Nibedita Mishra

Tragedy

4  

Nibedita Mishra

Tragedy

ଏକାନିବେଦିତା ମିଶ୍ର

ଏକାନିବେଦିତା ମିଶ୍ର

2 mins
201


ମାନିନୀ ସକାଳୁ ଶୀଘ୍ର କାମଧନ୍ଦା ସାରି ତା ସାଙ୍ଗ ଘରକୁ ବାହାରି ପଡିଲା । ଆଜି ଅଫିସ ଛୁଟି ଅଛି । ତେଣୁ ଦୁଇସାଙ୍ଗ ବସି ବହୁତ ମଜା କରିବେ । ଏମିତି କିଛି ଭାବି ଭାବି ମାନିନୀ ଯେତେବେଳେ ତା' ସାଙ୍ଗ ପାଖେ ପହଞ୍ଚିଲା । ସେ ଦେଖିଲା ଯେ ତା ସାଙ୍ଗ କୁଆଡେ ଗୋଟେ ଯିବା ଲାଗି ତରତର ହେଇ ବାହାରୁଛି । 

ମାନିନୀ କିଛି ପଚାରିବା ଆଗରୁ ସେ କହିଲା-'ମାନିନୀ ଚାଲ ତତେ ଆଜି ଗୋଟେ ବଢିଆ ମାଉସୀଜଣଙ୍କ ସାଙ୍ଗେ ଦେଖା କରେଇ ଦେବି । ଦେଖିବୁ ସେ ମାଉସୀ କେତେ ଭଲଟେ । ମୁଁ ତତେ ଯାହା କଥା ସବୁବେଳେ କହେ । '

ମାନିନୀ ବି ଉତ୍ସୁକତାର ସହିତ ତା ସାଥେ ନୂଆ ମାଉସୀଙ୍କୁ ଭେଟିବାକୁ ବାହାରିଲା । ଦୁଇସାଙ୍ଗ ଯାଇ କିଛି ସମୟ ପରେ ମାଉସୀଙ୍କ ଘରେ ପହଞ୍ଚି ଗଲେ । ମାଉସୀ ଏ ଦୁଇଜଣଙ୍କୁ ଦେଖି ବହୁତ ଖୁସି ହୋଇଗଲେ । ମାନିନୀକୁ ତା' ଘର ବିଷୟରେ ପଚାରିବାକୁ ଲାଗିଲେ । ମାନିନୀ ବି ଖୁବ ଅଳ୍ପ ସମୟରେ ମାଉସୀଙ୍କ ସହିତ ମିଶିଗଲା । ଗପସପ ଜୋରଜାରରେ ଚାଲିଲା । 

ଏହି ସମୟରେ ମାଉସୀଙ୍କ କାମବାଲୀ ଆସିକି କହିଲା ଯେ-"ମା' ଦିନବେଳା ଲାଗି ଭାତ,ଡାଲି,ବାଇଗଣ ଭରତା ଆଉ ଶାଗ କରିଦେଇଛି । ରାତିବେଳା ଲାଗି ସନ୍ତୁଳା ଓ ଅଟା ଚକଟିକି ଥୋଇ ଦେଇଛି । ଠିକ ସମୟରେ,ଖାଇନେବ । ଔଷଧ ଖାଇବାକୁ ଭୁଲିବନି । ମୁଁ ତା ହେଲେ ଏବେ ଆସୁଛି । "ଏତିକି କହି ସେ ଚାଲିଗଲା । 

ଏହା ଦେଖି ମାନିନୀ ପଚାରିଲା -ମାଉସୀ ଆପଣ ଏକା ରହନ୍ତି?ଡର ଲାଗେନି?

ମାଉସୀ ଟିକିକେ ମିଛ ହସଟିଏ ହସି କହିଲେ-ନା,ମ ଝିଅ ମଉସା ଆଉ ମୁଁ ଏଠି ରହୁଥିଲୁ । ତୁମ ମଉସା ଗଲା ମାସରେ ଚାଲିଗଲା ପରେ,ମୁଁ ସିନା ...... । 

ମାନିନୀ ଦୀର୍ଘଶ୍ୱାସଟିଏ ପକାଇ କହିଲା – ଓହୋ ! ଆଉ ଆପଣଙ୍କ ପୁଅ ଝିଅ ?

ମାଉସୀ କହିଲେ-ମୋର ଦୁଇ ପୁଅ । ଜଣେ ଆମେରିକାରେ । ଆଉ ଜଣେ ବାଙ୍ଗାଲେରରେ । 

ମାନିନୀ କହିଲା-ତା ହେଲେ ଆପଣ ସେଇଠିକୁ ଚାଲି ଯାଉ ନାହାନ୍ତି?ଏଠି ଯାହା ଏକା ରହୁଛନ୍ତି । କେତେବେଳେ କଉ କଥା । 

ମାଉସୀ ପୁଣି ଆଖିର ଲୁହକୁ ଲୁଚାଇ ମିଛ ହସଟିଏ ହସିଦେଲେ । କିଛି ସମୟ ଚୁପ ରହିବା ପରେ କହିଲେ-"ଆରେ ମା,ମୁଁ ଏକା କଉଠି ଅଛି?ସାହିପଡିଶା ସବୁବେଳେ ଯିବାଆସିବା କରନ୍ତି । କାମବାଲୀ ଆସି କାମ ସବୁ କରିଦେଇ ଯାଏ । ଅବଶ୍ୟ ପୁଅ ମାନେ ଡାକନ୍ତି ଯେ.... .. "

କିନ୍ତୁ ମାନିନୀ ମୁହଁର ଅସନ୍ତୁଷ୍ଟ ଭାବଦେଖି ,ସେ ପୁଣି କହିବାକୁ ଆରମ୍ଭ କଲେ----

କଥା କ'ଣ କି -ମୋ ପୁଅ ବୋହୁ ଦୁହେଁ ଚାକିରିଆ । ସେମାନେ ସକାଳୁ ବାହାରି ଯାଆନ୍ତି । ନାତୁଣୀ ବି ସକାଳୁ ସ୍କୁଲ ଚାଲିଯାଏ । ସେଇଠୁ ଡେ-କେଆରକୁ ଯାଏ । ପୁଅ ବୋହୁ ଫେରିଲା ବେଳେ ତାକୁ ନେଇକି ଆସନ୍ତି । ତେଣୁ ମୁଁ ସେଇଠି ଦିନସାରା ଏକା ବୋର୍ ହେଇଯିବି ବୋଲି ପୁଅବୋହୁ କହିଲେ । ସେଥିଲାଗି ମୁଁ ସେଠିକୁ ଯାଉନି । 

ହେଲେ ମାନିନୀ ଭାବୁଥିଲା-ସେଇ "ଏକା" ତ ସିଏ ଏବେ ଏଇଠି ବି ଅଛନ୍ତି । 

ତା ପରେ ମାନିନୀ ଆଉ ବିଶେଷ ଯୁକ୍ତି ନ କରି ଚୁପ ରହିଲା । ସେମାନେ କଥା ବଦଳେଇ ଇଆଡୁ ସିଆଡୁ କିଛି ଗପ କରି ସାରି ଯିବାକୁ ବାହାରିଲେ । 

ମାଉସୀ ଦୁହିଁଙ୍କୁ ଗେଟ ପର୍ଯ୍ଯନ୍ତ ଛାଡିବାକୁ ଆସିଲେ । ଯେତେବେଳେ ମାନିନୀ ଓ ତା'ସାଙ୍ଗ କିଛି ଦୁର ଆଗେଇ ଗଲେ । ମାନିନୀ ପଛକୁ ଓଲଟି ଚାହିଁଲା । 

ସେଦେଖିଲା ଯେ-"ମାଉସୀ ଜଣକ ଗେଟରେ ତାଲା ଦେଇସାରି, ନିଜ ଚଷମାଟିକୁ ଖୋଲି ଲୁଗା କାନିରେ ସେ ମିଛହସ ପଛରେ ଥିବା ଲୁହଗୁଡିକୁ ପୋଛି ପକଉଥିଲେ । ଯେଉଁମାନେ କି ତାଙ୍କ କଥା ନ ମାନି, ଗଡିଆସୁଥିଲେ । "

 ମାନିନୀକୁ କିନ୍ତୁ ମାଉସୀ ""ଏକା""ନାମକ ଜେଲରେ ବନ୍ଦୀ ଥିବା ନିଃସହାୟ ନିର୍ଦ୍ଦୋଷ କଏଦୀଟିଏ ପରି ଲାଗୁଥିଲେ । 



Rate this content
Log in

Similar oriya story from Tragedy