ଗାଁ ବୁଢ଼ା ବରଗଛ
ଗାଁ ବୁଢ଼ା ବରଗଛ
ଗପ ହେଉ କି କୌଣସି ଲେଖା, ସବୁଥିରେ ବରଗଛର ସ୍ଥାନ ଗାଁ ଶେଷ ମୁଣ୍ଡକୁ ରହିଥାଏ। ସାହିତ୍ୟ ବହିରେ ବରଗଛର ପରିଚୟ ଏମିତି ମନେ ହୁଏ, ଯେମିତି କେହି ବରଗଛ କୁ ଏକଘରିକା କରି ରଖିଛି। ସମାଜରୁ ବାସନ୍ଦ କରି, ତାର ନିଆଁ ପାଣି ବନ୍ଦ କରିଦିଆ ଯାଇଛି।
ହେଲେ ମୋ ଗାଁ ରେ ଥିବା ବୁଢା ବରଗଛଟି ଯବାନ ଭଳି ଶାଖା ମେଲେଇ ଠିଆହୋଇଛି। ଏଇ ବରଗଛ ମୂଳେ ଠିଆ ହୋଇ ଡାକିଲେ, ଗାଆଁ ମୁଣ୍ଡରେ ଥିବା ସାଧୁ ସେଠି ଘରୁ କେହି ନା କେହି ଓ’କରି ଜବାବ ଦେବ । କାହା ଘରେ ଝଗଡା ହେଉଥିଲେ ଏଇଠି ବସି କହିହେବ କାହା ସାଙ୍ଗରେ କାହାର ଝଗଡା ହେଉଛି । ପରିଡା ସାହିର ସେଇ ନାୟକ ଘର ବାଡିରେ କାହା ଗାଈ ପଶିଗଲେ ସେ ରଡିଛାଡି ଯୋଗଣୀଖିଆ, ରଇଜଳା କହି ଯେତେକ ଗାଳିକରେ, ସବୁ ଏଇଠି ବସିକି ସ୍ପଷ୍ଟ ବୁଝିହୁଏ।
ବିତିଗଲା ଦିନର ସବୁ କାହାଣୀ ଏଇ ବରଗଛ ଦେଖିଛି, ସବୁ ଘଟଣାର ମୂକସାକ୍ଷୀ ଏଇ ବୁଢା ବରଗଛଟା। ଗଛଟି ପଡିଆ କଡରେ ଥିବାରୁ, କୌଣସି ବାଟୋଇ ଯାଇପରେନି। ହେଲେ ଶହ ଶହ ଗୋରୁ, ଛେଳି, ମେଣ୍ଢାଙ୍କ ଠୁ ଆରମ୍ଭ କରି ଗାଈ ଜଗୁଆଳ, ବୋରିଂ ବିଲ ରେ ଚାଷ କରୁଥିବା ଚାଷୀ, ଇଟାଭାଟି ମଜୁରିଆ ଓ ଗାଁ ଭେଣ୍ଡିଆଙ୍କ ଅଖଡା ସ୍ଥଳୀ ହେଉଛି ଗାଁ ବରଗଛ। ବରଗଛ କୁ ଲାଗି ଗୋଟେ ଓସ୍ତ ଗଛ ଅଛି। ବାପା କୁହନ୍ତି, ମୋ ଜେଜେଙ୍କ ର ଜେଜେ ଗଛ ଦୁଇଟି ଲଗେଇ ଥିଲେ, ପରେ ପରେ ସେମାନଙ୍କ ବିବାହ ବି କରାଇଥିଲେ। ସେଥିପାଇଁ ବାପା କାହାକୁ ଗୋଟେ ଡାଳ ବି କାଟିବାକୁ ଦିଅନ୍ତି ନାହିଁ। ହେଲେ ମଝିରେ ମଝିରେ ପଡ଼ିଆର ଓସାରିକରଣ ଓ ଗାଁ ଭାଗବତ ସପ୍ତା କାର୍ଯ୍ୟ ପାଇଁ ଲାଗୁଥିବା ଜାଳେଣି ପାଇଁ ବାପାଙ୍କୁ ନ ଜଣେଇ କଟା ହୁଏ।
ସକାଳୁ ପଡିଆ ମାଟି ନ ମାଡିଲେ ଖାଦ୍ୟ ବି ହଜମ ହୁଏନି। ଝାଡା ଫେରିବା ବାହାନାରେ ହେଉ କିମ୍ବା ବିଶ୍ରାମ କରିବା ହେଉ, ଗାଁ ର ଅଧିକାଂଶ ଲୋକ ପ୍ରତିଦିନ ପଡିଆ କୁ ଯାଆନ୍ତି ଓ ବରଗଛର ତଳେ ବିଶ୍ରାମ ନିଅନ୍ତି। ମୋ ଜୀବନର ମଧ୍ୟ କିଛି ସ୍ମୃତି ସେହି ବରଗଛ ର ଡାଳ ପତ୍ର ଓ ଉପରେ ବସିଥିବା କୋଇଲି ର କୁହୁରେ ବାନ୍ଧି ହୋଇଅଛି। ଘରେ ପଖାଳ ଗଣ୍ଡେ ଖାଇ, କିଛି ବହି, ଦୈନିକ ଖବରକାଗଜ, ଗୋଟେ ପାଣି ବୋତଲ, ଓ ଗମୁଛା ସହ ବହାରିଯାଏ ବରଗଛ ତଳେ ଆଶ୍ରୟ ନେବାକୁ। ବର୍ଷା ଚାରିମାସକୁ ଛାଡିଦେଲେ ବାକି ବର୍ଷର ର ଆଠ ମାସ ମୁଁ ବରଗଛ ମୂଳେ କଟାଇଦିଏ। ବଟ ବୃକ୍ଷ ଭଳି ହୋଇଥିବାରୁ, ସେଥିରେ ଆଦୌ ଓହଳ ନାହିଁ। ହେଲେ ବିନା ଓହଳରେ ବି ଗଛ ଡାଳରେ ଓହଳିବାର ମଜା ନିଆରା। ଏଇ ଗଛ ପାଖ ପଡିଆଟାରେ ପିଲାଏ ଦି’ପହ
ରୁ ସଂଧ୍ୟା ଯାଏ କ୍ରୀକେଟ ଖେଳନ୍ତି, ପଞ୍ଝାଏ ଖେଳଦେଖି ପାଖରେ ଥିବା ନୀଳ ସାହୁ କୂଅ ଉପରେ ବସି ହୋହଲ୍ଲା କରନ୍ତି। ଇଲେକ୍ସନ ସମୟରେ ଏଇ ଗଛତଳେ କେତେ ମାମଲତ ହୁଏ, ନେତାଏ ଏଇଠି ରୁଣ୍ଡ ହୋଇ, ଜିତେଇ ଦେଲେ ଗାଆଁ ପାଇଁ କଣ କରିବେ ଏଇଠି ଠିଆହୋଇ ମାଇକ୍ ରେ ଫମ୍ପା ଫୁଟାଣି ସହ ଅଧା ଖଣ୍ଡିଆ ପ୍ରତିଶ୍ରୁତି ଦିଅନ୍ତି। ସାହି ସାହି ଭିତରେ କେତେ ହିସାବ କିତାବ, କେଉଁ ସାହି ଭାଗବତ ଘରକୁ କେତେ ଟଙ୍କା କି କୋଉ ଠାକୁରଘର ପାଇଁ କେତେ ତାର ହିସାବ ଏଇଠି ହୁଏ । ପଡିଆ ବର୍ଷାଦିନେ କାଦୁଅ ପଚ୍ ପଚ୍ ହୋଇଯାଏ, ପରେ ଘିଗିଡି ଉଠେ, ଗାଁ ଟୋକା ସାମୁହିକ ଭାବେ ମିଶି ପଡିଆଟାକୁ ସଫାସୁତୁରା କରାନ୍ତି।
ଆଉ ଆଜି ବି ସେ ବୁଢ଼ା ବରଗଛ ର ଛାଇ ମତେ ତା କୋଳକୁ ଡାକି ନିଏ ଆଉ କାହାଣୀ ଟିଏ କୁହେ। ଆଜି ବି ସେ କୋଇଲି ର କୁହୁ ତାନ ମନ କୁ ଅନ୍ଦୋଳିତ କରେ ଆଉ ଛୋଟ ଏକ କାହାଣୀ ଶୁଣାଏ। ଗୋଟିଏ କାହାଣୀ ଯାହା ମୁଁ ଝର୍କା ଭିତର ରୁ ଏକ ବନ୍ଦ କୋଠରୀରେ ଶୁଣେ ।
ଥକି ଗଲିଣି ମୁଁ ଏ କୋଠରୀ ଭିତରେ ବନ୍ଦୀ ହୋଇ, ଆଧୁନିକତାର ପ୍ରହରୀ ହୋଇ । ସହର ର ଅନ୍ଧକାର ରେ ବାନ୍ଧି ହୋଇ । ଥକି ଗଲିଣି ମୁଁ ନିଜ କୁ ମାରି ମାରି ଜିଇଁ କରି । ପ୍ରତ୍ୟେକ ନିଃଶ୍ଵାସ ରେ ନିଜକୁ ତ୍ୟାଗ କରି କରି। ମିଥ୍ୟ ଏକ ମରୀଚିକା ପଛରେ ଧାଇଁ କରି ।
ଆଉ ଝର୍କା ସେପଟ ର ସବୁଜିମା ର ସ୍ଵପ୍ନ ଦେଖି କରି ।।
ଆଜି ଜଦି ପାରନ୍ତି ମୁଁ ଏ ଏରୁଣ୍ଡି ବନ୍ଧ ଡେଇଁ!
ନିଜକୁ ସେ ବରଗଛ ସବୁଜିମା ଓ ଛାଇ ରେ ଦିଅନ୍ତି ଲୁଚାଇ,
କୋଇଲିର କୁହୁ ତାନ ରେ ନିଃଶ୍ବାସ ର ଶବ୍ଦ କୁ ମିଶାଇ।
ଏଇ ବରଗଛ କେତେ ଯୁଗରୁ ଏଇଠି ଏମିତି ଠିଆ ହୋଇ ସବୁ ଦେଖିଛି, କେଉଁ ଦିନ କେଉଁ ଘରକୁ ନୁଆବୋହୁ ହୋଇ କିଏ ଆସିଥିଲା, ଗାଆଁ ଛାଡି ସହରକୁ କିଏ କିଏ କେବେ କେବେ ଚାଲିଗଲେ, ସବୁ ହିସାବ ତାରି ପାଖରୁ ମିଳିବ, କହି ପାରୁଥିଲେ ଆଜି ସେ କହି ଥାନ୍ତା ମୋତେ ମୋ ଏ ଛୋଟ ଗାଆଁଟି ର ଇତିହାସ । ଏ ଭିତରେ ଦୁଇବର୍ଷ ହୋଇଗଲାଣି ମୋ ସହରୀ ଜୀବନ। ସବୁକିଛି ଉଣାଧିକ ପରିବର୍ତ୍ତନ ହେଇଛି। ଆଜି ମଧ୍ୟ, ଯେବେ ଦୈନିକ ଖବରକାଗଜର ପୃଷ୍ଠା ଲେଉଟାଏ, ବରଗଛ ତଳର ଛାଇ, କୋଇଲିର କୁହୁ, ବରଗଛ ଡାଳି ରେ ଓହଳ, ବସନ୍ତ ସନ୍ଧ୍ୟାର ପବନର ଛୁଆଁ ଓ ଗାଁ ପିଲାଙ୍କ ଆଖେଡାର ଗୋଟି ଗୋଟି ସ୍ମୃତି ଢେଉ ପରି ମାଡ଼ିଆସେ ପୁଣି ଲେଉଟାଣି ଦେଇ ମୋର ଏ ମନମାନସକୁ ଉଦାସୀନ କରିଚାଲିଯାଏ। ସ୍ତବ୍ଧ ହୋଇ ବସିପଡ଼େ। ପୁଣି ସେ ହଜିଲା ଦିନକୁ ଖୋଜିବାକୁ ଲାଗେ।