STORYMIRROR

KRUTIBAS NAYAK

Tragedy Inspirational

4  

KRUTIBAS NAYAK

Tragedy Inspirational

ଗଳ୍ପାୟନ-13 :ଶତ୍ରୁଠାରୁ ଦୂରରେ : ସନ୍ଦେହୀ ବିନୋଦ -ଡକ୍ଟର କୃତ୍ତିବାସ ନାୟକ

ଗଳ୍ପାୟନ-13 :ଶତ୍ରୁଠାରୁ ଦୂରରେ : ସନ୍ଦେହୀ ବିନୋଦ -ଡକ୍ଟର କୃତ୍ତିବାସ ନାୟକ

10 mins
400


ବିନୋଦ ପଟ୍ଟନାୟକ ଆମ ଅଫିସରେ ଜଣେ ଜୁନିୟର ଅଫିସର ଭାବେ ଜଏନ କଲେ l ଦେଖିବାକୁ ଗୋଲଗାଲ :ସୁନ୍ଦର ଚେହେରା l ତାଙ୍କର ବୟସ ବେଶି ହେଇଛି ବୋଲି ଜଣାପଡୁ ନ ଥାଏ l କର୍ମଚାରୀମାନେ କୁହାକୁହି ହେଲେ-"ନୂଆ ଅଫିସର ଜଣକ ପିଲାଭଳି ଦିଶୁଛନ୍ତି, କିନ୍ତୁ ବୟସ ତିରିଶ ଉପରେ ହେଇଗଲାଣି l କିନ୍ତୁ, ପିଲାଟା ଭେରି ଇଣ୍ଟେଲିଜେଣ୍ଟ l ସାରା ଓଡିଶାରୁ ସେ ଜଣେମାତ୍ର କ୍ୟାଣ୍ଡିଡେଟ ସିଲେକ୍ଟ ହେଇ ଅଫିସର ଚାକିରି ପାଇଛନ୍ତି l ତାଙ୍କ ବାପା ଜଣେ ବଡ଼ ଅଫିସର ଥିଲେ l ବାପା-ମାଆଙ୍କର ସେ ଗୋଟାଏ ବୋଲି ପୁଅ ତ, ଭାରି ଗେଲବସରରେ ବଢିଛନ୍ତି l ଆଗରୁ ସେ ତିନିଟା ଜାଗାରେ ଇଣ୍ଟରଭ୍ୟୁ ଦେଇଥିଲେ, ଦେଖ, ଚାକିରି ମରୁଡ଼ିବେଳେ ସେ ଏକାଥରକେ ତିନି ତିନିଟା ଜାଗାରେ ଅଫିସର ପୋଷ୍ଟ ପାଇଁ ସିଲେକ୍ଟ ହେଇଯାଇଛନ୍ତି l ବାଛିବାଛି ସେ ଆମରି ଅଫିସକୁ ପସନ୍ଦ କଲେ l ଅନ୍ୟ ଚାକିରିକୁ ଖାତର କଲେନାହିଁ l ଆମ ଅଫିସର ବଡ଼ବାବୁ ତାଙ୍କୁ ଡାକି ପଚାରିଲେ-" ସାର୍ !ଆପଣଙ୍କୁ କେମିତିକା କ୍ୱାର୍ଟର୍ସ ଦରକାର ମୋତେ କହି ଦିଅନ୍ତୁ l ମୁଁ ସାହେବଙ୍କୁ କହି ଆଜି ଆପଣଙ୍କ ନାଆଁରେ ଆଲଟମେଣ୍ଟ ଅର୍ଡର କରିଦେବି l"

ବିନୋଦ ବାବୁ ଲକ୍ଷ୍ୟକଲେ, ସମଗ୍ର ଅଫିସର କର୍ମଚାରୀମାନେ ତାଙ୍କୁ ଭାରି ସମ୍ମାନ ଦେଉଛନ୍ତି l ବଡ଼ ସାହେବ ନିଜେ ତାଙ୍କ ଚାମ୍ବରକୁ ଡକେଇ ପାଖରେ ବସାଇ ଚା' ପିଆଇଲେ l ଘରର ଭଲ-ମନ୍ଦ, ବାପା-ମାଆଙ୍କ କଥା ପଚାରି ବୁଝିଲେ l କଲୋନୀରେ ରହିଯିବାକୁ କ୍ୱାର୍ଟର୍ସ ମଧ୍ୟ ଦେଇଦେଲେ l ପିଅନ କିରାଣିମାନେ ତ ଖାଲି ଡବଡବ କରି ତାଙ୍କୁ ଚାହିଁ ରହୁଥିଲେ l ଜଣେ ଅନ୍ୟଜଣକୁ ଠାରିଦେଇ ଚିହ୍ନାଇ ଦେଉଥାନ୍ତି-"ଇଏ ଆମର ନୂଆ ସାହେବ l"

ଷ୍ଟେନୋ ବାବୁ ତାଙ୍କପାଖରେ ଠିଆହେଇଥିବା କିରାଣୀ ବାରିକ ବାବୁଙ୍କୁ କହିଲେ-"ବୁଝିଲେ ଆଜ୍ଞା ! ଆମର ଜଣେ ହାଇ କ୍ଵାଲିଫାଏଡ଼ ଟୋକା ଅଫିସର ପଟ୍ଟନାୟକବାବୁ ଆସିଛନ୍ତି l ଆଗରୁ ଯେଉଁ କେତୋଟି ବୁଢା, ହଡ଼ା ପ୍ରମୋଟି ଅଫିସର ଅଛନ୍ତି, ଦେଖିବେ ସେମାନେ କେମିତି ବଳେବଳେ ସାବାଡ଼ ହେଇଯିବେ l ତାଙ୍କୁ ଆଉ ପଚାରିବ କିଏ ? ମୁଁ ତାଙ୍କର ଵୟୋଡ଼ାଟା ଦେଖୁଥିଲି, ସେ ଜେ.ଏନ.ୟୁର ଟପର ଷ୍ଟୁଡ଼େଣ୍ଟ ଥିଲେ l ତାଙ୍କର ଅନ୍ୟ ଯେତେ ସାଙ୍ଗ, ସବୁଯାକ ଆଇ॰ଏ.ଏସ ପାଇ ସାରିଛନ୍ତି l ଖାଲି ୟାଙ୍କର ଭାଗ୍ୟରେ ନାହିଁ ବୋଲି ସେ ଏଭଳି ଡିପାର୍ଟମେଣ୍ଟକୁ ଆସି ଜଏନ କଲେ l ରଜାଛୁଆ ପରି ଚେହେରା ପାଇଛନ୍ତି, କିନ୍ତୁ ଦେଖନ୍ତୁ, କେଡ଼େ ସଞ୍ଜମୀ ମଣିଷ ସେ ଆଜି ପର୍ଯ୍ୟନ୍ତ ବାହା ହେଇନାହାନ୍ତି l"

ବୁଢା ପିଅନ ବଟିଆ ଦାନ୍ତକୁ ନିକୁଟି କହିଲା-"ଆମର ତ ଏଠି ବଡ଼ସାହେବଙ୍କର ତିନିଟା ଝିଅ ଅଛନ୍ତି l ସେମାନଙ୍କ ଭିତରୁ ଗୋଟାକୁ ସେ ଯଦି ...l

 -"ଛାଡ଼ ମ ! ତୁ କ'ଣ ଜାଣିଛୁ, ଆମ ବଡ଼ବାବୁ ପରା ସକାଳୁ ସକାଳୁ ତାଙ୍କ ଉପରେ ଆଖି ପକେଇ ସାରିଲେଣି l ତାଙ୍କର ଯେଉଁ ବଡ଼ଝିଅଟା ବାଙ୍ଗାଲୋରରେ ଚାକିରି କରୁଛି, ତା'ପାଇଁ ସେ ମନେମନେ ଠିକ ସାରିଲେଣି l ସେଇଥିପାଇଁ ବୁଢା ଆଜି ସକାଳୁ ତାଙ୍କ ପଛେପଛେ ଗୋଡ଼ଉଛି l ତାଙ୍କୁ ଆଜି ଦୁଇଥର ଚା' ପିଆଇ ସାରିଲାଣି l ଆଜି ରାତିରେ ସେ ତାଙ୍କ ଘରକୁ ଖାଇବାକୁ ଡାକିଛନ୍ତି l ତାଙ୍କର ରାତ୍ରି ଭୋଜନଟି ସେଇଠି ହେବ ବୋଲି କଥା ହେଇସାରିଛି l ସେ ଘରକୁ ଗଲେ, କଥାବାର୍ତ୍ତା ଭିତରେ ତାଙ୍କ ଝିଅର ଫଟୋ ଦେଖାଇବେ l ତା'ପରେ ତ କଥାଟା ଆଗକୁ ଆଗକୁ ଚାଲିବ ଆଉ---l

ଅଫିସ କିରାଣୀ, ବାରିକ ବାବୁ କହିଲେ - "ତାହେଲେ, କଥାଟା ଏତେ ଶୀଘ୍ର ଏତେ ବାଟକୁ ଚାଲିଗଲାଣି ?"

-"ଆପଣ ଆଉ ଗୋଟାଏ ମଜା କଥା ଜାଣି ନାହାନ୍ତି ?"

-"କ'ଣ ଟିକେ କୁହନ୍ତୁ l"

-'ଏଇ ଟିକେ ଆଗରୁ ଆମର ପୂର୍ବତନ ଏକାଉଣ୍ଟେଣ୍ଟ ଆସି ମୋ ପାଖରେ ବସିଥିଲେ l ନୂଆ ସାର୍ ବିନୋଦ ବାବୁଙ୍କୁ ଦେଖି ସେ ଉପରେ ପଡ଼ି ନିଜର ପରିଚୟ ଦେଇ କହିଲେ -"ସର, ମୁଁ ଚାଳିଶ ବର୍ଷ ଧରି ଏଇ ଅଫିସରେ ଚାକିରି କରୁଥିଲି l ଏବେ ରିଟାୟାର୍ଡ଼ ହେଇ ଘରେ ବସିଛି l ମୋର ଗୋଟାଏ ବୋଲି ଝିଅ, କିନ୍ତୁ ତାକୁ ବାହାଦେଇ ପାରିନାହିଁ l କମ୍ପ୍ୟୁଟର ଜାଣିଛି, ଏମ.ଏ ପାଶ କରିଛି l ତା' ପାଇଁ ଭଲ ପିଲାଟିଏ ଖୋଜୁଛି l ଆପଣଙ୍କର କେହି ଜଣାଶୁଣା କି ସାଙ୍ଗସାଥି ଥିଲେ, ମୋତେ ଟିକେ କହିବ l ଯାହା ସେ ଚାହିଁବ, ମୁଁ ସବୁ ଦେବାକୁ ପ୍ରସ୍ତୁତ ଅଛି l ଆଜିକାଲିର ପିଲା ତ କେହି ଜାତି ଅଜାତିକୁ ମାନୁନାହାନ୍ତି; କିନ୍ତୁ କରଣ ପିଲାଟି ହେଲେ ଭଲ l ଯଦି କହିବେ, ମୁଁ ଆଜି ତା'ଫଟୋ ଆଣି ଆପଣଙ୍କୁ ଦେଖେଇଦେବି l ମୋ ଝିଅର କେହି ଗୋଟାଏ ଖୁଣ ଦେଖେଇଦେବ, ସେମିତିକା ପୁଅ ଏ'ସଂସାରରେ ଜନ୍ମହେଇ ନାହିଁ l ଆମ ଷ୍ଟେନୋ ବାବୁଙ୍କୁ ପଚାରି ବୁଝିବେ, ସେ ମୋ ଝିଅକୁ ପିଲାଟିବେଳୁ ଦେଖି ଆସୁଛନ୍ତି ?"

ବିନୋଦ ବାବୁ ତାଙ୍କ କଥାକୁ ଶୁଣି ଚୁପଚାପ ସେଇଠୁ ଉଠି ଚାଲିଗଲେ l"

-"ତା'ପରେ କ'ଣ ହେଲା ଜାଣିଛ ?"

-"ବୁଢା ମୋତେ ପୁଣି ପଚାରୁଛି, ଏ'ଟୋକା ଅଫିସର ଘର କୋଉଠି ? ତା'ର ଛାଣ୍ଟ ଦେଖିଲେ, ସେ ଆମରି ଅଞ୍ଚଳର କରଣ ଜାତିର ପିଲା ଭଳି ଲାଗୁଛି l ତମକୁ ଲାଗିଲା, ଷ୍ଟେନୋ ବାବୁ l ତମେ ମଧ୍ୟସ୍ଥି ହେଲେ, କାମଟା ସହଜରେ ହେଇଯିବ l ଝିଅଟାର ବୟସ ବଢିବଢି ଯାଉଛି l ତମେମାନେ ଥାଉଥାଉ ମୁଁ ବୁଢା଼ଲୋକ ଆଉ କ'ଣ କରିପାରିବି ? ଏବେ ମୁଁ ଯାଉଛି l ଯଦି କହିବ, କାଲି ଝିଅକୁ ଟିକେ ଆଣି ତାକୁ ଦେଖେଇ ଦେବି l 

ମୁଁ ତାଙ୍କୁ କହିଲି-"ଆଜ୍ଞା ! ଏତେ ବ୍ୟସ୍ତ ହେଇ ପଡୁଛନ୍ତି କାହିଁକି ? ସିଏ ତ ଆଜି ନୂଆ କି ଜଏନ କରିଛନ୍ତି l ଯାଉ ଆଠ କି ପନ୍ଦର ଦିନ l ତାଙ୍କର ଗତିବିଧି ଦେଖି ମୁଁ କଥା ପକେଇ ଆପଣଙ୍କୁ ଜଣେଇବି "l

ବାରିକ ବାବୁ କହିଲେ-"ଛାଡ଼ ମ ! ସେ ବୁଢାକଥା, କ'ଣ ଅଛି ସେ ବୁଢା ପାଖରେ ? ଜି.ପି.ଏଫ ଟଙ୍କାକୁ ଉଠେଇ ତ ଘର ତିଆରି କରି ଦେଇଥିଲା l ତା' ବାଳୁଙ୍ଗା ପୁଅର ତ କିଛି ବୋଲି କିଛି ରୋଜଗାର ନାହିଁ l ସେ କୋଉଠୁ ମାଲ ଆଣିବ ଯେ, ଦେବ ? ଏଇଠି ଚାକିରିରେ ଥିଲାବେଳେ ସେ ଷ୍ଟାଫଙ୍କୁ ଯେତିକି ହଇରାଣ କରିକି ଯାଇଛି, ତା' ଝିଅପାଇଁ ପୁଣି ତମେ ବାହାଘର ଦାୟିତ୍ୱ ନେବ l ବୁଝିବ ଯଦି ତମେ ଭୂୟାଁବାବୁଙ୍କ ଝିଅକଥା ବୁଝ l ତା'ପାଇଁ ପ୍ରସ୍ତାବ ଦେଲେ ବରଂ ଭଲହେବ l ଆରେ ସେ ହେଲେ, ଇଂଜିନିୟର ଲୋକ l ତାଙ୍କ ଚାକିରିରେ ଗୋଟାଏ ଷ୍ଟାଟସ ଅଛି l ବାପା-ଗୋଷବାପା ଅମଳରୁ ତାଙ୍କର ଅମାପ ଧନ ସମ୍ପତ୍ତି ବି ଅଛି l ଝିଅଟା ଦେଖିବାକୁ ଯେମିତି, ପାଠ ବି ସେମିତି ପଢୁଛି l ପୁଅଟା ଆମେରିକାରେ ଯାଇ ଚାକିରି କଲାଣି l କେତେ ନା' କେତେ ଟଙ୍କା ରୋଜଗାର କରି ସେ ତା' ବାପାଙ୍କ ପାଖକୁ ପଠାଉଛି l ଯେତେ କହିଲେ, ସେ ଦେଇପାରିବେ l ମୁଁ ଆଜି ଏ'ପ୍ରସ୍ତାବଟା ଭୂୟାଁବାବୁଙ୍କୁ ଦେବି l ତମେ ଟିକେ ଏ'ପଟ କଥା ବୁଝିବ l"

ପିଅନ ବୁଢା ତାଙ୍କ କଥାକୁ ସମର୍ଥନ କରି କହିଲା-"ହଁ ଆଜ୍ଞା, ବଢିଆ ହେବ l ମୁଁ ସେ ଝିଅକୁ ଦେଖିଛି l ସେଠି ଯଦି ନ ହେବ, ତା'ହେଲେ ମୋତେ କହିବେ, ଆମ ଗାଆଁର ମହାପାତ୍ର ବାବୁଙ୍କ ଝିଅକଥା ମୁଁ ବୁଝିଦେବି l ଭାରି ପଇସାଵାଲା ଲୋକ, କଣ୍ଟ୍ରାକ୍ଟରୀ କରୁଛନ୍ତି l ତାଙ୍କ ଝିଅ ପାଇଁ ଆଇ.ଏ.ଏସ କି ଓ.ଏ.ଏସ ଅଫିସର ଖୋଜାଖୋଜି ସେ ନୟାନ୍ତ ହେଇ ସାରିଲେଣି l ସେ ଥରେ କହୁଥିଲେ, ତମ ଅଫିସରେ କେହି ଟୋକା ଅଫିସର ଥିଲେ, ମୋତେ କହିବ l ପ୍ରସ୍ତାବ ପକେଇବ l"

ଖୁବ୍ ଜୋରରେ ହସି ପକାଇଲେ ଷ୍ଟେନୋବାବୁ l କହିଲେ-"ହଇହେ, ନଈ ନ ଦେଖୁଣୁ ସମସ୍ତେ ଲଙ୍ଗଳା ହେଇ ପଡୁଛ କାହିଁକି ? ବିନୋଦ ବାବୁ କେମିତିକା ଲୋକ, ସେ ବାହାହେବେ କି ନାହିଁ ? ତାଙ୍କର ଆଗରୁ କେହି ଠିକହେଇ ରହିଛନ୍ତି କି ନାହିଁ ? ସେସବୁ କଥାକୁ ନ ବୁଝି, ନଜାଣି ଏତେ କଳ୍ପନା କରିବା ଠିକ ନୁହଁ l"

ଆମ କଲୋନୀରେ, ଆଉ ଆମ ଅଫିସର ସବୁଗୋଷ୍ଠୀର କର୍ମଚାରୀ ଓ ଅଫିସରଙ୍କ ପାଇଁ ବିନୋଦ ବାବୁ ସତରେ ଯେମିତି ଗୋଟାଏ ଦର୍ଶନୀୟ ପଦାର୍ଥ ପାଲଟି ଯାଇଥିଲେ l କାରଣ ଅନେକ ଦିନହେଲା, ନୂଆକରି କେହି ଟୋକା ଅଫିସର ଏଠି ଜଏନ କରିନଥିଲେ l ଯିଏ ବଦଳିହେଇ ଆସୁଥିଲେ କି ଯାଉଥିଲେ, ସେମାନେ ସବୁ ପିଲାଛୁଆଙ୍କର ବାପା ଥିଲେ l ତେଣୁ ବୟସ୍କଲୋକମାନେ ବିନୋଦ ବାବୁଙ୍କୁ ଭାରି ଶ୍ରଦ୍ଧା କରୁଥିଲେ l ଦାଣ୍ଡ ଦୁଆରେ ଠିଆହେଇ ସ୍ତ୍ରୀଲୋକମାନେ ତାଙ୍କର ଚାଲି ଚଳଣିକୁ ନିରୀକ୍ଷଣ କରୁଥିଲେ l ଛୋଟପିଲାମାନେ କେହି କେବେ ତାଙ୍କୁ ଅଙ୍କଲ ଡାକିଦେଲେ, ସେ ଅଡୁଆ ଅନୁଭବ କରୁଥିଲେ l ବଡ଼ପିଲାମାନେ ଭାଇବୋଲି ଡାକିଲେ, ତାଙ୍କୁ ଭାରି ଭଲ ଲାଗୁଥିଲା l ଦୁଇତିନି ମାସ ପରେ ଦେଖାଗଲା, ବିନୋଦ ବାବୁ ସମସ୍ତଙ୍କ ସହିତ ବେଶ ମିଳାମିଶା କରିପାରୁଛନ୍ତି l ଦିନେ ସେ ଆମଘରକୁ ଆସି ମୋ ଘରଣୀଙ୍କ ସହିତ ପରିଚିତ ହେଲେ l ତାଙ୍କୁ ଭାଉଜ ବୋଲି ଡାକି ନିଜ ଘରର ଭଲମନ୍ଦ କଥା ମଧ୍ୟ ଜଣାଇଲେ l ତାଙ୍କର ଅନ୍ୟ ସବୁକଥାରୁ ଜଣାପଡ଼ିଲା-ସେ କମ ବୟସର ପିଲାପରି ଦିଶୁଥିଲେ ବି ଆଉ ଛୋଟ ପିଲା ହେଇ ରହିନାହାନ୍ତି l ଚାକିରିକୁ ଅପେକ୍ଷା କରିକରି ତାଙ୍କର ବୟସ ଏବେ ତିରିଶକୁ ଟପିଲାଣି l ଏବେ ଭଲ ଝିଅଟିଏ ପାଇଲେ, ଶୀଘ୍ର ବାହାହେବାକୁ ସେ ପ୍ରସ୍ତୁତ l କରଣ କି ଖଣ୍ଡାୟତ ଜାତିର ଶିକ୍ଷିତା ଝିଅ ହେଲେ ଭଲ ହେବ l

ମୋ ଘରଣୀ ତାଙ୍କ ସହିତ ବେଶ ଖୋଲା ମନରେ ତାଙ୍କ ବାହାଘର ବିଷୟରେ କଥାହେଲେ l

-"ତମେ କେମିତିକା ଝିଅ ଖୋଜୁଛ କୁହ l ଦିନେ ଦୁଇଦିନ ଭିତରେ ମୁଁ ଚାରି-ପାଞ୍ଚଟା ଭଲଝିଅ ଯୋଗାଡ଼ କରିଦେବି l ତାଙ୍କ ଭିତରୁ ଗୋଟାଏ ବାଛିବ l ତା'ପରେ ତମର ବାପା-ମାଆଙ୍କୁ ଡାକି ଦେଖାଇବ l ସମସ୍ତଙ୍କ ମନକୁ ପାଇଲେ, ବାହାଘର କରିଦେଇ ଆମେ ଗୋଟାଏ ଭଲକି ଭୋଜି ଖାଇବୁ l"

-"ଦେଖନ୍ତୁ ଭାଉଜ ! ଝିଅଟି ସାଇନସରେ ଅତିକମରେ ଗ୍ରାଜୁଏଟ ହେଇଥିବ l ଉଚ୍ଚତା ପାଞ୍ଚଫୁଟରୁ ଯେମିତି କମହେଇ ନ ଥିବ l କଲର୍ ବିଲକୁଲ ହ୍ୱାଇଟି ହେଇଥିବ l କେରିୟର ସବୁବେଳେ ତା'ର ଫାଷ୍ଟକ୍ଳାସ ଥିବ l ବାପା-ମାଆଙ୍କର ସୋସିଆଲ ଷ୍ଟାଟସ ବି ଥିବ l ଝିଅର ଆଉ ଅଧିକ ଭଉଣୀ ନ ଥିବେ l ତା'ର ଭାଇ ଭଲ ଚାକିରି କରୁଥିବ l ଆଉ ବୟସ କମ ହେଇଥିବ l ସେଇମିତିକା ଝିଅଟି ହେଲେ ମୁଁ ବାହା ହେବି l ଆଉ ଗୋଟାଏ ଜରୁରୀ କଥା- ସେ ଝିଅର କୌଣସି ପୁଅ ସହିତ ସମ୍ପର୍କ ନ ଥିବ l"

-"ଆଉ ଦେବାନେବା, ଯୌତୁକ କଥା ?"

-"ସେ ଦେବାନେବା କଥା ମୁଁ କିଛି ଜାଣେନା l ସେ ସବୁ ବିଷୟରେ ମୋର ବାପା-ମାଆ ଆଉ ଝିଅର ବାପା-ମାଆ ବୁଝିବେ l ମୋତେ ଭଲ ଝିଅଟିଏ ମିଳିଗଲେ ହେଲା l"

-"ତମ କହିବା ଅନୁସାରେ ଆମ ଅଫିସର ଇଞ୍ଜିନିୟର ଭୂୟାଁବାବୁଙ୍କର ଝିଅଟିଏ ଅଛି l ସାଇନସ ନେଇ ଏମ.ଏ ପଢିଛି l ଦେଖିବାକୁ ବେଶ ସୁନ୍ଦରୀ l ତାଙ୍କର ପୁଅ ବି ଭଲ ଚାକିରି କରିଛି l ତା' କଥା ବୁଝିବି ? ଯଦି କହିବ, ଆଜି ରାତିରେ ତାଙ୍କ ସ୍ତ୍ରୀ ସହିତ ମୁଁ କଥାହେବି l ତମେ ଯେଉଁ ଦିନ ଚାହିଁବ, ସେଇ ଦିନ ତାକୁ ଦେଖିପାରିବ l"

-"ଆପଣ ଲିଲି କଥା କହୁଛନ୍ତି ତ ? ମୁଁ ତାକୁ ଦେଖି ସାରିଛି l କାଲି ପରା ତାଙ୍କଘରକୁ ଯାଇଥିଲି l ସେ ଚା' ଆଣି ମୋତେ ଦେଲା l ତା' ସହିତ ଘଣ୍ଟାଏ ଭଳି କଥାବାର୍ତ୍ତା ହେଲି l ସେ ମାଉସୀ କିନ୍ତୁ ବଢିଆଲୋକ l ମୁଁ ଜଳଖିଆ ଖାଇସାରିବା ପରେ ସେ ଆସି ତାଙ୍କ ଲୁଗାକାନିରେ ମୋ ମୁହଁକୁ ପୋଛି ପକେଇଲେ l"

-"ତା'ହେଲେ ଲିଲି ତମ ମନକୁ ପାଇଛି ତ ? ଭଲ ହେଲା, ଏବେ ତମର ବାପାଙ୍କୁ ଖବର ଦିଅ l ଆମେ ମଧ୍ୟସ୍ଥି କାମ ମାଗଣାରେ କରିଦେବୁ l"

-"ନାଇଁ ଭାଉଜ ! ଲିଲିର ବୟସ ଟିକେ ଅଧିକ ହେଇଯାଇଛି l ସେଇଥିପାଇଁ ସେ ମୋର ପସନ୍ଦ ହେଲାନାହିଁ l"

-"ଲିଲିର ବୟସ କେତେ କି ? ସେ ପରା ଆମରି ଆଗରେ ଜନ୍ମ ହେଇଛି l ଅତି ବେଶିରେ ତାକୁ ତେଇଶ କି ଚବିଶ ହେଇଥିବ l"

-"ନାଇଁ ଭାଉଜ ! ଆପଣ ଜାଣିପାରୁ ନାହାନ୍ତି, ତା'ମୁହଁରେ ପରା ରିଙ୍କଲ ଆସିଗଲାଣି l ଆହୁରି ଦି'ବର୍ଷ ଖଣ୍ଡ ଅଧିକ ହେବ l"

-"ତମକୁ ପରା ତିରିଶ ଟପିଗଲାଣି ବୋଲି କହୁଛ ? ଲିଲିର ବୟସ ତେଇଶି ନହେଇ ପଚିଶ ହେଇଥିଲେ ବି କ'ଣଟା କ୍ଷତି ହେଇଗଲା ?"

-"ବୟସ ବଢିଗଲେ ଝିଅଗୁଡ଼ାକ ଟିକେ ଭୁଲବାଟକୁ ଚାଲି ଯାଇଥାଇପାରନ୍ତି l ମାନେ, କାହା ସଙ୍ଗେ ତାଙ୍କର ରିଲେସନ ବଢିଯାଏ l"

-"ତମେ ତ ଜଣେ ବଡ଼ ଅଭିଜ୍ଞ ମଣିଷ ଭଳି କେଉଁକଥାକୁ ନେଇ କେଉଁକଥାରେ ଯୋଡ଼ିଦେଇ ପାରୁଛ l ଆମେ ତ ପୁଣି ପଚିଶ ବର୍ଷ ବୟସରେ ବାହାହେଇ ଶାଶୂଘରକୁ ଆସିଥିଲୁ ?"

-"କିନ୍ତୁ ମୋ ମାଆ ତ ସତର ବର୍ଷରେ ବାହା ହେଇଥିଲେ l"

-"ଓଃ ! ତାହାହେଲେ ତମେ ବି ସତର ବର୍ଷିଆ ଝିଅଟିଏ ଖୋଜୁଛ ତ ? ତା'ହେଲେ, ଏ'ବର୍ଷଟା ଅପେକ୍ଷା କରିଯାଅ l ତମ ଅଫିସର ବଡ଼ବାବୁଙ୍କର ମଝିଆ ଝିଅଟାକୁ ସତର ଚାଲିବ l"

-'ଆପଣ ଚାନ୍ଦିନୀ କଥା କହୁଛନ୍ତି କି ? ହେଃ -ସେଇଟା ହୁଣ୍ଡୀଟାଏ l ମ୍ୟାଥରେ ଗଧ l ନାମକୁ ମାତ୍ର ପ୍ଲସ ଟୁ ପଢୁଛି l ତାକୁ ପୁଣି, ଛି- l ତାଙ୍କ ବାପାଙ୍କର କିଛି ସୋସିଆଲ ଷ୍ଟାଟସ ତ ନାହିଁ l ସେଇଥିପାଇଁ ତାଙ୍କର ଦୁଇଟାଯାକ ଝିଅଙ୍କୁ ମୁଁ ରିଜେକ୍ଟ କରିସାରିଛି l ମୋ ପାଇଁ ଟିକେ ଉଚ୍ଚମାନର ହାଇପ୍ରୋଫାଇଲ ଫେମିଲି ଦେଖିବେ l"

-"ତମେ ଆମ ବଡ଼ ସାହେବଙ୍କ ବଡ଼ଝିଅକୁ ଦେଖିଲଣି l ସିଏ ତ ସବୁଦିଗରୁ ଭଲ l ତମପାଇଁ ପୂରା ଫିଟ ହେବ l"

-"ନାଇଁ ଭାଉଜ ! ମୁଁ ଶୁଣିଲି, ସେ କୁଆଡେ କାହାକୁ ଭଲ ପାଉଥିଲା l ମାନେ ତା' ଚରିତ୍ରଟା ଟିକେ------

-"ଥାଉ ବିନୋଦ ବାବୁ, ତମେ କିଛି ନ ଜାଣି ପରଝିଅ ନାମରେ ଏଣୁତେଣୁ ମନ୍ତବ୍ୟ ଦେବାଟା ଠିକ ହେଉନାହିଁ l ମୋତେ ଭାରି ଖରାପ ଲାଗୁଛି l ସେ ବାହାଘର କଥା ମୋତେ କେବେ କହିବ ନାହିଁ l ମୁଁ ଜାଣିଗଲି, ତମର ବାହା ହେବାର ନାହିଁ l ମୋର ଗୋଟିଏ କଥା ତମେ ମନେ ରଖିଥିବ, ଯେଉଁମାନେ ଏମିତି ହଜାର ଜାଗାରେ କନିଆଁ ଖୋଜି ବୁଲନ୍ତି, ତାଙ୍କୁ ଶେଷରେ ଗୋଟାଏ ଛୋପରୀ ଝିଅ ମିଳେ l ସେଇ ଝିଅପାଇଁ ତା'ର ଜୀବନ ହା-ହତାଶରେ ଛାରଖାର ହେଇଯାଏ l ମଣିଷ ପାଇଁ ସନ୍ଦେହ ହେଉଛି-ବଡ଼ ଶତ୍ରୁ l ଅଜଣା ଆତଙ୍କ ଭଳି ସନ୍ଦେହ ନିଜକୁ ଠକିଦିଏ l ସମସ୍ତଙ୍କୁ ସନ୍ଦେହ କରିବା ଉଚିତ ନୁହେଁ l ନିଜ ଭିତରେ ଥିବା ସନ୍ଦେହ ମନୋବୃତ୍ତି ଠାରୁ ତମେ ନିଜେ ଦୂରେଇ ରୁହ, ନହେଲେ ସନ୍ଦେହ ରୂପକ ଶତ୍ରୁକୁ ଦୂରେଇ ଦିଅ l ଏହି ସନ୍ଦେହ ସବୁ ସୁଖକୁ ଛଡ଼େଇ ନେଇଯାଏ l"

-"ଭାଉଜ, ମୋ ଉପରେ ରାଗିଗଲେ ବୋଧହୁଏ ? ମୋତେ ତ ଆପଣ ଅଭିଶାପ ଦେଇଦେଲେଣି l ମୁଁ ଆଉ କେବେ କୌଣସି ଝିଅ ନାମରେ ଏମିତି କହିବି ନାହିଁ l ମୋତେ କ୍ଷମା କରିଦେବେ l କାନ ଧରୁଛି, ଆପଣ ମୋ ଉପରେ ରାଗିବେ ନାହିଁ କି ଏ'କଥା ଆଉ କାହାରିକୁ କହିବେ ନାହିଁ- ପ୍ଲିଜ, ମୁଁ ତେବେ ଆସୁଛି, ଆଇ ଆମ ସରି l

ସେଦିନ ଘରୁ ବିଦାୟ ନେଇ ବିନୋଦ ବାବୁ ଗଲେ ଯେ, ଏଇଠୁ ବଦଳିହେଇ ଯିବା ପର୍ଯ୍ୟନ୍ତ ସେ କେବେ ଆମ ଘରଆଡ଼କୁ ଚାହିଁ ନାହାନ୍ତି l କିନ୍ତୁ ଅଳ୍ପ କେଇଟା ଦିନ ଭିତରେ ଆମ କଲୋନୀର ସବୁ ଷ୍ଟାଫ ଓ ବାହାର ଲୋକେ ବି ଜାଣିଗଲେ ଯେ, ସେ ଜଣେ ଛଉକା ପ୍ରକୃତିର ଲୋକ l ଅତ୍ୟନ୍ତ ସନ୍ଦେହୀ କୌଣସି କଥାରେ ତାଙ୍କର ଢଙ୍ଗରଙ୍ଗ ଠିକ ନାହିଁ l ତାଙ୍କୁ ଯିଏ ଝିଅଟି ଦେବ, ଜାଣିବ ତା' ଜୀବନଟି ବି ଗଲା l

ଭୁବନେଶ୍ୱର ଯିବାର ବର୍ଷକ ପରେ ଆମେ ଶୁଣିବାକୁ ପାଇଲୁ, ବିନୋଦ ପଟ୍ଟନାୟକ ଗୋଟାଏ ସୁନ୍ଦରୀ ଝିଅକୁ ବାହା ହେଇଛନ୍ତି l ସେ ବାପା-ମାଆଙ୍କର ଗୋଟିଏ ବୋଲି ସୁନାନାକୀ ଝିଅ l ଶାଶୂ - ଶ୍ୱଶୁର ଦୁହେଁଯାକ କଲେଜରେ ଲେକ୍ଚରର୍ ଅଛନ୍ତି l ଅଜସ୍ର ସମ୍ପତ୍ତି ଯୌତୁକ ଦେଇଛନ୍ତି l ଯୋଗକୁ ଝିଅଟିର ନାଁ' ବିନୋଦିନୀ l ସେପଟେ ତ ବିନୋଦକୁ ବିନୋଦିନୀ ଅପେକ୍ଷା କରି ବସିଛି, ଆମେ ଏପଟରେ ଯେତେ ଖୋଜିଲେ କେଉଁଠୁ ମିଳିବ ? ବିନୋଦିନୀ ସାଇନସ ଷ୍ଟୁଡେଣ୍ଟ ଥିଲା l ଏବେ ସେ ଗୋଟାଏ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷୟତ୍ରୀ l ମୋଟା ଅଙ୍କର ଦରମା ଘରକୁ ଆଣୁଛି l ବିନୋଦ ବାବୁ ବେଶ ଖୁସିରେ ରହୁଛନ୍ତି l ଶ୍ୱଶୁର ତାଙ୍କୁ ଗୋଟାଏ ଦୋତାଲା ଘର ଭୁବନେଶ୍ୱରରେ ତୋଳି ଦେଇଛନ୍ତି l ଦୁଇଜଣଙ୍କ ପଇସା ଯାହାକୁ ଯେତେ l ଏ'କଥା ଶୁଣି ଆମେ ପୁରୁଣା ବନ୍ଧୁ ହିସାବରେ ସମସ୍ତେ ଖୁସିହେଇ ଯାଇଥିଲୁ l

ଏହା ମଧ୍ୟରେ ଆଉ ତାଙ୍କ ସହିତ ଆମର କୌଣସି ପ୍ରକାରେ ଯୋଗାଯୋଗ ନ ଥିଲା l ସାତବର୍ଷ ପରେ ହଠାତ ଗୋଟାଏ ଦୁଃସମ୍ବାଦ ଆସି ଆମ ପାଖରେ ପହଞ୍ଚିଲା-"ବିନୋଦ ବାବୁ ଆଉ ନାହାନ୍ତି l କାଲି ରାତିରେ ତାଙ୍କର ହାର୍ଟଆଟାକ ହେଇଥିଲା l ସେଥିରେ ସେ ପତ୍ନୀ ବିନୋଦିନୀ ଓ ପାଞ୍ଚ ବର୍ଷର ପୁଅଟିକୁ ଅନାଥ କରି ଆରପାରିକୁ ଚାଲିଗଲେ l ଆଜି ସକାଳୁ ତାଙ୍କର ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆ ହେଇଛି l"

ଏହି ଖବରଟା ବିଜୁଳି ବେଗରେ କଲୋନୀର ସବୁଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା l ସମସ୍ତେ ଆହା, ଚୁ-ଚୁ କଲେ l କେହି କେହି କହିଲେ-"ସନ୍ଦେହୀ ବିନୋଦ ନିଶ୍ଚୟ ଆତ୍ମହତ୍ୟା କରିଛି l କେଶଟାକୁ ଲୁଚେଇବା ପାଇଁ ସେମାନେ ହାର୍ଟ-ଆଟାକ କହି ତୁରନ୍ତ ତା'ର ଶବକୁ ଦାହ କରି ଦେଇଛନ୍ତି l"

ଏହି ଦୁଃସମ୍ବାଦ ପାଇ ଆମ ଅଫିସର ବଡ଼ବାବୁ, ବାରିକ ବାବୁ, ଷ୍ଟେନୋବାବୁ, ବଡ଼ସାହେବ, ପୂର୍ବତନ ଏକାଉଟେଣ୍ଟ ଆଉ ସେ ବୁଢା ପିଅନ ବଟୁଆ କିନ୍ତୁ ଅଲଗା କଥା କୁହାକୁହି ହେଉଥିଲେ l ସେମାନଙ୍କର ଶ୍ୱାସ-ପ୍ରଶ୍ୱାସ ଅଧିକ ଜୋରରେ ଚାଲୁଥିଲା l

ଏହି ଘଟଣାଟା କାହିଁକି କେମିତି ହେଲା, ଅନୁସନ୍ଧାନ କରିବାରୁ ଜଣାପଡ଼ିଲା ପତ୍ନୀ ବିନୋଦିନୀ ସହିତ ପୂର୍ବରୁ ଜଣେ ଯୁବକର କିଛି ସମ୍ପର୍କ ଥିଲା ବୋଲି ସେ କେଉଁଠୁ ଶୁଣିଥିଲା l ତେଣୁ ସେ ତାକୁ ସନ୍ଦେହ ଦୃଷ୍ଟିରେ ଦେଖି ଆସୁଥିଲା l ଦିନେ ହଠାତ ଅଫିସରୁ ଆସି ଦେଖିଲା- ବିନୋଦିନୀ ସହିତ ସେହି ଯୁବକଟି ନିରୋଳାରେ ଗପୁଛି l ବିନୋଦର ମନରେ ଥିବା ସନ୍ଦେହ ପୂରା ସତ ବୋଲି ସେ ମନେକରି ଏଭଳି ଅଘଟଣ ଘଟେଇଛି l

ମୋର ଘରଣୀ ଏହି ଦୁଃଖଦାୟକ ଖବରଟା ପାଇ ଚମକି ପଡ଼ିଲେ l ତାଙ୍କ ପାଟିରୁ ବାହାରି ପଡ଼ିଲା- "ହେ-ଭଗବାନ ! ମୋତେ କ୍ଷମା କରିଦିଅ l ସେଦିନ ମୁଁ ତା'ଉପରେ ବିରକ୍ତ ହେଇ ସେମିତି କହି ଦେଇଥିଲି l ବିଚରା ନିଜେ କାନ ଧରି ମୋତେ କ୍ଷମା ମାଗିଥିଲା l ମୁଁ ବି କ୍ଷମା କରିଦେଇଥିଲି l ତାକୁ ତ ମୁଁ ଅଭିଶାପ ଦେଇ ନ ଥିଲି l ସନ୍ଦେହୀ ମଣିଷଟା ନିଶ୍ଚୟ ତା' ସୁନ୍ଦରୀ ସ୍ତ୍ରୀ ପ୍ରତି ସନ୍ଦେହ କରି ହଇରାଣ ହେଇଥିବ l ବିନୋଦ ତ କାପୁରୁଷଟାଏ, ଶେଷରେ ନିଜେ ନିଜର ସନ୍ଦେହ ଜାଲରେ ଛନ୍ଦିହେଇ ଏଭଳି ଭୟଙ୍କର ନିଷ୍ପତ୍ତି ନେଲା l ମୁଁ ତାକୁ ଥରେ କହିଥିଲି ସିନା, କିନ୍ତୁ ସେ ସନ୍ଦେହ ରୂପକ ଶତ୍ରୁଠାରୁ ସେ ଦୂରେଇ ରହି ପାରିଲା ନାହିଁ l ସତରେ, ଆତ୍ମହତ୍ୟା କରିଥିବା ମଣିଷର ଆତ୍ମା ପ୍ରେତ ହୋଇଯାଏ, ସାତଜନ୍ମ ଯାଏ ସେ ମୁକ୍ତି ପାଏନାହିଁ l ତଥାପି ହେ, ଭଗବାନ ! ତାଙ୍କୁ କ୍ଷମା କରି ଦିଅନ୍ତୁ l ତାଙ୍କ ଆତ୍ମାର ସଦଗତି ହେଉ l"



Rate this content
Log in

Similar oriya story from Tragedy