~~~ଘର ବିକ୍ରୀ~~~
~~~ଘର ବିକ୍ରୀ~~~
ସାରା ଜୀବନ ର ପୁଞ୍ଜି କୁ ଏକତ୍ରିତ କରି ଜୀବନ ବାବୁ ଯେଉଁ ଘର ଟି ତୋଳିଥିଲେ ଆସନ୍ତା କାଲି ସେଇ ଘରଟି ବିକ୍ରୀ ହୋଇଯିବ.ତା ସହ ବିକ୍ରୀ ହୋଇ ଯିବ ସେ ଘର ସହିତ ଜଡିତ ଥିବା ତାଙ୍କର ଛୋଟ ବଡ଼ ସବୁ ସ୍ମୃତି.ଆଉ ଘର ବିକା ଟଙ୍କାରେ ତାଙ୍କର ଏକମାତ୍ର ପୁତ୍ର ସଞ୍ଜୟ ବାଙ୍ଗାଲୋର ରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଫ୍ଲାଟ ଟିଏ କିଣିବ.
କିଛି ଦିନ ତଳେ ସଞ୍ଜୟ ହଠାତ୍ ଫୋନ୍ କରି ଜୀବନ ବାବୁ ଙ୍କୁ କହିଲା ବାପା ମୁଁ ବାଙ୍ଗାଲୋର ରେ ଗୋଟେ ଫ୍ଲାଟ୍ କିଣିବି.ମୋର ତିରିଶ ଲକ୍ଷ ଟଙ୍କା ଆବଶ୍ୟକ.ଜୀଵନ ବାବୁ କହିଲେ ମୁଁ ଏତେ ଗୁଡାଏ ଟଙ୍କା କେଉଁଠୁ ଆଣିବି? ତା ଛଡ଼ା ଗାଁ ରେ ଆମର ଏତେ ବଡ଼ ଘର ଥାଉ ଥାଉ ତୁ ବାଙ୍ଗାଲୋର ରେ କାହିଁକି ଫ୍ଲାଟ୍ କିଣିବୁ? ତୁ କଣ ବାଙ୍ଗାଲୋର ଛାଡି ଆଉ ଗାଁ କୁ କେବେ ଫେରିବୁ ନାହିଁ? ଘର ସଂସାର କରି ସବୁ ଦିନ ସେଠାରେ ରହିବୁ? ସଞ୍ଜୟ କହିଲା ବାପା ତା ମାନେ ତୁମ କଣ କହିବା ପାଇଁ ଚାହୁଁଛ?
ମୁଁ ବାଙ୍ଗାଲୋର ପରି ଅତ୍ୟାଧୁନିକ ସହର ଛାଡି ତୁମର ସେଇ ନିପଟ ମଫସଲ ଗାଁ ରେ ଯାଇ ରହିବି. ଯେଉଁଠି ନାଁ ଭଲ ରାସ୍ତା ଟେ ଅଛି,ନାଁ ଭଲ ହସ୍ପିଟାଲ ଟେ,ନାଁ ଭଲ ଇଂରାଜୀ ମିଡିୟମ ସ୍କୁଲ ଟେ ଅଛି.ଦିନକୁ ଶହେ ଥର ପାୱାର କଟ୍ ହେଉଛି.ଆଉ ପାର୍କ କି ମଲ୍ କଥା ତ ଛାଡ଼.ମୋ ସ୍ତ୍ରୀ ଓ ପିଲାମାନେ କଣ ସେଠାକାର ଅସ୍ୱାସ୍ଥ୍ୟକର ପରିବେଶ ରେ ଆଡ଼ଜଷ୍ଟ କରିପାରିବେ? ସେମାନେ ପରା ସହରୀ ଚଳଣି ସହିତ ଅଭ୍ୟସ୍ତ ହୋଇ ଗଲେଣି.
ଆରେ ତୁ ଏମିତି କଣ କହୁଛୁ? ଆଜି କାଲି ପରା ସରକାର ଗାଁ ମାନଙ୍କୁ ସବୁ ସୁବିଧା ଯୋଗାଇ ଦେଲେଣି.ତା ଛଡ଼ା ତୁ ନିଜେ ତ ପୁଣି ଏଇ ଗାଁ ରେ ଜନ୍ମ ହୋଇ ଛୋଟରୁ ବଡ଼ ହୋଇଛୁ.ଏଇ କେତେ ବର୍ଷ ହେଲା ସିନା ବାଙ୍ଗାଲୋର ଗଲୁ.ବାପା ସେ ସମୟ ଅଲଗା ଥିଲା.ସରକାର ଯେତେ ସୁବିଧା ଦେଲେବି ସେ ଗାଁ ଟା କଣ ବାଙ୍ଗାଲୋର ଭଳି ଅତ୍ୟାଧୁନିକ ସହର ସହ କେବେ ତୁଳନୀୟ ହୋଇ ପାରିବ? ତୁମେ ମୋତେ ଏତେ ଉପଦେଶ ନ ଦେଇ ସିଧା ସିଧା କୁହ ତୁମେ ମୋତେ ଫ୍ଲାଟ୍ କିଣିବା ପାଇଁ ଟଙ୍କା ଦେବ ନାଁ ନାହିଁ ? କାରଣ ମୁଁ ,ମୋ ସ୍ତ୍ରୀ ଓ ପିଲା ମାନେ ତ ଆଉ ଗାଁ କୁ ଫେରିବାର ପ୍ରଶ୍ନ ଉଠୁନି.ରୋକ ଠୋକ ଶୁଣାଇ ଦେଲା ସଞ୍ଜୟ.
ଜୀବନ ବାବୁ କହିଲେ ଯାହା ତୋ ଇଚ୍ଛା.ଆଉ ମୁଁ ମଧ୍ୟ କହି ଦେଉଛି ମୋ ପାଖରେ ମଧ୍ୟ ଏତେ ଟଙ୍କା ନାହିଁ ତୋତେ ଦେବାପାଇଁ. ସାମାନ୍ୟ କିରାଣୀ ଚାକିରୀ ଟିଏ କରିଥିଲି. ସେଥିରେ ସାତ ପ୍ରାଣୀ କୁଟୁମ୍ବ କୁ ସମ୍ଭାଳି ବା କ'ଣ ସହଜ କଥା.ତା ପରେ ତୁମ ତିନି ଭାଇ ଭଉଣୀ ଙ୍କ ଉଚ୍ଚ ଶିକ୍ଷା ଓ ବିବାହ. ସେଇ ସ୍ବଳ୍ପ ଦରମାରେ ମଧ୍ୟ ତୁମ ମାନଙ୍କ ର ପ୍ରତ୍ଯେକ ଇଚ୍ଛା କୁ ପୁରଣ କରିବା ରେ ମୁଁ କେବେ କିଛି ହେଳା କରିନି. ଆଉ ରିଟାୟାର୍ଡ କରିବା ପରେ ଯାହା ସବୁ ଟଙ୍କା ପାଇଥିଲି ସେ ଟଙ୍କା ତ ତୋ ମାଆର ଚିକିତ୍ସା ଓ ଏଇ ଘର ତିଆରି ରେ ଖର୍ଚ୍ଚ ହୋଇଗଲା.
ଆଉ ଏବେ ପେନସନ୍ ଟଙ୍କା ରେ ମୋ ଖାଇବା ପାଇବା ଓ ଔଷଧ ଖର୍ଚ୍ଚ କଷ୍ଟେ ମଷ୍ଟେ ଉଠାଉଛି.ତୁମ ମାନଙ୍କୁ ତ କୈାଣସି ସମୟରେ କିଛି ବି ସାହାଯ୍ୟ ମାଗିନାହିଁ କି ତୋ ବୋଉ ଗଲା ପରେ ତୁମ ଉପରେ କେବେ ବୋଝ ହୋଇନି.ଆଉ ଏବେ ଏତେ ଗୁଡାଏ ଟଙ୍କା କେଉଁଠୁ ଆଣିବି?ବାପା ତୁମେ ସେ ଗାଁ ଘରଟିକୁ ବିକ୍ରୀ କରିଦିଅ.ତୁମେ ଏଇ ପରିଣତ ବୟସରେ ଆଉ ଗାଁ ରେ ଏକୁଟିଆ ରହିବା ଟା ଠିକ୍ ହେଉନି.ତୁମେ ଏବେ ବାଙ୍ଗାଲୋର ଆସି ମୋ ପାଖରେ ରୁହ.ତୁମର ଦୁଇ ଝିଅ ମଧ୍ୟ ଏଇଠି ରହୁଛନ୍ତି.ସେମାନେ ମଧ୍ୟ ମଝିରେ ମଝିରେ ଆସି ତୁମକୁ ଦେଖି ଯିବେ.ଆଉ ତୁମେ ମଧ୍ୟ ଚାହିଁଲେ ମଝିରେ ମଝିରେ ତାଙ୍କ ପାଖରେ ବୁଲି ଆସିବ.
ତୁମେ ଆମ ପାଖରେ ରହିଲେ ତୁମ ନାତି ନାତୁଣୀ ମଧ୍ୟ ଭାରି ଖୁସି ହେବ. ତା ଛଡ଼ା ଆମ ମାନଙ୍କ ର ତ ଆଉ ଗାଁ କୁ ଫେରିବାର ନାହିଁ.ତୁମ ଅନ୍ତେ ସେ ଘର କଥା ବୁଝିବ କିଏ?ଘରଟା ସେତେ ବେଳେ ତ ନିଶ୍ଚୟ ବିକ୍ରୀ ହେବ.ଖାଲି ମୋ ହାତରୁ ଏତେ ସୁନ୍ଦର ଫ୍ଲାଟ୍ ଟା ହାତ ଛଡ଼ା ହୋଇ ଯିବ ଯାହା.ତେଣୁ ତୁମେ ଏବେ ସେ ଘର ଟା ବିକ୍ରୀ କରି ମୋତେ ମୋ ଭାଗ ଟଙ୍କା ଟା ଦେଇ ଦିଅ.ପୁଅ ପାଖରୁ ଘର ବିକ୍ରୀ କଥା ଶୁଣି ଜୀବନ ବାବୁ ବାକ୍ ଶୂନ୍ୟ ହୋଇଗଲେ.ପୁଅ ସଞ୍ଜୟ କୁ କଣ କହିବେ କିଛି ଭାବି ପାରିଲେ ନାହିଁ.
କିଛି ସମୟ ଚୁପ୍ ରହି କହିଲେ ତୁ ୟେ କଣ କହୁଛୁ.ସାତ ପୁରୁଷର ଭିଟାମାଟି କୁ ବିକି ଦେବି.ଏଇ ଘର ଖଣ୍ଡେ କରିବୁ ବୋଲି ତୋ ବୋଉ ଓ ମୁଁ କେତେ ଯେ ପରିଶ୍ରମ କରିଛୁ ଠିକ୍ ନାହିଁ.ନିଜର କେତେ ଖୁସି କୁ ବଳି ଦେଇ ଅର୍ଥ ସଞ୍ଚୟ କରି ଥିଲୁ.ରାତି ରାତି ଉଜାଗର ରହି ମିସ୍ତ୍ରୀ ମାନଙ୍କ ସହ ମିସ୍ତ୍ରୀ ଭଳି ଖଟି ଏ ଘର ଖଣ୍ଡକ ଛିଡ଼ା କରିଛୁ. ମୁଁ ଅନେକ ମନା କରିଥିଲି.ହେଲେ ତୋ ବୋଉର ଏକ ମାତ୍ର ଜିଦି ବାପ ଜେଜେ ଅମଳର ତୁମର ପୁରଣା ଘର ଖଣ୍ଡକ ତ ଭାଙ୍ଗି ଗଲାଣି.ଆଉ କେତେ ଦିନ ପିଲା ଗୁଡା ମୋର ଖରା ବର୍ଷା ଖାଇ ଏ ଭଙ୍ଗା ଘରଟିରେ ପଡି ରହିବେ? ତେଣୁ ଘର ଟିଏ କରିବା କଥା ଚିନ୍ତା କାହିଁକି କରୁନ?ତା ଛଡ଼ା ଏକ ମାତ୍ର ପୁଅ ପାଇଁ କଣ ଘର ଖଣ୍ଡେ ବି ଛାଡ଼ି ଯିବନି.ବଡ ହେଲେ ସେ କଣ କହିବ? ଲୋକେ କ'ଣ କହିବେ.
ପରିଶେଷରେ ତୋ ବୋଉ ଜିଦି ଆଗରେ ମୁଁ ହାର ମାନି ଧାର ଉଧାର କରି ଏଇ ଖଣ୍ଡିଏ କରିଛି .ହେଲେ ଯେଉଁ ପୁଅ ପାଇଁ ସେ ଘର ତୋଳାଇ ଥିଲା ସେଇ ପୁଅ ଆଜି ଘରଟିକୁ ବିକ୍ରୀ କରି ଦେବାପାଇଁ କହୁଛି.ଜୀବନ ବାବୁ କହିଲେ ଵାଵା ଏଇଟା ତୋ ପାଇଁ ଖାଲି ଇଟା ପଥର ର ଘରଟିଏ ହୋଇପାରେ ହେଲେ ମୋ ପାଇଁ ଜୀବନ.ଏଇ ଘର ମୋ ପାଇଁ ସ୍ମୃତି ର ଗୋଟିଏ ଗନ୍ତାଘର. ଯେଉଁ ସ୍ମୃତି ପାଇଁ ଆଜି ମୁଁ ଜୀବିତ ଅଛି.ଏଇ ଘରର ପ୍ରତ୍ଯେକ କୋଣ ଅନୁକୋଣ ରେ ତୋ ବୋଉ ର ଉପସ୍ଥିତି କୁ ମୁଁ ଆଜି ବି ଅନୁଭବ କରୁଛି.ଆଉ ସେଇ ସ୍ମୃତି ଟିକକ କୁ ନେଇ ମୁଁ ଆଜି ବି ଜୀବିତ ଅଛି.
p> ଆଉ ତୁ କହୁଛୁ ମୁଁ ଘରଟିକୁ ବିକ୍ରୀ କରିଦେବି? ମୁଁ ଜୀବିତ ଥିବା ଅବସ୍ଥାରେ ଏ କଥା ସମ୍ଭବ ନୁହଁ. ମୁଁ ମଲା ପରେ ତୁ ଯାହା ଇଚ୍ଛା ତାହା କରିବୁ. ସଞ୍ଜୟ କହିଲା ଯଦି ଘର ବିକ୍ରୀ ନ କରିବ ତେବେ ତିରିଶ ଲକ୍ଷ ଟଙ୍କା ତୁମେ କେଉଁଠୁ ଆଣି ଦେବ ସେ କଥା ତୁମେ ଚିନ୍ତା କରିବ.ମୋର କିଛି ବୁଝିବାର ନାହିଁ.ତା ପର ପାଖରୁ ଟଙ୍କା ପାଇଁ ସବୁ ବେଳେ ବାପା ପୁଅ ଙ୍କ ଭିତରେ ଯୁକ୍ତି ତର୍କ ଲାଗି ରହିଲା. ଜୀବନ ବାବୁ ଙ୍କ ଝିଅ ମାନେ ମଧ୍ୟ ତାଙ୍କ ଭାଇ କୁ ସମର୍ଥନ କରି କହିଲେ ବାପା ତୁମେ ଥାଉ ଥାଉ ସବୁ ସମ୍ପତ୍ତି ବାଡ଼ି ବିକ୍ରୀ କରିଦେବା ଭଲ ହେବ.
ଆମେ ମାନେ କେହି ତ ଆଉ ଗାଁ କୁ ଯିବାର ପ୍ରଶ୍ନ ଉଠୁନି.ଆଉ ବୋଉ ଗଲା ପାଖରୁ ତୁମେ ଏକୁଟିଆ ଗାଁ ରେ ରହୁଛ.ଆମ ପାଖକୁ ଆସିବାକୁ ରାଜି ହେଉନ.ତୁମକୁ ଏତେ ବୟସ ହେଲାଣି. ତେଣୁ ତୁମର ଗାଁ ରେ ଆଉ ଏକୁଟିଆ ରହିବା ଟା ଠିକ୍ ହେଉନି.ଆମେ ତିନି ଜଣ ତ ବାଙ୍ଗାଲୋର ରେ ରହୁଛୁ.ତିନି ଜଣ ପାଳି କରି ଚାରି ମାସ ଲେଖା ତୁମକୁ ଆମ ପାଖରେ ରଖିବୁ.ଆମେ ତିନିହେଁ ମିଶି ସବୁ ସ୍ଥିର କରି ସାରିଛୁ.ତୁମେ ଆଉ ଅଜଥା ରେ ଜିଦି କରନି.ତୁମେ ଏକୁଟିଆ ଗାଁ ରେ ରହିଲା ବେଳକୁ ଲୋକ ମାନେ ଆମକୁ ଅନେକ କଥା କହୁଛନ୍ତି.ଆମେ ସମସ୍ତେ ମିଶି ଗାଁ କୁ ଆସୁଛୁ.ସେଠି ଲୋକ ଠିକ୍ କରି ଘରଟିକୁ ବିକ୍ରୀ କରି ଦେବୁ ଓ ତୁମକୁ ଆମ ସହ ବାଙ୍ଗାଲୋର ନେଇ ଆସିବୁ.ତୁମେ ଆଉ ମନା ନକର ଯେମିତି.
ପିଲା ମାନଙ୍କ ଜିଦି ଆଗରେ ଜୀବନ ବାବୁ ହାର୍ ମାନି ଯାଇଥିଲେ.ପରିଣତ ବୟସ ହୋଇ ଗଲେ ପ୍ରାୟ ସବୁ ବାପା ମାଆ ମାନେ ପିଲା ଙ୍କ ଆଗରେ ଅସହାୟ ପାଲଟି ଯାଆନ୍ତି.ତାଙ୍କର ଯୁକ୍ତି ଆଗରେ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ ହୋଇ ଥାଆନ୍ତି. ବାପା ମାଆ ମାନେ ସବୁ ବେଳେ ଏମିତି. ପିଲା ସାନ ଥିଲା ବେଳେ ତା ଜିଦି ଆଗରେ ହାର ମାନନ୍ତି. ଆଉ ବଡ ହୋଇ ଗଲାପରେ ତାଙ୍କ ଯୁକ୍ତି ଆଗରେ.ଆଉ ପିଲା ମାନେ ବାପାଙ୍କ ର ତ୍ୟାଗ କୁ ନାଁ ପିଲା ଥିଲା ବେଳେ ବୁଝନ୍ତି ନାଁ ବଡ଼ ହେଲା ପରେ? ସବୁ ବେଳେ କହନ୍ତି ବାପା ମାଆ ହୋଇଛ ପିଲା ମାନଙ୍କ ପାଇଁ ଏତିକି କରନ୍ତନି କି?ଆଉ ନିଜର ଯେତେବେଳେ ପାଳି ପଡେ,ସେତେବେଳେ କେମିତି ସେ ଦାଇତ୍ୱ ରୁ ଓହରି ଯିବେ ସେଥିପାଇଁ ବାହାନା ଖୋଜନ୍ତି.ଆଉ ପରସ୍ପର ଭିତରେ ନିଜ ଦାୟିତ୍ୱ କୁ ହସ୍ତାନ୍ତର କରିବା ପାଇଁ ଲାଗି ପଡନ୍ତି.
ଜୀବନ ବାବୁ ଭାବି ଚାଲିଛନ୍ତି କେତେ ଅଳ୍ପ ରୋଜଗାର ରେ ବି ସେ ତାଙ୍କ ବାପା ମାଆ ଓ ପିଲାଙ୍କ ପ୍ରତି ଥିବା ନିଜର କର୍ତ୍ତବ୍ୟ କୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ କେବେ ହେଳା କରି ନାହାଁନ୍ତି. ତାଙ୍କ ବାପା ମାଆ ଙ୍କୁ ତାଙ୍କ ଅନ୍ୟ ଭାଇ ଓ ଭଉଣୀ ମାନଙ୍କ ପାଖରେ ଛିଡିବା ତ ଦୂରର କଥା, ତାଙ୍କ ପାଇଁ କେବେ କାହା ଠାରୁ ଆର୍ଥିକ ସହାୟତା ମଧ୍ୟ ଲୋଡ଼ି ନଥିଲେ.ଅଥଚ ତାଙ୍କ ପିଲା ମାନେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରି ମଧ୍ୟ ତାଙ୍କୁ ପାଳି କରି ରଖିବେ ବୋଲି କହୁଛନ୍ତି.କେହି ଜଣେ ଏକୁଟିଆ ତାଙ୍କ ଦାଇତ୍ୱ ନେବାକୁ ଅମଙ୍ଗ ହେଉଛନ୍ତି.ତା ଛଡ଼ା ଏଠି ଗାଁ ସାଇ ପଡ଼ିଶା ଓ ତାଙ୍କ ସାଙ୍ଗ ସାଥି ଲୋକେ ଅଛନ୍ତି.ବେଳ ଅବେଳରେ ତାଙ୍କ ପାଖରେ ଛିଡ଼ା ହେଉଛନ୍ତି.ସେମାନଙ୍କ ମେଳରେ ସମୟ କଟି ଯାଉଛି. ସନ୍ଧ୍ୟା ବେଳକୁ ଜୀବନ ବାବୁ ତାଙ୍କ ବୟସର ଲୋକ ମାନଙ୍କ ସହ ମିଶି ଗାଁ ମନ୍ଦିର ପାଖରେ ଭୋଜନ କିର୍ତ୍ତନ କରୁଛନ୍ତି. ଗାଁ ପିଲା ମାନେ ମଧ୍ୟ ଭଲ ମନ୍ଦ ରେ ତାଙ୍କ ର ଉପଦେଶ ନେଉଛନ୍ତି ଆଉ ବାଙ୍ଗାଲୋର ଗଲାପରେ ସେ କଣ କରିବେ?ନାଁ ସେ ସେଠାକାର ଲୋକ ମାନଙ୍କୁ ଜାଣିଛନ୍ତି ,ନାଁ ଭାଷା ଶିଖିଛନ୍ତି? ତାଙ୍କ ପୁଅ, ବୋହୁ, ଝିଅ ଜ୍ବାଇଁ ସମସ୍ତେ ତ ଚାକିରିଆ.ତାଙ୍କ ପିଲା ମାନେ ମଧ୍ୟ ସ୍କୁଲ ଗଲେଣି.ଏ ସବୁ ଚିନ୍ତା ତାଙ୍କୁ ଭାରାକ୍ରାନ୍ତ କରିଦେଲା.
କଥା ଅନୁସାରେ ଠିକ୍ ପନ୍ଦର ଦିନ ପରେ ତାଙ୍କ ପିଲା ମାନେ ଗାଁ ରେ ଆସି ପହଞ୍ଚି ଗଲେ ଓ ଯଥା ଶୀଘ୍ର ଘର ବିକ୍ରି ପାଇଁ ପାର୍ଟି ଖୋଜିବା ରେ ଲାଗି ପଡ଼ିଲେ.କାରଣ ଯେତେ ଶୀଘ୍ର ଘର ବିକ୍ରୀ ହୋଇଯିବ ସେମାନେ ବାଙ୍ଗାଲୋର ଫେରିଯିବେ.କମ୍ପାନୀ ଚାକିରୀ ବେଶୀ ଦିନ ଛୁଟି ନାହିଁ.କିଛି ଦିନ ଭିତରେ ସେମାନେ ଘର କିଣିବା ପାଇଁ ଲୋକ ମଧ୍ୟ ପାଇଗଲେ.ସବୁ କାଗଜ ପତ୍ର ମଧ୍ୟ ରେଡ୍ଡୀ ହୋଇଗଲା. ଆସନ୍ତା କାଲି ସବରେଜିଷ୍ଟର୍ ଅଫିସ୍ ରେ ଜୀବନ ବାବୁ ବିକ୍ରୀ କବଲାରେ ସାଇନ୍ କରିଦେଲେ ଘର ବିକ୍ରୀ ହୋଇଯିବ.ଆଉ ତା ସହ ଶେଷ ହୋଇଯିବ ଗାଁ ରେ କଟିଥିବା ଜୀବନ ବାବୁ ଙ୍କ ଜୀବନର ସମସ୍ତ ଅଧ୍ୟାୟ.ଘର ବିକ୍ରୀ ଖୁସି ରେ ଜୀବନ ବାବୁ ଙ୍କ ପିଲାମାନେ ଆନନ୍ଦ ରେ ଖାଇ ପିଇ ଶୋଇ ଗଲେ.
ହେଲେ ଜୀବନ ବାବୁ ଙ୍କୁ ଜମାରୁ ନିଦ ହେଲା ନି.ଯେଉଁ ଘର ତାଙ୍କ ଜୀବନ ର ଅନେକ ସୁଖ ଦୁଃଖ ର ସାଥି ହୋଇ ଥିଲା ସେ ଘର ଆସନ୍ତା କାଲି ଆଉ ତାଙ୍କ ର ହୋଇ ରହିବନି.ତାଙ୍କୁ ନିଦ ହେବ କେମିତି? ତା ପର ଦିନ ସକାଳୁ ଶୀଘ୍ର ଉଠି ତାଙ୍କ ପିଲା ମାନେ ସଵରେଜିଷ୍ଟର୍ ଅଫିସ୍ ଅଭିମୁଖେ ବାହାରିବା ପାଇଁ ରେଡ୍ଡୀ ହେଲେ. ହେଲେ ବାପା ଏତେ ସମୟ ଯାଏଁ କୁଆଡେ ଗଲେ?ତାଙ୍କ ବଡ଼ ଝିଅ ବାପାଙ୍କ ରୁମ୍ କୁ ଯାଇ ତାଙ୍କୁ ଏତେ ସମୟ ଧରି ଶୋଇଥିବା ର ଦେଖି କହିଲା ବାପା ଶୀଘ୍ର ଉଠ. ସବରେଜିଷ୍ଟର ଅଫିସ୍ ଯିବା ପରା.ଜୀବନ ବାବୁ କିଛି ଜବାବ୍ ନ ଦେବାରୁ ତାଙ୍କୁ ହଲାଇ ଦେବାରୁ ସେ ଖଟରୁ ତଳକୁ ଗଢ଼ି ପଡ଼ିଲେ. ସେତେବେଳକୁ ଜୀବନ ବାବୁ ଙ୍କ ଶରୀରରେ ଆଉ ପ୍ରାଣ ନ ଥାଏ.
ଯେଉଁ ଘରେ ଜୀବନ ବାବୁ ଙ୍କ ଜୀବନ ର ସବୁ ଦୁଃଖ ସୁଖ ସମୟ ଵିତିବା ସହ ତାଙ୍କ ସ୍ବର୍ଗତା ପତ୍ନୀ ଙ୍କ ସମସ୍ତ ସ୍ମୃତି ଜଡ଼ିତ ଥିଲା, ତାକୁ ନିଜ ହାତରେ ବିକ୍ରୀ କରି ଦେଇ ସେ କେମିତି ଜୀବିତ ରହିଥାଆନ୍ତେ. ତେଣୁ ଘର ବିକ୍ରୀ ହେବା ପୂର୍ବରୁ ସେ ନିଜେ ହିଁ ସବୁ ଦିନ ପାଇଁ ଘରକୁ ଛାଡି ଆର ପାରିକୁ ଚାଲିଯାଇଥିଲେ.