PRANATI MAHAPATRA

Tragedy

3  

PRANATI MAHAPATRA

Tragedy

ହେ ପ୍ରଭୁ ଶାନ୍ତି ଦିଅ

ହେ ପ୍ରଭୁ ଶାନ୍ତି ଦିଅ

6 mins
146


ତରତର ହୋଇ ହାତରେ ଦୁଇଟା ଥଳି ଧରି ବାହାରିଗଲି । ଭୋର ପାଞ୍ଚଟା ସମୟ ହେବ ବୋଧହୁଏ । ଘରେ ଅଟା,ମୁଢି, ପନିପରିବା, ଆଳୁ ତେଲ ଇତ୍ୟାଦି ସରିଯାଇ ଥାଏ । ଗତ ୨୧ତାରିଖରୁ ସାରା ଭାରତ ବନ୍ଦ,ଓଡିଶା ବନ୍ଦ । ଘରୁ ବାହାରକୁ ନ ବାହାରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କଡା ହୁକୁମ୍ । ଶକ୍ତିଶାଳୀ ଚୀନର ଉହାନ ସହରରୁ ଉତ୍ପତ୍ତି ହୋଇଥିବା ମାରାତ୍ମକ ମହାମାରୀ କରୋନା ଜୀବାଣୁ ପାଇଁ । ତାଙ୍କ ନିର୍ଦ୍ଦେଶ ଅମାନ୍ୟ କରି କେହି ଘରୁ ବାହାରକୁ ବାହାରିଲେ ପୋଲିସ ମାମୁଁଙ୍କ ଲାଠି ପ୍ରହାର । ଏମିତି ଲାଠି ପ୍ରହାର ହେଉଛି ଯେ ୧୪୪ଧାରା ତା ଆଗରେ ଫିକା ପଡିଯାଉଛି । ଅପରାଧୀଙ୍କୁ ଥାର୍ଡ ଡିଗ୍ରୀ ଚାର୍ଜ ହେବାଭଳି । କେହି କେହି କହୁଛନ୍ତି କାଳେ ଫାୟାରିଂ ପାଇଁ ବି ନିର୍ଦ୍ଦେଶ ପାଇଛନ୍ତି ସେମାନେ । ଯାହାହେଉ ସମୁହ ସ୍ଵାର୍ଥ ପାଇଁ ଏଭଳି ପଦକ୍ଷେପ ନିଶ୍ଚିତ ଭାବରେ ସ୍ଵାଗତଯୋଗ୍ୟ ।


ହେଲେ ଏଇଠି ଗୋଟିଏ କଥା ମନକୁ ଆସେ,ଏ ଭୂତାଣୁ ଏ ଭାରତକୁ ଆସିଲା କେମିତି?ଯଦି ଜାନୁଆରୀ ମାସରୁ ଭାରତ ଭିତରକୁ ଅନ୍ୟ ଦେଶରେ ରହିଥିବା ଭାରତୀୟ ମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆ ଯାଇ ନ ଥାନ୍ତା, ଆମେ କଣ ଘରେ ଏମିତି ବନ୍ଦୀ ଜୀବନଯାପନ କରିଥାନ୍ତେ । ତ ସର୍ବପ୍ରଥମେ ଯଦି ନିୟମ ସେଇ ମାନଙ୍କ ପାଖରୁ ଲାଗୁ ହୋଇ ଥାନ୍ତା, ଆଜି ଏ ଦୁର୍ଦ୍ଦଶାର ଶିକାର ହୋଇ ନ ଥାନ୍ତେ ଭାରତୀୟ । ସେ ଯାହା ହେଉ ମୋ କାହାଣୀ ଠାରୁ ଦୂରେଇ ଗଲିଣି । ସକାଳ ୬ ଟାରୁ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହୁଥିବାରୁ ଗତ ରାତିରୁ ଭାବିଥିଲି ସକାଳୁ ସକାଳୁ ଉଠି ଘରର ଆବଶ୍ୟକ ଜିନିଷପତ୍ର ଆଣିବି ବୋଲି । ଘରେ ସମସ୍ତେ ଶୋଇଥିଲେ । କେହି ବି ଉଠି ନ ଥାନ୍ତି । ତରତର ହୋଇ ଚାଲିଛି ମୁଁ ଆଗ ପନିପରିବା ଆଣିବି । ବାପ୍ ରେ ବାପ୍ । ପରିବା ଦୋକାନରେ ଏତେ ଭିଡ । ଯାହା ହେଉ ଗୋଟେ ଥଳି ହୋଇଗଲା ପରିବା,ଆଳୁ,ପିଆଜ ଇତ୍ୟାଦି । ସେଇଠୁ ଗଲି ସେମିତି ଥଳି ବୋହି ବୋହି । ସଉଦା କିଛି ମୁଢି ବସ୍ତା ଟିଏ ଆଣି ଛକ ମୁଣ୍ଡରେ ପହଞ୍ଚି ଗଲି । ବାକି ରହିଲା ଅଟା ପାଞ୍ଚକିଲୋ ଆଣିବି । ଗହମ ପେଷା ଚାଲିଛି । ଦୋକାନୀ ଭାଇ ମୋର ଦୋକାନର ସଟରଟି ଅଧା ତିନିଭାଗ ତଳକୁ ଟାଣି ଦେଇଛି । ତଳେ ମୁହଁ ଗଳେଇ ପଚାରିଲି, ଶରତଭାଇ ଅଟା ଅଛି ନା । ପାଟି ବାରିନେଇ କହିଲା ହଁ ।


ମୁଁ ସେତେବେଳକୁ ଦୋକାନ ଦୁଆରେ ପଡିଥିବା ବେଞ୍ଚ ଉପରେ ବସି ପଡିଲି । ଏତେ ଗୁଡାଏ ଜିନିଷ ବୋହି ଆଣିବା ମୋ ପକ୍ଷରେ ତ ସମ୍ଭବ ନୁହେଁ, କଣ କରିବି ଆସିଛି ଯେତେବେଳେ ସବୁ ନେଇଯାଏ । ଦିଦି ଆପଣ ଏଠାରେ ନ ବସି ଜଲଦି ଅଟା ନେଇ ପଳେଇ ଯାଆନ୍ତୁ । ଦେଖନ୍ତୁ ସାଢେ଼ ସାତଟା ବାଜିଲାଣି । ପୋଲିସ ଆସିଯିବେ । ଶୀଘ୍ର ପଳେଇ ଯାଆନ୍ତୁ । ଏହି ନିଅନ୍ତୁ ଅଟା । ପଇସା ଦିଅନ୍ତୁ, କହି ସେ ଭିତରକୁ ପଳେଇ ଗଲା । ମୁଁ ହାତ ଗଳେଇ ଶରତ ଭାଇକୁ ଟଙ୍କା ଦେଲି । ଏଇ ସମୟରେ ଗୋଟିଏ ପାରା ଆସି ମୁଁ ଧରିଥିବା ମୁଢି ବସ୍ତା ଉପରେ ବସିଗଲା । ମୁଁ ଟିକେ ଠିଆ ହୋଇଗଲି । ଟିକିଏ ଅଟା କାଢି ତଳେ ଥୋଇଦେଲି । ଅଟା ଥୋଇବା ଦେଖି କୁଆଡ଼େ ଥିଲେ ଆଠ କି ଦଶ ପାରା । ସେମାନେ କେହି ଅଟା ଖାଇଲେ ନାହିଁ ସତ । ହେଲେ ମୋତେ ଏକରକମ ଘେରି ଗଲେ । କାହିଁକି କେଜାଣି ମୋତେ ଭାରି ଦୟା ଲାଗିଲା । ପୁଣି ଅଟାକଳ ପାଖକୁ ଫେରିଲି । ଆଉ ଡାକିଲି ଶରତଭାଇକୁ । ଶରତଭାଇ ,ଶରତଭାଇ କଣ ହେଲା ଦିଦି, ଆପଣ ପରା ଅଟା ନେଇ ଗଲେ । ଆରେ ନାହିଁ, ଏଇ ଦେଖିଲ । ଏ ପାରାଗୁଡାଙ୍କୁ ଏଇ ଦୋକାନ ଦୁଆରେ ବସି ତୁମ ପାଖରୁ ଗହମ ଆଣି ମୁଁ ଖାଇବାକୁ ଦିଏ । ସବୁଆଡେ ତ ବନ୍ଦ । ତୁମେ ତ ଦୋକାନ ଖୋଲୁ ନାହଁ । ଏମାନେ କ୍ଷୁଧାତୁର । ଦିଅ ମୁଠେ ଦି ମୁଠା । ଶରତ ଭାଇ ଗୋଟିଏ କଂସାରେ କିଛି ଗହମ ଓ ପାଣି ବାଲଟି ଟିଏ ବଢେଇ ଦେଲେ ମୋ ହାତକୁ । ଗହମତକ ଦୋକାନ ଦୁଆରେ ବିଞ୍ଚି ଦେଇ ,ପାଣି ବାଲଟି ଟି ସେଇଠି ଥୋଇଦେଲି । ଆଉ ଶରତଭାଇକୁ କହି ପଳେଇ ଆସିଲି ।


ଦୂରରୁ ଥାଇ ଦେଖିଲି, କେଡ଼େ ଖୁସି ମନରେ ଗହମ ଖାଇ ପାଣି ପିଉଛନ୍ତି ପାରା ମାନେ । ଟିକିଏ ଆଉ ଠିଆ ହୋଇ ସେମାନଙ୍କୁ ଦେଖିବାକୁ ଇଚ୍ଛା ହେଉଥିଲା, ହେଲେ ପୋଲିସ ଭୟରେ ଚାଲି ଆସିଲି । ଘରପାଖ ଅଟା କଳତ । ସବୁଦିନେ୧୦/୧୧ ବେଳକୁ ସେଇଠି କିଛି ସମୟ ବସେ । ଆଉ ଶରତଭାଇକୁ ମାଗି ଛୋଟ ଛୋଟ ଗହମ କିଛି ପାରା ପାଇଁ ବୁଣିଦିଏ । ସେମାନେ ପାଣି ପିଇବେ ବୋଲି ଗୋଟିଏ ପ୍ଲାଷ୍ଟିକ ବାଲଟି ଟିଏ କିଣି ଶରତଭାଇର ଦୋକାନ ରେ ଥୋଇଥାଏ । ପାରାମାନେ ଗହମ ଖାଇ, ପାଣି ପିଇ ପଳେଇ ଗଲା ପରେ, ବାୟାଚଢେଇ,ବଣି ଚଢେଇ ବି ଆସି ଖୁଣ୍ଟି ଖୁଣ୍ଟି ଖାଆନ୍ତି । ଭାରି ଖୁସି ଲାଗେ । ପୋଲିସ ର ଗାଡି ସାଇରନ ଶବ୍ଦରେ ଘରମୁହାଁ ହେଲି । ମୋ ଘରକୁ ଆସିବା ବାଟରେ ପାଞ୍ଚ ଛଅଜଣଙ୍କ ଘର ପଡେ । ସମୟ ସେତେବେଳକୁ ଆଠଟା ବାଜିଲାଣି । କାନରେ ପଡିଲା ଗୋଟିଏ ଘରେ ପାଟି ତୁଣ୍ଡ । ଟିକିଏ କାନ ପାରିଲି । ଘରର ପିଲାମାନେ ପାଠ ନ ପଢି ଖେଳକୁଦ,ମୋବାଇଲ, ଟିଭିରେ ଦିନତମାମ ପୁଣି ରାତି ଏଗାରଟା ଯାଏ । ପିଲାଙ୍କ ମାଆ ସେଥିପାଇଁ ବିରକ୍ତ ହେଉଥାନ୍ତି ପିଲା ଓ ପିଲାଙ୍କ ବାପା ଉପରେ । ବାପା ପିଲାମାନଙ୍କୁ ଆକଟ ନ କରି ସେମିତି ମୋବାଇଲ ରେ ସଦାବେଳେ ବ୍ୟସ୍ତ ଥାନ୍ତି । ଉଭୟ ବାପା, ପିଲା ସମସ୍ତଙ୍କୁ ମିଶାଇ ଗାଳି ଦେଉଥାନ୍ତି ଗୃସକର୍ତ୍ତୀ ଜଣକ । ଛୁଟି ହୋଇଛି ମାନେ ପିଲାମାନେ ପାଠଶାଠ ସବୁ ଛାଡିଦେବେ । ଭାରତ ବନ୍ଦ ମାନେ ପୁରୁଷ ମାନେ ମୋବାଇଲ ଟିଭିରେ ହିଁ ବ୍ୟସ୍ତ ରହିବେ । ଘରର ଭଲମନ୍ଦ, କାମଦାମ ସମସ୍ତେ ମିଳିମିଶି କରିଦେଲେ ତ ସମସ୍ତେ ଟିକେ ସମୟ ପାଇବେ ଟିଭି ଦେଖିବାକୁ । ଛୁଟିରେ ପିଲାମାନେ କିଛି ସମୟ ପାଠ ପଢିବା ଦରକାର କି ନାହିଁ ।


ଏମିତି ଭାବରେ ବଡ଼ ପାଟିରେ ବିରକ୍ତ ହେଉଥାନ୍ତି ମାଆ । ପୁଅଟି ନିଜେ ପଢୁନାହିଁ । ଦିନରାତି ଏ ଜିନିଷ ସେ ଜିନିଷ କଟାକଟି କରୁଥାଏ । ସାନଭଉଣୀକୁ ମୌକା ମିଳିଯାଉଛି ଭାଇ ପାଖରେ ବସି ଏସବୁ ଦେଖିବାକୁ । ଚାଲିଛି ପାଟି । ଏକରେ ଜିନିଷପତ୍ର ର ବୋଝ,ତା ସାଙ୍ଗରେ ପାଖ ଘରୁ ଏ କଳିଝଗଡା । ଜିନିଷ ଗୁଡିକୁ ଥୋଇଦେଇ ଟିକେ ଠିଆ ହେଲି । ମାଆର ବିରକ୍ତ ଥମିଗଲା । ଏହି ସମୟରେ ପୁଅ ତାଙ୍କର ବହୁତ ବଡ଼ ପାଟି କରି ବାଡ଼ି ଆଡ଼କୁ ଚାଲିଗଲା । ପାଟି ଏବେ ଆଉ ନାହିଁ । ସମସ୍ତେ ନିଆଁରେ ପାଣି ପଡିଲା ପରି ଚୁପଚାପ । ପୁଣି ପାଟି ଶୁଭିଲା ମାଆର । ଦେଖ ଯାଅ,କଣ କରିଛି ସେ । ହାତ ସାରା ରକ୍ତ । ଦୌଡ଼ି ଗଲେ ବାପା ପିଲାଟି ପାଖକୁ । ହାତ ସାରା ରକ୍ତ,ବାହାରେ ବସି ଭୋ ଭୋ ହୋଇ କାନ୍ଦୁଛି । ବାପା ପୁଅକୁ ଟାଣି ଟାଣି ଘରକୁ ଆଣିଲା ଭିତରେ ପଚାରିଲେ, ଏସବୁ କି ପାଗଳାମୀ । ସବୁବେଳେ ମାଆ ଖାଲି ବିରକ୍ତ,ପାଟି । ପାଠପଢ,ପାଠପଢ । ମୋତେ ଜମା ଭଲ ଲାଗୁନାହିଁ ଏସବୁ । ନିଜର କିଛି ସ୍ବାଧୀନତା ବୋଲି ନାହିଁ । ପୁଅକୁ ଘର ଭିତରକୁ ଆଣି ଔଷଧ ଲଗେଇ ଦେଲେ ବାପା । ମାଆ ଜଣକ ଛାତ ଉପରକୁ ଚାଲିଗଲେ । ବୋଧହୁଏ କାନ୍ଦି କାନ୍ଦି । ଯାଉ ଯାଉ ସ୍ଵାମୀଙ୍କ କଥା ଶୁଭିଲା, ପଳେଇଲ କାହିଁକି । ଦେଖ କଣ କରିଛି । ସବୁ ଅଶାନ୍ତି ତୁମ ପାଇଁ । ପଳେଇ ଯାଉଛି । ମାଆ ସିଡ଼ି ପାହାଚକୁ ଚଢୁ ଚଢୁ କହୁଥାନ୍ତି, ମୋର ତ କାହାକୁ କିଛି କହିବାର ଅଧିକାର ନାହିଁ । ମୁଁ ଏ ଘରର କିଣା ଚାକର । ଭଲ ଖରାପ କାହାକୁ କିଛି କହିବି ନାହିଁ । ଗଧ ଭଳି ଖଟିବି କାଳି ଅନ୍ଧାରରୁ ଯେ ରାତି ଦି ଘଡି ଯାଏ । ଘୁଷୁରି ଭଳିଆ ଖାଇବି । ଛାଡ଼ ମୋ ଭାଗ୍ୟ ଖରାପ । ମୋ ଜିନିଷପତ୍ର ଧରି ଆସୁଥାଏ । ବର୍ତ୍ତମାନ ତ ଜିନିଷପତ୍ର ଯେଉଁ ଆକାଶ ଛୁଆଁ । ବାଡିରେ ଫସଲ ଲଗାକୁ ନେଇ ଆଉ ଜଣକ ଘରେ ପାଟି । ଛ ପୁଅ । ପୁଅବୋହୁ ସବୁ ଅଲଗା ଅଲଗା । ହେଲେ ଦୁଇବୋହୁ ବାଡିରେ ଫସଲ କରୁଛନ୍ତି । ଜଣେ ବୋହୁ ଶାଗ କିଆରିଏ ବୁଣିବାକୁ କହିଲାରୁ ଝଗଡା । ତୁମେ ଏକା ସବୁ ଖାଇବ । କାହାକୁ ଗୋଟିଏ କିଛି ଦଉନ କି ବାଇଗଣ ଗଛ ୪ଟି କି ଶାଗ ମଳେ ବୁଣିବାକୁ କହିଲାରୁ ତୁମ ଭାଗ ସରିଯାଉଛି ।


ସେଠାରୁ ଆସିଲି, ଆମ ଘର ପାଖରେ ଜଣକ ଘର । ଶାଶୁକୁ ଚା କପେ କରି ବୋହୁ ମାନେ ଦେଉ ନାହାଁନ୍ତି । ବୁଢୀ ଜର ଦେହରେ ନିଜେ ଉଠି ଚା କରି ପିଇଛି । ସେଇକଥା କାହାକୁ କହିଛି ବୁଢ଼ୀ । ବୋହୁମାନେ କଳି ଲଗେଇ ଛନ୍ତି ବୁଢୀ ସାଙ୍ଗରେ । ଓହୋଃ, ଆଉ ସହି ପାରିଲି ନାହିଁ । ଧାଇଁ ଧାଇଁ ଘରକୁ ଆସି ଜିନିଷପତ୍ର ଗୁଡିକୁ ଥୋଇଦେଇ ଲଥକିନା ବସିପଡିଲି । ଆଉ ନିଜକୁ ନିଜେ କହିଲି...ହେ ଭଗବାନ, ଏ ଯେଉଁ କରୋନା ଭାଇରସ ଆସିଛି, କିଏ ମରିବ,କିଏ ବଞ୍ଚିବ ଠିକ ନାହିଁ । କାଲି ତ ଇଟାଲୀ, ଆମେରିକା, ଏମିତି କେତେ ଲୋକ ମଲେଣି । ସ୍ପେନର ରାଣୀ ବି କରୋନା ରେ ମୃତ । ମୃତ୍ୟୁର ତାଣ୍ଡବଲୀଳା ରଟି ଚାଲିଛି ଏ କରୋନା । ହୃଦୟ ବିଦୀର୍ଣ୍ଣ ହୋଇ ଯାଉଛି । ଆଉ ଏ ମୂଢ ମଣିଷର କିଛି ଚିନ୍ତା ନାହିଁ । ସବୁବେଳେ କଳି ଝଗଡ଼ା । ଆଜି ମଲେ କାଲି ଆଉ ଝଗଡ଼ା କରିବାକୁ ନ ଥିବ । ଭଗବତ ଚିନ୍ତା ନ କରି, ଏଭଳି ବିପତ୍ତିରୁ ଉଦ୍ଧାର ପାଇବା ପାଇଁ ସଚ୍ଚିଦାନନ୍ଦ ଙ୍କୁ ସ୍ମରଣ ନ କରି କାହିଁକି ଯେ ଏମିତି ହେଉଛନ୍ତି । ହେ ପ୍ରଭୁ ଏ କରୋନା ଆତଙ୍କରୁ ଏ ବିଶ୍ଵକୁ ଶାନ୍ତି ଦିଅ ।



Rate this content
Log in

Similar oriya story from Tragedy