Sucharita Sena

Comedy

2.8  

Sucharita Sena

Comedy

ଏକ ପ୍ରେମ ପତ୍ର |

ଏକ ପ୍ରେମ ପତ୍ର |

3 mins
181


ମଦନପୁର ଗାଆଁର ରବି ସାହୁ, ଏଇ ବୟସ ତିରିଶ ପୂରିବାକୁ ଯୋଡ଼ାଏ ବର୍ଷ ବାକି ଅଛି | ଆର ଗାଆଁ ନାହାକ ସାହି ମଲ୍ଲୀକୁ ଦେଖିଲା ଦିନୁ ତା ପ୍ରେମରେ ପଡି ସାରିଛି | ମଲ୍ଲୀ ବି କଣେଇ କଣେଇ ଚାହାଁଣୀରେ ସହମତି ପ୍ରକାଶ କଲା ଭଳି ଯେପରି ଲାଗୁଛି | 

ରବି ନିଜର ପ୍ରେମ ନିବେଦନ କରିବାକୁ ପ୍ରେମ ପତ୍ର ଠିକି ମାଧ୍ୟମଟା ହେବ ବୋଲି ଭାବି ନିଜର ଅଳ୍ପ ବିଦ୍ୟାରେ ଶିଖିଥିବା ପାଠକୁ ବ୍ୟବହାର କରି ପତ୍ର ଖଣ୍ଡେ ଲେଖିଲା ମଲ୍ଲୀ ର ଉଦ୍ଦେଶ୍ୟ ରେ | ସେ ଜାଣିଥିଲା ଆଉ କାହାକୁ ଭାଷା ଖଣ୍ଡେ ଲେଖିବାକୁ କହିଲେ ଗାଆଁଟା ସାରା ବାଜଣା ବାଜିଯିବ | ତା ପରେ ମଲ୍ଲୀ ମନର କଥା କଣ ସେ ଜାଣିନି, କିପରି କଥାଟାକୁ ବାଟରୁ ନେଇ ହାଟରେ ଗଡେଇବ | ଅନେକ ଭାବିବା ପରେ ହୃଦୟର କଥାକୁ ପଚାରିବା ପାଇଁ ପନ୍ଦର - ସତର ବର୍ଷରୁ ଛାଡିଥିବା, ଓ ଦ୍ୱିତୀୟ ଯାଏ ପଢିଥିବା ' ଅ...ଆ ' କୁ ମନେ ପକାଇ ଅବନା ଅକ୍ଷରରେ ଚିଠି ଖଣ୍ଡକ ଲେଖି ବସିଲା.......

ତ - * * *

ଗ.ମ - ମଦନପର |

ପୟ,

ମଲ |

ଅନକ ସହ | ଆଶ କର ମ' କ କପର ଭଲର ଥିବ | 

ତମକ ଦଖଲ ପର ମ, ମ ଖଇବ ପଇବ ଭଲ ସରଛ | ମ ତମକ ବହତ ଭଲ ପଏ | ବଚବ ପରନ ଏପର ଭଲ ପଉଥବ | ତମ ମନକଥ ଜଣବ ପଇ ଏ ପତ ଲଖଛ | ତମ ମନର ଯଦ ମ ପଇ ଟକ ଯଗ ଥବ ତହଲ ନଶୟ ଜଣଇବ, ତମ ଚଠର ଅପକ୍ଷର ଏ ହତଭଗ |

ଇତ |

ତମର ରବ | 

ରବି ଚିଠିଟି ନେଇ ମଲ୍ଲୀର ନିକଟତ୍ତମ ବାନ୍ଧଵୀ କୁକୀକୁ ଦେଇଦେଲା ଓ ମନେ କରି ମଲ୍ଲୀକୁ ଦେବାକୁ କହିଲା | କୁକୀ ଚିଠିଟି ଅତି ହୁସିଆରିରେ ଆଣି ମଲ୍ଲୀକୁ ଦେବା ସମୟରେ, ମଲ୍ଲୀର ଭାଇ ଖପକରି ଛଡାଇ ନେଇ ବାପାଙ୍କ ହାତରେ ଥାପିଦେଲା | ବାପା କିଏ ଚିଠି ଦେଇଛି ବୋଲି ପଚାରିବାରୁ ମଲ୍ଲୀ ଓ କୁକୀ ଡରରେ ନିରବ ରହିଲେ |

ବାପା ଏଥର ଚିଠି ଖୋଲି ପଢିବାରେ ଲାଗିଗଲେ | କିନ୍ତୁ ଧାଡ଼ିଏ ବି ବୁଝିଲା ଭଳି ନଥିଲା | ଏଥର ବାପା ପଚାରିଲେ ଏ କଣ, କିଏ ଦେଇଛି, କଣ ଲେଖା ହୋଇଛି କିଛି ହେଜ ହେଉନି ??? |

ମଲ୍ଲୀ ଉପସ୍ଥିତ ବୁଦ୍ଧି ଲଗାଇ କହିଲା, କୁକୀ ଏ କାଗଜ ଖଣ୍ଡକ ବାହାରୁ ପାଇଲା ସେ ବୁଝିନପାରିବାରୁ ସେଇକଥା ମତେ ପଚାରୁ ଥିଲା | ବାପା କାଗଜ ଖଣ୍ତକ ମଲ୍ଲୀ ହାତକୁ ବଢ଼ାଇ ଘରୁ ବାହାରି ଗଲେ |

ଦୁଇ ଦିନ ପରେ କୁକୀ ଚିଠି ଖଣ୍ଡେ ଆଣି ରବି ହାତରେ ଗୁଂଜିଦେଇ ଚାଲିଗଲା | ରବିର ଖୁସି କହିଲେ ନସରେ | ମଲ୍ଲୀ ଚିଠିରେ କଣ ଲେଖିଥିବ ନିଜେ ପଢିଲେ କାଳେ ଜାଣି ପାରିବନି, ଅଥବା ଭୁଲୁ ପଢ଼ିଦେବ, ସେଥିପାଇଁ ନିଜର ଲେଙ୍ଗୁଟି ବନ୍ଧୁ ଟିଂକୁ ପାଖକୁ ଧାଇଁଲା | 

ରବି ନିଜର ପ୍ରେମିକା ପାଖରୁ ଚିଠିଟି ପାଇଁ ଯେତିକି ରୋମାଂଚିତ ଥିଲା ତା ଠାରୁ ବେଶୀ ରୋମାଂଚିତ ଲାଗୁଥିଲା ଟିଂକୁ | ଦୁହେଁ ନିରଳା ଯାଗା ନଇପଠା ବାଛି ଚାଲିଲେ ସେ ଦିଗକୁ | ଚାରି ଖୋଜକୁ ଏକ ଖୋଜ କରି ଚଳୁଥାନ୍ତି ଦୁଇ ଜଣ | 

ଟିଂକୁ ଚିଠି ଖୋଲି ପଢିଲା |

ପ୍ରିୟର

ରବି |

ମୁଁ କେବେ ଭାବି ନଥିଲି ତୁମକୁ ଭଲ ପାଇବି | କିନ୍ତୁ ମୁଁ ତୁମକୁ ଏତେ ଭଲ ପାଇଁ ବସିଛି ତୁମେ ବୁଝି ପାରିବନି | ତୁମର ବୁଦ୍ଧିକୁ ପ୍ରଶଂସା ନକରି ରହି ପାରୁନି | ତୁମେ କେତେ ଚାଲାକ ଓ ଚତୁରତାର ସହ ନିଜର ପ୍ରେମ ନିବେଦନ କରିଦେଲ ତାହା ଭାବିଲେ ଆନନ୍ଦ ଲାଗୁଛି | ଯାହା ହାତରେ ଚିଠି ଲାଗିଲେ ମଧ୍ୟ ସେ ଓଲୁ ଵନିଯିବ | ତୁମେ ଅତ୍ୟନ୍ତ ଚତୁର |ମୋର ଏଭଳି ପିଲା ବହୁତ ପସନ୍ଦ | ହଁ ଶେଷରେ ଏତିକି କହିବି ମୁଁ ତୁମକୁ ବହୁତ ଭଲ ପାଏ | ଏଥର ଚିଠି ଆଉ ହୁସିଆରରେ ଲେଖିବା ଦରକାର ନାହିଁ | ତୁମ ଚିଠିକୁ ଅପେକ୍ଷା ରହିଲା |

ଇତି

ତୁମର ମଲ୍ଲୀ |

ଟିଂକୁ ଚିଠିଟି ସମ୍ପୂର୍ଣ୍ଣ ଅଧୟନ ପରେ, ରବିକୁ ଅତି ଆଶ୍ଚର୍ଯ୍ୟଭରା ବଡ ବଡ ନୟନରେ ଚାହିଁ ପଚାରିଲା.......

" ରବି, ତୁ କଣ ଏମିତି ସେ ଚିଠିରେ ଲେଖିଥିଲୁ, ମଲ୍ଲୀ ଏକବାର ଭଲପାଇଗଲା ??? " | 

ରବିର ଛାତିଟା ଆନନ୍ଦରେ କୁଣ୍ଡେମୋଟ ହୋଇଯାଉଥାଏ, ସେ ହସ ମିଶା କହିଲା "ଶୁଣିବୁ ମୁଁ କଣ ଲେଖିଥିଲି,.....

ପ୍ରିୟା,

ମଲ୍ଲୀ |

ଅନେକ ସ୍ନହ | ଆଶା କରେ ମା' ଙ୍କ କୃପାରୁ ଭଲରେ ଥିବ | 

ତୁମକୁ ଦେଖିଲା ପରେ ମୁଁ ମୋ ଖାଇବା ପିଇବା ଭୁଲି ସାରିଛି | ମୁଁ ତୁମକୁ ବହୁତ ଭଲ ପାଏ | ବଂଚିବା ପର୍ଯ୍ୟନ୍ତ ଏପରି ଭଲ ପାଉଥିବି | ତୁମ ମନକଥା ଜାଣିବା ପାଇଁ ଏ ପତ୍ର ଲେଖୁଛି | ତୁମ ମନରେ ଯଦି ମୋ ପାଇଁ ଟିକେ ଯାଗା ଥିବ ତାହେଲେ ନିଶ୍ଚୟ ଜଣାଇବ, ତୁମ ଚିଠିର ଅପେକ୍ଷାରେ ଏ ହତଭାଗା |

ଇତି |

ତୁମର ରବି |

ଟିଂକୁ ଆଁକରି ରବିର କଥାକୁ ଯେପରି ସବୁ ପିଇଯାଉଥାଏ , ଓ ମନେ ମନେ ଭାବୁଥାଏ ଏଥିରେ ଚତୁରତା କଣ ଥିଲା ???? |



Rate this content
Log in

Similar oriya story from Comedy