ଘର୍କି ମୂର୍ଗୀ
ଘର୍କି ମୂର୍ଗୀ


ଶ୍ରାବଣୀ ଓ୍ବାନ ବିଏଚକେ ଫ୍ଲାଟର ଟିକି ବ୍ଲାଲକୋନି କାନ୍ଥକୁ ମୁଣ୍ଡ ଢେରା ଦେଇ ବସିଛି । ଶରୀର ଯେପରି ସମସ୍ତ ଶକ୍ତି ହରାଇ ଦେଲାଣି । କୁଆଡେ ଗଲା ସେ ମଧୁର ଦିନ......... । ଅତୀତକୁ ଫେରି ଯାଉଥିଲା ଶ୍ରାବଣୀ ।
ସୁବାଷ ଗାଁର ଏକ ନାମଡାକ ଟେଲର । ନିଜ ବାପାଙ୍କଠୁ କୌଳିକ ବୃତ୍ତି ଯେବେ ନାହିଁ ନାହିଁ ଭିତରେ ଆପଣାଇଲା ଖୁବକମ ଦିନରେ ବହୁତ ନାଁ କମାଇଦେଲା । ପ୍ରଥମେ ବାପାଙ୍କୁ ଝୁଅ ପିଲାଙ୍କ ବ୍ଲାଉସ,ଘାଗରା,ପେଟିକୋଟ ବିଲକୁଲ ବନାଇବିନି କହିଥିବା ସୁବାଷ ଏବେ ସାଁଇ ସାଁଇ ସିଲାଇ କରୁଛି ଚୋଲିକଟ ବ୍ଲାଉଜ । କାହାର ଏଲ୍ କଟ,ଡିପ ନେକ ,ଫ୍ରଣ୍ଟ ବୋତାମ,ବ୍ୟାକଲେସ ପିଠି,ଡୋରି ବନ୍ଧା ବ୍ୟାକ,ବ୍ୟାକ ଲେସ ଚୋଲି,ହାଇ ନେକ ବେକ, ବ୍ରା କଟ୍ ଫ୍ରଣ୍ଟ,ପ୍ଲିଟବିନା ବ୍ଲାଉଜ,ଅମବ୍ରେଲା କଟ ଘାଗରା,କେତେରକମ ଚୂଡିଦାର କରୁଛି ।
ଯିଏ ଯେଉଁଠୁ ଯେମିତି ବ୍ଲାଉଜ ଡିଜାଇନ୍ ଉଠାଇ ଆଣି ଦେଲା ସୁବାଷ ବରାବର ନକଲ କରି ତିଆରି କରିପାରେ । ଏମିତି ନୁହେଁ କି ପୁଅଙ୍କ ପ୍ୟାଣ୍ଟ୍ ସାର୍ଟ ତିଆରେନି ସୁବାଷ । କିନ୍ତୁ ଝିଅ ବୋହୂଙ୍କ କାମଟି ଫେରାଇ ପାରେନି । ମୋହ ବତିଆଟା । ଝିଅଙ୍କ କାମ ଗଦାଇ ହୋଇଯାଏ । ସେଥିପାଇଁ ପୁଅଙ୍କ କାମ ପାଇଁ ଅଧିକ ସମୟ ଦେଇ ପାରେନି । ନିଜ ଗାଁ,ଆଖପାଖ ଗାଁ, ଗାଁର ଝିଅ ବାହାରେ ବାହା ହୋଇଥିବା ବନ୍ଧୁବାନ୍ଧବଙ୍କର ବି ଲେଡିଜ କାମ ଆଣି ତାକୁ ଦିଅନ୍ତି । ପାନପତ୍ର ପିଠି,ଠିକିରି,ଚିଡିଆ ଯଦୃଶ ଡିଜାଇନ୍ ଯିଏ ଯେପରି କହିବେ ସୁବାଷ କରି ଦେଇଦେବ ।
ଫିଟିଙ୍ଗ ବ୍ଲାଉଜ ପାଇଁ ମାପଟି ନିଏ ସତ ହେଲେ ସେ ଝିଅ ବୋହୂଙ୍କୁ ଦେଖି କହିଦେବ କାହାର ଅଠେଇଶ,ତିରିଶ,ବତିଶ ବା ଚଉତିରିଶ ସାଇଜ । ଝିଅବୋହୂମାନଙ୍କ ପସନ୍ଦ ସୁବାଷର ଶାଳୀନତା ଆଉ ଲାଜକୁଳା ସ୍ବଭାବ । ଟିକେନାଁକୁ ବି ଝିଅ ବୋହୂଙ୍କୁ ମୁହଁ ଟେକିଖରାପ ଦୃଷ୍ଟି ପକାଇବନି । କିଛି ଝିଅବୋହୂ ଓଲଟା ତା'ଉପରେ ପଡନ୍ତି । ସବୁ ଝିଅ ବୋହୂଙ୍କର ବିଶ୍ୱାସ ଆଉ ଭରସାର ପାତ୍ର ସୁବାଷ । ବିନା ସଙ୍କୋଚରେ ପିଠି,ସାମନାପଟ ଦେଖାଇ ମାପ ଦେଇଯାନ୍ତି ସୁବାଷକୁ । କାମ ବି ଠିକ ସମୟରେ ପାଆନ୍ତି । ହେଲେ ମଜୁରୀ.......
କେତେ ବା ଗାଁ ମଣିଷମାନଙ୍କର ରୋଜଗାର । ଗାଁଲୋକ କଞ୍ଚା ପଇସା ପାଆନ୍ତି ବା କୁଆଡୁ । ହେଇ ହେଇ ମଜୁରୀଆ,ଚାଷୀ ନହେଲେ ଅତିବଡରେ ମିସ୍ତ୍ରୀ ଟିଏ ହୋଇଥିବେ । ତାଙ୍କ ମୂଲ ପାଇଲା ବେଳକୁ ସେମାନେ ନିଜେ ହଇରାଣ ଦେବେ କଣ !ଆଉଗୁଡେ ଗାଲୁଆ ଥାନ୍ତି ଜାଣି ଜାଣି ପଇସା ଦିଅନ୍ତି ନାହିଁ । ନହେଲେ ଯଦି ସରକାରଙ୍କ କନଟ୍ରାକଚୁଆଲ ମାଷ୍ଟର ହୋଇଥିବେ ଯାହା ଦରମାର ଅବସ୍ଥା ତ ଜାଣିଥିବେ । ଧାନ, ଚାଉଳ, ବିରି, ମୁଗ, ବାଦାମୀ ବିକି ଚଳିବା କଥା । ତେଣୁ ସୁବାଷ ନିଜ କାମ ଅନୁସାରେ ମଜୁରୀ ପାଏନା ।
ଶ୍ରାବଣୀ ଯେବେ ଆସେ ଡ୍ରେସ ସିଲାଇ ପାଇଁ ମା ସହ ଆସେ । ସୁବାଷ ଭଲସି କଥା ହୋଇ ପାରେନା । ହେଲେ ମନ ଦିଆନିଆ ଆଖିରେ ଆଖିରେ ଆଗଉଥାଏ । ଆଜି ଶ୍ରାବଣୀ କପଡା ଧରି ଏକା ଏକା ଚାଲି ଆସିଛି । ସୁବାଷ ଦୂରରୁ ଦେଖୁଛି । କୁମାର ପୁନିଅଁ ମୁଣ୍ଡ ଉପରେ ନୁଆ ଖଣ୍ଡେ ପିନ୍ଧିବା ନିହାତି ଦରକାର । ଗାଁ ସାରା ଝିଅଙ୍କ ଭିତରେ ସୁବାଷକୁ ଶ୍ରାବଣୀ ଭାରି ଭଲ ଲାଗେ । ନିଜ ଜାତିର ଝିଅଟିଏ ବି । ଶ୍ରାବଣୀ ଆସୁଛି ଦେଖି ରେଡିଓରେ ଭଲ୍ୟୁମ ବଢାଇ ଦେଲା ସୁବାଷ । ମୁଣ୍ଡ ବାଳକୁ ସାଉଁଳାଇ ଦେଲା । ଅସମୟରେ ଅଗରବତୀ ଗୋଟିଏ ଜାଳି ଦେଲା । କାହିଁକି କେଜାଣି ଏ ଶ୍ରାବଣୀ କୁ ଦେଖିଲେ ସୁବାଷ ହୋସରେ ରହେନା, ନିଜର ଚରିତ୍ରରେ ଟିକେ ଦାଗ ନଥିଲେ ବି । ଗୋଡ଼ ହାତ ଟିକେ ଥରିଲା ଥରିଲା ହେଉଛି । ଗୀତ ଭାଷି ଆସୁଛି ଏଫ. ଏମ.ରୁ
ପ୍ରେମ ତୁମ ବଦମାସ୍ ବଦମାସ୍ ଭାରି ଚଗଲା......
ଶ୍ରାବଣୀ ବି ବୁଝିଛି ସୁବାଷର ଭଲପାଇବା । ସୁବାଷ କିଛି କିଛି କହିବ କହିବ ହୋଇ କିଛି କହିପାରିଲାନି । ଶ୍ରାବଣୀର ପଟିଆଲା ଚୂଡିଦାର ମାପ ନେଇ ଛାଡିଦେଲା ଶ୍ରାବଣୀକୁ । ଶ୍ରାବଣୀ ଏକ ମଉନ ସମ୍ମତି ଆଖି ଆଖିରେ ଦେଇ ସାରିଛି ।
ବିଭିନ୍ନ ବାହାନା କରି ଟେଲର ଦୋକାନ ଏବେ ଆସେ ଶ୍ରାବଣୀ । କେବେ ଡ୍ରେସ ଟାଇଟ୍ ହେଲା,ଲଙ୍ଗ କହିଥିଲି ସର୍ଟ କାହିଁକି କଲ । ବେକ ଗଳି ପଡିବାପରି ହେଉଛି । ଏସବୁ ହାଲକା ହାଲକା ମିଛ ଅଭିଯୋଗ ନେଇ ଶ୍ରାବଣୀ ଆସେ । ସମସ୍ତଙ୍କ ବରାଦିଆ କାମ ଠିକ ଟାଇମରେ ଦେଉଥିବା ସୁବାଷ , ଶ୍ରାବଣୀକୁ କିନ୍ତୁ ତାରିଖ ଗଡାଇ ଚାଲେ । ଶ୍ରାବଣୀ ଆଉ ଦି/ଚାରି ଥର ଆସୁ । ନୀରବ ପ୍ରେମ ଅଧିକ ମିଠା । ଦୁହେଁ ବୁଝିଥିଲେ କିନ୍ତୁ ପାଟି ଖୋଲୁ ନଥିଲେ ।
ଶ୍ରାବଣୀ ଦିନେ ପଚାରିଲା, ଏମିତି କେତେଦିନ ମୁଁ ବାହାନା କରି ତୁମ ଦୋକାନକୁ ଆସିବି । କିଛି ତ କର । ସୁବାଷ ସାହସକରି ବାପାଙ୍କୁ ପ୍ରସ୍ତାବ ପକାଇବାକୁ କହିଲା । ବିନା ପ୍ରତିବାଦରେ ଦ
ୁହିଁଙ୍କର ବାହାଘର ହୋଇଗଲା । ସୁବାଷକୁ ଚାନ୍ଦ ମିଳିଗଲା । ସ୍ତ୍ରୀ ଆସକ୍ତ ସୁବାଷ କାମରେ ଟିକେ ଖଇଚା କଲା । ସହଜେ ଗାଁ ଲୋକ ପଇସା ଦେବାରେ ଅବହେଳା ଆଗରୁ କରୁଥିଲେ । ଭିଡା ଭିଡି ହେଲାଣି ଘରଚଳା । ବାବୁଲି ପିଲାଟି ସୁବାଷର ଲଙ୍ଗଳାଦିନଠୁ ସାଙ୍ଗ । ମୁମ୍ବାଇରେ ରୁହେ, କେଉଁ ଡ୍ୟାନ୍ସବାରରେ କାମକରେ । ଗାଁକୁ ଆସିଛି । କଥା କଥାରେ କହିଲା ଆରେ ତୁ ଯେତିକି କାମ ଶିଖିଛୁ ମୁମ୍ବାଇ ଗଲେ ଖାଲି ଟଙ୍କାରେ ଶୁଅନ୍ତୁ । ମୋତେ ଶଳା ଦରକାର ହେଲେ ମ୍ୟାନେଜର ରଖିବୁ । ଏତେ ଟଙ୍କା ପାଇବୁ ଯେ । ଏତିକି ଟଙ୍କା ସେଠି ଉଡୁଛି । ଏତିକି କଥା ଶ୍ରାବଣୀ କାନରେ ପଡିଲା । ଶ୍ରାବଣୀ ଶାଶୁ ଶଶୁରଙ୍କୁ ସୁବାଷକୁ ବୁଝାଇ ମୁମ୍ବାଇ ପଠାଇଲା ।
ସତକୁ ସତ ସୁବାଷର ଲଟେରୀ ଲାଗିଗଲା । କାମ ଉପରେ କାମ । ନଗଦ ନାରାୟଣ । ସୁବାଷ ଖୁବ କମାଇଲା । ଖାଇବାକୁ ଗଣ୍ଡେ ସମୟ ପାଇଲାନି । ସ୍ବାସ୍ଥ୍ୟ ଭାଙ୍ଗିଗଲା । ବାଧ୍ୟ ହୋଇ ଶ୍ରାବଣୀକୁ ଶାଶୁଶଶୁର ମୁମ୍ବାଇ ପଠାଇଲେ । ସୁବାଷ ଭଲପାଉଥିବା ଜୀବନ ସାଥିଟିକୁ ଏକାନ୍ତରେ ପାଇ ଅତି ଖୁସିଥାଏ । ଯେତେ ଖଟଣୀ ହେଲେବି ଶ୍ରାବଣୀ ର ସଙ୍ଗ ନ ପାଇଲେ ତାକୁ ନିଦ ଆସେନା । ଭାରି ବିକଳ ହୁଏ ଶ୍ରାବଣୀ ଠୁ ସେତକ ହାସଲ କରିବାକୁ । ଶ୍ରାବଣୀ ବି ପାଲା ଗାୟକ ଠୁ ଶୁଣିଥିବା ଉକ୍ତି *ରତି କାଳେ ବୈଶ୍ୟା*ଖୁବ ସାଧୁତା ସହକାରେ ମାନେ ।
ଦିନେ ଶ୍ରାବଣୀ ଶାଢ଼ୀ ପିନ୍ଧୁଥାଏ ଜାଣିଶୁଣି ଶାଢ଼ୀର କାନିଟିକୁ ସୁବାଷ ମାଡିଦେଲା । ଶାଢୀଟି ପୁରା ଗୋଟା ଟାଣି ହୋଇଗଲା । ଖାଲି ସାୟା ବ୍ଲାଉଜ ରେ ଶ୍ରାବଣୀ । ଶ୍ରାବଣୀ ଦେହରେ ହାତଟିକୁ ଛନ୍ଦି ମୁହଁ ଫୁଲାଇଲା । କଣ ଏମିତି କରୁଛ?
ଗୀତଟିଏ ଗାଇ ସୁବାଷ କହିଲା ....
ପ୍ରେମ ମୋର ବଦମାସ୍ ବଦମାସ୍ ଭାରି ବଜାରି......
ଖୁବ ଖୁସିରେ ଦୁଇ ପ୍ରାଣୀ ଚଳୁଥାନ୍ତି । କେତେ ଭଡ଼ା ଗଣିବେ । ସଞ୍ଚୟ ବି ମନ୍ଦ ନାହିଁ । କିଛି ଲୋନ କିଛି ସଞ୍ଚୟରେ ଓ୍ବାନ ବିଏଚ କେ ଫ୍ଲାଟ୍ ଗୋଟିଏ କିଣିଲେ । ଖୁବ ଆନନ୍ଦରେ ଥାଆନ୍ତି ।
ଶ୍ରାବଣୀ ଡେଲିଭରି ପାଖେଇ ଆସୁଥାଏ । ଆଉ କିଛିଦିନ ପରେ ବୋଧେ ବୋଉ,ଶାଶୁ ଆସିବେ । ଶ୍ରାବଣୀ ଖାଇବା ବାଢୁଛି । ଶ୍ରାବଣୀ ଏବେ ଅଧିକ କାମ କରି ପାରୁନି । ଭାତ, ଡାଲମା ,ଆଳୁଚଟଣୀ କରି ଦେଇଛି । ବାବୁଲି ମଝିରେ ମଝିରେ ଆସେ । ସାଙ୍ଗଟି ଟିକେ ବାଳୁଙ୍ଗା । ବାବୁଲି ସୁବାଷକୁ ନେଇ କୁଆଡେ ବୁଲିବାକୁ ଚାଲିଯାଏ । ଆଜି ବି ଆସିଛି । କଣ ଭାଉଜ ଖାଇବା ବାଢୁଛ!!!ଶ୍ରାବଣୀ କହିଲା ବସ ମୁଁ ଦି ଜଣଙ୍କୁ ଖାଇବା ଦେଉଛି ।
ନା ଭାଉଜ! ସବୁବେଳେ କେତେ ଭାତ ଡାଲମା ଖାଇବୁ ମ! ଏମିତିରେ ତ ଘରକି ମୁର୍ଗୀ ଡାଲ ବରାବର । ଆଉ ଏ ଭାତ ଡାଲମା ଖାଇ ହେବନି । ଚାଲ ସୁବାଷ ଟିକେ ବାହାରେ ଖାଇ ଆସିବା । ସେଇଠିକି ଯିବା ।
ସୁବାଷ ତ ଖୁବ କମୋଉଛି । ଶ୍ରାବଣୀ କିଛି କହି ମନା କରି ପାରେନା ।
କିଛି ଦିନ ହେବ ଶ୍ରାବଣୀ ଲକ୍ଷ୍ୟ କରୁଛି , ସୁବାଷ ଦୂରେଇ ଦୂରେଇ ରହୁଛି । ଆଖିତଳ ପଶି କୋରଡ କୋରଡ ହୋଇଗଲାଣି । ଖାଇବାରେ ବିଲକୁଲ ମନ ଦେଉନି । ଏପରିକି ଗୋଟିଏ ଶେଯରେ ଶ୍ରାବଣୀ ସହ ଶୋଉନି । ଗୁଡାଏ ଔଷଧ ଲୁଚାଇ ଲୁଚାଇ ଖାଉଛି ।
ଯେଉଁ ସୁବାଷ, ଶ୍ରାବଣୀକୁ ଜୀବନଠୁ ଅଧିକ ଭଲ ପାଉଥିଲା ଗୋଟିଏ ରାତି ବି ଶ୍ରାବଣୀ ସହ ନ ମିଶିଲେ ରହିପାରୁ ନ ଥିଲା । ସେ ଏମିତି ଦୂରେଇ ରହୁଛି କିପରି! ଦେହ ଖରାପ ହେଲେ କହି ତ ପାରନ୍ତା । କିଛି କହୁନି । ଶ୍ରାବଣୀ ଖୁବ ଦୁଃଶ୍ଚିନ୍ତାରେ ।
ସୁବାଷର ଆଜି ଦୋକାନ ବନ୍ଦ । ତଥାପି ସୁବାଷ କୁଆଡେ ବାହାରିଲା । ମୁମ୍ବାଇ ପରି ମାୟା ନଗରୀରେ କିଛି ନ ଜାଣି ପାରି ବହୁତ ଆଶଙ୍କା ଭିତରେ ଶ୍ରାବଣୀ ଥିଲା । କିଛି ବାଟ ନ ପାଇ ଚିହ୍ନା ଟୁକଟୁକ ଅଟୋକୁ ଡାକି ପିଛା କଲା ସୁବାଷକୁ । ଏକ କ୍ଲିନିକ୍ ରେ ସୁବାଷ ପଶିଲା । ଏଚ.ଆଇ.ଭି ,ଏଡସ୍ ପରି ରୋଗର ବୋର୍ଡ ସବୁ ମରା ଯାଇଛି ବାହାରେ । ଜଗୁଆଳି ନଛାଡୁ ଥିଲେ ବି ପ୍ରାଣାନ୍ତକ ଚେଷ୍ଟା କରି ସୁବାଷ ଆଉ ଡାକ୍ତରଙ୍କ ପାଖରେ ପହଞ୍ଚି ଗଲା ଶ୍ରାବଣୀ ।
କଣ ହୋଇଛି ଡାକ୍ତର ମୋ ସ୍ବାମୀଙ୍କର ଦୟାକରି ଜଣାନ୍ତୁ ମୋତେ ।
ଆରେ ତୁମେ ତ ତୁମ ସ୍ତ୍ରୀଙ୍କୁ ପ୍ରଥମେ ଜଣାଇବା କଥା ଏଚ.ଆଇ.ଭି ରେ ଆକ୍ରାନ୍ତ ବୋଲି, ନହେଲେ ବହୁତ ଅସୁବିଧା ହୋଇଯିବ । ଶ୍ରାବଣୀ ର ଦୁନିଆଁ ଯେପରି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଝଡିପଡୁଛି,ବୁଲଡୋଜର ବେଆଇନ କୋଠା ଭୂଷୁଡାଇବା ଭଳି ।
ବାକି ଥିଲା ଶ୍ରାବଣୀର ଓ ପେଟଛୁଆର ରକ୍ତ ନମୂନା ପରୀକ୍ଷା ।
ଶ୍ରାବଣୀ ଭାବୁଥିଲା ଘର୍କି ମୂର୍ଗୀ ଡାଲ୍ ବରାବର ର ନତିଜା । ବୈଶ୍ୟାଳୟକୁ ସୁରକ୍ଷା କବଚ ନପିନ୍ଧି ଯିବାର ଫଳାଫଳ ।