ପ୍ରଶାନ୍ତ କୁମାର ବେହେରା

Inspirational

4.6  

ପ୍ରଶାନ୍ତ କୁମାର ବେହେରା

Inspirational

ଏମିତି ବି ସମ୍ଭବ ହୋଇପାରେ

ଏମିତି ବି ସମ୍ଭବ ହୋଇପାରେ

13 mins
636



ମୋ ମୋବାଇଲ୍ ଓ ଜିଓ ନେଟଓ୍ୱାର୍କ ସାହାର୍ଯ୍ୟରେ ଫେସବୁକ୍ କୁ ମାଧ୍ୟମ କରି ଗୋଟେ ୧୪ ବର୍ଷର ଖୁବ୍ ଗରିବ ପିଲା ଯିଏକି କ୍ୟାନସର୍ ପରି ମାରାତ୍ମକ ବେମାରିରେ ପଡିଥିଲା ତା'ର ଚିକିତ୍ସା କରିବା ପାଇଁ ଆଖିଦୃଷ୍ଟିଆ ଟଙ୍କା ଯୋଗାଡ କରାଇପାରିଥିଲି ଅଉ ସେଥିପାଇଁ ସେଇ ପିଲାଟି ଏବେ ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହେବା ଦିଗରେ ଅଗ୍ରସର ହେଉଛି l ସେଇ ସତ୍ୟ କାହାଣୀଟି ଖୁବ୍ କମ୍ ବୟସରୁ ବିଧବା ହୋଇଥିବା କଲ୍ୟାଣୀ ଓ ତା' ୧୪ ବର୍ଷର ଏକମାତ୍ର ପୁତ୍ର ଜ୍ଞାନକୁ ଜଡିତ କରି ଥିଲା l


ଜ୍ଞାନକୁ କଟକ ବଡ ମେଡିକାଲକୁ ନେବାକୁ କଲ୍ୟାଣୀ ପାଖରେ କିଛି ନଥିଲା l ପରେ ଯେତେବେଳେ କ୍ୟାନସର ହୋଇଛି ବୋଲି ଜଣା ପଡିଲା, କଣ କଲ୍ଯାଣୀ କରି ପାରିବ ଚିନ୍ତା କରି ତା ୨୪/୦୯/୨୦୧୮ ରିଖରେ ମୁଁ ଫେସବୁକ୍ ରେ ସମସ୍ତ ଘଟଣା ବର୍ଣ୍ଣନା କରି ତା'ର ଏଇ ଦୁଃଖ ସମୟରେ ପାରୁ ପର୍ୟ୍ଯନ୍ତ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲି l ମନରେ ଏମିତି ଭାବିଥିଲି କି କିଛି ହଜାର ଟଙ୍କା ଯଦି ମିଳିଯିବ ତାହେଲେ ବି ବହୁତ ସାହାଯ୍ୟ ହେବ କଲ୍ୟାଣୀକୁ l 


କିନ୍ତୁ ମୁ୍ଁ କେବେ ସ୍ୱପ୍ନରେ ବି ଭାବିନଥିଲି ଯେ ସେଇ ଲେଖା ଏମିତି ଭାଇରାଲ୍ ହେବ ଆଉ ଲୋକମାନେ ସାହାଯ୍ୟର ପାହାଡ ଠିଆ କରାଇଦେବେ l ୧୫ ଲକ୍ଷରୁ ଅଧିକ ଟଙ୍କାର ସାହାଯ୍ୟ ଏମିତି ଫେସବୁକ୍ ମାଧ୍ଯମରେ ମିଳିବା ବୋଧହୁଏ ଓଡିଶା ତଥା ସମଗ୍ର ଭାରତବର୍ଷରେ ପ୍ରଥମ ଘଟଣା l କେବଳ ଆର୍ଥିକ ସାହାଯ୍ୟରେ ଏହା ସୀମିତ ରହିନାହିଁ, ବହୁ ଲୋକ ଜ୍ଞାନ କେମିତି ଭଲହୋଇଯିବ ସେଥି ପାଇଁ ଭଗବାନ୍ ଙ୍କୁ ଡାକିଛନ୍ତି, ମନ୍ଦିରରେ ଦୀପ ଜାଳିଛନ୍ତି, ହୋମ କରି ପୂଜା ଅର୍ଚ୍ଚନା କରିଛନ୍ତି l


ଜ୍ଞାନର ଚିକିତ୍ସା AIIMSରେ ଆରମ୍ଭ ହେବାକୁ ଡେରି ହେବାରୁ ମୋ ଲେଖାସବୁ ଫେସବୁକ୍ ରୁ ପଢି ବିଭିନ୍ନ ଲୋକ ବହୁ ପ୍ରକାର ଚାପ ଯେଝାଯେଝା ପରିସରରେ ରହି ପ୍ରୟୋଗ କରିଛନ୍ତି l ସେମାନଙ୍କ ମଧ୍ଯରେ ଆମ ରାଜ୍ୟ ଓଡିଶା ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ସଦସ୍ୟା ମନ୍ଦାକିନୀ କର, AIIMS FMTର ଆସୋସିଏଟ୍ ପ୍ରଫେସର ତଥା ଆମ କଲେଜର ପୁରାତନ ଛାତ୍ର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହ, AIIMS ର ରେଜିଷ୍ଟ୍ରର ଶ୍ରୀଯୁକ୍ତ ବି. ବି. ମିଶ୍ର, AIIMS FMT ବିଭାଗରେ କାର୍ଯ୍ୟରତ କର୍ମଚାରୀ ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଅନ୍ୟତମ l


ଜ୍ଞାନର ଚିକିତ୍ସା ନିମନ୍ତେ କଲ୍ୟାଣୀକୁ ସାରା ପୃଥିବୀରୁ ଆର୍ଥିକ ସାହାଯ୍ୟ ମିଳିଛି l ଯେଉଁ ସବୁ ସାହାଯ୍ୟ ମିଳିଛି ମୁଁ ସେଥିରୁ କିଛି ଲୋକଙ୍କ ନାମ ଓ ଦେଇଥିବା ସାହାଯ୍ୟ ଏଇ ଫେସବୁକରେ ସେତେବେଳେ ଏକ ମାସ ଧରି ପ୍ରକାଶ କରିଥିଲି l ବହୁତ ଲୋକଙ୍କ ସାହାଯ୍ୟକୁ ମୁଁ ପ୍ରକାଶ ମଧ୍ୟ କରି ପାରିନାହିଁ l ୧୦ ଟଙ୍କାରୁ ଆରମ୍ଭ କରି କୋଡିଏ ହଜାର ଟଙ୍କା ଯାଏ ଜଣେ ଜଣେ ବ୍ୟକ୍ତି ବିଷେଶ ସାହାଯ୍ୟ କରିଛନ୍ତି l କିଛି ଗୃପ୍ ମଧ୍ଯ ଏକାଠି ହୋଇ ହଜାରରୁ ଆରମ୍ଭ କରି ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସାହାଯ୍ୟ କରିଛନ୍ତି l ସମସ୍ତଙ୍କୁ ତ ଧନ୍ୟବାଦ ଦେବି କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରାୟ ତିନି ହଜାରରୁ ଅଧିକ ସ୍କୁଲ୍ ପିଲା ୧୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ପେଟିମ୍ ( Paytm ) ବା ଅନ୍ୟକିଛି ମାଧ୍ଯମରେ କଲ୍ୟାଣୀର ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିଲେ l କଲେଜ ପିଲାମାନେ ବି ୫୦ ଟଙ୍କରୁ ଆରମ୍ଭକରି ୧୦୦,୨୦୦, ୫୦୦, ୧୦୦୦ ଏମିତି ସବୁ ଡିପୋଜିଟ୍ କରିଥିଲେ l 


ସେଇ ସବୁ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ମାନେ ତାଙ୍କ ନିତି ଦିନିଆଁ ପକେଟ ଖର୍ଚକୁ କାଣ୍ଟଛାଣ୍ଟ୍ କରି ଜ୍ଞାନର ଚିକିତ୍ସା ନିମନ୍ତେ କଲ୍ୟାଣୀ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିଲେକେବଳ କଲ୍ୟଣୀର ଦୁଃଖଭରା କାହାଣୀ ଫେସବୁକ୍ ରୁ ପଢି l 


ଜିଓ ନେଟଓ୍ୱାର୍କ ସାହାର୍ଯ୍ୟରେ ଫେସବୁକ୍ ରେ ଜ୍ଞାନକୁ ଜଡିତ କରି ବହୁତ ଲେଖା ଲେଖୁଛି l ସେଥିମଧ୍ୟରୁ ତା ୨୪/୦୯/୨୦୧୮ ରିଖରେ ଲେଖିଥିବା ପ୍ରଥମ ଲେଖା " କଲ୍ୟାଣୀ - ଜୀବନ ସଂଗ୍ରାମରେ ସଂଘର୍ଷରତ ନାରୀର ନାମ " ସହିତ ତା ୨୯/୦୯/୨୦୮ ରିଖରେ ଲେଖିଥିବା ଲେଖା " ଜ୍ଞାନ ସହିତ ଆଜି କେଇପଦ କଥା " ନିମ୍ନରେ ରଖୁଛି l 


କଲ୍ୟାଣୀ - ଜୀବନ ସଂଗ୍ରାମରେ ସଂଘର୍ଷରତ ନାରୀର ନାମ..

---------------


କଲ୍ୟାଣୀ - ଆଲୁରି ସ୍ତ୍ରୀ ଲୋକଟିଏ l ଛନ୍ଦ କପଟ କିଛି ଜାଣେନି l ଆମ କଲେଜର ଚତୁର୍ଥଶ୍ରେଣୀ କର୍ମଚାରୀ ଭାବରେ ୨୦୦୭ ରୁ କାର୍ଯ୍ୟକରି ଆସୁଛି l ପାଠ ବି ବିଶେଷ ପଢିନି l ଅତି ବେଶି ହେଲେ ଏଇ ତୃତୀୟ କି ଚତୁର୍ଥ ପର୍ଯ୍ୟନ୍ତ ମାତ୍ର l 


୨୦୦୭ ମସିହା କଥା l ଆମ କଲେଜ ଛାତ୍ରୀନିବାସର ମୂଖ୍ୟଫାଟକର ମରାମତି କାର୍ଯ୍ୟ ଚାଲିଥାଏ l ଜଣେ ରାଜମିସ୍ତ୍ରୀ ସହ ମୁଲିଆକୁ ସେଇ କାମରେ ଲଗାଇଥାଏ ଲେବର କଣ୍ଟ୍ରାକ୍ଟର୍ l ଅସାବଧାନତା ହେଉ ବା ଖରାପ ବେଳ ପାଇଁ ହେଉ, ହଠାତ୍ ସିଡିରୁ ଗୋଡ ଖସିଗଲା ସେ ମୁଲିଆଟିର l ବେଶି ଉଚ୍ଚତା ବି ନୁହେଁ, ସେଇ ମାତ୍ର ୫ କି ୬ ଫୁଟ୍ ଖଣ୍ଡେ ହେବ l ତଳେ ପଡିବା ସହିତ ସେ ଚେତାଶୂନ୍ୟ ହୋଇଗଲା l ଲେବର କଣ୍ଟ୍ରାକ୍ଟର୍ ସଙ୍ଗେ ସଙ୍ଗେ ଗୋଟେ ରିକ୍ସାରେ ତାକୁ ନିଜେ ଧରି ଜଗତସଂହପୁର ମେଡିକାଲ୍ କୁ ନେଲା l 


ସେତେ ବେଳେ ଆମ କଲେଜର ଅଧ୍ଯକ୍ଷ ଦାୟିତ୍ୱରେ ଶ୍ରୀଯୁକ୍ତ ବିପିନବିହାରୀ ଦାସ ଥାନ୍ତି l ସେ ମୋ ଶିକ୍ଷକ ତଥା ଅଧ୍ଯକ୍ଷ ହେବା ପୂର୍ବରୁ ଆମ ବିଭାଗୀୟ ମୁଖ୍ୟ ଦାୟିତ୍ୱରେ ବି ଥିଲେ l 


ସମୟ ପାଖା ପାଖି ୧୧.୪୫ ରେ ସାର୍ ମୋ ମୋବାଇଲ୍ କୁ ଫୋନ୍ କରି ପଚାରିଲେ, " ପ୍ରଶାନ୍ତ କେଉଁଠି ଅଛ ?"


ମୁ୍ଁ କହିଲି, " ସାର୍, ଏଇଠି କମନରୁମ୍ ରେ ଅଛି l"


ସାର୍ କହିଲେ," ସଙ୍ଗେ ସଙ୍ଗେ ଆସ ଟିକେ ଜରୁରୀ କାମରେ ମେଡିକାଲ୍ ଯିବା ।"


ସାର୍ ଓ ମୁଁ ସାଙ୍ଗ ହୋଇ ମଟର ସାଇକେଲ୍ ରେ ମେଡିକାଲ୍ ଯିବା ବାଟରେ ଠିକ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ସେ ରିକ୍ସାକୁ ଅତିକ୍ରମ କଲୁ l ଲେବର କଣ୍ଟ୍ରାକ୍ଟର୍ ବେହୋସ୍ ଅବସ୍ଥାରେ ଥିବା ସେ ଲୋକଟିକୁ ସେମିତି ଜାବୁଡ଼ି ଧରି ବସିଥାଏ ସେ ରିକ୍ସାରେ l 


ମେଡିକାଲ୍ ରେ ପହଞ୍ଚିବା ପରେ ଆମେ ସମସ୍ତେ ମିଶି ତାକୁ ଧରାଧରି କରି ଆଉଟ୍ ଡ଼ୋର୍ ରେ ଥିବା ବେଡ୍ ଉପରେ ଶୁଆଇ ଦେଲୁ l ସେ ସମୟରେ ଡିଉଟିରେ ଥିବା ଡାକ୍ତର ଆସି ପରୀକ୍ଷା କରି ଆମକୁ ଟିକେ ଦୂରକୁ ଡାକିନେଇ କହିଲେ, " ଜୀବନ ଆଉ ନାହିଁ , ପୋଷ୍ଟମଟର୍ମ କରିବାକୁ ହେବ l"


ବିପିନ୍ ସାର୍ ଙ୍କ ସହ ମୋ ମୁଣ୍ଡରେ ବି ସେ ସମୟରେ କିଛି ବୁଦ୍ଧି ପଶିଲାନି l ମୁଁ ଆଉଥରେ ସେ ଲୋକର ମୃତ ଶରୀରକୁ ଅନାଇଲି l ଅତିବେଶୀରେ ୩୨ ବର୍ଷ ଭିତରେ ବୟସ ହେବ l କୌଣସି କ୍ଷତଚିହ୍ନ ଶରୀରର କେଉଁଠି ବି ନାହିଁ l ତଥାପି ମୃତ ବୋଲି ଡାକ୍ତର ଘୋଷଣା କରିଦେଲେ l ଆଦୌ ବିଶ୍ୱାସ ହେଉ ନଥାଏ l ସେ ଲୋକଟିର ଘର ନିକଟବର୍ତ୍ତୀ ସେୋମନାଥ ହାଟ ପାଖ ଗାଁରେ ହୋଇଥିବାରୁ ଆସ୍ତେ ଆସ୍ତେ ମେଡିକାଲ୍ ରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହେଲା l ପୁଲିସ୍ ବି ଆସି ପହଞ୍ଚି ସାରିଥାଏ l କିଛି ଲୋକ ପାଟିତୁଣ୍ଡ କରିବା ଆରମ୍ଭ କରି ସାରିଥାନ୍ତି l 


ପୁଲିସ୍ ଇନିସ୍ପେକ୍ଟର ଆମକୁ ଆସି କହିଲେ , " ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ l ଆପଣମାନେ କଲେଜ ପଳାନ୍ତୁ l"


ବିପିନ୍ ସାର୍ ଆଉ ମୁ୍ଁ ଚୁପଚାପ୍ ସେଠୁ ବାଇକ୍ ରେ ପଳାଇ ଆସିଲୁ l 


ସେ ଘଟଣାର ଠିକ୍ ୧୫ ଦିନ ପରେ ଆମ କଲେଜ ପରିଚାଳନା ସମିତିର ନିଷ୍ପତି ଅନୁଯାଇ ଏ କଲ୍ୟାଣୀ ଚତୁର୍ଥଶ୍ରେଣୀ କର୍ମଚାରୀ ହିସାବରେ ମାତ୍ର ୨୦୦୦ ଟଙ୍କା ମାସିକ ଦରମାରେ ଚାକିରିରେ ଯୋଗ ଦେଲା l 


ହଁ ଆଜ୍ଞା ଏ ହେଉଛି କଲ୍ୟାଣୀ ପ୍ରଧାନ, ଯାହାର ସ୍ୱାମୀ ଆମ କଲେଜ ଛାତ୍ରୀନିବାସରେ କାମ କରୁଥିବା ଅବସ୍ଥାରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣତ୍ଯାଗ କରିଥିଲା l କଲ୍ୟାଣୀର ବୟସ ଖୁବ୍ ହେଲେ ୨୮ ବର୍ଷ ଭିତରେ ହେବ l ଏତେ କମ୍ ବର୍ଷରେ କଣ ତା' ଦୋଷ ଥିଲା କେଜାଣି, ଭଗବାନ୍ ତାକୁ ବିଧବା କରିଦେଲେ l ଦୁଇଟି ପିଲା, ୭ ବର୍ଷର ଝିଅ ଆଉ ୩ ବର୍ଷର ପୁଅ, ବାପ ସ୍ନେହରୁ ସବୁଦିନ ପାଇଁ ବଞ୍ଚିତ ହୋଇଗଲେ l


କଲ୍ୟାଣୀ ବହୁ କଷ୍ଟକରି ପିଲା ଦୁଇଟାଙ୍କୁ ମଣିଷ କରିବାକୁ ଲାଗି ପଡିଲା l ସବୁବେଳେ ତ ପଇସାର ଅଭାବ l ଆଜି କାଲିର ଏ ଦୁନିଆରେ ମାସକୁ ୨୦୦୦ ଟଙ୍କାର ମୂଲ୍ୟ ବା କଣ ? ଜମିବାଡ଼ି ନାହିଁ, ଖାଲି ନାହିଁ ନାହିଁରେ ତା ସଂସାର l ଏ ଭିତରେ କିଏ ଜଣେ ବଦମାସ୍ ତାକୁ ରୋଜ୍ ଭ୍ୟାଲି ଚିଟ୍ ଫଣ୍ଡ୍ କମ୍ପାନୀରେ କାମ କରିବାକୁ ପ୍ରବତାଇଲା l କଲ୍ଯାଣୀ ବି ଭାବିଲା ଏମିତିରେ ତା ଚିହ୍ନା ପରିଚୟ ଲୋକଙ୍କୁ କୁହାବୋଲା କରି କିଛି ଟଙ୍କା ସେମାନେ ରୋଜ୍ ଭ୍ୟାଲିରେ ରଖିଲେ ସେ କିଛି କମିଶନ୍ ବି ପାଇଯିବ l କମିଶନ୍ ଏଜେଣ୍ଟ୍ ହୋଇ କେତେ ପାଇଥିବ କେଜାଣି , କିନ୍ତୁ କିଛି ଦିନ ପରେ ସବୁ ଚିଟ୍ ଫଣ୍ଡ୍ ସଂସ୍ଥା କୁଆଡେ ଗାଏବ୍ ହୋଇଗଲେ l କଲ୍ୟାଣି ବି କାମ କରୁଥିବା ରୋଜ ଭ୍ୟାଲିର ଜଗତସିଂହପୁରର ଗାନ୍ଧିଛକ ସ୍ଥିତ ଅଫିସ୍ ର ଅଫିସର୍ ମାନେ କୁଆଡେ ଫେରାର୍ ହୋଇଗଲେ l କିଛି ଜମାକାରୀ କଲ୍ୟାଣୀ ନାଁ ରେ ଥାନାରେ ଏତଲା ଦେଲେ l ସବୁବେଳେ ଅଭାବ ଭିତରେ ସଢୁଥିବା କଲ୍ୟାଣୀ କି ଅବସ୍ଥା ହୋଇ ଲୋକଙ୍କ ସମସ୍ତ ଟଙ୍କା ଶୁଝି ପୁଲିସ୍ କେସ୍ ରୁ ବର୍ତ୍ତିଥିବ ତାହା ସେ ହିଁ କେବଳ ଜାଣିଥିବ l ସେତେବେଳେ ଥରେ ସେ ମୋ ଠାରୁ ଖୁବ୍ ଅସୁବିଧାରେ ପଡି ହଜାରେ ଟଙ୍କା ନେଇଥିଲା l


ଏ ଭିତରେ କଲ୍ୟାଣୀର ଝିଅ ମାଟ୍ରିକୁଲେସନ୍ ରେ ୮୫ % ରୁ ଅଧିକ ନମ୍ୱର ରଖି ପାଶ୍ କଲା l ଆମ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣିରେ ପଢିବା ପାଇଁ ଉପଯୁକ୍ତ ବିବେଚିତ ହେଲା l ଆଡମିସନ୍ ୨ ଦିନ୍ ଥାଏ, କଲ୍ଯାଣୀ ମୋତେ କହିଲା , " ସାର୍, ଝିଅର ଆଡମିସନ ଦୁଇ ଦିନ ପରେ ଅଛି l ଆପଣ ହଜାରେ ଟଙ୍କା ଦେଇଥିବେ l ମୁ୍ଁ ପରେ ଶୁଝିଦେବି l" 


ମୁଁ ତାକୁ ସଇଠି ସଙ୍ଗେ ସଙ୍ଗେ ଟଙ୍କାଦେଇ କହିଲି, " ନାଇଁ ଶୁଝିବା ଦରକାର୍ ନାହିଁ l "


କଲେଜରେ ଦୁଇ କି ତିନି ଜଣଙ୍କ ବ୍ୟତିତ ସେ ଅନ୍ୟ କାହାକୁ ଧାର ମାଗେନି l 


ପଇସା ଅଭାବରୁ ସେ ତା ପିଲା ଦୁଇଟିଙ୍କୁ ଦାମିକା ପ୍ରାଇଭେଟ୍ ଇଂରାଜୀ ମିଡିୟମ୍ କିମ୍ବା ସରସ୍ୱତୀ ଶିଶୁ ମନ୍ଦିରରେ ପଢାଇ ନପାରି ସରକାରୀ ସ୍କୁଲ୍ ରେ ପଢାଇବାକୁ ବାଧ୍ଯ ହୋଇଛି l ବହି ମାଗଣାରେ ମିଳିବା ସହ ମଧ୍ଯାହ୍ନ ଭିଜନ ସେଠି ଥିବାରୁ ଆଉ ପଢିବା ପାଇଁ କୌଣସି ମାସିକିଆ ଫିସ୍ ଦେବାକୁ ହୁଏନି l


କଲ୍ୟାଣୀର ପୁଅ ବି ଖୁବ୍ ମେଧାବୀ l ସପ୍ତମରେ ଜାତୀୟ ଗ୍ରାମୀଣ ମେଧା ବୃତ୍ତି ( NRTS ) ପାଇଛି l କଲ୍ୟାଣୀର ପୁଅ ବା ଝିଅ କେହି ବି ଘରୋଇ ଟିୟୁସନ୍ ନହେଇ ନିଜ ଚେଷ୍ଟାରେ ଏମିତି ସଫଳତାର କଥା ଶୁଣି ମୁଁ ବହୁତ ଖୁସି ହୁଏ l ଭାବେ ଯାହା ହେଉ, ବାପ ଛେଉଣ୍ଡ ପିଲା ଦୁଇଟାଙ୍କୁ ଲାଗିପଡି ମଣିଷ କରୁଛି l ସବୁବେଳେ ତ ଏମିତି ସ୍ଥିତି ରହିବନି l ପିଲା ଦୁଇଟି ବଡ ହେବେ, ଭଲ ମଣିଷ ହେବେ, ସେତେବେଳେ ଯାଇ ଏ କଲ୍ଯାଣୀର ଦୁ୍ଃଖ ଫେରିବ l ମୁଁହରେ ତା'ର ହସ ଫୁଟିବ l ଭଗବାନ୍ ତ ସବୁବେଳେ ଆଉ ତା ଉପରେ ନିର୍ଦ୍ଦୟ ହେବେନି l


ଏଇ ୧୫ ଦିନ ତଳେ ମୁ୍ଁ କଲେଜ ବାରଣ୍ଡାରେ ଯାଉଥାଏ l କଲ୍ଯାଣୀ ସେଇ ବାରଣ୍ଡାରେ ଠିଆ ହୋଇଥାଏ l ତା ପାଖରେ ୧୪ ବର୍ଷ ଭଳି ପିଲାଟେ ସ୍କୁଲ୍ ୟୁନିଫର୍ମ ପିନ୍ଧି ଠିଆ ହୋଇଥାଏ l ମୁଁ ଯେତେବେଳେ ପାଖା ପାଖି ହେଲି ସେ ପିଲାକୁ କିଛି କହିଲା ଆଉ ସେ ଆସି ମୋତେ ଶିଶୁମନ୍ଦିର ପିଲାଙ୍କ ଶୗଳୀରେ ପ୍ରଣାମ କଲା l ଜାଣିଲି ଏ ହେଉଛି ତା ପୁଅ l 


ପଚାରିଲି ," ଆରେ ବାପା, କୋଉ କ୍ଲାସ୍ ରେ ପଢୁଛୁ ? " 


ନବମରେ ବୋଲି ଖୁବ୍ ଧୀର ସ୍ୱରରେ ଉତ୍ତର ଦେଲା ସେ l


ମୁଁ ତାକୁ ଭଲକରି ଦେଖିବାରୁ ଜାଣିଲି ତା ବେକ ଖୁବ୍ ଜୋରରେ ଫୁଲିଛି l ଆଉ ସେଥିପାଇଁ ତା ପାଟିରୁ ଭଲକରି ଶବ୍ଦ ବାହାରୁନାହିଁ l 


ମୁଁ କଲ୍ୟାଣୀକି ପଚାରିଲି, " ପୁଅ ତଣ୍ଟି କାଇଁ ଏମିତି ଫୁଲିଛି ? "


ସେ କହିଲା , " ଥଣ୍ଡାରୁ ଏମିତି ହେଉଛି , ଡାକ୍ତର ଔଷଧ ଲେଖିଛନ୍ତି, ସେ ଖାଉଛି ସାର୍ l" 


ତାପରେ ମୁଁ ମୋ କାମରେ ଚାଲିଗଲି l


ସେ ଘଟଣାର ଠିକ୍ ୫ ଦିନ ପରେ ଦିନେ ସକାଳୁ ସକାଳୁ କଲ୍ୟାଣୀ ମୋ ଗୋପାଳସାଗରସ୍ଥିତ ଘରେ ଆସି ପହଞ୍ଚିଲା l ମୁଁ ଡ୍ରଇଙ୍ଗ୍ ରୁମ୍ ରେ ବସି ଖବରକାଗଜ ପଢୁଥାଏ l ସେ ମୋ ପଖରେ ଠିଆ ହୋଇ ନମସ୍କାର କରିବାରୁ ମୁଁ ତାକୁ ଦେଖିଲି l ଆଶ୍ଚର୍ଯ୍ୟ ହୋଇ ପଚାରିଲି, " ଏମିତି ସକାଳୁ ସକାଳୁ ଆସିବାର କାରଣ କଣ ? "


 ସେ କାନ୍ଦ କାନ୍ଦ ହୋଇ କହିଲା , " ପୁଅର ସେ ତଣ୍ଟି କାଇଁ କମୁନି,ତାକୁ କଟକ ନେଇ ଦେଖାଇବି l ଆପଣ ୨୦୦୦ ଟଙ୍କା ଦେଇଥାନ୍ତୁ l ଦରମା ପାଇଲେ ଦେଇଦେବି ।"


୨୦୦୭ ରେ ଚାକିରି ଆରମ୍ଭ ବେଳେ ସେ ୨୦୦୦ ଟଙ୍କା ମାସିକ ପାଉଥିଲା l ଏବେ ତା ଦରମା ବଢି ବଢି ମାତ୍ର ୩୨୦୦ ଟଙ୍କା l ସେ ଟଙ୍କାରେ କେମିତି ସେ ଦୁଇଟି ପିଲାଙ୍କୁ ଖୁଆଇ ପିଆଇ ପଢାଉଥିବ ତାହା କେବଳ ସେ ହିଁ ଜାଣିଥିବ l ମୁଁ ତାକୁ ୨୦୦୦ ଟଙ୍କା ଦେଇ ପୂର୍ବଥର ପରି କହିଲି , " ଏ ଟଙ୍କା ଫେରାଇବା ଦରକାର ନାହିଁ l"


କଲ୍ୟାଣୀ ତରତର ହୋଇ ଟଙ୍କା ନେଇ ଚାଲିଗଲା l ଏଇ ଦୁଇ ଦିନ ତଳେ କଲେଜରୁ ଶୁଣିଲି ତା ପୁଅକୁ କ୍ୟାନସର୍ ହୋଇଛି l ବେକ ପାଖରୁ ହାର୍ଟ ଆଡକୁ ମାଡି ଯାଇଛନ୍ତି ସେ ଭୟଙ୍କର ବେମାରିର ଜୀବାଣୁ ମାନେ l ଏବେ ସେ ଭୁବନେଶ୍ବରସ୍ଥିତ ଏମ୍ସ୍ ରେ ( AIIMS ) ଚିକିତ୍ସିତ ହେଉଛି l ଓଷଦପାଣି ସେଠି ମାଗଣାରେ କାଳେ ମିଳିଯିବ ସେଇ ଆଶାରେ କଲ୍ଯାଣୀ ତାକୁ ସେଠି ଆଡମିସନ୍ କରିଛି l ଗତ କାଲି ସେଠି ତା' ପୁଅର ପୂର୍ଣ୍ଣ ଶରୀର ସ୍କାନ ପାଇଁ ୨୩ ହଜାର ଟଙ୍କା ଦେବାକୁ ହେଲା l ଆଗକୁ ଏମିତି ଖର୍ଚ ଚାଲିବ ନିଶ୍ଚେ l


ମନରେ ପ୍ରଶ୍ନ ଉଠିଲା, ସତରେ କଣ ଭଗବାନ୍ ତମେ ଅଛ ଏ ଦୁନିଆରେ ? କେତେ ଆଉ ଦୁଃଖ କଲ୍ୟାଣୀ ଭାଗ୍ୟରେ ଲେଖିଛ ? ୨୮ ବର୍ଷ ବୟସରେ ତ ତାକୁ ସାଧବାରୁ ବିଧବା କଲ l ଜୀବନଯୁଦ୍ଧରେ ଏକୁଟିଆ ଲଢିବାକୁ ଛାଡିଦେଲ l ଖୁବ୍ କଷ୍ଟରେ ସେ ଅପାଠୁଆ ନାରୀ ଏ ସଂସାର ପଥରେ ଆଗେଇ ଚାଲିଥିଲା ତା ଲକ୍ଷ୍ୟରେ l 


ମାତ୍ର ୧୪ ବର୍ଷରେ ତା' ର ଗୋଟେ ମାତ୍ର ପୁଅକୁ ଏମିତିକା ଭୟଙ୍କର ରୋଗଟାଏ ଦେଇଦେଲ, ଯେଉଁଠି ଥିଲାବାଲା କୋଟିପତି ବି ନିଜର ସମସ୍ତ ସାମର୍ଥ୍ଯ ହରାଇ ବସନ୍ତି l ଜୀବନ କଣ ଭଲକରି ଜାଣି ନଥିବା ପିଲାଟିକୁ କାଇଁ ଏମିତି ଅବସ୍ଥାକୁ ନେଇ ଆସିଲ ? ମା' ର କଷ୍ଟକୁ ୩ ବର୍ଷରୁ ଦେଖି ଆସୁଥିବା ପିଲାଟି କେବେ ବି କିଛି ଦୁଷ୍ଟାମି କରିନି l ସବୁବେଳେ ହେତୁ ପାଇବା ଦିନରୁ ମନ ଦେଇ ପାଠ ପଢିଛି l ପଞ୍ଚମ ଓ ସପ୍ତମ ଶ୍ରେଣୀରେ ବୃତ୍ତି ବି ପାଇଛି l ଜୀବନରେ ବୋଧେ ଗୋଟେ ଲକ୍ଷ୍ଯ ରଖିଥିଲା l ଭଲ ପଢି ଭଲ ମଣିଷ ହେବ ଆଉ ତା' ଦୁଃଖୀ ମା ମୁହଁରେ ହସ ଫୁଟାଇବ l କିନ୍ତୁ କଣ ପାଇଁ ତାକୁ ଏମିତି ରୋଗ ଧରାଇଦେଲ ହେ ପ୍ରଭୁ ? କଣ କରିପାରିବ ଏ କଲ୍ୟାଣୀ ? ସତରେ ଭଗବାନ୍ ତମେ କଣ ଦୁଃଖୀ ମାନଙ୍କୁ ହିଁ ସବୁ ଦୁଃଖ ଦେଇଥାଅ ବୋଝ ଉପରେ ଲଳିତା ବିଡା ପରି ?


ଆଗକୁ କଣ ହେବ କଲ୍ୟାଣୀର ଜାଣିନି l ଖୁବ୍ ଦୁଃଖରେ ସେ ଏବେ ? ଅହରହ କାନ୍ଦୁଥିବ ନିଶ୍ଚେ l ଖାଇବା ପିଇବା ଶୋଇବା ସେ ଭୁଲି ଯାଇଥିବ l 


ଏସବୁ କଥା ମୁଁ ଏଠି ଉପସ୍ଥାପନ କରି ଖୁସି ହେଉନି l ଉପରେ କିଛି ଶବ୍ଦ ଲେଖିଲା ବେଳେ ମୋ ଆଖିରେ କେତେଥର ଲୁହ ଆସିଛି l ସେ ଲୁହ ପୋଛି ପୁଣି ମନ ସ୍ଥିର କରି ଲେଖିଛି l ଏଇ କେଇ ବର୍ଷ ଭିତରେ କଲ୍ୟାଣୀର ଅସୁବିଧା ସମୟରେ ମୁ୍ଁ ତାକୁ କିଛି ଟଙ୍କା ଦେଇ ନିଜକୁ ଗୋଟେ ବଡ ଦାନୀ ବୋଲି ବି ଭାବିନି l ସେଇ କେତୋଟି ଟଙ୍କାର ମୂଲ୍ୟ ଆଜିକାଲି ଯୁଗରେ କିଛି ବି ନୁହେଁ l ତା' ସ୍ୱାମୀ ଦୁର୍ଘଟଣାରେ ମରିବା ଠାରୁ ଏ ପର୍ଯ୍ୟନ୍ତ ସବୁ କଥା ମୋ ଆଖିଆଗରେ ଘଟିଛି l ଯାହାସବୁ ଲେଖିଛି କିଛି ବି କେଉଁଠି ଅତିରଞ୍ଜିତ କରିନି l ଯାହା ସତ୍ୟ ତାହା ହିଁ କେବଳ ଲେଖିଛି l


ହଁ ଏ ଲେଖା ଲେଖିବାର ଗୋଟେ ଉଦ୍ଦେଶ୍ଯ ବି ଅଛି l ଆମ କଲେଜର ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କର ଥିବା ସଂଘରେ ଏ ଭିତରେ ଆଲୋଚନା ହୋଇଛି l ସମସ୍ତେ କଲ୍ଯାଣୀର ଏପରି ଅବସ୍ଥାରେ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି ବି l ଗତ ଦୁଇ ଦିନ ଭିତରେ ଷାଠିଏ ହଜାର ଟଙ୍କା ଆଦାୟ ହୋଇଛି l ଆଗକୁ ମଧ୍ଯ ଏମିତି ଆଉ କିଛି ଜୋଗାଡ଼ କରିବା ଚାଲିବ l କିନ୍ତୁ ଯେଉଁଠି ସମୁଦ୍ରର ଆବଶ୍ଯକତା ସେଠି କୂଅ ପାଣିରେ କଣ ବା ହୋଇ ପାରିବ ? ପ୍ରଥମରୁ ତ କହିଛି ଏ ରୋଗ ଥିଲାବାଲା କୋଟିପତି ମାନଙ୍କୁ ବି ଆଣ୍ଠେଇପକାଏ l 


ତେଣୁ ଯେଉଁମାନେ ଏ ଲେଖା ପଢିବେ, ଭଗବାନ୍ ଙ୍କ ପାଖରେ ସେ ମେଧାବୀ ପିଲାଟି କଥା କହି ଭଲହେବାକୁ ପ୍ରାର୍ଥନା କରିବା ସହ ଯଦି କିଛି ଦେବା ଭଳି ସମ୍ବଳ ଥିବ ଆଉ ହୃଦୟ କହିବ, ତାହେଲେ କଲ୍ୟାଣୀକୁ ସାହାଯ୍ୟ କଲେ ନିଶ୍ଚିତ ଏ ଲେଖାର ମୂଲ୍ୟ ଓ ଉଦ୍ଦେଶ୍ଯ ସାଧିତ ହୁଅନ୍ତା l


ଜ୍ଞାନ ସହିତ ଆଜି କେଇପଦ କଥା.....

-----------------


ଆଜି ସକାଳ ୧୦ ଟା ପରେ କଲ୍ଯାଣୀ ମୋତେ ଫୋନ କରି କହିଲା, " ଏବେ ସାର୍ ପୁଅ ଓଟି ( OT) ଭିତରକୁ ଗଲା l ଦୁଇଦିନ ହେଲା ତ ଯାଉଛି ଆଉ ବିନା ଟେଷ୍ଟରେ ଫେରୁଛି l ଆଜି କଣ ହେଉଛି କେଜାଣି ?"


ମୁଁ ଉତ୍ତରରେ କହିଲି, " ଆଜି ନିଶ୍ଚେ ତା' ପରୀକ୍ଷା କରିବେ । ବ୍ୟସ୍ତ ହଅନି, ଓଟିକୁ ତ ନେଇଛନ୍ତି ସେମାନେ l"


ତାପରେ କଲେଜରେ ଥିବା ପରୀକ୍ଷା ଓ ଅନ୍ୟ କାମରେ ମୁଁ ବ୍ୟସ୍ତ ରହିଲି l ଠିକ୍ ୪ ଟା ବେଳକୁ ପରୀକ୍ଷା ସବୁ ହେଲା କି ନାହିଁ ଜାଣିବା ପାଇଁ କଲ୍ୟାଣୀକୁ ଫୋନ୍ କଲି l


ଫୋନ୍ କଲ୍ୟାଣୀ ନ ଉଠାଇ ଜ୍ଞାନ ଉଠାଇଲା l ତା ସହ ହୋଇଥିବା ଅବିକଳ କଥାକୁ ନିମ୍ନରେ ରଖୁଛି ----


ଜ୍ଞାନ ବୋଧେ ଫୋନ୍ ରେ ମୋ ନାମ ଦେଖି କହିଲା, " ସାର୍ ନମସ୍କାର । ବୋଉ ଏଇଠି ତଳକୁ ଯାଇଛି କଣ ଆଣିବା ପାଇଁ l" 


ମୁଁ କହିଲି, " ଠିକ୍ ଅଛି , ତୋର ଆଜି ସବୁ ପରୀକ୍ଷା ହେଲା ତ ? "


ସେ କହିଲା, " ହଁ ସାର୍ ୩ ଟା ପରୀକ୍ଷା କଣ କଲେ, କିନ୍ତୁ ମାଂସ ନେଇ ନାହାନ୍ତି ଆଜି l କାଲି ସକାଳ ୮.୩୦ ରେ ନେବେ ବୋଲି କହିଛନ୍ତି l"


ଜ୍ଞାନ ଠାରୁ ଅଜି ବି ବାୟୋସ୍ପି ପାଇଁ ମାଂସ ନେଇ ନାହାନ୍ତି ଶୁଣି ମୋ ମନ ଦୁଃଖ ହେଲା l କିନ୍ତୁ ମୁ୍ଁ ଜ୍ଞାନକୁ ସାହସ ଦେବାକୁ ଯାଇ କହିଲି , ଠିକ୍ ଅଛି କାଲି ସକାଳେ କହିଛନ୍ତି ମାନେ ନିଶ୍ଚେ ନେବେ l "


ସେପଟୁ ଜ୍ଞାନ ପୁଣି କହିଲା, " ସାର୍ ଆପଣ କେଉଁଆଡେ କଣ ସବୁ କରିଛନ୍ତି ବହୁତ ଟଙ୍କା ସମସ୍ତେ ବୋଉର ବ୍ୟାଙ୍କ ଆକାଉଣ୍ଟ୍ ରେ ଡିପୋଜିଟ୍ କରୁଛନ୍ତି l ଏ ମୋବାଇଲ୍ ରେ ସବୁ ମେସେଜ୍ ଆସୁଛି l ମୁଁ ବି ସାର୍ ବୋଉକୁ କହିଛି କି ଯେଉଁମାନେ ସବୁ ଟଙ୍କା ଦେଉଛନ୍ତି ସମସ୍ତଙ୍କ ନାଁ ଲେଖିକି ରଖିବାକୁ l ମୁ୍ଁ ଯଦି ଭଲ ହୋଇଯିବି ଚାକିରି କରି ସମସ୍ତଙ୍କ ଟଙ୍କା ନିଶ୍ଚେ ଶୁଝିଦେବି l"


ସତ କହୁଛି ଆଜ୍ଞା, ଜ୍ଞାନର ଏତିକି କଥାରେ ମୋ ହୃଦୟର କୋଉ ଗମ୍ଭିରି ଭିତରୁ କୋହ ଉଠି ଆସିଲା l ଆଖିରୁ କେଇ ଠୋପା ଲୁହ ବାହାରି ଆସିଲା l କଣ କହିବି ଜ୍ଞାନକୁ କିଛି ବି ମୁଣ୍ଡରେ ପସିଲାନି l କିଛି ସମୟ ପୁରା ସ୍ତବ୍ଧ ହୋଇଗଲି l ସତରେ କେତେ ଅତ୍ମବିଶ୍ୱାସ ଓ ସ୍ୱାଭିମାନ ଏଇ ପିଲାଟି ଭିତରେ ଭରି ରହିଛି l କାହିଁକି ଭଗବାନ୍ ଏମିତି ରୋଗ ଏ ପିଲାଟିକୁ ଦେଇଦେଲ ?


ତଥାପୁ ମୁ୍ଁ ନିଜକୁ ସମ୍ଭାଳି ତାକୁ କହିଲି , " ଯଦି ଭଲହେବୁ ବୋଲି କଣ କହୁଛୁ କିରେ ? ତୁ ଅଲବତ୍ ଭଲହେବୁ , ସାରା ଦୁନିଆର ଲୋକ ତୋ ପାଇଁ ଭଗବାନ୍ ଙ୍କୁ ଡାକୁଛନ୍ତି l ଦେଖିବୁ ଖୁବ୍ ଶୀଘ୍ର ତୁ ଭଲ ହୋଇ ଆସି ପାଠ ପଢିବୁ l ହଉ ମୁ୍ଁ ପରେ ବୋଉ ସହିତ କଥା ହେବି l " ଏତିକି କହି ମୁ୍ଁ ଫୋନ୍ କାଟିଦେଲି l


ଏ ଭିତରେ ସତରେ ଲୋକମାନେ ବହୁ ସାହାଯ୍ୟ ଦେଉଛନ୍ତି l ସାରା ଓଡିଶା ତଥା ଭାରତର ବିଭିନ୍ନ ଯାଗାରୁ କଲ୍ୟାଣୀର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି l ଭୁବନେଶ୍ବର AIIMS କର୍ତ୍ତୃପକ୍ଷ କଟକ ବଡ ଡାକ୍ତର ଖାନାରେ ହୋଇଥିବା ଜ୍ଞାନର ସବୁ ଟେଷ୍ଟକୁ ଗ୍ରହଣ କଲେନି l ସେମାନେ ପୁଣି ସେଇ ସବୁ ଟେଷ୍ଟ ଆଉଥରେ କରି ଚିକିତ୍ସା ଆରମ୍ଭ କରିବେ l


AIIMS ର Medical Oncology / Hematology ର ଆସିଷ୍ଟାଣ୍ଟ ପ୍ରଫେସର ଡ. ସୋନାଲୀ ମହାପାତ୍ର ଜ୍ଞାନର ଚିକିତ୍ସା ଦାୟିତ୍ୱରେ ଅଛନ୍ତି l ଆଗ Chemotherapy ଦିଆଯିବ, ତାପରେ Radiation ଆଉ ଶେଷକୁ operation କଥା କହିଛନ୍ତି ସେ ମାଡମ୍ l 


ମୁଁ ଏହି ପୋଷ୍ଟିଂ ମାଧ୍ଯମରେ ସମସ୍ତଙ୍କୁ ଅନୁରୋଧ କରିବି କି ଯଦି କାହାର କିଛି ଭଲ ଚିହ୍ନା ପରିଚୟ ଭୁବନେଶ୍ବର AIIMS ରେ ଅଛି ତାହେଲେ ଟିକେ ଚେଷ୍ଟା କରନ୍ତୁ ଯେମିତି ଜ୍ଞାନର ଅବଶ୍ଯକୀୟ ଟେଷ୍ଟ ସବୁ ଶୀଘ୍ର ସରି Treatment ଆରମ୍ଭ ହୋଇ ପାରିବ l ସବୁଆଡେ ତ ଏବେ ଧରାଧରିର ଯୁଗ l ଯିଏ ଚାପ ପକାଇ ପାରିଲା ତା କାମ ଆଗ ହେବା ଆଜିକା ଦିନର ନିୟମ l


ଗତ ୩ ଦିନ ଧରି ଜ୍ଞାନକୁ OT କୁ ନେଉଛନ୍ତି ପୁଣି ଫେରାଇ ଆଣୁଛନ୍ତି l କିନ୍ତୁ ଏଯାଏ ତା ବାୟୋପ୍ସି ଟେଷ୍ଟ ହୋଇ ପରିଲାନି l 

ବୋଧହୁଏ ସେଇଥି ପାଇଁ ଲୋକମାନେ ପ୍ରାଇଭେଟ୍ ଡାକ୍ତର ଖାନା ମୁହାଁ ହେଉଛନ୍ତି l ପଇସା ଆଜାଡ଼ିଦେଇ ଗୋଟେ ଦିନରେ ସବୁ ଟେଷ୍ଟ ଶେଷ କରି ଟ୍ରିଟମେଣ୍ଟ ଆରମ୍ଭ ହୋଇଯାଏ l ଏଠି କିନ୍ତୁ ଜ୍ଞାନକୁ ସବୁଦିନେ ସକାଳୁ ସକାଳୁ OT ଭିତରକୁ ନିଆ ହେଉଛି, ସେଠି ଏତେ ଭିଡ ହେଉଛି ଯେ, ଜ୍ଞାନର ପାଳି ପଡୁନି l ଫେରି ଆସି ତା ପରଦିନକୁ ପୁଣି ଅପେକ୍ଷା କରୁଛି l


ଜ୍ଞାନକୁ ପ୍ରାଇଭେଟ୍ ଡାକ୍ତର ଖାନାକୁ କଲ୍ୟାଣୀ ନେଇ ପାରିବନି l ଯେତିକି ଟଙ୍କା ଲୋକମାନେ ତା ଆକାଉଣ୍ଟରେ ଡିପୋଜିଟ୍ କରିଛନ୍ତି ଖୁବ୍ ବେଶିରେ ଦଶ ଦିନ ଖଣ୍ଡେ ଯିବ ଖର୍ଚ ହୋଇଯିବାକୁ l ତେଣୁ ସେଇ ସରକାରୀ ଡାକ୍ତର ଖାନା ହିଁ ତା ପୁଅ ପାଇଁ ଠିକ୍ l କିଛି ପରୀକ୍ଷା ପାଇଁ ପଇସା ଲାଗିବ,ଔଷଧ କିନ୍ତୁ ମାଗଣା l 


ହଁ କଲ୍ୟାଣୀର ଦୁ୍ଃଖ କଥା ସବୁ ଫେସବୁକ୍ ରୁ ପଢି ଜଗତସିଂହପୁରର ଜଣାଶୁଣା ସମାଜସେବି ଶ୍ରୀଯୁକ୍ତ ହେମନ୍ତ ରଥ ଟାଟା ମେମୋରିଆଲ୍ କୁ ଜ୍ଞାନକୁ ନିଜେ ସାଙ୍ଗରେ ନେଇ ଚିକିତ୍ସା ବ୍ୟବସ୍ଥା କରିବାକୁ ଆଗେଇ ଆସିଛନ୍ତି l ସେ ଡାକ୍ତର ନ ହୋଇ କ୍ୟାନସର୍ ରୋଗ ଉପରେ ବହୁତ କିଛି ଜାଣିଛନ୍ତି l ତାଙ୍କ ନିଜ ବାପ ଓ ସ୍ତ୍ରୀଙ୍କୁ ନେଇ ଟାଟା ମେମୋରିଆଲ୍ ରେ କ୍ୟାନସର ଭଲ କରିବା ସହ ପାଖା ପାଖି ୧୫ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସବୁ ପ୍ରକାର ସାହାଯ୍ୟ କରି ସେ ଭୟଙ୍କର ବେମାରିରୁ ଭଲ କରିଛନ୍ତି l ତାଙ୍କ ସହ କଥା ହୋଇ ଜ୍ଞାନର କଟକ ଡାକ୍ତର ଖାନାରେ ହୋଇଥିବା ସମସ୍ତ ଟେଷ୍ଟର ରିପୋର୍ଟ ତାଙ୍କୁ ଦେଇଛି l ସେ ସେସବୁ ରିପୋର୍ଟ ଟାଟା ମେମୋରିଆଲ୍ ରେ ଥିବା ତାଙ୍କର ଜଣାଶୁଣା ଡାକ୍ତରଙ୍କ ପାଖକୁ ପଠାଇଛନ୍ତି l ସେଠୁ କିଛି ପଜିଟିଭ୍ ଉତ୍ତର ଆସିଲେ ସେ ଜ୍ଞାନକୁ ସେଠିକି ନେବେ l କଲ୍ୟାଣୀ ବି କହୁଛି ମୋ ପୁଅ ସେଠିକି ଗଲେ ଭଲ ହୋଇଯାନ୍ତା l 


ଏମିତିରେ ଆଜି ଭୁବନେଶ୍ବରସ୍ଥିତ ନାଇଜର୍ ରେ କୁଳ ସଚିବ ଥିବା ଆମ ଜଗତସିଂହପୁରର ସୁପୁତ୍ର ତଥା ଆମ କଲେଜର ପୂର୍ବତନ ଛାତ୍ର ଡ. ଅଭୟ କୁମାର ନାୟକ ମୋ ସହ କଥା ହୋଇ କହିଛନ୍ତି ଯେ, ଟାଟା ମେମୋରିଆଲ୍ ରେ ଚିକିତ୍ସା କଲେ ପିଲାଟା ଶିଘ୍ର ଭଲ ହୋଇଯାନ୍ତା ଆଉ ସେ ବି ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବେ ସେଠିକି ଯିବାରେ l


ଏଇ କେତେଦିନ ଭିତରେ ବହୁତ ସାହାଯ୍ୟ କଲ୍ୟାଣୀକୁ ମିଳିଛି l କିନ୍ତୁ ଏହା ଆଦୌ ପ୍ରର୍ଯାପ୍ତ ନୁହେଁ l ପ୍ରଥମେ କେମୋଥେରାପି, ତାପରେ ରାଡିଏସନ୍ ଓ ଶେଷକୁ ଅପରେସନ୍ l ଏସବୁ ରେ ବହୁତ ପଇସା ନିଶ୍ଚେ ଖର୍ଚ ହେବ l


ଅନ୍ୟମାନେ ଯେଉଁମାନେ ଏସବୁ ଲେଖା ପଢୁଛନ୍ତି ପୁଣି ଅନୁରୋଧ କରୁଛି କି ଆପଣମାନଙ୍କର କିଛି ସାହାଯ୍ୟ ଓ ସହାନୁଭୁତି ହୁଏତ ଜ୍ଞାନକୁ ନୂଆ ଜୀବନ ଦେବା ସହ କଲ୍ୟାଣୀ ମୁହଁରେ ହସ ଫୁଟାଇପାରେ.....


Details of Kalyani .

-----------------------


Name - Kalyani Pradhan 

SBI A/C No. - 30999889952

IFSC Code - SBIN0003943

State Bank Of India, Jagatsinghpur ADB.

Mob - 7992821847


ଏଇ ଲେଖା ଫେସବୁକ୍ ରେ ମୁଁ ଜିଓ ନେଟଓ୍ୱାର୍କ ସାହାର୍ଯ୍ୟରେ ଲେଖି ଜ୍ଞାନର ଚିକିତ୍ସା ପାଇଁ ୧୫ ଲକ୍ଷ ଟଙ୍କା ଯୋଗାଡ କରାଇ ପାରିଥିଲି l ଶେଷରେ ଏତିକି କହିବି ଏସବୁ କେବଳ ସମ୍ଭବ ହେଲା ଫେସବୁକ୍ ଓ ଜିଓ ପାଇଁ l ଉଭୟଙ୍କୁ ଧନ୍ୟବାଦ l


*********


Rate this content
Log in

Similar oriya story from Inspirational