sushama Parija

Inspirational

3.1  

sushama Parija

Inspirational

ଘର ବାହୁଡା

ଘର ବାହୁଡା

7 mins
653



ରମା ବୋଉର ଗୋଡ ତଳେ ଲାଗୁ ନଥିଲା । ବାଆସ୍ତରୀ ବର୍ଷର କ୍ଷୀଣ ଶରୀର ଟାରେ ପର ଲାଗି ଯାଇଥିଲା ଯେମିତି, ଖାଲି ଘରୁ ବାହାର ବାହାରୁ ଘର ଏମିତି ହେଉଥିଲା । ଗାଆଁ ଦାଣ୍ଡରେ ଯାହାକୁ ବି ଦେଖୁଥିଲା। ଉପରେ ପଡି କହି ହେଉଥିଲା “ ଜାଣିଛ! କାଲି ମୋ ପୁଅ ଆସୁଛି ତା’ ସ୍ତ୍ରୀ ଆଉ ପୁଅକୁ ଧରି ମତେ ଦେଖିବାକୁ ଯାଏଁ ଲୋ ମା ! ମୋର ତେଣେ କେତେ କାମ ପଡିଛି” କଥା ଗୁଡିକ କହିଲା ବେଳକୁ ତା’ର ମୁହଁ ଟା ଉଜ୍ବଳି ଉଠୁଥିଲା ଗୋଟିଏ ଅପୂର୍ବ ଆଭାରେ । କାହିଁକି ହେବନି ଯେ? ଆଜି ସାତ ବର୍ଷ ପରେ ତା’ର ପୁଅ,ବୋହୁ, ନାତି ସମସ୍ତେ ଆସୁଛନ୍ତି ତା’ ପାଖକୁ । ପୁଣି ପୁରା ସପ୍ତାହଟିଏ ରହିବା ଲାଗି ।ସାତ ବର୍ଷ ହେଲା ତରସି ଯାଇଥିଲା ରମାବୋଉ ନାତିକୁ ଟିକିଏ କୋଳରେ ଧରିବ, ଟିକିଏ ଗେଲ କରିବ ବୋଲି କେତେ ଆଶା କରି ବସିଛି । କେତେ କେତେ ସ୍ୱପ୍ନ ଦେଖିଛି ତା’ କେବଳ ସେ ହିଁ ଜାଣେ ଆଉ ମା’ କାଳୁଆଶୁଣୀ ଜାଣନ୍ତି । 

ବାର ବର୍ଷର ବାପ ଛେଉଣ୍ଡ ରମା କୁ ନିଜ ହାଡ ରୁ ମାଉଁସ ଝାଡି ମଣିଷ କରିଥିଲା ରମାବୋଉ । ଏକୁଟିଆ ମାଇପି ଟେ ବୋଲି ସଂସାରକୁ ଡରି ନଥିଲା ରମା ଥିଲା ତା’ର ଜୀବନର ଧନ ।  ତା’କୁ କୋଇଲି ଭଳିଆ ପକ୍ଷ ଘୋଡେଇ ସେ ସବୁ ଝଡ ବତାସ ସହିଥିଲା । ପରଘରେ କାମ କରି, କାହାର ବିରି ବଟା, କାହାର ଚୁନା କୁଟା, କାହାର ଧାନ ବସା କାମ କରି ପାଠ ପଢେଇଥିଲା ରମା କୁ । ଭାତ ରାନ୍ଧି ନିଜେ ତୋରାଣି ମନ୍ଦାକ ପିଇ ଦୁଇ ଓଳା ପେଟ ପୁରା ଭାତ ଖୁଆଇ ବଢେଇଥିଲା ପୁଅକୁ । ବଡ ହୋଇ ସେ ବୁଢୀ ହେଲା ବେଳକୁ ମୁଠାଏ ଭାତ ଆଉ ମୁଠାଏ ନିଆଁ ଦେବ ବୋଲି ଆଶା କରିଥିଲା ହେଲେ ନଅ ବର୍ଷ ତଳେ ଯେତେବେଳେ ରମା ଭୁବନେଶ୍ଵରରେ ନଅତାଲା ଅଫିସ୍ ରେ ଚାକିରୀଟିଏ ପାଇ  । ସେଇଠି ତରୁଲତାକୁ ଭଲପାଇ କୋର୍ଟରେ ବାହା ହୋଇ ଗାଆଁକୁ ଆଣି ଆସିଲା । ସେଇଦିନ ତା’ର ସବୁ ଆଶା ନଈ ପାଣିରେ ବୋହିଗଲା ।  କେତେ ଆଶା କରିଥିଲା ରମାବୋଉ , ଗୋଟିଏ ବୋଲି ପୁଅ ମୁଣ୍ତରେ ଦୋଳ ମୁକୁଟ ପିନ୍ଧିବା, ନୂଆ ବୋହୁ କେତେ ଯାନିଯଉତୁକ ଆଣି ଘରେ ପୁରେଇବ । ବୋହୁ ଠାରୁ ସେବା ଶୁଶ୍ରୁଷା ପାଇ ଜୀବନର ସବୁ ଦୁଃଖ ଭୁଲିଯିବ ସେ । ରମାବୋଉର ଘର ହସି ଉଠିବ ନାତି ନାତୁଣୀଙ୍କୁ କୋଳରେ ଧରି । ସବୁ ସ୍ୱପ୍ନ ଧୂଳିସାତ୍ କରି ଦିନ ଚାରିଟା ନଯାଉଣୁ ବୋହୂକୁ ସାଥିରେ ଧରି ଭୁବନେଶ୍ଵରରେ ଭଡାଘରେ ରହିବାକୁ ଚାଲିଗଲା ରମା । ବୋହୁକୁ କୁଆଡେ ଗାଆଁର କାଦୁଅ ପଚପଚ ରାସ୍ତା, ବିଜୁଳି ଆଲୁଅ,ପଙ୍ଖା ନଥିବା ଘରଦ୍ବାର ,ସର୍ବୋପରି ରମାବୋଉର ସେ ପୁରୁଣା କାଳିଆ ନୀତି ନିୟମ ସବୁ ଅଣନିଃଶ୍ବାସୀ କରି ପକେଇଲା । ରମାବୋଉକୁ ବେଶୀ ଖରାପ ଲାଗୁଥିଲା ଏଇଥି ପାଇଁ ଯେ ତା’ର ଆପଣାର ପୁଅ ରମା ଘରୁ ବୋହୁକୁ ନେଇ ଯିବା ପୂର୍ବରୁ ଥରେ ହେଲେ ବି ପଚାରିବା ପାଇଁ ଉଚିତ୍ ମଣିଲାନି ତା’କୁ । ଛାତିରେ ଛାତିଏ କୋହ ଧରି ସେମିତି ଭୋକ ଉପାସରେ ବାଡି ପଟ ବାରଣ୍ଡାରେ ବସି ରହିଥିଲା ସେ। ଆଖିରୁ ଝରି ଆସୁଥିବା ଲୁହକୁ ଲୁଗା କାନିରେ ପୋଛି ପକାଉଥିଲା । କାଳେ ଲୁହ ଗଡିଲେ ପୁଅର ଅମଙ୍ଗଳ ହେବ । ସେଇ ଆଶଙ୍କା ରେ। ଦୁଃଖରେ ଛାତି ଫାଟି ଗଲାପରି ଲାଗୁଥିଲା ।

ଅଟୋରିକ୍ସା ଡାକି ଘରୁ ବାହାରି ଗଲାବେଳେ ବୋହୁ ମୁଣ୍ଡିଆ ମାରିବାକୁ ଆସିଲା ବେଳକୁ ରମା କହିଲା “ ତରୁଣୀ ଏଠି ଚଳି ପାରିବ ନାହିଁ ବୋଉ, ପିଲାଟିବେଳୁ ସେ ସହରରେ ବଢି ଆସିଛି ତ, ସେଇଥିପାଇଁ ଏଠି ଚଳି ପାରୁନି,ମୁଁ ଯାଉଛି ସେଠି ତା’ ବାପଘରେଛାଡି ବସାଘର ଟିଏ ଖୋଜିବି ସବୁ ସୁବିଧା ହେଲେ ଆସି ତତେ ନେଇଯିବି ଗାଆଁ ରୁ “। ହୁଁ , ଚୁଁ, ବୋଲି ପାଟି ଖୋଲି ନଥିଲା ରମାବୋଉ । ସେମାନଙ୍କ ଯିବାପରେ ସାରାଦିନ ସେଇଠି ସେମିତି ବସି ରହିଥିଲା । ଗାଆଁ ଲୋକେ ଜାଣିଲେ, କହିଲେ “ ରମାବୋଉ ଟା ନରଖରୀ, ନୂଆବୋହୂ ଟାକୁ ଦି’ଦିନ ଚଳେଇଲାନି ଯେ ପୁଅ ନେଇ ସହରକୁ ପଳେଇଲା “। ସବୁ ନିନ୍ଦା ଅପବାଦକୁ ହଜମ କରି ଏକୁଟିଆ ପଡି ରହିଲା ରମାବୋଉ ।ପ୍ରଥମେ ପ୍ରଥମେ ରମା ମାସକୁ ଥରେ ଆସି ତା’ ଖବର ବୁଝାବୁଝି କରି ଯାଉଥିଲା,ଅଭିମାନରେ ସେ ଟଙ୍କାପଇସା ଫେରେଇଦେଉଥିଲେ ବି ରାଣ ନିୟମ ଦେଇ ହାତରେ ଗୁଞ୍ଜି ଦେଇ ଯାଉଥିଲା ।

ଧୀରେ ଧୀରେ ରମାର ଗାଆଁକୁ ଆସିବାର ବ୍ୟବଧାନ ବଢି ବଢି ଶେଷରେ ତିନିବରଷ ତଳେ ନାତିଟିଏ ହେବା ଦିନ ଠାରୁ ଏକବାର ବନ୍ଦ ହୋଇ ଯାଇଥିଲା । ରମାବୋଉ ଗାଆଁ ଲୋକଙ୍କ ଠାରୁ ଖବର ପାଇଥିଲା ରମାର ପୁଅଟିଏ ହେଇଛି । ନାତିକୁ ଦେଖିବାକୁ ମନ ହାଇଁପାଇଁ ହେଉଥିଲେ ବି ରମା ଥରଟିଏ ଆସି ଡାକି ନଥିଲା ତା’କୁ । ଗାଆଁ ଲୋକ କେହି ହାବୁଡା ଝଟକା ଭେଟ ହୋଇଗଲେ କାର୍ଯ୍ୟବ୍ୟସ୍ତତା ହେତୁ ଗାଁ କୁ ଯାଇ ପାରୁନି ବୋଲି ସଫେଇ ଦିଏ ରମା ହେଲେ ସେମାନେ ଆସି ଆଉ ଦି’ ଟା ରଙ୍ଗ ଲଗେଇ ଗପନ୍ତି ରମାବୋଉ ଆଗରେ।କାଟ ଘା’ ରେ ଚୂନ ହୋଇଥିଲା ଭଳିଆ ଲାଗେ ରମାବୋଉକୁ। ସେଦିନ ଆଉ ଦାନା ପାଣି ରୁଚେନାଇଁ ତା’କୁ । ରାତି ସାରା ରମା କଥା ଭାବି ଆଖିରେ ନିଦ ଆସେନାହିଁ ।ଏଇ ସାତ ବର୍ଷ ଭିତରେ ମହାନଦୀରେ ଅନେକ ପାଣି ବୋହି ଯାଇଛି । ରମାବୋଉର ଭଙ୍ଗା ଚାଳଘରଟି ଇନ୍ଦିରା ଆବାସ ଯୋଜନାରେ କୋଠାଘର ହୋଇଛି, ଗାଆଁକୁ ଲାଇଟ୍ ଆସିଛି ,ଏବେ ଘରେ ଘରେ ଟିଭି, ଫ୍ରିଜ୍,ମୋଟର ସାଇକେଲ ,ମୋଟା ମୋଟି ଭାବେ କହିଲେ ସହରର ରଙ୍ଗ ଲାଗିଛି ଗାଆଁ ରେ। ଗଲା ସପ୍ତାହରେ ଭୟଙ୍କର ବାତ୍ୟା ପବନ ହୋଇଥିଲା । ଘରଦ୍ବାର ସବୁ ଭାଙ୍ଗି ନେଲା ଗଛ ସବୁ ଭାଙ୍ଗି ଗାଆଁ ଗଣ୍ଡା ଛାରଖାର ହେଲା । ବର୍ଷେ ଦି’ ବର୍ଷ ରେ ଏମିତି ବାତ୍ୟା, ବନ୍ୟା ଦେଖି ଦେଖି ଗାଆଁ ଲୋକଙ୍କର ଦେହସୁହା ହୋଇଗଲାଣି । ତେଣୁ ଆଉ ସେମାନଙ୍କୁ ବେଶୀ ବାଧୁନାହିଁ । ଏଇ ସବୁ ବିପର୍ଯ୍ୟୟର ସାମନା କରିବାକୁ ସେମାନେଯେମିତି ନିଜକୁ ପ୍ରସ୍ତୁତ କରିବା ଶିଖି ସାରିଛନ୍ତି ।

ବାତ୍ୟା ପରେ ଦି’ଦିନ ଛାଡି ଗାଆଁ ରୁ ସୁରଥ ସାହୁ ଯାଇଥିଲା ଭୂବନେଶ୍ବର ତା’ ଦୋକାନ ପାଇଁ ସଉଦାପତ୍ର ଆଣିବାଲାଗି, ସେଇଠି କୁଆଡେ ଭେଟ ପଡିଗଲା ରମା ସାଥିରେ । ରମା ତା’କୁ ଦେଖି କୁଣ୍ଢେଇ ପକେଇଲା ଆଉ ଭୋ ଭୋ କରି କାନ୍ଦି ପକେଇଲ କୁଆଡେ ଗାଆଁ ଓ ମାଆର କଥା ମନେ ପକେଇ। କହିଲା “ ମୋ’ ବୋଉ କୁ କହିବ ସୁରିଆ ଦାଦି ! ମୁଁ ତା’ର ଅଧମ ପୁଅ ଟା, ବହୁତ କଷ୍ଟ ଦେଇଛି ତା’କୁ ହେଲେ ଆଜି ମୋର ପୁଅ କୁ ଦେଖିଲେ ତା’ କଥା ମୋର ବହୁତ ମନେ ପଡୁଛି, କେତେ କଷ୍ଟ କରି ସେ ମତେ ମଣିଷ କରିଥିଲା ସେ, ସବୁ ମତେ ଜଳଜଳ ହୋଇ ଦିଶି ଯାଉଛି । ମୁଁ କାଲି ଆଡକୁ ପିଲାଙ୍କୁ ନେଇ ଗାଆଁ କୁ ଯିବି, ତା’ ଗୋଡ ତଳେ ପଡି କ୍ଷମା ମାଗିବି, ମୋ’ ବୋଉ କ’ଣ ମତେ କ୍ଷମା କରିବନି ? ମୁଁ ଜାଣେ ମୋର ବୋଉ ସୁନାମୁଣ୍ଡା ଟିଏ ମୋ’ ଆଖିରେ ଟୋପାଏ ଲୁହ ଦେଖି ସହିପାରେନି ସିଏ । ମୋତେ ମୋଟେ ଟାଣ କଥା କହେ ନାହିଁ । ନିଶ୍ଚୟ ଆମକୁ କ୍ଷମା କରି କୋଳକୁ ଟାଣି ନେବ ସେ”। ସୁରଥ ସାହୁ ତା’କୁ ଆଶ୍ୱାସନା ଦେଇ ବୁଝାଶୁଝା କରି ତୁନି କରେଇଥିଲା ଆଉ କହିଥିଲା “ ଆରେ ରମା ! ଗଲା କଥା ସବୁ ତ ଗଲାଣି , ଆଉ ତୋ’ ବୋଉ ପରା ତୋ’ର ଆସିବା ବାଟକୁ ଚାତକ ପରି ଚାହିଁ ବସିଛି । ତୋ’ କଥା ଶୁଣିଲେ ସେ ମନା ଗାତ ରୁ ଉଠି ଆସିବ, ଆଉ ପଛ କଥା କ’ ଣ ତା’ ମନରେ ଅଛି? ଆରେ ପୁଅ ଯଦି ଜଙ୍ଘରେ ଝାଡା କରିଦିଏ ,ମାଆ କ’ଣ ତା’ ଜଙ୍ଘକୁ କାଟି ଫିଙ୍ଗି ଦିଏ କି? ତୁ ଖାଲି ତା’ ପାଖରେ ପହଞ୍ଚି ବୋଉ ବୋଲି ପଦେ ଡାକି ଦେଲେ ତା’ର ସବୁ ଦୁଃଖ ପାଶୋରି ଦେବ ସିଏ । ହଉ, ତୁ କାଲି ଆସିଲେ ଦେଖିବୁନି ବଳେ” । ରମା ତରବର ହୋଇ ଜୁହାର ପକେଇ ଫେରି ଯାଇଥିଲା ବସା ଘରକୁ ତା’ ପିଲାପିଲି ଙ୍କୁ ସଜାଡି ହୋଇ ବାହାରିବା ଲାଗି କହିବାକୁ ।


ସଞ୍ଜ ବେଳକୁ ରମା ତା’ର ସ୍ତ୍ରୀ ଆଉ ପୁଅକୁ ଧରି ଗାଆଁ ରେ ପହଞ୍ଚିଲା ବେଳକୁ ରମାବୋଉ ଘର ବାରଣ୍ଡାରେ ଅପେକ୍ଷା କରି ବସି ରହିଥିଲା। ସେମାନଙ୍କ ଟ୍ୟାକ୍ସି ଅଟକିବା କ୍ଷଣି “ ଆଲୋକ ମୋ ଧନ ଆଇଲାଣି “ କହି ଧାଇଁ ଆସି ଆଗ ନାତି କୁ ଧରି କାଖେଇ ପକେଇଲା, ପୁଅ କୁ ଆଉଁସି ଦେଇ” ଧନ ମୋର କେଡେ ଶୁଖିଲା ଦିଶୁଛି” କହି କାନିରେ ମୁହଁ ପୋଛିଦେଲା । ବୋହୁ ଗାଡିରୁ ଓହ୍ଲାଇ ସନ୍ତର୍ପଣ ରେ ମୁଣ୍ଡିଆ ମାରିବାକୁ ନଇଁ ପଡିଲା ବେଳକୁ ତା’କୁ କୋଳେଇ ନେଇ “ ମୋ ଲକ୍ଷ୍ମୀ ସାଆନ୍ତାଣୀ ଲୋ, ତୋ ହାତ କାଚ ବଜ୍ର ହୋଇଥାଉ “ ବୋଲି ଆଶୀର୍ବାଦ କରି ଆନନ୍ଦ ରେ ଘର ଭିତରକୁ ପାଛୋଟି ନେଲା ରମାବୋଉ । ଲଜ୍ଜା ଆଉ ଆତ୍ମ ଦହନରେ କୁହୁଳି ଯାଉଥିଲା ବୋହୁର ମନ। ମନେ ମନେ ଭାବୁଥିଲା ସେ କେଡେ ମହତ୍ ଏଇ ନିର୍ମାୟା ଶାଶୁଟି ତା’ର ! ଯାହାକୁ ଦିନେ ପର କରି ଦେଇ ତା’ର ଏକମାତ୍ର ସମ୍ପତ୍ତି ତା’ ପୁଅକୁ ତା’ ପାଖରୁ ଦୂର କରି ଦେଇଥିଲା ସେ ନିଜର ସୁନ୍ଦର ଭବିଷ୍ୟତ ଗଢିବାକୁ । ଏମିତିକି ନାତିଟିଏ ହେବା ପରେ ମଧ୍ୟ ତା’କୁ ଖବର ଟିକିଏ ଦେଇ ନଥିଲା ଆଜି ସେଇ ମାଆ ତା’ର ସବୁ ଦୋଷ । ସବୁ ଅପମାନ ପାଶୋରି ଦେଇ ତା’କୁ କେତେ ଆନନ୍ଦ ରେ ସଙ୍ଖୁଳି ନେଉଛି କେତେ ସ୍ନେହ ଶ୍ରଦ୍ଧା ଅଜାଡି ଦେଉଛି। । ଯେଉଁ ବାପଘର ବଡଲୋକି ଦେଖେଇ ଶାଶୁଘର ଛାଡି ଆସି ନିଜର ନୂଆ ସଂସାର ଗଢିଥିଲା ଆଜି ସେମାନେ ଏଇ ବିପଦ ସମୟରେ ଟିକିଏ ଆହା କହିବାକୁ ମଧ୍ୟ ଆସିଲେନି, ନିଜର ଭାଇ ଭାଉଜ ତ ସିଧା ସଳଖ ମନା କରିଦେଲେ “ ଆମର ନିଜ କଥା ନିଜକୁ ଅସମ୍ଭାଳ, ତୁମ କଥା କିଏ ବୁଝିବ? ନିଜ ବ୍ୟବସ୍ଥା ନିଜେ କର” ବୋଲି କହି ମୁହଁ ମୋଡିଦେଲେ, ସେତେବେଳେ କେତେ ଅସହାୟ ହୋଇ ପଡିଥିଲେ ସେମାନେ । ଭୟଙ୍କର ସାମୁଦ୍ରିକ ଝଡ ଫନୀ ର ପ୍ରଭାବ ରେ ଯେତେବେଳେ ସାରା ଭୁବନେଶ୍ଵର ଛିନ୍ ଛତ୍ର ହୋଇ ଶ୍ମଶାନ ପାଲଟି ଯାଇଥିଲା, ବିଜୁଳି, ପିଇବା ପାଣିର ଅଭାବ ରେ ଜନ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ହାତରେ ପଇସା ଧରି ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ କିଣି ପରିବାର ଚଳେଇବା ଅସମ୍ଭବ ହୋଇ ପଡିଥିଲା । ସେଇ ସମୟରେ ଜଣେ ପଡୋଶିନୀ ଗାଆଁ କୁ ଚାଲି ଯାଉଛନ୍ତି ଭୁବନେଶ୍ଵର ରେ ସବୁ ଠିକ୍ ଠାକ୍ ହେଲେ ଆସିବେ ବୋଲି ଶୁଣିଥିଲା ତରୁଲତା । ରମାକାନ୍ତକୁ ବୁଲେଇବଙ୍କେଇ କହିଥିଲା ସେଇ କଥା ହେଲେ ରମାକାନ୍ତ ରାଜି ହୋଇନଥିଲେ । ଓଲଟା ରାଗ ତମତମ ହୋଇ କହିଥିଲେ “ ସାତ ବର୍ଷ ହେଲା ଗାଆଁ ଆଉ ମାଆ ସହିତ ସବୁ ସମ୍ପର୍କ ତୁଟେଇ ତୁମରି କାନି ଧରି ବୁଲୁଛି, ଆଉ କୋଉ ମୁହଁ ଅଛି ଯେ ଗାଆଁ କୁ ଯିବି? “ ।

ତରୁଲତାଙ୍କର ବହୁତ ବାଧ୍ୟବାଧକତାରେ ରାଜି ହୋଇଥିଲେ ରମାକାନ୍ତ । ଯୋଗକୁ ରମାକାନ୍ତର ଭେଟ ପଡିଗଲା ଗାଆଁ ର ସୁରିଆ ଦାଦିଙ୍କ ସାଥିରେ । କେଡେ ନିର୍ମଳ ହୃଦୟରେ ସିଏ କହିଦେଲେ ଗାଆଁ କୁ ଆସିବା କଥା । ତରୁଲତା ମନେମନେ ଭାବୁଥିଲା ଶାଶୁ ନିଶ୍ଚୟ ଦି’ ଚାରିପଦ ଭଲକରି ଶୁଣେଇବେ । ତାଙ୍କ ପ୍ରତି କରିଥିବା ସବୁ ଅନ୍ୟାୟର ଗୋଟି ଗୋଟି କରି ବର୍ଣ୍ଣନା କରିବେ, ହୁଏତ ଦାଣ୍ଡ ଦୁଆରୁ ଫେରେଇଦେଇ ପାରନ୍ତି ମଧ୍ୟ, ହେଲେ ସେମିତି କିଛି ବି ଘଟିଲାନି। ତା’ର ଘୃଣା ବଦଳରେ ତା’କୁ ମିଳିଲା ଆଦର ତା’ର ଅସୂୟା ବଦଳରେ ତା’କୁ ମିଳିଲା ସ୍ନେହ ଶ୍ରଦ୍ଧା ତା’ ମଣିଷ ପଣିଆ ତା’କୁ ଧିକ୍କାର କରୁଥିଲା । ଅନ୍ତଃର୍ମନରୁ ବାରମ୍ବାର ସ୍ୱର ଶୁଭୁଥିଲା “ ତୁ ଭୁଲ କରିଛୁ ତରୁଲତା ଦେଖ କେତେ ଶାନ୍ତ ସରଳ ଲୋକ ଏମାନେ ତୋର ବିଗତ ଦିନର କୌଣସି କଥା କୌଣସି ଆଘାତ ଏମାନଙ୍କ ମନକୁ କଳୁଷିତ କରି ନାହିଁ । ଏମାନଙ୍କୁ ଦିନେ ଅମଣିଷ, ଅଶିକ୍ଷିତ,ଅସଭ୍ୟ ବୋଲି ଗୋଡରେ ଆଡେଇ ଦେଇ ତୁ ଚାଲି ଯାଇଥିଲୁ । ଆଜି ସେଇମାନେ ତତେ ବିପଦ ବେଳେ ଆଶ୍ରୟ ଦେଉଛନ୍ତି । କେତେ ସ୍ନେହ ଶ୍ରଦ୍ଧା କରୁଛନ୍ତି, ଦରିଦ୍ର ଏମାନେ ନା ତୋ’ର ତଥା କଥିତ ସହରୀ ଲୋକମାନେ? ସ୍ୱାର୍ଥବାଦୀ କିଏ? ତୁ ନା ତୋର ଶାଶୁ? ପଶ୍ଚାତାପର ଅଶ୍ରୁ ନିଗିଡି ଆସୁଥିଲା ତରୁଲତାର ଆଖିରୁ । ପଛକୁ ବୁଲି ପଡି ସେ ଶାଶୁଙ୍କୁ ଜାବୁଡି ଧରି ଭେଁ ଭେଁ କାନ୍ଦି ଉଠିଲା, ତାଙ୍କ ପାଦ ଦୁଇଟି ଉପରେ ମୁଣ୍ଡ ରଖି କହିଲା “ ମୋତେ କ୍ଷମା କରି ଦିଅ ବୋଉ ! ମୁଁ ବହୁତ ଭୁଲ୍ କରିଛି, ତୁମ ପାଖରୁ ତୁମ ପୁଅକୁ ଛଡେଇ ନେଇଛି । ତୁମକୁ ବହୁତ ହତାଦର କରିଛି ମୋ ଆଖିରେ ସ୍ୱାର୍ଥର ପଟି ବନ୍ଧା ହୋଇଥିଲା ବୋଉ । ମୁଁ ଚଣ୍ଡାଳୁଣୀ ମଣିଷ ଚିହ୍ନି ପାରିଲିନି ତମେ ମତେ ଯାହା ଦଣ୍ଡ ଦେବ ଦିଅ ବୋଉ! ମୁଁ ସବୁ ସହିବି, ହେଲେ ଆଉ ଏଠାରୁ ତମକୁ ଛାଡି କୁଆଡେ ଯିବିନି । ଆଜିଠୁ ଏଇଠି ରହିବା ଆମେ ସମସ୍ତେ ଏକାଠି।ତୁମ ପୁଅ ଶନିବାର ରବିବାର ଗାଆଁ କୁ ଆସି ଆମ କଥା ବୁଝାବୁଝି କରି ଯିବେ। ତମେ ମତେ କ୍ଷମା କରି ଦିଅ ବୋଉ” । ରମାର ଆଖିରୁ ଧାର ଧାର ହୋଇ ଲୁହ ଗଡି ପଡୁଥିଲା ତରୁଲତାର ମୁଣ୍ଡ ଉପରେ ଟୋପା ଟୋପା ଆଶୀର୍ବାଦ ହୋଇ। ଟିକିଏ ଦୂରରେ ଠିଆ ହୋଇଥିବା ରମାକାନ୍ତ ପାପୁଲିରେ ଲୁହ ପୋଛୁଥିଲା । ଘର ଅଗଣାରେ ପଡିଥିଲା ଜହ୍ନ ଆଲୁଅଟା ଖୁବ୍ ଉଜ୍ଜ୍ବଳ ଦିଶୁଥିଲା । ବୋଧହୁଏ ସମସ୍ତଙ୍କ ମନରେ ଥିବା କାଳିମା ସବୁ ଧୋଇ ଯାଇଥିଲା ପଶ୍ଚାତାପର ଅଶ୍ରୁରେ ।



Rate this content
Log in

Similar oriya story from Inspirational