STORYMIRROR

Sunanda Mohanty

Abstract Tragedy Children

4  

Sunanda Mohanty

Abstract Tragedy Children

ଏକାକୀ ଜୀବନେ

ଏକାକୀ ଜୀବନେ

2 mins
353

   ଜେଜେଙ୍କର କେହି ନଥିଲେ, ଚଣ୍ଡିଙ୍କୁ ପୂଜା କରୁ କରୁ ଆମ ପରିବାର ସହ ଯୋଡି ହୋଇଗଲେ ତ ସେ ଆମ ଜେଜେ ହୋଇଗଲେ, ବାଳଧୂପ, ଦ୍ବିପହର ଖେଚେଡ଼ି ଚୁଙ୍ଗୁଡ଼ି ଘାଣ୍ଟ ଭୋଗ ସହ ମାଛ ବଳି ଭୋଗ ଆମ ଘରକୁ ଆସେ, ସେ କିନ୍ତୁ ବୋଉ ହାତ ପ୍ରସ୍ତୁତ ଖଳି ରୁଟି ଖାଆନ୍ତି. ପିଆଜ ଦିଆ ଖେଚେଡ଼ି ଅନ୍ନ ଭାରି ନିଆରା ପୁଣି ଭୋଗ ବା ପ୍ରସାଦ ର ବାସ୍ନା ସହଜେ ଅଲଗା, କିନ୍ତୁ ଜେଜେ କହନ୍ତି ଏସବୁ ସେ ରାଜା ଘରେ ରୋଷେଇଆ ଥାଇ ଶିଖିଥିଲେ, ଏଵେ ରାଜା ମାଆ ହରଚଣ୍ଡୀ ଙ୍କ ପୂଜା ପୂଜି ଦାୟିତ୍ୱ ତାଙ୍କୁ ନେସ୍ତ କଲାପରେ ସେ ମାଆଙ୍କ ପାଇଁ ହିଁ ସେହି ପ୍ରଣାଳୀ ରେ ଭୋଗ ବାଢି ଆସୁଛନ୍ତି, ଏକୁଟିଆ ଜୀବନର ସବୁକିଛି ତ ମାଆ ତାଙ୍କ ପାଇଁ, ସ୍ତ୍ରୀ ମରିଗଲା ପରେ, ଝିଅ ଟି ବଡ ହୋଇ ବାହା ହୋଇଯିବାପରେ ସେ ମାଆ ଚଣ୍ଡୀ ଭରସା ରେ ଦିନ କାଟୁଛନ୍ତି l

   ସେଦିନ ବାଳ ଭୋଗ ଆଣିନପାରି ଭାରି ମନଦୁଃଖ କଲେ ଜେଜେ, କ୍ଷୀର, ସର, ଦହି, ମହୁ, ଘିଅ ସାଥିରେ କାଜୁ କିସମିସ ପୁଣି ଅଙ୍ଗୁର ସେଓ ର ସମ୍ମିଶ୍ରଣ ଖୁବ ସ୍ୱାଦିଷ୍ଟ, ଆଉ ନଆଣିବାର କାରଣ ଗୋଟେ ବିଲେଇ ଏଵେ ଆସି ସେ ସ୍ଥାନ ଛାଡ଼ୁନି ଦେବା ଯାଏଁ ଅପେକ୍ଷା ନକରି ଭୋଗରେ ମୁଁହ ମାରୁଛି ତ ସେ ଅଇଁଠା ଭୋଗ କିଏ କେମିତି ଖାଇବ, କେତେ ଜଗିବେ ବିଲେଇଟାକୁ କହି ବ୍ୟସ୍ତ ହେଉଥାନ୍ତି ଜେଜେ l

   ସେଦିନ ଖଳିରୁଟି କ୍ଷୀର ଓ ସନ୍ତୁଳା ଥଣ୍ଡା ହେବାକୁ ବସିଲାଣି ଜେଜେଙ୍କର ଦେଖା ନାହିଁ, କାହିଁକି ଡେରି ହେଲା ପଚାରିବାରୁ କହିଲେ ଗୋଡ଼ରେ ଘଷି ହେଉଥିବା ବିଲେଇ ଲାଞ୍ଜରେ ତାଳ ଫୋଟକା ବାଣ ଲାଗାଇ ବାନ୍ଧି ନିଆଁ ଲାଗାଇ ଦେଲି, ଯେମିତି ଢ଼ୋ କିନା ଶବ୍ଦ ହୋଇଛି ଯାଇଛି କୁଆଡେ ଆଉ ଆସିନି, ଓଃ ମାଆ ହରଚଣ୍ଡୀ କଣ୍ଟା ଗଲା l

  ହେଲେ ଆମର ବଦଳୀ ହୋଇଗଲା, ଆମେ ବାପା ମାଆ ଓ ସବୁ ଭାଇଭଉଣୀ ଚାଲିଗଲା ପରେ ଜେଜେ କେମିତି ଏକୁଟିଆ ଏକାକୀ ଜୀବନ ବିତାଇବେ ଭାବି କାନ୍ଦକଟା ଚଳିଲା କିଛି ଦିନ, ଆମେ ଆସିଲା ଦିନ ଆମ ଘରେ ରହିଥିବା କୁକୁର ଟିକୁ ଜେଜେଙ୍କ ଜିମା ଦେଇ ଆସିଥିଲୁ ନିସଙ୍ଗ ଜୀବନ ର ସାଥୀ ହେବାକୁ ଆଉ ଏଠାର ବିଲେଇ ଆସିଲେ ତାକୁ ଭୋଗ ସବୁ ଦେଇ ରଖିବାକୁ କହିଲା ବେଳେ ଜେଜେ ଓ ଆମେ ସବୁ ଖୁବ କାନ୍ଦିଥିଲୁ ନିବୀଡତାର ମୋହ ଓ ଆବେଗରେ, ସମ୍ପର୍କ ର ସରହଦ ଭିତରେ ବିଚ୍ଛେଦ କେତେ ଯନ୍ତ୍ରଣାଦାୟକ ସେହି ପିଲାଦିନୁ ଅନୁଭବ କରିଥିଲି l

ସେତେବେଳେ ଚିଠି ଯୁଗ, ଜେଜେ ଙ୍କୁ ଆମେ ଆମକୁ ଜେଜେ ଚିଠି ଲେଖନ୍ତି, କେବେ କେବେ ଆସନ୍ତି କଷ୍ଟ କରି ଆମ ଘରକୁ ତ କି ଖୁସି ଆମେ, ପଚାରୁ ବିଲେଇ ହଇରାଣ କରୁଛି ନା ନାହିଁ, ପଚାରୁ କୁକୁର ଅଛି ନା ନାହିଁ, ତା ପରେ ଜେଜେ ରହୁଥିବା ସ୍ଥାନ ପାଖକୁ ବଦଳୀ ହୋଇଗଲେ ବାପା ଆଉ ମୋର ବି ପଢା ସରି ବାହାଘର ହେବାର ଥାଏ, କିନ୍ତୁ ଜେଜେ ଆଉ ନଥିଲେ ଦେଖିବାକୁ ମୋ ବାହାଘର, ଏକୁଟିଆ ଜୀବନେ ଚଣ୍ଡୀମାଆଙ୍କୁ ପୂଜା କରୁ କରୁ ଏକୁଟିଆ କରି ଚାଲିଗଲେ ଆମ ପରିବାର ର ପ୍ରତ୍ୟକ ସଦସ୍ୟଙ୍କୁ, ଯାହାଙ୍କୁ ଏବେବି ଝୁରୁଛୁ ଆମେ, ବିଶେଷ କରି ମୁଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract