ଗୌତମୀ ନଦୀର ତୀରେ
ଗୌତମୀ ନଦୀର ତୀରେ


ସହଧର୍ମିଣୀ ସୁରୁ ( ସରସ୍ଵତୀ ) ସହିତ ଶରତ ସନ୍ଧ୍ୟାର ଏକ ମନୋହର ସମୟ କଟେଇବାକୁ ସଜବାଜ ହୋଇ ନୂତନ ନୂତନ ଘର ସଂସାର ଆରମ୍ଭକରିଥିବା ପୁଡୁଚେରୀ କେନ୍ଦ୍ରଶାସିତ ପ୍ରଦେଶର ୟାନମ ନବୋଦୟ ବିଦ୍ୟାଳୟର ଇତିହାସ ଶିକ୍ଷକ ରଣଜିତ ମିଶ୍ର ବାବୁ ସହର ଉପକଣ୍ଠରେ ପ୍ରବାହିତ ଗୌତମୀ ନଦୀକୂଳରେ ଧାଡି ଧାଡି ଲୌହ କମକୁଟରେ ଅଙ୍କିତ-ସଜ୍ଜିତ-ଚିତ୍ରିତ ବେଞ୍ଚ ଉପରେ ବସୁ ବସୁ , ସ୍ନେହିଳ ହସ୍ତକୁ ପ୍ରଣୟିନୀର ଭୁରୁଭୁରୁ ଗଜରା ବନ୍ଧା କବରୀ କାନ୍ଧରେ କସୁ କସୁ କେହି ଜଣେ ତେଲୁଗୁ ଭାଷାରେ ପଚାରି ବସିଲା ---
“ୱାକର ରୂପିଏ ଉବଣ୍ଡି ବାବୁ ! ଦେଉଡୁ ମୀମାଲ୍ଲୀ ଚାଲାଗା ଚୁସ୍ତାଡୁ” --- (ଗୋଟିଏ ପଇସା ଦିଅ ବାବୁ ! ଭଗବାନ ତୁମର ମଙ୍ଗଳ କରିବେ )
ମୁଁହ ଫେରି ପଛକୁ ଚାହିଁଲେ ମିଶ୍ର ବାବୁ । ସ୍ମସୃଧାରୀ ମଇଳା-ଫଟା କପଡାରେ ପରିବେଷ୍ଟିତ ଜଣେ ଦୀର୍ଘକାୟ ପତଳା ମଶିଷ । ବୟସ ସଠିକ ଜାଣି ହେଉନଥିଲେବି ପାଖା ପାଖି ୩୦ -୩୫ଟି ବସନ୍ତ କଟେଇଥିବ । ହାଡୁଆ ଶରୀରକୁ ନୁଖୁରା ବୋଝେ ବାଳ ମଥା ଉପରେ ଆଲୁରୁ ବାଲୁରୁ ଢଙ୍ଗରେ ଦୋଳିଖେଳୁଛି ସମ୍ବାଳୁଆ ପରି । ପ୍ରାୟ ଭିକାରୀ ବୃତ୍ତିକୁ ଜୀବନର ଜୀବିକା ଭାବେ ବାଛିନେଇଛି ଯୁବକଟି ।
ଘରକୁ ପଶୁ ପଶୁ ଚାଳ ବାଜିବା ନ୍ୟାୟରେ ରଣଜିତ ବାବୁ ଚିହିଙ୍କି ଉଠିଲେ । ପ୍ରେମ ପାରାବାରରେ ଆହିସ୍ତା ଆହିସ୍ତା ଜୁଆର ଆସୁ ଆସୁ ହଠାତ ଭଟ୍ଟା ଆସିଗଲା ପରି ପ୍ରତୀୟମାନ ହେଲା ।
ମିଶ୍ର ସାର ନାଶିକା କୁଞ୍ଚନ କରୁ କରୁ ସେହି ଅଜ୍ଞାତ କୁଳଶୀଳ ଅନାମଧେୟ ଅପରିଚୟ ବ୍ୟକ୍ତି ଆଡକୁ ବକ୍ରଦୃଷ୍ଟିରେ ଧଉଳି ଗଣନାଟ୍ୟର ଭିଲିଆନ ଭିକୁ ସେଠ ପରି ଚାହିଁଲେ । ଭିକାରୀଟିଏ ବୋଧହୁଏ ।
ପାଖରେ ଉପବେଶିତା ସଦ୍ୟ ବିବାହିତା ଗହଣା -ଗାଣ୍ଠିରେ ଆପାଦମସ୍ତକ ବିଭୂଷିତା ସହଧର୍ମିଣୀଙ୍କ ଉପରକୁ ଅବଲୋକନ କଲେ ଏବଂ ବୁଝିଗଲେ ସବୁକିଛି । ଭିକାରୀ ଟୋକାର ଉପସ୍ଥିତ ବୁଦ୍ଧିକୁ ତାରିଫ କରିବାକୁ ଯାଉଥିଲେ । ସହସା ପତ୍ନୀଙ୍କ ବାମ ନାକପୁଡା ଫୁଲିଥିବାର ଦେଖି ଜାଣିଗଲେ ଏବଂ ସାଇଲେଣ୍ଟ ମୁଡରେ ରହିବାକୁ ଶ୍ରେୟ ମଣିଲେ । ମନରେ ଉଠୁଥିବା ଭାବନାର ଉତ୍ତାଳ ତରଙ୍ଗମାଳାକୁ ଯେନ ତେନ ପ୍ରକାରେଣ ଲଗାମ ଦେଲେ । ବିବାହ ପରେ କ’ଣ ଭାବନାରେ ବି ଅଙ୍କୁଶ , କଳ୍ପନା –ଜଳ୍ପନାରେ ବି ବନ୍ଦୀଶ । ଧେତ ତେରିକା । ଜୋରୁକା ଗୋଲାମ ।
ପୂରା ଚୁପ ଚାପ ଅଭିନୟ କଲେ ପୋଖତ ଚରିତ୍ର ଅଭିନେତା ପରି ମିଶ୍ର ସାର । ଏଭଳି ଭଣ୍ଡ-ଧଣ୍ଡ-ପାଷଣ୍ଡ ଭିକାରୀମାନଙ୍କୁ ଗାନ୍ଧୀଗିରି ଦ୍ୱାରା ମୌନତା ମାଧ୍ୟମରେ ହିଁ କାବୁ କରିହେବ । ଏମିତି ମୌନୀବାବା ଆଇଡିଆ ଯଦି କାଶ୍ମୀରରୁ କନ୍ୟାକୁମାରୀ ଓ ଦ୍ଵାରକାରୁ ଦିବୃଗଡ ମଧ୍ୟରେ ପ୍ରଚାରିତ ପ୍ରଶାରିତ ହୁଆନ୍ତା ଭିକାରୀ ସମସ୍ୟା ନିହାତି କମିଯାନ୍ତା ଭାରତରେ । ଆଜିର ବିକ୍ରି ମିଡିଆ ପାଖରେ ସମୟ କାହିଁ ଏଭଳି ଭଲ ଖବରକୁ ପ୍ରାୟିମ ଟାଇମ ଖବର କରିବା । ଖାଲି ଶସ୍ତା ରେ ହୀନସ୍ତା ।
କହୁଣିକୁ ଟିକେ କେଞ୍ଚି ଦେଲେ ଶୀମତୀ ଆମର । ଆଜି କାହା ମୁହଁ ଚାହିଁ ଘରୁ ବାହାରିଥିଲେ କେଜାଣି ? ମୋର ଆଦୌ ଆସିବାକୁ ମନ ନ ଥିଲା । ଭଲ କମେଡି ସିନେମାଟିଏ ‘’ହଲଚଲ “ ଦେଖୁଥିଲି । ଅଧାରୁ ରହିଗଲା । ତୁମର ତ ସନ୍ଧ୍ୟା ହେଲମାତ୍ରେ ପ୍ରେମ ଉଛୁଳିଲା ଉତୁରିଲା । ଡେରିରେ ବାହାହେଲେ ଏମିତି ହୀନସ୍ଥା । ପୁଣି ବାହାହୋଇ ବନବାସରେ ରହିବା, ଶ୍ରବଣ କୁମାର ପାଲଟିବାର ଭୂତ ସବାର ହେଲେ କଥା ସରିଲା । ନେଡି ଗୁଡ କହୁଣିକୁ ବହିବ ହିଁ ବହିବ । ପ୍ରେମର ଉଜାଣି ଶ୍ରୋତ ଏତେ ବର୍ଷ କେମିତି ସମ୍ଭାଳୁ ଥିଲ କେଜାଣି !
ସୁରୁ ମ୍ୟାଡାମଙ୍କର ଘାଗଡା ବାକ୍ୟବାଣ-ବକ୍ରୋକ୍ତି ଛାତିରେ ଡାମ୍ଫଣ ପରି ଫୋଡି ଯାଉଥିଲେ ବି ମୁଁହକୁ ଝଡ-ବତାସ ଘନଘଟାର ପରଦିନ ସୁନ୍ଦର କମନୀୟ ସକାଳ ପରି ବନେଇ ରଙ୍ଗେଇ ମନେ ମନେ ସେହି ତେଲୁଗୁ ଭିକାରୀକୁ ଖୋଜୁଥିଲେ ଆଉ ରକ୍ତ ରାଉଳ ଚୋବେଇ ଚାଲିଥିଲେ ସାର । ମିଳନ୍ତାକି ଶଳା ହାରାମି !ବେକ ମୋଡି ଭିଡି ଦିଅନ୍ତି । ମନୋରମ ସନ୍ଧ୍ୟାଭ୍ରମଣକୁ କଣ୍ଟକିତ କରିବାକୁ ତୁ କିଏବେ ଥାର୍ଡ ପର୍ଶନ ଶିଙ୍ଗୁଲାର ନମ୍ବର । ଆଉ ଥରେ ହାବୁଡରେ ପଡନ୍ତା କି ? ହମିଦ ମିଆଁ ମଟନ ସେଣ୍ଟରରେ ଖାସିକୁ କିମା ଭଳିଆ ଭେଣ୍ଡିଆର ହେଣ୍ଡିଆ କରିଦିଅନ୍ତି । ସୁନ୍ଦର ଆସରକୁ କିର୍କିରା କରିଦେଲା ଅମାନୁଷ ।
ଏମିତି ଚର୍ବିତ ଚର୍ବଣ ଭିତରେ ପୁଣି ଏକ ମଇଳା ହାତ ସାରଙ୍କ ଆଗକୁ ମାଡି ଆସିଲା । ଇଂରାଜୀରେ ପୁରୁଣା ତେଲୁଗୁ କଥାକୁ ସେହି ଭିକାରୀ ଟୋକାଟା ଦୋହରାଇଲା । “One rupee please ! God will bless you both . Only one rupee sir।“. (ଉଆନ ରୁପୀ ପ୍ଳିଜ ! ଗଡ ଉଇଲ ବ୍ଲେସ ୟୁ ବୁଥ । ଅନଳି ଉଆନ ରୁପୀ ପ୍ଳିଜ )
ପୁଞ୍ଜିଭୂତ ରାଗଟା ପଞ୍ଚମ ତାନରେ ମଗଜକୁ ଉଠିଗଲା । କମନୀୟ ମୁଖମଣ୍ଡଲକୁ ଲାଲ ଟହ ଟହ କଞ୍ଛା ରାଗୁଆ ରକ୍ତ ସବୁ କ୍ଷ୍ୟରଣ ହେବାକୁ ରିଷ ରିଷ କଲେ । ଗୌତମୀ ନଦୀକୂଳ ସେଦିନ ଲୋକାରଣ୍ୟ । ଲାଗୁଥିଲା ୟାନମର ସବୁ ଲୋକେ ତାଜା ନଈକୂଳିଆ ହାୱା ଖାଇବେ ଆଉ କୋଣାସୀମା –ଅମଲାପୁରମର ନୈସର୍ଗିକ ଶୋଭାକୁ ବାଳିୟୋଗୀ ବ୍ରିଜ ଉପରୁ ଅବଲୋକନ ଅବଗାହନ କରିବାକୁ ସପରିବାରେ ଆସିଯାଇଛନ୍ତି । ଭିକାରୀକୁ ଗାଳି କଲେ ଲୋକେ କହିବେ କ’ଣ ?ଏହି ବିଶାଳ ଜନସମୁଦାୟ ଭାବିବେ କ’ଣ ? ତେଣୁ ସଭ୍ୟ-ଶିକ୍ଷିତ ମୁଖା ପିନ୍ଧିଥିବା ମିଶ୍ର ବାବୁ ମନୋରଥ ପୂରଣ କରିପାରିଲେନି । ତଥାକଥିତ ସମାଜକୁ, ସାମାଜିକ କୁକ୍ଷ୍ୟାତିକୁ ଡରି ସହମି ଗଲେ ।
ନାସିକାକୁଞ୍ଚନ ମୁଦ୍ରାରେ ପ୍ରସ୍ତର ମୂର୍ତ୍ତିବତ ପାଖରେ ଉପବିଷ୍ଟା ପ୍ରେୟସୀକୁ ଈଷତ ନୟନ ବିସ୍ଫାରିତ କରନ୍ତେ --- ସବୁ ଯେମିତି ସୁବିଖ୍ୟାତ ବିଶ୍ଵବନ୍ଦିତ ମନୋବୈଜ୍ଞାନିକ ପରି ସମଝିଗଲେ ମହିୟସୀଙ୍କ ବଡି ଲାଙ୍ଗୁଏଜରୁ ଯେମିତି କ୍ରିକେଟ ଆମ୍ପାୟାରର ଈଷତ ବଡି ଲାଙ୍ଗୁଏଜକୁ ଷ୍ଟାଡିୟମର ଖଚାଖଚଭରା ଜନତା ଜନାର୍ଦନ ଜାଣିପାରନ୍ତି । ମିଶ୍ର ବାବୁ ତ ଛାର ଆକିଞ୍ଛନ । ସେ ବା ଏଥିରୁ ବାଦ ଯାନ୍ତେ କିପରି ।
ପୁଣି ସାଇଲେଣ୍ଟ ମୁଡରେ ଯିବାକୁ ସମୀଚୀନ ମଣିଲେ । ମଗଜରେ ଚଢି ଯାଇଥିବା କ୍ରୋଧ-ବେତାଳକୁ ଧର୍ଯ୍ୟର-ଚାବୁକ-ପ୍ରହାର ଆଉ ବିବେକ-ବୃଶ୍ଚିକ-ଦଂଶନ ଆଳରେ କଷ୍ଟେ ମଷ୍ଟେ କାବୁ କଲେ । ମୌନତା ହିଁ ମାନବତା । ମୌନ ରହି କେଡେ କେଡେ ସମସ୍ୟାକୁ ରଫା ଦଫା କରାଯାଇପାରେ ପଢିଥିଲେ ସାର । କିନ୍ତୁ ଭିକାରୀ ସମସ୍ୟାକୁ ଏମିତି ଏକ ଆଇଡିଆ ଦ୍ଵାରା ବି ଡାଇବେଟିସ ରୋଗ ପରି କଣ୍ଟ୍ରୋଲ କରାଯାଇ ପାରିବାର ମଞ୍ଜିଟି ଜୁଟିଥିବାରୁ ମନେ ମନେ କୁରୁଳି ଉଠିଥିଲେ । । ଡିଜିଟାଲ ଇଣ୍ଡିଆ ଯୁଗରେ ମୋଦୀ ସରକାରଙ୍କୁ ଏହି ନୂତନ ଆଇଡିଆଟି ଜଣେଇଲେ ---------ପୁରସ୍କାର ------ ପଦ୍ମଶ୍ରୀ ------ ଆଉ ଭାବିପାରିଲେନି ସାର ।
ଜେନିଆସ ଫିଲିଙ୍ଗ ଆସୁଥିଲା । ନ ଶୁଣିଲା ପରି ନ ଜାଣିଲା ପରି ମରାଳ ମାଳିନୀ ଗୌତମୀ ତଟିନୀର ନୀଳ ଜଳରାଶି ଉପରେ ଅନେକ ଥର ଆଖି ଫେରାଇ ଆଣିଲେ ସାର । ନୀଳାମ୍ବୁ ଗୌତମୀର ଦିଗନ୍ତ ବିସ୍ତାରୀ ଜଳରାଶିର ବକ୍ଷ ଚିରି କିଛି ପାଲଟଣା ତରୀ , ମାଛଧରା ନଉକା, କିଛି ଯନ୍ତ୍ର ଚାଳିତ ୟାମାହ ମୋଟର ବୋଟରେ ଯାତ୍ରୀମାନଙ୍କ ଜଳକ୍ରୀଡା –ଦୋଳିଖେଳ ଉପରେବି ଆପେ ଆପେ ବିହଙ୍ଗମ ଦ୍ରୁଷ୍ଟି ଆସି ଯାଉଥିଲା । ସୁରମ୍ୟ ନଦୀକୂଳରେ ରଙ୍ଗ ବେରଙ୍ଗ ପରିବେଶର ବେଷ୍ଟନୀ । ଅସ୍ତାଗାମୀ ସୂର୍ଯ୍ୟଙ୍କ କିରଣରାଜି ଗୌତମୀ ନୀଳ ଜଳ ରାଶିକୁ ଧୀରେ ଧୀରେ ସୁବର୍ଣରଙ୍ଗରେ ରଙ୍ଗେଇବାକୁ ମସ୍ତିରେ ମସଗୁଲ । ଦ୍ରୌପଦୀର ବେଣୀବନ୍ଧନ ହେବ କି ଆଜି ?ଏପରି ଏକ ପ୍ରାକୃତିକ ନୈସର୍ଗିକ ଦୁର୍ଶ୍ୟରାଜିର କୋଳରେ ପ୍ରେମ ପାଗଳି କପୋତ-କପୋତୀ ଯୋଡି କିଛି ସମୟ ପାଇଁ ତଲ୍ଲିନ ହେବାକୁ ଆସିଥିଲେ । କୁଆଡୁ ଆସିଲା ସେ ଆଖାଡୁଆ ଭିକାରୀ ଯେ ପ୍ରେମ ପ୍ରତିଜ୍ଞାରେ ମହଳଣ ଅସ୍ତରାଗ ଆସିଗଲା ।
ମନରେ ଭାବାନ୍ତର । କେମିତି ଏହି ସୁନେଲି ରୁପେଲି ମଖମଲି ସଞ୍ଜ ସମୟକୁ ମନଭରି ଉପଭୋଗ କରିହେବ । କେଉଁ ବାହାନାରେ ଶ୍ରୀମତିଙ୍କ ମାନଭଞ୍ଜନ କରିହେବ । ମ୍ୟାଡାମଙ୍କ ଆଇଗଣିଆ ମୋଡକୁ ସୁଖାନ୍ତକ ଦୋଛକିକୁ ନେଇହେବ । ହଠାତ ସମୀରଣର ଏକ ମୃଦୁ ହିଲ୍ଲୋଳ ଆସି ମିଶ୍ର ସାରଙ୍କ କପାଳକୁ ଛୁଇଁ ମସ୍ତକରେ ଶୋଭିତ କେଶରାଶିକୁ ଅସ୍ତ ବ୍ୟସ୍ତ କରି ଯେମିତି କିଛି କହି ଚାଲିଗଲା ।
ମୁଁହକୁ ମିଠା କରାଯାଉ ବେଗମ ସାହିବା । ଆଇସକ୍ରିମ –କୁଲଫି ଖାଇଲେ କେମିତି ହୁଅନ୍ତା ?--- ରସିକିଆ ଢଙ୍ଗରେ ମୁଁହକୁ ହସୁଆ ସହଜିଆ ସୁଆଦିଆ ଆଦବ କାଇଦାରେ କହିଦେଲେ ରସିକାନାଗର ମିଶ୍ର ସାର ।
ବନ୍ଧ ଫିଟି ଗଲା । ସୁରୁ ଦେବୀଙ୍କ ସରୁ ସ୍ମିତହାସ୍ୟ ହିଁ ପରିବେଶକୁ ଆହୁରି ରସବତୀ-ରଙ୍ଗବତୀ କାମାତୁର କରିଦେଲା । ସତରେ ଅଭିମାନିନୀ ପ୍ରିୟାକୁ ମନେଇବାକୁ ଆଉସକ୍ରିମର ଆବିଷ୍କାର କରିଥିବା ସେହି ଅନାମାଧେୟ ମହା-ବିଭୁତିଙ୍କୁ ମନେ ମନେ ଅନ୍ତରରୁ ଶତ ଶତ ନମନ-ବନ୍ଦନ- ଅଭିନନ୍ଦନ କରୁ କରୁ କ୍ଵାଲିଟି ଆଇସକ୍ରିମ ଠେଲା ପାଖରୁ କୋଡିଏ ଟଙ୍କିଆ ଦୁଇଟି କପ ଆଣି ଆସିଲେ । କେହି ଜଣେ ତାମିଲ ଭାଷାରେ କହିଲା ---
“ଅହିଆ ବରୁବା ତାଙ୍ଗା ! ଗଡ ଓଂନାଲା ପାପାଙ୍ଗା ----“
ସେହି ମେଞ୍ଚଡ ବେହିଆ ଭିକାରୀ ଟୋକାଟା ଅଲାଜୁକ ଭଳିଆ ହାତ ପାତିଛି । ପୁରୁଣା ରାଗକୁ ସୁଝେଇ ଦେବାର ଅମୃତ ବେଳା ଆସି ସାମ୍ନାରେ ଉପନୀତ । ଶୁଭଲଗ୍ନା ସନ୍ଧ୍ୟାକୁ, , କାମାତୁରା ମନନ-ଚିନ୍ତନକୁ ଚକମାଚୁର କରିଥିବା ଏହି ଦୀନ-ହିନ-ଶ୍ରୀହୀନ-ଅକିଞ୍ଚନ ଭିକାରୀକୁ ଥରେ ପାନେ ଦେଲେ ଯାଇ ପ୍ରତିଶୋଧର ତୃଷ୍ଣା ମେଣ୍ଟିବ ।
ପରକ୍ଷ୍ୟଣରେ ଗତସ୍ୟ ଶୋଚନା ନାସ୍ତି । କାହିଁକି ଅର୍ବାଚୀନ ଭିକାରୀ ସହିତ ମୁଁହ ଲଗେଇବା । କଳି ତକରାଳ କରିବା । ବିଗାଡିଯାଇଥିବା ଶ୍ରୀମତୀ ବର୍ତ୍ତମାନ ରୋମାଣ୍ଟିକ ଟ୍ରାକକୁ ଫେରିଛନ୍ତି । ପୁଣି ଝଗଡା କଲେ ସଜାଡି ଆସିଥିବା ହସ କୌତୁକ ବେଳା ପୁଣି ଚିର ଚିରା ହୋଇଯାଇପାରେ ।
ମୁଁହକୁ ଫେରାଇ ଆଣିଲେ ଆଉ ଚାଲିଲେ । ହସ ହସ ମୁଁହରେ ବେଗି ବେଗି ଭାରତ ମାତା ମୂର୍ତ୍ତି ଆଗରେ ଉପବେଷିତିତା ସରସ୍ଵତୀ ଦେବୀଙ୍କ ହାତକୁ ପ୍ରେମ ପୂର୍ବକ ଆଇସକ୍ରିମ କପ ବଢେଇ ଦେଲେ ।
ହସ କଳରୋଳର ଅମୃତଧାରା ବେଶ ମନୋଜ୍ଞ ମନୋରମ ଲାଗୁଥିଲା । ଦୁହେଁ ଦୁହିଙ୍କ ଦେହକୁ ଦେହ ଲଗାଲଗି ବସି ମତୁଆଲା ପବନ ଓ ଷ୍ଟ୍ରିଟ ଲାଇଟର ଚାନ୍ଦିନୀ ରାତ୍ରିର କୃତ୍ରିମ କୋଳରେ ନବ ଦମ୍ପତି ଯୁଗଳ ବେଶ ପୁଲକିତ ରୋମାଞ୍ଚିତ ଉତଫୁଲ୍ଲିତ ଲାଗୁଥିଲେ ।
ପୁଣି ସେହି ପୁରୁଣା ଭିକାରୀ ଟୋକାଟା ବାଟ ଉଗାଳିଲା । ବୋଧହୁଏ ଯୁଝାରୁ ଏକେଜିଦିକିଆ ସ୍ଵଭାବର । ଏଥର ହିନ୍ଦୀରେ ହାତ ପତେଇ କହିଲା – “ଭଗବାନ କେ ନାମ ପେ ଦେ ଦେ ସାର ! ଆଲ୍ଲା କେ ନାମ ଦେ ଦେ ସାର ! ଈଶା ମହାରାଜ ଏ ନାମ ଦେ ଦେ ସାର ! ଶିର୍ଫ ଏକ ରୋପିୟା ! ଦେ ଦେ ବାବା –ବଡ଼ା ଧର୍ମ ହୋଗା ସାହେବ ----“
ପ୍ରାଞ୍ଜଳ ସ୍ପଷ୍ଟ ପ୍ରଗ୍ଲଭ ଶୁଦ୍ଧ ହିନ୍ଦୀ ଭାଷାରେ ଭିକ ମାଗିବାର ଏକ ଅଭିନବ ଶୈଳୀ ଭିକାରୀ ମୁଁହରୁ ଦକ୍ଷିଣ ଭାରତୀୟ ୟାନମ ସହରରେ ଶୁଣିବାକୁ ମିଳିବା ନିହାତି ଆଶ୍ଚର୍ଯ୍ୟ-ଚକିତ ନୟନ- ବିସ୍ଫାରିତ ମୁହୂର୍ତ୍ତ ବୋଲି ପ୍ରତିୟ ମାନ ହେଉ ଥିଲେବି ମୌନ ରହିବାକୁ ଆଖିରେ ଆଖିରେ ମନ-ଚଇତନରେ ଶ୍ରେୟ ମଣିଲେ ସାର । ମଳିମୁଣ୍ଡିଆ ଫୁଟପାତିଆ ବେଶରମଙ୍କ ସହ ମୁଁହ ଲଗେଇବା ଯାହା ପଚା ନର୍ଦମା ପାଣିରେ ମୁଁହ ଧୋଇବା ସେଇଆ । ତୁଚ୍ଛାଟାରେ କାହିଁକି ଅସନା ଅଭଦ୍ର କଥା ଗାଳିକୁ ତୁଣ୍ଡରେ ଧରିବା । ସେ ତାର ବକର ବକର ହେଉ ଥାଉ । ଆପେ ଆପେ ତୁନି ହୋଇ ମୌନୀ ହେଇ ଲାଙ୍ଗୁଡ ଜାକି ପଳେଇବ । ସଂଯମ –ଧର୍ଯ୍ୟ ହିଁ ଆଧୁନା ଆଧୁନିକ ଭିକାରୀକୁ ଯତ୍ର ତତ୍ର ସର୍ବତ୍ର ସାବାଡ କରିହେବ ।
ଆଖିରେ ଆଖିରେ କିଛି ନ ପାଇବାର ଆଶା ଦେଖି ଭିକାରୀ ସ୍ଥାନ ଛାଡି ଚାଲି ଗଲାନି । ବରଂ ମନେ ମନେ ଭାବି ଭାବି କିଛି ଅସ୍ପଷ୍ଟ ଅବୁଝା କହୁଥିଲା ଅନ୍ୟ ଦିଗକୁ ମୁଁହ କରି : କୁଆଡୁ ଏ କଞ୍ଜୁସ ମକ୍ଷିଚୂଷ ମିଳିଲେ କେଜାଣି ? ବେଶ ଭୂଷାରୁ ବଦାନ୍ୟ ଦୟାବାନ ଜଣାପଡୁଥିଲେ ବି ପୁରା ଚୁଣ୍ଠା । କାହାକୁ ହାତ ଟେକି ଟଙ୍କେ ଦି ଟଙ୍କା ଦେଇ ଦେଲେ ତାଙ୍କ ଭାନୁମତୀ ପେଟରାରୁ ସଞ୍ଚିତ ମହଜୁଦରୁ କାଣିଚାଏବି କମିବନି । ଦେଖ ଭାଇ ମାନେ ! ଚାରି ଚାରିଥର ଚେଷ୍ଟା କରି ବିଫଳ ହେଲିଣି । ଦେବାର ମାନସିକତା ଆଦୌ ନାହିଁ । ଭିକାରୀର କଣ ପେଟ ନାହିଁ । ତାକୁ କଣ ଭୋକ ଲାଗେନା ।
ଦାନ କରିବାର ବଦାନ୍ୟତା ନାହିଁ ଆଜିକାଲିକାର ଉଚ୍ଛଶିକ୍ଷିତ ଚାକିରିଆ ମାନଙ୍କ ଠାରେ । ଥିଲାବାଲା ନୌକରିବାଲା ଖାଲି ଅଫିସ ଯିବେ ୯ଟାରୁ ୫ଟା । ଘରକୁ ଆସି କବାଟ ବନ୍ଦ କରି ଟିଭି ଆଉ ବିବି ଦେଖିବେ । ଅନ୍ୟ ପାଇଁ ଭାବିବା , ଗରିବ ଗୁରୁବାଙ୍କୁ ଦାନ ଖଇରାତ କରିବା କଥା କହିଲେ ମଉନିବାବା ବନିଯିବାର ଛଳନା କରିବେ । ଆଧୁନିକ ଶିକ୍ଷ୍ୟାରେ କଣ ଶଠତା ପ୍ରବଞ୍ଚନା ଖାଲି ଭରି ରହିଛି । ସଂସ୍କାର ପରୋପକାରାୟ ସ୍ଵର୍ଗାୟ ଇତ୍ୟାଦି କିଛି ନାହିଁ ବୋଧେ ।
ମୁଁ ବି ଛାଡିବିନି । ମୋର କେତେ ସମୟ ବେକାର ଗଲା ଗୋଟେ ଗରାଖ ପାଇଁ ।
ସାରଙ୍କ ପାଖରୁ କୌଣସି ପଇସା କି ଉତ୍ତର ନ ପାଇ ଭିକାରୀ ଟୋକାଟା ଆଦୌ ହତୋତ୍ସାହ ନ ହୋଇ ମୁଁହ ଖୋଲିଲା । ପଚାରିଲା – Are you basically Telugu-speaking or non-Telugu-speaking ? What is your native place or state sir?( ଆର ୟୁ ବେଶିକାଲି ତେଲୁଗୁ ସ୍ପିକିଙ୍ଗ ଅର ନନ ତେଲୁଗୁ ସ୍ପିକିଙ୍ଗ ? ହ୍ଵାଟ ଇଜ ୟର ନେଟିଭ ପ୍ଲେସ ଅର ଷ୍ଟେଟ ?)
ଆଇ ଟୋଲ୍ଡ ଓଡିଶା । ଗୋଟିଏ ଟଙ୍କା ଦିଅ ଭାଇ ! କାଳିଆ ତୁମକୁ କୋଟିଏ ଦେବେ । କଳଠାକୁର ତୁମର ଚଲାପଥକୁ କୁସୁମିତ ସୁବାସିତ ପୁଷ୍ପିତ ପଲ୍ଲବିତ କରିବେ ନିଶ୍ଚୟ । ରାମ-ସିତାଙ୍କ ଯୋଡି , ହାର-ପାର୍ବତୀଙ୍କ ଯୋଗଳବନ୍ଦିରୁ କିଛି କମ ଲାଗୁନାହାନ୍ତି ଆପଣ ମାନେ । ମାତ୍ର ଗୋଟିଏ ଟଙ୍କା ଦିଅ ବାବୁ । ଟଙ୍କା ଟିଏ କେବଳ । ମୋ ଭଳି ଗରିବ ଅଶାହରା ଦିଶାହରା ଗରିବ ଭିକାରୀଙ୍କୁ ଦୟା କର ସାରେ । ଏକା ନିଶ୍ଵାସରେ କହିଗଲା ଡାକବାଜି ଯନ୍ତ୍ର ପରିକା ।
ମିଶ୍ର ବାବୁ ଆଶ୍ଚର୍ଯ୍ୟଚକିତ ସେତେ ବେଳକୁ । ଶୀମତୀଙ୍କର ବି ଅବସ୍ଥା ତଦ୍ରୁପ । ଚାରି ପାଞ୍ଚଟି ଭାଷାରେ ପ୍ରାଞ୍ଜଳ ଅନର୍ଗଳ କହିପାରୁଥିବା ଟୋକାଟା ନିହାତି ସ୍ୱଳ୍ପ ଶିକ୍ଷିତ କେବେ ହୋଇ ନଥିବ । ଉଚ୍ଚ ଶିକ୍ଷିତ ଡିଗ୍ରୀଧାରୀ ହୋଇ ବି ଏଭଳି ହାତପାତିବା ଟଙ୍କା ପଇସା ମାଗିବା ଭଳି ଅଧମ କାମକୁ ଆଦରି ନେଇଛି କାହିଁକି ? କିଛି ପ୍ରଚ୍ଛଦପଟ କାହାଣୀ ଚଳଚିତ୍ର ପରି ଲୁଚି ରହି ଥାଇପାରେ ।
ମିଶ୍ର ବାବୁଙ୍କ ମୌନୀ ଅବତାର ଭଙ୍ଗ ହେଲା । ଶୁଣ ଭାଇ ! ମୁଁ ଭିକାରୀଙ୍କୁ କେବେ ସାହାଯ୍ୟ କରେନା । କାରଣ ଗୋଟେ ଅଧେ ଟଙ୍କାରେ ଭିକାରୀର ଭାଗ୍ୟ ବଦଳି ହେବନି । ବରଂ ଭିକାରୀକୁ ଆହୁରି ପ୍ରୋତ୍ସାହନ ମିଳିବ କୋଢିଆ ହେବାକୁ । ତେଣୁ ମୁଁ ଜଣେ ଭିକାରୀକୁ ସାହାଯ୍ୟ କରିବି ଏବଂ ତାର ଭିକାରୀ ଜୀବନ ବଦଳେଇ ଦେବି , ଗୋଟିଏ ଭିକାରୀ ସଂଖ୍ୟା ଭାରତର ପରିସଙ୍ଖ୍ୟାନ ଡାଟାବେଶରୁ କମେଇ ଦେବି । ବହୁଦିନରୁ ସେମିତି ଜଣେ ଭିକାରୀକୁ ଖୋଜୁଥିଲି ମନେ ମନେ । ଶିକ୍ଷିତ ପିଲା ଭଳି ମନେ ହେଉଛ ।
କହୁ କହୁ ମିଶ୍ର ବାବୁ ଉଠି ଛିଡାହେଲେ । ପ୍ୟାଣ୍ଟ ପଛ ପକେଟରୁ ରେମଣ୍ଡ ମାର୍କା ମନିପର୍ସ କାଢିଲେ ଏବଂ ହତେ ନାଲିଆ ଦୁଇହଜାରିଆ ଟଙ୍କାବିଡାଏ ତା’ ହାତରେ ଧରେଇଦେଲେ । କହିଲେ ଆଜିରୁ ଆଉ ଭିକ ମାଗିବ ନାହିଁ । ଟଙ୍କା ପଇସା ପାଇଁ କାହା ଆଗରେ ହାତ ପତେଇବ ନାହିଁ । କିଛି ବେପାର ବଣିଜ କରିବ । ତୁମେ ବଙ୍କା ଅକ୍ଷର ଶିଖିଛ । ରାସ୍ତା ଆପେ ଆପେ ବାଟ କଢେଇ ନେବ ।
ଭିକାରୀ ଟୋକାଟା ସପତ୍ନୀକଙ୍କୁ ପାଦରେ ମୁଣ୍ଡିଆ ମାରୁଥିଲା । ଗୌତମୀ ତୀରରେ ସେଦିନର ସନ୍ଧ୍ୟା ସବୁଦିନ ପାଇଁ ସ୍ମରଣୀୟ ହୋଇ ସାରିଥିଲା ।