KRUTIBAS NAYAK

Tragedy

4.3  

KRUTIBAS NAYAK

Tragedy

ଗଳ୍ପାୟନ-15 : ପ୍ରକୃତି ଓ କାଶତଣ୍ଡି : କାହାଣୀ : ମାଟିର ମୋହ -ଡକ୍ଟର କୃତ୍ତିବାସ ନାୟକ

ଗଳ୍ପାୟନ-15 : ପ୍ରକୃତି ଓ କାଶତଣ୍ଡି : କାହାଣୀ : ମାଟିର ମୋହ -ଡକ୍ଟର କୃତ୍ତିବାସ ନାୟକ

11 mins
443


ଯୁବ ଖଣିଜ ପଦାର୍ଥ ବ୍ୟବସାୟୀ ଜୟନ୍ତ ମଝିରେ ମଝିରେ ଓଡ଼ିଶାର ବିଭିନ୍ନ ଖଣି ଅଞ୍ଚଳକୁ ବୁଲି ଆସେ l ଏଠାକାର ପ୍ରାକୃତିକ ଦୃଶ୍ୟ ଦେଖି ତା' ଆଖି ଲାଖିଯାଏ l ସେ କହିପକାଏ-ସତରେ ପ୍ରକୃତି ରାଣୀ ଓଡ଼ିଶା ପାଇଁ ଅତ୍ୟନ୍ତ ଉଦାର l ସେ କେବେଳ ମୂଲ୍ୟବାନ ଖଣିଜ ପଦାର୍ଥ ଏଇଠି ଭରି ଦେଇନାହାନ୍ତି l ପ୍ରାକୃତିକ ଶୋଭା ସମ୍ପଦରେ ମଧ୍ୟ ଓଡ଼ିଶାକୁ ପରିପୂର୍ଣ୍ଣ କରି ଦେଇଛନ୍ତି l ପୁରୀର ସାଗର ବେଳା ଯେମିତି ସୁନ୍ଦର ସେମିତି ମନୋରମ l ଏଠାକାର ପାର୍ବତ୍ୟ ଅଞ୍ଚଳର ବଣ ଝରଣା ସତେ ଯେମିତି ଗୀତ ଗାଆନ୍ତି, ନାଚନ୍ତି l ଏଠାକାର ବିସ୍ତୃତ ଉପତ୍ୟକା ସ୍ୱର୍ଗର ନନ୍ଦନ କାନନ ପରି ଲାଗେ l କେତେ ଜାତିର ଫୁଲ ଫୁଟି ମାଟି ମାଆର ଶୋଭାବର୍ଦ୍ଧନ କରେ l ଦୁର୍ଗା ପୂଜା ସମୟ ଆସିଗଲେ, କାଶତଣ୍ଡୀ ଫୁଲ ତା'ର ଚଅଁର ଉଡ଼େଇ ପର୍ଯ୍ୟଟକଙ୍କ ମନହରଣ କରେ l ବାଃ ! ସତରେ ଓଡ଼ିଶାବାସୀମାନେ ପ୍ରକୃତରେ ଭାଗ୍ୟବାନ l ସେଇଥିପାଇଁ ଏ' ମାଟିରେ ଅନେକ ଦେଶପ୍ରେମୀ ଜନ୍ମହେଇ ଭାରତ ମାତା ପାଇଁ ପ୍ରାଣବଳି ଦେଇ ଇତିହାସ ସୃଷ୍ଟି କରି ପାରିଛନ୍ତି l

ଥରେ ସେ ପାଲଲହଡ଼ା ହୋଟେଲରେ ରାତ୍ରି ଯାପନ କରୁଥିବା ସମୟରେ ହୋଟେଲ ମାଲିକଙ୍କୁ ପଚାରିଦେଲା- "ଏ' ଜାଗାର ନାମ ପାଲଲହଡ଼ା କାହିଁକି ହେଇଛି କହି ପାରିବେ ?"

ହୋଟେଲ ମାଲିକ ଜଣକ ଆବାକାବା ହେଇ କିଛି ସମୟ ଚୁପ ରହିଯାଇଥିଲେ, ସେ ବୁଝେଇବାକୁ ଯାଇ କହିଲେ-" ମୁଁ ଜାଣିଛି ପାଲ ଅର୍ଥ ଆମ ଓଡ଼ିଶାରେ ତମ୍ବୁ ଆଉ ଲହଡ଼ାର ଅର୍ଥ, ସମୁଦ୍ରରେ ଯେଉଁ ଲହଡ଼ି ଉଠେ l ଏହି ଦୁଇଟି ଶବ୍ଦକୁ ମିଶାଇ ପାଲଲହଡ଼ା ହେଇଥିବ l"

ହୋଟେଲ ମାଲିକର କଥା ଶୁଣି ଜିଜ୍ଞାସୁ ଜୟନ୍ତ ହସି ପକାଇ କହିଲା-ଏଠି ତ ପାଲ ବା ତମ୍ବୁ ତ ଲାଗିବାର କୌଣସି କାରଣ ନାହିଁ, ପୁଣି ସମୁଦ୍ର ଏଠି ପାଖରେ ନାହିଁ କିମ୍ବା ସମୁଦ୍ର ଲହଡ଼ି ଦେଖିବାର ସୁଯୋଗ ବି ନାହିଁ l ନାଇଁ, ଏମିତି ନାମକରଣର ଅନ୍ୟକିଛି କାରଣ ଥାଇପାରେ l"

ସେଇଠି ଠିଆହେଇଥିବା ଜଣେ ସ୍ଥାନୀୟ ଲୋକ କହି ପକାଇଲା -" ଆଜ୍ଞା ! ଆମ ଅଞ୍ଚଳରେ ପ୍ରଚୁର ପରିମାଣରେ କାଶତଣ୍ଡୀ ଫୁଲ ଫୁଟେ l ଶରତ ଋତୁରେ ବିଲ ବାଡ଼ି ବଣ ପାହାଡ଼ ଚାରିଆଡ଼େ ଏଇ କାଶତଣ୍ଡୀ ଫୁଲର ଚଅଁର ଉଡ଼େ l ସେ ସବୁ ଧୀର ପବନରେ ହଲି ହଲି ସମୁଦ୍ର ଲହଡ଼ିର ଭ୍ରମ ସୃଷ୍ଟି କରନ୍ତି l ଆମର ସ୍ଥାନୀୟ ଭାଷାରେ କାଶତଣ୍ଡୀ ଫୁଲକୁ ପାଲଫୁଲ ବୋଲି କହନ୍ତି l ଯୁଗ ଯୁଗ ଧରି ଏଇଠି ପାଲର ଲହଡ଼ି ଖେଳୁଥିବାରୁ ଏହି ଅଞ୍ଚଳର ନାମ ପାଲଲହଡ଼ା ହେଇଛି l"

ପ୍ରକୃତିପ୍ରେମୀ ସଂଜୟକୁ ଏଇ କଥାଟି ମନକୁ ପାଇଲା l ସେ ଖୁସିହେଇ ଲୋକଟିର ପରିଚୟ ନେଇ ତାକୁ ଗୋଟାଏ ଦାମୀ ଉପହାର ଦେଲେ l କେବେ ଦିଲ୍ଲୀ ଆସିଲେ, ତାଙ୍କ ଘରକୁ ଆସିବାକୁ ନିମନ୍ତ୍ରଣ ବି କରିଦେଲେ l

ସେଦିନ ରାତିରେ ଶୋଇବାକୁ ଯିବାବେଳେ ଏଇ ମାଟି-ମାଆ ଆଉ ପ୍ରକୃତି ରାଣୀଙ୍କ କଥା ତା'ର ମନେ ପଡ଼ିଗଲା l ସତରେ ମାଟିର ମମତା ଆଉ ମାତୃଭୁମିର ମୋହ କେତେଜଣ ଦେଶପ୍ରେମୀ ମଣିଷଙ୍କୁ କ'ଣ କରି ନ ପାରେ ? ଏମିତି ଭାବୁ ଭାବୁ ତା' ଅତୀତ ଜୀବନରେ ଘଟି ଯାଇଥିବା ଗୋଟାଏ ବିଶେଷ ଘଟଣା ମନେ ପଡ଼ିଗଲା l

ମୁଁ ଅନେକ ଥର ବାପାଙ୍କୁ ପଚାରିଛି-"ଆମର ମୂଳଘର କୋଉଠି ? ସେ ଜାଗାରେ ଆମର ଆଉ କିଏ କିଏ ଅଛନ୍ତି ? କିନ୍ତୁ ବାପା କେବେ ବି ସମ୍ପୂର୍ଣ୍ଣ ଉତ୍ତର ପାଇ ପାରି ନ ଥିଲେ l କେବେ ସେ ଏଣୁତେଣୁ କଥାକହି ଭୁଲେଇ ଦେବାକୁ ଚେଷ୍ଟା କରନ୍ତି ତ କେବେ ପୁଣି ଅନ୍ୟମନସ୍କହେଇ ଚୁପଚାପ ରହିଯାଆନ୍ତି l

ଥରେ ଦୁଇଥର ସେ ମୋର ପ୍ରଶ୍ନ ଶୁଣି କାନ୍ଦି ପକାଇଛନ୍ତି l ଗାମୁଛାରେ ଲୁହପୋଛି ହେଇଛନ୍ତି l ମୁଁ ଲକ୍ଷ୍ୟ କରିଛି, ବାପାଙ୍କୁ ଏ'ପ୍ରଶ୍ନ ପଚାରିଲେ, ତାଙ୍କ ମନରେ ଦୁଃଖ ଆସି ଯାଉଛି, ତେଣୁ ମୁଁ ଆଉ କେବେ ଏ' ପ୍ରଶ୍ନ ବାପାଙ୍କୁ ପଚାରିବି ନାହିଁ ବୋଲି ସ୍ଥିରକରି ନେଇଥିଲୁ l ତଥାପି ବୟସ ବଢିବା ସଙ୍ଗେସଙ୍ଗେ ମୋ ମନରେ କୌତୁହଳ ବଢିଚାଲିଲା ସତ, କିନ୍ତୁ ଏ'ପ୍ରଶ୍ନର ଉତ୍ତର ପାଇବାପାଇଁ ଅନ୍ୟ କୌଣସି ବିକଳ୍ପ ମୋ ପାଖରେ ନ ଥିଲା l ଘରେ ଆଉ କେହି ବୟସ୍କ ମଣିଷ ଥିଲେ, ଏ'କଥା ତାଙ୍କୁ ପଚାରିଥାନ୍ତି l ପିଲାଟିବେଳୁ ତ ମୁଁ ମାଆଙ୍କୁ ହରାଇ ସାରିଛି l ଆଉ କାହାକୁ ପଚାରିବି ?ମନକଥା ମୋର ମନରେ ରହିଥାଏ l

ହଠାତ ଦିନେ ବାପା ଅସୁସ୍ଥ ହେଇପଡ଼ିଲେ l ମୋତେ ପାଖକୁ ଡାକି ସେ ଆପଣା ଛାଏଁ କହିଚାଲିଲେ-"ଆଜି ମୁଁ ତୋତେ ସବୁ ସତକଥା ସମ୍ପୂର୍ଣ୍ଣ ଭାବେ କହିବି l ଯେଉଁ ସବୁକଥା ତୋତେ ଅନେକ ଦିନହେଲା ଲୁଚେଇ ରଖିଥିଲି, ତାକୁ ସବୁଖୋଲି କହିଦେବି l ଆଜି ମୁଁ ଅନୁଭଵ କରୁଛି, ତୁ ସେକଥା ଜାଣିବାକୁ ଏବେ ଯୋଗ୍ୟ ହେଇସାରିଲୁଣି l ତୋ' ପାଖରେ କେବଳ ଟଙ୍କାନୁହେଁ, ସାମର୍ଥ୍ୟ ବି ଅଛି l ତୁ ଏବେ ସେ କାମ ତୁ ପାରିବୁ l ମୋର ବିଶ୍ୱାସ ଅଛି, ତୁ ନିଶ୍ଚୟ ପାରିବୁ l"

କଥା କହୁକହୁ ବାପାଙ୍କର କଣ୍ଠରୋଧ ହେଇଗଲା l ଗୋଟାଏ ଅବୋଧ ଶିଶୁଭଳି ସେ କଇଁକଇଁହେଇ କାନ୍ଦି ଉଠିଲେ l ସେହି କାନ୍ଦ ଭିତରେ ତାଙ୍କର ଅସହାୟତା ଭରି ରହିଥିଲା l

 ସେ ପୁଣି କହିଲେ- "ମୋତେ ତୁ ହିଁ ଭଗବାନଙ୍କ ଦରବାରରେ ୠଣମୁକ୍ତ କରେଇ ଦେଇପାରିବୁ l ମୁଁ ଯେଉଁ କାମଟିକୁ କରି ପାରିଲି ନାହିଁ, ତୁ ସେ କାମଟିକୁ କରିଦେଲେ, ମୋର ଆତ୍ମା ଶାନ୍ତି ପାଇପାରିବ l"

ମୁଁ ବାପାଙ୍କୁ ଏଭଳି ଅବସ୍ଥାରେ ଆଗରୁ କେବେ ଦେଖି ନ ଥିଲି l ମୋତେ ଲାଗିଲା-ମୋ ବାପାଙ୍କ ଭଳି ଜଣେ ଆତ୍ମ ସ୍ୱାଭିମାନୀ, ଗମ୍ଭୀର ସ୍ୱଭାବର ଗର୍ବିତ ପୁରୁଷ ଆଜି ସତେ ଯେମିତି ନିଜର ଶକ୍ତି ସାମର୍ଥ୍ୟକୁ ହରେଇ ବସିଛନ୍ତି l ପାଞ୍ଚ ପଦରେ ପଦେ ଉତ୍ତର ଯିଏ ଦିଅନ୍ତି ନାହିଁ, ତାଙ୍କର ପାଗଳାମୀ ଦେଖି ମୁଁ ବାପାଙ୍କ ପାଖକୁ ଲାଗି ଆସିଲି l ଅନେକ ଦିନରୁ ମୁଁ ପଚାରି ଆସୁଥିବା ପ୍ରଶ୍ନର ଉତ୍ତରଗୁଡ଼ିକୁ ପାଇବାପାଇଁ ବେଶ ଉତ୍କଣ୍ଠାର ସହିତ ବାପାଙ୍କ ମୁହଁକୁ ଚାହିଁ ରହିଲି l

ଗୌର ଚନ୍ଦ୍ରିକା ଦେଇ ବାପା କହିଲେ-" ବୁଝିଲୁ ଜୟନ୍ତ ! ନିଜ ଜନ୍ମମାଟିର ମହିମାକୁ ଜାଣିବା ପାଇଁ ଗୋଟାଏ ଜନ୍ମ ମଣିଷ ପାଇଁ ଯଥେଷ୍ଟ ନୁହଁ l ଜନ୍ମମାଟି ମାଆର ଡାକ, ସେ ମାଟିର ମମତା ଆଉ ସେ ମାଟିର ଗନ୍ଧକୁ ଯିଏ ଅନୁଭବ କରିପାରିଛି, ସିଏ ହିଁ ସୁପୁରୁଷ l ତା'ପାଇଁ ଆକାଶ, ସମୁଦ୍ର ବି ଛୋଟ ହେଇଯାଏ l ମୋ ପାଇଁ ତୋତେ ଗୋଟିଏ କଠିନ କାମ କରିବାକୁ ହେବ l ମୋର ସେ ବିଶ୍ୱାସ ଅଛି, ତୁ ପାରିବୁ l ମୋ ଜନ୍ମମାଟିରୁ ଆଞ୍ଜୁଳାଏ ଧୂଳି-ମାଟି ଆଣି ମୋ ମୁଣ୍ଡ ଉପରେ ଯେଉଁଦିନ ଛିଞ୍ଚି ଦେଇ ପାରିବୁ, ସେହିଦିନ ତୁ ବି ମଧ୍ୟ ସେ ମାଟିର ଗନ୍ଧ ବାରିପାରିବୁ l ବେଶ ଏତିକି ମୋ ପାଇଁ ଯଥେଷ୍ଟ l ମୋ ମନର ବଳ ଆଉ ଦେହର ଶକ୍ତି ଶେଷ ହେଇଯାଇଛି ସତ, କିନ୍ତୁ ମୋର ତୋ' ଉପରେ ଯଥେଷ୍ଟ ଭରସା ରହିଛି l ଜନ୍ମମାଟିର ମୋହ, ମାଟିର ଆକର୍ଷଣ ଆଉ ମାଟିର ମମତା---l"

ବାପାଙ୍କ କଥା ହଠାତ ସେଇଠୁ ଅଧାରୁ ରହିଗଲା l ସେ ଆଉ ଅଧିକ କିଛି କହିପାରିଲେ ନାହିଁ l ଛାତିରେ ତାଙ୍କର ଅସହ୍ୟ ଯନ୍ତ୍ରଣା ହେଲା l ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଗଲା l ସେଇଠୁ ସିଧା ସେ ଫେରିଲେ ମଶାଣିକୁ l"

ତା’ ପରବର୍ତ୍ତୀ ଘଟଣାଟି ଏହିପରି -

ଜୟନ୍ତ ସେଦିନ ନିଜକୁ ହତଭାଗ୍ୟ ମନେକଲା l ଅନେକ ଦିନପରେ ତା' ବାପା ମନର କଥା କହିବାକୁ ଇଚ୍ଛା ପ୍ରକାଶ କରିଥିଲେ ଯେ, କିନ୍ତୁ ତାକୁ ମଧ୍ୟ ସମ୍ପୂର୍ଣ୍ଣ କରିପାରିଲେ ନାହିଁ l ଅସଲ କଥା ତାଙ୍କର ଜନ୍ମସ୍ଥାନ କେଉଁଠି ? ତାହା ମଧ୍ୟ ସେ କହିପାରିଲେ ନାହିଁ l କିଛିଦିନ ପୂର୍ବରୁ ସେ ଯଦି ଏହିଭଳି କଥା କହିଥା'ନ୍ତେ, ତେବେ ସେ କିଛିକରି ପାରିଥା'ନ୍ତା l ତଥାପି ତାଙ୍କର ଶେଷକଥା ପଦକ ଜୟନ୍ତ ମନରେ ଗଭୀର ପ୍ରଭାବ ପକେଇ ରହିଥିଲା l ତେଣୁ ସେ ଏକୁଟିଆ ଥିବାବେଳେ ଅନ୍ୟମନସ୍କ ହୋଇ ବାପାଙ୍କ ବିଷୟରେ ଅନେକ କଥା ଚିନ୍ତାକରେ l କ'ଣ କଲେ, ବାପାଙ୍କର ଶେଷଇଚ୍ଛା ପୂରଣ ହେଇପାରିବ ? ସେ ଦିଗରେ ବି ଉପାୟ ଖୋଜିବସେ, କିନ୍ତୁ ନିଜମୂଳ ଜନ୍ମମାଟିକୁ ଚିହ୍ନିବାର କୌଣସି ପ୍ରକାର ଉପାୟ ପାଏନାହିଁ l ତେଣୁ ସେ ନିଜକୁ ବଡ଼ ଅସହାୟ ମନେକରେ l

ଥରେ ସେ କଲିକତାରେ ରହୁଥିବା ଜଣେ ମାମୁଙ୍କ ସହିତ କଥାବାର୍ତ୍ତା ହେଉଥିବା ସମୟରେ ତା'ବାପାଙ୍କ ଶେଷଇଚ୍ଛା କଥା କହିପକାଇଲା l ମାମୁ ବୁଝେଇ କହିଲେ-"ତୁ କାହିଁକି ଆଉ ସେ ପୁରୁଣା କଥାକୁ ମନେ ପକାଉଛୁ ? ତୋ' ବାପା ଥିଲେ ଜଣେ ସ୍ୱାଭିମାନୀ ମଣିଷ l ନିଜର ମାଟି-ମାଆକୁ ସେ ଅତ୍ୟନ୍ତ ଭଲ ପାଉଥିଲେ l ତାଙ୍କର ଆଖିରେ ଥିଲା-ଅନେକ ସ୍ୱପ୍ନ l ନିଜ ଲୋକଙ୍କ ପାଇଁ ସେ ବହୁତ କିଛି କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର ସବୁ ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଗଲା l

ସେତେବେଳର ପରିବେଶ ଆଉ ତତ୍କାଳୀନ ପରିସ୍ଥିତି ତାଙ୍କପାଇଁ ପ୍ରତିକୂଳ ହେଲା l ବାଧ୍ୟହେଇ ସେ କୋଟାଲାଜାମ ଛାଡ଼ି ହିନ୍ଦୁସ୍ଥାନକୁ ପଳେଇ ଆସିଥିଲେ ସତ, କିନ୍ତୁ ତାଙ୍କର ମନ ଆଉ ପ୍ରାଣ, ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପାକିସ୍ଥାନ ମାଟିରେ ହିଁ ରହି ଯାଇଥିଲା l"

ମାମୁଙ୍କର ଅଳ୍ପକଥାରେ ଜୟନ୍ତ ଅନେକ କିଛି ଉତ୍ତର ପାଇଗଲା l ତା'ର ଉତ୍କଣ୍ଠା ଅଧିକ ବଢିଚାଲିଲା l ସେ ଅପେକ୍ଷା କରି ଶୁଣିବାକୁ ଚାହିଁ ରହିଲା-ତା'ର ମାମୁ ବାପାଙ୍କ ବିଷୟରେ ଅଧିକ କ'ଣ ଜାଣିଛନ୍ତି ?

ପୁଣି ମାମୁ ଆରମ୍ଭ କଲେ-"ବୁଝିଲୁ ଜୟନ୍ତ ! ତୋର ଜେଜେଥିଲେ, ଜଣେ ଦେଶପ୍ରେମୀ ସଚ୍ଚା ହିନ୍ଦୁ l କୋଟଲାଜାମର ହଜାର ହଜାରଲୋକ ତାଙ୍କୁ ଦେବତା ଭଳି ପୂଜା କରୁଥିଲେ l ତାଙ୍କର ଲୋକପ୍ରିୟତା ଏତେ ବଢି ଯାଇଥିଲା ଯେ, ସମସ୍ତେ ଭାବୁଥିଲେ-ଦେଶକୁ ସ୍ୱାଧୀନତା ମିଳିଗଲେ, ସେ ହେବେ, କୋଟଲାର ପ୍ରଥମ ସାଂସଦ, କିନ୍ତୁ ଭଗବାନଙ୍କର ଇଚ୍ଛାଥିଲା -ଅନ୍ୟକିଛି l

ସେ ତାଙ୍କର ପ୍ରିୟଜନଙ୍କୁ ସବୁଦିନ ପାଇଁ ସେଇଠି ଛାଡ଼ିଦେଇ ହିନ୍ଦୁସ୍ଥାନକୁ ଆସିବାକୁ ବାଧ୍ୟହେଲେ l ପ୍ରଥମେ ତ ସେ ଗୁଜୁରାଟରେ ରହୁଥିଲେ l କିଛିଦିନ ପରେ ସରକାରଙ୍କ ସହାୟତାରେ ସେ ଦିଲ୍ଲୀରେ ଆସି ରହିଲେ l ତା'ପରେ ସେ ସେଇଠି ଦେହତ୍ୟାଗ କଲେ l ତୋ' ବାପାଙ୍କୁ ସେ ଅନେକ କଥାକହି କିଛି ଦାୟିତ୍ୱ ଦେଇଥିଲେ ସତ, କିନ୍ତୁ ସିଏ କିଛି କରିପାରିଲେ ନାହିଁ l ସେ ତାଙ୍କର ସେହି ମୂଳ ଭିଟାମାଟିକୁ ଥରେ ଯାଇ ବୁଲି ଆସିବାକୁ ବହୁବାର ଚେଷ୍ଟା ତ କରିଥିଲେ, କିନ୍ତୁ ତାଙ୍କର ସକଳ ପ୍ରକାର ଚେଷ୍ଟା ବିଫଳ ହେଲା l ଜେଜେଙ୍କ ପରେ ତୋ' ବାପା ଏବେ ପୁଣି ହତାଶ ମନନେଇ ପୁଣି ଆରପାରିକୁ ଚାଲିଗଲେ l ତାଙ୍କର ଶେଷ ଇଚ୍ଛା ବି ପୂରଣ ହେଇ ପାରିଲା ନାହିଁ l"

ମାମୁଙ୍କ କଥା ଶୁଣି ଜୟନ୍ତ ଆଉ ଚୁପରହି ପାରିଲା ନାହିଁ l ସେ ପଚାରିଦେଲା-"ମାମୁ ! ତେବେ ଆମର ମୂଳ ଭିଟାମାଟି କ'ଣ ପାକିସ୍ତାନର କୋଟାଲାଜାମ ?"

ମୁଣ୍ଡ ହଲେଇ ମାମୁ ସମ୍ମତି ଜଣେଇଲେ l

ଏକ ଅଫୁରନ୍ତ ଆନନ୍ଦରେ ଜୟନ୍ତ ପୁଲକିତହେଇ ଉଠିଲା l ସେ ଭାବୁଥିଲା- ତେବେ ମୋ ବାପାଙ୍କର ଜନ୍ମମାଟି କୋଟାଲାଜାମ l କିନ୍ତୁ କୋଟାଲରେ ତ ଏବେ ପାକିସ୍ଥାନରେ l ସେଠାକୁ ଯିବା କ'ଣ ଏତେ ସହଜ କଥା ? ତଥାପି ଚେଷ୍ଟା କରିବି l ସେଇଠୁ ମୁଠାଏ ମାଟି ଆଣି ମୋ ବାପାଙ୍କ ସମାଧି ଉପରେ ଦେଇପାରିଲେ, ମୋ ଜୀବନ ଧନ୍ୟ ହେଇଯିବ l ଆଉ ବାପାଙ୍କ ଶେଷଇଚ୍ଛା ପୂରଣ ହେଇପାରିବ, ମୁଁ ପିତୃଋଣରୁ ମୁକ୍ତି ପାଇପାରିବି; କିନ୍ତୁ ଏହା କ'ଣ ସମ୍ଭବ ? ଏବେ ତ ହିନ୍ଦୁସ୍ଥାନ ଆଉ ପାକିସ୍ତାନ ସ୍ଥାନ ମଧ୍ୟରେ ଥିବା ସଂପର୍କ ଦିନକୁ ଦିନ ଖରାପ ହେଇଚାଲିଛି l ତାକୁ କ'ଣ କୋଟାଲାଜାମ ଯିବାକୁ ସରକାରୀ ଅନୁମତି ମିଳିପାରିବ ?

ସେଦିନ ମାମୁଙ୍କଠାରୁ ଆହୁରି କିଛି ତଥ୍ୟ ସଂଗ୍ରହ କରି ଜୟନ୍ତ କୋଟାଲାଜାମ ଯିବାପାଇଁ ସମସ୍ତ ପ୍ରକାର ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଦେଲା l ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ସେ ବିଫଳ ହେଇଥିଲେ ବି ତା' ମନରେ ଆଶାର ଅଙ୍କୁର ମଉଳି ଯାଇ ନ ଥିଲା l

ଦିନେ ଟ୍ରେନରେ ଯାତ୍ରାକରୁଥିବା ସମୟରେ ପାକିସ୍ତାନବାସୀ ରଫିକ ସହିତ ଜୟନ୍ତର ପରିଚୟ ହେଇଗଲା l ରଫିକ କୌଣସି ସରକାରୀ କାମରେ ମାସକ ପାଇଁ ଦିଲ୍ଲୀ ଆସିଥିଲା l ସେ କୋଟ ଲାଜାମ ବିଷୟରେ ଅନେକ କିଛି ଜାଣିଥିଲା l ଜୟନ୍ତ ଯଦି କେବେ କୋଟଲାଜାମ ଯାଏ, ତେବେ ସେ ସମସ୍ତ ପ୍ରକାର ସହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଲା l ଜୟନ୍ତ ହୃଦୟଙ୍ଗମ କଲା-ରଫିକ ଜଣେ ଭଦ୍ର ତଥା ମାର୍ଜିତ ମଣିଷ l ଦରକାରବେଳେ ସେ ନିଶ୍ଚୟ ତାକୁ ଏ' ଦିଗରେ ସାହାଯ୍ୟ କରିବ l

ଜୟନ୍ତ ମନରେ ଜାଗ୍ରତ ହେଇଥିବା କ୍ଷୁଦ୍ର ଅଙ୍କୁରଟି ହଠାତ ପଲ୍ଲବିତ ହୋଇଉଠିଲା l ସେ ଅଙ୍କୁରଟି ମହାଦ୍ରୁମରେ ପରିଣତ ହେବାକୁ ସୁଯୋଗ ଖୋଜି ବୁଲିଲା l ଭାରତ-ପାକିସ୍ତାନର ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ହିଁ ତା'ପାଇଁ ଏକ ଅପୂର୍ବ ସୁଯୋଗ ଆଣିଦେଲା l ତାକୁ କ୍ରିକେଟ ଦେଖିଯିବାକୁ ପାକିସ୍ଥାନ ତରଫରୁ ବି ଅନୁମତି ମିଳିଗଲା l ଯଦିଓ ସେଦିନ କ୍ରିକେଟ ମ୍ୟାଚ ଇସଲାମଵାଦରେ ହେଉଥିଲା, l କିନ୍ତୁ ସେ ସିଧା ଚାଲିଲା-କୋଟଲାଜାମ l ପୂର୍ବରୁ ସେ ରଫିକ ସହିତ ଫୋନରେ ଯୋଗାଯୋଗ ରଖିଥିଲା l

ରଫିକ ଅତ୍ୟନ୍ତ ବିଶ୍ୱସ୍ତ ବନ୍ଧୁ ଭାବରେ ସେଦିନ ତାକୁ ଷ୍ଟେସନରେ ଅପେକ୍ଷା କରିରହିଥିଲା l ରଫିକ ସହଯୋଗରେ ସେ ଖୁବକମ ସମୟ ମଧ୍ୟରେ ଠିକଣା ଜାଗାରେ ପହଞ୍ଚିଗଲା l

ସେଠାକୁ ଯାଇ ତା' ମାମୁ କହିଥିବା ହାଇସ୍କୁଲକୁ ଦେଖି ଜୟନ୍ତ ଚମକି ପଡ଼ିଥିଲା l ସେହି ସ୍କୁଲଟିକୁ ତା'ର ଜେଜେ ତିଆରି କରେଇଥିଲେ, ପୁଣି ତା'ବାପା ବି ସେଇଠି ପାଠ ପଢିଥିଲେ ବୋଲି ମାମୁ କହିଥିଲେ l ଇଂରେଜ ଅମଳରେ ଏହି ସ୍କୁଲଟି ସର୍ବୋତ୍ତମ ହାଇସ୍କୁଲ ଭାବରେ ସମଗ୍ର କୋଟଲାଜାମରେ ସୁନାମ ଅର୍ଜନ କରିଥିଲା l ଏହି ସ୍କୁଲରେ ପାସ କରିଥିବା ଛାତ୍ରମାନେ ଦେଶ ବିଦେଶରେ ବେଶ ସୁନାମ ଅର୍ଜନ କରିଛନ୍ତି l କିନ୍ତୁ ଆଜି ସେହି ସ୍କୁଲଟି କେବଳ ଜୀର୍ଣ୍ଣଶୀର୍ଣ୍ଣ ଶରୀରକୁ ଧରି ଏକ କିମ୍ବଦନ୍ତୀ ହେଇ ଠିଆହୋଇଛି l

ତା'ଉପରେ ବିରାଟ ବିରାଟ ବରଗଛ, ଓସ୍ତଗଛ ଉଠି ଏକ ଅରଣ୍ୟର ଭ୍ରମ ସୃଷ୍ଟି କରୁଛି l ସ୍କୁଲଘର ଆଉ ତା'ର ଆଖପାଖ ଅଞ୍ଚଳ ପ୍ରାୟ ପଚାଶ ଏକର ଜମିକୁ ତା'ର ଜେଜେ ସେତେବେଳେ ସ୍କୁଲପାଇଁ ଦାନ କରି ଦେଇଥିଲେ l ଏବେ ସେ ଭଙ୍ଗା ସ୍କୁଲଘର ବ୍ୟତୀତ ଅନ୍ୟ ସମସ୍ତ ଜାଗାକୁ କିଏ କୁଆଡ଼େ ମାଡ଼ି ବସିଲେଣି l

ଚାରିଆଡ଼କୁ ଚାହିଁ ଜୟନ୍ତ ନିଜକୁ ଅସହାୟ ମନେକରି ଆଖି ବୁଜି ତା' ଜେଜେଙ୍କୁ ସ୍ମରଣ କଲା l ସେ ତା' ଜେଜେଙ୍କୁ କେବେ ତ ଦେଖି ନାହିଁ, ତଥାପି ଜେଜେଙ୍କ ଚେହେରା ଠିକ ବାପାଙ୍କ ଭଳି ଥିଲା ବୋଲି ସେ ମାମୁଙ୍କଠାରୁ ଶୁଣିଥିଲା l

ରଫିକ ଆଖପାଖ ଗଳିରେ ପଶି ବୟସ୍କ ଲୋକମାନଙ୍କୁ ଜୟନ୍ତର ଜେଜେଙ୍କ ବିଷୟରେ ପଚାରି ବୁଝିଲା l ଅଧିକାଂଶ ବୃଦ୍ଧ ତାଙ୍କ ନାମକୁ ଶୁଣିବା ମାତ୍ରେ ଦୁଇହାତ ଯୋଡ଼ି ଆଲ୍ଲାଙ୍କୁ ସଲାମ କଲେ l ଜୟନ୍ତକୁ କୁଣ୍ଡେଇ ପକେଇ ସେମାନେ ଆନନ୍ଦରେ କାନ୍ଦି ପକାଇଲେ l ଆଜି ତାଙ୍କପାଇଁ ଅତି ସ୍ମରଣୀୟ ଦିବସ ବୋଲି ସେମାନେ କହିଲେ l କରନ ସିଂର ନାତିଜାନ ଜୟନ୍ତ ଆଜି କୋଟଲାଜାମରେ ପାଦ ଦେଇଛି l ଏହି ଘଟଣାଟା ସମଗ୍ର ସହରରେ ଚର୍ଚ୍ଚାର ବିଷୟ ହେଇଗଲା l ବୟସ୍କ ଲୋକମାନେ ତାକୁ ଦେଖି କୁହାକୁହି ହେଲେ, ନାତିଟା ପୂରା ତା'ର ଜେଜେପରି ହେଇଛି l ସେ ଟୋକା ବୟସରେ ଠିକ ଏଇମିତି ଦେଖା ଯାଉଥିଲେ l କେତେଜଣ କୃତଜ୍ଞ ବୃଦ୍ଧ କରନ ସିଂଙ୍କର ତ୍ୟାଗ ଆଉ ମହତ ପଣିଆକୁ ସ୍ମରଣ କରି କହିଲେ-"ସେ ଆମକୁ ଏଇଠି ଛାଡ଼ି ଦେଇଗଲେ ନାହିଁ ଯେ, ଆମକୁ ଅନାଥ କରିଦେଇ ଚାଲିଗଲେ l ତୁ କହିଲୁ ନାତିଜାନ ! କରନର ବେଟା, ମାନେ ତୋର ବାପା କେମିତି ଅଛି ? ଏବେ କେଉଁଠି କି କାମ କରୁଛି ? ସେ ଥରେ ବୁଲିଆସି ଆମକୁ ଦେଖି ଯାଇଥିଲେ, ବହୁତ ଭଲହେଇ ଥାଆନ୍ତା l ଆମେ ଟିକେ ତାକୁଦେଖି କେତେଖୁସି ହେଇଥାଆନ୍ତୁ l"

ଏକସଙ୍ଗେ ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲା ଜୟନ୍ତ l ସେ ଅନୁଭବ କଲା, ତା'ର ଜେଜେ ଏବଂ ତା'ବାପାଙ୍କୁ ଏ' ଅଞ୍ଚଳରେ ଲୋକେ ବହୁତ ଭଲ ପାଆନ୍ତି l ଏବେ ବି ସେମାନେ ତାଙ୍କର ଫେରିବା ବାଟକୁ ଚାହିଁ ବସିଛନ୍ତି l

ସେଦିନ ସଞ୍ଜବେଳେ ହାଇସ୍କୁଲ ଗଳିର ବାସିନ୍ଦାମାନେ ଜୟନ୍ତକୁ ପାଖରେ ବସେଇ ବହୁତ ଦିନର ପୁରୁଣା ସ୍ମୃତି ଚାରଣ କଲେ l ତାଙ୍କ ଜେଜେଙ୍କ ଦାନ ଜାଗାରେ ସେମାନେ କେମିତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି, ସେକଥା ମଧ୍ୟ ଆଲୋଚନା ପରିସରକୁ ଆସିଲା l

ଜୟନ୍ତ ତା' ମନର କଥା ସେମାନଙ୍କୁ ଶୁଣେଇଦେଲା l ବାପାଙ୍କ ସମାଧି ଉପରେ ଛିଞ୍ଚିବା ଉଦ୍ଦେଶ୍ୟରେ ସମସ୍ତେ ମୁଠାଏ ମୁଠାଏ ଧୂଳି ଆଣି ତା' ହାତରେ ଦେଲେ l ସେହି ଧୂଳିକୁ ହିନ୍ଦୁସ୍ଥାନକୁ ନେବାପାଇଁ ଅତିଯତ୍ନର ସହ ସେ ପୁଡ଼ିଆରେ ବାନ୍ଧି ରଖିଲା l

ରଫିକ ସ୍ଥାନୀୟ ବାସିନ୍ଦାଙ୍କର ସ୍ନେହ ମମତାକୁ ଦେଖି ଅବାକହେଇ ଯାଇଥିଲା l ସେ ଜୟନ୍ତକୁ କହିଲା-"ଭାଇଜାନ ! ତମେ ଆଉ ହିନ୍ଦୁସ୍ଥାନକୁ ଫେରିଯାଅ ନାହିଁ l ମୁଁ ତୁମପାଇଁ ଏଇଠି ଗୋଟାଏ କୋଠା ତିଆରି କରେଇଦେବି l ମୋର ବହୁତ ବଡ଼ବଡ଼ ଲୋକଙ୍କ ସହିତ ସଂପର୍କ ଅଛି l କିଛି ଅସୁବିଧା ହେବନାହିଁ l"

ଜୟନ୍ତ ସମସ୍ତଙ୍କ କଥା ଶୁଣିସାରି କହିଲା- "ମୁଁ ସ୍ଥିର କରିଛି, ଏ' ବସ୍ତି ବାସିନ୍ଦାଙ୍କ ପାଇଁ ଦଶଟି ନୂଆ ପକ୍କାଘର ତିଆରି କରେଇ ଦେବି l ଜେଜେଙ୍କଦ୍ୱାରା ତିଆରି କୁଡ଼ିଆ ସବୁ ପକ୍କାଘର ହେଇଗଲେ, ତାଙ୍କର ଆତ୍ମା ନିଶ୍ଚୟ ଶାନ୍ତି ପାଇପାରିବ l ଏଥିପାଇଁ ଯେତେ ଟଙ୍କା ଦରକାର, ସେ ସବୁ ମୁଁ ହିନ୍ଦୁସ୍ଥାନ ଗଲେ, କିସ୍ତି କରି ପଠେଇଦେବି l ଏହି କାମରେ ଯଦି ରଫିକ ମୋତେ ସାହାଯ୍ୟ କରେ, ତେବେ କାମଟି ସହଜ ଆଉ ସୁବିଧାରେ ହେଇପାରନ୍ତା l"

ରଫିକ ସଙ୍ଗେସଙ୍ଗେ ଏହି ପ୍ରସ୍ତାବରେ ରାଜି ହେଇଗଲା l ପ୍ରଥମ କିସ୍ତି ପାଇଁ କେତେ କାମ ହେଇଛି, ତା'ର ଫଟୋ ଓ ହିସାବ ପଠାଇଲେ, ଦ୍ୱିତୀୟ କିସ୍ତି ଟଙ୍କା ଆସିବ l ଏହିପରି କାମ ଆଗେଇ ଚାଲିବ ବୋଲି ସ୍ଥିରହେଲା l ଜୟନ୍ତ ନିଜ ଘରକୁ ଫେରି ଯୋଜନା ମୁତାବକ ଟଙ୍କା ପଠାଇଲା l କାମ ଠିକଠାକ ଚାଲିଲା l ରଫିକର ଆନ୍ତରିକତା ଫଳରେ ଆଠମାସ ଭିତରେ ସବୁଯାକ ଘର ତିଆରି ହେଇଗଲା l ବସ୍ତି ବାସିନ୍ଦାମାନେ କୃତଜ୍ଞତା ଜଣେଇ ଜୟନ୍ତ ପାଖକୁ ଚିଠି ଲେଖିଲେ l ରଫିକ ମାଧ୍ୟମରେ ଅନୁରୋଧ କଲେ-" ଜୟନ୍ତକୁ କୁହ କୋଟଲାଜାମରେ ପହଞ୍ଚିବାକୁ l ସେ ଆସିଲେ, ଆମର ଗୃହ ପ୍ରବେଶ ହେବ l ଜୟନ୍ତ ହାତରୁ ହିଁ ଆମେ ନୂଆଘରର ଚାବିନେବୁ l"

ସେଦିନ ଟେଲିଫୋନରେ ଜୟନ୍ତ ସମସ୍ତଙ୍କୁ ଜଣେଇଦେଲା- ତା'ର ଟିକେଟ ପାସପୋର୍ଟ ଆଉ ଭିସା ଇତ୍ୟାଦି ହେଇଯାଇଛି l ସେ ନଭେମ୍ବର ମାସ 14 ତାରିଖ ଦିନ କୋଟଲାଜାମରେ ପହଞ୍ଚିବ ସେହିଦିନଟି ହେବ, ତା'ପାଇଁ ସବୁଠାରୁ ସ୍ମରଣୀୟ ଦିବସ l

 ଜୟନ୍ତ ନିଜର ଲୁଗାପଟା, ଆଟାଚ ପତ୍ର ପ୍ରସ୍ତୁତକରି ପକେଟରେ ଥିବା ଟିକେଟକୁ ଆଉଥରେ ଯାଞ୍ଚ କରିନେଲା l ଘରୁ ବାହାରିବା ପୂର୍ବରୁ ସେ ବାପାଙ୍କ ସମାଧି ପାଖକୁ ଯାଇ ପ୍ରାର୍ଥନା କଲା l ଏୟାରପୋର୍ଟକୁ ଯିବାପାଇଁ କାରଟିଏ ଆସି ଦୁଆରେ ଠିଆ ହେଇଛି l

ହଠାତ ଟେଲିଫୋନର ଲମ୍ବା ରିଂ ଶୁଣାଗଲା l ଜୟନ୍ତ ରିସିଭର ଉଠାଇ ହ୍ୟାଲୋ କହିବାରୁ ସେ ପଟରୁ ରଫିକର କଣ୍ଠସ୍ୱର ଶୁଣାଗଲା l

ରଫିକ ଫୋନରେ କହିଲା-"ଭାଇଜାନ ! କିଛିକଥା କହିବାକୁ ମୋ ତୁଣ୍ଡରେ ଭାଷାନାହିଁ l ଆଜି ପାକିସ୍ତାନ ପୁଲିସର ବିରାଟ ପଟୁଆର ଆସି ମୋ ହାତଗଢ଼ା, ତମ ସ୍ୱପ୍ନର ପକ୍କାଘରକୁ ଡୋଜର ଲଗେଇ ସବୁଭାଙ୍ଗି ଚୁରମାର କରିଦେଇଛି l ବସ୍ତି ବାସିନ୍ଦାମାନଙ୍କୁ ପୁଲିସ ଗିରଫକରି ହାଜତରେ ଭର୍ତ୍ତିକରି ସାରିଲେଣି l ଖବର ପାଇଲି, ଗିରଫ କରିବାପାଇଁ ସେମାନେ ମୋତେ ଏବେ ଖୋଜୁଛନ୍ତି l ଦୟାକରି ଆଜି ତମେ ଏଠିକି ଆସିବ ନାହିଁ l ରକ୍ତମୁଖା ପୁଲିସ ତମର ଆସିବା ବାଟକୁ ଚାହିଁ ବସିଛି l କଣ ନା' କ'ଣ କରିଦେବ ସେମାନେ l"

ରଫିକ କଥାକୁ ଜୟନ୍ତ ସହଜରେ ବିଶ୍ୱାସ କରିପାରିଲା ନାହିଁ l ପଚାରି ଦେଲା-ପାକିସ୍ତାନ ପୁଲିସର ଆମେ କି ଦୋଷ କଲୁ ଯେ, ସେମାନେ ଆମ ଉପରେ ଏଭଳି ଅତ୍ୟାଚାର କଲେ ?"

-"ଭାଇଜାନ ! ପାକିସ୍ତାନ ଗୋଇନ୍ଦା କେଉଁଠୁ କି ଖବର ପାଇଛି କେଜାଣି ? -ତମେ ଜଣେ ହିନ୍ଦୁସ୍ଥାନୀ ଗୁପ୍ତଚର l ସ୍ଥାନୀୟ ବସ୍ତି ବାସିନ୍ଦାଙ୍କୁ ହାତକରି କୁଆଡ଼େ ଏଠାରେ ଗୁପ୍ତ-ଆଡ୍ଡା ତିଆରି କରୁଛ l ପାକିସ୍ତାନ ବିରୁଦ୍ଧରେ ତମେ ଗୋଟାଏ ଆତଙ୍କବାଦୀ ସଂଗଠନ ଏଇଠି ତିଆରି କରୁଛ ବୋଲି ପୁଲିସ ପାଖରେ ଅଭିଯୋଗ ରହିଛି l ବର୍ତ୍ତମାନ ଏଠାକାର ପରିସ୍ଥିତି ବଡ଼ ଜଟିଳ l ତୁମ ନାମ ସହିତ ମୋ ନାମକୁ ଯୋଡ଼ି ଭୀଷଣ ଗୁଜବ ଶୁଣାଯାଉଛି l ମୁଁ ଲୁଚିକରି ଗୋଟାଏ ଟେଲିଫୋନ ବୁଥରୁ ତମକୁ ଏ' ଫୋନ କରୁଛି l ତମର ଟୁର ପ୍ରୋଗ୍ରାମ ଏବେ କ୍ୟାନସଲ କରିଦିଅ l ହେଇ ତ ପୁଲିସ ମୋ ଆଡ଼କୁ ମାଡ଼ି ଆସୁଛନ୍ତି l ଏବେ ମୋର ଅବସ୍ଥା କ'ଣ ହେବ କେଜାଣି ? ରହିଲି l" ରଫିକର ଫୋନ କଟିଗଲା l

ଜୟନ୍ତ ଫୋନ ରିସିଭରକୁ ଥୋଇଦେଇ ଲଥକରି ତଳେ ବସିପଡ଼ିଲା l ଅନ୍ୟମାନେ ଦେଖିଲେ, ତା'ର ଚେତା ବୁଡ଼ି ଯାଇଛି l



Rate this content
Log in

Similar oriya story from Tragedy