STORYMIRROR

Pradeep Kumar Panda

Abstract Classics Inspirational

3  

Pradeep Kumar Panda

Abstract Classics Inspirational

ସମୟ

ସମୟ

3 mins
5

ନବେ ଦଶକର କଥା। ଟେକା ମାରି ଗଛରୁ ଆମ୍ୱ ପାରିବା, ବେଗ କାନ୍ଧରେ ଗଳାଇ ସ୍କୁଲକୁ ଯିବା, ସାର ନଥିବା ସମୟରେ ଝରକା ବାଟେ ସ୍କୁଲ ବ୍ୟାଗକୁ ବାହାରକୁ ପକାଇ ଘରକୁ ପଳାଇଆସିବା ଏବଂ ଘରେ ମା’ ବାଡ଼େଇ ପୁଣି ସ୍କୁଲରେ ଛାଡ଼ି ଆସିବା., ଆଉ କ’ଣ ସେ ସମୟ ଆଜି ଅଛି! ସ୍କୁଲରେ ଲୁଣ ଆଉ ଲଙ୍କା ଲଗାଇ କଞ୍ଚା ଆମ୍ୱ, କଞ୍ଚା ତେନ୍ତୁଳି ଖାଇବା, ଖେଳ ଛୁଟିରେ ବରକୋଳି ଆଉ ଖଜୁରୀ କୋଳି, ଆମ୍ୱଡ଼ା ଆଦି ଗଛରୁ ପାରିବା ସମୟ କ’ଣ ଆଜି ଅଛି! ସକାଳୁଆ ସ୍କୁଲ ଛୁଟି ପରେ ଗାଁ ପୋଖରୀରେ ଯାଇଁ ବୁଡ଼ ମାରିବା, ଉଦୁଉଦିଆ ଖରାବେଳରେ ଚକୁଳିଆ ପଣ୍ଡା ଏବଂ କେନ୍ଦରା ବାଲାର ଗୀତ ଶୁଣିବା, ଖରାବେଳେ ନ ଶୋଇ କାହା ବାଡ଼ିରୁ ଫଳ ତୋଳି ଖାଇବା, ସ୍କୁଲ ଛୁଟି ପରେ ପିଟାପିଟି ପାଖରୁ ଆରମ୍ଭ କରି ଖପରା ଖେଳ, ବାଡ଼ି ଖେଳ, କାଚ ବାଟି, ଶଙ୍ଖ ବାଟି ଆଦି ଖେଳିବା, ଖରାଦିନ ରାତିରେ ଯଦି ଗାଁ ରେ ଭିଡିଓ (ସିନେମା) କେଉଁଠି ଚାଲୁଛି ତେବେ ଆଗରେ ଯାଇ ଅଖା ପକାଇ ବସି ରାତିସାରା ସିନେମା ଦେଖିବାର ସମୟ କ’ଣ ଆଉ ଅଛି!

ଗ୍ରୀଷ୍ମ ଛୁଟି ପୂର୍ବରୁ ଯେଉଁ ମାସେ ଛୁଟି ହୁଏ ପ୍ରାୟେ ପିଲାଙ୍କ ସମୟକଟେ ସମାନ ଶୈଳୀରେ। ସମୟକ୍ରମେ ସ୍କୁଲରେ ଦିନକୁଦିନ ପଢ଼଼ା ଚାପ ବଢ଼଼ିଲା। ସେତେବେଳେ ଗାଁ ସ୍କୁଲର ୫ମ ଶ୍ରେଣୀ ପାଠ ପଢ଼଼ା ମଧ୍ୟରେ ଅନେକ ସ୍ମୃତି ଆଜି ମନେ ପଡ଼ିଲେ ରୁମ ଟାଙ୍କୁରି ଉଠେ। ସାଙ୍ଗ ପିଲାମାନେ ଦେଇଥିବା କମଳା, ଆମ୍ୱଡ଼ା, କଞ୍ଚା ତେନ୍ତୁଳି କଥା ମନେ ପଡ଼ିବା ସାଙ୍ଗକୁ ବାପାଙ୍କ ଆଙ୍ଗୁଳି ଧରି ବଜାର ବୁଲିବା ମଜା ଓ ଗାଁ ସ୍କୁଲରେ ସରସ୍ୱତୀ ପୂଜା, ଗଣେଶ ପୂଜା, ଗୁରୁଦିବସ, ସ୍ୱାଧୀନତା ଦିବସ, ଜାନୁଆରୀ ୨୬ ପାଳନର ଖୁସି କହିଲେ ନସରେ। ସେତେବେଳେ କାଁ ଭାଁ ଲୋକଙ୍କ ଘରେ କଳାଧଳାର କୋଣାର୍କ ଟିଭିରେ ଟିପୁ ସୁଲତାନ, ଅଲିଫା ଲୈଲା, ଚନ୍ଦ୍ରକାନ୍ତା, ଚାଣକ୍ୟ, ଶକ୍ତିମାନ, ବିକ୍ରମ ବେତାଳ, ରାମାୟଣ, ମହାଭାରତ ଦେଖିବାର ମଜା ଆଜି ରଙ୍ଗୀନ ଟିଭିରେ କ’ଣ ଅଛି? ସେତେବେଳେ ଗାଁ ଉତ୍ସବର ମଜା ଥିଲା ନିଆରା। ସେ ପରିବେଶ ଓ ସହଯୋଗ ଆଜି କ’ଣ ଆଉ ଅଛି! ସେତେବେଳେ ଗ୍ରାମ ବୈଠକରୁ ଆରମ୍ଭକରି ଅଷ୍ଟପ୍ରହରୀ ନଗରରେ ଯେତେ ସଂଖ୍ୟାରେ ଗାଁ ମୁରବି ଜନସାଧାରଣ ଅଂଶଗ୍ରହଣ କରୁଥିଲେ ଏବେ ତା’ର ୪ ଭାଗରୁ ବି ଭାଗେ ଦେଖାଯାଉନାହାନ୍ତି।

ଧୀରେ ଧୀରେ ସମୟ ବଦଳିଗଲା। ସମୟ କ୍ରମେ କେଉଁକେଉଁ ଗାଁର ପ୍ରତିଛବି ଉନ୍ନତିରେ ବଦଳିଗଲା ତ କେଉଁଠି କେଉଁଠି ଅବନତି ଦେଖାଦେଲା। ଅଧିକାଂଶ ଜନସାଧାରଣ ଗାଁ ରେ ରହିବାକୁ ଉଚିତ ନ ମଣି ସହର ମୁହାଁ ହେଲେ। ଗାଁରେ ଆଜି ଆଉ ସେ ଜାମୁକୋଳି ଗଛ ନାହିଁ କି ଆମ୍ୱ ଗଛ ନାହିଁ। ସମୟକ୍ରମେ ସେସବୁ ଧୀରେ ଧୀରେ ଲୋପ ପାଇଗଲା। ଯେଉଁମାନେ ଗାଁରେ ରହିଲେ ସେମାନଙ୍କ ମଧ୍ୟରୁ କିଛି ହୁସିଆର ଲୋକ ଗାଁର ଚଳପ୍ରଚଳ ଗୋଚର ଜମିକୁ ମାଡ଼ିବସିଲେ। ନିଜ ଜାଗାଠୁ ଅଧିକ ଜାଗାକୁ ହାତେଇନେଲେ। ରାସ୍ତା ଉପରକୁ ନିଜ ଜାଗାକୁ ମାଡ଼ି ବାଡ଼ ବୁଜିଦେଲେ ତ କେହି କେହି ପାଚେରି ଉଠାଇଦେଲେ। ଏସବୁ ସମସ୍ତେ ଦେଖିଲେ ଜାଣିଲେ, କିନ୍ତୁ କେହି କାହାକୁ ବିରୋଧ କଲେନାହିଁ।

ସେ ସମୟରେ ଗ୍ରାମ ଯୁବକଙ୍କ ମଧ୍ୟରେ ଯୁବସୁଲଭ ଗୁଣ ଦେଖିବାକୁ ମିଳୁଥିଲା। ସମୟ ବଦଳିବା ସହିତ ଗାଁ ଯୁବକଙ୍କର ମାନସିକତା ମଧ୍ୟ ବଦଳିଗଲା। ଆଜିର ଅଧିକାଂଶ ଯୁବକ ଅବସର ସମୟରେ ନିଶା ସେବନ କରି ଗ୍ରାମରେ ଗଣ୍ଡଗୋଳ କରିବା, କଥାକଥାରେ ଖରାପ ଭାଷା କହିବା, କିଛି ନକରି ସବୁ ଜାଗାରେ ନିଜର ଶ୍ରେଷ୍ଠତ୍ୱ ଜାହିର କରିବା, କେବଳ ନିଜ ବ୍ୟକ୍ତିଗତ ସ୍ୱାର୍ଥକୁ ଛାଡ଼ିଦେଲେ ଯେଉଁ ଗାଁ ମାଟି ପାଣି ପବନ ଖାଇ ସେ ଆଜି ଏଡ଼େଟାଏ ହୋଇଛି, ତା’ ପାଇଁ କିଛି କରିବାକୁ ସେ ଆଜି ମନ ବଳାଉନାହିଁ। ଆଜି ଯୁବ ସମାଜ ଏତେ ସ୍ୱାର୍ଥପର ହୋଇଯାଇଛି କି ଯଦି ନିଜ ଘର ଆଗରେ ରାସ୍ତା ଫାଟିଛି ସେଇଟା ପାଇଁ ସେ ହୋ ହାଲ୍ଲା କରିଦେଉଛି, କିନ୍ତୁ ଆଉ କିଏ ଅସୁବିଧାରେ ପଡ଼ିଥିଲେ ମଧ୍ୟ ସେଇଟା ଦେଖାଯାଉନାହିଁ। ଆଜି ଦୁଃଖ ଲାଗେ ଯୁବକମାନଙ୍କ ଚିନ୍ତାଧାରା ଗଠନମୂଳକ କାର୍ଯ୍ୟରେ ବ୍ୟବହୃତ ନହୋଇ ବିନାଶକାରୀ କାର୍ଯ୍ୟରେ ଲାଗୁଛି। ଯୁବକମାନେ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ହାତବାରିସି ସାଜୁଛନ୍ତି। କାଲି ଯେଉଁ ସାଙ୍ଗ ପାଇଁ ଯୁବକ ଜଣେ ଜୀବନ ଦେବାକୁ ପଛାଉ ନ ଥିଲା, ଆଜି ସେହି ସାଙ୍ଗଟି ରାଜନୈତିକ ସ୍ୱାର୍ଥ ଓ ଦଳୀୟ ଭାବନାରେ ଶତ୍ରୁ ପାଲଟି ଯାଇଛି।

ଆଜି କିଛି ଭଲ ଶିଖିବା କିମ୍ୱା କିଛି ଭଲ ଅନ୍ୟକୁ ଶିଖାଇବାକୁ ବୟସ୍କଙ୍କଠୁ ଆରମ୍ଭ କରି କନିଷ୍ଠ ପର୍ଯ୍ୟନ୍ତ କାହା ପାଖରେ ସେ ଆଦର କିମ୍ବା ସମୟ ଟିକକ ନାହିଁ। ୭୭ ବର୍ଷ ହେଲା ଆମ୍ଭେ ସ୍ୱାଧୀନ ହେଲେଣି। ତଥାପି ସତ କହିବାକୁ କିମ୍ୱା ସତ ଲେଖିବାକୁ ଡର ଲାଗୁଛି। ଯେଉଁଠି ଟଙ୍କା ପାଇଁ ଆଜି ଜଣେ ପ୍ରଫେସର ପୁଅ ତା’ ଜନ୍ମକଲା ବାପା ପେଟରେ ଛୁରୀ ଭୁଶି ମାରିଦେଉଛି। ଆଜି ଯେକୌଣସି କଥାରେ ଡର ତା’ର ନିଜର ପରିଚୟକୁ ହଜାଇଦେଉଛି। ସେଠି ମଣିଷତ୍ୱ କ’ଣ? ଆଜି ମଣିଷଟିଏ ଯେତେ ପାଠ ପଢ଼଼ି ଶିକ୍ଷିତ ହୋଇଥାଉ ନା କାହିଁକି ମାନସିକ ଶିକ୍ଷିତ ହୋଇନଥିବା ହେତୁ ସେ କେବଳ ନିଜ ସ୍ୱାର୍ଥ ପାଇଁ ଭଲ ଲୋକ ଉପରେ ଆଙ୍ଗୁଳି ଉଠାଇବାକୁ ତିଳେ ମାତ୍ର ସଙ୍କୋଚ କରୁନାହିଁ।

ଆଜି ସେହି ଦୁନିଆ ରହିଛି, ଲୋକମାନେ ରହିଛନ୍ତି। କିନ୍ତୁ ହୃଦୟରୁ ହଜିଯାଇଛି ମଣିଷପଣିଆ ଓ ପରସ୍ପର ପ୍ରତି ଭଲପାଇବା। ନବେ ଦଶକରେ ଆମେ କ’ଣ ପାଉଥିଲେ ଆଉ ଏବେ କ’ଣ ହରାଉଛନ୍ତି ଏହାର ତୁଳନା କଲେ ବାସ୍ତବତା ସାମ୍ନାକୁ ଆସିଯିବ। ଆଜି ଲୋକଙ୍କ ପାଖରେ ମାନବିକତା ଟିକେ ଖୋଜି ପାଇବା ବହୁତ କଷ୍ଟ। ତେବେ କ’ଣ ଗାଁ ଆଉ ସେ ପୂର୍ବ ଗାଁ ଫେରିପାରିବ ନାହିଁ ? ସାହିପଡ଼ିଶା ଗାଁ ଭାଇମାନେ କ’ଣ ପୂର୍ବପରି ସମ୍ପର୍କର ରଜ୍ଜୁରେ ବାନ୍ଧି ହେବେନାହିଁ? ଏ ପ୍ରଶ୍ନର ଉତ୍ତର ଆଜି କାହାପାଖରେ ଅଛି? ଆଜି ସମୟ ପୁଣି ୩୦ ବର୍ଷ ତଳକୁ ଚାଲି ଯା’ନ୍ତା ନାହିଁ! ଆଉ କ’ଣ ସେ ସମୟ ଆଜି ଫେରିଆସନ୍ତା ନାହିଁ!


এই বিষয়বস্তু রেট
প্রবেশ করুন

Similar oriya story from Abstract