Bauribandhu Lenka

Tragedy

4.5  

Bauribandhu Lenka

Tragedy

ଗୋପୀଆର ଗରିବୀ

ଗୋପୀଆର ଗରିବୀ

4 mins
488



ବହୁ ବର୍ଷ ତଳର କଥା । ଦେଶରେ ସାଧାରଣ ନିର୍ବାଚନ ହେବାର ଥାଏ । ବିଭିନ୍ନ ରାଜନୈତିକ ଦଳଙ୍କର ନିର୍ବାଚନ ବୈତରଣୀ ପାରିହେବା ପାଇଁ ବିଭିନ୍ନ ପ୍ରକାରର ସ୍ଳୋଗାନ ମାନ ଚାରିଆଡେ ପ୍ରଚାର ହେଉଥାଏ । ସବୁଠାରୁ ବେଶୀ ଲୋକପ୍ରିୟ ସ୍ଳୋଗାନ ଥିଲା "ଗରିବୀ ହଟାଓ" । ଏହି ସ୍ଳୋଗାନଟି ଏକ ଜାତୀୟ ସ୍ତରର ରାଜନୈତିକ ଦଳର ଥିଲା । ଆର୍ଥିକ ଦୃଷ୍ଟିରୁ ସ୍ୱଳ୍ପ ଆୟକାରୀ ଲୋକମାନଙ୍କର

ପରିବାରର ଲୋକମାନେ ଏହି ସ୍ଳୋଗାନରେ ପ୍ରଭାବିତ ହୋଇ ସେ ଦଳକୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇଲେ । ସେ ଦଳ ବିପୁଳ ଭୋଟ ପାଇ କେନ୍ଦ୍ରରେ ସରକାର ଗଢିଲା । 


କେତେ ଶୋଭାଯାତ୍ରା ସମ୍ବର୍ଦ୍ଧନା ସଭାମାନ କରାଯାଇ ନବ ନିର୍ବାଚିତ ଏମ୍.ପି. ମାନଙ୍କୁ ଫୁଲମାଳରେ ପୋତି ପକେଇଲେ ସମର୍ଥକମାନେ । ଚାରିଆଡେ ଏକ ଆଶାର ବାତାବରଣ । ନିଶ୍ଚୟ ଏଥର ସରକାର କିଛି ଯୁଗାନ୍ତକାରୀ ପଦକ୍ଷେପ ନେବେ । ଦେଶର ଆର୍ଥିକ ଅବସ୍ଥା ସୁଦୃଢ ହେବ। କେହି ଗରିବ ହୋଇ ରହିବେ ନାହିଁ । ଦେଶରୁ ଗରିବୀ ହଟିଯିବ ।


ସେତେବେଳେ ଗୋପୀଆ ମନରେ କେତେ ରଙ୍ଗୀନ ସ୍ୱପ୍ନ । ବାହା ସାହା ହେବାର ପ୍ରାୟ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ କୋଳରେ ସନ୍ତାନଟିଏ ନଥାଏ । ସନ୍ତାନଟିଏ ଥିଲେ ସନ୍ତାନ ହେବାର ସୁଖଠାରୁ ତାକୁ ଲାଳନ ପାଳନ କରି ମିଣିଷଟିଏ କରିବାର ଦୁଃଖ ବଳିପଡିଥାନ୍ତା । ଗୋପୀଆର ଅର୍ଥବଳ କୋଉଠି ଥିଲାଯେ ? ମାତ୍ର ଚାରିଫୁଟରୁ ଟିକିଏ ଅଧିକ ଉଚ୍ଚର ମଣଷଟିଏ । ଏମାନେ ଦୁଇ ପ୍ରାଣୀ ସହିତ ବୃଦ୍ଧ ପିତା ମାତାଙ୍କର ଭରଣ ପୋଷଣ ଦାୟିତ୍ୱ ଗୋପୀଆ ଉପରେ । କାମ କରିବାରେ ଧୁରନ୍ଧର । ଘର ଡିହ ଖଣ୍ଡକ ଛାଡିଦେଲେ ବାଡି ଗୋବରେ ଗୋବେ ଚାଷ ଜମି ନାହିଁ । ଆ'ର ତା'ର ଘରେ ମୂଲିଆ ମଜୁରି କରେ । ଗୋପୀଆ ଘର ଛପର , ଇଟା ପକେଇବା, ଧାନ ଗଦା କରିବା, ହେଁସ ମସିଣା ବୁଣିବା, ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର । ଯେତେ କାମ କଲେ ବି ଚାରିପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକରପାଟ । ଗୋପୀଆର ଦେହ ମୁଣ୍ଡ ଖରାପ ହୋଇଗଲେ ଦିନେ ଦିନେ ଚୁଲି ଅଜଳା ରହିଯାଏ । ଦୁଇ ବଖରା ବାଡତାଟି ଦିଆ ଚାଳ ଛପର ଘର । ସେଥିରେ ଚାରି ପ୍ରାଣୀ ରହନ୍ତି । ନିର୍ବାଚନ ପରେ ଗୋପୀଆ ଅନ୍ୟମାନଙ୍କ ମୁହଁରୁ ଶୁଣି ମନେ ମନେ ଖୁସି ହେଉଥାଏ ଯେ ତା'ର ଏ ଅବସ୍ଥା ସୁଧୁରି ଯିବ । ସେ ଆଉ ଗରିବ ହୋଇ ରହିବ ନାହିଁ ।


ସମୟ ଗଡି ଚାଲିଲା । ଭୋଟବେଳର ହାଉଆ କୁଆଡେ ଉଭେଇଗଲା । ଆଉ ଗରିବୀ ହଟାଓ କଥା ଶୁଣିବାକୁ ମିଳିଲାନି । ଗୋପୀଆର ସବୁ ଆଶା ଧୀରେ ଧୀରେ ମଉଳି ଗଲା । ବୁଢାବାପା ଓ ମାଆ ବର୍ଷକ ଅନ୍ତରରେ ଆଗ ପଛ ହୋଇ ଉପରକୁ ଚାଲିଗଲେ । ତାଙ୍କର ଚିକିତ୍ସା କରିବାକୁ ଗୋପୀଆ କୋଉଠୁ ଏତେ ପଇସା ପାଇବ ? 

ପାଞ୍ଚବର୍ଷ ପରେ ପୁଣି ନିର୍ବାଚନ ଆସିଲା । ଏଥର ଆଉ "ଗରିବୀ ହଟାଓ" ସ୍ଳୋଗାନର ସ୍ୱର ଶବ୍ଦ ଟିକିଏବି ଶୁଣିବାକୁ ମିଳୁନି । ଗୋପୀଆର ମନେ ମନେ ରାଗ । ହେଲ ଗରିବ ରାଗିଲେ କାହା ଉପରେ ରାଗ ସାଧିବ । ନିଜ ମନକଥା ମନରେ ମାରି ରହିଲା । ଭାବୁଥିଲା ଏ ସବୁ ତା'ର ଭାଗ୍ୟର ଦୋଷ । ସ କଣ ଖଟୁନି ? ହେଲେ ତା'ର ପେଟ ପୋଷିବା ପାଇଁ କାହିଁକି ସମର୍ଥ ହୋଇ ପାରୁନି ? ତା ପରି ଆଉ ବି କିଛି ଲୋକ ଏହି ଗାଆଁରେ ଅଛନ୍ତି । ସେମାନେ ବି ତା ଭଳିଆ ଶ୍ରୀ ଅକ୍ଷର ବିବର୍ଜିତା । ହେଲେ ସେମାନେ କେମିତି ଭଲରେ ଅଛନ୍ତି ? ଗୋପୀଆ ଏଥର ଆଉ ଭୋଟ ଦେଲାନି । ଭୋଟ ନଦେଲେ କଣ ହେବ ପୁଣି ସେହି ଦଳ ସରକାର ଗଢିଲା । ଗୋପୀଆର ଦୁଃଖ ଶୁଣିବାକୁ କେହି ନାହାନ୍ତି ।


ଦିନ ଗଡି ଚାଲିଥିଲା । ଉଭୟ ଗୋପୀଆ ଆଉ ତା'ର ସ୍ତ୍ରୀର ବୟସ ଅଧିକ ହୋଇଗଲାଣି । ପରିବାରରୁ ଦୁଇଜଣ କମି ଯାଇଛନ୍ତି ସିନା ହେଲେ ଗୋପୀଆର କାମ ଧନ୍ଦା କରିବାକୁ ଆଉ ଆଗ ପରି ବଳ ପାଉନାହିଁ । ସବୁଦିନେ କାମକରିବାକୁ ଯାଇ ପାରୁନାହିଁ । 


ସେଦିନ ସରପଞ୍ଚ ବାବୁ ଗାଆଁକୁ ଆସିଥାନ୍ତି । ତାଙ୍କ ସହ ତାଙ୍କର ସମର୍ଥକମାନେ ଘେରିକରି ଠିଆ ହୋଇଥାନ୍ତି । ସରକାରଙ୍କ ନୂଆ ଯୋଜନାରେ ବିପିଏଲ୍ ଲିଷ୍ଟରେ ନାମ ଥିବା ଲୋକମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଇନ୍ଦିରା ଆବାସ ଘର ଦେବାପାଇଁ ଗୋଟିଏ ଲିଷ୍ଟ୍ ପ୍ରସ୍ତୁତ କରାଯିବ । ଗୋପୀଆକୁ ଏ ସମ୍ବନ୍ଧରେ କିଛି ଜଣାନଥିଲା । ଗାଆଁରୁ ଜଣେ ଅଧେ ଗୋପୀଆର ନାମ ଲିଷ୍ଟ୍ ରେ ରଖିବା ପାଇଁ କହିଥିଲେ । ହେଲେ ଗୋପୀଆର ଭାଗ୍ୟ ତାକୁ ସହଯୋଗ କଲାନାହିଁ । ଅନ୍ୟ ଥିଲାବାଲାଙ୍କ ନାମ ଲିଷ୍ଟ୍ ରେ ରହିଲା । ଖବର ନେବାରେ ଯାହା ଜଣାଗଲା ଯେ ଗୋପୀଆ ଗତ ନିର୍ବାଚନ ମାନଙ୍କରେ ଭୋଟ ଦେବାକୁ ଯାଇନି । ସେଥିପାଇଁ ସରପଞ୍ଚ ବାବୁଙ୍କର କାନରେ ତାଙ୍କ ଦଳର କେହି ଏ ବିଷୟରେ କହିଛନ୍ତି । ଗୋପୀଆର ଦୁଃଖ ଦିନକୁ ଦିନ ବଢି ଚାଲିଥାଏ । ସରକାରଙ୍କ ବୁଢା ବୁଢୀ ମାନଙ୍କୁ ଭତ୍ତା ଦେବାକୁ ଏକ ଯୋଜନା ଆସିଲା । ଯା ହେଉ ଗୋପୀଆ ଓ ତା'ର ସ୍ତ୍ରୀ ପାଇଁ ଏହି ବୃଦ୍ଧା ଭତ୍ତା କେତେକାଂଶରେ ସହାୟକ ହେଲା । ହେଲେ ବାସ ଅରାକ ଜରାଜୀର୍ଣ୍ଣ ଅବସ୍ଥାରେ ଥାଏ ।


କୋଉଠୁ ଟଙ୍କା ପାଇବ ଯେ ତାକୁ ଠିକ୍ କରିବ ?

ସବୁଦିନ ସମାନ ଯାଏନି । ବିଡିଓ ସାହେବ ସେହି ଗାଆଁ ଭିତର ଦେଇ ଯାଉଥାନ୍ତି । ଦାଣ୍ଡକୁ ସାମନା କରି ଠିଆ ହୋଇଥିବା ଗୋପୀଆର ଜରାଜୀର୍ଣ୍ଣ ବାଡତାଟି ଘର ଦେଖି ସେ ଅଟକି ଗଲେ । ସବୁ ଖବର ବୁଝିବା ପରେ ସେ ଜାଣିଲେ ଯେ ରାଜନୀତିର ପଶାପାଲିରେ ଗୋପୀଆ ଭଳି ଜଣେ ନିରୀହ ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛି। ଅଫିସ୍ ଫେରି ସେ ଗୋପୀଆର ଇନ୍ଦିରା ଆବାସ ମଞ୍ଜୁର କରିଥିଲେ । ହେଲେ ପ୍ରଥମ କିସ୍ତି ମିଳିବା ପୂର୍ବରୁ ଗୋପୀଆ ରୋଗଗ୍ରସ୍ତ ହୋଇ ସେପାରିକୁ ଚାଲିଗଲା ।

ଗୋପୀଆ ଦିନେ ଯେଉଁ ସ୍ୱପ୍ନ ଦେଖିଥିଲା ଯେ ଦେଶରୁ ଗରିବୀ ହଟିବ ବୋଲି ତାହା ସମ୍ପୁର୍ଣ୍ଣ ରୂପେ ଓଲଟା ହୋଇଗଲା । ଗରିବୀ ତ ହଟିଲା ନାହିଁ ବରଂ ଗରୀବି ଗରିବକୁ ଦୁନିଆରୁ ହଟେଇ ଦେଲା । 



Rate this content
Log in

Similar oriya story from Tragedy