ଗୋଟିଏ ରାତି ଅନେକ ଅନୁଭୂତି
ଗୋଟିଏ ରାତି ଅନେକ ଅନୁଭୂତି
ଶୂନଶାନ ରାତି l ଆକାଶ ସଫେଦ ଚନ୍ଦ୍ର ଆଲୋକରେ ଝଲସୁ ଥାଏ l କିଏ ଜଣେ ଜାଳୁଥାଏ ମଶାଣୀର ନିଆଁ l ଧୂଆଁ ସବୁ ଖେଳି ଯାଉଥାଏ ମାଟିରୁ ଆକାଶ ଯାଏ l ପାଖରେ ଶୁଭୁଥାଏ କୁଆଁ କୁଆଁ ଶବ୍ଦ l ମନରେ ଭୟ ଆସି ଯାଉଥାଏ l ଭୂତ -ଭୁତଣୀ କଥା ଯେମିତି ଆଖିରେ ନାଚି ଯାଉ ଥାଏ l କିଛି ଆଗକୁ ଦିକି ଦିକି ହୋଇ ଏକ ବତୀ ଜଳୁଥାଏ l ପାଖରେ ଘରଟିଏ ମଧ୍ୟ ଥାଏ l ମନରେ ଡର ବସା ବାନ୍ଧି ଥାଏ,ତଥାପି ମନରେ ସାହସ ବାନ୍ଧି.... ରାସ୍ତା କଡ଼ରେ ଥିବା ଘର ପାଖରେ ଠିଆ ହେଲି l ହଠାତ ଏକ କୁକୁର ଘରୁ ଭୋକିବା ଆରମ୍ଭ କରିଦେଲା l କିଛି ସମୟ ପରେ ଘରୁ ଏକ ବୃଦ୍ଧ ବାହାରି ଆସିଲେ l ସବୁବେଳେ ଅନେକ କହିବା ଅଭ୍ୟାସ ଥିଲେ ବି ସେଦିନ ଜିଭରେ ଶବ୍ଦ ଆସିଲାନି l ବୃଦ୍ଧ ଜଣକୁ ଦେଖି ଅବାକ ହୋଇଗଲି...
କାରଣ ବୃଦ୍ଧର ରୂପ ସେମିତି ଭୟଙ୍କର ଥିଲା l ଗୋଟିଏ ହାତରେ ଥିଲା ଅଳନ୍ଧୁ ମଡ଼ା ଅଧା ଭଙ୍ଗା କାଚର ଏକ ଲଣ୍ଠନ l ଆଉ ଗୋଟିଏ ହାତରେ ବାଡ଼ି ଟିଏ ଥିଲା l ଲୁରୁଥୁରୁ ଚାଲିରେ ଆସୁଥିଲେ ବୃଦ୍ଧ ଜଣକ ନୁଖୁରା ମୁଣ୍ଡ ଆଉ ଚିରା କୁତୁରା ମଇଳା ଧବଳ ଖଦି ସହ ଗୋଟିଏ ଚିରା ଗଞ୍ଜିରେ l
ପାଖକୁ ଆସି ପଚାରିଲେ ବାବୁ କଣ ହେଇଛି ?
ଡରି ଡରି, ପାଟି ଖନା ମାରିଲା ପରି କହିଲି ମତେ ଡର ମାଡୁଛି l ଆଜି ଗାଡି ମଟର ଷ୍ଟ୍ରାଇକ ହୋଇଥିଲା l ସେଥିପାଇଁ ଆସିଲା ବେଳେ ଡେରି ହେଇ ଗଲାଣି l ରାତି ବି ବଢ଼ିଗଲାଣି l ଏବେ ମତେ ଏ ଜଙ୍ଗଲ ଡେଇଁ ମହାଲିକପଡ଼ା ଯିବାକୁ ହେବ ମାତ୍ର ଏ ବାଟରେ ଆସିଲା ବେଳେ.......
ବୃଦ୍ଧ ଜଣକ ହଠାତ କହିଲେ "କଣ ଶବ ଜଳୁଥିବାର ଦେଖିଲ କି ? "
ଶୁଣିଲା ପରେ ମତେ ଆଉ ବହୁତ ଡର ମାଡିଲା l ନିଆଁ ଜଳୁଥିଲା ଭାବୁଥିଲି ମାତ୍ର ସେଇଠି ଶବ ଜଳୁଛି ଜାଣି ଆଉ ମନରେ ସାହସ ହେଲାନି ପାଖ ଜଙ୍ଗଲ ଡେଇଁ ଗାଁକୁ ଯିବାକୁ l
ହଠାତ ମୋ ପାଟିରୁ ବାହାରି ଆସିଲା ଅଜା ମତେ ଟିକିଏ ଆମ ଗାଁ ମୁଣ୍ଡରେ ଛାଡି ଦିଅନ୍ତନି l ବୃଦ୍ଧ ଜଣକ କହିଲେ ରାତି ଗୋଟିଏ ହେଲାଣି... ଗାଁକୁ ଗାଡି ମଟର ବି ଏବେ ମିଳିବନି l ପାଖ ଗାଁ ଲୋକ ବି ଏବେ ଆଉ କେହି ଯିବା ଆସିବ କରୁନାଁହାନ୍ତି l ସବୁ ଆଡେ ଶୂନଶାନ l ଏମିତିରେ ବୁଢାଲୋକ ଚାଲିବା ମତେ ବଡ଼ କଷ୍ଟ l ଯଦି କିଛି ଅସୁବିଧା ନାହିଁ ତେବେ ଆସି ମୋ ଘରେ ଆଜି ରାତିରେ ରହିଯାଅ l ରାତି ଚାରି ଘଡିର କଥା l ସକାଳ ପାହିଯିବ l କାଲିକି ମୋର ବି କାମ ଅଛି ମିଶିକି ଗାଡ଼ିରେ ଚାଲିଯିବା l
ବୃଦ୍ଧ ଜଣଙ୍କ ପାଖରୁ ଏମିତି କଥା ଶୁଣି ମୋର ଆଉ ବାଟ ନଥିଲା l ସବୁ ବାଟ ବନ୍ଦ ହୋଇସାରିଥିଲା l ଏମିତିରେ ଗାଁକୁ ନେଟୱର
୍କ ବି ଭଲରେ ପାଉନଥିଲା ଯେତେ ମୋବାଲିରେ ଫୋନ କଲେ ମଧ୍ୟ ଯୋଗାଯୋଗ ହୋଇପାରୁନଥିଲା l ବାଧ୍ୟ ହୋଇ ବୃଦ୍ଧ ଜଣଙ୍କୁ କୁଂଥୁ କୁଂଥୁ ହୋଇ ହଁ କହିଲି l ଦୁଇ ଜଣ ମିଶି ଘର ଭିତରକୁ ଗଲୁ l
ଘରେ ଗୋଟିଏ ଖଟ ପଡିଥିଲା l ଆଉ ଗୋଟିଏ ଖଟ କାନ୍ଥକୁ ଲାଗି ଡେରା ହୋଇଥିଲା l ବୃଦ୍ଧ ଜଣକ ଥୁରୁ ଥୁରୁ ହୋଇ ପାଖ ଘରକୁ ଗଲେ l କିଛି ସମୟ ପରେ ପାଖ ଘରୁ... ଭାତ ଆଉ ଡାଲି ଟିକିଏ ନେଇ ଆସିଲେ l ବାବୁରେ ଟିକିଏ ଖାଇ ଦିଅ କହିଲେ l ମତେ କୋଉ ଭୋକ ଲାଗୁଥିଲା ଯେ.... ଖାଇବାକୁ ମନା କରୁଥାଏ... ତଥାପି ରାତିରେ ଖାଲି ପେଟରେ ଶୁଅନ୍ତି ନାହିଁ କହି.. ବୃଦ୍ଧ ଜଣଙ୍କ ଖାଇବାକୁ କହୁଥିଲେ l ତାଙ୍କ କଥା ରଖିବାକୁ ଯାଇ ସଜ୍ଜ ପଖାଳ ଭାତ ଗଣ୍ଡାକ ଚିପୁଡ଼ି ଡାଳିରେ ଗୋଳେଇ ଗାଳେଇ ଖାଇଦେଲି l ଖାଇ ସାରିବା ପରେ ଶୋଇବାକୁ ଗଲୁ l
ନିଦ ଆସୁନଥିଲା l ଠିକ ପନ୍ଦର ମିନିଟ ହୋଇଥିବ ପଚାରିଲି ଅଜା ଶୋଇଗଲକି ? ଅଜା ଶୋଇଗଲକି ?
ବୃଦ୍ଧ ଜଣଙ୍କ କହିଲେ କଣ ହେଲା ? କଣ କହୁଥିଲ କି ?
କିଛି ଡର ନାହିଁ ତମେ ମଶାଣୀରେ ଶବ ପଡୁଥିବାର ଦେଖିଦେଇଛ ତ' .... ସେ କିଛି ନୁଁହ l ହଠାତ ପଚାରି ଦେଲି....
"ଅଜା ସେଇଟା କାହା ଶବକି ? ଗୋଟିଏ ଛୋଟ ଛୁଆର କାନ୍ଦ ବି ଶୁଭୁଥିଲା ଯେ l"
ଓଃ... ବଡ ଦୁଃଖଦ ଘଟଣାରେ ବାବୁ l ଶୁଣିବାକୁ ମିଳୁଥିଲା ସେ ପୁଅ -ଝିଅ ଭଲ ପାଇକି କୁଆଡୁ ପଳେଇ ଆସିଥିଲେ l ତାଙ୍କର ଗୋଟିଏ ଛୋଟ ଝିଅ ଟିଏ ବି ଥିଲା l ମାତ୍ର ତାର କେଡେ ଦୁର୍ଭାଗ୍ୟ.... ଆଜି ଗାଡି ଧକ୍କା ହେଇ ପୁଅଟିର ଜୀବନ ଚାଲିଗଲା l ଛୋଟ ଝିଅର ମାଆଟି କେତେ କାନ୍ଦିଲା..... କେତେ ଜଗିଲା ହେଲେ ପୁଅ ଘରୁ କି ଝିଅ ଘରୁ କେହିବି ଆସିଲେ ନାହିଁ l ଅଲଟା ଧମକ ଦେଇ କହିଲେ ଶବ ଯେଉଁ ମାନେ ପଡ଼ିବାକୁ ନେବେ ତାଙ୍କ ନାମରେ ସେ ଥାନାରେ ଏତଲା ଦେଇଦେବେ l ସେ ଭୟରେ ଆଜି ତାକୁ ପୁଡ଼େଇବାକୁ ଯାଇ ନାଁହାନ୍ତି l କି ଯୁଗ ହେଲାରେ ପୁଅ....!
ସେଥିପାଇଁ ସେ ନିଜ ସ୍ୱାମୀର ଶବକୁ ନିଜ କାନ୍ଧରେ କାନ୍ଧେଇ ଆଉ ଛୁଆକୁ କାଖରେ ଧରି ଏକା ଏକା ମଶାଣି ଯାଇଛି l ସଞ୍ଜଠୁ ଗଲାଣି.... ହୁଏତ କାଠ ସଂଗ୍ରହ କରୁ କରୁ ଡେରି ହୋଇଯାଇଥିବ.... ଆଉ ଛୋଟ ଝିଅକୁ ଖୁଆଇବା କଥା ଭୁଲି ଯାଇଥିବ... ତେଣୁ ଛୁଆଟି କାନ୍ଦୁଥିବ l ବୁଝିଲୁ ବାବା ଏ ଦୁନିଆର ମଣିଷ ପଣିଆ l ଶୋଇଯା ଆଉ କିଛି ଭୟ କରେନି l ସକାଳ ପାହିଗଲେ ମିଶିକି ବାହାରିଯିବା l
ସେଦିନ ବୃଦ୍ଧଙ୍କ କଥା ଶୁଣି ମନରେ ଯେତିକି ଦୁଃଖ ଲାଗିଥିଲା ସେତିକି ପ୍ରଶ୍ନ ଉଙ୍କିମାରୁଥିଲା l ସତରେ ଏ ସମାଜ କେତେ ତଳକୁ ଚାଲିଯାଇ ପାରେ l ଏମିତି ଅନେକ କଥା ଭାବୁ ଭାବୁ କେତେବେଳେ ଶୋଇ ସକାଳ ପାହିଗଲା l ଆଉ ଝଟକି ଉଠି ପଡ଼ିଲୁ l