୋର ସତରେ ଖୁବ୍ ମନେ ପଡେ । ଇଚ୍ଛା ହୁଏ ବଡ଼ ପାଟିରେ କୁହନ୍ତି ଆଇ ଲବ୍ ୟୁ ସୈକତ ,ଆଇ ଲବ୍ ୟୁ ।
ସମୟ ସବୁ ଭୁଲେଇ ଦେଲା । ଏହା ଭିତରେ ପନ୍ଦର ବର୍ଷ ବିତିଗଲାଣି ସ୍କୁଲ ଛାଡିବା । ଆମ ବ୍ୟାଚର ସମସ୍ତେ ପ୍ରାୟ ଘର ସଂସାର କଲେଣି । ମୁଁ ବି ଚାକିରୀ ସହ ବିବାହ କରି ଦୁଇ ବର୍ଷର ଝିଅଟିଏ ମୋର । କିନ୍ତୁ ଏତେ ଦିନ ପରେ ବିଶ୍ୱ ରେ ମୃତ୍ୟୁ ଭୟ ମୋଡି ମାଡି ଭାଙ୍ଗିଦେଲା ବେଳେ ଆମ ଗାଁ ର ସୁବୋଧ ଫୋନ୍ କରି ମୋତେ କହିଲା ଶତାବ୍ଦୀ ତୋର ସୈକତ ମନେ ଅଛି ତ ?
ହଁ ସେଇ ହିରୋ ତ !!
ହଁ ଜାଣିଛୁ ସେ ଅନ୍ ମ୍ୟାରେଡ୍ ଥିଲା । ତା ସହ ହଠାତ୍ ହାଇଦ୍ରାବାଦରେ ମୋର ଦେଖା ହୋଇ ଯାଇଥିଲା । ପରସ୍ପର ଭଲ ମନ୍ଦ କଥା ହେଉ ସେ ଅନ୍ ମ୍ୟାରେଡ୍ କାହିଁକି ପ୍ରଶ୍ନରେ କହିଲା ଜଣକୁ ଭଲ ପାଉଥିଲି ସେ ସ୍ୱୀକାର କଲାଣି ତ । ହୋ ହୋ ହୋଇ ହସି ଉଠି ସେ ପୁଣି କହିଲା ଇଟ୍ସ ଏ ଜୋକ୍ । ଇଚ୍ଛା ହେଲା ନାହିଁ ମ୍ୟାରେଜ୍ କରିନି ।
ସେମିତି କେହି ମିଳିଲେ କରିନେବି ।
ସେଇ ସୈକତ ଦୁଇ ଦିନ ହେବ କରୋନାରେ ଚାଲିଗଲା ।
ଓଃ ଭଗବାନ !ମୁଁ ପଥର ହୋଇଗଲି । ଏତେ ଦିନ ପରେ" ହିରୋ" ତୋ ଖବର ପାଇଲି ଯେ କେମିତି ଖବର ଦେଖ । ତୁ ସତରେ ଏତେ ଭଲ ପାଉଥିଲୁ ମୋତେ !! ଶେଷରେ ଯେଉଁ ଭଲ ପାଇବାର କେଉଁ ଦିଗ କି ଭବିଷ୍ୟତ ନଥିଲା ସେଇ ଭଲ ପାଇବା ପାଇଁ ତୋର କି ତ୍ୟାଗ !!
ଭାବିଥିଲି କେବେ ଥରେ ଦେଖା ହେଲେ ସ୍ୱୀକାର କରଥାନ୍ତି ରେ ହିରୋ" ମୁଁ ତୋତେ ଭଲ ପାଉଥିଲି ବୋଲି ପ୍ଲସ ଥ୍ରୀ ରେ ପଢିଲା ବେଳେ ଅନୁଭବ କଲି । କିନ୍ତୁ ସ୍ୱୀକାର କରିବାକୁ କି ତୋ ପାଖେ ଏ ଖବର ପହଞ୍ଚେଇବାକୁ ମୋ ପାଖେ କିଛି ସୁବିଧା ନଥିଲା । "
ଓଃ ହିରୋ ଆଇ ଲବ୍ ୟୁ ।
