KRUTIBAS NAYAK

Tragedy Inspirational

4  

KRUTIBAS NAYAK

Tragedy Inspirational

ଗଳ୍ପାୟନ-2 ଅଦୃଶ୍ୟ ଝଡ଼ : କାହାଣୀ : ତୃଷାର୍ତ୍ତ ସାଗର

ଗଳ୍ପାୟନ-2 ଅଦୃଶ୍ୟ ଝଡ଼ : କାହାଣୀ : ତୃଷାର୍ତ୍ତ ସାଗର

10 mins
167



ମଧୁଛନ୍ଦା ଡୋର ସ୍କ୍ରିନ ଆଡ଼େଇ ଦେଇ ଘର ଭିତରକୁ ପଶିଲା | ଶାଢ଼ୀ ବଦଳେଇବା ପୂର୍ବରୁ ସେ ସବୁଦିନ ପରି ବେଡ଼ରୁମ ଭିତରକୁ ଯାଇ ଆଖି ବୁଲେଇ ନେଲା | ଖଟ ଉପରେ ଚୁନି କାନ୍ଥକୁ ଆଉଜି ବସିଛି | ଆଜି ଚୁନିର ମୁହଁଟା କାହିଁକି ଶୁଖି ଯାଇଛି | ଭେନିଟ ବ୍ୟାଗଟାକୁ ଟେବୁଲ ଉପରେ ଥୋଇଦେଇ ମଧୁଛନ୍ଦା ପଚାରି ଦେଲା-"କ'ଣ ହେଲାକି ଚୁନି ! ଏମିତି ମନଦୁଃଖ କରି ବସିଛୁ ଯେ ....|"

ମଧୁଛନ୍ଦାର ବୋଉ ସେ ଘରୁ ଚଢାଗଳାରେ ଉତ୍ତର ଦେଲେ -" ମୁଁ ଆଉ ତାକୁ ପାରିବିନି | ତମେ ଦି'ଜଣ ଆଉ କୋଉଠି ଗୋଟିଏ ଘର ଭଡ଼ାନେଇ ଅଲଗା ରୁହ | ଟୋକୀ ଖଣ୍ଡକ ମାଆକୁ ବଳି ଗଲାଣି |"

ପାଖକୁ ଆସି ମୁହଁକୁ ଝାଡ଼ି ପୁଣି କହିଲେ-"ବୁଝିଲୁ ଛନ୍ଦା ! ମୁଁ ସଫା ସଫା କହି ଦେଉଛି-ମୋର ଆଉ ବଳ ନାହିଁ କି ବୟସ ନାହିଁ , ବହୁତ ହେଇଗଲା | ଚବିଶ ବର୍ଷ କାଳ ତୋର ସେବା କରିକରି କେତେ ଦେଇ-ନେଇ ବାହା ଦେଇଥିଲି | ପୁଣି ଦଶବର୍ଷ ହେଲା, ତମ ଦି'ଜଣଙ୍କର ଯଥେଷ୍ଟ ସେବା କଲିଣି, ଆଉ ପାରିବି ନାହିଁ | ତୁ ତ ହତଭାଗିନୀଟାଏ | ତୋ' ଭାଗ୍ୟକୁ ଆଦରି ତୁ ଯେଉଁଠି ରହୁଛୁ ରହ | ଆମକୁ ଟିକେ ଶାନ୍ତିରେ ରହିବାକୁ ଦେ |"

ଛନ୍ଦା ବୁଲିପଡ଼ି ପଛକୁ ଚାହିଁ ଦେଖିଲା -ତା'ର ମମତା ମୟୀ ବୋଉର ଚଣ୍ଡୀ ରୂପକୁ | ତା'ପାଟିରୁ ବାହାରି ପଡ଼ିଲା- "କ'ଣ ହେଉଚି ବୋଉ ! ଚୁନି ଆଜି କ'ଣ ବଦମାସୀ କରିଛି କି ? ମୋତେ କହ, ମୁଁ ତାକୁ ପିଟି ପିଟି ଆଜି ମାରିଦେବି ପଛେ, ତୁ ଆଉ ଏମିତି ମୋ କଟା ଘାଆରେ ଚୂନ ଦେ'ନା |"

ବୋଉ ପୁଣି ଗର୍ଜି ଉଠିଲେ -"ଆଉ ହବ କ'ଣ ? ତୋ' ଝିଅର ସେଇ ଗୋଟିଏ ଜିଦ, ବାପୁନର କଲମରେ ହିଁ ଲେଖିବ, ଲେଖୁ ଲେଖୁ ତାକୁ ପୁଣି ଭାଙ୍ଗିବ | ତା'ପରେ ଘରେ ଲାଗି ରହିଥିବ, ଖଣ୍ଡଯୁଦ୍ଧ -ମହାଭାରତ |

-ବୁଝିଲୁ ଛନ୍ଦା ! ସେଦନର କଥା ଥିଲା ଭିନ୍ନ | ଏବେ ବାପୁନ ବୁଝିଲାଣି, ଏ'ଘରଟା ତା'ବାପାର | ତମେ ଦି'ଜଣ ତାଙ୍କ ଦୟାରେ ଏଠି ଆଶ୍ରୟ ନେଇଛ | ସେ ଚାହେଁନା, ତା' ଜିନିଷ ଉପରେ ଆଉ କେହି ଭାଗିଦାର ହୁଅନ୍ତୁ | ବେଳ ଥାଉଥାଉ ତୁ ଅନ୍ୟ କିଛି ବ୍ୟବସ୍ଥା କର | ତୁ ଏଠୁ ଚାଲିଗଲେ ଯାଇ, ମୁଁ ବି ଟିକେ ଶାନ୍ତିରେ ରହିପାରିବି |"

-"ତୁ କ'ଣ ଏ’ସବୁ କହୁଛୁ ? ଏ'କ'ଣ ତୋ ମନର କଥା ନା' ତତେ ଏ'କଥା କହିବାକୁ କିଏ ଟ୍ରେନିଂ ଦେଇଛି ?"

"ଏତେ କଥା କହିବାକୁ ମୋର ବେଳ ନାହିଁ |" ଏତିକି କହିଦେଇ ବୋଉ ମୁହଁ ବୁଲେଇ ଦେଇ ଚାଲି ଯାଉଥିଲେ |

ଛନ୍ଦା ତାଙ୍କ ପାଖକୁ ମାଡ଼ିଯାଇ କହିଲା -"ହଁ, ବୋଉ ଆଜି ତୋତେ କହିବାକୁ ପଡ଼ିବ | ମୁଁ ତ ଏଠିକି ଆସିବାକୁ ମୂଳରୁ ମନା କରୁଥିଲି | ତୋର ଜିଦ ଆଉ ଏଇ ଚୁନିର ସୁରକ୍ଷା ପାଇଁ, ଏ'ଘରକୁ ମୁଁ ନିଜର ଆଶ୍ରୟ ସ୍ଥଳ ବୋଲି ଧରି ନେଇଥିଲି | ଆଜି ଯଦି କହିବୁ, ମୁଁ ଯେମିତି ଆସିଥିଲି; ସେମିତି ଚାଲିଯିବି |"

"ମୁଁ ଜାଣେ-ମୋ ବାପା ମରିଗଲା ଦିନରୁ ତୋ'ଛଡ଼ା ଏ'ଘରେ ମୋ'ର ନିଜର ହେଇ କେହିନାହିଁ | ଭାଇ ବୋଲି ଯିଏ, ସିଏ ତ ସୁନ୍ଦରୀ ଭାଉଜଙ୍କ ଗଦ ଶୁଙ୍ଘି ମେଣ୍ଢା ପାଲଟି ଯାଇଛି | ତା'ର କଥାରେ କିଛି ବି ମୂଲ୍ୟନାହିଁ | ଏଥର ତୁ ସଫା କହିଦେ, ତୋ'ର ଇଚ୍ଛା କ'ଣ ? ମୋ ଛୁଆଟା ତ ଏକଜିଦିଆ ହେଇ ଯାଇଛି | ମୁଁ ଆଉ କ'ଣ କରିପାରିବି ? ରାତି ପାହିଲେ, ଅଫିସ ଚିନ୍ତା | ତେଣେ ଫିଲଡ଼କୁ ଯିବାକୁ ପଡୁଛି |

-ହଉ, ଠିକ ଅଛି | ମୁଁ କାଲି ସକାଳୁ ଏ' ଘରୁ ବାହାରି ଯିବି | ଯଦି ମୁଁ ନିଜକୁ ସମ୍ଭାଳି ନ ପାରିବି, ତେବେ ମାଆ-ଝିଅ କିରୋସିନି ଢାଳିହେଇ ଦିଆସିଲି ମାରିଦେବୁ | ସବୁଦିନ ପାଇଁ ତୋ କଳଙ୍କ ଲିଭିଯିବ | ତୁ ଏଠି ଚିରଦିନ ଶାନ୍ତିରେ ରହିପାରିବୁ | ଏବେ ହେଲା ତ !"

ଛନ୍ଦାର ପାଟି ଶୁଣି ସେ ଘରୁ ଭାଇ-ଭାଉଜ ଉଠି ଆସିଲେ | ବାପୁନ ଦୌଡ଼ି ଯାଇ ଖଟ ଉପରେ ବସିଥିବା ଚୁନିକୁ କୁଣ୍ଢାଇ ପକାଇଲା |

ବୋଉ ଆହୁରି କେତେ କ'ଣ କହିବାକୁ ଯାଉଥିଲେ | ଭାଉଜ ତାଙ୍କ ପାଟିରେ ହାତ ଦେଇ କହିଲେ- "ଥାଉ ବୋଉ ! ତମେ ଛନ୍ଦାକୁ ଢେର ବେଶି କଥା କହି ସାରିଲଣି | ପିଲାଙ୍କ କଳିକୁ ନେଇ ତମେ ଏମିତି କ'ଣ ହଉଛ ? ଛନ୍ଦା ଆଉ ଚୁନିକୁ ମୁଁ କୁଆଡ଼େ ଯିବାକୁ ଦେବିନାହିଁ | ସେମାନେ ଏଇ ଘରେ ରହିବେ | ଏ' ଘର ତ ତାଙ୍କ ବାପାଙ୍କର | ତାଙ୍କର ପୂରା ଅଧିକାର ଅଛି ଏ'ଘରେ | ଏ’ ଘର ଆଉ ଜମି ବାଡ଼ି ଧାନ ସଂପତ୍ତିରେ ତାଙ୍କର ଅଧା ଅଧିକାର ରହିଛି | ସେ ଦିନ ଗଲାଣି | ବାପାଙ୍କ ସପତ୍ତି କେବଳ ପୁଅର ନୁହେଁ | ଆଉ ଗୋଟାଏ କଥା, ଚୁନି କ'ଣ ସବୁଦିନ ଏଇମିତି ଅଝଟିଆ ହୋଇକି ଥିବ କି ?"

"ଚାଲ ଛନ୍ଦା ! ତୁମେ ଲୁଗା ପାଲଟି ପକେଇ ହାତଗୋଡ଼ ଧୋଇ ପକା | ବହୁତ ଥକ୍କା ଜଣା ପଡୁଛ | ମୁଁ ଯାଉଛି, ଗରମ ପକୁଡ଼ି ଦି'ଟା ଛାଣିଦେବି | ସମସ୍ତେ ମିଶି ଖାଇବା |"

"ଭାଉଜଙ୍କ କେଇପଦ କଅଁଳ କଥାରେ ବୋଉର ରାଗ କୁଆଡ଼େ ଉଭେଇଗଲା | ଭାଇ ମୁହଁ ଖୋଲି କହିଲେ-"ଛନ୍ଦା ! ତୁ ମୋ ଉପରେ ରାଗିଛୁ | ହଉ ମୁଁ ତୋତେ କେବେ ବି ଏଣୁ ତେଣୁ କହିବି ନାହିଁ | ଚୁନି ତ ମୋର ଭାଣିଜୀ ନୁହେଁ, ଆଜିଠାରୁ ସେ ମୋ ଝିଅ ହେଲା ? ଆଉ ବାପୁନ ତୋର ପୁତୁରା ନୁହେଁ, ପୁଅ ବୋଲି ଧରିନେବୁ | ଏବେ ଖୁସି ତ ?"

-ଭାଉଜଙ୍କ କଥା ଦି'ପଦ ମୋତେ ଅନ୍ୟମନସ୍କ କରିଦେଲା | ସେ ମନକୁ ମନ ଭାବୁଥିଲା-ସତରେ ଆଜିର କେତେ ବଡ଼ କଳାମେଘ ଖଣ୍ଡଟା ସାମାନ୍ୟ ପବନରେ ଉଡ଼ିଗଲା | କିନ୍ତୁ ଏଭଳି ମେଘ ଯେ ଭବିଷ୍ୟତରେ ନ ଆସିବ, କିଏ କହି ପାରିବ ? ଯେତେହେଲେ ବି ମୁଁ ବିବାହିତା | ବାପଘର ସମ୍ପତ୍ତି ଉପରେ ମୋର ଅଧିକାର ଥିଲେ ବି ବାପାଙ୍କ ସମ୍ପତ୍ତି, କୋଠାବାଡି, କେନାଲ ଜମି ଆଉ ନଡ଼ିଆ ବଗିଚା ମୋର ବା ହବ କ'ଣ ?

-ସେସବୁ କ'ଣ ମୋର ନଥିଲା କି ? ଏବେ ତ ମାସକୁ ମାସ ପାସବୁକରେ କୋଡ଼ିଏ ହଜାର ଟଙ୍କା ଡିପୋଜିଟ ହେଇ ରହୁଛି | ତେଣେ ଅଫିସରେ ଜି.ପି.ଏଫ ମାସକୁ ଦଶ ହଜାର ଟଙ୍କା କଟା ଚାଲିଛି | ଏଣେ ଭାଇଙ୍କୁ ମୁଁ ଆମର ଖର୍ଚ୍ଚ ପାଇଁ ପ୍ରତି ମାସ ଦଶ ହଜାର ଟଙ୍କା ଧରେଇ ଦେଉଛି | ଆଉ କ'ଣ ହେବ ଏ'ଟଙ୍କା ?

-ବାପା ଚାଲିଗଲା ପରେ ମୁଁ ଧରି ନେଇଥିଲି, ନିଜର ହେଇ ଆଉ ଜଣେ ଲୋକ ରହିଗଲା-ସେ ହେଉଛି, ମୋ ବୋଉ | ସେ ପେଟଚିରି ଜନ୍ମ ଦେଇଛି | କେବେ ବି ସେ ମୋତେ ପର କରି ପାରିବ ନାହିଁ |

ବାପାଙ୍କର ସ୍ୱପ୍ନ ଆଉ ବୋଉର ଯତ୍ନ ମୋତେ କୋଉଠି ବୋଲି କୋଉଠି ଥୋଇ ଦେଇଥିଲା | ସୌମ୍ୟ, ଭଦ୍ର, ଡାକ୍ତର ବର, ଭୁବନେଶ୍ୱରରେ କୋଠା, କେନ୍ଦ୍ରାପଡ଼ାରେ ଫାର୍ମ ହାଉସ, ପୁଣି ଶ୍ୱଶୁର ପୋଲିସ ଅଫିସର, ବେଶ ଭଲ ବଡ଼ ପରିବାର | ଦୁଇ ଦୁଇଟା ଦିଅର ଇଂଜିନିୟର ଚାକିରୀ କରନ୍ତି | ଶାଶୂ ତ ଦେବୀ ପ୍ରତିମାଟିଏ | ୟା'ଠାରୁ ଆଉ କ'ଣ କିଏ ଅଧିକ ପାଇଥିବ ?

ମୋ ବାହାଘର ପୂର୍ବରୁ ବୋଉ ଜିଦ ଧରି ବସିଥିଲା-ଯୋଉ ଘରେ ନଣନ୍ଦ ନଥିବ ; ମୋ ଝିଅକୁ ସେହି ଘରେ ଦେବି | ଶେଷରେ ବୋଉର ଇଚ୍ଛା ମୁତାବକ ବରଘର ମିଳିଗଲା | ନଣନ୍ଦର କଟାକ୍ଷ କିମ୍ବା ଶାଶୂର ଅତ୍ୟାଚାର ନଥିଲା | ବରଂ ଧନ-ଜନ, ଗୋପ-ଲକ୍ଷ୍ମୀରେ ମୋ ସଂସାରଟା ପୂରି ଉଠିଥିଲା | ଏ'ସବୁ ଥିଲେ କ'ଣ ହବ, ମୁଁ ତ ହତଭାଗିନୀଟାଏ | ଭୋଗ କରିବାକୁ ମୋ କପାଳରେ ଲେଖା ହେଇନାହିଁ |

-ବାପା ସିନା ମୋତେ ସଫଳତାର ଶିଡ଼ିରେ ଚଢେଇ ଦେଲେ, ମୁଁ କିନ୍ତୁ ନିଜେ ସେ ଶିଡ଼ିରେ ତଳକୁ ଓହ୍ଲେଇ ଆସିଲି | କାହାକୁ ଆଉ ଦୋଷ ଦେବି ?"

ଆଖି ମଳି ମଳି ଦୃଷ୍ଟି ଫେରେଇଲା ମଧୁଛନ୍ଦା | ଚୁନି ସେଇମିତି କାନ୍ଥକୁ ଆଉଜି ବସି ରହିଛି | ବାପୁନ ତାକୁ ଟଣା ଓଟରା କରି ଚାଲିଛି | ବଡ଼ ଖୁମାନି ମୋ ଝିଅଟା | ଏତେ କଥା ପରେ ବି ଚୁପଚାପ | ଇଚ୍ଛା ହଉଥିଲା-ଏ'ଗାଲ ସେ ଗାଲରେ ତାକୁ ଦି'ଚାପୁଡ଼ା ମାରିବାକୁ, କିନ୍ତୁ କଥାଟା ଖରାପ ହେଇଯିବ | ଘଟଣାର ମୋଡ଼ ବଦଳି ଯାଇପାରେ | ସେ ନିଜକୁ ସମ୍ଭାଳ ନେଲା |”

 ମୁହଁ ଫଣ ଫଣ କରି ଆରଘରକୁ ଚାଲିଗଲା -ଶାଢ଼ୀ ବଦଳେଇବାକୁ | ଖଟ ଉପରେ ବସିପଡ଼ି ସେ ବାପାଙ୍କ ଫଟୋକୁ ଚାହିଁ ପୁଣି ଭାବି ଚାଲିଲା |

"ଆଜିର ଘଟଣାଟା ଥିଲା-ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଯେଉଁ ବୋଉ ମୋତେ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲା, ସେ ପୁଣି ଆଜି କହି ପାରିଲା-ମୁଁ ଏଠୁ ଚାଲିଗଲେ ହିଁ ସେ ସୁଖରେ ରହି ପାରିବ ? ସତରେ ମୁଁ ହେଉଛି-ସବୁ ଅଶାନ୍ତିର କାରଣ ! ଏ'ପୋଡ଼ାମୁହିଁ ଚୁନିଟା ଖାଲି ଜନ୍ମ ନେଲାନାହିଁ ଯେ , ମୋ ସୁନା ସଂସାରଟାକୁ ଚୂନା କରିବାକୁ ଆସି ଯାଇଥିଲା |

-ଯେଉଁଦିନ ମୁଁ ସବୁଦିନ ପାଇଁ ପ୍ରଦୀପ ଘରୁ ଗୋଡ଼ କାଢି ଚାଲି ଆସିଥିଲି, ସେଦିନ ଠିକ କରିଥିଲି; ଏ'କଳଙ୍କ ଲଗା ମୁହଁଟାକୁ ମୁଁ ଆଉ କାହାରିକୁ ଦେଖାଇବି ନାହିଁ କି'ବାପ ଘରକୁ ଯାଇ ତାଙ୍କ ଉପରେ ବୋଝ ହେବିନାହିଁ | ଆତ୍ମହତ୍ୟା କରିବାକୁ ମୋ ପାଇଁ ଅନେକ ଉପାୟ ଥିଲା | କିନ୍ତୁ ମୁହୂର୍ତ୍ତକ ଭିତରେ ମୁଁ ପୁଣି ବଦଳି ଗଲି | ଚୁନିର ନିରୀହ ଚାହାଣି , ଗୁଲୁଗୁଲିଆ ଚେହେରା ଭିତରେ ମୁଁ ପ୍ରଦୀପଙ୍କୁ ଦେଖି ପାରିଥିଲି | ଏଇ ଚୁନିକୁ ବଞ୍ଚେଇ ରଖିବା ପାଇଁ ମୋତେ ବଞ୍ଚିବାକୁ ପଡ଼ିଲା | ସେହିଦିନ ଟିକେ କଠୋର ହେଇ ଯାଇଥିଲେ- ସବୁଦିନ ପାଇଁ ମୁଁ ମୁକ୍ତି ପାଇଁ ଯାଇଥା’ନ୍ତି | ଆଜି ମୁଁ ଖାଲି ବଞ୍ଚିଛି, ସାରା ଜୀବନ ଜଳି ପୋଡ଼ିହେଇ ଅପବାଦ ଶୁଣିବା ପାଇଁ |"

-"ଓଃ ! ମୁଣ୍ଡଟା କ'ଣ ହେଇ ଯାଉଛି | ଆଜି ତ ଅଫିସରେ ଗୁଡ଼ାଏ କାମ ଥିଲା, ତେଣେ ଫିଲଡ଼କୁ ଯାଇ ଦେଖେ ତ ସବୁ ଅବ୍ୟବସ୍ଥା, ଷ୍ଟାଫମାନଙ୍କ ଭିତରେ ପାଟିତୁଣ୍ଡ | ଟିଫିନଟା ଯେମିତି ନେଇକି ଯାଇଥିଲି, ସେଇମିତି ଭେନିଟରେ ପଶିକି ଆସିଛି | ଟିକେ ଶାନ୍ତିପାଇଁ ଘରେ ପହଞ୍ଚି ଦେଖିଲା ବେଳକୁ ଏଠି ଆହୁରି ଅଶାନ୍ତି | ଟିକେ ଶୋଇ ପଡ଼ିବାକୁ ଇଚ୍ଛା ହଉଛି | ଚା'କପେ ମିଳନ୍ତା କି ? ପଛକଥା ଗୁଡ଼ାକ ମନେ ପକେଇ ଆଉ ଲାଭ କ'ଣ ? ବରଂ ଅଧିକ ମୁଣ୍ଡ ବଥାହେବ |"

ଏତିକିବେଳେ ଭାଉଜ ଚା'କପେ ଆଣି ବଢ଼େଇ ଦେଇ ପାଖରେ ବସି ପଡ଼ିଲେ | ମୋତେ ବୁଝେଇବାକୁ ଯାଇ କହିଲେ -"ଛନ୍ଦା ! ଆଜିର ଘଟଣା ପାଇଁ ମୁଁ ହିଁ ଦାୟୀ | ପିଲାଙ୍କ କଥାକୁ ନେଇ ମୋର ପାଟିତୁଣ୍ଡ କରିବା ଠିକ ହେଇନାହିଁ | ତମେ ତ ବୋଉଙ୍କ କଥା ଜାଣିଛ | ତାଙ୍କର ହାଇ ବ୍ଲଡ଼ପ୍ରେସର ଅଛି| ସିଏ ତମକୁ କ'ଣ ଦି'ପଦ କହି ଦେଇଛନ୍ତି, ତାକୁ ଧରିବ ନାହିଁ | ତମ ଭାଇ ବି ମୋ ଉପରେ ବିରକ୍ତ ହେଇ ସାରିଲେଣି | ନିଅ ଚା'କପେ ପିଇଦିଅ | ମୁଁ ତେଣେ ଚୁନି ଆଉ ବାପୁନଙ୍କ କଥା ବୁଝୁଛି |"

-"ସତରେ ଭାଉଜଙ୍କ ଏଇ ମିଠାକଥା ପଦକ ମୋ ମନକୁ ଟିକେ ହାଲୁକା କରିଦେଲା | କିନ୍ତୁ ଏମିତି କେତେ ଦିନ ?"

-ଖାଲି ଚା'କପଟାକୁ ତଳକୁ ରଖିଦେଇ ଛନ୍ଦା ବିଛଣାରେ ଗଡ଼ି ପଡ଼ିଲା |

-“ଟିକେ ନିଦ ହେଇଗଲେ-ଭଲ ହୁଅନ୍ତା, କିନ୍ତୁ ସମସ୍ତଙ୍କୁ ନିଦଟା କ'ଣ ଏତେ ସହଜରେ ମିଳେ | ବରଂ ଦୁଃଖବେଳେ ଅତୀତର ସୁଖଦିନର ମୁହୂର୍ତ୍ତକ ଗୁଡ଼ାକ ଜଳଜଳ ହେଇ ଦିଶିଥାଏ | ଇଚ୍ଛା ନକଲେ ବି ପଛକଥା ଗୁଡ଼ିକ ବାରମ୍ବାର ମନେ ପଡ଼ିଥାଏ | ମନଟା ଘାଣ୍ଟି ଚକଟି ହୁଏ |”

-"ବାପା ଥରେ ମୋତେ ବୁଝେଇବାକୁ ଯାଇ କହିଥିଲେ -"ଯେତେ ଦିନଯାଏ ଶାଶୂଘର ଲୋକେ ବୋହୂକୁ ଭଲ ପାଉଥିବେ, ସେତେ ଦିନଯାଏ ବାପଘରେ ଝିଅର ଆଦର ଥିବ | ଝିଅକୁ ଯଦି ଜ୍ୱାଇଁ ଭଲ ପାଉଥିବ, ତେବେ ତା'ର କେହି କିଛି କ୍ଷତିକରି ପାରିବେ ନାହିଁ | ଶାଶୂଘରେ ସମସ୍ତଙ୍କୁ ନିଜର କରି ଚଳି ପାରିବା ହେଉଛି -ଗୋଟାଏ କଳା |"

"ମୁଁ ଆଉ କ'ଣ କରି ପାରିଥା’ନ୍ତି ଯେ ...?" ବାପା ଆଜି ଥିଲେ- ତାଙ୍କୁ ମୁଁ ପଚାରି ଥା'ନ୍ତି; ଯେଉଁ ପୁରୁଷକୁ ତମେ ତମର ଯୋଗ୍ୟଜ୍ୱାଇଁ ଭାବି ମୋତେ ତାଙ୍କ ହାତରେ ଟେକି ଦେଇଥିଲ, ସିଏ ତ ଜଣେ ସ୍ୱାର୍ଥପର, କାପୁରୁଷ ଏବଂ ଚରିତ୍ରହୀନ ମଣିଷ | ଏଭଳି ମଣିଷ କ'ଣ ତା'ର ବିବାହିତା ପତ୍ନୀକୁ କେବେ କ'ଣ ଭଲ ପାଇପାରେ ? ପୁଣି ପଚାରି ଥା'ନ୍ତି -ତୁମ ଇଚ୍ଛା ବିରୁଦ୍ଧରେ ତ ମୁଁ କେବେ କିଛି କାମ କରିନାହିଁ |ତମର ସ୍ୱପ୍ନ ଥିଲା-ମୁଁ ପାଠପଢ଼ାରେ ସବୁବେଳେ ଆଗୁଆ ହୁଏ | ପ୍ରତ୍ୟେକ ପ୍ରତିଯୋଗିତାରେ ବିଜୟୀ ହୁଏ , ପୁଣି ଭଲ ଚାକିରୀ ଖଣ୍ଡେ କରି ତମରି ପାଖ ଅଫିସରେ କେଉଁଠି ପୋଷ୍ଟିଂ ହୁଏ | ସେ ସବୁକୁ ମୁଁ ସାକାର କରିଛି | ସେ ପରାମର୍ଶ ଦେଇଥିଲ- “ବାହାଘର ପରେ ବି କୌଣସି ପରିସ୍ଥିତିରେ ଚାକିରିଟାକୁ ଛାଡ଼ିବୁ ନାହିଁ | ମାସକୁ ପଚାଶ ହଜାର ଟଙ୍କା ଅନ୍ୟ କୌଣସି ଉପାୟରେ ତୋ'ପକ୍ଷେ ରୋଜଗାର କରିବା ସମ୍ଭବ ନୁହେଁ | ଥରେ ଯଦି ଆବେଗ ପ୍ରବଣ ହେଇ ସେଭଳି ଭୁଲ କରିଦେଉ ନା', ମୁଣ୍ଡ ପିଟିଦେଲେ ବି ଆଉ ଫେରି ପାଇବୁ ନାହିଁ | ନିହାତି ଅସୁବିଧା କ୍ଷେତ୍ରରେ ଲମ୍ବା ଛୁଟି ନେଇ ରହିଯିବୁ |'

ବାପାଙ୍କ ଫଟୋକୁ ଚାହିଁ ପୁଣି କହିଲା-"ତମ କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଛି | କିନ୍ତୁ ବାହାଘରର ମାସେ ନ ପୂରୁଣୁ ପ୍ରଦୀପ ନିଜେ ତାଙ୍କ ତରଫରୁ କହିଲେ -"ତମର ଏତେ ଛୁଟି ଆଣି ଭୁବନେଶ୍ଵର ଆସିବା ଦରକାର ନାହିଁ | ତମେ ତମ ବାପାଙ୍କ ପାଖରେ ମଜାରେ ରହି ପାରୁଛ | ଯେତେବେଳେ ଇଚ୍ଛା ହେବ, ମୁଁ ଛୁଟିନେଇ ତମ ପାଖକୁ ରାଉଲକେଲା ଚାଲିଯିବି | ବରଂ ତମର ଛୁଟି କ୍ରେଡିଟିରେ ଥିଲେ, ଆଉ ସାତ ଆଠମାସ ପରେ ଭଲ କାମରେ ଲାଗିବ |"

-"ତାଙ୍କ କଥାକୁ ମାନି ମୁଁ ରାଉଲକେଲା ଫେରି ଆସିଲି | ଚିଠିଦେଇ ନିୟମିତ ଉତ୍ତର ଆଉ ପ୍ରତିଶ୍ରୁତି ପାଉଥିଲି | କିନ୍ତୁ ତାଙ୍କର ସବୁ ପ୍ରତିଶ୍ରୁତି କେବଳ ପାଣିର ଗାର ଥିଲା | ମନଟା ମୋର ଆଉଟୁ ପାଉଟୁ ହୁଏ, ପ୍ରଦୀପଙ୍କୁ ଦେଖିବାକୁ ମୋ ଦେହ-ମନ ବିକଳ ହୁଏ | କିନ୍ତୁ ତାଙ୍କ ବାଟକୁ ଚାହିଁ ରହିବା କେବଳ ସାର ହେଲା |

ଦିନେ ଆମ ଅଫିସ ଗାଡ଼ି ଭୁବନେଶ୍ୱର ଯାଉଥାଏ | ତମେ ଅନୁମତି ଦେଲ, ମୁଁ ଷ୍ଟାଫଙ୍କ ସାଙ୍ଗରେ ସେହି ଗାଡ଼ିରେ ଭୁବନେଶ୍ୱର ଚାଲିଗଲି | ପ୍ରଦୀପଙ୍କ ଘରେ ପହଞ୍ଚି ମୁଁ ଯାହା ଦେଖିଲି, ସେକଥା ବର୍ଣ୍ଣନା ଯୋଗ୍ୟ ନୁହେଁ, ମୋର ହଂସା ଉଡ଼ିଗଲା | ଆଉ ଜଣେ କିଏ ମହିଳା ମୋ ସ୍ଥାନ ସେଠି ମାଡ଼ି ରହିଥିଲା | ମୋତେ ଦେଖି ପ୍ରଦୀପ ହତବାକ ହେଇ ପଡ଼ିଲେ | ମୋର ଉପସ୍ଥିତି ତାଙ୍କୁ ଅଣନିଃଶ୍ୱାସୀ କରି ପକାଇଲା | ସେ ତାଙ୍କର ସହକର୍ମୀ ଲେଡ଼ି ଡାକ୍ତର ବୋଲି ମୋତେ ପରିଚୟ କରାଇ ଦେଲେ | ସେଦିନ ମୁଁ ମଣିହରା ନାଗ ପରି ଖୁବ କମ୍ପିଥିଲି | ତଥାପି ତମର ସମ୍ମାନ ଆଉ ପ୍ରଦୀପଙ୍କର ମହତ ରକ୍ଷା କରିବାକୁ ଯାଇ, ମୁଁ ସେହିଦିନ ଗାଡ଼ିରେ ରାଉରକେଲା ଫେରି ଆସିଲି | ତମେ ବୋଉଠାରୁ ସବୁକଥା ଶୁଣିସାରି କଥାଟାକୁ ବହୁତ ହାଲୁକା କରି କହିଥିଲ -"ଯୁଗ ବଦଳି ଗଲାଣି | ଏମିତି ଦୁର୍ଘଟଣା ହେଇଯାଏ | ଅନେକ ଜାଗାରେ ପୁରୁଷ ଡାକ୍ତର, ମହିଳା ଡାକ୍ତର ମିଳିମିଶି ରହୁଛନ୍ତି | ସେମାନେ ଗୋଟିଏ ଜାଗାରେ ଚାକିରୀ କରନ୍ତି | ସେମାନେ ପୁଣି ଉଚ୍ଚ ଶିକ୍ଷିତ ତଥା ଦାୟିତ୍ୱ ସଂପନ୍ନ ସରକାରୀ ଅଫିସର | ତାଙ୍କୁ ସାଧାରଣ ଲୋକଙ୍କ ଦୃଷ୍ଟିରେ ଦେଖିଲେ ଚଳିବ ?"

-ମୋତେ ପୁଣି ତମେ ବୁଝାଇ ଥିଲ -" ତୁ ପିଲା ଲୋକ, ସଂସାର ବିଷୟରେ ତୋର ବିଶେଷ ଅଭିଜ୍ଞତା ନାହିଁ | ଏମିତି ଅଧୈର୍ଯ୍ୟ ହେବା ତୋର ଉଚିତ ନୁହେଁ |"

-ସେଦିନ ତମ କଥାକୁ ମାନି ମୁଁ ଧୈର୍ଯ୍ୟ ଧରି ରହିଥିଲି | ତମେ କେତେ ଉପଦେଶ ଭରା କଥା ଲେଖି ତାଙ୍କ ପାଖକୁ ଖଣ୍ଡେ ଚିଠି ଲେଖିଥିଲ | ଦି'ମାସ ବିତିଗଲା, ତମେ ଉତ୍ତର ଖଣ୍ଡିଏ ପାଇଲ ନାହିଁ | ଚୁନି ସେତେବେଳକୁ ଆଠ ମାସର ହେଇ ପେଟରେ ଥାଏ | ଏ'ଶୁଭ ଖବର ବି ତାଙ୍କୁ ଦିଆଗଲା | ତଥାପି ସେ ଦିନକ ପାଇଁ ରାଉରକେଲା ଆସିଲେ ନାହିଁ | ତମର ଚିଠି ପାଇ ଶ୍ୱଶୁର-ଶାଶୂ ଆସି ତାଙ୍କ କାରରେ ଭୁବନେଶ୍ୱର ନେଇ ଯାଇଥିଲେ | ପ୍ରଦୀପ ନିରୁପାୟ ହେଇ ସେଦିନ ଚୁପଚାପ ରହିଥିଲେ | ଲେଡ଼ି ଡାକ୍ତର ସିନା ଘରକୁ ଆସୁ ନଥିଲେ, କିନ୍ତୁ ପ୍ରଦୀପ ନିୟମିତ ତାଙ୍କ ବସାକୁ ଯାଉଥିଲେ |"

-"ସବୁ କଥା ଜାଣି ମଧ୍ୟ ମୁଁ ଭାଗ୍ୟକୁ ଆଦରି ରହୁଥିଲି | ଚୁନି ଜନ୍ମହେଲା, ତାଙ୍କରି ସରକାରୀ ବସାରେ | ତମେ ତ ତା’ ଏକୋଇଶିଆକୁ ଭୁବନେଶ୍ୱର ଯାଇଥିଲ | ଲକ୍ଷ୍ୟ କରିଥିବ, ସେ କେମିତି ମୋ ସହିତ ବ୍ୟବହାର କରୁଥିଲେ | ଛାଡ଼ ! ତମେ ମୋତେ ପୁଣି ଧୈର୍ଯ୍ୟ ଧରିବାକୁ ବାରମ୍ବାର ତାଗିତ କରି ଘରକୁ ଫେରି ଆସିଲ |"

-ତା'ପର ଘଟଣା ଆଉ ତମକୁ କହିବାକୁ ମୋ ପାଟିରେ ଶବ୍ଦ ଗୁଡ଼ାକ ପଶିପାରୁ ନାହିଁ ବାପା ! ଅନେକ ଯନ୍ତ୍ରଣା, ଅଶାନ୍ତି ଭିତରେ ପ୍ରଦୀପ ଦିନେ ଚୁନିର ପିତୃତ୍ୱକୁ ମଧ୍ୟ ଅସ୍ୱୀକାର କରିଦେଲେ | ଖୋଲାଖୋଲି କହିଲେ -"ଚୁନି ଆଉ କାହାଠାରୁ ଜନ୍ମ ନେଇଛି | ତାକୁ ମୋ ଆଗରୁ ଉଠେଇ କୁଆଡ଼େ ଫୋପାଡ଼ି ଦିଅ | ତମର ଯୋଉଠିକି ଇଚ୍ଛା , ସେଇଠିକି ଚାଲିଯାଅ |"

ମୋର ପ୍ରତିବାଦ ଓ ଅସହାୟତାକୁ ଦେଖି ସେ ମୋତେ ଶେଷରେ ଶୁଣାଇ ଦେଲେ- "ଆଇ ହେଟ ୟୁ | ୟୁ -ଗେଟ ଆଉଟ ଫ୍ରମ ମାଇଁ ହାଉସ |"

-"ଏଥର କୁହ ବାପା ! ଏଭଳି ଘଟଣା ପରେ ବି କେଉଁ ସ୍ତ୍ରୀ ଧୈର୍ଯ୍ୟ ଧରି ଚୁପଚାପ ରହି ପାରିବ ? ସେଦିନ ରାତିଟା ସାରା ମୁଁ କାନ୍ଦିଛି | ଆତ୍ମହତ୍ୟା କରିବାକୁ ସ୍ଥିର ବି କରିଥିଲି | କିନ୍ତୁ ତମକଥା ଖୁବ ମନେ ପଡ଼ିଲା | ତମେ ଥରେ କହିଥିଲ -" ଆତ୍ମହତ୍ୟା ଠାରୁ କିଛି ଆଉ ନୀଚ କାମନାହିଁ | ପୁଣି ଆତ୍ମହତ୍ୟା କରିଥିବା ପ୍ରାଣୀ ମୁକ୍ତି ପାଏ ନାହିଁ, ପ୍ରେତହେଇ ବୁଲେ |"

-"ତମ କଥାକୁ ମୁଁ ସବୁବେଳେ ଅକ୍ଷରେ ଅକ୍ଷରେ ପାଳନ କରିଛି | କିନ୍ତୁ ତମେ ପାରିଲ ନାହିଁ | ପ୍ରଦୀପର ଡିଭର୍ସ ଲେଟରକୁ ଦେଖି ତମର ହାର୍ଟ ଆଟାକ ହେଲା | ସେହି ଦିନ ହିଁ ତମେ ସବୁଦିନ ପାଇଁ ଚାଲିଗଲ | ଆଉ କିଛି ଦିନ ରହିଥିଲେ, ମୋ ଦୁଃଖ ଟିକେ ଦେଖିଥା'ନ୍ତ |

ଏତେ ପାଠପଢା,ଏତେ ଟଙ୍କା ପୁଣି ଏତେ ଭଲ ଚାକିରୀ ଥାଇ ମଧ୍ୟ ମୁଁ ସତରେ କାଙ୍ଗାଳୁଣୀ ହେଇଯାଇଛି | ବିରାଟ ଜଳରାଶି ସମୁଦ୍ରହେଇ ବି ମୁଁ ପାଣି ଟୋପାଏ ପାଇଁ ବ୍ୟାକୁଳ | ତମେ ଥରେ ଆସି ମୋର ଅସହାୟତାକୁ ଦେଖି ଯାଅ ବାପା !"

ଚୁନି ଓ ବାପୁନ ହସାହସି ହେଇ ସେତିକିବେଳେ ଘର ଭିତରକୁ ପଶି ଆସିଲେ | ଛନ୍ଦା ଲୁହ ପୋଛି ପକାଉଥିଲା |



Rate this content
Log in

Similar oriya story from Tragedy