ଗୃହ ଲକ୍ଷ୍ମୀ
ଗୃହ ଲକ୍ଷ୍ମୀ
ବିଚରା ସୁରଭି ଆଉ କ'ଣ କରିପାରିଥାଆନ୍ତା ? ଆଉ କିଛି ଉପାୟ ନାହିଁ। ଯିଏ କେବେ ବି ସାହାସ କରି ନଥିଲା ବାହାରକୁ ଯିବା ପାଇଁ। ଆଜିକାଲିକା ଝିଅବୋହୂ ମାନଙ୍କ ପରି ସ୍ମାର୍ଟ ,ଫ୍ରି ହେବା , ଆଧୁନିକୀକରଣ ଚଳଣି, ଆଚରଣ ସୁରଭି ପାଖରେ ନ ଥିଲା। ସେ ବହୁତ ସାଦାସିଧା ସରଳ ପ୍ରକୃତିର। ତେଣୁ ତା ପାଇଁ ବାହାରେ ଚଳପ୍ରଚଳ କରିବା କଷ୍ଟକର ହୋଇପଡୁଥିଲା। ହେଲେ ସୁରଭିର ଅସହାୟତା ଆଜି ତାକୁ ବାହାରକୁ ଟାଣିଆଣିଛି।ସେ କେବେ କାହା ଆଗରେ ପାଟି ଖୋଲି କଥା ପଦେ କହିନାହିଁ କିନ୍ତୁ ବର୍ତ୍ତମାନ କେମିତି ସେ ବାହାରେ ସମୟ କଟାଇବ ,କାଳେ କ'ଣ ଅସୁବିଧା ହୋଇଯିବ ଏ ପ୍ରଶ୍ନ ତା ମନକୁ ବାରମ୍ବାର ଉଙ୍କି ମାରୁଥାଏ।
ସୁରଭି ରାମଚନ୍ଦ୍ରଙ୍କର ଏକମାତ୍ର ଅଳିଅଳ ଗେହ୍ଲବସରର ଝିଅ। ତାଙ୍କର ଆର୍ଥିକ ସ୍ୱଚ୍ଛଳ ବହୁତ କମ୍।ସୁରଭିର ବାପାମାଆ ତାକୁ ବହୁତ ଭଲ ପାଆନ୍ତି, ପ୍ରତ୍ୟେକ କଥାକୁ ପୂରଣ କରିଛନ୍ତି। ଝିଅଟିଏ ବୋଲି କେବେ ବି ମନରେ ଦୁଃଖ ନଥିଲା କାରଣ ସେମାନେ ଘରର ଲକ୍ଷ୍ମୀ ବୋଲି ଭାବୁଥିଲେ।।ସେ ଯାହା ବି ହେଉ ବହୁତ ଦୁଃଖ କଷ୍ଟରେ ରାମଚନ୍ଦ୍ର ଝିଅକୁ ପାଠ ପଢ଼ାଇ , ତା'ର ସବୁ ଅଳି ଅଝଟ ହସି ହସି ସହ୍ୟ କରି ବଡ଼ କରିଥିଲେ। ରୋଜଗାର କମ୍ ଥିଲେ ମଧ୍ୟ କେବେ ବି ଦୁଃଖ କଷ୍ଟର ପ୍ରଭାବ ଝିଅ ଉପରେ ପଡ଼ିବାକୁ ଦେଇ ନ ଥିଲେ। ତଥାପି ନିଜ ସାମର୍ଥ୍ୟ ଅନୁସାରେ ଭଲଘର ଦେଖି ଝିଅର ବାହାଘର କରାଇଦେଲେ।
ସୁରଭି ବାପଘର ଛାଡି ଶାଶୁଘର ଗଲା। ବର୍ତ୍ତମାନ ସେ ନୂଆ ନୂଆ ଲୋକମାନଙ୍କ ସହ ନୂଆ ପରିବେଶରେ ଚଳିବାକୁ ପଡିବ। ତେଣୁ ସୁରଭି ଶାଶୁଘର ଲୋକମାନଙ୍କୁ ନିଜର ଭାବି ସେମାନଙ୍କ ମନ କଥା ବୁଝି ଅତି ଆପଣାର ମନେ କରି ସେମାନଙ୍କ ସେଵା ଯତ୍ନ କରୁଥିଲା। କିନ୍ତୁ ଗରିବ ଘରର ଝିଅ ବୋଲି କହି ଶାଶୁ କେବେ ବି ସୁରଭିକୁ ଭଲ ପାଉ ନଥିଲେ। ପ୍ରତ୍ୟେକ କଥାରେ ଦୋଷ ଦେଇ ନାନା କଥା ଶୁଣାଇ ଦେଉଥିଲେ। ଟିକେ ଟିକେ କଥାରେ ଛୋଟ ଲୋକ,ଅଲକ୍ଷଣି ବୋଲି କହି ଗାଳିଗୁଲଜ କରନ୍ତି। କିନ୍ତୁ ସୁରଭି କେବେ ବି ତା'ର ପ୍ରତିଉତ୍ତର ଦିଏ ନାହିଁ।ଆଖି ବୁଜି ମଥାପାତି ସବୁ ସହିଯାଏ।
ଏହିପରି ଭାବେ କିଛି ଦିନ ଯିବା ପରେ ସୁରଭିର ସ୍ୱାମୀର ହଠାତ୍ ଏକ ଦୁର୍ଘଟଣାରେ ଗୋଡ଼ ଦୁଇଟା ନଷ୍ଟ ହୋଇଗଲା। ତେଣୁ ସେ ବର୍ତ୍ତମାନ ଅଚଳ ଅବସ୍ଥାରେ।ଘର ଚଳାଇବା ଅସମ୍ଭବ । ପରିବାର କେମିତି ଚଳିବ? ସେହି ଘରର ଏକମାତ୍ର ସାହା ଭରଷା ଯିଏ କି ଘରର ସମସ୍ତ ଦାୟିତ୍ବ ତୁଲାଉଥିଲେ ସୁରଭିର ସ୍ୱାମୀ ଆଜି ଅଚଳ। ତେଣୁ ଶାଶୁ ଆହୁରି ଅଧିକ କ୍ରୋଧାନ୍ୱିତ ହୋଇ ସୁରଭିକୁ ଦୋଷୀ ସାବ୍ୟସ୍ତ କରୁଥାନ୍ତି ଆଉ କହୁଥାନ୍ତି ଯେ ଏହି ଅଲକ୍ଷଣି ହେତୁ ମୋ ପୁଅର ଏଭଳି ଅବସ୍ଥା ହେଲା।
ତେଣୁ ଏହି ସବୁ କଥା ଭାବି ଭାବି ସୁରଭିର ମନ ଅସ୍ଥିର ହୋଇ ପଡୁଥାଏ। କ'ଣ କରିବ ଉପାୟ ପାଉ ନଥାଏ। ହେଲେ ଯେହେତୁ ସେ ଘରର ବୋହୁ ତେଣୁ ସ୍ୱାମୀଙ୍କର ଏହି ଅସହାୟ ପରିସ୍ଥିତିରେ ତାଙ୍କ ସେବା କରିବା , ଆଶ୍ୱାସନା ଦେବା ସହିତ ଘରର ସମସ୍ତ ଦାୟିତ୍ବ ବୁଝିବା ବର୍ତ୍ତମାନ ସୁରଭି ଉପରେ। ତେଣୁ ସେ ଆଉ ଘରର ଚାରିକାନ୍ଥ ଭିତରେ ନିଜକୁ ଆବଦ୍ଧ କରିପାରିଲା ନାହିଁ। ଭଗବାନଙ୍କ ଉପରେ ବିଶ୍ବାସ ରଖି ବାହାରିଗଲା ତା ପାଠ ପଢାର ମୂଲ୍ୟ ଖୋଜିବାକୁ। କେଉଁଠି ଟିକିଏ କାମ ମିଳିଗଲେ ନିଜକୁ ନିୟୋଜିତ କରି ଅର୍ଥ ରୋଜଗାର କରି ଘର ଚଳାଇବାକୁ। ତେଣୁ ଏମିତି ଵୁଲୁ ବୁଲୁ ଶେଷରେ ଗୋଟିଏ କିରାଣୀ ଚାକିରି ମିଳିଲା।ଆଉ ସେଥିରୁ ଯାହା ରୋଜଗାର କରେ ସେ ନିଜ ସ୍ୱାମୀ, ଶାଶୁ ଶ୍ୱଶୁର ,ନଣନ୍ଦ,ଦିଅର , ପିଲାମାନଙ୍କ କଥା ବୁଝେ ।ନିଜେ ପଛେ ଉପବାସ ରହିଯାଏ କିନ୍ତୁ କେବେ ବି କାହାକୁ ଅସୁବିଧା ସମ୍ମୁଖୀନ ହେବାକୁ ଦେଇ ନ ଥାଏ।ଅହରହ ସଂଗ୍ରାମ କରୁଥାଏ।
ଶେଷରେ ତା'ର ନିଷ୍ଠା , ତ୍ୟାଗ ,ସେବା ବଳରେ ସୁରଭି ତା'ର ସ୍ୱାମୀର ପ୍ଳାଷ୍ଟିକ୍ ସର୍ଜରୀ କରାଇ ଅକ୍ଷମତାରୁ ଚାଲିବାର ସକ୍ଷମ କରାଇପାରିଥିଲା।ସେ ସତରେ ନାଁ ଯେମିତି ସୁରଭି ସେ ସେମିତି ନିଜର ଗୁଣ ଗାରିମାରେ ସୁରଭିତ କରାଇପାରିଥିଲା।ସମସ୍ତେ ସୁରଭିର ଧୈର୍ଯ୍ୟ ଓ ସାହାସିକତା ପାଇଁ ଭୁରି ଭୁରି ପ୍ରଶଂସା କରୁଥାନ୍ତି। ତେଣୁ ଏ କଥା ଶୁଣି ସୁରଭିର ଶାଶୁ ନିଜ ଭୁଲ ବୁଝିପାରିଲେ ଏବଂ ସୁରଭିକୁ କହିଲେ ,ଯେ ତୁ ମୋ ଘରର ବୋହୁ ନୁହେଁ ମୋ ଘରର ଝିଅ ଗୃହଲକ୍ଷ୍ମୀ।