Siddhartha Tripathy

Tragedy Crime Inspirational

4  

Siddhartha Tripathy

Tragedy Crime Inspirational

ଏସିଡ୍ ଏକ କଳଙ୍କିତ ଅଧ୍ୟାୟ

ଏସିଡ୍ ଏକ କଳଙ୍କିତ ଅଧ୍ୟାୟ

7 mins
215



 ଭୁବନେଶ୍ବର ମାର୍କେଟ ବିଲଡିଙ୍ଗ। ଉଦୁଉଦିଆ ଖରା। ସହରୀପ୍ରେମକୁ ବଜରଙ୍ଗଦଳର ପ୍ରତିରୋଧ। ହୋଟେଲରେ ପ୍ରେମର ସୁବିଧା ନାହିଁ, କମିଶନେରେଟ ପୋଲିସର ଧରପଗଡ। ଇନ୍ଦିରାଗାନ୍ଧୀ ପାର୍କରେ ବଜରଙ୍ଗଦଳର ଛାଉଣୀ। ଧରାପଡିଗଲେ ସାଙ୍ଗସାଥୀ ,ଘରଲୋକଙ୍କ ସାମ୍ନାକୁ ଯାଇହେବନାହିଁ। 



     ଫେସବୁକରେ ଦୁଇବର୍ଷର ପ୍ରେମ କଟକନନ୍ଦନ ଅନିମେଶ ସହ ଭୁବନେଶ୍ବର ନନ୍ଦିନୀ ଅମ୍ରିତାର। ଅମ୍ରିତା ବାଣିବିହାର ଛାତ୍ରୀ ଓ ଅନିମେଶ ଦିଲ୍ଲୀର ଗୋଟିଏ କମ୍ପାନୀରେ କାର୍ଯ୍ୟରତ। ଦୁଇବର୍ଷ ପରେ ଆଜି ପ୍ରଥମ ସାକ୍ଷାତ ଦୁହିଁଙ୍କର।ଦୁହିଁଙ୍କର ଦୁଇବର୍ଷର ପ୍ରେମ ଭିତରେ ଆଉ କେହି କାହା ବିଷୟରେ ଅଧିକ ଜାଣିବାର ଆବଶ୍ୟକତା ନଥିଲା। ଏକବିଂଶ ଶତାବ୍ଦୀରେ ମୋବାଇଲରେ ସବୁକିଛି ସମ୍ଭବ। ଦୁହିଁଙ୍କର ପ୍ରତିଷ୍ଠା, ପ୍ରତିପତ୍ତି ସମାନ, ତେଣୁ ବାହାହେବାରେ କୌଣସି ପ୍ରତିବନ୍ଧକ ନଥିଲା। 



     ଗଳ୍ପରେ ସୁନ୍ଦର ଅନାବିଳ, ଅନାସକ୍ତ ପ୍ରେମ। କିନ୍ତୁ ଅଦ୍ଭୁତ ଯୁଗନିୟନ୍ତାଙ୍କ ସର୍ଜନା। ମନୁଷ୍ଯ ଯାହାକିଛି ପାଏ ତାଠାରୁ ଅଧିକ କିଛି ଆଶାରଖେ। ବାର୍ତ୍ତାଳାପ, ଫଟୋ ଆଦାନ ପ୍ରଦାନ ସବୁକିଛିର ପରିସମାପ୍ତି ଘଟିସାରିଥିଲା, କିନ୍ତୁ .......

ମନ ଚାହୁଁଥିଲା ଆଉ କିଛି ଅଧିକ। 

ବିଶେଷକରି ଅନିମେଶ। ଏତେ ବର୍ଷପରେ ଓଡିଶା ଆଗମନ, ତା ପୁଣି ପ୍ରେୟସୀ, ପ୍ରେମିକା ସହ ମିଳନ। ଅନିମେଶ ବଖାଣୁଥିଲା ଆମର ଏତେ ଦିନର ମିଳନର ସ୍ୱପ୍ନରେ ଭଟ୍ଟା ପକାଇଦେଲେ ବଜରଙ୍ଗଦଳର କର୍ମୀ। ଚବିଶଘଣ୍ଟା ଶୀତତାପ ନିୟନ୍ତ୍ରିତ କୋଠରୀରେ ରହିବା ଲୋକ ଆଜି ଫୁଟପାଥର ଗ୍ରୀଷ୍ମ ପ୍ରବାହର ତାଡନାରେ। ଜାଣିଛ ଅମ୍ରିତା କ୍ୱାଲିଟି ଆଇସକ୍ରିମ ବାହାରେ ମିଳେଇଗଲା ପରି ଆମ ପ୍ରେମ ବି ମିଳେଇଯିବ ଏମିତି ଦୁଇଘଣ୍ଟା ଖରାରେ ବସିଲେ। 



     ହସିଦେଇ ଅମ୍ରିତା କହିଲା, ହେ ମୋର ଦୁର ସୁଦୂରର ପ୍ରେମିକ ପ୍ରବର ! ମୁଁ ତ ପ୍ରସ୍ତାବ ଦେଲି ଆମ ଘରେ ଗପସପ କରିବାସହ ଘରଲୋକଙ୍କୁ ଆମର ମତାମତ ଜଣାଇଦେବା। ତମର ଏକା ଜିଦ୍ ନା, ଥରେ ଦୁଇଥର ଆମେ ଦୁହେଁ ଦୁହିଁଙ୍କୁ ଜାଣିବା ତାପରେ ଘରେ ଜଣେଇବା। ଦୁଇବର୍ଷର ସମ୍ପର୍କ, ଦିନକୁ ଦଶଘଣ୍ଟା କଥାବାର୍ତ୍ତାରେ ଘରଲୋକ କଣ ଜାଣି ନାହାନ୍ତି ଝିଅ ପ୍ରେମ କରୁଛି? ଆଉ ଭୟ କରିବାର କଣ ଥିଲା ? 



     ଅନିମେଶ କହିଲା, ନା, ନା ମୁଁ ଭାବିଥିଲି ଏକାନ୍ତରେ ଟିକେ....ମାନେଟା ତମେ ଠିକ ବୁଝିପାରୁଥିବ। ହସିଉଠି ଅମ୍ରିତା କହିଲା ଧେତ୍ ଅଭଦ୍ର !ଜାଣିଛ ଅନିମେଶ, ତମର କେତୋଟି ଲେଖା ମୁଁ ପଢିଛି, ସବୁଥିରେ ତମେ ଲେଖ ବିବାହ ପୁର୍ବରୁ ଶାରୀରିକ ସମ୍ପର୍କ ରହିତ ପ୍ରେମ ଦୀର୍ଘସ୍ଥାୟୀ। ଅନିମେଶ କହିଉଠିଲା, ଆରେ ବାବା, ତାହା ପୋଥିବାଇଗଣ। 


    

    ଅମ୍ରିତାର ହାତଟାକୁ ଧରିନେଲା ଅନିମେଶ। ଆପତ୍ତି କରି ଅମ୍ରିତା କହିଲା, ଏଇଟା ଜନସମାଗମ ସ୍ଥଳ। ମୁଁ ଏଇ ସହରର ଝିଅ। ବହୁତ ଲୋକ ଆତଯାତ। ତା ଭିତରୁ ଅଧିକାଂଶ ମତେ ଜାଣିଥିବେ, ଏସବୁ ଏଇଠି ଚଳିବ ନାହିଁ। ଏତେ ଯଦି ବ୍ୟଗ୍ର ଜଲଦି ବାହାଘର ସ୍ଥିର କର। ଘରେ ବି ବରପାତ୍ର ଖୋଜିବା ଆରମ୍ଭ କରିସାରିଲେଣି। 


     ବିରକ୍ତ ଲାଗୁଥିଲା ଅନିମେଶ। କହିଲା, ଛାଡ ଆଜି ଆସିବାଟା ବେକାର ଗଲା। ଦୂରରେ ଦୁଇଟି ପ୍ରେମୀଯୁଗଳଙ୍କ ଆଡକୁ ଇସାରା କରି ଅନିମେଶ କହିଲା ତମକୁ ଦୁନିଆ ଯାକର ଲାଜ ଓ ଭୟ। ଏଇଦେଖ ଏମାନେ କେମିତି ମୁକ୍ତ ଆକାଶର ବିହଙ୍ଗ ପରି ପ୍ରେମରେ ଲିପ୍ତ। ଆଉ ଗୋଟିଏ ଦିନ ଧାର୍ଯ୍ଯ କରି ମିଶିବା ଏକାନ୍ତରେ। ରୋକଠୋକ ମନାକଲା ଅମ୍ରିତା। ଆମର ରକ୍ଷଣଶୀଳ ପରିବାରରେ ବିବାହ ପୁର୍ବରୁ ଏସବୁ ନିଷିଦ୍ଧ। 


    ହଉ ରାଗନି କହି ହସିଉଠି ବୁଝାଇଦେଲା ଅନିମେଶ। ତାପରେ ଚାଟଖିଆ ପର୍ବ। ଚାଟ ବନୋଉଥିବା ଯୁବକର ହାତରୁ କହୁଣୀ ତଳକୁ ବହିଯାଉଥିବା ସ୍ୱେଦ, ଚାଟପାଣିରେ ମିଶି ଚାଟକୁ ଲବଣାକ୍ତ କରିବାରେ ସହାୟ ହେଉଥିଲା। 


   

     ଚାଟ ଖାଇବାସାରି ଯେ ଝା ରାସ୍ତାରେ ଫେରିଲେ। ଅମ୍ରିତାର ଫେରିବା ବାଟକୁ ଚାହିଁ ରହିଥିଲା ପଡୋଶୀ ଯୁବକ ରୁନା। ଭଦ୍ରାମୀରେ ପଦେ ଦୁଇପଦ କଥାହୁଏ ଅମ୍ରିତା ସହ। ଅମ୍ରିତା ଯେତିକି ଜାଣିଥିଲା, ଅନାଥଛୁଆଟା। ସଂଘର୍ଷ କରି ନିଜ ଗୋଡରେ ନିଜେ ଠିଆ ହୋଇଛି। ଏଇ କିଛିମାସ ଆଗରୁ ସେଇଠି ଭଡାରେ ରହୁଛି। 



      ଆଜି ଅନିମେଶର ବ୍ୟବହାର ତାକୁ କେଉଁଠି ନା କେଉଁଠି କଷ୍ଟ ଦେଇଥିଲା। ପ୍ରଶ୍ନ କରୁଥିଲା ନିଜକୁ ନିଜେ, ଅନିମେଶ ତାକୁ ଭଲପାଏ, ନା ତା ସୁନ୍ଦର ଚେହେରା ଓ ଶରୀରୀକୁ? ଦୁଇବର୍ଷରେ ଏମିତି ତ କେବେ ଜଣାପଡିନଥିଲା। ବାରଣ୍ଡାର ଆରାମ ଚୌକିରେ ନିଜର ଅବସନ୍ନ ଶରୀରଟାକୁ ଆରାମ ଦେବାକୁ ଚେଷ୍ଟିତ ଥିଲା ଅମ୍ରିତା।



       ସାମ୍ନାରେ ଠିଆ ହୋଇଥିଲା ରୁନା ଓ ତାକୁ ଅପଲକ ନେତ୍ରରେ ଅନେଇଥିଲା। ଚିଡିଉଠି ଅମ୍ରିତା ପଚାରିଲା କଣ କିଛି କହିବ ? ରୁନା ଉତ୍ତର ଦେଲା, ନା ତୁମକୁ ଦେଖୁଥିଲି। ପ୍ରକ୍ରୁତିର ଗନ୍ତାଘରର ସୁନ୍ଦର ମୋତିଟିଏ ତମେ। ନିଜର ପ୍ରଶଂସାରେ ସମସ୍ତେ ଅଳ୍ପ ବହୁତ ଖୁସିହୁଅନ୍ତି, କିନ୍ତୁ ସେଇ ପରିସ୍ଥିତିରେ ଅମ୍ରିତା ଖୁସି ନଥିଲା। କହି ଉଠିଲା ସବୁ ପୁଅ ସମାନ। ନଜର ଝିଅଟିର ଶରୀର ଉପରେ। ଏମିତି ଶରୀରଟାକୁ ରାକ୍ଷସପରି ଚାହିଁରହି କଣ ପାଆନ୍ତି କେଜାଣି?



    ରୁନା ଉତ୍ତର ଦେଲା, ନା ମ୍ୟାଡମ ମୁଁ ଆଦୌ ଆପଣଙ୍କ ଶରୀର ଚାହେଁନାହିଁ। ମୁଁ ଚାହେଁ ସୁନ୍ଦର ମନଟିଏ। ମୁଁ ଆପଣଙ୍କୁ ବହୁତ ଭଲପାଏ। ଚମକିଉଠି ଅମ୍ରିତା କହିଲା ମୁଁ ଆଉ କାହାର ହୋଇସାରିଛି। ରୁନା କହିଲା ଆପଣଙ୍କୁ ଯିଏ ବି ପାଇଛି, ନିଶ୍ଚୟ ଭାଗ୍ୟବାନ। ଭଗବାନ ଆପଣଙ୍କୁ ଖୁସିରେ ରଖନ୍ତୁ। ଅମ୍ରିତାର ମନଟା ଆଜି କାହିଁକି କେଜାଣି ଭଲ ଲାଗୁନଥିଲା। 


   

     ଘର ଭିତରକୁ ଚାଲିଗଲା ସେ। ବାରମ୍ବାର ନଜର କରୁଥିଲା ମୋବାଇଲକୁ। ଅନିମେଶ ପହଞ୍ଚି ଫୋନ କରିନାହାନ୍ତି କାହିଁକି? ମାଆ କିଛିଟା ଠଉରେଇ ପଚାରିଲେ ସଦାହସହସ ଝିଅର ମୁହଁଟା ଆଜି ଖଟାଖିଆ ମୁହଁ ପରି କାହିଁକି ହୋଇଛି? କଣ ଅସୁବିଧା ହୋଇଛି କି?ଅମ୍ରିତା ମିଛିମିଛିକା ହସ ହସିଦେଇ କହିଲା, ନା ମାଆ କିଛି ନୁହଁ, ଖରାରେ ଘୁରିଆସିଲି ତ ମୁଣ୍ଡଟା ବିନ୍ଧୁଛି। ହଉ ଯାଆ ଟିକେ ଆରାମ କର କହିଲେ ମାଆ।



      ଥକ୍କିଯାଇ କେତେବେଳେ ଆଖିଲାଗିଯାଇଛି ଜାଣିନି ଅମ୍ରିତା। ହଠାତ ମାଆଙ୍କ ଡାକରେ ଚମକିଉଠି ପ୍ରଥମେ ଫୋନଟାକୁ ଅନେଇଲା। ଅନିମେଶ କେତେ ଫୋନ କରିଥିବେ।ଦଶମଶ୍ରେଣୀ ଛୁଆଟି ଗଣିତ ଭୁଲ କରି ଅନୁତାପ କଲାପରି ଅନୁତାପ କରୁଥିଲା ଅମ୍ରିତା। ସତେ ଯେମିତି କିଛି ହଜିଯାଇଛି। ସେଇ ଅନୁତାପରେ, ଅପେକ୍ଷାରେ ଆନନ୍ଦ। ଏଇ ତ ଭଲପାଇବା।



     ମୋବାଇଲ ଦେଖି ଚମକି ଉଠିଲା। ଜମା ଫୋନ ନାହିଁ। ମନକୁ ପାପ ଛୁଇଁଲା। ମେସେଜ କଲା ଉତ୍ତର ନାହିଁ। ଫୋନ ବି ହେଲା ନାହିଁ। ରାତିସାରା ଆଖିରେ କସା ପଡିଲାନି। ସକାଳୁ ସକାଳୁ ଫୋନ କଲା ଅମ୍ରିତା। ପଚାରିବସିଲା, କେମିତି ପହଞ୍ଚିଲ କଣ କଲ କିଛି ନଜଣାଇ ଚୁପ୍ କେମିତି ହେଲ। ବେପରୁଆ ଉତ୍ତର ଥିଲା ଅନିମେଶର। 



     ଅନିମେଶ ଫେରିଯାଇଥିଲା ଦିଲ୍ଲୀ। ବହୁତ କମ କଥା ହେଉଥିଲା ଅମ୍ରିତା ସହ। ଅମ୍ରିତା କହିଲା ଏଥର ଆସିଲେ ଘରକୁ ଆସିବ। ବାହାଘର ସ୍ଥିର କରିଦେବା। ହଁ ଭରିଲା ଅନିମେଶ।ଖୁସିରେ କୁରୁଳି ଉଠିଲା ଅମ୍ରିତା। କୁଆଁରୀ ଝିଅର ମନର ମଣିଷ ତା ପାଖରେ। ମନେ ମନେ ଭାବୁଥିଲା ଏ ଲେଖକ ଗୁଡିକ ମଦ୍ୟପ, ରସିକ। କାବ୍ୟ ରଚନା କରି ଭୁଲ, ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନା କରନ୍ତି। ଲେଖନ୍ତି ପ୍ରେମ କୁଆଡେ କଣ୍ଟକିତ, ଅନୁଶୀଳନର ଆବଶ୍ୟକତା ରହିଛି।ସେମିତି ତ କିଛି ବି ଘଟିନାହିଁ ଆମ ପ୍ରେମରେ। ସୁନ୍ଦର, ଅନାବିଳ, ଅନାସକ୍ତ ପ୍ରେମ, ତାପରେ ବାହାଘର। 



      ଖିଲି ଖିଲି ପୁନେଇ ଜହ୍ନପରି ହସୁଥିଲା ଅମ୍ରିତା। ଅପେକ୍ଷା ତାକୁ ଅସହ୍ଯ ଲାଗୁଥିଲା। ହଠାତ ଦିନେ ଫୋନ ଆସିଲା ଅନିମେଶର। ଶୁଣ ଅମ୍ରିତା ମୁଁ ଦିଲ୍ଲୀରୁ ସିଧା ଆସିବି ତମ ସହରକୁ।ହୋଟେଲ ସ୍ୱସ୍ତିରେ ପହଞ୍ଚିବି। ତମେ ସେଠିକି ଆସିବ। କଣ କହିବ ହଠାତ ଭାବିପାରିଲାନି ଅମ୍ରିତା। ସେପଟୁ ଅନିମେଶ କହିଲା, ଆରେ ବାବା ହୋଟେଲରେ ତମେ ମତେ ଟିକେ ସଜେଇଦେବ। ପ୍ରଥମଥର ତମଘରକୁ ଯିବା ନା। ଟିକେ କଥାବାର୍ତ୍ତା କରି ବାହାରିଯିବା। ହଁ ଭରିଲା ଅମ୍ରିତା। 



      ଅମ୍ରିତା ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ଉପନୀତ ହେଲା। ମାଆକୁ ସବୁ ବିଷୟ ଅବଗତ କରାଇ ହୋଟେଲ ଅଭିମୁଖେ ନିଜର ସ୍କୁଟି ଧରି ବାହାରିଗଲା ଅମ୍ରିତା ।ସୁନ୍ଦର, ସୁସଜ୍ଜିତ କୋଠରୀ, ଧିମା ଆଲୋକ ସାଙ୍ଗକୁ କିଛି ବ୍ରୁକ୍ଷଲତା, ସୁନ୍ଦର,ରୋମାଞ୍ଚକର ବାତାବରଣ ସ୍ରୁଷ୍ଟି କରୁଥିଲା। ଅମ୍ରିତା ପହଞ୍ଚିବା ସଙ୍ଗେ ସଙ୍ଗେ କିଛି ଦାମୀ ଉପହାର ପ୍ରଦାନ କଲା ଅନିମେଶ। ଅମ୍ରିତାକୁ ବସିବାକୁ ଅନୁରୋଧ କରି କଫି ଆଦେଶ କଲା।


      

     କଫି ପିଆ ସରିଲାପରେ ଏଥର ଯିବା ଘରକୁ କହିଲା ଅମ୍ରିତା। ହଁ ଯିବା ତ ନିଶ୍ଚିତ, ଘର କେଉଁଆଡେ ଚାଲିଯିବ କି କହି ହଠାତ୍ ଅସଦାଚରଣ ଆରମ୍ଭ କଲା ଅନିମେଶ। ନିଜକୁ ବିଶ୍ବାସ କରିପାରୁନଥିଲା ଅମ୍ରିତା। 



    ପ୍ରତିରୋଧ କରି ଖସି ଆସିବାକୁ ଚେଷ୍ଟାକଲା ବେଳେ ଅନିମେଶ କହିଲା ଯଦି ତମେ ସେମିତି ଚାଲିଯିବ, ମତେ ଭୁଲିଯିବ। ଭୋ ଭୋ କାନ୍ଦି କାନ୍ଦି ବାହାରିଆସିଲା ଅମ୍ରିତା।ତଳକୁ ଓହ୍ଲାଇ ଆସିଲା ଅନିମେଶ । 



    କହିଉଠିଲା ଶୁଣ ଅମ୍ରିତା , ମୁଁ ତୁମକୁ ବହୁତ ଭଲପାଏ, ଭୁଲବୁଝି ଚାଲିଯାଅନା। ଆଉଥରେ ମୋ କଥା ଉପରେ ଚିନ୍ତା କରି ଦେଖ। ମୁଁ ବହୁତ ଜିଦ୍ଦିଆ। କେମିତି ବି ତ ଆମର ବାହାଘର ହେବ। ତା ପୁର୍ବରୁ ମୋତେ ବିଶ୍ବାସକୁ ନେଉନାହଁ କାହିଁକି? ଅମ୍ରିତା କହିଲା ବିବାହ ପୁର୍ବରୁ ଏଗୁଡାକ ବିଶ୍ବାସ ନୁହଁ ସର୍ବନାଶ। 



       ଅମ୍ରିତା କହିଲା ତୁମକୁ ଦୁଇବର୍ଷର ପ୍ରେମର ସୁଧ ସ୍ୱରୂପ ଦୁଇଘଣ୍ଟା ସମୟ ଦେଲି। ଯଦି ରାଜି ଫୋନକରିବ ଘରକୁ ଯିବା। ନହେଲେ ଆଜିଠୁ ସମ୍ପର୍କର ସମାପ୍ତି। ଚୁପ୍ ଥିଲା ଅନିମେଶ। ଗାଡିଷ୍ଟାର୍ଟକରି ବାହାରିଗଲା ଅମ୍ରିତା।



      ରାସ୍ତାରେ ଭାବୁଥିଲା ପ୍ରେମ କଷ୍ଟଦାୟକ, ଆଉ ଫେସବୁକ ପ୍ରେମ କଣ୍ଟକିତ, କଳଙ୍କିତ। ଦୁଇକିଲୋମିଟର ଗଲାପରେ ମୁଣ୍ଡ କଣ ଲାଗୁଥିଲା। ରାସ୍ତା ଶୂନଶାନ, ପ୍ରବଳ ଗ୍ରୀଷ୍ମ ପ୍ରବାହ। ଗାଡିରୁ ପାଣିବାହାର କରି ପିଇବାକୁ ଲାଗିଲା। ହଠାତ ଦେହସାରା ପାଣି ଅଜାଡି ହୋଇପଡିଲା। ମୁହଁ ଟେକି ଅନେଇଲା ବେଳକୁ ଦୁଇଜଣ ଯୁବକ ଦୌଡୁଥିଲେ। ତାପରେ ଶରୀର ସାରା ଜଳିଉଠିଲା। ଆଖି ଖୋଲିଲା ବେଳକୁ ନିଜକୁ ପାଇଲା ହସ୍ପିଟାଲ ବେଡରେ। ପୁରା ପରିବାର ତା ଚାରିପଟେ ଘେରି ରହିଥିଲେ ଅଶ୍ରୁଳ ନୟନରେ। ଆରେ ମୁଁ ଠିକ ଅଛି, ଏମିତି ସମସ୍ତେ କାନ୍ଦୁଛ କାହିଁକି? 



     ପୁଲିସକୁ ସବୁ ବିଷୟରେ ଅବଗତ କରାଇଲା ଅମ୍ରିତା, ତାପରେ ଅନିମେଶର ଫୋନ କଥା ପଚାରିଲା। ମୁଣ୍ଡ ହଲାଇ ମନାକଲେ ମାଆ। ଖୁବଶୀଘ୍ର ଆସାମୀ ଧରାପଡିବ କହି ଚାଲିଗଲେ ଥାନାବାବୁ। ପଚାରିଲା ଅମ୍ରିତା, ମାଆ ମୁଁ ତ ପାଣି ପିଇଲି, ତାପରେ ମୋ ଉପରେ ପାଣିଢାଳି ଯୁବକ ଦୁଇଟି ଦୌଡିଚାଲିଗଲେ, ତାପରେ ଆଉ ମୁଁ କିଛି ଜାଣିପାରିଲିନି। ମାଆ! ମୋର କଣ ହୋଇଛି ? ହାତଗୋଡ କିଛି ଉଠୁନାହିଁ ? କାନ୍ଦୁଥିଲେ ମାଆ। ବାପା ବୁଝାଇଦେଲେ, ଝିଅଲୋ ତୁ ଆରାମ କର, ସବୁ ଠିକ ହୋଇଯିବ। ନିଦ ଆସୁଛି କହି ଶୋଇଗଲା ଅମ୍ରିତା।




       ଧିରେଧିରେ ସୁସ୍ଥ ହେଲା ଅମ୍ରିତା। ମାଆ କହିଲେ ଝିଅ ଆଜି ଘରକୁ ଯିବା। ଖୁସି ହୋଇଗଲା ଅମ୍ରିତା। କହିଲା ମାଆ ତମେ ଯେଉଁଠି କହିବ ସେଇଠି ବାହାହେବି। ମୋର ଆପତ୍ତି ନାହିଁ। କାନ୍ଦିଉଠିଲେ ମାଆ। ଅମ୍ରିତା କହିଲା ଆଚ୍ଛା ମାଆ ଟିକେ ଆଇନା ଦେଲ, ଦେହ ଖରାପ ଥିଲା ତମେ ସେବା କରୁଥିଲ, ଏବେ ମୁଁ ତ ସୁସ୍ଥ, ମୋ କାମ ନିଜେ କରିବି। କାନ୍ଦୁଥିଲେ ମାଆ। ବାପା କହିଲେ ତାକୁ ଆଇନା ଦିଅ, ସତ୍ୟର ସାମ୍ନା କରିବାର ସାହସ ଦିଅ। ମାଆ ବଢେଇଦେଲେ ଆଇନା। ଥରିଉଠିଲା ଅମ୍ରିତା। ନିଜ ଚେହେରା ନିଜେ ଜାଣିପାରୁନଥିଲା। 



      ହାତଘୋଡେଇ ହୋଇଥିବା ଜାମା ବାହାରକରି ଦେଖିଲା ଅଶୀବର୍ଷର ବ୍ରୁଦ୍ଧାପରି ଚମଡା ସବୁ ଝୁଲିଯାଇଥିଲା। ତାର  ବୁଝିବାକୁ ବାକି ନଥିଲା ସେଦିନ ସେହି ଯୁବକ ଦୁଇଜଣ ତା ଉପରେ ଏସିଡ ଢାଳିଥିଲେ। କାନ୍ଦି କାନ୍ଦି ମାଆଙ୍କୁ କହିଲା, ମୋତେ କାହିଁକି ବଞ୍ଚେଇଲ, ଜୀବନସାରା କାନ୍ଦିବା ପାଇଁ? ଏ ପରିସ୍ଥିତିରେ କଣ ଅନିମେଶ ମତେ ଗ୍ରହଣ କରିବେ? ମାଆ ବୁଝେଇଲେ, ତାକୁ ଟିକେ ଫୋନକର ଓ ସବୁ ବିଷୟରେ ବର୍ଣ୍ଣନା କର। ସେ ଯଦି ପ୍ରକ୍ରୁତରେ ଭଲ ପାଉଥିବ ନିଶ୍ଚୟ ରାଜି ହେବ। 



     ଆଶା ଆଶଙ୍କାରେ ତିନି ତିନିଟି ନମ୍ବରକୁ ଫୋନକଲା ଅମ୍ରିତା। କିନ୍ତୁ କୌଣସି ଫୋନ ଲାଗୁନଥିଲା। ଘରକୁ ଫେରିଲା ଅମ୍ରିତା। ଶରୀର ସାରା ବସ୍ତ୍ରାବ୍ରୁତ। ସାଇପଡ଼ିଶା ଘ୍ରୁଣାକରି ଟୁପୁରୁଟାପର ହେଉଥିଲେ। ଏସିଡ ମାଡ ସାଙ୍ଗକୁ ଅନିମେଶର ପ୍ରତ୍ୟାଖ୍ୟାନ। ଦୁଇଦୁଇଥର ଆତ୍ମହତ୍ୟା କରି ବିଫଳ ହେଲା ସେ। 

ହଠାତ ଦିନେ ..........


ପଡୋଶୀ ରୁନା ପଶି ଆସିଲା ଘରକୁ। ଅମ୍ରିତାର ବାପାମାଆଙ୍କୁ ଅମ୍ରିତାର ହାତ ମାଗିଲା। ଆଶ୍ଚର୍ଯ୍ୟଚକିତ ହୋଇ ଅନାଇଥିଲେ ସମସ୍ତେ। ଅମ୍ରିତାର ବାପା ପଚାରିଲେ ବାବୁ! ତମେ ତ ଯୁବକ। ଚାକିରୀ କରୁଛ। ଆମ ଭାଗ୍ୟକୁ ନେଇ ଆମକୁ ବଞ୍ଚିବାକୁ ଦିଅ। ଭଗବାନ ତ ପରିହାସ କଲେ, ତମେ ଆଉ ପରିହାସ କରନାହିଁ, ସ୍ୱାଭିମାନୀ ଝିଅଟି ମରିଯିବ। 



      ରୁନା କହିଲା, ନା ମଉସା, ମୁଁ ଅମ୍ରିତାକୁ ଭଲପାଏ, ତା ଶରୀରକୁ ନୁହେଁ। ବିଶ୍ୱାସ ରଖନ୍ତୁ ଖୁସିରେ ରଖିବି। ଭାଗ୍ୟରେ ଥିଲେ ଅମ୍ରିତା ପରି ସ୍ତ୍ରୀ ମିଳିବ। ରାଜିଖୁସିରେ ବାହାଘର ସମ୍ପନ୍ନ ହେଲା। ଅମ୍ରିତାକୁ ଏସିଡ ଫୋପାଡିଥିବା ଆସାମୀକୁ ପୋଲିସ ଖୋଜି ବାହାରକରି ଜେଲ ପଠାଇଲା ପୁଲିସ।



    ଆଜି ହସ୍ପିଟାଲରେ ଭିଡ। ପ୍ରସବବେଦନାରେ ଛଟପଟ ଅମ୍ରିତା। ବେଡପାଖରେ ଅମ୍ରିତା ରୁନାର ହାତଟାକୁ ଜାବୁଡି ଧରିଥିଲା। ରୁନା ବୁଝୋଉଥିଲା ବ୍ୟସ୍ତ ହୁଅନି ଅମ୍ରିତା ସବୁ ଠିକ ହୋଇଯିବ। ଅମ୍ରିତା କହୁଥିଲା, ଏ...ରୁନା....ଛୁଆଟା ମୋ ପରି ବିକ୍ରୁତ ହୋଇଯିବନି ତ? ଅମ୍ରିତା ପାଟିରେ ହାତ ରଖି ରୁନା କହିଲା, ହୋଇଯାଉ ବିକ୍ରୁତ କିନ୍ତୁ ତୁମ ରକ୍ତର ଛୁଆ ସଂସ୍କାରୀ ତ ନିଶ୍ଚିତ ହେବ। ତାକୁ ବି ମୋ ପରି ରୁନା ମିଳିବ। ଆଉ ଯଦି ପୁଅ ହୁଏ ତୁମ ପରି ଅମ୍ରିତା ମିଳିବ। ଖୁସିରେ ରୁନାକୁ ଜାବୁଡି କାନ୍ଦୁଥିଲା ଅମ୍ରିତା। ତାପରେ ଅମ୍ରିତା ଚାଲିଗଲା ଭିତରକୁ। 



କିଛି ସମୟପରେ......

ଅମ୍ରିତାର ନବଜାତ ପୁତ୍ରକୁ ନେଇ ବାହାରକୁ ଆସିଲେ ଡାକ୍ତର। ଛୁଆଟି ସାକ୍ଷାତ ରାଜକୁମାର। ଜାବୁଡିଧରି ଗେହ୍ଲା କରୁଥିଲା ରୁନା। ଛୁଆକୁ ଧରି ଅମ୍ରିତା ପାଖକୁ ଗଲା। ଅମ୍ରିତା ପୁଅର ଦେହସାରା ହାତବୁଲେଇ କହୁଥିଲା, ଏ ରୁନା, ଆମ ପୁଅ ମୋ ପରି ହୋଇନାହିଁ ଦେଖ। ସମ୍ପୁର୍ଣ୍ଣ ସୁସ୍ଥ ସବଳ। ବିକଳରେ କାନ୍ଦୁଥିଲା ଅମ୍ରିତା। ରୁନା କହୁଥିଲା ହେ ମୋର ଦେବୀ ! ତୁମକୁ ଶତ ଶତ ପ୍ରଣାମ। 

ଅମ୍ରିତା କହିଲା ନା ନା ତମେ ମୋର ତ୍ୟାଗର ଦେବତା। ହସୁଥିଲେ ଦୁହେଁ, ହସୁଥିଲା ସଂସାର। ।


Rate this content
Log in

Similar oriya story from Tragedy