Pramod Kumar Jena

Inspirational

3.2  

Pramod Kumar Jena

Inspirational

ଏମିତି ଏକ ବର୍ଷା ଦିନେ

ଏମିତି ଏକ ବର୍ଷା ଦିନେ

9 mins
706



       ଏ ଅଦିନିଆ ବର୍ଷାଟା ଭାରି ବିରକ୍ତିକର l ସକାଳ ଆକାଶ ଏକଦମ୍ ପରିଷ୍କାର ଥିଲା l ଭାବିଥିଲେ ଆଜି ବର୍ଷା ହେବନି l ଘରୁ ବାହାରିଛନ୍ତି କି ନାହିଁ ଦେଲା ଅସରାଏ l ସମୟ ମିଳିଲାନି ରେନ୍ କୋଟଟା ଗଳେଇବାକୁ l ଆଜି ପୁଣି ଅଫିସରେ ଫଙ୍କସନ୍ ଅଛି l ତେଣୁ ଶାଢୀ ପିନ୍ଧିଥିଲେ l ଟିକିଏ ବେଳା ବେଳି ବାହାରି ଆସିଥିଲେ ଘରୁ କେବଳ ସେଇ ବର୍ଷା ଡରରେ l ଦେଲା ବିଗାଡି ସବୁ କାମ l ଅବଶ୍ୟ ଅଫିସ୍ ସମୟ ହୋଇନି l ତେବେ ବୁକେ ଦେବା ଦାୟିତ୍ୱଟା ରେଖାଙ୍କର

ଥିଲା l ଭାବିଲେ ସାଙ୍ଗ ଅସୀମାଙ୍କୁ ଫୋନରେ କହିଦେବେ ତାଙ୍କ ଘର ଛକଠୁ ନେଇ ଆସିବ l ହୁଏ ତ ଅଫିସ୍ ପହଞ୍ଚିବାରେ ଡେରି ହୋଇପାରେ l

       ଓଦା ସରସର ହୋଇ ପୁଣି ଘରକୁ ଫେରିଲେ l ମୁଣ୍ଡଟାକୁ ଟାୱେଲରେ ପୋଛି ଆଉ ଗୋଟେ ଶାଢୀ ବଦଳେଇବାକୁ ଆଲମାରୀ ଖୋଲିଲେ l ଶାଢୀର ଭଣ୍ଡାର l ପାଟ ଠାରୁ ଆରମ୍ଭ କରି ସିଫନ୍, ଜର୍ଜେଟ୍ କ’ଣ ନାହିଁ ? କୋଉଟା ପିନ୍ଧିବେ, କୋଉଟା ନାହିଁ ଭାବୁ ଭାବୁ ଟେବୁଲ୍ ଉପରକୁ ନଜର ପଡିଲା l ଆରେ ସେଇଟା ତ ଅଛି l ଏବେ କିଣିଥିଲେ l ପ୍ୟୁଅର୍ ସିଲ୍କ୍ l ପ୍ଲେନ୍ ହେଲେ ବି କଲରଟା ତାଙ୍କର ଭାରି ପସନ୍ଦ l କାଲି ସନ୍ଧ୍ୟାରେ

       ଶ୍ୱଶୁର ଲଣ୍ଡ୍ରିରୁ ପ୍ରେସ୍ କରି ଆଣିଥିଲେ l ଭିତରେ ରଖିବାକୁ ଭୁଲି ଯାଇଥିଲେ l ଭାବିଲେ ସେଇଟା ପିନ୍ଧିବେ l ଖୋଲି ଦେଖିବା ବେଳକୁ ମୁଣ୍ଡ ଗୋଳମାଳ ହୋଇଗଲା l ଚିତ୍କାର କଲେ, ‘ତିନି ହଜାର ଟଙ୍କାର ଶାଢୀଟା l ଦେଲାନା ବେକାର କରି l ବାପା କ’ଣ ଶୁଣିବେ ? ସେଇ ବୁଢାକୁ ହିଁ ଦେଇ ଆସିବେ l ଦେଲାନା ପୋଡି l ଆରେ.... ଏତେ ଦୟା ଦେଖେଇବା କ’ଣ ଦରକାର

ଅଛି ? ଏତେ ସୁନ୍ଦର ଶାଢୀଟା l ହେ ଭଗବାନ୍.......... ଦେଲା ନା l’

       ଶ୍ରୀମତିଙ୍କର ରାଗ ଦେଖି ପ୍ରଶାନ୍ତ ପଚାରିଲେ, ‘କ’ଣ ହେଇଛି ?’

       : ଦେଖୁନ........ ଦେଖ........ କହି ଶାଢୀଟି ବଢେଇ ଦେଲେ ରେଖା ସ୍ୱାମୀଙ୍କ ଆଡକୁ l

       ତନ୍ନ ତନ୍ନ କରି ଆଖି ବୁଲେଇଲେ ଶାଢୀ ଉପରେ ପ୍ରଶାନ୍ତ l କିଛି ଅସୁବିଧା ନଜରକୁ ବୋଧହୁଏ ଆସୁ ନ ଥାଏ l ରେଖାଙ୍କର ଆଉ ଧୈର୍ଯ୍ୟ ନ ଥିଲା l ସେତେବେଳକୁ ତ ସେ ରାଗରେ ଫଁ ଫଁ ହେଉଥିଲେ l ସ୍ୱାମୀଙ୍କ ହାତରୁ ଶାଢୀଟା ନେଇ ଦେଖେଇଦେଲେ l

       : ଏଇ ଦେଖ l ପୁରା ପୋଡି ଦେଇଛି l

: ଆରେ ସତେ ତ....... ପ୍ରଶାନ୍ତ ଦେଖିଲେ ଅତ୍ୟଧିକ ଗରମ୍ ଆଇରନର ପ୍ରଭାବ l ଯଦିଚ ପୁରା ପୋଡି ଯାଇନି l କିନ୍ତୁ ବାରି ହୋଇ ପଡୁଛି l

ସ୍ୱାମୀଙ୍କ ମୁହଁର ଭାବନାକୁ ଠିକ୍ ଭାବରେ ପଢି ରେଖା କହିଲେ, ‘ବାରମ୍ବାର ମୁଁ ବାପାଙ୍କୁ ମନା କରୁଛି ସେ ବୁଢାର ଲଣ୍ଡ୍ରୀରେ କପଡା ନ ଦେବାକୁ l ବାପା କ’ଣ ଶୁଣୁଛନ୍ତି ? ବାପାଙ୍କୁ କହ, ଯାଇ ସେ ବୁଢାକୁ ଦେଖେଇବେ l ତିନି ହଜାର ଟଙ୍କାର ଶାଢୀଟା ....... ଗତ ଥର ତମ ପ୍ୟାଣ୍ଟଟା ବରବାଦ କରିଥିଲା l ଆଉ ଏଥର....... ବହୁତ ହେଇଗଲା l ଯାଅ ବାପାଙ୍କୁ କହ l ଆଉ ସେ ଯଦି ରାଜି ନ ହୁଅନ୍ତି, ତୁମେ ଯାଇ ସେ ବୁଢାକୁ ଦେଖାଅ l’ 

       ମୋର ଏତେ ପଇସା ନାହିଁ ଯେ ପୋଡିଗଲେ ଆଉ ଗୋଟେ କିଣି ଦେବି l ତା’କୁ ସେ ଶାଢୀଟା ଦେଖେଇବ l ଆଉ କହିବ, ସେଇଟାକୁ ରଖି ମୋ ଶାଢୀର ଦାମ୍ ଦେଇ ଦେବ l

       ପାଟି ଶୁଣି ପ୍ରଶାନ୍ତର ବୋଉ ରମା ଚାଲି ଆସିଲେ l ବାସ୍ ପୁଅ ବୋହୁଙ୍କ ଠାରୁ ଘଟଣାଟି ଶୁଣି ମନେ ମନେ କ’ଣ କରିବେ ଭାବି ପାରୁ ନ ଥାନ୍ତି l ସତ କଥା l ଏତେ ଭଲ ଶାଢୀଟା l ଯେ କୌଣସି ଲୋକର ମୁଣ୍ଡ ଗୋଳମାଳ ହୋଇଯିବ l କ’ଣ କରିବେ ଭାବୁଥାନ୍ତି l ପୁଅ ହାତରୁ ଶାଢୀଟା ନେଇ ପାଖ ଘରକୁଗଲେ l ପ୍ରଶାନ୍ତର ବାପା ସେତେବେଳକୁ ଟିlଭିlରେ ନିଉସ୍ ଦେଖୁଥାନ୍ତି l ଶ୍ରୀମତୀଙ୍କ ହାତରେ ଶାଢୀଟାକୁ ଦେଖି ପଚାରିଲେ, ‘କ’ଣ ହେଲା ? ପିଲାମାନେ କିଛି କହୁ ଥିଲେ କି ? ଟିକିଏ ପାଟି ଶୁଭୁଥିଲା l ପାଖରେ ବସି ପଡି ପ୍ରଶାନ୍ତ ବୋଉ ଧିର ଗଳାରେ କହିଲେ, ବୋହୁର ଶାଢୀଟା ସେ ଧୋବା ପୋଡି ଦେଇଛି l’

       : ଆହାଃ.... ଦେଖି ଦେଖି......... ଦୁହେଁ ମିଶି ଦେଖିଲେ l

       : ସେମାନେ ତ ତୁମକୁ ବାରମ୍ବାର ମନା କରିଛନ୍ତି ସେ ଧୋବାକୁ ଆଇରନ୍ କରିବାକୁ ନ ଦେବାକୁ l ତୁମେ ଶୁଣୁନ l କ’ଣ ତୁମର ସେ ବୁଢା ବୁଢୀ ପ୍ରେମ ମୁଁ ବୁଝୁନି l ଅନ୍ୟ ଲଣ୍ଡ୍ରିରେ ଦେଲେ ହୁଅନ୍ତାନି ? ତୁମେ ତ ବୋହୁ କଥା ଜାଣିଛ l

ଆଜି ତ ସେ ଆଉ କାହା କଥା ଶୁଣିବା ଅବସ୍ଥାରେ ନାହିଁ l ତା’ ଅଫିସ୍ ଫଙ୍କସନକୁ ଯାଇଥାନ୍ତା ସେ ଶାଢି ପିନ୍ଧି l କିଏ ତା’କୁ ସମ୍ଭାଳିବ ? ଯାଅ ତାଙ୍କୁ ଦେଖାଅ l

ବଡ ଅସୁବିଧା କଥା l କ’ଣ କରିବେ ପ୍ରଧାନ ବାବୁ ? ମନେ ମନେ ଭାବିଲେ, ତା’କୁ ଏତେ କରି କହିଥିଲେ l ବୋହୁର ଶାଢିଟା l ଟିକେ ହୁସିଆରରେ କରିବୁ ବୋଲି l ହେଲେ କ’ଣ କଲା ସେ ? ଭାରି ଅସହାୟ ଲାଗିଲା l କ’ଣ କରିବେ ?

: ହେଇଟି......... ତୁମେ ନ ଗଲେ, ପୁଅ ଯିବ l କ’ଣ କହୁଛ ?

: ଆରେ ନାଁ........... ନାଁ........... ସେ ଗଲେ ତା’କୁ କ’ଣ ବୋଲେ କ’ଣ କହିଦେବ l ବୁଢା ବୁଢୀ ଲୋକ ସେମାନେ l ମୁଁ ନିଜେ ଯିବି l

ଯିବାକୁ ବାହାରିଲେ ପ୍ରଧାନ ବାବୁ l ଶାଢୀଟାକୁ ଗୋଟେ ଖବର କାଗଜରେ ଗୁଡାଇ ଦେଇ ରମା ବଢେଇ ଦେଲେ ତାଙ୍କ ହାତକୁ l ପକେଟରେ ହାତ ମାରି ଦେଖିଲେ ସ୍କୁଟର୍ ଚାବିଟା ଅଛିକି ନାହିଁ l ପୁଣି କ’ଣ ଭାବିଲେ l ତା’ ପରେ ବାହାରି ଗଲେ ଘରୁ l

ସେତେବେଳ ପର୍ଯ୍ୟନ୍ତ କିନ୍ତୁ ବୋହୁ ମାଆଙ୍କର ରାଗ ଶାନ୍ତ ହୋଇ ନ ଥାଏ l ବାପାଙ୍କ ଉପରେ ଥିବା ରାଗଟାକୁ ସ୍ୱାମୀଙ୍କ ଉପରେ ଶୁଝାଉଥାନ୍ତି l ଅଫିସ୍ ଯିବା କଥା ଭୁଲି ଗଲେଣି ବୋଧହୁଏ l

: ଏତେ ସିମ୍ପାଥି କାହିଁକି ସେ ବୁଢା ବୁଢୀଙ୍କ ପ୍ରତି କେଜାଣି ? ମୁହଁଟାକୁ ବିକୃତ କରି କହିଲେ ରେଖା l

ଟିକିଏ ସ୍ତ୍ରୀକୁ ପାସିଫାଇ କରି କହିଲେ ପ୍ରଶାନ୍ତ l ‘ଆକ୍ଚୁଆଲି ସେମ୍ ଜେନେରେସନର ଲୋକମାନଙ୍କ ପ୍ରତି ସମସ୍ତଙ୍କର ଅଳ୍ପେ ବହୁତ ସିମ୍ପାଥି ଥାଏ l ହୁଏ ତ ତାଙ୍କ ଷ୍ଟେଜକୁ ଆସିଲେ ଆମେ ସେ କଥା ବୁଝିବା l’

ଏ ଚିକ୍କଣ କଥା ଶୁଣିବାକୁ ଧୈର୍ଯ୍ୟ ନ ଥିଲା ଶ୍ରୀମତୀଙ୍କର l

ସେମ୍ ଜେନେରେସନ୍ ବୋଲି ଷ୍ଟାଟସର ଖିଆଲ୍ କରିବା କଥା ନା ନାହିଁ ? ଦୁନିଆଁଯାକର ଦୁଃଖ ବାଣ୍ଟିବାକୁ ବାପାଙ୍କୁ କିଏ ଗୁହାରୀ କରୁଛି ?

ରମା ଦେବୀ ଦେଖିଲେ ଏମାନଙ୍କ ଯୁକ୍ତି ତର୍କର ଅନ୍ତ ନାହିଁ l ଭାବିଲେ ଅନ୍ୟ ଘରକୁ ଚାଲିଗଲେ ମୁକ୍ତି l ଅତି କମରେ ସ୍ୱାମୀଙ୍କ ବିରୁଦ୍ଧରେ ତ କିଛି ଶୁଣି ପାରିବେନି l ଦିନ ଥିଲା ଛୋଟ ଛୋଟ କଥା ଗୁଡିକରେ ପ୍ରଶାନ୍ତର ବାପା ପୁଅକୁ ଆକଟ କରୁଥିଲେ l ବାଟ ଦେଖାଉଥିଲେ l ବିରୋଧ କରୁଥିଲେ l ଆସ୍ତେ ଆସ୍ତେ ଲାଗିଲା, ବୟସ ଯେତିକି ଆଗକୁ ଆଗକୁ ଯାଉଛି, ସେ କ୍ଷମତାଟା ପୁଅ ପାଖକୁ ହସ୍ତାନ୍ତର ହୋଇଯାଉଛି l ଆଉ ପୂର୍ବ ଭଳି କର୍ତ୍ତୃତ୍ୱ ନାହିଁ l ବରଂ ସବୁ କର୍ତ୍ତୃତ୍ୱ ଯେ ପ୍ରଶାନ୍ତ ଆଉ ତା’ର ସ୍ତ୍ରୀ ରେଖା ବାଣ୍ଟି ନେଇଛନ୍ତି କହିଲେ ଚଳେ l ଘର ବର୍ତ୍ତମାନ ଚାଲୁଛି ସେମାନଙ୍କ ଇଚ୍ଛା ମୁତାବକ l ଚାକିରିଆ ବୋହୁ l ତାଙ୍କର ବେଶ ଭୂଷା, ଚାଲିଚଳନ, ବନ୍ଧୁମାନଙ୍କ ସାଙ୍ଗରେ ମିଳାମିଶା ଆଉ ପରିଚର୍ଯ୍ୟାରେ ବାପା ବୋଉଙ୍କର କୌଣସି ରୁଚିର ସ୍ଥାନ ନ ଥାଏ l ସବୁ ଗୁଡିକୁ ଅନାୟାସରେ ହଜମ କରି ନେବାରେ ହିଁ ବୁଦ୍ଧିମତା ବୋଲି ଉଭୟେ ଭାବନ୍ତି l ଅବଶ୍ୟ ପ୍ରଥମେ ପ୍ରଥମେ ରମା ଦେବୀଙ୍କୁ ଦୃଷ୍ଟି କଟୁ ହେଉଥିଲା l ଏପରିକି ବେଳେ ବେଳେ ସୀମା ଅତିକ୍ରମ ଲକ୍ଷ୍ୟ କରି ବିରୋଧ କରିବାକୁ ଚାହିଁଥିଲେ l ହେଲେ ଏ ବୟସରେ ସେ ସବୁରୁ ନିବୃତ୍ତ ରହିବାକୁ ପ୍ରଶାନ୍ତର ବାପା ଉପଦେଶ ଦେଇଥିଲେ l ବେଳେବେଳେ ଅତିଷ୍ଠ ହେଲା ଭଳି ଲାଗେ ତାଙ୍କୁ l କିନ୍ତୁ ଭବିଷ୍ୟତ କଥା ଚିନ୍ତା କରି ମୁହଁରେ ତାଲା ଦେବାକୁ ବାଧ୍ୟ ହୁଅନ୍ତି l

ଆଜିର କଥାର ଯେ ପରିଣାମ କ’ଣ ହେବ ସେଇ କଥା ଚିନ୍ତା କରି ମନଟା ଟିକିଏ ଅଶାନ୍ତ ଥାଏ l ଅପେକ୍ଷା କରିଥାନ୍ତି ସ୍ୱାମୀଙ୍କ ଆସିବା ବାଟକୁ l ମନ ପରିବର୍ତ୍ତନ କରିବାକୁ ଅନ୍ୟ କାମରେ ଲଗାଇବାକୁ ଚେଷ୍ଟା କଲେ l

କିଛି ସମୟ ପରେ ପ୍ରଶାନ୍ତର ବାପା ଫେରିଲେ l ଆସୁ ଆସୁ ପୁଅ ବୋହୁ ଆଉ ଶ୍ରୀମତି ଘେରିଗଲେ ତାଙ୍କୁ, ଜାଣିବା ପାଇଁ ଯେ, କ’ଣ ହେଲା ? ଖବରକାଗଜଗୁଡା ଶାଢୀଟାକୁ ରଖି କହିଲେ, ‘ସେ କ’ଣ ମାନୁଥିଲା ? ଶାଢୀଟାକୁ ଦେଖେଇଲି l କେତେ ଝଗଡା ଝଗଡି ବି କଲି l କହିଲି, ତିନି ହଜାର ଟଙ୍କାର ଶାଢୀ l ନଷ୍ଟ କରିଦେଲୁ l ଏଇଟା ତୁ ରଖ l ଆମ ପଇସା ଫେରା l’

ସମସ୍ତେ ଚାହିଁ ରହିଲେ l

: ତା’ ପରେ କ’ଣ ହେଲା ? ଶାଢୀଟା ତ ଫେରେଇ ଆଣିଲ l

: ବଡ କଷ୍ଟରେ ରାଜି ହେଲା l କହିଲା, ଶାଢୀ ନିଅନ୍ତୁ l ଆଉ ନଷ୍ଟ ବାବଦକୁ 1000 ଟଙ୍କା ଦେଲା l ମୁଁ ଆଣୁ ନ ଥିଲି l ଦେଖିଲି ଗରିବ ଲୋକ l ଆଉ ବାଧ୍ୟ କଲିନି l 

ଏତିକି କହି ପକେଟରୁ 1000 ଟଙ୍କା ବାହାର କରି ସ୍ତ୍ରୀଙ୍କ ହାତକୁ ବଢେଇ ଦେଇ କହିଲେ ବୋହୁକୁ ଦେଇ ଦିଅ l ଆଉ ବୁଝେଇ ଦିଅ l ହେଲା ? ଏଣିକି ଆଉ ସେ ବୁଢାବୁଢୀଙ୍କୁ କେବେ ବି କପଡା ଦେବାନି l 

ଯାହା ହେଉ କିଛି ତ ମିଳିଲା l ଅର୍ଦ୍ଧଂ ତ୍ୟଜ୍ୟନ୍ତି ପଣ୍ଡିତାଃ.... ଭାବି ଭିତରକୁ ପଶିଗଲେ ପୁଅ ବୋହୁ l ପ୍ରଶାନ୍ତର ବୋଉ ମଧ୍ୟ ଟିକେ ଆଶ୍ୱସ୍ତ ହେଲେ ପୁଅ ବୋହୁଙ୍କ ଅବସ୍ଥା ଦେଖି l

ଶୋଇବା ବେଳକୁ ରମା ପଚାରିଲେ, ‘ଗୋଟେ କଥା ମୋତେ ସତ କହିବ?’ 

: ପଚାର l

: ନାଁ..... ତୁମେ ମୋ ରାଣ ଖାଅ l

: ଆରେ ବାବା ...... ମୁଁ କ’ଣ ତୁମକୁ କେବେ ମିଛ କହିଛି ଯେ, ତୁମେ ଶେଷରେ ମୋତେ ରାଣ ଖୁଆଇବ ?

: ସତ କହିବ ?

: ନିଶ୍ଚୟ.......

: ସେମାନେ ଯଦି ତୁମକୁ ବାରମ୍ବାର ମନା କରୁଛନ୍ତି, ସେ ବୁଢାକୁ କପଡା ଦେବାକୁ, ତୁମେ ତା’କୁ କାହିଁକି ଦେଉଛ ? ସେ ତୁମର କ’ଣ ? ଏତେ ଦରଦ ତାଙ୍କ ପାଇଁ କାହିଁକି ?

: ଏଇଟା ଗୋଟିଏ କଥା..... ଏଇଥି ପାଇଁ ମୋତେ ରାଣ ଖୁଆଉଛ ?

: ହଁ........ ଆଜି ମୁଁ ଯାହା ଯାହା ପଚାରିବି ତୁମେ ମୋତେ ସତ ସତ କହିବ l

: ଠିକ୍ ଅଛି l ଶୁଣ ସେ ଦୁଇ ଜଣଙ୍କୁ ମୁଁ ଆଗରୁ ଜାଣି ନ ଥିଲି l ଦିନେ କପଡା ନେଇ ଗଲା ବେଳକୁ ସେ ପଟ ଲଣ୍ଡ୍ରିଟା, ଯେଉଁଠି ପୁଅ ଆଗେ କପଡା ଦେଉଥିଲା ଖୋଲା ନ ଥିଲା l ଏ ପଟେ ଗୋଟେ ନୂଆ ଲଣ୍ଡ୍ରି ଦେଖିଲି l ବୁଢାଟିଏ ବୁଢୀଟିଏ l ଭାବିଲି, କପଡା ଦେବି ନା ଦେବିନି ? ଫେରି ଆସିଲେ ବୋହୁ ବିରକ୍ତି ହେବ l ଦେଖିଲି, ତାଙ୍କ ପାଖରେ ବେଶି କପଡା ବି ନ ଥିଲା l ତେଣୁ ଦେଇ ଦେଇ କହିଲି, ‘ଏବେ କରି ଦିଅ l’ ବୁଢା ସାଙ୍ଗେ ସାଙ୍ଗେ ଇସ୍ତ୍ରୀ କରି ଦେଲା l ପ୍ରଥମ ଚିହ୍ନା ପରେ ମୁଁ ସେଠି କପଡା ଦେବା ଆରମ୍ଭ କଲି l ଆସ୍ତେ ପରିଚୟ ହେଲା l ଏମିତି ଥରେ ପଚାରୁ ପଚାରୁ ଦିନେ ତାଙ୍କ ଘର କଥା ପଚାରି ଦେଲି l ସେ ଦିନ ବୁଢୀ ମୋ ପାଖରେ ତା’ ଦୁଃଖର କାହାଣୀ କହିଲା l

ତାଙ୍କର ଦୁଇ ପୁଅ l ଦୁଇ ଜଣଯାକ ଚାକିରି କରିଛନ୍ତି l ସାନପୁଅ ବାହାଘର ପରେ ଅଲଗା ହୋଇଗଲେ l ଗାଆଁରେ ସେମିତି କିଛି ଜମି ବାଡି ନାହିଁ l ଯାହା ଥିଲା, ପିଲାଙ୍କର ପାଠ ପଢାରେ ବିକ୍ରି ହୋଇଗଲା l ଦୁଇ ପୁଅଙ୍କ ରାଜିରେ କଥା ହେଲା, ବୁଢା ବୁଢୀ ଦୁହେଁ ମାସର ପନ୍ଦର ଦିନ ଲେଖାଏଁ ଉଭୟ ପୁଅ ପାଖରେ ରହିବେ l ଭଲରେ ଭଲରେ ଚାଲିଥିଲା l ମାସର ପ୍ରଥମ ପନ୍ଦର ଦିନ ବଡ ପୁଅ ପାଖେ ତ ଆର ପନ୍ଦର ଦିନ ସାନ ପୁଅ ପାଖେ l ଦିନେ ସାନ ବୋହୁର ଦେହ ଖରାପ ହେଲା l ତାଙ୍କ ଘରେ କିଏ ଅଛି ଯେ ରୋଷେଇବାସ କରିଦେବ ? ସାନ କହିଲା, ବଡ ଭାଇ ପାଖରେ ଆଉ ପନ୍ଦର ଦିନ ରହିଯା.. କିନ୍ତୁ ଆଉ ଅଧିକା ଦିନ ରଖିବାକୁ ବଡ ବୋହୁ ମନା କରି ଦେଲା l

ଭାବିଲେ କାହିଁକି କାହାକୁ ହଇରାଣ କରିବେ ? ପନ୍ଦର ଦିନର କଥା ତ l ଗାଆଁକୁ ପଳେଇ ଆସିଲେ l ଯେନତେନ ପ୍ରକାରେଣ ପନ୍ଦର ଦିନ ନିଜେ ନିଜେ ରୋଷେଇ କରି କାଟି ନେଲେ l ହେଲେ ଯେତେବେଳେ ବଡ ପୁଅ ପାଖକୁ ଆସିଲେ, ମହାଭାରତ ଆରମ୍ଭ ହୋଇଗଲା l

       : ଏଥିରେ ମହାଭାରତ କାହିଁକି ସୃଷ୍ଟି ହେଲା ?

       : ସେଇଠି ତ କଥା l ବଡ ବୋହୁ କହିଲା, ‘ସାନ ବୋହୁ ପାଳି ବେଳେ ଯଦି ନିଜେ ରୋଷେଇ କରି ଖାଇ ପାରୁଛ, ଆମ ପାଳିରେ ବି ନିଜେ ରୋଷେଇ କରି ଖା l ହାତ ଗୋଡ ତ ବେଶ୍ ଚଳୁଛି l ଆମକୁ କାହିଁକି ମାରୁଛ ? ସାନ ବୋହୁ କ’ଣ ବୋହୁ, ମୁଁ କ’ଣ ବୋହୁ ନୁହେଁ ? ତା’ ବେଳକୁ ଦରଦ ବୋହି ପଡୁଛି l ଆଉ ଆମ ବେଳକୁ ହାତ ଗୋଡ ଚଳୁନି ?’ 

       : କି ବିଚିତ୍ର ଯୁକ୍ତି !

       : ଯେତେ କହିଲେ ବି ବଡ ବୋହୁ ଆଉ ଘରେ ପୁରେଇଲାନି l ଏ କଥା ସାନ ବୋହୁ କାନରେ ପଡିଲା l କଙ୍କଡାକୁ ଗୋଳି ପାଣି ସୁହାଏ l ତା’ ପରେ ସାନ ବୋହୁ ବି ମନା କରିଦେଲା l ପୁଅମାନଙ୍କର ତ ବୋହୁମାନଙ୍କୁ ହାଡେ ହାଡେ ଡର l ଆଉ କରିବେ କ’ଣ ?

       : ହେ ଭଗବାନ୍………

       : ଏଇ କଥା ବୁଢୀ ମୋତେ କାନ୍ଦି କାନ୍ଦି ସେ ଦିନ କହିଲା l ମୋତେ ପଚାରିଲା, ବାବୁ ମୋ ଦୋଷ କୋଉଠି ରହିଲା ? ମୁଁ ଆଉ କ’ଣ ତା’କୁ ଜବାବ ଦେବି ? ସେଇ ଦିନ ଠାରୁ ସେମାନେ ପେଟ ପୋଷିବାକୁ ଏ ବୟସରେ ଲଣ୍ଡ୍ରିଟିଏ ନେଇଛନ୍ତି l ହେଲେ କିଏ ତାଙ୍କୁ କପଡା ଦେବ ? ମୁଁ ଯେବେ ଠାରୁ ଦେବା ଆରମ୍ଭ କଲି, ଅନ୍ୟମାନେ ବି ଦେଉଛନ୍ତି l ମୁଁ ବନ୍ଦ କଲେ ଆଉ କେହି କପଡା ଦେବେନି l ଆଖିକୁ ଦେଖାଯାଉନି ଭଲ ଭାବେ l କ’ଣ କରିବ ? ବେଳେ ବେଳେ ଅସୁବିଧା ହୋଇଯାଉଛି l ବୟସ ବି ଦାଉ ସାଧୁଛି l ଏତିକି କହିବା ବେଳକୁ ପ୍ରଧାନ ବାବୁଙ୍କ ଗଳା ଟିକେ ଓଦା ହେଇଗଲା l

       କଥା ସବୁ ଶୁଣି କାହିଁକି କେଜାଣି ଶ୍ରୀମତିଙ୍କ ଆଖିରେ ଲୁହ ଆସିଗଲା l

       : ସେଇଥିପାଇଁ ଏ.ଟି.ଏମ୍.ରୁ ଟଙ୍କା ବାହାର କରି ବୋହୁକୁ ଦେଇଦେଲ ?

: ଆରେ ତମେ କେମିତି ଜାଣିଲ ?

ସ୍ୱାମୀଙ୍କ ହାତକ ଏ.ଟି.ଏମ୍. ୱିଥଡ୍ରୟାଲ୍ ସ୍ଲିପଟା ବଢେଇ ଦେଇ କହିଲେ, ‘ଏଇଥିରୁ l ଆଚ୍ଛା........ ଦୁଇ ହଜାର ଟଙ୍କା ତ ବାହାର କଲ l ପକେଟରେ ତ ଆଉ କିଛି ପଇସା ନାହିଁ ?’

: ଆଉ ହଜାରେ ଟଙ୍କା ସେମାନଙ୍କୁ ଦେଇ ଦେଲି l କହିଲି, ଆଉ କିଛି ପଇସା ମିଶେଇ ଗୋଟେ ଭଲ ଅଟୋମେଟିକ୍ ଆଇରନ୍ କିଣିନେବ l

       ନ ହେଲେ ଆଜି ଆମ ବୋହୁର କପଡା ଜଳିଛି l କାଲି ଆଉ କାହାର ଜଳିଯିବ l ସମସ୍ତେ କ’ଣ ବୁଝିବେ ? ମୋ ଆକାଉଣ୍ଟରେ ଏବେ ଡି.ଏ. ଏରିଅରଟା କ୍ରେଡିଟ୍ ହୋଇଛି l ସେଇଥିରୁ ଦେଇ ଦେଇଛି l ଗରିବ ଲୋକ l ଏ ବୟସରେ ସେମାନଙ୍କର ବେପାର ବୁଡିଗଲେ, ସେମାନେ କୁଆଡେ ଯିବେ ? ଆମର ସିନା ପେନସନ୍ ଅଛି l

       ଆଉ କିଛି ପଚାରିଲେନି ରମା l ବାହାଘର ପରର କଥା ମନେ ପଡିଲା l ଦିନେ ତାଙ୍କ ବୋଉକୁ ବାପା କହୁଥିଲେ, ‘ମୋର ଜ୍ୱାଇଁଙ୍କର ସିନା ଦରମା କମ୍, ହେଲେ ମନ ବହୁତ ବିଶାଳ l ଆମ ରମା ବହୁତ ଖୁସିରେ ରହିବ l’ ଆଜି ବାପା ବୋଉ ନାହାନ୍ତି l ଥିଲେ ଅବା କହିଥାନ୍ତେ, ‘ବାପା ! ତାଙ୍କ ଭଳି ସ୍ୱାମୀ ପାଇ ମୋ ଜୀବନ ଚରିତାର୍ଥ ହୋଇଯାଇଛି l’






Rate this content
Log in

Similar oriya story from Inspirational