STORYMIRROR

Aravinda Das

Inspirational

4  

Aravinda Das

Inspirational

ଘର ଓ ବାସ୍ତୁଦୋଷ

ଘର ଓ ବାସ୍ତୁଦୋଷ

3 mins
407


ପ୍ରଥମ ଦେଖାରେ ଘରଟା ପସନ୍ଦ ଆସିଯାଇଥିଲା ଉଭୟ ବିଷ୍ଣୁ ଓ ଚନ୍ଦନାକୁ।


 ଏକଦମ ନୂଆ ଘର। ତିନି ବେଡ଼ ରୁମ ବାଲା ଫ୍ଲାଟ।ମାର୍ବଲ ଫ୍ଲୋର ସାଙ୍ଗକୁ କପବୋର୍ଡ ବି ଅଛି। ତିନିଟା ଯାକ ବେଡ଼ରୁମରେ ଅଟାଚ ବାଥରୁମ ଓ ବାହାରେ ବାଲକୋନି।ଅପାର୍ଟମେଣ୍ଟ ସାମ୍ନାରେ ବଡ଼ ଖେଳ ପଡିଆ ଓ ଡାହାଣ କଡ଼କୁ ଗୋଟେ କମ୍ୟୁନିଟି ପାର୍କ।ଚାରିଆଡ଼ ଖୋଲା ଖୋଲା ଲାଗୁଥିବାରୁ,ଫ୍ଲାଟ ଘର'ର ଅଣନିଶ୍ଵାସୀ ପରିବେଶ ଜମାରୁ ନାହିଁ।

  "ଭେଣ୍ଟିଲେସନ ଓ ଭିଉ ବି ଚମତ୍କାର।ଲିଫ୍ଟ ବି ଅଛି। ।ଏଇଟା ଫାଇନାଲ କରିଦିଅ।"


    ଚନ୍ଦନା କଥା ଶୁଣି ବିଷ୍ଣୁ କହିଲା,"ରେଟ ନିଶ୍ଚୟ ଅଧିକ କହିବ ବୁଢ଼ା।୨୦ -୨୫ ହଜାର କହିପାରେ।ଏତେ ଭଡା କିଏ ଦେବ ?"


- ତମେ କଥାବାର୍ତ୍ତା କର ଆଗେ।ବାର୍ଗେନିଂ ବି କରିବା।

 ଘରମାଲିକ ଚକ୍ରଧର ବାବୁ ଟିକେ ବୟସ୍କ ଜଣାପଡୁଥିଲେ।ବିଷ୍ଣୁ ଜାଣିପାରୁ ନଥିଲା କେମିତି କଥା ଆରମ୍ଭ କରିବ।

- ଘର ପସନ୍ଦ ଆସିଲା ? 

- ବହୁତ ବଢିଆ ହୋଇଛି ଓ ଆମ ଦୁଇଜଣଙ୍କୁ ପସନ୍ଦ ହୋଇଛି।ଫ୍ଲାଟ ର ଭଡା କେତେ ?ତେବେ ଅଫିସରୁ ମୋତେ ମାତ୍ର ଆଠ ହଜାର ଟଙ୍କା ଘରଭଡ଼ା ମିଳେ।ଆମ ପୁରୁଣା ଭଡାଘର ମାଲିକ ନିଜେ ସେ ଘରେ ରହିବେ ବୋଲି ଆମକୁ ଘର ଖାଲି କରିବାକୁ ପଡୁଛି।

- ଆପଣଙ୍କ ଫ୍ୟାମିଲିରେ କେତେଜଣ ?


 ଚନ୍ଦନା ଆଗତୁରା କହିପକାଇଲା,"ବଡ଼ ଝିଅ ଡାକ୍ତରୀ ପଢୁଛି ଓ ପୁଅ ଇଞ୍ଜିନିଅରିଂ।ଝିଅ ଅବଶ୍ୟ ହଷ୍ଟେଲରେ ରୁହେ।ପିଲାଙ୍କ ପାଇଁ ଧାର କରଜରେ ଆମେ ବୁଡିଛୁ।"

- ଦୁଇ ବେଡ଼ରୁମ ଫ୍ଲାଟ ଆପଣଙ୍କୁ ଠିକ୍ ହେବ ଓ ଶସ୍ତା ବି ପଡିବ।


 ବିଷ୍ଣୁ ଧୀର ସ୍ୱରରେ କହିଲା," ଗାଁରେ ବାପାଙ୍କ ଦେହ ବହୁତ ସିରିଅସ।ବୟସ ବି ଅଧିକ ହେଲାଣି।ଡାକ୍ତରଖାନା ସୁବିଧା ନାହିଁ ଗାଁରେ।ତାଙ୍କୁ ପାଖରେ ରଖିବାକୁ ପଡିବ ବୋଲି ଥ୍ରୀ ବେଡ଼ରୁମ ବାଲା ଫ୍ଲାଟ ଦରକାର। ଗୋଟେ କେୟାର ଟେକର ଲୋକ ବି ରଖିବାକୁ ହେବ।"

 

 ଟିକିଏ ଗୁମମାରି ବସିଲେ ଚକ୍ରଧର ବାବୁ।ଫ୍ଲାଟର ଚାରିଆଡକୁ ଅନାଇ କହିଲେ,"ଦେଖନ୍ତୁ,ମୁଁ ରିଟାୟାର୍ଡ ମଣିଷ।ନିଜ ଜମାପୁଞ୍ଜି ଝଟାଇ ଫ୍ଲାଟ କିଣିଥିଲି ପିଲାମାନେ ରହିବେ ବୋଲି ,କିମ୍ବା ଭଡା ଟଙ୍କା ମୋ କାମରେ ଆସିବ ବୋଲି।ଆଖପାଖରେ ଏମିତି ଘର ଦାମ କୋଡିଏ ହଜାରରୁ କମ ହେବନି।ଫ୍ୟାମିଲି ଲୋକ ଚାହୁଁଛି ବୋଲି ଅନେକ ବ୍ୟାଚେଲରଙ୍କୁ ଫେରାଇ ଦେଲିଣି। "

- ମୁଁ ବୁଝୁଛି ମଉସା।ତେବେ ଦଶ ହଜାରରୁ ଅଧିକ ଦେବାକୁ ମୋତେ ଅସୁବିଧା ହେବ।ଏବେ କେୟାର ଟେକର ପାଇଁ ୧୦ ହଜାର ଅଲଗା ଦେବାକୁ ପଡିବ। ବାପାଙ୍କ ହସ୍ପିଟାଲ ଖର୍ଚ୍ଚ,ଔଷଧ ଇତ୍ୟାଦି ପାଇଁ...

 -ଆଛା , ଏ ଘରେ ଆପଣଙ୍କ ବାପାଙ୍କୁ ଚଳିବାକୁ ଅସୁବିଧା ହେବନି ତ ?


  ଆଶ୍ଚର୍ଯ୍ୟ ହୋଇ ବିଷ୍ଣୁ ଅନାଉଥିଲା ଚକ୍ରଧର ବାବୁଙ୍କୁ।ଚନ୍ଦନା ଚଟ୍ କିନା କହିଲା,"ସେଇ ଦଶ ହଜାର ରୁ ଆଉ ଅଧିକ ଦେଇପାରିବୁନି।ବାଥ ରୁମରେ ଗିଜର ଓ ସେଇ ଗେଷ୍ଟ ରୁମ ବାଥ ରୁମର ଭିତରେ ଲୁହା ବା ଷ୍ଟିଲ ର ହ୍ୟାଣ୍ଡେଲ ଲଗାଇଦେଲେ ବାପାଙ୍କୁ କମୋଡ଼ ରେ ଉଠିଲା ବସିଲା ବେଳେ ସୁବିଧା ହୁଅନ୍ତା।ଯଦି ଆପଣ କରିପାରନ୍ତେ ...

- ଆପଣମାନେ କେବେ ଶିଫ୍ଟ କରିବେ ?

  ବିଷ୍ଣୁ ଓ ଚନ୍ଦନା ନିଜ କାନକୁ ବିଶ୍ବାସ କରିପାରୁନଥିଲେ।ବୁଢ଼ା ଏତେ ଶସ୍ତାରେ ରାଜି କେମିତି ହେଲା ?

- ଏଇ ସପ୍ତାହେ ଭିତରେ।କାଲି ଆପଣଙ୍କୁ ଆଡ଼ଭାନ୍ସ ଦେଇଦେବି।


  ବାଟରେ ଚନ୍ଦନା ପଚାରିଲା," ସେ ବୁଢ଼ା ର ମୁଣ୍ଡ ଦୋଷ ନାହିଁ ତ ?କିମ୍ବା ସେ ଘରେ କିଛି ଵାସ୍ତୁ ଦୋଷ ଥିବ ବୋଲି ବୁଢ଼ା ଏତେ ଶସ୍ତାରେ ରାଜିହୋଇଗଲା।ଆମକୁ ଟିକେ ଗୃହପ୍ରବେଶ ଵାସ୍ତୁ ପୂଜା କରିବାକୁ ପଡିବ।"


     ପରଦିନ ବିଷ୍ଣୁ ଚକ୍ରଧର ବାବୁଙ୍କୁ ଫୋନ୍ କରି କହଲା"ମଉସା, ଆଜି ମୁଁ ଆସି ପାରିବିନି।ବାପା ସିରିଅସ ବୋଲି ହସ୍ପିଟାଲରେ ଆଡ଼ମିଟ ହୋଇଛନ୍ତି।ଟିକେ ଫ୍ରି ହେଲା ପରେ ମୁଁ ଆସିବି।"

- ଜମା ବ୍ୟସ୍ତ ହୁଅନା।ବାପା ଆଗେ ଭଲ ହୋଇଯାଆନ୍ତୁ।"

   ସପ୍ତାହେ ପରେ ବିଷ୍ଣୁ ଆସି ଆଡ଼ଭାନ୍ସ ଟଙ୍କା ଦେଇଗଲା ବେଳେ ଚକ୍ରଧର ବାବୁ ପଚାରିଲେ,"ବାପା କେମିତି ଅଛନ୍ତି ?"


-ବାପା ହସପିଟାଲରୁ ଡିସଚାର୍ଜ ହେଲେଣି।ତେବେ ବାଉଳି ଚାଉଳି ହେଉଛନ୍ତି।କିନ୍ତୁ ବୋଉ କାଲିଠୁ ହସ୍ପିଟାଲରେ।ଆମର ଏବେ ଦୁର୍ଯୋଗ ପଡିଛି।ଆଡ଼ଭାନ୍ସ ନଦେଲେ ଆପଣ ଘର ଆଉ କାହାକୁ ଦେଇଦେବେ ବୋଲି ଆସିଗଲି।"

- ଓହୋ, ବ୍ୟାଡ ନିଉଜ।ଆପଣ ଜମା ବ୍ୟସ୍ତ ହୁଅନ୍ତୁନି।ଘର ଆପଣଙ୍କୁ ହିଁ ଦେବି ବୋଲି ମୁଁ ଓ ମୋ ସ୍ତ୍ରୀ ମନସ୍ଥ କରିସାରିଛୁ।ବାପା ବୋଉ ଉଭୟେ ଏଠି ରହିଲେ ଆପଣଙ୍କୁ ଚିନ୍ତା ରହିବନି।"

- ଅନେକ ଧନ୍ୟବାଦ ମଉସା।


   ସପ୍ତାହେ ପରେ ଚନ୍ଦନା ଓ ବିଷ୍ଣୁ ସନ୍ଧ୍ୟାରେ ଆସି ପହଁଚିଲେ ଫ୍ଲାଟରେ।ପୂର୍ବରୁ ଚକ୍ରଧର ବାବୁ ବି ଆସି ପହଞ୍ଚି ଥିଲେ ଚାବି ଦେବାକୁ।

- ଆସନ୍ତାକାଲି ଵାସ୍ତୁ ଓ ଗ୍ରହ ପୂଜା କଲା ପରେ ଆମେ ଗୃହପ୍ରବେଶ କରିବୁ ବୋଲି ଭାବିଛୁ।ତେବେ ମଉସା ଆପଣ ଗିଜର ମାଷ୍ଟର ବେଡ଼ ରୁମ ରେ ନଲଗାଇ ଗେଷ୍ଟ ରୁମରେ କାହିଁକି ଲଗାଇଲେ ?"ଚନ୍ଦନା ପଚାରିଲା।

- ସେଇ ରୁମରେ ତୁମ ଶାଶୁ ଶଶୁର ରହିବେ ପରା? ଗରମ ପାଣି ଆମ ବୟସ ଲୋକଙ୍କୁ ହିଁ ଅଧିକ ଦରକାର।" ହସିହସି କହିଲେ ଚକ୍ରଧର ବାବୁ।

- ବାପା,ବୋଉ ଆମ ସାଙ୍ଗରେ ରହିବେନି।

- କୁଆଡେ ଯିବେ ସେମାନେ ?

- ବାପା ଆମ ସାଙ୍ଗରେ ଓ ବୋଉ ଏଇଠି ରହୁଥିବା ମୋ ସାନ ଭାଇ ଘରେ ରହିବେ ବୋଲି ଠିକ୍ କରିଥିଲୁ।ହେଲେ ସାନ ଭାଇଟା ଭାରି ଚାଲୁ।ଏବେ ବୋଉ ଦେହ ଖରାପ ବୋଲି ରାଜି ହେଉନି।ତେଣୁ ବାପା ବୋଉ ଦୁହିଁଙ୍କୁ ଆମେ ଗୋଟେ ଭଲ ବୃଦ୍ଧାଶ୍ରମରେ ରଖିଲୁ।ଖର୍ଚ୍ଚ ଦୁହେଁ ଶେୟାର କରିବୁ।ସେଠି ସବୁ ସୁବିଧା ଅଛି।ତେବେ କାଳେ କିଛି ଅଘଟଣ ହୋଇଗଲେ ଏଇ ନୂଆ ଘରେ ଗୃହ ପ୍ରବେଶ ଓ ଵାସ୍ତୁ ପୂଜା ହୋଇପାରିବନି ବୋଲି ଭାବି ,ଆମେ କାଲି ପୂଜା କରି ସନ୍ଧ୍ୟା ସୁଦ୍ଧା ଶିଫ୍ଟ କରିଯିବୁ।"


- "ମୋର ଟିକେ ଭୁଲ ହୋଇଗଲା ଆଜ୍ଞା। ଅପେକ୍ଷା କରନ୍ତୁ "କହି ଚାଲିଗଲେ ଚକ୍ରଧର ବାବୁ। ଅଧଘଣ୍ଟା ପରେ ଫେରିଲେ।ଟିକିଏ ଧଇଁସଇଁ ହୋଇଯାଉଥିଲେ। ।ବିଷ୍ଣୁକୁ ଗୋଟେ ପ୍ୟାକେଟ ଧରାଇଦେଲେ।

-ଆଡ଼ଭାନ୍ସ ଟଙ୍କା କାହିଁକି ଫେରାଇଲେ ? ଅଧିକ ଭଡା ଦରକାର କି ?

 ଏକ ଶୁନ୍ୟ ଦୃଷ୍ଟି ଉଭୟଙ୍କ ଉପରେ ଘୁରାଇଆଣି ,ଧଡ଼ କିନା ଫ୍ଲାଟ କବାଟ ବନ୍ଦ କରି ଚାଲିଗଲା ପୂର୍ବରୁ ଚକ୍ରଧର ବାବୁ କହିଲେ,

- ଭଡା ନୁହେଁ ,ମୋର ଭଲ ମଣିଷ ଟିଏ ଦରକାର।ଆଉ ମନେରଖନ୍ତୁ,"ଵାସ୍ତୁଦୋଷ", ନିର୍ଜୀବ ଘର ଅପେକ୍ଷା ଅମଣିଷଙ୍କ ପାଖରେ ଅଧିକ ଥାଏ।"

 



Rate this content
Log in

Similar oriya story from Inspirational