ଘୁଙ୍ଗୁର
ଘୁଙ୍ଗୁର
ବାଲ୍ୟକାଳରେ ଓଡ଼ିଶୀ ନୃତ୍ୟରେ ଖୁସି ହୋଇ ଗୁରୁ ଦେଇଥିବା ପେନ୍ଥା ପେନ୍ଥା ଘୁଙ୍ଗୁର ଥିବା ପାଉଁଜି ପିନ୍ଧି ବିଶ୍ଵ ବିଦ୍ୟାଳୟର ବାର୍ଷିକତ୍ସବରେ ନୃତ୍ୟ ପରିବେଷଣ କରୁଥାଏ ସୁନୟନା । ଦୁଗ୍ଧ ପରି ଗୋରା ଗୋରା ପାଦରେ ତା'ର ସେଇ ହଳେ ଘୁଙ୍ଗୁର, ଆହାଃ ! ଅଡିଟୋରିୟମ ଭର୍ତ୍ତି ଦର୍ଶକ ତା'ର ନୃତ୍ୟ ଠାରୁ ବେଶୀ ଦେଖୁଥିଲେ ଘୁଙ୍ଗୁର ପିନ୍ଧା ପାଦକୁ ।
ସୁନୟନା ସେ ଆଜି ଓଡ଼ିଶାର ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା । ନୃତ୍ୟ ପାଇଁ ସାଉଁଟି ଚାଲିଥାଏ ଅନେକ ସମ୍ମାନ, ପ୍ରଶଂସା ସହ ମାନପତ୍ର ଓ ଟ୍ରଫି । ଓଡ଼ିଶାର ଘରେ ଘରେ ତା'ର ଅନେକ ପ୍ରଶଂସକ । ତା'ର ବାପାଙ୍କୁ ଛାଡି ସାବତ ମାଆ ରିମା ଓ ଜେଜେମା ଥିଲେ ଏହାର ଘୋର ବିରୋଧୀ । ହଁ ଏହା ସତ ଯେ ଜେଜେମା ତା'ର ନୃତ୍ୟ କୁ ସୁନୟନା ଛୋଟ ଥିବା ବେଳେ ପସନ୍ଦ କରୁଥିଲା, କିନ୍ତୁ ମାଆର ମୃତ୍ୟୁ ପରେ ସେ ଘୁଙ୍ଗୁର କୁ ଅଶୁଭ ବୋଲି କହି ଆସୁଥିଲା ।
ଓଡ଼ିଶୀ ପୋଷାକ, ଅଳଙ୍କାର, ଟାହିଆ ଓ ଘୁଙ୍ଗୁର ପିନ୍ଧି ହାତରେ ମାନପତ୍ର ଧରି ବିଶ୍ଵ ବିଦ୍ୟାଳୟରୁ ଫେରୁ ଫେରୁ ତାକୁ ଦେଖି ତା'ର ସାବତ ମାଆ କହି ଉଠିଲେ -' ଦେଖିଲ ମାଆ,ଆଜି ମଧ୍ୟ ଆପଣଙ୍କ ବିନା ଅନୁମତିରେ ଚାଲି ଯାଇଥିଲା ଲୋକଙ୍କ ଆଗରେ ନାଚିବାକୁ, ଏ ନାଚବାଲି କୁ କିଏ ବାହାହେବ କହୁନ । ତା' ବାପାର ତ ଏଥିରେ ଟିକେ ଚିନ୍ତା ବି ନାହିଁ ଓଲଟା ଝିଅକୁ କେତେଲୋକଙ୍କ ଆଗରେ ନାଚିବାକୁ ପଠାଇ ଦେଇଛନ୍ତି । ମଲା ଏ ନାଚ ରୁ ତୋତେ କଣ ବା ପଇସା ମିଳୁଛି ? ସେଇ ମାନପତ୍ର ଗୁଡାକ ଯୋଗୁଁ ଆଉ ଘରେ ଜାଗା ହେଉନି । ଯାଉନୁ ସେସବୁ ଅଳିଆ ଗଦା ରେ ପକେଇ ଦେଇ ଆସିବୁ ।' ଏଥର ସାବତ ମାଆଙ୍କ କଥା ସୁନୟନା ସହିପାରିଲାନି, ରିମାଙ୍କ କଥାର ଉତ୍ତର ଦେଇ କହିଲା -' ମୁଁ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ବୋଲି ଗର୍ବ କରେ । ଆପଣ ନହେଲେ ନାହିଁ ମୋ ବାପା ସବୁବେଳେ ମୋ ସାଥିରେ ଅଛନ୍ତି ।' ଜେଜେମା ତା'ର ଗାଲରେ ଚାପୁଡ଼ା ମାରି କୁହେ-' ତୋ'ର ମୁଁହ ବଢ଼ି ଗଲାଣି ଦେଖୁଛି । ତୋ ନିଜ ମାଆ ବଞ୍ଚିଥିଲେ ତାକୁ ଏମିତି କହିଥାନ୍ତୁ ନା କଣ ?'
କଇଁ କଇଁ ହୋଇ କାନ୍ଦି ନିଜ ରୁମ୍ କୁ ଚାଲିଯାଏ ସୁନୟନା । ନିଜ ମୃତା ମାଆ ଙ୍କ ଫଟୋ ତଳେ ଠିଆ ହୋଇ ଲୁହ ପୋଛି କୁହେ -' ସତରେ ମାଆ ତୁ ଆଜି ବଞ୍ଚିଥିଲେ ! ତୁ ହିଁ ତ ମୋର ନୃତ୍ୟ ଦେଖି ଖୁବ୍ ଖୁସି ହେଉ । ମୁଁ ନୃତ୍ୟ କଲାବେଳେ ତୁ ମନ୍ତ୍ର ମୁଗ୍ଧ ହୋଇ ଦେଖୁଥାଉ ! ନାରୀ ହୋଇ ଜନ୍ମ ଗ୍ରହଣ କରିବା କ'ଣ ଅଭିଶାପ ? ନାରୀ ମାନକୁ ସ୍ଵାଧୀନତା କାହିଁ ମିଳେନି ? ମୋତେ ଏକୁଟିଆ ଛାଡ଼ିକି ଯିବା ପାଇଁ ତୋ'ର କ'ଣ ଦରକାର ଥିଲା ? ମୋତେ କାହିଁ ସାଥିରେ ନେଲୁନି ? ମୁଁ ଏ ଘୁଙ୍ଗୁର କୁ କେବେ ଛାଡିବିନି, ମୃତ୍ୟୁ ପରେ ମଧ୍ୟ ।'
ଚୁପଚାପ୍ ଲୁଚି ସୁନୟନା ର ଏକଥା ଶୁଣୁ ଥିବା ବେଳେ ତା'ର ପିତାଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସେ । ମନେ ମନେ ଭାବୁଥିଲେ ' ଭଲ ଘର ଓ ଭଲ ଜ୍ବାଇଁ ଦେଖି ସୁନୟନା ର ବିବାହ କରିଦେଲେ ଭଲ ହେବ। ତା'ର କଷ୍ଟ ଦେଖି ହେଉଛି ନା ସହି ହେଉଛି । ଏ ଘରୁ ଯିବା ପରେ ହସ ଖୁସିରେ ଜୀବନ ଅତିବାହିତ କରିବ।'
ଦୁଇ ଦିନ ପରେ ସୁନୟନା ପାଦରେ ଘୁଙ୍ଗୁର ପିନ୍ଧି ନିଜ ରୁମ୍ ରେ ନାଚୁ ଥାଏ । ଆଜି ଯେ ତାକୁ ପୁଅ ଘର ଲୋକ ଦେଖିବାକୁ ଆସୁଛନ୍ତି ତାହା ଥିଲା ତାକୁ ଅଜଣା, କାରଣ ତା'ର ବାପା କାହାକୁ ଜଣାଇ ନଥିଲେ । ରିମା କବାଟ ପାଖକୁ ଆସି ତାକୁ କହିଦେଇ ଗଲେ -' ସେତିକି ଥାଉ ନାଚ, ଜଲଦି ଯା ଅଇଁଠା ବାସନ ପଡ଼ିଛି ।' ଏଇ କଥା ପଦୁଏ ରେ ସୁନୟନା ର ନାଚ ବନ୍ଦ ରହିଲା ଏବଂ ବାସନ ମାଜି ବାକୁ ଯାଉ ଯାଉ ବାପାଙ୍କ ସହ ଅଜଣା ଯୁବକ ଟିଏ ଆସିଥିବାର ଦେଖି ଅଟକି ଯାଇ ନମସ୍କାର ଟିଏ କରି ଚାଲି ଗଲା । ସୁନୟନାର ବାପା କହୁଥାନ୍ତି -' ଏ ମୋ ଝିଅ ସୁନୟନା, କ,'ଣ ଆପଣଙ୍କର ପସନ୍ଦ ହେଲା ?' ଯୁବକ ଜଣକ ସ୍ମିତ ହସି କହିଲେ -' ମୁଁ ଆପଣଙ୍କ ପ୍ରସ୍ତାବ ରେ ରାଜି, ମୁଁ ସୁନୟନା ଙ୍କୁ ପନ୍ଦର ଦିନ ଭିତରେ ବିବାହ କରିବାକୁ ଚାହେଁ ।'
କବାଟ ଫାଙ୍କ ରୁ ଏକଥା ଶୁଣୁ ଥିବା ସୁନୟନା ଧାଇଁ ଆସି କୁହେ -' ଏତେ ଜଲଦି ବିବାହ ପାଇଁ ମୁଁ ପ୍ରସ୍ତୁତ ନୁହେଁ ବାପା !' ଜେଜେମା ତା'ର ଲମ୍ବା ବେଣୀ କୁ ଭିଡ଼ି ଦେଇ କୁହେ -' ହେଇଲୋ ବୟସ ଆସି ତେଇଶି ହେଲାଣି, କଣ ମୋ ଭଳି ହେଲେ ବାହା ହେବୁ ?' ସୁନୟନା ସେହି ଯୁବକ ନିକଟକୁ ଯାଇ କୁହେ -' ମୁଁ ଆପଣଙ୍କୁ ବିବାହ କରିବି କିନ୍ତୁ ଗୋଟିଏ ସର୍ତ୍ତ ରେ, ବିବାହ ପରେ ମଧ୍ୟ ମୋର ନୃତ୍ୟ ଜାରି ରହିବ ।' ଅଜଣା ଯୁବକ ଜଣକ ନିଶ୍ଚୟ କହି ପନ୍ଦର ଦିନ ପରେ ସୁନୟନା କୁ ବିବାହ କଲେ, ଏହାପରେ ପାଲଟି ଗଲେ ତାର ସ୍ବାମୀ ବା ଇହ ପରକାଳ ର ଦେବତା ସମ୍ବିତ ।
ନାଚବାଲୀଟାକୁ ବୋହୂ କରି ଆଣିଥିବାରୁ ସ୍ବାମୀ ଓ ପୁତ୍ର ଙ୍କ ଉପରେ ଅଭିମାନ କରିଥିଲେ ସୁନୟନା ର ଶାଶୁ । ଅନେକ ଥର କଥା ଛଳରେ ସୁନୟନା କୁ ଘୁଙ୍ଗୁର ହଳକ କୁ ଫିଙ୍ଗି ଦେବା ପାଇଁ କୁହନ୍ତି, କିନ୍ତୁ ସୁନୟନା ସେସବୁ ଜାଣି ପାରି ମଧ୍ୟ ଅଜଣା ପରି ବ୍ୟବହାର କରେ । ରାତି ଅଧରେ ସମସ୍ତେ ଶୋଇବା ପରେ ବିନା ଓଡ଼ିଶୀ ବୋଲ,ତବଲା,ବଂଶୀ,ତାନପୁରା ଇତ୍ୟାଦି ବାଦ୍ୟର ବିନା ସେଇ ହଳେ ଘୁଙ୍ଗୁର କୁ ପିନ୍ଧି ନୃତ୍ୟ କରୁଥାଏ । ଦିନ ସାରା ପରିବାର ଓ କାର୍ଯ୍ୟ ବ୍ୟସ୍ତତା ରେ ତାହା ହୋଇପାରେନି ଆଉ ସେ ଘୁଙ୍ଗୁର ଦିନଟିଏ ପାଦରେ ନ ବାନ୍ଧିଲେ ମନ କେଉଁଠି ବି ଲାଗେନା । ପ୍ରତିଦିନ ରାତିରେ ନୃତ୍ୟ କରୁଥିବାରୁ ତା'ର ଶାଶୁ ତାକୁ ଅନେକ ତାଗିଦ କରୁଥିଲେ, କିନ୍ତୁ ସେ ବୁଝିବାକୁ ନାରାଜ । ସୁନୟନା ର ଆକର୍ଷଣୀୟ ନୃତ୍ୟ ଓ ସେଇ ଘୁଙ୍ଗୁର ପିନ୍ଧା ପାଦ ପରିବାରର କେହି ସହ୍ୟ କରିପାରୁନଥିଲେ । ଗର୍ଭ ରେ ତା'ର ସନ୍ତାନ ବଢ଼ୁ ଥିବାରୁ ନୃତ୍ୟ ବନ୍ଦ ରହିଥିଲା । ଝିଅ ଜନ୍ମ ପରେ ମଧ୍ୟ ଶାଶୁ ଘର ଲୋକ ମାଆ ଓ ଝିଅର ଉପେକ୍ଷା ଓ ବିରୋଧ କରିବାକୁ ଲାଗିଲେ । ସୁନୟନା ସର୍ତ୍ତ ରେ ହଁ କରିଥିବା ସମ୍ବିତ ମଧ୍ୟ ଘରେ ବୃଦ୍ଧ ବାପା ଓ ମାଆଙ୍କ ରକ୍ଷଣାବେକ୍ଷଣ କରିବା ବାହାନାରେ ତାକୁ ଅନେକ ମଞ୍ଚ ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାରୁ ବଞ୍ଚିତ କରୁଥିଲେ ।
ପୁତ୍ର ଜନ୍ମ ନହେବାରୁ ସୁନୟନା କୁ ତା'ର ଶାଶୁ ଘର ଲୋକ ମିଶି ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ତଥାପି ସେ ପ୍ରତି ରାତିରେ ଘୁଙ୍ଗୁର ପିନ୍ଧି ନାଚୁଥିଲା । କୁନି ଝିଅଟି ତା'ର ଖିଲି ଖିଲି ହୋଇ ହସି ତା' ମାଆର ନୃତ୍ୟ ଦେଖି ଖୁସି ହେଉଥିଲା । ଝିଅ ସୁକନ୍ୟା ବଡ଼ ହେବା ପରେ ତାକୁ ଶିଖାଇ ଚାଲିଥିଲା ଓଡ଼ିଶୀ ନୃତ୍ୟ ଶିକ୍ଷା । ଅନେକ ଚେଷ୍ଟା କରି ମଧ୍ୟ ସୁକନ୍ୟା ତା'ର ମାଆ ପରି ସୁନ୍ଦର ଭାବରେ ନାଚି ପାରୁ ନଥିଲା । ତେଣୁ ସୁକନ୍ୟା କୁ ପାଠ ପଢାରେ ମନୋନିବେଶ କରିବା ପାଇଁ କହିଦେଇ ସେ ଘୁଙ୍ଗୁର ପିନ୍ଧି ନାଚୁଥିଲା । ଦିନ ଆସିଲା ସୁକନ୍ୟା ମଧ୍ୟ ସୁନାୟନା କୁ ଘୃଣା କରିବା ଆରମ୍ଭ କରିଦେଇଥିଲା । ବହୁତ ଥର ରାଗିଯାଇ ସୁନୟନା ଙ୍କୁ କହିଦିଏ - ' ସେ ନାଚ ରୁ କଣ ମିଳୁଛି ମାମା ? ମୋ ବନ୍ଧୁ ମାନଙ୍କ ମାଆ ସବୁ ଡାକ୍ତର, ଇଞ୍ଜିନିୟର ଓ ଶିକ୍ଷୟିତ୍ରୀ । ତୁମ ନାଚ କୁ ନେଇ ମୁଁ ଅନେକଙ୍କ ଉପହାସ ର ପାତ୍ରୀ ହୋଇଛି ।' ସୁନୟନା ତାକୁ ଅନେକ ବୁଝାଇ କୁହନ୍ତି -' ତୁ ଦିନେ ଗର୍ବ କରିବୁ ତୋ ମାଆ ଜଣେ ସୁପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ବୋଲି, ହେଲେ ମୋତେ ଟିକେ ମଞ୍ଚ ରେ ନାଚିବାକୁ ସୁଯୋଗ ଦେବା ପାଇଁ ତୋର ବାପା ଙ୍କୁ ଜଣା ।' ସୁନୟନା ଙ୍କ ଠାରୁ ଏକଥା ଶୁଣି ରାଗରେ ଗୋଡ଼ କଚାଡି ଚାଲିଯାଏ ସୁକନ୍ୟା । ଲୁଚି ଲୁଚି ଲୁହ ପୋଛୁ ଥାନ୍ତି ସୁନୟନା । ତାଙ୍କୁ କେହି ଉତ୍ସାହିତ କରୁନଥିବାରୁ ବେଳେବେଳେ ଭାଙ୍ଗି ପଡୁଥାନ୍ତି ।
ଅନେକ ବିରୋଧ ସତ୍ତ୍ବେ ସୁନୟନା ନୃତ୍ୟ ବନ୍ଦ ନରଖୁଥିବାରୁ ତା'ର ଶାଶୁ ସମସ୍ତ ଙ୍କୁ ନିଜ ନିକଟରେ ଉପସ୍ଥିତ କରାଇ ସୁନୟନା ର ଗୋଡ଼ ଅଚଳ କରିଦେବା ପାଇଁ କହିଲେ, ଯାହା ଫଳରେ ସେ ଆଉ ନାଚି ପାରିବ ନାହିଁ । ସେହି ନିଷ୍ଠୁର ଲୋକମାନେ ପିଟି ପିଟି ତା'ର ଗୋଡ଼କୁ କରିଦେଇଥିଲେ ଅଚଳ । ସେଇଦିନ ଠାରୁ ଚୁପଚାପ୍ ହୋଇ ଯାଇଥିଲା ସୁନୟନା । ଅନେକ ସମୟରେ ଘୁଙ୍ଗୁର କୁ ଛାତିରେ ଚାପି ଲୁହ ଝରାଏ । କାହିଁ କେତେ ଦିନରୁ ମଞ୍ଚ ଉପରେ ନାଚି ନଥିବାରୁ ସେ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ଥିଲା ବୋଲି ଅନେକ ଭୁଲି ଯାଇଥିଲେ । ଆଉ ଆଜି ସେ ମରଣ ଶଯ୍ୟାରେ ! ଝିଅ ସୁକନ୍ୟା କୁ ଡାକି କହୁଥିଲା -' ମୋତେ ମୋ ବାପଘର କି ଶାଶୁଘର ଘୁଙ୍ଗୁର ବାନ୍ଧି ନାଚିବାକୁ ବହୁତ ବିରୋଧ କରୁଥିଲେ, କିନ୍ତୁ ମୁଁ ଛାଡି ପାରୁ ନଥିଲି ଘୁଙ୍ଗୁର ର ମୋହ । ମୋର ଇଚ୍ଛା ଥିଲା ମୃତ୍ୟୁ ପର୍ଯ୍ୟନ୍ତ ନୃତ୍ୟ ଜାରି ରହିବା ପାଇଁ ତାହା ମଧ୍ୟ ସମ୍ଭବ ହେଲାନି । ମୋର ପ୍ରତିଭା ଓ ଆଗ୍ରହ କୁ ବୁଝି ନପାରି ଗୋଡ଼ ଦୁଇଟି ଅଚଳ କରିଦେଲ ତୁମେ ମାନେ ! ମୋର ଶେଷ ଇଚ୍ଛା ତୁ ଏହି ଘୁଙ୍ଗୁର ପିନ୍ଧି ମୋ ଆଗରେ ଅଳ୍ପ ନାଚିଦେ ମାଆ !' ସୁକନ୍ୟା କାନ୍ଦି କାନ୍ଦି ସୁନୟନା ର ଘୁଙ୍ଗୁର ପିନ୍ଧି ନାଚିବାକୁ ଚେଷ୍ଟା କରୁଥିଲା, କିନ୍ତୁ ପାରିଲା ନାହିଁ । ତା'ର ପାଦ ରୁ ଘୁଙ୍ଗୁର ଛିଣ୍ଡି ଯାଇ ପଡ଼ିଥିଲା ସୁନୟନା ର ଦେହ ପାଖରେ ଏବଂ ସୁନୟନା ଏ ଦୁନିଆରୁ ବିଦାୟ ନେଇ ସାରିଥିଲା ସବୁଦିନ ପାଇଁ !
