ଘର
ଘର
ଆଜି ମଧ୍ୟ ମନେପଡେ ସେଦିନର କଥା ସବୁ, ଆଖି ଆଗରେ ଝଲସୀ ଯାଉଥାଏ ସେ କାହାଣୀ ସବୁ।ପିଲାଦିନେ ଯେଉଁଠି ମୁଁ ପ୍ରଥମ କରି ପାଦ ରଖି ବଢିଥାଏ ସେ ଘର ।ଯେଉଁଠି ମୁଁ ଗୁରୁଣ୍ଡି ଗୁରୁଣ୍ଡି ଖେଳୁଥାଏ(ବୋଉ ଯାହା କହେ)। ଏହିପରି ସମୟ ବଦଳେ ଆଉ ସମୟର ପ୍ରକୃତ ରୂପକୁ ବୁଝିବା ପୂର୍ବରୁ ହଠାତ ଆସେ ୧୯୯୯ ମସିହାର ମହାବାତ୍ୟା।ଯେ କି ସେ ପୁରୁଣା ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥାଏ।ନା ମୁଁ କିଛି ଅନୁଭବ କରି ପାରେ ନାଁ କିଛି ଅବଶେଷ ଥାଏ।
ହଠାତ ଜେଜେ ଆସି କିଛି ମାଟି ଚକଟିବାରେ ବ୍ୟସ୍ତ ହୋଇପଡନ୍ତି, ବାପା ମଧ୍ୟ ଛଣ ଏବଂ ବାଉଁଶ ସଂଗ୍ରହ କରି ସେସବୁକୁ ଏକତ୍ରିତ କରୁଥାନ୍ତି।ପ୍ରଶ୍ନ କରେ ଏ ସବୁ କଣ ପାଇଁ ଆଉ ଉତ୍ତର ପାଏ ଯେ ଏକ ନୂଆ ଘର ତିଆରି ହେବ।ଏହା ଶୁଣି ମନରେ ଖେଳିଯାଏ ଆନନ୍ଦ ଓ କୌତୁହଳ।ତେଣୁ ମୁଁ ମଧ୍ୟ କିଛି ଶ୍ରମ ଦେବାକୁ ପଛାଏ ନାହିଁ ଲାଗିପଡ଼େ ଘର ତିଆରି କରିବାକୁ।ଧୀରେ ଧୀରେ ଘର ତିଆରି ଶେଷ ହେବାକୁ ବସିଥାଏ।ଛପର ସରିବା ପରେ ମୁଁ ଦେଖିପାରେ ଏକ ଛୋଟ ଘରକୁ।ଯାହାକୁ ମୁଁ ଏବେବି ମନେରଖିଛି।ମାଟିର ବାସ୍ନା ପରିବାରର ସ୍ନେହରେ ଘରଟି ପୁରିଉଠେ।ଏତେ ଜାକଜମକର ହୋଇନଥାଏ ମାତ୍ର ମୋ ପାଇଁ କେଉଁ ରାଜମହଲ ଠାରୁ କମ ନଥାଏ।ସେହି ଘରେ ମୁଁ ବଢିବାକୁ ଲାଗେ, ମା ଖାଦ୍ୟ ବନାଇ ଦିଏ ବାପା ଓ ମୁଁ ଏକାଠି ବହୁତ ଆନନ୍ଦରେ ଖାଉ ।ରାତ୍ରୀର ଅନ୍ଧାରରେ ଆଲୋକ ନଥାଏ ମାତ୍ର ବାପାଙ୍କ ଗପ ଓ ଏକ ପୁରୁଣା ରେଡ଼ିଓ ବାସ ଘରକୁ ଆହୁରି ସୁନ୍ଦର ରୂପ ଦେଇ ଦିଏ।ରେଡ଼ିଓରୁ ଆସୁଥିବା କୁନି ନାଲି ରଙ୍ଗର ଆଲୋକ ଓ ଶୁଭୁ ଥିବା ଗପ ଶୁଣି ମୁଁ ନିଦରେ ଶୋଇଯାଏ।ଦିନ ଗଡି ଚାଲେ ଓ ମୁଁ ମଧ୍ୟ ବଡ଼ ହେବାକୁ ଲାଗେ।ସେ ଘର ସହ ମୋର ସମ୍ପର୍କ ବଢିବାକୁ ଲାଗେ। ସେ ମାଣବସାର ଚିତା ହେଉ ବା ଗୋବରରେ ଲିପା ସେ କାନ୍ଥ ହେଉ ସବୁକିଛି ମନରେ ସାଇତି ହୋଇ ରହିଯାଇଥାଏ।କିନ୍ତୁ ବଦଳିଯାଏ ସମୟ ମୁଁ କିଛି ବୁଝିବା ଆଗରୁ ପୁଣି ଆସେ ଏକ ବନ୍ୟା ଯାହାକି ମାତ୍ର କିଛି ମୁହୂର୍ତ୍ତରେ ପୁଣି ଭାଙ୍ଗି ଦିଏ ମୋ ସେ ସ୍ୱପ୍ନର ଘରଟିକୁ । ଆଉ ମୁଁ ହୋଇଯାଏ ନିରବ ନିସ୍ତେଜ । ଆଉ ସେ ଘର ମୋର ଏବେବି ମନେପଡେ ଓ ମୁଁ ଏବେବି ତାକୁ ଝୁରେ ।