Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

sushama Parija

Inspirational

3  

sushama Parija

Inspirational

ଗୋଲକଧନ୍ଦା

ଗୋଲକଧନ୍ଦା

5 mins
185


ବଡ କଠିନ ସମୟ ଏବେ । ଅଦୃଶ୍ୟ ବିଦେଶୀ ଶତୃଟା ଘାଇଲା କରିସାରିଲାଣି ସାରା ବିଶ୍ୱକୁ । ଦେଶର ଅବସ୍ଥା ସାଙ୍ଘାତିକ । ପାଞ୍ଚ ପାଞ୍ଚ ଥର ଲକଡାଉନ ପରେ ଏବେ ଅନଲକର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରତି ଦିନ ସୋସିଆଲ୍ ମିଡିଆରେ ଶୁଣା ଯାଉଛି ଏଠି ଶଟଡାଉନ, ସେଠି ଶଟଡାଉନର ଖବର, ମୃତକଙ୍କ ସଂଖ୍ୟା, ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରତି କ୍ଷଣରେ ଚାଲିଛି ବିଶ୍ଳେଷଣ, ଯାହା ମଣିଷ ଜାତିକୁ ଭୟ ବିହ୍ଵଳ କରି ରଖିଛି ପ୍ରତି ମୁହୂର୍ତ୍ତରେ । କେତେବେଳେ କେମିତି କେଉଁ ବାଟରେ ମୃତ୍ୟୁ ଆସି ପହଞ୍ଚିବ ସେଇ ଆତଙ୍କ ଅତ୍ର, ତତ୍ର, ସର୍ବତ୍ର ବ୍ୟାପ୍ତ । ମଣିଷଙ୍କର ଠାରୁ ଠାକୁରଙ୍କ ଯାଏଁ ସମସ୍ତେ ଗୃହବନ୍ଦୀ କିନ୍ତୁ ସରକାରଙ୍କ କର୍ମଚାରୀମାନେ ତାଙ୍କ ନିଜ ନିଜର ଅଫିସରେ ରହିବାକୁ ବାଧ୍ୟ, ନିଜର ନିତ୍ୟ ନୈମିତ୍ତିକ କାର୍ଯ୍ୟ ସହିତ କରୋନା ଲଢେଇରେ ସାମିଲ୍ ହେବାକୁ ଉପରୁ କଡା ନିର୍ଦ୍ଦେଶ । ନିଜର ଘରଦ୍ୱାର, ପିଲାଛୁଆ, ସୁଖଦୁଃଖ ସବୁକୁ ପଛରେ ପକାଇ ରାଜକାର୍ଯ୍ୟ କରିବାକୁ ବାଧ୍ୟ ସେମାନେ । ସେଇଥିପାଇଁ ତ ସରକାର ତାଙ୍କୁ “କରୋନା ଯୋଦ୍ଧା” ବୋଲି ନାମିତ କରିଛନ୍ତି । ସେଇ ଯୋଦ୍ଧାମାନଙ୍କ ମଧ୍ୟରେ ଜଣେ ଶ୍ରୀମତୀ ଗାର୍ଗୀ ସୁନ୍ଦରାୟ, ଓ ଏ ଏସ୍, ଅଧୁନା ଯାଜପୁର ଜିଲ୍ଲାର କୋରେଇ ବ୍ଲକର ବିଡିଓ ଭାବରେ ଅବସ୍ଥାପିତ । ସ୍ୱାମୀ ଶ୍ରୀଯୁକ୍ତ ମାନବେନ୍ଦ୍ର ପଟ୍ଟାୟତରାୟ କୋରାପୁଟରେ ସ୍ପେଶାଲ୍ ଅଫିସର୍ ଭାବରେ ନିଜର କାର୍ଯ୍ୟରେ ବ୍ୟସ୍ତ । ଶାଶୁ ଶଶୁରଙ୍କ ଦେଖାଶୁଣାରେ ନିଜର ସାତବର୍ଷର ପୁଅକୁ ଛାଡି ସେ ଦିନରାତି ଏକାକାର କରି ଲାଗିଛନ୍ତି ନିଜ କାର୍ଯ୍ୟରେ ।  ଯାଜପୁର ଜିଲ୍ଲାରେ କରୋନାର ଭୟାବହତା ଯୋଗୁଁ ବ୍ଲକ ଅଫିସ୍ ପାଖରେ ଥିବା ତାଙ୍କର କ୍ୱାର୍ଟର୍ସକୁ ମଧ୍ୟ ଯାଇ ପାରୁ ନାହାଁନ୍ତି କାଳେ ଶାଶୁ ଶଶୁର କି ପୁଅଙ୍କୁ ସଂକ୍ରମିତ କରିଦେବା ଭୟରେ । କ୍ୱାର୍ଟର୍ସ୍ ବାହାରେ ଥିବା ସର୍ଭେଣ୍ଟ୍ କ୍ୱାର୍ଟର୍ସର ଗୋଟିଏ ରୁମ୍ ସଫା କରି ଚାରି ମାସ ହେବ ସେଇଠି ରହୁଛନ୍ତି, ସେଇଠି ଖାଉଛନ୍ତି, ସେଇଠି ଶୋଉଛନ୍ତି । ଘରେ ସମସ୍ତଙ୍କୁ ବୁଝାଇ ଦେଇଛନ୍ତି ନିଜ ଅସହାୟତାର କଥା । ଶାଶୁ ନଳିନୀ ଦେବୀ ସବୁ ବୁଝନ୍ତି, ସବୁ ଦାୟିତ୍ଵ ନେଇ ଯାଇଛନ୍ତି ସେ ନିଜ ଉପରକୁ । ସାତ ବର୍ଷର ସୋହନ ମଧ୍ୟ ବୁଝି ପାରିଲାଣି ବାପା ମାଆଙ୍କର ଦାୟିତ୍ଵବୋଧ । ସେଥିପାଇଁ ଟିକିଏ ନିଶ୍ଚିନ୍ତ ହୋଇ କାମ କରି ପାରନ୍ତି ଗାର୍ଗୀ । ଏଇ ସମୟରେ ବିଡିଓମାନଙ୍କର ଦାୟିତ୍ଵ ଖୁବ୍ ବେଶୀ । ନିୟମିତ କାମ ସହିତ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଯେତିକି ଜନ ମଙ୍ଗଳକର କାର୍ଯ୍ୟ ସବୁରି ସୁଚାରୁରୂପେ ତଦାରଖ କରିବା ପାଇଁ ଦିନରାତି ଅଣ୍ଟୁନାହିଁ କର୍ମଚାରୀମାନଙ୍କୁ । ତୃତୀୟ ଦଫାର ସରକାରୀ ଭତ୍ତା ଏବଂ ଖାଦ୍ୟ ପଦାର୍ଥ ବଣ୍ଟନ ଚାଲିଛି ଏବେ । ବ୍ଲକର ନୂଆ ବଡବାବୁ ନରୋତ୍ତମ ସାହୁ, ପୁରୁଣା ପିଅନ ରାଧେକୃଷ୍ଣକୁ ସାଥିରେ ନେଇ ଯାଇଛନ୍ତି ଗାଆଁ ଗାଆଁ ବୁଲି ହିତାଧିକାରୀଙ୍କୁ ସେଇ ସବୁ ବଣ୍ଟନ କରିବା ପାଇଁ । ପୁରୁଣା ବଡବାବୁ ନରହରି ଦାସଙ୍କ ଅବସର ପରେ ଏଇ ମାତ୍ର ସପ୍ତାହକ ତଳେ ନୂଆ ହୋଇ ବଦଳି ନେଇ ଆସିଛନ୍ତି ସେ ଏଇ ବ୍ଲକକୁ । ପିଅନ ରାଧେକୃଷ୍ଣ ସବୁବେଳେ ଯାଏ ପୁରୁଣା ବଡବାବୁଙ୍କ ସହିତ ଏଇ କାମରେ, ତେଣୁ ତା’କୁ ସବୁ ଗାଆଁର ସମସ୍ତଙ୍କ ଘରଦ୍ୱାର ଜଣା । ସେଇ ତାଙ୍କୁ ଠିକ ଚିହ୍ନାଇପାରିବ ସମସ୍ତଙ୍କୁ, ସେଥିପାଇଁ ଗାର୍ଗୀ ନୂଆ ବଡବାବୁଙ୍କ ସାଥିରେ ପଠାଇଛନ୍ତି ତା’କୁ । ହେଲେ ସକାଳୁ ସକାଳୁ ଯାଇଥିବା ସେମାନେ ଆସି ସନ୍ଧ୍ୟା ସାତଟା ବାଜିଲାଣି ଫେରି ନାହାନ୍ତି । ତାଙ୍କୁ ଅପେକ୍ଷା କରି ବସି ରହିଛନ୍ତି ବିଡିଓ ଶ୍ରୀମତୀ ଗାର୍ଗୀ ସୁନ୍ଦରାୟ । କୋଉଠି କିଛି ଅସୁବିଧା ହେଲା କି ? ଆଶଙ୍କା ବଢି ବଢି ଚାଲିଛି ତାଙ୍କର । ରାତି ନଅଟା ବେଳକୁ ଫେରିଲେ ସେମାନେ । ନୂଆ ବଡବାବୁ ନରୋତ୍ତମଙ୍କ ମୁହଁଟା କେମିତି ଅସ୍ଵାଭାବିକ ଭାବରେ ଗମ୍ଭୀର ଦିଶୁଥିଲା ଆଉ ପିଅନ ରାଧେକୃଷ୍ଣ ଅସ୍ଥିର ଦିଶୁଥିଲା । କିଛି ଅଘଟଣଟାଏ ଘଟିଛି ବୋଲି ଧାରଣା ହେଲା ଗାର୍ଗୀ ସୁନ୍ଦରାୟଙ୍କର।“ କ’ଣ ବାଟରେ କିଛି ଅସୁବିଧା ହେଲା କି ବଡବାବୁ ?” ଗାର୍ଗୀ ପ୍ରଶ୍ନ କଲେ । ନାସ୍ତିସୂଚକ ମୁଣ୍ଡ ହଲେଇଲେ ନରୋତ୍ତମ ସାହୁ, ମୁଣ୍ଡ ଝୁଙ୍କାଇ ଉତ୍ତର ଦେଲେ “ ଆମର ଏମିତି ଅହେତୁକ ବିଳମ୍ବ ହେବାରର କାରଣ ମୁଁ କେମିତି କ’ଣ ବୋଲି ବୁଝେଇବି ଆପଣଙ୍କୁ ମାଡାମ୍, ଦିନସାରା ସେଇ ବିଷୟରେ ଚିନ୍ତା କରି କରି ମୋ ମୁଣ୍ଡ ଖରାପ ହୋଇ ସାରିଲାଣି, ତଥାପି କିଛି ଥଳକୂଳ ପାଉ ନାହିଁ” । ତଥାପି ଆପଣଙ୍କ ଆଗରେ କହୁଛି, ହୁଏତ ଆପଣ ମୋତେ ବୁଝାଇ ଦେଇ ପାରିବେ । ଗାର୍ଗୀ ସୁନ୍ଦରାୟଙ୍କର ଉତ୍ସୁକତା ବଢୁଥିଲା, ନରୋତ୍ତମ ସାହୁ ରେଜିଷ୍ଟରଟିଏ ରଖିଲେ ବିଡିଓଙ୍କ ଟେବୁଲ୍ ଉପରେ । ଲଛମନପୁର ଗାଆଁର ଗରିବ କଲ୍ୟାଣ ଯୋଜନାର ହିତାଧିକାରୀଙ୍କ ଭତ୍ତା ପୃଷ୍ଠାଟି ଖୋଲି ଧରିଲେ । ପୃଷ୍ଠାର ଚଉଦ ନମ୍ବର ହିତାଧିକାରୀଙ୍କ ନାମ ଭବାନୀ ବେୱା ସ୍ୱାମୀ- ଧର୍ମାନନ୍ଦ ବେଉରାଙ୍କ ପାଖରେ ଅଟକିଗଲା ତାଙ୍କ ଡାହାଣ ହାତର ବିଶି ଆଙ୍ଗୁଠି, ସେ କହି ଉଠିଲେ “ ମାଡାମ୍, ଏଇ ଲୋକଟି ମୋର ଚିନ୍ତାର କାରଣ, ଗାଆଁ ସାରା ବୁଲି ବୁଲି ଲୋକମାନଙ୍କୁ ଚିହ୍ନଟ କରି ଭତ୍ତା ଦେଲି, ହେଲେ ଏଇ ବୁଢୀ ମାଉସୀକୁ କେଉଁଠି ହେଲେ ପାଇଲି ନାହିଁ । ରାଧେକୃଷ୍ଣକୁ କହିଲି ମୋତେ ତାଙ୍କ ଘରକୁ ନେଇ ଚାଲ, ସିଏ ଯେଉଁ ଘରକୁ ନେଲା ମୋତେ, ସିଏ ଗୋଟାଏ ମାଟି କୁଦ ଥିଲା ମାତ୍ର । ପାଖ ଲୋକକୁ ପଚାରିଲି, ସେମାନେ କହିଲେ ବୁଢୀ ମଲାଣି ଚାରିବର୍ଷ ହେଲା, ସେଇ ଦିନ ଠାରୁ କାମ ଧନ୍ଦା ନପାଇ ଭୋକ ଉପାସରେ ରହି ତା’ପୁଅ ମଦନା ଯାଇଛି ଦାଦନରେ ଆନ୍ଧ୍ରକୁ । କିନ୍ତୁ ଆମ ରେଜିଷ୍ଟ୍ରର କହୁଛି ବୁଢୀ ଗତ ମାସରେ ଭତ୍ତା ଆଉ କରୋନା ସ୍ପେଶାଲ୍ ରାସନ ଚାଉଳ, ଡାଲି ନେଇଛି, ଏଇ ଦେଖନ୍ତୁ ତା’ ଟିପଚିହ୍ନ । ମୋ ମୁଣ୍ଡ ଖରାପ ହୋଇଗଲା ଆଜ୍ଞା, ସେଇଠୁ ଯାଇ ସେ ଗାଆଁ ଆଉ ତା’ ପାଖ ଗାଆଁ କୁସୁନପୁରରେ ବୁଲି ବୁଲି ଗୋଟି ଗୋଟି କରି ସବୁ ଘରେ ପଶି ହିତାଧିକାରୀଙ୍କୁ ଖୋଜିଲି, ସମୁଦାୟ ଦଇବ ଶହ ଛୟାଅଶୀ ହିତାଧିକାରୀଙ୍କୁ ମୃତ ବୋଲି ଆବିଷ୍କାର କଲି । ସେଇ ସବୁ ଲୋକମାନଙ୍କୁ ଗତ ମାସର ଭତ୍ତା ଏବଂ ରାସନ ଦିଆ ହୋଇଛି ଏବେ ଆପଣ କୁହନ୍ତୁ ମାଡାମ୍ ! ମୁଁ କ’ଣ କରିବି “? ସେମିତି ମୁଣ୍ଡ ତଳକୁ ପୋତି ସେହିଠାରେ ଠିଆ ହୋଇଥିଲେ ବଡବାବୁ ନରୋତ୍ତମ ସାହୁ । -“ହ୍ୱାଟ ?” ବୋଲି ଚିତ୍କାର କରି ଚେୟାର୍ ଉପରୁ ତଳକୁ ଓହ୍ଲାଇ ଆସିଲେ ବିଡିଓ ଗାର୍ଗୀ ସୁନ୍ଦରାୟ । ବଡବାବୁ ନରୋତ୍ତମ ସାହୁ ରେଜିଷ୍ଟରର ପୃଷ୍ଠା ପରେ ପୃଷ୍ଠା ଖୋଲି ନାଲି ଗାର ମାରିଥିବା ହିତାଧିକାରୀଙ୍କ ନାମ,ଠିକଣା ଦେଖାଇ ଚାଲିଥିଲେ।ଗାର୍ଗୀ ସୁନ୍ଦରାୟଙ୍କ ଆଖି ଦୁଇଟା ବିସ୍ମୟରେ ବିସ୍ଫାରିତ ହୋଇ ଯାଉଥିଲା । ସେ ମୁଣ୍ଡ ଟେକି ପ୍ରଶ୍ନିଳ ଆଖିରେ ଚାହିଁଲେ ପିଅନ ରାଧେକୃଷ୍ଣ ଆଡକୁ । ପିଅନ ରାଧେକୃଷ୍ଣ ଦୋଷୀ ଭଳି ଠିଆ ହୋଇଥିଲା । ଥରଥର ହୋଇ ଭୟରେ କମ୍ପି ଉଠୁଥିଲା ତା’ର ଶରୀର । ନିଆଁ ବର୍ଷୁଥିଲା ବିଡିଓଙ୍କ ଆଖିରୁ । ରାଧେକୃଷ୍ଣକୁ କିଛି ପ୍ରଶ୍ନ ପଚାରିବା ପୂର୍ବରୁ ସେ ନିଜେ ଆସି ବିଡିଓଙ୍କ ପାଦତଳେ ଲମ୍ବ ହୋଇ ପଡିଗଲା । “ମୁଁ ସାମାନ୍ୟ ପିଅନଟିଏ ମାତ୍ର ମୋର ଚାକିରୀ ଚାଲିଗଲେ ମୋ’ ପିଲାଛୁଆ ଭୋକ ଉପାସରେ ମରିଯିବେ ମାଡାମ୍, ଏଥିରେ ମୋ ଭଳି ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବଡବଡ ଉପରମହଲିଆ ବାବୁ ମାନେ ସମସ୍ତେ ସଂପୃକ୍ତ, ମୋତେ ମାଫ୍ କରି ଦିଅନ୍ତୁ ମାଡାମ୍ “ କହି କାନ୍ଦି କାନ୍ଦି ଲୋଟୁଥିଲା । ଗାର୍ଗୀ ସୁନ୍ଦରାୟ ଅନୁମାନ କରି ପାରୁଥିଲେ ସରକାରୀ କଳର ଦୁର୍ବଳତା । ମନେ ମନେ ଭାବୁଥିଲେ ସତେ ତ !ଏମିତି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଲମ୍ବା ଧାଡିରେ ରାଧେକୃଷ୍ଣ କେବଳ ଛୋଟ କଡି ଟିଏ, କୋଉଠୁ କୋଉ ଯାଏ ଲମ୍ବିଛି ସେ ଧାଡି ତାହା ଈଶ୍ୱରଙ୍କୁ ମଧ୍ୟ ଅଗୋଚର । ଏଇମାନେ ସବୁଠାରୁ କାମିକା ଆଉ ସବୁଠାରୁ ସଚ୍ଚୋଟ ବୋଲି ପରିଚିତ ହୁଅନ୍ତି କାରଣ ସେମାନଙ୍କ ପଛରେ ଆଉ କେଉଁ ବଡ ବାପାମାନଙ୍କର ଶକ୍ତିଶାଳୀ ହାତ ଥାଏ । ଯେମିତି ପର୍ବତ ଉପରୁ ଜଗତର ହିତ ପାଇଁ ଈଶ୍ୱରସୃଷ୍ଟ ଝରଣା ଗୁଡିକ ଅମୃତମୟୀ ନଦୀ ହୋଇ ବହି ଯାଆନ୍ତି ମାଟିକୁ ସୁଜଳା ସୁଫଳା କରି ସମସ୍ତ ଜଡ,ଜୀବଙ୍କ କଲ୍ୟାଣ କରିବା ପାଇଁ ହେଲେ ସ୍ଵାର୍ଥାନ୍ଧ ମଣିଷ ସେଇ ନଦୀକୁ ନିଜର ସ୍ୱାର୍ଥ ପାଇଁ ଶୁଖାଇ ଦିଏ ନତୁବା ବିଷାକ୍ତ କରିଦିଏ, ଠିକ ସେମିତି କେତେକ ସ୍ଵାର୍ଥାନ୍ଧ ମଣିଷ ନିଜ ସ୍ୱାର୍ଥରେ ଆମ ସରକାରଙ୍କର ସବୁ ଗରିବ କଲ୍ୟାଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି ଆଉ ଆମ ରାଜ୍ୟରେ ଦାରିଦ୍ର୍ୟ ଚିରସ୍ଥାୟୀ ହୋଇ ରହି ଯାଇଛି । ଯିଏ ଯେଉଁଠି ଥିଲେ ସେଇଠି ଅଛନ୍ତି କେବଳ ନଥିପତ୍ରରେ ପ୍ରଗତି ଦୃଶ୍ୟମାନ ହେଉଛି । କିଛି ପାରିବା ଲୋକମାନଙ୍କର ପାରିବାପଣିଆରେ ରାଜ୍ୟର ସମୃଦ୍ଧିର ଡିଣ୍ଡିମ ପିଟା ଚାଲିଛି । ହାତୀର ଦାନ୍ତ ଦେଖିବା ପାଇଁ ଭିନ୍ନ ଖାଇବା ପାଇଁ ଭିନ୍ନ ନୀତିରେ ଏ ଯୋଜନା ଚାଲିଛି । ଗରିବ ସବୁବେଳେ ଗରିବଟିଏ ହୋଇ ହିଁ ରହିଛି । ଏମିତି ଗୋଟିଏ ଘୋର ଦୁଃସମୟରେ ମଧ୍ୟ ମଣିଷ ପଣିଆ ମରି ଯାଇଛି ଲୋକମାନଙ୍କ ମଧ୍ୟରେ । ଭାବିଲା ବେଳକୁ ଆଖିରେ ଲୁହ ଆସୁଥିଲା ଗାର୍ଗୀ ସୁନ୍ଦରାୟଙ୍କର । ଇଚ୍ଛା ହେଉଥିଲା ଏମିତି ଅମଣିଷମାନଙ୍କୁ ଲାଇନରେ ଠିଆକରି ଗୁଳି ମାରିଦେଲେ ମଧ୍ୟ ଯଥେଷ୍ଟ ଦଣ୍ଡ ହେବନାହିଁ । ତଥାପି ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଆଜି ହିଁ ଜଣାଇବେ ସବୁ କଥା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ ହେଉ ବୋଲି ସୁପାରିଶ କରିବେ । କିନ୍ତୁ ଫଳାଫଳ କ’ଣ ହେବ ସେ ଭଲ ଭାବରେ ଅନୁମାନ ଯୋଗ୍ୟ ଲୋକଙ୍କୁ ନ୍ୟାୟ ଦିଆଇ ନପାରିବାର ନିଜର ଅସହାୟତାକୁ ଠିକ ହୃଦୟଙ୍ଗମ କରିପାରୁଥିଲେ ସେ । ସେ ଠିକ ଜାଣିଥିଲେ ବକବାବୁ ନରୋତ୍ତମ ସାହୁ ଏବଂ ତାଙ୍କ ନିଜ ଭଳି ସଚ୍ଚୋଟ କର୍ମଚାରୀଙ୍କ ସଂଖ୍ୟା ଖୁବ୍ ନଗଣ୍ୟ ଏ ଦେଶରେ । ଏ ଦେଶକୁ କେବଳ ଈଶ୍ୱର ହିଁ ଭରସା । ଦୀର୍ଘନିଃଶ୍ୱାସଟିଏ ପକାଇ ସେ ନରୋତ୍ତମ ସାହୁଙ୍କୁ ଘରକୁ ଯିବା ପାଇଁ କହିଲେ ଏବଂ ନିଜ କମ୍ପ୍ୟୁଟର ଖୋଲି ଜିଲ୍ଲାପାଳଙ୍କୁ ଚିଠି ଲେଖିବାକୁ ଆରମ୍ଭ କଲେ। । 



Rate this content
Log in

More oriya story from sushama Parija

Similar oriya story from Inspirational