ଏଠି ଭୁଲ୍ କାହାର
ଏଠି ଭୁଲ୍ କାହାର
କାହାର ବା ଇଚ୍ଛା ନାହିଁ ବାଡିପଟ ପୋଖରୀରୁ ଖେପେ ଜାଲ ପକେଇ ଗଡିଶା, କେରାଣ୍ଡି କି ଦଣ୍ଡିକିରି ଗଣ୍ଡେ ଆଣି ସୋରିଷ ଆମ୍ବୁଲ ତରକାରୀ ଟିକେ ନ ଖାଇବାକୁ । କାହାର ମନ ନାହିଁ କହିଲ ବାଡି ଚୁଆରୁ ଗଣ୍ଠି କଳମ, ମଦରଙ୍ଗା ଶାଗଭଜା , ଓଲୁଅ ଭର୍ତ୍ତା, ସାରୁ ଛେଚା କି ପିତା ଗହମ ବରା ନ ଖାଇବାକୁ ।
ବାପ ଗୋସାପ ଘରଡିହ ଉପରେ କାହାର ବା ମାୟା ମମତା ନାହିଁ । ରକ୍ତ ପରା ରକ୍ତକୁ ଟାଣେ । ବାପ ଗୋସିବାପ କଥା ପଡିଲେ ମନ ଛାଏଁ ଛାଏଁ ସେଇ ଏନ୍ତୁଡି ଶାଳ, ଦାଣ୍ଡରେ ବରଷା ପାଣିରେ ରଫ୍ ଖାତା ଚିରି ଡଙ୍ଗା ଭସେଇବା, ଦାଣ୍ଡରେ ଗିଲିଦଣ୍ଡା ଖେଳିବା, ଜରି କାଗଜରେ ବଲ୍ କରି ଖପରା ଗୋଟେଇ ବାସ୍କେଟ ବଲ ଖେଳିବା, ଶଗଡ ଗାଡ଼ିରେ ଝୁଲିବା କି ଚୋର ପୋଲିସ ଖେଳିବା ପାଖରେ ପହଞ୍ଚି ଯାଏ । ବେଶୀ ମଜା ହୁଏ ପରା ପିଢା ଉପରେ ଜହ୍ନି ଫୁଲ ଥୋଇ ସାଇରେ ବୁଲି ଚାଉଳ ମାଗିବା । ଦୁଆର ଦୁଆର ପିଢା ଧରି ଜହ୍ନି ଫୁଲ ଠୋ ଠା, କାକୁଡି ଫୁଲ ଠୋ ଠା, ଗୁଣ୍ଡୁଚି ମୂଷା କହି ଯାଇଛି ଚାଉଳ ମୁଠେ ଥୋଇ ଥା । ବଡ଼ ମଜା ଲାଗେ । ସବୁ ଚାଉଳ ବିକି ଭୋଜି ହୁଏ । ପୁରୀ ବୁଟଡାଲି ତରକାରୀ । ହେଇ ଭାଉଜ ରାନ୍ଧିଦିଏ । ସାରା ରାତି ଗପସପ କରି ଭାଉଜଙ୍କ ସହ ଥଟ୍ଟା ମଜା କରି ଭୋଜିଖିଆ ସରେ ।
ଆଜି ଶ୍ରୀହୀନ ଦିଶେ । ଜହ୍ନି ଫୁଲ ଠୋ ଠା କରିବାକୁ କେହି ନାହାଁନ୍ତି । ଏକା ଏକା ମନଟା ଖାଲି ଗୁଣୁଗୁଣେଇ ହୁଏ । କେତେ ହସଖୁସିରେ ଫାଟି ପଡୁଥିବା ସେ ଜାଗାଟା ଠା ପଡିଛି । ନା ଜହ୍ନି ଗଛ ଅଛି ନା ସେ ତେନ୍ତୁଳି ଗଛରେ ଆଉ ତେନ୍ତୁଳି ହେଉଛି ଯେ କିଏ କୁଆଁରୀ କଇଁଆକୁ ଛେଚି ଖାଇବ ।
ଯେତେ କହି କହି କେହି ତ ସେତେବେଳେ ନିଘା କଲେ ନାହିଁ । ବିଚରା ସଚଳାଚଳ ବେଳେ ଯେତେ ଭାବିନଥିଲା, ଏଇ ବଅସର ଅପରାହ୍ନରେ ଭାରି ମନେ ପଡୁଛି ସେ କଥା । ଘରଡିହ ଖଣ୍ଡକ ଉଲଗ୍ନ ହୋଇ ଚାହିଁ ରହିଛି, କିଏ ଆସନ୍ତା କି ମହାପୁରୁଷ । ଗୌତମ ଅଭିଶାପରୁ ଅହଲ୍ୟାକୁ ଉଦ୍ଧାରିଲା ଭଳି ମୋର ଏ ଶରୀରରେ ରୁଅବାଉଁଶ ଛଣ ଦେଇ ଉପରେ ଚାଳଛପର କରି ଚାରିପଟେ ମାଟିକାଦୁଅରେ ନେସି ଦେଇ ଲଜ୍ଜା ନିବାରଣ କରନ୍ତା ।
ନା କେହି ଶୁଣିବେ ନାହିଁ । ସମସ୍ତେ ତ ଝଲମଲ ଚିକିମିକି ଆଲୁଅର ପ୍ରଲୋଭନରେ ପ୍ରଲୋଭିତ ।
ଏ ଭିଟାମାଟିର ଅନ୍ତର୍ଦାହ ବୁଝିବ ବା କିଏ । ଭିଟାମାଟିର ଏ ପରିସ୍ଥିତି ପାଇଁ ଦାୟୀ କିଏ? ଏଠି ଦୋଷୀ କିଏ, ଭୁଲ କାହାର ?
ଅନେକ ପ୍ରଶ୍ନ ଉଙ୍କି ମାରି ପାହାଡ଼ ସୃଷ୍ଟି ହୋଇ ଗଲାଣି ପଛେ ...