STORYMIRROR

sumita behera

Drama Romance Fantasy

3  

sumita behera

Drama Romance Fantasy

ଏକ ନିଆରା ଜନ୍ମଦିନ

ଏକ ନିଆରା ଜନ୍ମଦିନ

3 mins
239


ଚାରିଟା ନ ବାଜୁଣୁ ସୁଶାନ୍ତ ରଞ୍ଜିତା ଙ୍କ ପଛରେ ପଡିଗଲେ ମାର୍କେଟ୍ ଯିବାକୁ। ଚାହା ନ ପିଇକି ସୁଶାନ୍ତ କେବେ ବି ବହାରନ୍ତିନି। ଆଜି ବ୍ୟତିକ୍ରମ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ରଞ୍ଜିତା। ପୁଅ ଦି ଜଣ ବି କହୁଥାନ୍ତି "ହଁ ମାମା ଯାଇକି ବୁଲି ଆସ। ବାବା ଡାକୁଛନ୍ତି ଯେତେବେଳେ ତୁମର ଯିବା ଉଚିତ।ନ ହେଲେ ବାବାଙ୍କ ମନରେ କଷ୍ଟ ହେବ! କେତେ ଖୁସିରେ ଆଜି ଡାକୁଛନ୍ତି।" ବଡ଼ ପୁଅ ବାହାରେ ଚାକିରୀ କରେ।ଛୁଟିରେ ଆସିଛି। ସାନ ଦ୍ୱାଦଶ ବୋର୍ଡ଼ ଦବ। ଭାରି ସାଙ୍ଗ ଭାଇ ଦୁହେଁ। ରଞ୍ଜିତା ଭାବୁଥିଲେ ପକୋଡ଼ି କରିବେ।ସମସ୍ତେ ଏକାଠି ବସି ଖାଇବେ ଆଉ ଗପ କରିବେ।ରବିବାର ଯୋଗୁଁ ସୁଶାନ୍ତ ବି ଘରେ ଅଛନ୍ତି।ସମସ୍ତଙ୍କର ଜିଦ୍ ଆଗରେ ହାରି ଅଗତ୍ୟା ସୁଶାନ୍ତଙ୍କ ସହ ମାର୍କେଟ ବାହାରିଲେ।


 ଆଜି ସୁଶାନ୍ତ ତାଙ୍କୁ କଳାମନ୍ଦିର ଶାଢ଼ୀ ଦୋକାନକୁ ନେଇଗଲେ ଓ ନିଜ ପସନ୍ଦର ଶାଢ଼ୀ କିଣିବାକୁ ଅନୁରୋଧ କଲେ।ସେ ଜାଣନ୍ତି ରଞ୍ଜିତାଙ୍କର ଶାଢ଼ୀ, ଗହଣାରେ ଆସକ୍ତି ନ ଥାଏ। ରଞ୍ଜିତା କହିଲେ ତାଙ୍କର ତିନିଟା ନୂଆ ଶାଢ଼ୀ ଘରେ ଥୁଆ ହେଇଚି।ଆଉ ଦରକାର ନାହିଁ। ଅଯଥା ପଇସା ଖର୍ଚ୍ଚ କାହିଁକି ? ତଥାପି ସୁଶାନ୍ତ ମାନିଲେନି। ଜିଦ୍ କଲେ।

 

ସେହି ଶପିଙ୍ଗ୍ ମଲ୍ ରେ ମିଷ୍ଟର୍ ଇଣ୍ଡିଆ ଫିଲ୍ମ୍ରର ନାୟକ ଅନୀଲ୍ କପୁର୍ ଙ୍କର କିଛି ଗୋଟିଏ ବିଜ୍ଞାପନର ସୁଟିଙ୍ଗ୍ ଚାଲିଥିଲା। ବହୁତ ଭିଡ଼ ସେଠି। ରଞ୍ଜିତାଙ୍କର ମନ ହେଉଥିଲା ତାଙ୍କ ପ୍ରିୟ ନାୟକ ମିଷ୍ଟର୍ ଇଣ୍ଡିଆ ଅନୀଲ୍ କପୁର୍ ଙ୍କ ସହ ଫୋଟୋ ଗୋଟିଏ ଉଠେଇବା ପାଇଁ। ପିଲାବେଳେ ଦେଖିଥିଲେ ସିନେମାଟି । ସେହି ଦିନଠାରୁ ମନରେ ଗୋଟିଏ ଛାପ ରହି ଯାଇଛି। ହାତରେ ଘଣ୍ଟାଟିଏ ପିନ୍ଧିବା ପରେ ଅଦୃଶ୍ୟ ହୋଇଯିବା ଦୃଶ୍ୟ ତାଙ୍କୁ ଅମୋଦିତ କରୁଥିଲା। ପିଲା ମନ ବୁଝୁ ନ ଥିଲା, ସତ କ'ଣ ଆଉ ମିଛ କ'ଣ ? ମିଷ୍ଟର୍ ଇଣ୍ଡିଆଙ୍କୁ ସେ ସତ ଚରିତ୍ର ବୋଲି ଭାବି ନେଇଥିଲେ। ଶାଢ଼ୀ କିଣାରେ ଆଉ କି ମନ ନ ଥାଏ ? ସୁଶାନ୍ତଙ୍କର ମନ ରଖିବାକୁ ଶାଢ଼ୀ ଦେଖୁ ଥାଆନ୍ତି। ଶେଷରେ ଦାମୀ ଶାଢ଼ୀ ଗୋଟେ କିଣା ହେଲା। 


ବିଲ୍ ଦେବା ସମୟରେ ଲାଇନ ରେ ଠିଆ ହୋଇଥାନ୍ତି ସୁଶାନ୍ତ ଓ ରଞ୍ଜିତା। ମଲ୍ ର ଜଣେ କର୍ମଚାରୀ ସେମାନଙ୍କୁ ଅନୀଲ ସାର୍ ଡାକୁଛନ୍ତି କହି ତାଙ୍କ ପାଖକୁ ଯିବା ପାଇଁ ଡାକିଲେ। ଖୁସିର ସୀମା ରହିଲାନି ରଞ୍ଜିତାଙ୍କର। ତାଙ୍କର ପ୍ରିୟ ମିଷ୍ଟର୍ ଇଣ୍ଡିଆ... ପୁଣି ଏତେ ନିକଟରେ। ଫୋଟୋ ବି ଉଠେଇଲେ, ଅଟୋଗ୍ରାଫ୍ ବି ନେଲେ। ଆନନ୍ଦରେ ଗଦଗଦ ହୋଇ ଯାଉଥାନ୍ତି ।

 

ଘଣ୍ଟାକୁ ଦେଖିଲେ ନଅଟା ବାଜିବାକୁ ଯାଉଛି । ରୋଷେଇ ସାରିକି ଆସି ନ ଥିବାରୁ ବ୍ୟସ୍ତ ହୋଇ ପଡୁଥିଲେ ରଂଜିତା। ପିଲାମାନଙ୍କୁ ଭୋକ ଲାଗିବଣି । ସୁଶାନ୍ତ କିନ୍ତୁ ନିର୍ବିକାର। ଘରକୁ ଫେରୁ ଫେରୁ ସାଢେ ନଅଟା।କଲିଂ ବେଲ୍ ମାରିଲେ।କରେଣ୍ଟ ନାହିଁ କି କ'ଣ ଘର ଅନ୍ଧାର ହେଇଛି । ପିଲାଙ୍କୁ ଡାକି ଡାକି ଘରେ ପଶିଗଲେ।ହଠାତ ଲାଇଟ୍ ସବୁ ଜଳି ଉଠିଲା। ଇଏ କ'ଣ ? ଡ୍ରଇଂ ରୁମ୍ ରଙ୍ଗ ବେରଙ୍ଗ ବେଳୁନରେ ସଜ୍ଜିତ।ଟେବୁଲ ଉପରେ କେକ୍ ରଖା ହୋଇଛି। "ହାପି ବର୍ଥଡେ ଟୁ ୟୁ" ଗୀତ ଗାଇ ଉଠିଲେ ପିଲାମାନେ।ଓହୋ ଆଜି ପରା ରଞ୍ଜିତାଙ୍କ ଜନ୍ମଦିନ ! ସେ ତ ପୂରା ଭୁଲି ଯାଇଥିଲେ। ଏବେ ବୁଝିଲେ ଏଥିପାଇଁ ତେବେ ବାପପୁଅ ମିଶିକି ଯୋଜନା କରିଥିଲେ। ପୁଅ ଦୁଇଜଣ ଏତେ ସୁନ୍ଦର କରି ଘର ସଜେଇଥିବା ଦେଖି ସେ ନିଜେ ବିଶ୍ୱାସ କରି ପାରିଲେନି ।ବାହାରୁ ଖାଇବା ବି ଆଣିକି ରଖିଥିଲେ।ତାଙ୍କ ଆଖିରୁ ଲୁହ ଝରି ଆସିଲା ଖୁସିରେ।


ବାହାଘରର ଛବିଶ ବର୍ଷ ପରେ ଆଜି ତାଙ୍କର ଜନ୍ମଦିନ ପାଳନ କରା ଯାଉଛି।ରଞ୍ଜିତା ତାଙ୍କ ଘରେ ଗୋଟିଏ ବୋଲି ଝିଅ ଥିଲେ। ବହୁତ ଧୁମ୍ ଧାମ୍ ରେ ତାଙ୍କ ଜନ୍ମଦିନ ପାଳନ ହେଉଥିଲା। ବାହାଘର ପରେ ସେ ଆଶା କରିଥିଲେ ଶାଶୂଘରେ ବି ସେମିତି କିଛି ହେବ। ବାହାଘର ପରର ପ୍ରଥମ ଜନ୍ମଦିନ ତାଙ୍କର ମନେ ଅଛି।ଶାଶୂ କହିଥିଲେ, "ଜନ୍ମଦିନ ବାପଘରେ ସିନା ପାଳନ କରାଯାଏ,ଶାଶୂଘରେ କିଏ ଜନ୍ମଦିନ ପାଳେ?? " ବହୁତ ଆଘାତ ପାଇଥିଲେ ସେ।ବାଥରୁମ୍ ଭିତରକୁ ଯାଇ ଗୁଡ଼ାଏ କାନ୍ଦିଥିଲେ। ସେ ପ୍ରତିଉତ୍ତର ଦେବା କେବେ ବି ଶିଖି ନାହାନ୍ତି। ତେଣୁ ବାଥରୁମ୍ ହିଁ ତାଙ୍କର ଗୋଟିଏ ସ୍ଥାନ ଯେଉଁଠି ଟିକେ କାନ୍ଦିକି ମନ ହାଲ୍କା କରି ହୁଏ। ଏ କଥା ସେ ସ୍ୱାମୀଙ୍କୁ କେବେ କହି ନାହାଁନ୍ତି । ଅନ୍ୟ ଯାଆ ମାନେ ବାହାରେ ରୁହନ୍ତି।ଖୁବ ଧୁମ୍ ଧାମ୍ ରେ ତାଙ୍କ ଜନ୍ମଦିନ ବି ପାଳନ୍ତି।କେକ୍ କାଟନ୍ତି।ସବୁ ଖବର ରଞ୍ଜିତା ଶୁଣନ୍ତି, ଫୋଟୋ ସବୁ ଦେଖନ୍ତି କିନ୍ତୁ ମନ ମାରି ରହିବାକୁ ପଡେ।


ପିଲାମାନେ କେତେଥର ପଚାରନ୍ତି, "ମାମା !ସମସ୍ତଙ୍କର ଜନ୍ମଦିନ ପାଳନ ହଉଚି ତୁମର କାହିଁକି ହଉନି "? ଶୁଖିଲା ହସଟିଏ ହସି କୁହନ୍ତି "ମାମା ମାନଙ୍କର କ'ଣ ଜନ୍ମ ଦିନ କେବେ ହୁଏ ? " ଆଜି ପିଲାମାନେ ବଡ ହେଲେଣି।ମାଆର ଜନ୍ମଦିନ ପାଳି ଖୁସି ହଉଛନ୍ତି। ଗିଫ୍ଟ ବି ଆଣିକି ରଖିଛନ୍ତି।ସବୁ ଆୟୋଜନ ସେମାନେ ନିଜ ପଇସାରେ କରିଛନ୍ତି।ଆଜି ସ୍ୱାମୀ ସୁଶାନ୍ତ ବି ବହୁତ ଖୁସି।ସେ କେତେଥର କହିଛନ୍ତି ଜନ୍ମଦିନ ପାଳିବାକୁ।ରଞ୍ଜିତା ମନା କରି ଦିଅନ୍ତି ସବୁ ଥର।


ଆଜି ବହୁତ ଖୁସି ରଞ୍ଜିତା।ଦୀର୍ଘ ଛବିଶ ବର୍ଷ ପରେ ତାଙ୍କ ଜନ୍ମଦିନ ପାଳନ ହେଲା।କେକ୍ କଟା ହେଲା।ପ୍ରିୟ ନାୟକ ମିଷ୍ଟର ଇଣ୍ଡିଆଙ୍କ ସହିତ ମଧ୍ୟ ଦେଖା ହେଲା। ସତରେ ଝିଅଟିଏ ବାହା ହେଇ ଆସିବା ପରେ ତା ଦୁନିଆ ପୂରା ବଦଳି ଯାଏ। ଛୋଟ ଝିଅଟିଏ କେମିତି ଯେ ଗୋଟିଏ ହଠାତ ପାରିପକ୍ବା ନାରୀରେ ପରିଣତ ହେଇଯାଏ ଜଣା ପଡେନି ସତରେ।


ରାତିରେ ଶୋଇବା ବେଳେ ରଞ୍ଜିତା ସୁଶାନ୍ତଙ୍କୁ ପଚାରିଲେ, " ଆଚ୍ଛା ! ହଠାତ ମିଷ୍ଟର ଇଣ୍ଡିଆ ଆମକୁ କେମିତି ଡାକିଲେ କୁହ ତ ? ମୁଁ କିଛି ବି ବୁଝି ପାରୁନି। ରଞ୍ଜିତାଙ୍କୁ ଆଦରରେ କୋଳେଇ ନେଇ ସୁଶାନ୍ତ କହିଲେ, " ତୁମେ କେମିତି ଜାଣିବ, ଟ୍ରାଏଲ ରୁମ୍ କୁ ତୁମେ ଯାଇଥିବା ବେଳେ କେତେ ଅନୁରୋଧ କରିଥିଲି ମଲ୍ ମ୍ୟାନେଜର୍ ଙ୍କୁ ତୁମ ପ୍ରିୟ ମିଷ୍ଟର ଇଣ୍ଡିଆଙ୍କ ସହ ଥରେ ତମର ଦେଖା କରେଇଦେବା ପାଇଁ। ତୁମ ଜନ୍ମଦିନ ଆଜି ଜାଣି ସେ ରାଜି ହେଲେ। ଘରେ ମଧ୍ୟ ପିଲାମାନେ ସୁରପ୍ରାଇଜ୍ ରଖିଥିଲେ । ତେଣୁ ତମକୁ କେହି ସେଠି ଶୁଭେଚ୍ଛା ନ ଜଣାନ୍ତୁ ବୋଲି ମଧ୍ୟ ଅନୁରୋଧ କରିଥିଲି। " ରଞ୍ଜିତା ଭାବର ସମୁଦ୍ରରେ ବୁଡ଼ ପକାଉଥିଲେ।



Rate this content
Log in

Similar oriya story from Drama