STORYMIRROR

Pradeep Kumar Panda

Abstract Tragedy Inspirational

3  

Pradeep Kumar Panda

Abstract Tragedy Inspirational

ଗରିବ

ଗରିବ

4 mins
9


ସରକାରୀ ଚାକିରି ଓ ଶିକ୍ଷାରେ ଅନଗ୍ରସର ବର୍ଗଙ୍କୁ ସଂରକ୍ଷଣ ଜରିଆରେ ଅଗ୍ରାଧିକାର ଦେବା ଲକ୍ଷ୍ୟରେ ପ୍ରସ୍ତୁତ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ଆଉଏକ ଉପବର୍ଗ ସୃଷ୍ଟି ବା ସଂରକ୍ଷଣ ଭିତରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଭାରତର ଉଚ୍ଚତମ ନ୍ୟାୟାଳୟ ସବୁଜ ସଂକେତ ଦେବା ପରେ ଏହାର କାର୍ଯ୍ୟକାରିତା, ପ୍ରଭାବ ଓ ଯୌକ୍ତିକତା ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି। ଗୋଟିଏ ମହଲ ନ୍ୟାୟାଳୟଙ୍କର ରାୟକୁ ଯୁଗାନ୍ତକାରୀ ଭାବେ ଅଭିହିତ କରି ସ୍ୱାଗତ କରିଥିବା ବେଳେ ଆଉ ଏକ ମହଲ ଏହା ଭିତରେ ଥିବା ଜଟିଳତା ଦିଗକୁ ଅଙ୍ଗୁଳି ଉଠାଇଛନ୍ତି। ଦେଶରେ ଦୀର୍ଘ ଜାତିଗତ ସଂରକ୍ଷଣ ବ୍ୟବସ୍ଥା ଦୃଷ୍ଟିକୋଣରୁ ବିଚାର କଲେ ସର୍ବୋତ୍ତମ ନ୍ୟାୟାଳୟଙ୍କ ବୃହତ୍ତର ସମ୍ବିଧାନ ପୀଠଙ୍କ ରାୟ ଯେ ଯୁଗାନ୍ତକାରୀ ଏହା ଅନସ୍ୱୀକାର୍ଯ୍ୟ। କିନ୍ତୁ ଏହାର ବାସ୍ତବତା ବା କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠୁଛି, ଯେତେବେଳେ ଏହି ବ୍ୟବସ୍ଥାକୁ ଭୋଟ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାଯାଉଛି।

ସ୍ୱାଧୀନୋତ୍ତର ଭାରତରେ ସାମାଜିକ-ଅର୍ଥନୈତିକ ବୈଷମ୍ୟ ଦୂର କରି ଏକ ସମାବେଶୀ ସମାଜ ଗଠନ ଲକ୍ଷ୍ୟରେ ଭାରତୀୟ ସମ୍ବିଧାନ ପ୍ରଣେତାମାନେ ଯେଉଁ ୧୦ ବର୍ଷିୟା ସଂରକ୍ଷଣ ବ୍ୟବସ୍ଥା କରିଥିଲେ ତାହା କ୍ରମଶଃ ପ୍ରଲମ୍ବିତ ହୋଇ ଭୋଟ ବ୍ୟାଙ୍କର ରୂପ ନେଇଛି। ସକାରାତ୍ମକ ପାତରଅନ୍ତ(ପଜିଟିଭ୍‌‌ ଡିସ୍‌‌କ୍ରିମିନେସନ୍‌‌) ଜରିଆରେ ବୈଷମ୍ୟ ଦୂର କରିବାର ମହାତାକାଂକ୍ଷା କାଳକ୍ରମେ ବିଷମ ଓ ବିଦ୍ୱେଷଭରା ବାତାବରଣ ସୃଷ୍ଟି କରିଚାଲିଛି। ଏହାପଛର ମୂଳ କାରଣ ହେଉଛି ସମାଜର ତଥାକଥିତ ଉଚ୍ଚଜାତିର ସଂଖ୍ୟାଧିକ ଲୋକ ଆର୍ଥିକ ଦୃଷ୍ଟିକୋଣରୁ ବହୁ ପଛୁଆ ଥିଲେ ମଧ୍ୟ ସେମାନେ ସରକାରୀ ସୁବିଧା ସୁଯୋଗରୁ ଏବେ ବି ବଞ୍ଚିତ; ଅପରପକ୍ଷରେ ସଂରକ୍ଷଣ ସହାୟତାରେ ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ଅଗ୍ରଣୀ ହୋଇସାରିଥିବା ସଂରକ୍ଷିତ ବର୍ଗ ପିଢ଼ି ପରେ ପିଢ଼ି ସୁବିଧା ସୁଯୋଗ ଉପଭୋଗ କରିଆସୁଛନ୍ତି। ଆହୁରି ମଧ୍ୟ ଦେଖାଯାଉଛି ଯେ ସଂରକ୍ଷଣ ବର୍ଗ ବା ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ଥିବା ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ବର୍ଗ ସଂରକ୍ଷଣର ସମସ୍ତ ସୁବିଧା ସୁଯୋଗ ହାତେଇ ନେଇ ଯଥେଷ୍ଟ ସ୍ୱଚ୍ଛଳ ହୋଇଥିବା ବେଳେ ସେହି ତାଲିକାଭୁକ୍ତ ଅନ୍ୟ ଜାତିର ଲୋକେ ଏ ପର୍ଯ୍ୟନ୍ତ ବଞ୍ଚିତ ଓ ପଛୁଆ ହୋଇ ରହିଛନ୍ତି। ଏହି ପୃଷ୍ଠଭୂମିରେ ଆଇନ ବିଶାରଦ, ରାଜନୀତିଜ୍ଞମାନେ ଚିନ୍ତା କଲେ ଯେ ପ୍ରଚଳିତ ଧାରାରେ ସମ୍ବିଧାନ ପ୍ରଣେତାମାନଙ୍କ ଦ୍ୱାରା ବ୍ୟବସ୍ଥିତ ‘ସଂରକ୍ଷଣ’ର ମୌଳିକ ଲକ୍ଷ୍ୟ ବାଟବଣା ହେବାରେ ଲାଗିଛି। ତେଣୁ ସେମାନେ ସଂରକ୍ଷଣ ତାଲିକାରୁ ତଥାକଥିତ ସ୍ୱଚ୍ଛଳ ବର୍ଗ(କ୍ରିମିଲେୟାର)କୁ ବାଦ୍‌‌ ଦେବା ପାଇଁ ଯୁକ୍ତି ଉପସ୍ଥାପନ କଲେ। ଏହା ଯେ ଅଧିକ ତର୍କସଙ୍ଗତ ତାହା ପ୍ରମାଣିତ ହେଲା ୧୯୯୨ରେ ଇନ୍ଦ୍ରା ସାହାଣୀ ମାମଲା, ୨୦୧୮ରେ ଜର୍ଣ୍ଣେଲ୍‌‌ ସିଂହ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଏବଂ ୨୦୨୩ରେ ରୋହିଣୀ ଆୟୋଗ ରିପୋର୍ଟ ଆସିବା ପରେ। ଶେଷରେ ଏସ୍‌‌ସି ଓ ଏସ୍‌‌ଟିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ଭିତରେ ସଂରକ୍ଷଣ ବ୍ୟବସ୍ଥାକୁ ଗତ ୧ ତାରିଖରେ ସୁପ୍ରିମକୋର୍ଟର ସାତଜଣିଆ ସମ୍ବିଧାନ ଖଣ୍ଡପୀଠ ସବୁଜ ସଙ୍କେତ ଦେଇଛନ୍ତି। ମୁଖ୍ୟତଃ କ୍ରିମି ଲେୟାର ବା ସଂରକ୍ଷଣ ତାଲିକାରେ ସ୍ୱଚ୍ଛଳ ବର୍ଗ ପ୍ରସଙ୍ଗ ଓବିସିଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଆସୁଥିଲେ ମଧ୍ୟ ଏସ୍‌‌ସି, ଏସ୍‌‌ଟି ତାଲିକାରେ ଲାଗୁ ହେବାର ବାଟ ଏବେ ଖୋଲିଛି।

ରାଜନୀତି ଓ ସମାଜରେ ପ୍ରଭାବଶାଳୀ ସ୍ଥିତିରେ ଥାଇ ସଂରକ୍ଷଣ ସୁବିଧା ହାତେଇ ନେଇ ସମାଜର ଦୃଷ୍ଟିକଟୁର ଶରବ୍ୟ ହେଉଥିବା ଗୋଷ୍ଠୀ ଏଣିକି ତାଲିକାରୁ ବାଦ୍‌‌ ପଡ଼ିବେ ବୋଲି ଧାରଣା ସୃଷ୍ଟି ହୋଇଛି ଏବଂ ଏହାଦ୍ୱାରା ସଂରକ୍ଷଣ ବ୍ୟବସ୍ଥା କ୍ରମଶଃ ଅପ୍‌‌ସରି ଯିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହା ଏତେ ସହଜ ଓ ସରଳ ନୁହେଁ। ଭାରତରେ ଏଭଳି କିଛି ପ୍ରସଙ୍ଗ ଅଛି, ଯାହାର ରାଜନୈତିକ ଓ ପ୍ରଦର୍ଶନାତ୍ମକ ପ୍ରଭାବର ତୀକ୍ଷ୍ମ ଅନୁଭବ ବାରି ହୁଏ। ସ୍ଥାନ ସଂରକ୍ଷଣ, ଜାତିଗତ ଗଣନା ସେ ଦୃଷ୍ଟିରୁ ଅତି ସମ୍ବେଦନଶୀଳ। ଏ କ୍ଷେତ୍ରରେ ତାମିଲନାଡୁ, ପଞ୍ଜାବ, ବିହାର, ମହାରାଷ୍ଟ୍ର ଆଦିକୁ ଉଦାହରଣ ରୂପେ ନିଆଯାଇପାରେ। 

ସମ୍ପ୍ରତି ଉଚ୍ଚତମ ନ୍ୟାୟାଳୟଙ୍କ ଉପରୋକ୍ତ ରାୟ ପରେ ସବୁରାଜ୍ୟରେ ଜାତିଗତ ଜନଗଣନା ସପକ୍ଷରେ ଦାବି ଉଠିବ। କିନ୍ତୁ ଏହି ପ୍ରକ୍ରିୟା ଆରମ୍ଭ ହେଲେ ନିର୍ବାଚନ ଆ

ଭିମୁଖ୍ୟ ନେଇ ଏକାଧିକ ପ୍ରଦେଶ ଏହାକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ରାଜ୍ୟ ସରକାରମାନେ ଏଭଳି ଗଣନାକୁ ଏକ ପ୍ରମାଣ ବା ତଥ୍ୟମୂଳକ ପଦକ୍ଷେପ ଭାବେ ଗ୍ରହଣ କରୁଥିବା ବେଳେ ଭୋଟ ରାଜନୀତିରେ ଏହା ଏକ ପ୍ରଭାବଶାଳୀ ପ୍ରସଙ୍ଗ ହେବା ନିଶ୍ଚିତ। ଏହା ଥରେ ଆରମ୍ଭ ହୋଇଗଲେ ଯେଉଁସବୁ ରାଜ୍ୟରେ ଭୋଟ ରାଜନୀତିକୁ ଜାତି ପ୍ରସଙ୍ଗ ପ୍ରଭାବିତ କରିପାରି ନାହିଁ ସେ ସବୁ ରାଜ୍ୟରେ କ୍ରମଶଃ ଜାତିଆଣବାଦ ସଂକ୍ରମିତ ହେବାର ଆଶଙ୍କା ରହିଛି। 

ଆଇନ ବିଶାରଦଙ୍କ ମତରେ ଏହାକୁ ରାଜ୍ୟୱାରୀ ନିର୍ଦ୍ଧାରଣ ନ କରି ସର୍ବଭାରତୀୟ ସ୍ତରରେ କାର୍ଯ୍ୟକାରୀ କରାଯିବା ଉଚିତ। ଏହାଫଳରେ ସମଗ୍ର ଦେଶ ନିମନ୍ତେ ଅନଗ୍ରସରବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ନିୟାମକ ନିର୍ଦ୍ଧାରଣ କରାଯାଇପାରିବ। କିନ୍ତୁ ୨୦୨୧ ଜନଗଣନା ଏ ପର୍ଯ୍ୟନ୍ତ ହୋଇପାରି ନ ଥିବା ବେଳେ ଜାତିଗତ ଜନଗଣନା ତଥ୍ୟ କେବେ ଓ କିପରି ହେବ ତାହା ଚିନ୍ତା କଲେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟର ବାସ୍ତବ ରୂପାୟନ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ତଥାକଥିତ ଉଚ୍ଚଜାତିରେ ଗରିବ ଓ ତଥାକଥିତ ପଛୁଆ ଜାତିରେ ଧନୀ ଲୋକ ଅଛନ୍ତି। ସେମାନଙ୍କ ସଂଖ୍ୟା ନିର୍ଦ୍ଧାରଣ କରିବା କାଠିକର ପାଠ। ଏବେ ସାମାଜିକ ଓ ଅର୍ଥନୈତିକ ଶକ୍ତି ଠାରୁ ରାଜନୈତିକ ଶକ୍ତି ନିର୍ଣ୍ଣାୟକ ହୋଇଛି। ତେଣୁ ଏସ୍‌‌ସି ଏସ୍‌‌ଟି ତାଲିକାରୁ ସ୍ୱଚ୍ଛଳ ବର୍ଗଙ୍କୁ ବାଦ୍‌‌ ଦେଇ ଅପେକ୍ଷାକୃତ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ବର୍ଗଙ୍କୁ ଆଗକୁ ଆଣିବାରେ ସରକାରମାନେ କେତେ ସାହସ ଜୁଟାଇ ପାରିବେ ତାହା ସଂଶୟ ସୃ୍‌‌ଷ୍ଟି କରୁଛି। ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ଅନୁମତି ବିନା ଜାତିଗତ ଜନଗଣନା କରିପାରିବେ କି ନାହିଁ ତାହା ଆଉ ଦ୍ୱନ୍ଦ୍ୱ ସୃ୍‌‌ଷ୍ଟି କରୁଛି। କାରଣ ଉଚ୍ଚତମ ନ୍ୟାୟାଳୟ ତାଙ୍କ ରାୟରେ ଏ କଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସଂରକ୍ଷଣ ତାଲିକାରେ ଉପବର୍ଗ ସୃଷ୍ଟି ପାଇଁ ପ୍ରମାଣସିଦ୍ଧ ତଥ୍ୟ ଆବଶ୍ୟକ। ଜାତିଗତ ଜନଗଣନା ବିନା ଏହା ସମ୍ଭବ ନୁହେଁ। ଅଥଚ ନିକଟରେ ବିହାରରେ ଦଳିତ, ପଛୁଆ ଓ ଅନଗ୍ରସର ମଧ୍ୟରେ ମହାଦଳିତ, ଅତିପଛୁଆ ଓ ଅତିଶୟ ଅନଗ୍ରସରବର୍ଗଙ୍କୁ ବାଛିବାକୁ ଜାତିଗତ ଜନଗଣନା କରାଯାଇ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ତାହାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ହୁଏତ ଏହି ତଥ୍ୟ ଆଧାରରେ ନିର୍ବାଚନ ପୂର୍ବରୁ କୋଟା ଭିତରେ କୋଟା ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ବିହାର ସରକାର ଉଦ୍ୟମ କରିଥିଲେ। କିନ୍ତୁ ତାହା ସାଧାରଣ ନିର୍ବାଚନ ପୂର୍ବରୁ ଫଳବତୀ ହୋଇପାରିଲା ନାହିଁ। ସେହିପରି ଏ ଦିଗରେ ପ୍ରଥମେ ୧୯୭୫ ମସିହାରେ ପଞ୍ଜାବ ଓ ୨୦୦୦ ମସିହାରେ ଆନ୍ଧ୍ର ପ୍ରଦେଶ ସରକାର ସାହସିକ ପଦକ୍ଷେପ ନେଇ ଉଦାହରଣ ସୃଷ୍ଟି କରିଥିଲେ। କିନ୍ତୁ ତାହା ମଧ୍ୟ ଆଇନ ଅଦାଲତର ଜାଲରେ ଛନ୍ଦି ହୋଇଗଲା।

ଉଚ୍ଚତମ ନ୍ୟାୟାଳଙ୍କ ରାୟରେ ଆହୁରି ମଧ୍ୟ କୁହାଯାଇଛି ଯେ ଗୋଟିଏ ପିଢ଼ି ହିଁ ସଂରକ୍ଷଣ ସୁବିଧା ପାଇବାକୁ ଯୋଗ୍ୟ ହେବେ। ଏ କ୍ଷେତ୍ରରେ ଗୋଟିଏ ଉଦାହରଣ ନିଆଯାଇପାରେ। ଧରାଯାଉ ଅନଗ୍ରସର ବର୍ଗର ଗୋଟିଏ ସମାନ ଜାତିର ଦୁଇଟି ପରିବାର ମଧ୍ୟରୁ ଗୋଟିଏର ସଦସ୍ୟ ପ୍ରଥମ ଶ୍ରେଣୀ ପାହ୍ୟାରେ ଏବଂ ଅନ୍ୟ ପରିବାରର ସଦସ୍ୟ ଚତୁର୍ଥ ଶ୍ରେଣୀ ପାହ୍ୟାରେ ସଂରକ୍ଷଣ ସୁବିଧା ଆଧାରରେ ସରକାରୀ ଚାକିରି ପାଇଲେ। ତେବେ ଗୋଟିଏ ପିଢ଼ି ପରେ ଦୁଇଟି ଯାକ ପରିବାରର ଆର୍ଥିକ ସ୍ଥିତି ଓ ସ୍ୱଚ୍ଛଳତା ସମାନ ହୋଇନ ପାରେ। ସେ କ୍ଷେତ୍ରରେ ପୁଣି ଆର୍ଥିକ ବୈଷମ୍ୟ ସୃଷ୍ଟି ହେବ ନାହିଁ କି? ଏହାଦ୍ୱାରା ସଂରକ୍ଷଣର ମୂଳ ଲକ୍ଷ୍ୟ ପୂରଣ ହେବ କିପରି?

ବାସ୍ତବତା ହେଲା ଗରିବର କୌଣସି ଜାତି ନାହିଁ। ତେଣୁ ସଂରକ୍ଷଣ ବ୍ୟବସ୍ଥା ଜାତିଗତ ନ ହୋଇ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ମାନଦଣ୍ଡ ଆଧାରିତ ହେଲେ ବୈଷମ୍ୟ ସହିତ ବିଷମ ସ୍ଥିତି ଦୂର ହେବ। ଖଣ୍ଡପୀଠ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସଂରକ୍ଷଣର ସୁବିଧା ନେଇ ଯେଉଁମାନେ ରାଜନୈତିକ, ଅର୍ଥନୈତିକ, ସାମାଜିକ ସ୍ତରରେ ସ୍ୱଚ୍ଛଳ ହୋଇସାରିଛନ୍ତି ସେମାନଙ୍କୁ ଆଉ ପଛୁଆ ବର୍ଗ ବୋଲି ଧରାଯିବା ଉଚିତ ନୁହେଁ। ତେଣୁ ସେମାନେ ଅନୁସୂଚିତ ତାଲିକାରୁ ବାହାରି ଆସି ଅନ୍ୟ ପଛୁଆ ବର୍ଗଙ୍କୁ ସୁଯୋଗ ଦେବା ଉଚିତ। ସଂରକ୍ଷଣ ଜାତିଭିତ୍ତିକ ନ ହୋଇ ଜୀବନଧାରଣର ମାନ ଓ ସୁବିଧାସୁଯୋଗ, ଆର୍ଥିକ ସ୍ଥିତି ଓ ସାମାଜିକ ପ୍ରତିଷ୍ଠା ମାନଦଣ୍ଡରେ ନିରୂପିତ ହେବା ଉଚିତ। କିନ୍ତୁ ସବୁକିଛି ନିର୍ଭର କରୁଛି ରାଜନୈତିକ ଇଚ୍ଛାଶକ୍ତି ଉପରେ।


Rate this content
Log in

Similar oriya story from Abstract