ଗପ ହେଲେ ବି ସତ
ଗପ ହେଲେ ବି ସତ
ଗୋଟିଏ ପରିବାରରେ କେଉଁ ପୂର୍ବପୁରୁଷରୁ ଗୋଟିଏ ହେଲେ ବି ଝିଅଟିଏ ନ ଥିଲା। କିଛି ବର୍ଷ ପରେ ସେହି ପରିବାରରେ ଗୋଟିଏ କନ୍ୟା ସନ୍ତାନ ଜନ୍ମଲାଭ କଲା। ପରିବାରରେ ସମସ୍ତଙ୍କ ମନ ବହୁତ ଖୁସି ଥାଏ। ସେହି ଝିଅଟି ମଧ୍ୟ ଅତି ଆଦର ଓ ଯତ୍ନର ସହ ବଢ଼ିବାକୁ ଲାଗିଲା। ଅଢେଇ ବର୍ଷ ପରେ ପୁଣି ସେହି ପରିବାରରେ ଆଉ ଗୋଟିଏ କନ୍ୟା ସନ୍ତାନ ଜନ୍ମଲାଭ କଲା। ସମସ୍ତଙ୍କ ମନଖୁସି ଥାଏ କିନ୍ତୁ ଜେଜେମାଆ ମନରେ ଆଦୌ ଖୁସି ନ ଥିଲା।ବାପା ମଧ୍ୟ ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି ରେଡିଓ ବଜାଇ ଗାଁରେ ମିଠା ଵାଣ୍ଟୁଥାନ୍ତି। ଜେଜେମାଆ ପୁଅ ଉପରେ କାଳେ ବୋଝ ହେଵ ସେହି କଥା ବାରମ୍ବାର ଭାବୁଥାନ୍ତି। ସେତେବେଳେ ଛୋଟ ଝିଅଟି ତାର ମାଆ ସହ ଅଜା ଘରେ ଥାଏ। ନାତୁଣୀ ଜନ୍ମ ହେବାର ମାତ୍ର ତେର ଦିନ ହୋଇଥାଏ।ମାଆ ବଡ଼ ଝିଅଟିକୁ ସାନ ଝିଅ ପାଖରେ ଵସାଇ ପୋଖରୀକୁ ଗାଧୋଇବାକୁ ଯାଇଥାଏ। ଆଈ ମଧ୍ୟ ପୂଜା କରୁଥାଏ। ଠିକ୍ ସେତିକିବେଳେ ଜେଜେମାଆ ସୁଯୋଗ ପାଇ ବଡ଼ ନାତୁଣୀକୁ ଗେଲ କରି ସେଠାରୁ ହଟାଇ ସାନ ନାତୁଣୀର ତଣ୍ଟି ଚିପିବାକୁ ଚେଷ୍ଟା କଲା। କିନ୍ତୁ ପିଲାଟି କାନ୍ଦିଵାରୁ ବଡ଼ ନାତୁଣୀ ଆସିଯାଏ ଓ ଭଉଣୀକୁ ଆଉଁସି ଦିଏ। ପୁଣି ପୂର୍ବଭଳି ଜେଜେମାଆ ନାତୁଣୀକୁ ବୁଝେଇ ସେଠାରୁ ତଡ଼ି ଦିଏ ଓ ତା କାମ ଆରମ୍ଭ କରିଦିଏ । ଦ୍ୱିତୀୟ ଥର ମଧ୍ୟ ଝିଅଟି କାନ୍ଦିବାରୁ ଆଈ ଆସିପହଞ୍ଚିଯାଏ ଓ ଦେଖେତ ଜେଜେମା ଝିଅଟିର ଦୁଇ ପାର୍ଶ୍ଵରେ ଗୋଡ଼ ରଖି ତଳକୁ ନଇଁ ବେକ ପର୍ଯ୍ୟନ୍ତ ହାତ ନେଇଛି କିନ୍ତୁ ଆଈକୁ ଦେଖି ହଠାତ ଅଟକି ଯାଇଛି।ଆଈ ପଚାରିବାରୁ ବିଭିନ୍ନ କଥା କହି ଭୁଲାଇ ସେଠାରୁ ଫେରାଇ ଦେଇଛି।ଆଈ ଅବା କାହିଁ ଅବିଶ୍ୱାସ କରିବ।ସେ ମଧ୍ୟ ସେଠାରୁ ଫେରି ପୁଣି ପୂଜାରେ ଲାଗି ପଡିଲା। ପ୍ରଥମ ଦୁଇ ଥର ବିଫଳ ହେବା ପରେ ଜେଜେମା ଆଉ ମୁହୁର୍ତ୍ତଟିଏ ଅପେକ୍ଷା ନ କରି ସିଧାସଳଖ ନାତୁଣୀ(ସାନ)ର ତଣ୍ଟିଚିପି ଦେଲା।ସେହି ସମୟରେ ଝିଅଟିର ମାଆ ବଡ଼ ଝିଅକୁ ମାଛ ଭଲ ବୋଲି ପୋଖରୀରୁ ଗୋଟିଏ ମାଛ ଆଣି ଝୁଲେଇ ଝୁଲେଇ ହସି ହସି ଆସି ଶାଶୁ(ଜେଜେମାଆ)କୁ ଦେଖାଇ କହେ ଯେ ଦେଖ ମା ,ତମ ନାତୁଣୀ ପାଇଁ ମୁଁ ମାଛ ଆଣିଛି। ଜେଜେମା ନିଜେ ମାରି ତା'ର ନାଟକ ଆରମ୍ଭ କରିଦିଏ ଆଉ କୁହେ ତୁ ମାଛ କ'ଣ ଆଣିଛୁ ଦେଖ ତୋ ସାନ ଝିଅର ଅବସ୍ଥା କଣ ହୋଇଛି।ଏହି କଥା ଶୁଣି ମାଆ ମାଛଟିକୁ ଫୋପାଡ଼ି ସେହି ଓଦା ଜୁଡୁଵୁଡୁ ଅବସ୍ଥାରେ ଧାଇଁ ଗଲା ଝିଅ ପାଖକୁ ଆଉ ଝିଅଟିର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।ଦେଖିଲା ପିଲାଟିର ଜିଭ ତଣ୍ଟି ଭିତରକୁ ପଶି ଯାଇଛି,ପାଟିରେ ରକ୍ତ ପୂର୍ଣ୍ଣ,ଦେହ ସମ୍ପୂର୍ଣ୍ଣ ନୀଳ ପଡ଼ିଯାଇଛି,ଆଉ ପିଲାଟିର ସେନ୍ସ ନ ଥାଏ,କେବଳ ଧକଧକ ହେଉଥାଏ।ଏହା ଦେଖି ମାଆ ଚିତ୍କାର କରି କାନ୍ଦିବାକୁ ଲାଗିଲା ।ମାଆଟିର କାନ୍ଦ ଶୁଣି ଘରେ ଗାଁ ଲୋକ ଆସି ପହଞ୍ଚି ଗଲେ। ସମସ୍ତଙ୍କ ମନରେ ଶୋକରେ ଛାୟା ଭରିଯାଇଥିଲା କିନ୍ତୁ ଜେଜେମା ଆଖିରେ ଟିକିଏ ହେଲେ ବି ଦୁଃଖ ନ ଥିଲା।ସମସ୍ତେ ତାକୁ ସନ୍ଦେହ କଲେ ଓ ଶେଷରେ ଜାଣି ପାରିଲେ। ରଖେ ହରି ତ ମାରେ କିଏ।ଶେଷରେ ସେହି ତେର ଦିନର ଝିଅଟି ଭଗବାନଙ୍କ କୃପାରୁ ବଞ୍ଚି ଯାଇଥିଲା।
କନ୍ୟା ରତ୍ନ କର ଯତ୍ନ-ଏ କଥା ସମସ୍ତେ କୁହନ୍ତି କିନ୍ତୁ ନାମକୁ ମାତ୍ର। ସମସ୍ତ ବାପାମାଆଙ୍କର ଆଶା ଥାଏ କି ପୁଅଟିଏ ହେଲେ ଘରର ବଂଶ ରକ୍ଷା କରିବ ସେଥିପାଇଁ ସମସ୍ତଙ୍କ ମନ ଖୁସି ଥାଏ କିନ୍ତୁ ଯଦି ଝିଅ ହୁଏ ତେବେ ବାପା ମାଆଙ୍କ ଉପରେ ବୋଝ ହେବ ଏବଂ ତା ସହିତ ମଧ୍ୟ ଯୈାତୁକ ଦେବାକୁ ପଡ଼ିବ ଏ କଥା ଭାବି ମନ ଦୁଃଖ କରନ୍ତି। କିନ୍ତୁ କାହିଁକି କେଜାଣି ଭାବି ପାରୁ ନାହାଁନ୍ତି ଯେ ଘର ପାଇଁ ପୁଅ ଯେମିତି ଝିଅ ଵି ସେମିତି, ଉଭୟ ସମାନ।ଆଉ ଏ କଥା ଭାବି ଯେଉଁମାନେ ଏହିଭଳି ଘୃଣ୍ୟ କାମ କରନ୍ତି ସେମାନେ ବି ଜଣେ ଜଣେ ଝିଅ ଥିଲେ ଆଉ ମାଆ ମଧ୍ୟ। ତେଣୁ ଏହିଭଳି ଭାବେ ଘୃଣ୍ୟ କାମ ନ କରି ନାରୀ ଜାତିକୁ କଳଙ୍କିତ ନ କରିବାକୁ ଅନୁରୋଧ।
